Unknown

 

 

 

 

 

 

 

 

ଶେଷପ୍ରଶ୍ନ

ଅନୁବାଦକ

ଅଧ୍ୟାପକ ମଦନମୋହନ ମିଶ୍ର

 

 

 

 

 

 

 

ଶେଷପ୍ରଶ୍ନ

ମୂଳ ରଚନା

ଶରତ୍‍ଚନ୍ଦ୍ର ଚଟ୍ଟୋପାଧ୍ୟାୟ

 

ଅନୁବାଦକ

ଅଧ୍ୟାପକ ମଦନମୋହନ ମିଶ୍ର

 

(ଏକ)

 

ବିଭିନ୍ନ ସମୟରେ ଓ ବିଭିନ୍ନ କର୍ମଯୋଜନାରେ ଆସି ଅନେକଗୁଡ଼ିଏ ବଙ୍ଗୀୟ ପରିବାର ବିଖ୍ୟାତ ଆଗ୍ରା ସହରରେ ବସବାସ କରିଥିଲେ । କିଏ ବା ବହୁ ପୁରୁଷର ବାସିନ୍ଦା, କିଏ ବା ନୂଆ ବସବାସ କରି ରହିଛନ୍ତି । ବସନ୍ତ, ମହାମାରୀ ଓ ପ୍ଲେଗର ପ୍ରତିକ୍ରିୟା ବ୍ୟତୀତ ଏମାନଙ୍କର ଅତି ନିର୍ବିଘ୍ନ ଜୀବନ । ବାଦସାହୀ ଅମଳର କିଲ୍ଲା ଓ ଇମାରତ୍ ଏମାନଙ୍କର ଦେଖା ସରିଛି । ଅମୀର, ଓମରାହମାନଙ୍କର ଛୋଟ, ବଡ଼, ମଧ୍ୟମ–ଭଙ୍ଗା ଓ ଅଭଙ୍ଗା ଯେଉଁଠି ଯେତେ କବର ଅଛି, ତା’ର ନିର୍ଭୁଲ ତାଲିକା ଏମାନଙ୍କର କଣ୍ଠସ୍ଥ । ବିଶ୍ୱବିଶ୍ରୁତ ତାଜମହଲ ଏମାନଙ୍କ ପାଇଁ କିଛି ନୂତନତ୍ୱ ନାହିଁ । ସନ୍ଧ୍ୟାରେ ଉଦାସ, ସଜଳ ଚକ୍ଷୁ ମେଲି, ଜ୍ୟୋତ୍ସ୍ନାରେ ଅର୍ଦ୍ଧ ନିମୀଳିତ ନେତ୍ରରେ ନିରୀକ୍ଷଣ କରି, ଅନ୍ଧକାରରେ ନୟନ ବିସ୍ଫାରିତ କରି–ଯମୁନାର ଏ ପାଖରୁ ଓ ଅନ୍ୟ ପାଖରୁ ସୌନ୍ଦର୍ଯ୍ୟ ଉପଲବ୍ଧି କରିବାର ଯେତେପ୍ରକାର ପ୍ରଚଳିତ ପ୍ରବାଦ ଓ ଫନ୍ଦି ଅଛି–ସବୁ ନିଗାଡ଼ି ଶେଷ କରି ଦେଇଛନ୍ତି । କେଉଁ ବଡ଼ଲୋକ କେବେ କ’ଣ କହିଛି, କିଏ କିଏ କବିତା ଲେଖିଛନ୍ତି, ଉଚ୍ଛ୍ଵାସର ପ୍ରାବଲ୍ୟ ହେତୁ କିଏ ତାଜମହଲ୍‍ ସାମ୍ନାରେ ଦଉଡ଼ି ଦେବାକୁ ଚେଷ୍ଟା କରିଛି–ଏମାନେ ସମସ୍ତଙ୍କ କଥା ଜାଣନ୍ତି । ଇତିବୃତ୍ତ ଦିଗରୁ ବି ଲେଶମାତ୍ର ତ୍ରୁଟି ନାହିଁ । ଏମାନଙ୍କର ଛୋଟ ଛୋଟ ପୁଅଝିଅ ବି ଜାଣନ୍ତି ଯେ କେଉଁ ବେଗମ୍‍ଙ୍କର କେଉଁଠି ଅନ୍ତୁଡ଼ିଶାଳ ଥିଲା, କେଉଁ ଜାଠ୍ ସର୍ଦ୍ଦାର କେଉଁଠି ଭାତ ରାନ୍ଧି ଖାଇଥିଲା, ସେ କଳାର ଦାଗ କେତେ ପ୍ରାଚୀନ–କେଉଁ ଦସ୍ୟୁ କେତେ ହୀରା ମାଣିକ୍ୟ ଲୁଣ୍ଠନ କରିଛି ଏବଂ ତା’ର ଆନୁମାନିକ ମୂଲ୍ୟ କେତେ, କିଛି ବି କାହାର ଅବିଦିତ ନାହିଁ । ଏହି ଜ୍ଞାନ ଓ ପରମ ନିଷ୍କ୍ରିୟତାର ମଝିରେ ହଠାତ୍ ଦିନେ ବଙ୍ଗୀୟ-ସମାଜରେ ଚାଞ୍ଚଲ୍ୟ ଦେଖା ଦେଲା । ପ୍ରତ୍ୟହ ଯାତ୍ରୀଦଳ ଯିବା ଆସିବା କରନ୍ତି । ଆମେରିକାନ୍ ଟୁରିଷ୍ଟଙ୍କଠାରୁ ଶ୍ରୀବୃନ୍ଦାବନ-ଫେରନ୍ତା ବୈଷ୍ଣବଙ୍କ ପର୍ଯ୍ୟନ୍ତ ମଝିରେ ମଝିରେ ଆଗ୍ରା ସହରରେ ଭିଡ଼–କାହାର କୌଣସି ଔତ୍ସୁକ୍ୟ ନାହିଁ । ଏହି ସମୟରେ ଜଣେ ପ୍ରୌଢ଼ ବଙ୍ଗୀୟ ଭଦ୍ରଲୋକ ତାଙ୍କର ଶିକ୍ଷିତା, ସୁରୂପା ଓ ପୂର୍ଣ୍ଣ ଯୌବନା କନ୍ୟାକୁ ନେଇ ସ୍ଵାସ୍ଥ୍ୟୋଦ୍ଧାର ନାଁରେ ସହରର ଏକ ପ୍ରାନ୍ତରେ ମସ୍ତବଡ଼ ଘର ଭଡ଼ା ନେଇ ରହିଲେ । ତାଙ୍କ ସାଙ୍ଗରେ ବେହେରା, ବବୁର୍ଚ୍ଚି, ଦରୱାନ ବି ଆସିଥିଲେ; ଚାକର, ପୂଜାରୀ ବ୍ରାହ୍ମଣ ଆସିଲେ; ଗାଡ଼ି, ଘୋଡ଼ା, ମୋଟର, ଡ୍ରାଇଭର, ସଇସ, କୋଚ୍‍ମ୍ୟାନରେ ଏତେ କାଳର ଏତେ ବଡ଼ ଫାଙ୍କା ଘରର ସମସ୍ତ ଅନ୍ଧ୍ରରନ୍ଧ୍ର ଯେପରି ଯାଦୁବିଦ୍ୟାଦ୍ଵାରା ରାତାରାତି ଭରି ଉଠିଲା । ଭଦ୍ରଲୋକଙ୍କ ନାଁ ଆଶୁତୋଷ ଗୁପ୍ତ, କନ୍ୟାର ନାଁ ମନୋରମା । ଅତ୍ୟନ୍ତ ସହଜରେ ବୁଝାଗଲା ଯେ ଏମାନେ ବଡ଼ଲୋକ । କିନ୍ତୁ ଉପରେ ଯେ ଚାଞ୍ଚଲ୍ୟ କଥା କୁହାଯାଇଛି, ତା’ ଏମାନଙ୍କର ସମ୍ପଦର ପରିମାଣ କଳ୍ପନା କରି ନୁହେଁ କି ମନୋରମାର ଶିକ୍ଷା ଓ ରୂପର ଖ୍ୟାତି ବିସ୍ତାର ପାଇଁ ନୁହେଁ; ତା’ର କାରଣ ଆଶୁ ବାବୁଙ୍କ ନିରଭିମାନ, ସହଜ, ଭଦ୍ର ଆଚରଣ । ସେ ଝିଅକୁ ସାଙ୍ଗରେ ଧରି ନିଜେ ଖୋଜି ଖୋଜି ସମସ୍ତଙ୍କ ସାଙ୍ଗରେ ସାକ୍ଷାତ୍‍ କଲେ । କହିଲେ ଯେ ସେ ନିଜେ ପୀଡ଼ିତ ଓ ସେମାନଙ୍କର ଅତିଥି, ସୁତରାଂ ଦୟାକରି ଯଦି ଏମାନେ ତାଙ୍କୁ ପ୍ରବାସୀମାନଙ୍କ ଗୋଷ୍ଠୀରେ ଗ୍ରହଣ ନ କରିବେ; ତେବେ ତାଙ୍କର ଏ ନିର୍ବାସନରେ ବାସ କରିବା ଅସମ୍ଭବ ହୋଇପଡ଼ିବ । ମନୋରମା ଘର ଭିତରକୁ ଯାଇ ଝିଅବୋହୂଙ୍କ ସହିତ ପରିଚୟ କରି ଆସି ବାପାଙ୍କ ତରଫରୁ ବିନୟ ସହକାରେ କହି ଆସନ୍ତି ଯେ ସେମାନେ ଯେପରି ତାଙ୍କୁ ପର ନ ଭାବନ୍ତି ।

 

ସମସ୍ତେ ଶୁଣି ଖୁସି ହୁଅନ୍ତି । ସେତିକିବେଳୁ ଆଶୁ ବାବୁଙ୍କ ଗାଡ଼ି ଓ ମୋଟର ବେଳ ଅବେଳରେ ଯା’ ତା’ ଘରକୁ ଯିବା ଆସିବା କରି ସ୍ତ୍ରୀ ପୁରୁଷଙ୍କୁ ଆଣିଲା ଓ ପହଞ୍ଚାଇ ଦେଇ ଆସିଲା-। ଆଳାପ-ଆପ୍ୟାୟନ, ଗାନ ବାଜଣା ଏବଂ ଦ୍ରଷ୍ଟବ୍ୟ ବସ୍ତୁର ପୁନଃ ପୁନଃ ପରିଦର୍ଶନରେ ହୃଦ୍ୟତା ଏପରି ଜମାଟ ବାନ୍ଧିଗଲା ଯେ, ଏମନେ ବିଦେଶୀ ଏବଂ ବଡ଼ଲୋକ ଏକଥା ଭୁଲିବା ପାଇଁ କାହାକୁ ସପ୍ତାହକରୁ ବେଶୀ ସମୟ ଲାଗିଲା ନାହିଁ । କିନ୍ତୁ ଗୋଟିଏ କଥା ଅନେକେ ସଙ୍କୋଚ ବୋଧ କରି କିମ୍ବା ବାହୁଲ୍ୟ ମନେକରି ସ୍ପଷ୍ଟ କରି ପଚାରି ନ ଥିଲେ–ଏମାନେ ହିନ୍ଦୁ ନା ବ୍ରାହ୍ମସମାଜଭୁକ୍ତ-। ବିଦେଶରେ ଅବଶ୍ୟ ଏ ସବୁର ବିଶେଷ ପ୍ରୟୋଜନ ନାହିଁ । ତେବେ ଆଚାର ବ୍ୟବହାରରୁ ଯେତେଦୂର ଜଣାଯାଏ, ସମସ୍ତେ ବୁଝିଲେ ଯେ, ଏମାନେ ଯେଉଁ ଗୋଷ୍ଠୀର ହୁଅନ୍ତୁ ନା କାହିଁକି ଅଧିକାଂଶ ଉଚ୍ଚ ଶିକ୍ଷିତ, ଭଦ୍ର ବଙ୍ଗୀୟ ପରିବାର ପରି ଏମାନଙ୍କର ମଧ୍ୟ ଖିଆପିଆରେ ବିଶେଷ ବାଛବିଚାର ନାହିଁ । ଘରେ ମୁସଲମାନ ବବୁର୍ଚ୍ଚି ଥିବା କଥା ସମସ୍ତେ ନ ଜାଣିଥିଲେ ବି, ଏ କଥାଟା ସମସ୍ତେ ଜାଣନ୍ତି ଯେ ଏତେ ବୟସ ପର୍ଯ୍ୟନ୍ତ ଝିଅକୁ ଅବିବାହିତା ରଖି ଯେ କଲେଜରେ ପାଠ ପଢ଼େଇଛନ୍ତି, ସେ ଯେକୌଣସି ସମାଜର ହୁଅନ୍ତୁ ନା କାହିଁକି, ବହୁ ସଂକୀର୍ଣ୍ଣତାର ବନ୍ଧନରୁ ମୁକ୍ତିଲାଭ କରିଛନ୍ତି ।

 

ଅବିନାଶ ମୁଖାର୍ଜି କଲେଜର ପ୍ରଫେସର । ବହୁଦିନ ଧରି ସ୍ତ୍ରୀ ବିୟୋଗ ଘଟିଛି । ଆଉ ବିବାହ କରି ନାହାନ୍ତି । ଘରେ ଦଶ ବର୍ଷର ଗୋଟିଏ ପୁଅ । ଅବିନାଶ କଲେଜରେ ପଢ଼ାନ୍ତି ଓ ବନ୍ଧୁବାନ୍ଧବଙ୍କୁ ନେଇ ମଉଜ କରି ବୁଲନ୍ତି । ଅବସ୍ଥା ସ୍ୱଚ୍ଛଳ, ନିଶ୍ଚିନ୍ତ, ନିରୁପଦ୍ରବ ଜୀବନ । ଦୁଇ ବର୍ଷ ପୂର୍ବେ ତାଙ୍କର ବିଧବା ଶାଳୀ ମ୍ୟାଲେରିଆ ଭୋଗି ଭୋଗି ଜଳବାୟୁ ପରିବର୍ତ୍ତନ କରିବା ପାଇଁ ଭିଣୋଇଙ୍କ ପାଖକୁ ଆସିଥିଲେ । ଜ୍ଵର ଛାଡ଼ିଗଲା, କିନ୍ତୁ ଭିଣୋଇ ଛାଡ଼ିଲେ ନାହିଁ । ବର୍ତ୍ତମାନ ଘରେ ମାଲିକ ସେ । ପୁଅକୁ ମଣିଷ କରିବା, ଘରସଂସାର ବୁଝିବା ସବୁ କରନ୍ତି । ବନ୍ଧୁମାନେ ସମ୍ପର୍କ ଆଲୋଚନା କରି ଥଟ୍ଟା ତାମସା କରନ୍ତି । ଅବିନାଶ ହସି କହନ୍ତି–ଭାଇ, ବୃଥା ଲଜ୍ଜା ଦେଇ ଆଉ ଜଳାଅନି । କପାଳ ! ନ ହେଲେ ମୋ ଆଡ଼ୁ ଚେଷ୍ଟାର ତ୍ରୁଟି ନାହିଁ । ଏତ ଚୋରକୁ ବାଘ ଖାଇବା ନ୍ୟାୟ ! ତେବେ ସେ ମୋ’ପାଇଁ ଭଲ ।

 

ଅବିନାଶ ବାବୁ ସ୍ତ୍ରୀଙ୍କୁ ଅତ୍ୟନ୍ତ ଭଲପାଉଥିଲେ । ଘରେ ସର୍ବତ୍ର ତାଙ୍କର ନାନା ଆକାର ଓ ଭଙ୍ଗୀର ଫଟୋଗ୍ରାଫ୍ । ଶୋଇବାଘର କାନ୍ଥରେ ଗୋଟାଏ ବଡ଼ ଛବି ଟଙ୍ଗାଯାଇଛି । ଅୟେଲ୍ ପେଣ୍ଟିଂ, ମୂଲ୍ୟବାନ୍ ଫ୍ରେମରେ ବନ୍ଧା । ଅବିନାଶ ପ୍ରତି ବୁଧବାର ଦିନ ସେଥିରେ ଗୋଟିଏ ଫୁଲମାଳ ପିନ୍ଧାଇ ଦିଅନ୍ତି । ସେଇଦିନ ତାଙ୍କର ମୃତ୍ୟୁ ହୋଇଥିଲା ।

 

ଅବିନାଶ ଖୁସ୍‍ମିଜାଜି ଲୋକ । ତାସ୍ ପଶାରେ ତାଙ୍କର ଅତ୍ୟଧିକ ଆସକ୍ତି । ସେଥିପାଇଁ ପ୍ରାୟ ଛୁଟିଦିନରେ ତାଙ୍କ ଘରେ ଲୋକ ସମାଗମ ହୁଏ । ଆଜି କ’ଣ ଗୋଟାଏ ପର୍ବ ପାଇଁ ଅଫିସ୍ ବନ୍ଦ ଥିଲା । ଖାଇସାରି ପ୍ରଫେସର ଦଳ ଆସି ଉପସ୍ଥିତ ହୋଇଛନ୍ତି; ଦୁଇଜଣ ପଡ଼ିଥିବା ବିଛଣା ଉପରେ ପଶାପାଲି ପକାଇ ବସିଛନ୍ତି ଓ ଆଉ ଦୁଇଜଣ ଉହୁଁକି ତାଙ୍କ ଖେଳକୁ ଚାହିଁ ରହିଛନ୍ତି–ବାକି ଅନ୍ୟମାନେ ସମସ୍ତେ ଡେପୁଟୀ ମୁନସେଫ୍‍ମାନଙ୍କ ବିଦ୍ୟାବୁଦ୍ଧିର ସ୍ୱଳ୍ପତା ଅନୁପାତରେ ମୋଟା ଦରମାର ହାର ମାପି ଉଚ୍ଚ କୋଳାହଳ ସହ ଗଭର୍ଣ୍ଣମେଣ୍ଟ ପ୍ରତି ରାଇଚୁଏସ୍ ଇଣ୍ଡିଗ୍ନେସନ୍ ଓ ଅଶ୍ରଦ୍ଧା ପ୍ରକାଶ କରିବାରେ ନିଯୁକ୍ତ । ଏହି ସମୟରେ ଗୋଟାଏ ମସ୍ତବଡ଼ ମଟର ଆସି ସାମ୍ନା ଦୁଆରେ ଠିଆହେଲା । ପରମୁହୂର୍ତ୍ତରେ ଆଶୁ ବାବୁ କନ୍ୟାକୁ ଧରି ପ୍ରବେଶ କରିବାରୁ ସମସ୍ତେ ସମ୍ମାନସହ ତାଙ୍କ ଅଭ୍ୟର୍ଥନା ପାଇଁ ଠିଆହେଲେ । ଖେଳ ବର୍ତ୍ତମାନ ପାଇଁ ବନ୍ଦ ରହିଲା, ସବୁ ଗରମ ଆଲୋଚନା ପାଣି ଫାଟିଗଲା । ଅବିନାଶ ବାବୁ ବିନୟସହ ହାତଯୋଡ଼ି କହିଲେ–ମୋର ପରମ ସୌଭାଗ୍ୟ ଯେ ଆପଣଙ୍କ ପାଦଧୂଳି ମୋ ଘରେ ପଡ଼ିଲା, କିନ୍ତୁ ହଠାତ୍ ଏମିତି ଅସମୟରେ ? ଏହା କହି ସେ ଚେୟାର୍ ଟାଣିଆଣି ମନୋରମାକୁ ବସାଇ ଦେଲେ ।

 

ଆଶୁ ବାବୁ ସନ୍ନିକଟବର୍ତ୍ତୀ ଆରାମ୍‍-ଚେୟାର ଉପରେ ଦେହର ସୁବିପୁଳ ଭାର ନ୍ୟସ୍ତ କରି ଅକାରଣ ଉଚ୍ଚ-ହାସ୍ୟରେ ଘର ଭରି ଦେଇ କହିଲେ–ଆଶୁ ବୈଦ୍ୟର ଅସମୟ ? ଏତେ ବଡ଼ ଦୁର୍ନାମ ଯେ ମୋର ସାନ କାକା ବି ଦେଇପାରିବେନି ଅବିନାଶ ବାବୁ ! ମନୋରମା ସାମାନ୍ୟ ହସି ଆନତକଣ୍ଠରେ କହିଲା–କ’ଣ କହୁଚ ବାବା ?

 

ଆଶୁ ବାବୁ କହିଲେ–ତେବେ ଛାଡ଼ ସାନ କାକାଙ୍କ କଥା । କନ୍ୟାର ଆପତ୍ତି, କିନ୍ତୁ ୟା ଅପେକ୍ଷା ଗୋଟାଏ ଭଲ ଉଦାହରଣ ଦେବାର ସାଧ୍ୟ ତା’ ବାପର ନାହିଁ । ଏହା କହି ନିଜର ରସିକତାର ଆନନ୍ଦୋଚ୍ଛ୍ୱାସରେ ପୁଣି ଘର ଭାଙ୍ଗିବାର ଉପକ୍ରମ କଲେ । ହସ କମିବାରୁ କହିଲେ–କିନ୍ତୁ କ’ଣ କରିବି ଆଜ୍ଞା, ବାତରୋଗରେ ପଙ୍ଗୁ ହୋଇ ଗଲିଣି । ନହେଲେ ଯେଉଁ ପଦଧୂଳିର ଏତେ ଗୌରବ ବଢ଼ାଇଲେ, ଆଶୁ ଗୁପ୍ତର ସେଇ ପଦଧୂଳି ଝାଡ଼ି ସଫା କରିବା ପାଇଁ ଆପଣଙ୍କୁ ରୀତିମତ ଗୋଟାଏ ଚାକର ରଖିବାକୁ ପଡ଼ନ୍ତାଣି । କିନ୍ତୁ ଆଉ ବସିବାର ଉପାୟ ନାହିଁ, ଏକ୍ଷଣି ଉଠିବାକୁ ହେବ ।

 

ଏହି ଅନବସରର ହେତୁ ପାଇଁ ସମସ୍ତେ ତାଙ୍କ ମୁହଁକୁ ଚାହିଁ ରହିଲେ । ଆଶୁ ବାବୁ କହିଲେ–‘ଗୋଟିଏ ଆବେଦନ ଅଛି । ମଞ୍ଜୁରି ପାଇଁ ମୋ ମା’କୁ ପର୍ଯ୍ୟନ୍ତ ଟାଣିଆଣିଛି । କାଲି ତ ଛୁଟିଦିନ, ସନ୍ଧ୍ୟାପରେ ବସାରେ ଟିକିଏ ଗାନବାଜଣାର ଆୟୋଜନ କରିଛି, ସପରିବାରେ ଯିବାକୁ ହେବ । ତା’ପରେ ସାମାନ୍ୟ ଜଳପାନର ବ୍ୟବସ୍ଥା ।

 

ଝିଅକୁ କହିଲେ–ମା, ଘର ଭିତରକୁ ଯାଇ ଟିକିଏ ହୁକୁମ୍‍ଟା ନେଇ ଆସିଲୁ ମା । ଡେରି କଲେ ହେବ ନାହିଁ । ଆଉ ଗୋଟାଏ କଥା, ମାଇଁ ୟଂ ଫ୍ରେଣ୍ଡସ୍, ମହିଳାମାନଙ୍କ ପାଇଁ ଯାହାହେଉ ନା କାହିଁକି, ଆମ ପୁରଷମାନଙ୍କ ପାଇଁ ଖାଇବାର ଦୁଇ ରକମ ବ୍ୟବସ୍ଥା–ଅର୍ଥାତ୍–ଅବଶ୍ୟ ପ୍ରେଜୁଡ଼ିସ୍ ଯଦି ନ ଥାଏ, ବୁଝିପାରିଲେ ତ ?

 

ସମସ୍ତେ ବୁଝିଲେ ଏବଂ ଏକବାକ୍ୟରେ ପ୍ରକାଶ କଲେ ଯେ, ସେମାନଙ୍କର ପ୍ରେଜୁଡ଼ିସ୍ ନାହିଁ ।

 

ଆଶୁ ବାବୁ ଖୁସି ହୋଇ କହିଲେ–ନ ଥିବାର ତ କଥା । ଝିଅକୁ କହିଲେ–ମନି, ଖାଇବା ସମ୍ବନ୍ଧରେ ମା’ମାନଙ୍କର ତ ଗୋଟାଏ ମତାମତ ନେବା ଦରକାର, ସେ କଥା ଯେମିତି ଭୁଲି ନ ଯାଉ । ପ୍ରତ୍ୟେକ ଘରକୁ ଯାଇ ସେମାନଙ୍କର ଅଭିରୁଚି ଓ ଆଦେଶ ନେଇ ଘରକୁ ଗଲାବେଳକୁ ଆମର ଆଜି ବୋଧହୁଏ ସନ୍ଧ୍ୟା ହୋଇଯିବ । ଟିକିଏ ଶୀଘ୍ର କାମଟା ସାରି ଆସ ତ ମା । ମନୋରମା ଭିତରକୁ ଯିବାପାଇଁ ଉଦ୍ୟତ ହେଉଥିଲା, ଅବିନାଶ ବାବୁ କହିଲେ, ମୋର ବହୁଦିନରୁ ଗୃହ ଶୂନ୍ୟ । ଶ୍ୟାଳିକା ଅଛନ୍ତି, କିନ୍ତୁ ବିଧବା । ଗୀତ ଶୁଣିବାର ସୌଖ୍ ପ୍ରଚୁର । ଅତଏବ ଯିବେ ନିଶ୍ଚୟ କିନ୍ତୁ ଖାଇବା–

 

ଆଶୁ ବାବୁ ତତ୍‍କ୍ଷଣାତ୍ କହି ଉଠିଲେ–ତା’ର ବି ଅଭାବ ହେବନି ଅବିନାଶ ବାବୁ, ମୋ ମନି ଅଛି ଯେ ! ସେ ତ ମାଛ, ମାଂସ, ପିଆଜ, ରସୁଣ ପର୍ଯ୍ୟନ୍ତ ସ୍ପର୍ଶ କରେନା–

 

ଅବିନାଶ ଆଶ୍ଚର୍ଯ୍ୟ ହୋଇ ପଚାରିଲେ–ଏ କ’ଣ ମାଛ ମାଂସ ଖାନ୍ତିନାହିଁ ?

 

ଆଶୁ ବାବୁ କହିଲେ–ଖାଉଥିଲା ସବୁ କିନ୍ତୁ ବାବୁଙ୍କର ଭାରି ଅନିଚ୍ଛା, ସେ ହେଲେ ସନ୍ନ୍ୟାସୀ ଧରଣର ମଣିଷ– । ଆଖି ପଲକରେ ମନୋରମାର ମୁହଁ ରଙ୍ଗ ହୋଇ ଉଠିଲା; ପିତାର ଅସମାପ୍ତ ବାକ୍ୟ ମଝିରେ ବାଧାଦେଇ କହିଲା–ତମେ କ’ଣ ସବୁ କହିଯାଉଛ ବାବା ?

 

ଆଶୁ ବାବୁ ଥତମତ ଖାଇଗଲେ ଓ କନ୍ୟାର କଣ୍ଠସ୍ୱରର ସ୍ୱାଭାବିକ ମୃଦୁତା ତା’ର ଭିତରର ତିକ୍ତତା ଆବୃତ କରିପାରିଲା ନାହିଁ ।

 

ଏହାପରେ ବାକ୍ୟାଳାପ ଆଉ ଜମିଲା ନାହିଁ । ଆଉ ଯେଉଁ ଦୁଇ ଚାରି ମିନିଟ୍ ବସି ରହିଲେ, ଆଶୁ ବାବୁ କଥା କହିଲେ ବି ମନୋରମା କିପରି ଏକପ୍ରକାର ବିମନା ହୋଇ ରହିଲା ଏବଂ ଉଭୟେ ଚାଲିଯିବାରୁ କିଛି ସମୟ ପାଇଁ ସମସ୍ତଙ୍କ ମନ ଉପରେ ଯେପରି ଗୋଟାଏ ଅନାକାଂକ୍ଷିତ ବିଷଣ୍ଣତାର ଭାର ଚାପି ହୋଇଗଲା ।

 

ବନ୍ଧୁଗଣଙ୍କ ଭିତରେ କେହି କାହାକୁ କିଛି ସ୍ପଷ୍ଟ କରି କହିଲେ ନାହିଁ, କିନ୍ତୁ ସମସ୍ତେ ଭାବିବାକୁ ଲାଗିଲେ, ହଠାତ୍ ଏଇ ବାବୁଟି ଆସିଲେ କେଉଁଠୁ ? ଆଶୁ ବାବୁଙ୍କର ପୁଅ ନାହିଁ, ମନୋରମା ଯେ ଏକମାତ୍ର ସନ୍ତାନ ତା’ ସମସ୍ତେ ଜାଣନ୍ତି; ସେ ଆଜି ବି ଅନୂଢ଼ା–ବିବାହର କୌଣସି ଚିହ୍ନ ତା’ଠାରେ ନାହିଁ । କଥାଟା କେହି ସିଧା ପ୍ରଶ୍ନ କରି ଜାଣିନି ଅବଶ୍ୟ, କିନ୍ତୁ ଏ ସମ୍ବନ୍ଧରେ ସଂଶୟର ପ୍ରଶ୍ନ ତ କାହା ମନରେ ଉଦୟ ହୋଇନାହିଁ । ତେବେ ?

 

ଅଥଚ ଏଇ ସନ୍ନ୍ୟାସୀ ଧରଣର ବାବୁଟି ଯେ ହୁଅନ୍ତୁ ବା ଯେଉଁଠି ଥାନ୍ତୁ ନା କାହିଁକି, ସେ ସହଜ ବ୍ୟକ୍ତି ନୁହନ୍ତି । କାରଣ ତାଙ୍କର ନିଷେଧ ନୁହେଁ, କେବଳ ମାତ୍ର ଅନିଚ୍ଛାର ଚାପରେ ଏତେବଡ଼ ବିଳାସୀ ଓ ଐଶ୍ଵର୍ଯ୍ୟଶାଳୀ ବ୍ୟକ୍ତିର ଏକମାତ୍ର କନ୍ୟାର ମାଛ-ମାଂସ-ରସୁଣ-ପିଆଜ ଖାଇବା ଏକବାରେ ବନ୍ଦ ହୋଇଯାଇଛି ।

 

ତା’ପରେ, ଲଜ୍ଜା ପାଇବାର, ବା ଗୋପନ କରିବାର ବା କ’ଣ ଅଛି ? ପିତା ସଙ୍କୋଚରେ ଜଡ଼ସଡ଼ ହୋଇଗଲେ, କନ୍ୟା ଆରକ୍ତ ମୁଖରେ ସ୍ତବ୍ଧ ହୋଇ ରହିଲା–ସମୁଦାୟ ଘଟଣାଟା ଯେପରି ସମସ୍ତଙ୍କ ମନରେ ଗୋଟାଏ ଅବାଞ୍ଛିତ ଅପ୍ରୀତିକର ରହସ୍ୟ ପରି ଲାଗିଲା ଏବଂ ଏଇ ଆଗନ୍ତୁକ ପରିବାର ସହିତ ମିଳାମିଶାର ଯେ ସହଜ ଓ ସ୍ଵଚ୍ଛନ୍ଦ ଧାରା ପ୍ରଥମରୁ ପ୍ରବାହିତ ହେବାକୁ ଆରମ୍ଭ କରିଥିଲା, ଅକସ୍ମାତ୍ ଯେପରି ତହିଁରେ ବାଧା ପହଞ୍ଚିଲା ।

 

(ଦୁଇ)

 

ମନେହେଉଥିଲା ଯେ ବୋଧହୁଏ ଆଶୁ ବାବୁ ସହରର କାହାକୁ ବି ବାଦ୍ ଦେବେ ନାହିଁ, କିନ୍ତୁ ଦେଖାଗଲା ଯେ ବଙ୍ଗାଳୀମାନଙ୍କ ମଧ୍ୟରେ ଯେଉଁମାନେ ବିଶିଷ୍ଟ, କେବଳ ସେଇମାନେ ହିଁ ନିମନ୍ତ୍ରିତ ହୋଇଛନ୍ତି । ପ୍ରଫେସର ଗୋଷ୍ଠୀ ଦଳବାନ୍ଧି ଉପସ୍ଥିତ ହେଲେ । ଘରର ସ୍ତ୍ରୀଲୋକମାନଙ୍କୁ ମୋଟର ପଠା ହୋଇ ପୂର୍ବରୁ ଅଣାଯାଇଥିଲା ।

 

ଗୋଟାଏ ବଡ଼ ଘରର ଚଟାଣ ଉପରେ ମୂଲ୍ୟବାନ୍ ପ୍ରକାଣ୍ଡ କାର୍ପେଟ୍ ପକାଇ ସ୍ଥାନ କରାଯାଇଛି । ତା’ ଉପରେ ଦୁଇଜଣ ଓସ୍ତାତ୍ ଯନ୍ତ୍ର ବାନ୍ଧିବାରେ ନିଯୁକ୍ତ । ଅନେକଗୁଡ଼ିଏ ବାଳକ ବାଳିକା ସେମାନଙ୍କୁ ଘେରି ରହିଛନ୍ତି । ଗୃହସ୍ଵାମୀ ଅନ୍ୟ କେଉଁଠି ଥିଲେ, ଖବର ପାଇ ଧଇଁ-ସଇଁ ହୋଇ ଆସି ହାଜର ହେଲେ । ଦୁଇ ହାତ ଥିଏଟର ଭଙ୍ଗୀରେ ଟେକି କହିଲେ–ସ୍ଵାଗତ ଭଦ୍ରମଣ୍ଡଳୀ-! ମୋଷ୍ଟ୍ ଓୟେଲ୍‍କମ୍ !

 

ଓସ୍ତାଦ୍‍ଜୀମାନଙ୍କୁ ଇଙ୍ଗିତ କରି ତୁନି ତୁନି ଆଖି ମାରି କହିଲେ–ଭୟ ପାଇବେ ନାହିଁ । କେବଳ ଏମାନଙ୍କ ମ୍ୟାଓ ମ୍ୟାଓ ଶୁଣାଇବା ପାଇଁ ଆହ୍ୱାନ କରି ଆଣିନାହିଁ । ଶୁଣେଇବି, ଏମିତି ଗୀତ ଆଜି ଶୁଣେଇବି ଯେ ମତେ ଆଶୀର୍ବାଦ କରି ଘରକୁ ଫେରିବେ ।

 

ଶୁଣି ସମସ୍ତେ ଖୁସି ହେଲେ । ସଦା-ପ୍ରସନ୍ନ ଅବିନାଶ ବାବୁଙ୍କର ଆନନ୍ଦରେ ମୁଖ ଉଜ୍ଜ୍ୱଳ ହୋଇ ଉଠିଲା । କହିଲେ–

 

କ’ଣ କହୁଛନ୍ତି ଆଶୁ ବାବୁ ? ଏ ଦୁର୍ଭାଗା ଦେଶର ସମସ୍ତଙ୍କୁ ମୁଁ ଚିହ୍ନିଛି । ହଠାତ୍ ଏ ରତ୍ନଟିକୁ ପାଇଲେ କେଉଁଠୁ ?

 

ଆବିଷ୍କାର କରିଛି, ଆଜ୍ଞା, ଆବିଷ୍କାର କରିଛି । ଆପଣମାନେ ଯେ ଏକଦମ୍ ଚିହ୍ନନ୍ତି ନାହିଁ, ତା’ ନୁହେଁ; ବର୍ତ୍ତମାନ ହୁଏତ ଭୁଲି ଯାଇଛନ୍ତି । ଚାଲନ୍ତୁ ଦେଖାଇବି । କହି ସେ ସମସ୍ତଙ୍କୁ ଏକପ୍ରକାର ଠେଲି ଠେଲି ଆଣି ତାଙ୍କ ବସିବା ଘରେ ପର୍ଦ୍ଦା ଆଡେ଼ଇ ପ୍ରବେଶ କଲେ ।

 

ଲୋକଟି ଇଷତ୍ ଶ୍ୟାମବର୍ଣ୍ଣ, କିନ୍ତୁ ରୂପର ସୀମା ନାହିଁ । ଯେପରି ଦୀର୍ଘ ଋଜୁ ଶରୀର, ସେପରି ସମସ୍ତ ଅବୟବର ଗଠନ ନିଖୁଣ ଓ ସୁନ୍ଦର । ନାକ, ଚକ୍ଷୁ, ଭ୍ରୂ, ଲଲାଟ, ଅଧରର ବକ୍ରରେଖାଟି ପର୍ଯ୍ୟନ୍ତ–ଗୋଟିଏ ମଣିଷର ଶରୀରରେ ଏପରି ସୁବିନ୍ୟସ୍ତ ହେଲେ ଯେ କି ବିସ୍ମୟର ବସ୍ତୁ ହୁଏ, ତା’ ଏହି ମଣିଷଟିକୁ ନ ଦେଖିଲେ ସହଜରେ କଳ୍ପନା କରି ହେବ ନାହିଁ । ଚାହିଁଲେ ହଠାତ୍ ଚମକ ଲାଗିବ । ବୟସ ବୋଧହୁଏ ବତ୍ରିଶର ପାଖାପାଖି, କିନ୍ତୁ ପ୍ରଥମେ ଆଉ କମ୍ ବୋଲି ମନେହୁଏ । ସାମ୍ନା ସୋଫାରେ ବସି ମନୋରମା ସହ ଗଳ୍ପ କରୁଥିଲା । ସିଧା ହୋଇ ବସି ଟିକିଏ ହସି କହିଲା, ଆସନ୍ତୁ ।

 

ମନୋରମା ଉଠି ଠିଆହୋଇ ଆଗନ୍ତୁକ ଅତିଥିମାନଙ୍କୁ ନମସ୍କାର କଲା, କିନ୍ତୁ ସମସ୍ତେ ଅକସ୍ମାତ୍ ଏପରି ବିଚଳିତ ହୋଇପଡ଼ିଥିଲେ ଯେ ପ୍ରତିନମସ୍କାର କଥା କାହାର ମନେହେଲା ନାହିଁ ।

 

ଅବିନାଶ ବାବୁ ବୟସରେ ବଡ଼, କଲେଜରେ ପଦଗୌରବରେ ମଧ୍ୟ ସମସ୍ତଙ୍କ ମଧ୍ୟରେ ଶ୍ରେଷ୍ଠ । ସେ ପ୍ରଥମେ କଥା କହିଲେ । କହିଲେ–ଆଗ୍ରାକୁ କେବେ ଫେରିଲେ ଶିବନାଥ ବାବୁ ? ବେଶ୍, ଯା’ହେଉ । କାଇଁ, ଆମେ କେହି ତ ଖବର ପାଇନୁ !

 

ଶିବନାଥ କହିଲା–ପାଇ ନାହାନ୍ତି, ନା ? ଆଶ୍ଚର୍ଯ୍ୟ ! ତା’ପରେ ହସି କହିଲା–ମୁଁ ବୁଝି ନ ଥିଲି ଅବିନାଶ ବାବୁ, ମୋ ଆସିବାର ବାଟ ଚାହିଁ ଆପଣମାନେ ଏପରି ଉଦ୍‍ବିଗ୍ନ ହୋଇ ଉଠିଥିଲେ-

 

ଉତ୍ତର ଶୁଣି ଅବିନାଶ ବାବୁ ଯଦିଓ ହସିବାକୁ ଚେଷ୍ଟା କଲେ, ତାଙ୍କ ସହଯୋଗୀଗଣଙ୍କର ମୁହଁ କ୍ରୋଧରେ ଭୀଷଣ ହୋଇ ଉଠିଲା । ଯେଉଁ କାରଣରୁ ହେଉ ଏମାନେ ଯେ ପୂର୍ବରୁ ଏହି ପ୍ରିୟଦର୍ଶନ ଗୁଣୀ ବ୍ୟକ୍ତି ପ୍ରତି ପ୍ରସନ୍ନ ନ ଥିଲେ, ତାହା ଆଭାସରୁ ଜଣାପଡ଼ିଲେ ବି, ଜଣଙ୍କର ଏହି ବକ୍ରୋକ୍ତିର ଅନ୍ତରାଳରେ ଓ ଅନ୍ୟ ସମସ୍ତଙ୍କର କଠିନ ବ୍ୟଞ୍ଜନା ଦ୍ଵାରା ଏହି ବିରୁଦ୍ଧତା ଏପରି କଟୁ, ରୂଢ଼ ଓ ସ୍ପଷ୍ଟ ହୋଇ ଉଠିଲା ଯେ କେବଳ ମାତ୍ର ମନୋରମା ଓ ତା’ର ପିତା ନୁହନ୍ତି, ସଦାନନ୍ଦପ୍ରକୃତି ଅବିନାଶ ପର୍ଯ୍ୟନ୍ତ ଅପ୍ରତିଭ ହୋଇ ପଡ଼ିଲେ ।

 

କିନ୍ତୁ ଘଟଣାଟା ଆଉ ଆଗେଇଲା ନାହିଁ । ଆପାତତଃ ଏଇଠି ବନ୍ଦ ରହିଲା ।

 

ପାଖଘରୁ ଓସ୍ତାଦ୍‍ଜୀଙ୍କ କଣ୍ଠସ୍ଵର ଶୁଣାଗଲା ଓ ପରେ ଘରର ଗୁମାସ୍ତା ଆସି ବିନୀତ ଭାବେ ନିବେଦନ କଲା ଯେ, ସବୁ ବ୍ୟବସ୍ଥା ହୋଇ ସାରିଲାଣି, କେବଳ ସମସ୍ତେ ଯାଇ ପହଞ୍ଚିଲେ ଗୀତ-ବାଜଣା ଆରମ୍ଭ ହେବ ।

 

ପେଶାଦାର ଓସ୍ତାଦୀ ସଙ୍ଗୀତ ସଚରାଚର ଯେପରି ହୋଇଥାଏ–ଏଠି ବି ତାହା ହେଲା । ବିଶେଷତ୍ତ୍ଵବର୍ଜିତ ମାମୁଲି ବ୍ୟାପାର, କିନ୍ତୁ କିଛିକାଳ ପରେ କ୍ଷୁଦ୍ରପରିସର ଏଇ ସଙ୍ଗୀତ ଆସରରେ ସ୍ଵଳ୍ପ କେତେଜଣ ଶ୍ରୋତାଙ୍କ ମଝିରେ ଶିବନାଥର ଗୀତ ପ୍ରକୃତରେ ଚମତ୍କାର ଲାଗିଲା । କେବଳ ତା’ର ଅତୁଳିତ, ଅନବଦ୍ୟ କଣ୍ଠସ୍ଵର ପାଇଁ ନୁହେଁ, ସଙ୍ଗୀତ ବିଦ୍ୟାରେ ସେ ଅସାଧାରଣ ଭାବେ ସୁଶିକ୍ଷିତ ଓ ପାରଦର୍ଶୀ । ତା’ର ଗାଇବାର ଅନାଡ଼ମ୍ବର ସଂଯତ ଭଙ୍ଗୀ, ସ୍ଵରର ସ୍ୱଛନ୍ଦ ସରଳ ଗତି, ମୁଖରେ ଅଦୃଷ୍ଟପୂର୍ବ ଭାବର ଛାୟା, ଆଖିର ଅଭିଭୂତ ଉଦାସ ଦୃଷ୍ଟି, ସମସ୍ତ କେନ୍ଦ୍ରୀଭୂତ ହୋଇ ସେଇ ସର୍ବାଙ୍ଗୀନ-ତାନ-ଲୟ ପରିଶୁଦ୍ଧ ସଙ୍ଗୀତ ଯେତେବେଳେ ଶେଷ ହେଲା, ସେତେବେଳେ ମନେହେଲା ଶ୍ଵେତଭୁଜା ବୀଣାପାଣି ଯେପରି ଦୁଇ ହାତରେ ଏହି ସାଧକର ମସ୍ତକରେ ଆଶୀର୍ବାଦ ଅଜାଡ଼ି ଦେଇଛନ୍ତି ।

 

କିଛି ସମୟ ପର୍ଯ୍ୟନ୍ତ ସମସ୍ତେ ବାକ୍ୟହୀନ ଓ ସ୍ତବ୍ଧ ହୋଇ ରହିଲେ । କେବଳ ବୃଦ୍ଧ ଅମୀର୍ ଖାଁ ଧୀରେ ଧୀରେ କହିଲେ–ଐସା କଭି ନେହିଁ ଶୁନା ।

 

ମନୋରମା ଶୈଶବରୁ ଗାଉଣାବାଜଣାର ଚର୍ଚ୍ଚା କରିଛି, ସଙ୍ଗୀତରେ ସେ ଅପଟୁ ନୁହେଁ; ତା’ର ସାମାନ୍ୟ ଜୀବନ କାଳ ମଧ୍ୟରେ ସେ ଅନେକ କିଛି ଶୁଣିଛି, କିନ୍ତୁ ସଂସାରରେ ଏମିତି ସଙ୍ଗୀତ ଅଛି–ଏଇଭଳି ସମସ୍ତ ବୁକୁ ଭିତରଟା ସଙ୍ଗୀତର ଛନ୍ଦେ ଛନ୍ଦେ ଝଂକୃତ ହୋଇ ଉଠିବା ସେ ଜାଣେନା । ତା’ର ଦୁଇ ଆଖିରେ ପାଣି ଭରିଗଲା ଏବଂ ଏହାକୁ ଗୋପନ କରିବା ପାଇଁ ସେ ମୁହଁ ବୁଲାଇ ନିଃଶବ୍ଦରେ ଉଠିଗଲା ।

 

ଅବିନାଶ କହିଲେ–ଶିବନାଥ ସହଜରେ ଗୀତ ଗାଇବାକୁ ରାଜି ହୁଏ ନାହିଁ, କିନ୍ତୁ ତା’ର ଗୀତ ଆମେ ଆଗରୁ ଶୁଣିଛୁ । ତୁଳନା ନାହିଁ । ଏଇ ବର୍ଷେ ଭିତରେ ସେ ଇନ୍‍ଫିନାଇଟ୍‍ଲି ଇମ୍ପ୍ରୁଭ୍‍ କରିଛି ।

 

ହରେନ୍ କହିଲେ–ହଁ ।

 

ଅକ୍ଷୟ ଇତିହାସର ଅଧ୍ୟାପକ । କଠିନ ସଚ୍ଚା ଲୋକ ବୋଲି ବନ୍ଧୁ ମହଲରେ ଖ୍ୟାତି ଅଛି । ଗାଉଣାବାଜଣା ଭଲ ଲାଗିବା ତାଙ୍କ ମତରେ ମନର ଦୁର୍ବଳତା । ନିଷ୍କଳଙ୍କ, ସାଧୁ ବ୍ୟକ୍ତି । ସେଥିପାଇଁ କେବଳ ନିଜର ନୁହେଁ, ପରର ଚାରିତ୍ରିକ ପବିତ୍ରତା ପ୍ରତି ତାଙ୍କର ଅତ୍ୟନ୍ତ ସଜାଗ ତୀକ୍ଷ୍ଣ ଦୃଷ୍ଟି । ଶିବନାଥର ଅପ୍ରତ୍ୟାଶିତ ପ୍ରତ୍ୟାବର୍ତ୍ତନରେ ସହରର ଆବ୍‍ହାଓୟା ପୁନଶ୍ଚ କଳୁଷିତ ହେବାର ଆଶଙ୍କାରେ ତାଙ୍କର ମାନସିକ ଶାନ୍ତି ବିକ୍ଷୁବ୍ଧ ହୋଇଛି । ବିଶେଷତଃ ଘରର ସ୍ତ୍ରୀଲୋକମାନେ ଆସିଛନ୍ତି । ପର୍ଦ୍ଦା ଆଢ଼ୁଆଳରୁ ଗୀତ ଶୁଣି ଓ ଚେହେରା ଦେଖି ସେମାନଙ୍କୁ ଭଲ ଲାଗିପାରେ । ଏହି ସମ୍ଭାବନାର ଆଶଙ୍କାରେ ତାଙ୍କ ମନ ଅତିଶୟ ଖରାପ ହୋଇ ଉଠିଲା । କହିଲେ–ଗୀତ ଶୁଣିଥିଲି ମଧୁ ବାବୁଙ୍କର । ଆପଣଙ୍କର ଏ ଗୀତ ମିଠା ଲାଗିପାରେ, କିନ୍ତୁ ଏଥିରେ ପ୍ରାଣ ନାହିଁ ।

 

ସମସ୍ତେ ଚୁପ୍ ରହିଲେ । କାରଣ ପ୍ରଥମତଃ ଅପରିଜ୍ଞାତ ମଧୁବାବୁଙ୍କ ଗୀତ କେହି ଶୁଣି ନ ଥିଲେ ଏବଂ ଦ୍ୱିତୀୟତଃ ଗୀତର ପ୍ରାଣବତ୍ତା ସମ୍ପର୍କରେ ସୁନିର୍ଦ୍ଦିଷ୍ଟ ଧାରଣା ଅକ୍ଷୟ ପରି ଆଉ କାହାର ସ୍ପଷ୍ଟ ନୁହେଁ । ଗୁଣମୁଗ୍ଧ ଆଶୁ ବାବୁ ଉତ୍ତେଜନାବଶତଃ ତର୍କ କରିବା ପାଇଁ ପ୍ରସ୍ତୁତ ହେଉଥିଲେ, କିନ୍ତୁ ଅବିନାଶ ଆଖିର ଇଙ୍ଗିତରେ ତାଙ୍କୁ ନିବୃତ୍ତ କଲେ ।

 

ସଙ୍ଗୀତ ସମ୍ବନ୍ଧରେ ଆଲୋଚନା ଚାଲୁ ରହିଲା । କିଏ କେଉଁଠି କିପରି ସଙ୍ଗୀତ ଶୁଣିଛନ୍ତି ତା’ର ବ୍ୟାଖ୍ୟା ଓ ବିବରଣ ଦେବାକୁ ଲାଗିଲେ । କଥା ହେଉ ହେଉ ରାତି ବଢ଼ି ଚାଲିଲା । ଭିତରୁ ଖବର ଆସିଲା ଯେ ସ୍ତ୍ରୀଲୋକମାନଙ୍କର ଖିଆପିଆ ସରିଲାଣି ଓ ସେମାନଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା ହେଉଛି । ବୃଦ୍ଧ ସଦର-ଆଲା ରାତି ବେଶୀ ହେଲାଣି କହି ବିଦାୟ ନେଲେ ଏବଂ ଅଜୀର୍ଣ୍ଣ ରୋଗଗ୍ରସ୍ତ ମୁନସେଫ୍‍ ବାବୁ ଜଳ ଓ ପାନ ମାତ୍ର ମୁହଁରେ ଦେଇ ତାଙ୍କ ସାଙ୍ଗରେ ବାହାରି ଗଲେ । ରହିଲେ କେବଳ ପ୍ରଫେସର ଦଳ । କ୍ରମଶଃ ସେମାନଙ୍କୁ ବି ଖାଇବା ପାଇଁ ଡାକ ପଡ଼ିଲା । ଉପରର ଗୋଟାଏ ଖୋଲା ବାରଣ୍ଡାରେ ଆସନ ପକାଇ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଆଶୁ ବାବୁ ବି ସେମାନଙ୍କ ସାଥିରେ ବସିଗଲେ । ମନୋରମା ସ୍ତ୍ରୀଲୋକମାନଙ୍କ କାମ ସରି ଯାଇଥିବାରୁ ସେମାନଙ୍କ ତତ୍ତ୍ଵାବଧାନ ପାଇଁ ପହଞ୍ଚିଲା ।

 

ଶିବନାଥର କ୍ଷୁଧା ଯାହା ଥାଉନା କାହିଁକି ତା’ର ଖାଇବାରେ ରୁଚି ନ ଥିଲା । ସେ ନ ଖାଇ ବସାକୁ ଫେରିବା ପାଇଁ ଉଦ୍ୟତ ହେଲା; କିନ୍ତୁ ମନୋରମା କୌଣସିମତେ ତାକୁ ଛାଡ଼ିଦେଲା ନାହିଁ । ଜୋର୍‍ଜବରଦସ୍ତି କରି ସମସ୍ତଙ୍କ ସାଥିରେ ବସାଇ ଦେଲା । ବଡ଼ଲୋକ ଘରର ଧାରା ଅନୁଯାୟୀ ଖାନା ହୋଇଥିଲା । ଟୁଣ୍ଡ୍ରାରୁ ଗାଡ଼ିରେ ଆସିଲାବେଳେ ଶିବନାଥ ସହ ଆଶୁ ବାବୁଙ୍କର କିପରି ପରିଚୟ ହୋଇଥିଲା, ସେ ପରିଚୟ କିପରି ଦୁଇ ତିନି ଦିନର ଆଳାପ ପରେ ଘନିଷ୍ଠ ଆତ୍ମୀୟତାରେ ପରିଣତ ହୋଇଛି, ଏହା ସବିସ୍ତାରେ ବର୍ଣ୍ଣନା କରି ଆଶୁ ବାବୁ ନିଜର କୃତିତ୍ୱ ପ୍ରମାଣ କରିବାକୁ ଯାଇ କହିଲେ, ଆଉ ସବୁଠାରୁ ବାହାଦୁରି ହେଉଛି ମୋ କାନର । ତାଙ୍କ ଗଳାର ଅସ୍ପଷ୍ଟ, ସାମାନ୍ୟ ଟିକିଏ ଗୁଞ୍ଜନ ଧ୍ୱନିରୁ ମୁଁ ଠିକ୍ ରୂପେ ବୁଝିପାରିଥିଲି ଯେ ଏ ଗୁଣୀ, ଅସାଧାରଣ ବ୍ୟକ୍ତି । ଏହା କହି କନ୍ୟାକୁ ସାକ୍ଷ୍ୟରୂପେ ଆହ୍ୱାନ କରି କହିଲେ–କହତ ମା, ତତେ ମୁଁ କହିନି ଶିବନାଥ ବାବୁ ମସ୍ତବଡ଼ ଲୋକ ! ତତେ ମୁଁ କହି ନ ଥିଲି ଯେ–ଏମାନଙ୍କ ସାଙ୍ଗରେ ଆଳାପ ପରିଚୟ ଥିବା ଜୀବନରେ ଗୋଟାଏ ଭାଗ୍ୟର କଥା !

 

କନ୍ୟା ଆନନ୍ଦରେ ମୁହଁ ଉଜ୍ଜ୍ୱଳ କରି କହିଲା–ହଁ ବାବା, ତମେ କହିଥିଲ । ତମେ ତ ଗାଡ଼ିରୁ ଓହ୍ଲାଇ ମୋତେ କହିଥିଲ ଯେ–

 

‘କିନ୍ତୁ ଦେଖନ୍ତୁ ଆଶୁ ବାବୁ’–

 

ବକ୍ତା ଅକ୍ଷୟ । ସମସ୍ତେ ଚକିତ ହୋଇ ଉଠିଲେ । ଅବିନାଶ ବ୍ୟସ୍ତ ହୋଇ ବାଧା ଦେବାର ଚେଷ୍ଟା କରି କହିଲେ–ଆହା, ହା, ଥାଉ ଅକ୍ଷୟ, ଆଜି ଏସବୁ ଆଲୋଚନା ଥାଉ–

 

ଅକ୍ଷୟ ଆଖି ବୁଜି ଚକ୍ଷୁଲଜ୍ଜା ଏଡ଼ିବା ପାଇଁ କେତେଥର ମୁଣ୍ଡ ହଲାଇଲେ; କହିଲେ–ନା, ଅବିନାଶ ବାବୁ, ଦାବିଦେଲେ ଚଳିବ ନାହିଁ । ଶିବନାଥ ବାବୁଙ୍କ ସବୁ କଥା ପ୍ରକାଶ କରିବା କର୍ତ୍ତବ୍ୟ ବୋଲି ମୁଁ ମନେକରୁଛି । ସେ–

 

ଆହା, କ’ଣ କରୁଛ ଅକ୍ଷୟ ! କର୍ତ୍ତବ୍ୟ ଜ୍ଞାନ ବି ଆମ୍ଭମାନଙ୍କର ଅଛି । ତେବେ ଏକ୍ଷଣି ନୁହେଁ, ଆଉ ଦିନେ–କହି ଅବିନାଶ ବାବୁ ତାହାଙ୍କୁ ଠେଲା ଦେଇ ବନ୍ଦ କରିବା ପାଇଁ ଚେଷ୍ଟା କଲେ-। କିନ୍ତୁ ସଫଳ ହୋଇ ପାରିଲେ ନାହିଁ । ଧକ୍କାରେ ଅକ୍ଷୟ ବାବୁଙ୍କ ଦେହ ଟଳିଲା, କିନ୍ତୁ କର୍ତ୍ତବ୍ୟନିଷ୍ଠା ଟଳିଲା ନାହିଁ । କହିଲେ–ଆପଣମାନେ ଜାଣନ୍ତି ମୋର ବୃଥା ସଙ୍କୋଚ ନାହିଁ । ଦୁର୍ନୀତିର ପ୍ରଶ୍ରୟ ମୁଁ ଦେଇପାରିବି ନାହିଁ ।

 

ଅସହିଷ୍ଣୁ ହରେନ୍ଦ୍ର କହି ଉଠିଲା–ତା’ କ’ଣ ଆମେ ଦେବାକୁ ଚାହୁଁଛୁ ? ୟା ବୋଲି ତା’ର କ’ଣ ସ୍ଥାନ କାଳ ନାଇଁ ?

 

ଅକ୍ଷୟ କହିଲେ–ନା । ସେ ଯଦି ଏ ସହରକୁ ଆଉ ନ ଆସନ୍ତେ, ଯଦି ଭଦ୍ର ପରିସର ସହ ଘନିଷ୍ଠ ହେବା ପାଇଁ ଚେଷ୍ଟା ନ କରନ୍ତେ, ବିଶେଷତଃ କୁମାରୀ ମନୋରମା ଯଦି ସଂଶ୍ଳିଷ୍ଟ ନ ଥାନ୍ତେ–

 

ଉଦ୍ବେଗରେ ଆଶୁ ବାବୁ ବ୍ୟାକୁଳ ହୋଇ ଉଠିଲେ ଏବଂ ଅଜଣା ଆଶଙ୍କାରେ ମନୋରମାର ମୁହଁ ସାଦା ହୋଇଗଲା ।

 

ହରେନ୍ଦ୍ର କହିଲା–ଇଟ୍‍ ଇଜ୍ ଟୁ ମଚ୍ ।

 

ଅକ୍ଷୟ ସଜୋରେ ପ୍ରତିବାଦ କରି ଉଠିଲେ–ନୋ, ଇଟ୍ ଇଜ୍ ନଟ୍ ।

 

ଅବିନାଶ କହି ଉଠିଲେ–ଆହା, ତୁମେ ସବୁ କ’ଣ କରୁଛ ?

 

ଅକ୍ଷୟ କୌଣସି କଥା କାନକୁ ନେଲେ ନାହିଁ । କହିଲେ–ଆଗ୍ରାରେ ସେ ବି ଦିନେ ପ୍ରଫେସର ଥିଲେ । ତାଙ୍କର କହିବା ଉଚିତ ଥିଲା ଆଶୁ ବାବୁଙ୍କୁ–ତାଙ୍କର ସେ ଚାକିରି କିପରି ଗଲା-

 

ହରେନ୍ଦ୍ର କହିଲା–ସ୍ୱେଚ୍ଛାରେ ଛାଡ଼ି ଦେଲେ–ପଥର ବ୍ୟବସାୟ କରିବା ପାଇଁ ।

 

ଅକ୍ଷୟ ପ୍ରତିବାଦ କରି କହିଲେ–ମିଥ୍ୟା କଥା ।

 

ଶିବନାଥ ନିଃଶବ୍ଦରେ ଆହାର କରୁଥିଲା, ଯେପରି ଏହି ସବୁ ବାଦବିତଣ୍ଡା ସହ ତା’ର ଲେଶମାତ୍ର ସମ୍ପର୍କ ନାହିଁ । ବର୍ତ୍ତମାନ ମୁହଁ ଟେକି ଚାହିଁଲା ଓ ଅତ୍ୟନ୍ତ ସହଜ ଭାବରେ କହିଲା–ମିଛ କଥା ତ ନିଶ୍ଚୟ । କାରଣ ପ୍ରଫେସରି ନିଜ ଇଚ୍ଛାରେ ନ ଛାଡ଼ିଲେ ପରର ଅର୍ଥାତ୍‍ ଆପଣମାନଙ୍କ ଇଚ୍ଛାରେ ଛାଡ଼ିବାକୁ ହୋଇଥାନ୍ତା ଏବଂ ତାହା ହିଁ ହେଲା ।

 

ଆଶୁ ବାବୁ ବିସ୍ମୟରେ କହିଲେ–କାହିଁକି ?

 

ଶିବନାଥ କହିଲା–ମଦ ଖାଇବା ପାଇଁ ।

 

ଅକ୍ଷୟ ଏହାର ପ୍ରତିବାଦ କରି କହିଲେ–ନା, ମଦ ଖାଇବାର ଅପରାଧ ପାଇଁ ନୁହେଁ, ମାତାଲ ହେବାର ଅପରାଧରେ ।

 

ଶିବନାଥ କହିଲା–ଯେ ମଦ ଖାଏ, ସେ କେତେବେଳେ ନା କେତେବେଳେ ମାତାଲ ହୁଏ । ଯେ ହୁଏନା, ହୁଏତ ସେ ମିଛ କଥା କହେ, ନ ହେଲେ ସେ ମଦ ପରିବର୍ତ୍ତରେ ପାଣି ପିଏ । ଏହା କହି ସେ ହସିବାକୁ ଲାଗିଲା ।

 

ବୃଦ୍ଧ ଅକ୍ଷୟ କଠିନ ସ୍ୱରରେ କହିଲେ–ନିର୍ଲ୍ଲଜ ପରି ଆପଣ ହୁଏତ ହସି ପାରନ୍ତି, କିନ୍ତୁ ଏ ଅପରାଧ ଆମେ କ୍ଷମା କରିପାରିବୁ ନାହିଁ ।

 

ଶିବନାଥ କହିଲା–ତା’ ଆପଣମାନେ ପାରିବେ । ଏ ଅପବାଦ ତ ମୁଁ ଦେଇନି । ମତେ ସ୍ୱେଚ୍ଛାରେ କର୍ମ ତ୍ୟାଗ କରାଇବା ପାଇଁ ଅପଣମାନେ ସ୍ୱେଚ୍ଛାରେ ଯଥେଷ୍ଟ ପରିଶ୍ରମ କରିଥିଲେ, ଏ ସତ୍ୟ ମୁଁ ସ୍ୱୀକାର କରୁଛି ।

 

ଅକ୍ଷୟ କହିଲେ–ତା’ହେଲେ ଆଶା କରୁଛି ଆଉ ଗୋଟାଏ ସତ୍ୟ ବର୍ତ୍ତମାନ ସ୍ୱୀକାର କରିବେ । ଆପଣ ହୁଏତ ଜାଣନ୍ତି ନାହିଁ ଯେ ଆପଣଙ୍କର ଅନେକ ଖବର ମୁଁ ଜାଣେ ।

 

ଶିବନାଥ ମୁଣ୍ଡ ହଲାଇ କହିଲା–ତା’ ଜାଣେନା । ତେବେ ଏ କଥା ଜାଣେ ଅପର ସମ୍ବନ୍ଧରେ ଆପଣଙ୍କର କୌତୂହଳ ଯେପରି ଅପରିସୀମ, ଖବର ସଂଗ୍ରହ କରିବାର ଅଧ୍ୟବସାୟ ସେପରି ବିପୁଳ । କ’ଣ ସ୍ୱୀକାର କରିବାକୁ ହେବ, ଆଦେଶ କରନ୍ତୁ ।

ଅକ୍ଷୟ କହିଲେ–ଆପଣଙ୍କର ସ୍ତ୍ରୀ ବିଦ୍ୟମାନ । ତାଙ୍କୁ ତ୍ୟାଗ କରି ଆପଣ ଆଉଥରେ ବିବାହ କରିଛନ୍ତି । ସତ୍ୟ କି ନୁହେଁ ?

ଆଶୁ ବାବୁ ହଠାତ୍ ରାଗି ଉଠି କହିଲେ–ଆପଣ କ’ଣ ସବୁ କହୁଛନ୍ତି ଅକ୍ଷୟ ବାବୁ ? ୟା କ’ଣ କେବେ ହୁଏ ବା ହୋଇପାରେ ?

ଶିବନାଥ ନିଜେ ଜବାବ୍ ଦେଲା । କହିଲା–କିନ୍ତୁ ତା’ ହୋଇଛି ଆଶୁ ବାବୁ । ତାକୁ ତ୍ୟାଗ କରି ମୁଁ ଆଉଥରେ ବିବାହ କରିଛି ।

‘କ’ଣ କହୁଛନ୍ତି ? କ’ଣ ହୋଇଥିଲା ?

ଶିବନାଥ କହିଲା–ବିଶେଷ କିଛି ନୁହେଁ । ସ୍ତ୍ରୀ ଚିର ରୁଗ୍‍ଣା । ବୟସ ହେଲାଣି–ଜଣେ ସ୍ତ୍ରୀଲୋକ ପକ୍ଷରେ ଏଇତ ଯଥେଷ୍ଟ ! ସେଥିରେ କ୍ରମାଗତ ରୋଗ ଭୋଗି ଭୋଗି ଦାନ୍ତ ପଡ଼ିଗଲାଣି । ବାଳ ପାଚି ଯେପରି ବୁଢ଼ୀ ହୋଇଗଲାଣି । ଏଥିପାଇଁ ତ୍ୟାଗ କରି ଆଉଥରେ ବିବାହ କରିବାକୁ ହେଲା ।

ଆଶୁ ବାବୁ ବିହ୍ୱଳ ଦୃଷ୍ଟିରେ ତା’ର ମୁହଁକୁ ଚାହିଁ ରହିଲେ–ଅ୍ୟାଁ ! କେବଳ ଏଇଥି ପାଇଁ ! ତା’ର ଆଉ କୌଣସି ଅପରାଧ ନାହିଁ ।

ଶିବନାଥ କହିଲା–ନା । ମିଛ ଗୋଟାଏ ଅପବାଦ ଦେଇ ଲାଭ କ’ଣ ଆଶୁ ବାବୁ ?

ତା’ର ଏଇ ନିର୍ମଳ ସାଧୁତାରେ ଅବିନାଶ ଯେପରି କ୍ଷିପ୍ତ ହୋଇ ଖିଙ୍କାରି ଉଠିଲେ–ଲାଭ କ’ଣ ଆଶୁ ବାବୁ ! ପାଷଣ୍ଡ ! ତମର ଲାଭ ଲୋକସାନ ଚୁଲିକି ଯାଉ । ଥରେ ମିଛରେ ହେଲେ କହ ଯେ ସେ ଗଭୀର ଅପରାଧ କରିଥିଲା ।

ଶିବନାଥ ରାଗ କଲା ନାହିଁ, କେବଳ କହିଲା–କିନ୍ତୁ ଏରକମ ଅଯଥା କଥା ମୁଁ କହିପାରିବି ନାହିଁ ।

ହରେନ୍ଦ୍ର ସହସା ରାଗିଉଠି କହିଲା–ବିବେକ ବୋଲି କ’ଣ ଆପଣଙ୍କର କିଛି ନାହିଁ ଶିବନାଥ ବାବୁ ?

ଶିବନାଥ ଏଥିରେ ବି ରାଗିଲା ନାହିଁ । ଶାନ୍ତ ଭାବରେ କହିଲା–ଏ ବିବେକ ଅର୍ଥହୀନ । ଗୋଟାଏ ମିଥ୍ୟା ବିବେକର ଶିକୁଳି ପାଦରେ ଜଡ଼ାଇ ମୁଁ ନିଜକୁ ପଙ୍ଗୁ କରିବାର ପକ୍ଷପାତୀ ନୁହେଁ । ଚିରଦିନ ଦୁଃଖ ଭୋଗ କରି ଯିବାଟା ଜୀବନ ଧାରଣର ଉଦ୍ଦେଶ୍ୟ ନୁହେଁ ।’

ଆଶୁ ବାବୁ ଗଭୀର ଭାବେ ଆହତ ହୋଇ କହିଲେ–କିନ୍ତୁ ଆପଣଙ୍କ ସ୍ତ୍ରୀଙ୍କ ଦୁଃଖ କଥାଟା ଭାବନ୍ତୁ ଦେଖି ! ତାଙ୍କର ରୁଗ୍‍ଣା ହୋଇ ପଡ଼ିରହିବା ପରିତାପର ବିଷୟ ହୋଇପାରେ, କିନ୍ତୁ ତା’ ବୋଲି ଅସୁସ୍ଥ ହେବା ତ ଅପରାଧ ନୁହେଁ ଶିବନାଥ ବାବୁ ! ବିନା ଦୋଷରେ–

 

‘ବିନା ଦୋଷରେ ମୁଁ ବି ଜୀବନ ସାରା କଷ୍ଟ ଭୋଗିବି କାହିଁକି ? ଜଣଙ୍କର ଦୁଃଖ ଆଉ ଜଣଙ୍କର ମୁଣ୍ଡରେ ଲଦିଦେଲେ ସୁବିଚାର ହୁଏ ବୋଲି ମୋର ବିଶ୍ଵାସ ନୁହେଁ ।

 

ଆଶୁ ବାବୁ ଆଉ ତର୍କ କଲେ ନାହିଁ । କେବଳ ଗୋଟାଏ ଗଭୀର ଦୀର୍ଘଶ୍ଵାସ ପକାଇ ନିସ୍ତବ୍ଧ ହୋଇ ରହିଲେ ।

 

ହରେନ୍ଦ୍ର ପଚାରିଲା–ଏ ବିବାହ କେଉଁଠି ହେଲା ?

 

‘ଗାଁରେ ।’

 

‘ସଉତୁଣୀ ଥାଉ ଥାଉ ଝିଅ କିଏ ଦେଲା–ୟା’ର ବୋଧହୁଏ ବାପା ମା ନାହାନ୍ତି ।’

 

ଶିବନାଥ କହିଲା–ନା, ଆମ ଘର ଚାକରାଣୀର ବିଧବା ଝିଅ ।

 

‘ଘରର ଚାକରାଣୀର ଝିଅ ? ଚମତ୍କାର ! କି ଜାତି ?’

 

‘ଠିକ୍ ଜାଣେନା । ତନ୍ତୀ ହେବ ବୋଧହୁଏ ।’

 

ଅକ୍ଷୟ ବହୁ ସମୟ ପର୍ଯ୍ୟନ୍ତ କଥା କହିନଥିଲେ–ବର୍ତ୍ତମାନ ପଚାରିଲେ–ୟା’ର ଅକ୍ଷର-ପରିଚୟ ପର୍ଯ୍ୟନ୍ତ ନାହିଁ ବୋଧହୁଏ ?

 

ଶିବନାଥ କହିଲା–ଅକ୍ଷର-ପରିଚୟର ଲୋଭରେ ବି ବିବାହ କରିନାହିଁ, କରିଛି ରୂପ ପାଇଁ । ଏ ବସ୍ତୁଟିର ବୋଧହୁଏ ସେଥିରେ ଅଭାବ ନାହିଁ ।

 

ଏହି ଉକ୍ତି ପରେ ମନୋରମା ଆଉଥରେ ଉଠିବା ପାଇଁ ଚେଷ୍ଟା କଲା, କିନ୍ତୁ ଏଥର ବି ତା’ର ଦୁଇ ପାଦ ପଥର ପରି ଭାରି ହୋଇଗଲା । କୌତୂହଳ ଓ ଉତ୍ତେଜନା ବଶତଃ କେହି ତା’ ପ୍ରତି ଚାହିଁ ନାହିଁ । ଚାହିଁଥିଲେ ହୁଏତ ଭୟ ପାଇଥାନ୍ତା ।

 

ହରେନ୍ଦ୍ର କହିଲା–ତା’ହେଲେ ଏଇଟା ବୋଧହୁଏ ସିଭିଲ୍‍ ବିବାହ ହେଲା ?

 

ଶିବନାଥ ମୁଣ୍ଡ ହଲାଇ ଜବାବ୍ ଦେଲା–ନା, ବିବାହ ହେଲା ଶୈବ ମତ ଅନୁଯାୟୀ ।

 

ଅବିନାଶ କହିଲେ–ଅର୍ଥାତ୍ ଫାଙ୍କିର ରାସ୍ତାଟି ଯେପରି ସବୁ ଦିଗରୁ ଖୋଲା ରହିବ, ନା ଶିବନାଥ ?

 

ଶିବନାଥ ହସି ହସି କହିଲା–ଏଟା ରାଗର କଥା ଅବିନାଶ ବାବୁ ! ନ ହେଲେ ବାପା ଥାଉ ଥାଉ ଯେଉଁ ବିବାହ ଦେଇ ଯାଇଥିଲେ ତା’ ମଧ୍ୟରେ ତ ଫାଙ୍କ ନ ଥିଲା, ଅଥଚ ଫାଙ୍କି ଯଥେଷ୍ଟ ଥିଲା । ସେଟା ବାହାର କରିବାର ଆଖି ଥିବା ଦରକାର ।

 

ଅବିନାଶ ଉତ୍ତର ଦେଇପାରିଲେ ନାହିଁ, କେବଳ ତାଙ୍କ ମୁହଁସାରା ରାଗରେ ଲାଲ ହୋଇ ଉଠିଲା ।

 

ଆଶୁ ବାବୁ ନିଃଶବ୍ଦରେ ମୁଣ୍ଡପୋତି ବସି କେବଳ ଭାବିବାକୁ ଲାଗିଲେ–ଏ କ’ଣ ହେଲା-!

 

ଦୁଇ ତିନି ମିନିଟ୍ କାହା ମୁହଁରୁ କଥା ବାହାରିଲା ନାହିଁ । ନିରାନନ୍ଦ ଓ କଳହରେ ଘରର ବାତାବରଣ ଭରିଯାଇଛି ଯେପରି–ବାହାରର ଦମ୍‍କାଏ ହାଓୟା ନ ଆସିଲେ ନୁହେଁ । ଠିକ୍ ଏପରି ମନୋଭାବ ନେଇ ଅକସ୍ମାତ୍ ଅବିନାଶ କହି ଉଠିଲେ–ଛାଡ଼, ଛାଡ଼ ଏସବୁ କଥା । ଶିବନାଥ, ତା’ହେଲେ ତୁମେ ସେଇ ପଥର ବ୍ୟବସାୟ କରୁଛ ନା ?

 

ଶିବନାଥ କହିଲା–ହଁ ।

 

‘ତମ ବନ୍ଧୁଙ୍କର ନାବାଳକ ପୁଅଝିଅମାନଙ୍କର ବ୍ୟବସ୍ଥା ତମକୁ ତ କରିବାକୁ ପଡ଼ିଥିବ । ସେମାନଙ୍କର ମା ଅଛନ୍ତି ନା ? ଅବସ୍ଥା କେମିତି ? ସେତେ ଭଲ ନୁହେଁ ବୋଧହୁଏ ?’

 

‘ନା, ଖୁବ୍ ଖରାପ ।’

 

ଅବିନାଶ କହିଲେ–ଆହା ! ହଠାତ୍ ଚାଲିଗଲେ, ଆମେସବୁ ଭାବିଥିଲୁ ଟଙ୍କା ପଇସା ବୋଧହୁଏ କିଛି ରଖି ଯାଇଥିବେ ! ସେ ଯାହାହେଉ, ତମର ଜଣେ ଘନିଷ୍ଠ ବନ୍ଧୁ ଥିଲେ । ଅକୃତ୍ରିମ ସୁହୃଦ ।

 

ଶିବନାଥ ମୁଣ୍ଡ ହଲାଇ କହିଲା–ହଁ, ଆମେ ଚାଟଶାଳୀରୁ ଏକାଠି ପଢ଼ିଥିଲୁ ।

 

ଅବିନାଶ କହିଲେ–ସେଇଥିପାଇଁ ସେ ତମପାଇଁ ଏତେ କାମ କରିପାରିଲେ । ତା’ପରେ ଟିକିଏ ରହିଯାଇ କହିଲେ–କିନ୍ତୁ ସେ ଯାହାହେଉ ଶିବନାଥ, ଏବେ ତମକୁ ଯେତେବେଳେ ଏକୁଟିଆ ବ୍ୟବସାୟଟା ଦେଖିବାକୁ ହେବ, ଗୋଟାଏ ଅଂଶ ଦାବି କଲନି କାହିଁକି ? ଦରମା ପାଇଁ ଅନ୍ତତଃ–

 

ଶିବନାଥ କଥାଟା ଶେଷ କରିବାକୁ ନ ଦେଇ କହିଲା–ଅଂଶ କାହିଁକି ? ସମୁଦାୟ କାରବାର ତ ଏକୁଟିଆ ମୋର ।

 

ପ୍ରଫେସର ଦଳ ଯେପରି ଆକାଶରୁ ପଡ଼ିଲେ । ଅକ୍ଷୟ କହିଲେ–ପଥର କାରବାରଟା ହଠାତ୍ ଆପଣଙ୍କର ହେଇଗଲା କେମିତି, ଶିବନାଥ ବାବୁ ?

 

ଶିବନାଥ ଗମ୍ଭୀର ହୋଇ ଜବାବ୍ ଦେଲା–ମୋର ତ ନିଶ୍ଚୟ ।

 

ଅକ୍ଷୟ କହିଲେ–କେବେ ନୁହେଁ । ଆମେ ସମସ୍ତେ ଜାଣୁ ଯୋଗୀନ୍ ବାବୁଙ୍କର ।

 

ଶିବନାଥ ଜବାବ୍ ଦେଲା–ଜାଣନ୍ତି ତ ଅଦାଲତକୁ ଯାଇ ସାକ୍ଷୀ ଦେଇ ଆସିଲେ ନାହିଁ କାହିଁକି ? କୌଣସି ଡକୁମେଣ୍ଟ ଥିଲା ? ଶୁଣିଥିଲେ ?

 

ଅବିନାଶ ଚକିତ ହୋଇ ପ୍ରଶ୍ନ କଲେ–ନା, ଶୁଣିନାହୁଁ ଅବଶ୍ୟ । ଏ କ’ଣ ଅଦାଲତ ପର୍ଯ୍ୟନ୍ତ ଯାଇଥିଲା କି ?

 

ଶିବନାଥ କହିଲା–ହଁ । ଯୋଗୀନ୍‍ର ସମ୍ବନ୍ଧୀ ନାଲିଶ୍ କରିଥିଲେ । ଡିଗ୍ରୀ ମୁଁ ପାଇଛି ।

 

ଅବିନାଶ ନିଃଶ୍ଵାସ ପକାଇ କହିଲେ–ବେଶ୍ । ତା’ହେଲେ ଶେଷପର୍ଯ୍ୟନ୍ତ ବିଧବାଟିକୁ କିଛି ଦେବାକୁ ପଡ଼ିଲା ନାହିଁ ।

 

ଶିବନାଥ କହିଲା–ନା;–ଖାଲିମ୍, ମାଂସ ଚପ୍‍ଟା ଖାସା କରିଛ ଆଉ ଗୋଟାଏ ଦୁଇଟା ଆଣ ତ ।

 

ଆଶୁ ବାବୁ ଅଭିଭୂତ ହୋଇ ବସି ରହିଥିଲେ, ଚମକି ମୁହଁ ଟେକି କହିଲେ–ଆରେ, ଆପଣମାନେ ତ କିଛି ଖାଇଲେ ନାହିଁ !

 

ଆହାରର ରୁଚି ଓ କ୍ଷୁଧା ସମସ୍ତଙ୍କର ଅନ୍ତର୍ହିତ ହୋଇ ଯାଇଥିଲା । ମନୋରମା ନିଃଶବ୍ଦରେ ଉଠି ଯାଉଥିଲା, ଶିବନାଥ ଡାକି କହିଲା–କି ଆଶ୍ଚର୍ଯ୍ୟ ! ଆମମାନଙ୍କର ଖିଆପିଆ ନ ସରୁଣୁ ଚାଲି ଯାଉଛନ୍ତି ଯେ !

 

ମନୋରମା ଏ କଥାର ଉତ୍ତର ଦେଲା ନାହିଁ କି ଫେରି ଚାହିଁଲା ବି ନାହିଁ ! ଘୃଣାରେ ତା’ ଦେହସାରା କଣ୍ଟକିତ ହୋଇ ଉଠିଲା ।

 

(ତିନି)

 

ଉପରୋକ୍ତ ଘଟଣା ପରେ ଏକ ସପ୍ତାହ ବିତିଯାଇଛି । ଦୁଇ ଦିନ ହେଲା ଅସମୟରେ ବର୍ଷା ଆରମ୍ଭ ହୋଇଥିଲା । ଆଜି ବି ସକାଳୁ ମଝିରେ ମଝିରେ ଅସରାଏ ଲେଖାଏଁ ବର୍ଷା ହୋଇ ଖରାବେଳେ ଟିକିଏ ବନ୍ଦ ହୋଇଥିଲା, କିନ୍ତୁ ମେଘ ଛାଡ଼ି ନ ଥାଏ । ଯେକୌଣସି ସମୟରେ ପୁଣି ବର୍ଷା ଆରମ୍ଭ ହୋଇପାରେ, ଆକାଶର ସେହିଭଳି ଅବସ୍ଥା । ମନୋରମା ଭ୍ରମଣ ପାଇଁ ପ୍ରସ୍ତୁତ ହୋଇ ତା’ ବାପାଙ୍କ ଘରକୁ ଆସିଲା । ଆଶୁ ବାବୁ ଗୋଟାଏ ମୋଟା ତକିଆ ଦେଇ ଆରାମ୍‍ ଚୌକିରେ ବସିଥିଲେ, ତାଙ୍କ ହାତରେ ଗୋଟାଏ ବହି । ଆଶ୍ଚର୍ଯ୍ୟ ହୋଇ ମନୋରମା ପଚାରିଲା–ଏ କ’ଣ ବାବା, ତମେ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନାହଁ ? ଆଜି ତ ଆମର ଏତବାରୀ ଖାଁର କବର ଦେଖିଯିବା କଥା !

 

‘କଥା ତ ଥିଲା ମା, କିନ୍ତୁ ଆଜି ମୋ ଅଣ୍ଟାର ବାତଟା’–

 

‘ତା’ହେଲେ ମୋଟରଟା ଫେରାଇ ନେବାକୁ କହିଦିଏ । କାଲି ନ ହେଲେ ଯିବା, ନା କ’ଣ ବାବା ?

 

ପିତା ବାଧା ଦେଇ କହିଲେ–ନା, ନା, ତୋର ପୁଣି ମୁଣ୍ଡ ଧରିବ । ତୁ ବରଂ ଟିକିଏ ବୁଲି ଆସେ, ମୁଁ ସେ ପର୍ଯ୍ୟନ୍ତ ଏହି ମାସିକ ପତ୍ରିକାଟା ଉପରେ ଟିକିଏ ଆଖି ବୁଲାଇ ନିଏ । ଗଳ୍ପଟା ଭଲ ଲେଖିଛି ।

 

‘ଆଚ୍ଛା, ମୁଁ ତା’ହେଲେ ଚାଲିଲି । ଖୁବ୍ ଶୀଘ୍ର ଫେରିଆସିବି । ଆସି ତମଠୁ ଗପଟା ଶୁଣିବି ! ଏହା କହି ମନୋରମା ଏକାକୀ ବାହାରି ଗଲା ।’

 

ପ୍ରାୟ ଘଣ୍ଟାଏ ପରେ ମନୋରମା ଫେରି ପିତାଙ୍କ ରୁମରେ ପଶୁ ପଶୁ ପଚାରିଲା–କେମିତି ଗପ ବାବା ? ଶେଷ ହେଲା ? କିଏ ଲେଖିଛି ?

 

କିନ୍ତୁ କଥା ଉଚ୍ଚାରଣ କରିବା ମାତ୍ରେ ସେ ଚମକିପଡ଼ି ଦେଖିଲା–ତା’ର ବାବା ଏକା ନାହାନ୍ତି, ସାମନାରେ ଶିବନାଥ ବସିଛି ।

 

ଶିବନାଥ ଠିଆହୋଇ ନମସ୍କାର କରି କହିଲା–କେତେବାଟ ବୁଲି ଆସିଲେ ?

 

ମନୋରମା ଉତ୍ତର ଦେଲା ନାହିଁ, କେବଳ ନମସ୍କାର ପ୍ରତ୍ୟୁତ୍ତରରେ ମୁଣ୍ଡଟା ତା’ର ସାମାନ୍ୟ ଝୁଙ୍କି ଗଲା । ସେ ଶିବନାଥ ପ୍ରତି ପଛ କରି ବୁଲି ବାପାଙ୍କୁ ପଚାରିଲା–ପଢ଼ା ଶେଷ ହେଲା ବାବା ? କେମିତି ଲାଗିଲା ?

 

ଆଶୁ ବାବୁ କେବଳ କହିଲେ–ନା ।

 

ମନୋରମା କହିଲା–ତା’ହେଲେ ମୁଁ ନେଇ ଯାଉଛି । ପଢ଼ି ଏଇକ୍ଷଣି ତମକୁ ଫେରେଇ ଦେବି । ଏହା କହି ସେ କାଗଜ ଗଣ୍ଡାକ ହାତରେ ଧରି ଚାଲିଗଲା । ଶୟନ କକ୍ଷକୁ ଆସି ସେ କିନ୍ତୁ ଚୁପ୍ ହୋଇ ବସିଲା । ତା’ର ଲୁଗା ବଦଳା, ମୁହଁ ଧୁଆ କିଛି ହେଲା ନାହିଁ । ସେ କାଗଜଟା ଥରେ ବି ଖୋଲି ଦେଖିଲା ନାହିଁ କି ଲେଖା, କିଏ ଲେଖିଛି ବା କିପରି ଲେଖିଛି ।

 

ଏହିପରି ବସି ରହି ସେ ଯେ କ’ଣ ଭାବିବାକୁ ଲାଗିଲା, ତା’ର ସ୍ଥିରତା ନାହିଁ । ଏହି ସମୟରେ ଚାକରଟା ସାମ୍‍ନାବାଟେ ଯାଉଥିବାର ଦେଖି ସେ ତାକୁ ପଚାରିଲା–ଆରେ, ବାବାଙ୍କ ପାଖରୁ ସେ ଲୋକଟି ଚାଲିଗଲାଣି ?

 

ବେହେରା କହିଲା–ଆଜ୍ଞା ହଁ ।

 

‘କେତେବେଳେ ଗଲା ?’

 

‘ବର୍ଷା ହେବା ଆଗରୁ !’

 

ମନୋରମା ଝରକାର ପର୍ଦ୍ଦା ଆଡ଼େଇ ଦେଖିଲା–କଥା ଠିକ୍ । ପୁଣି ବର୍ଷା ହେଲାଣି କିନ୍ତୁ ବେଶୀ ନୁହେଁ । ଉପରକୁ ଚାହିଁ ଦେଖିଲା–ପଶ୍ଚିମ ଦିଗରେ ମେଘ ଘୋଡ଼େଇ ଆସିଲାଣି, ରାତିରେ ମୂଷଳଧାରାରେ ବର୍ଷା ହେବାର ସମ୍ଭାବନା ଅଛି । କାଗଜଟା ହାତରେ ଧରି ପିତାଙ୍କ ବସିବା ଘରକୁ ଆସି ଦେଖିଲା–ସେ ଚୁପ୍ ହୋଇ ବସିଛନ୍ତି । ବହିଟା ତାଙ୍କ ଚଉକିର ହାତ ଉପରେ ଧୀରେ ରଖି ସେ କହିଲା–‘ବାବା, ତମେ ଜାଣ, ମୁଁ ଏସବୁ ପସନ୍ଦ କରେନା ।’ ଏହା କହି ପାଖ ଚୌକିଟାରେ ସେ ବସି ପଡ଼ିଲା ।

 

ଆଶୁ ବାବୁ ମୁଣ୍ଡ ଟେକି ପଚାରିଲେ–କ’ଣ ସବୁ ମା ?

 

ମନୋରମା କହିଲା–ତମେ ଠିକ୍ ବୁଝିପାରୁଛ ମୁଁ କ’ଣ କହୁଛି । ଗୁଣୀର ଆଦର କରିବା ମୁଁ ବି କମ୍ ଜାଣେନି ବାବା, କିନ୍ତୁ ତା’ ବୋଲି ଶିବନାଥ ବାବୁଙ୍କ ପରି ଜଣେ ଦୁର୍ବୃତ୍ତ, ଦୁଶ୍ଚରିତ୍ର, ମାତାଲକୁ ତମେ ପ୍ରଶ୍ରୟ ଦେବ ?

 

ଆଶୁ ବାବୁ ଲଜ୍ଜା ଓ ସଂକୋଚରେ ଯେପରି କଳା ପଡ଼ିଗଲେ । ଘରର ଗୋଟାଏ କୋଣରେ ଟେବୁଲ୍ ଉପରେ ବହୁସଂଖ୍ୟକ ପୁସ୍ତକ ସ୍ତୂପୀକୃତ ହୋଇ ରହିଥିଲା, ମନୋରମା ସମୟାଭାବବଶତଃ ସେଗୁଡ଼ିକୁ ଯଥାସ୍ଥାନରେ ସଜାଇ ରଖିପାରି ନାହିଁ । ସେଇଆଡ଼କୁ ଦୃଷ୍ଟି ନିକ୍ଷେପ କରି ସେ କେବଳ କହିଲେ–ଏଇ ଯେ ସେ–

 

ମନୋରମା ଭୟରେ ମୁହଁ ଫେରାଇ ଦେଖିଲା ଶିବନାଥ ଟେବୁଲ୍ ପାଖରେ ଠିଆହୋଇ ଖଣ୍ଡେ ବହି ଖୋଜୁଛି, ବେହେରା ଭୁଲ୍‍ ସମ୍ବାଦ ଦେଇଥିଲା । ମନୋରମା ଲଜ୍ଜାରେ ମାଟିରେ ମିଶିଗଲା ଯେପରି । ଶିବନାଥ ପାଖକୁ ଆସିବାରୁ ସେ ମୁଣ୍ଡ ଟେକି ଚାହିଁପାରିଲା ନାହିଁ ।

 

ଶିବନାଥ କହିଲା–ବହିଟା ଖୋଜି ପାଇଲି ନାହିଁ ଆଶୁ ବାବୁ ! ମୁଁ ତା’ହେଲେ ବର୍ତ୍ତମାନ ଚାଲିଲି ।

 

ଆଶୁ ବାବୁ ଆଉ କିଛି କହିପାରିଲେ ନାହିଁ, କେବଳ କହିଲେ–ବାହାରେ ବର୍ଷା ହେଉଛି ଯେ !

 

ଶିବନାଥ କହିଲା–ହେଉ, ସେ ବେଶୀ କିଛି ନୁହେଁ । ଏହା କହି ସେ ଯିବା ପାଇଁ ଉଦ୍ୟତ ହୋଇ ହଠାତ୍ ଅଟକି ଠିଆହେଲା । ମନୋରମାକୁ ଲକ୍ଷ୍ୟ କରି କହିଲା–ମୁଁ ଦୈବାତ୍ ଯାହା ଶୁଣି ପକାଇଛି, ତାହା ମୋର ସୌଭାଗ୍ୟକୁ ହେଉ କିମ୍ବା ଦୁର୍ଭାଗ୍ୟକୁ ହେଉ । ସେଥିପାଇଁ ଆପଣ ଲଜ୍ଜିତ ହେବେ ନାହିଁ । ଏ କଥା ମୋତେ ପ୍ରାୟ ଶୁଣିବାକୁ ପଡ଼ିଥାଏ । ତେବେ ଏ କଥା ମୁଁ ନିଶ୍ଚିତ ରୂପେ ଜାଣେ ଯେ, କଥାଗୁଡ଼ାକ ମୋ ସମ୍ପର୍କରେ କୁହାଯାଇଥିଲେ ସୁଦ୍ଧା ମୋତେ ଶୁଣାଇ କହି ନାହାନ୍ତି । ଆପଣ କୌଣସିମତେ ଏତେ ନିର୍ଦ୍ଦୟ ନୁହନ୍ତି ।

 

ଟିକିଏ ଅଟକିଯାଇ କହିଲା–କିନ୍ତୁ ମୋର ଆଉ ଗୋଟିଏ ଆପତ୍ତି ଅଛି । ସେ ଦିନ ଅକ୍ଷୟ ବାବୁ ପ୍ରଭୃତି ଅଧ୍ୟାପକ ଦଳ ମୋ ବିରୁଦ୍ଧରେ ଯେ ଇଙ୍ଗିତ କରିଥିଲେ, ମୁଁ ଯେପରି ଗୋଟାଏ ମତଲବ ନେଇ ଏ ଘର ସହ ଘନିଷ୍ଠ ହେବାର ଚେଷ୍ଟା କରୁଛି । ସବୁ ଲୋକଙ୍କର ନ୍ୟାୟ ଅନ୍ୟାୟର ଧାରଣା ଏକ ନୁହେଁ–ଏ ଗୋଟାଏ କଥା, ଏବଂ ବାହାରୁ ଯେତିକି ଆଖିରେ ପଡ଼େ, ସେ ସମୁଦାୟ ନୁହେଁ–ଏ ଆଉ ଗୋଟିଏ କଥା; କିନ୍ତୁ ଯାହାହେଉ ଆପଣମାନଙ୍କ ଭିତରେ ପ୍ରବେଶ କରିବାର କୌଣସି ଗୂଢ଼ ଅଭିସନ୍ଧି ସେଦିନ ବି ମୋର ନ ଥିଲା ଆଜି ବି ନାହିଁ । ସହସା ଆଶୁ ବାବୁଙ୍କ ପ୍ରତି ଉଦ୍ଦେଶ୍ୟ କରି କହିଲା–‘ଆପଣ ମୋ ଗୀତ ଶୁଣିବାକୁ ଭଲପାଆନ୍ତି, ବସା ତ ମୋର ବେଶୀ ଦୂର ନୁହେଁ । ଯଦି କୌଣସି ଦିନ ଇଚ୍ଛା ହେବ, ଦୟାକରି ପାଦଧୂଳି ଦେବେ । ମୁଁ ଖୁସୀ ହେବି ।’ ଏହା କହି ପୁଣି ନମସ୍କାର କରି ଶିବନାଥ ବାହାର ହୋଇଗଲା । ବାପ ଝିଅ ଉଭୟେ–କେହି କିଛି ଉତ୍ତର ଦେଇପାରିଲେ ନାହିଁ । ଆଶୁ ବାବୁଙ୍କ ଛାତି ଭିତରୁ ଅନେକଗୁଡ଼ିଏ କଥା ଏକ ସଙ୍ଗେ ଠେଲିହୋଇ ଆସିଲା, କିନ୍ତୁ ପ୍ରକାଶ ପାଇଲା ନାହିଁ । ବାହାରେ ଭୀଷଣ ବର୍ଷା ହେଉଥିଲା । ତଥାପି ସେ ୟା ବି କହିପାରିଲେ ନାହିଁ ଯେ–ଶିବନାଥ ବାବୁ, ଟିକିଏ ଅପେକ୍ଷା କରିଯାନ୍ତୁ ।

 

ଚାକର ଚା’ ସରଞ୍ଜାମ ଧରି ଆସି ପହଞ୍ଚିଲା । ମନୋରମା ପଚାରିଲା–ତମ ଚା’ କ’ଣ ଏଇଠି ତିଆରି କରିଦେବି ବାବା ?

 

ଆଶୁ ବାବୁ କହିଲେ–ନା ମୋ’ପାଇଁ ନୁହେଁ । ଶିବନାଥ ଟିକିଏ ଚା’ ଖାଇବେ ବୋଲି କହିଥିଲେ ।

 

ମନୋରମା ଚାକରକୁ ଚା’ ଫେରାଇ ନେବା ପାଇଁ ଇଙ୍ଗିତ ଦେଲା । ମନର ଚାଞ୍ଚଲ୍ୟ ବଶତଃ ଆଶୁ ବାବୁ ଅଣ୍ଟାବ୍ୟଥା ସତ୍ତ୍ୱେ ବି ଚୌକିରୁ ଉଠି ଘର ଭିତରେ ଚଲାବୁଲା କରିବାକୁ ଲାଗିଲେ । ହଠାତ୍ ଝରକା ପାଖେ ଅଟକି ଠିଆହୋଇ ବାହାରକୁ ଚାହିଁ କହିଲେ–ଏଇ ଗଛତଳେ କିଏ ଠିଆହୋଇଛି, ଶିବନାଥ ନା ? ଯାଇ ପାରିଲାନି ବୋଧେ, ଓଦା ହେଇଗଲାଣି । ପରମୁହୂର୍ତ୍ତରେ କହି ଉଠିଲେ–ସାଥିରେ କିଏ ଜଣେ ସ୍ତ୍ରୀଲୋକ ଠିଆହୋଇଛି । ବଙ୍ଗାଳୀ ଝିଅଙ୍କ ପରି ଲୁଗା ପିନ୍ଧିଛି–ଏ ବେଚାରା ବି ଆଉରି ଭିଜି ଗଲାଣି । ଏହା କହି ସେ ବେହେରାକୁ ଡାକ ପକାଇଲେ–ଯଦୁ, ଦେଖି ଆସ ତ, ଗେଟ୍‍ ପାଖ ଗଛତଳେ ଠିଆହୋଇ କିଏ ଭିଜୁଛି ? ଯେଉଁ ବାବୁ ଜଣକ ଏଇଲାଗେ ଗଲେ, ସେଇ କି ନାହିଁ; ଆଚ୍ଛା, ରହ-ରହ, ତାଙ୍କର କଥା ଅଧାରେ ଅଟକି ଗଲା-। ମନରେ ଭୟଙ୍କର ସନ୍ଦେହ ହେଲା–ସ୍ତ୍ରୀଲୋକଟି ଶିବନାଥର ସ୍ତ୍ରୀ ନୁହେଁ ତ–

 

ମନୋରମା କହିଲା–ରହିବ କାହିଁକି ବାବା, ଯାଇ ଶିବନାଥ ବାବୁଙ୍କୁ ଡାକି ଆଣୁନା । ଏହା କହି ସେ ଉଠି ଯାଇ ଖୋଲା ଝରକା ପାଖରେ ବାବାଙ୍କ ପାଖରେ ଠିଆହୋଇ କହିଲା–ସେ ଚା’ ଖାଇବାକୁ ଚାହିଁଥିଲେ ବୋଲି ଜାଣିଥିଲେ ମୁଁ ତାଙ୍କୁ କୌଣସିମତେ ଛାଡ଼ି ନ ଥା’ନ୍ତି ।

 

ଝିଅ କଥା ଶୁଣି ଆଶୁ ବାବୁ ଧୀରେ ଧୀରେ କହିଲେ–ତା’ ଅବଶ୍ୟ ମଣି, କିନ୍ତୁ ମୋର ଭୟ ହେଉଛି ଏଇ ସ୍ତ୍ରୀଲୋକଟି ବୋଧହୁଏ ତା’ର ସେଇ ସ୍ତ୍ରୀ । ସାହସ କରି ଏ ଘର ଭିତରକୁ ଆଣିପାରିନାହିଁ । ଏତେ ସମୟ ଧରି ବାହାରେ ଠିଆହେଇ କେଉଁଠି ଅପେକ୍ଷା କରିଥିଲା । କଥା ଶୁଣି ମନୋରମାର ମନେହେଲା ଏ ନିଶ୍ଚୟ ସେଇ । ଥରେ ତା’ର ଇଚ୍ଛା ହେଲା ଏ ଘରକୁ କୌଣସି ଛଳନାରେ ତାକୁ ଆହ୍ୱାନ କରି ଅଣାଯାଇପାରେ କି ନା, କିନ୍ତୁ ପିତାଙ୍କ ମୁହଁକୁ ଦେଖି ସେ ଏ ସଙ୍କୋଚ ତ୍ୟାଗ କଲା । ବେହେରାକୁ ଡାକି କହିଲା–ଯଦୁ, ସେ ଦୁଇଜଣଙ୍କୁ ତୁ ଡାକି ନେଇ ଆ । ଶିବନାଥ ବାବୁ ଯଦି ପଚାରିବେ, କିଏ ଡାକୁଛି ବୋଲି, ତେବେ ତୁ ମୋ ନାଁ କହିବୁ । ବେହେରା ଚାଲିଗଲା । ଆଶୁ ବାବୁ ଉତ୍କଣ୍ଠା ସହ କହିଲେ–ମଣି, କାମଟା ଠିକ୍ ହେଲା ନାହିଁ ।

 

‘କାହିଁକି ବାବା ?’

 

ଆଶୁ ବାବୁ କହିଲେ–ଶିବନାଥ ଯାହାହେଉ, ସେ ଉଚ୍ଚଶିକ୍ଷିତ ଭଦ୍ରଲୋକ–ତା’ କଥା ଅଲଗା । କିନ୍ତୁ ନିୟମ ଅନୁଯାୟୀ କ’ଣ ଏଇ ସ୍ତ୍ରୀଲୋକଟି ସହ ପରିଚୟ କରିବା ଉଚିତ ହେବ କି-? ଜାତିର ଉଚ୍ଚନୀଚ ହୁଏତ ମୁଁ ମାନେ ନାହିଁ, କିନ୍ତୁ ବିଭେଦ ତ ଗୋଟାଏ କିଛି ଅଛି । ଝି ଚାକରଙ୍କ ସହିତ ବନ୍ଧୁତା ଚଳିବ ନାହିଁ !

 

ମନୋରମା କହିଲା–ବନ୍ଧୁତ୍ୱ କରିବାର ତ ପ୍ରୟୋଜନ ନାଇଁ ବାବା । ବିପଦ ମୁହଁରେ ଅପରିଚିତ ପଥିକକୁ ବି କେତେ ଘଣ୍ଟା ପାଇଁ ଆଶ୍ରୟ ଦିଆ ହୁଏ । ଆମେ ସେୟା କରିବା ।

 

ଆଶୁ ବାବୁଙ୍କ ମନରୁ ଦ୍ୱିଧା ଘୁଞ୍ଚିଲା ନାହିଁ । କେତେଥର ମୁଣ୍ଡ ହଲାଇ ଆସ୍ତେ ଆସ୍ତେ କହିଲେ–ଠିକ୍ ତା’ ନୁହେଁ । ସେ ଝିଅଟି ଘରକୁ ଆସିଲେ ତୁ ତା’ ସାଙ୍ଗରେ କିପରି ବ୍ୟବହାର କରିବୁ ମୁଁ କେବଳ ସେଇ କଥା ଭାବୁଛି ।

 

ମନୋରମା କହିଲା–ମୋ ଉପରେ ତମର କ’ଣ ବିଶ୍ଵାସ ନାହିଁ ବାବା ?

 

ଆଶୁ ବାବୁ ଟିକିଏ ଶୁଷ୍କଭାବେ ହସି କହିଲେ–ତା’ ଅଛି । ତେବେ ଜିନିଷଟା ଠିକ୍ ଠଉରେଇ ପାରୁନି । ତମେସବୁ ଯେଉଁ ଶ୍ରେଣୀର ଲୋକ ସେ ଶ୍ରେଣୀର ଲୋକଙ୍କ ପ୍ରତି କିପରି ବ୍ୟବହାର କରିବାକୁ ହେବ ତମେ ଜାଣ । ଖୁବ୍ କମ୍ ଝିଅ ଏତିକି ଜାଣନ୍ତି । ଦାସୀ, ଚାକରବାକରଙ୍କ ପ୍ରତି ତୋର ଆଚରଣ ନିର୍ଦ୍ଦୋଷ, କିନ୍ତୁ ଏ ହେଲା କ’ଣ ଜାଣୁ ମା–ଶିବନାଥକୁ ମୁଁ ସ୍ନେହ କରେ, ମୁଁ ତା’ର ଗୁଣର ଅନୁରାଗୀ–ଦୈବ ବିଡ଼ମ୍ବନାରେ ଆଜି ଅକାରଣ ସେ ଅନେକ ଲାଞ୍ଛନା ସହ୍ୟ କରି ଯାଇଛି; ତେଣୁ ପୁଣି ତାକୁ ଡାକି ଆଣି ବ୍ୟଥା ଦେବାକୁ ମୁଁ ଚାହେଁନି ।

 

ମନୋରମା ବୁଝିଲା ଏ ଅଭିଯୋଗ ତାରି ପାଇଁ । କହିଲା–ଆଚ୍ଛା ବାବା, ତା’ ହିଁ ହେବ ।

 

ଆଶୁ ବାବୁ ହସି କହିଲେ–ହେବାଟା କ’ଣ ସହଜ ମା ? କାରଣ କ’ଣ ଯେ ହେବା ଉଚିତ ସେ ସମ୍ପର୍କରେ ମୋର ସ୍ପଷ୍ଟ ଧାରଣା ନାହିଁ । କେବଳ ଏଇ କଥା ମନେହେଉଛି ଯେ ଶିବନାଥ ଆଉ ଯେମିତି ଏ ଘରେ କଷ୍ଟ ନ ପାଏ । ମନୋରମା କ’ଣ କହିବାକୁ ଯାଉଥିଲା, ହଠାତ୍ ଚକିତ ହୋଇ କହିଲା–ଏଇ ସେମାନେ ଆସୁଛନ୍ତି ।

 

ଆଶୁ ବାବୁ ବ୍ୟସ୍ତ ହୋଇ ବାହାରକୁ ଆସିଲେ–ବେଶ୍ ଯାହେଉ ଶିବନାଥ ବାବୁ, ଏକେବାରେ ଭିଜିଗଲେ ଯେ–

 

ଶିବନାଥ କହିଲା–ହଁ, ‘ବର୍ଷାଟା ହଠାତ୍ ଜୋରରେ ଆସିଗଲା । ତେବେ ମୋ ଅପେକ୍ଷା ଏ ବେଶୀ ଓଦା ହୋଇଯାଇଛନ୍ତି ।’ ଏହା କହି ସାଙ୍ଗରେ ଥିବା ମହିଳାଙ୍କୁ ଦେଖାଇଦେଲା । କିନ୍ତୁ ସେ କିଏ ତା’ର ସ୍ପଷ୍ଟ ପରିଚୟ ଦେଲା ନାହିଁ । ଏମାନେ ବି ସେ କଥା ପଚାରିଲେ ନାହିଁ ।

 

ବସ୍ତୁତଃ ଝିଅଟିର ସମସ୍ତ ଦେହରେ ଶୁଷ୍କ ବୋଲି କୌଣସି ଅଂଶ ନ ଥିଲା । ଜାମା ଲୁଗା ଭିଜି ଯାଇଛି । ମୁଣ୍ଡର ନିବିଡ଼ କୃଷ୍ଣ କେଶରାଶିରୁ ଜଳଧାରା ଝରିପଡ଼ୁଛି–ପିତା ଓ କନ୍ୟା ଏହି ନବାଗତ ରମଣୀର ମୁଖ ପ୍ରତି ଚାହିଁ ଅପରିସୀମ ବିସ୍ମୟରେ ନିର୍ବାକ୍ ହୋଇ ରହିଗଲେ । ଆଶୁ ବାବୁ କବି ନୁହନ୍ତି, କିନ୍ତୁ ତାଙ୍କର ପ୍ରଥମେ ମନେହେଲା–ଏହି ନାରୀର ରୂପକୁ ପୂର୍ବରୁ କବିମାନେ ଯେ ଶିଶିରଧୌତ ପଦ୍ମ ସହ ତୁଳନା କରିଛନ୍ତି, ଜଗତରେ ଏତେ ବଡ଼ ସତ୍ୟତୁଳନା ଆଉ ନାହିଁ । ସେଦିନ ଅକ୍ଷୟର ନାନାବିଧ ପ୍ରଶ୍ନର ଉତ୍ତରରେ ଉତ୍ତ୍ୟକ୍ତ ହୋଇ ଶିବନାଥ ଯେ ଜବାବ୍ ଦେଇଥିଲେ, ସେ ଲେଖାପଢ଼ା ଜାଣିବା ପାଇଁ ବିବାହ କରିନାହାନ୍ତି, କରିଛନ୍ତି ରୂପ ପାଇଁ–ଏକଥା ଯେ କି ପରିମାଣରେ ସତ୍ୟ, ସେତେବେଳେ କେହି କାନରେ ଦେଲେନାହିଁ । ବର୍ତ୍ତମାନ ସ୍ତବ୍ଧ ହୋଇ ଆଶୁ ବାବୁ ଶିବନାଥର ସେଇ କଥା ବାରମ୍ଵାର ସ୍ମରଣ କରିବାକୁ ଲାଗିଲେ । ତାଙ୍କର ମନେହେଲା, ବାସ୍ତବିକ୍ ଜୀବନ ଯାତ୍ରା ପ୍ରଣାଳୀ ଏମାନଙ୍କର ଭଦ୍ର ଓ ନୀତି-ସମ୍ମତ ନ ହେଉ ପଛେ, ପତି-ପତ୍ନୀ ସମ୍ବନ୍ଧର ପବିତ୍ରତା ଏମାନଙ୍କର ନ ଥାଉ ପଛେ, କିନ୍ତୁ ଏଇ ନଶ୍ଵର ଜଗତର ନଶ୍ଵର ଏଇ ଦୁଇଟି ନରନାରୀଙ୍କ ଦେହ ଆଶ୍ରୟ କରି ସୃଷ୍ଟିର କି ଅବିନଶ୍ଵର ସତ୍ୟ ନ ଫୁଟିଛି ! ଆଉ ପରମ ଆଶ୍ଚର୍ଯ୍ୟର ବିଷୟ ଏହି ଯେ, ଯେଉଁ ଦେଶରେ ରୂପ ବାଛିନେବାର କୌଣସି ବିଶିଷ୍ଟ ପନ୍ଥା ନାହିଁ, ଯେଉଁ ଦେଶରେ ନିଜ ଚକ୍ଷୁକୁ ରୁଦ୍ଧ ରଖି ଅପରର ଚକ୍ଷୁ ଉପରେ ନିର୍ଭର କରିବାକୁ ହୁଏ, ସେ ଅନ୍ଧକାର ଭିତରେ ଏମାନେ ପରସ୍ପରର ସମ୍ବାଦ ପାଇଲେ କିପରି ? କିନ୍ତୁ ଏହି ମୋହାଚ୍ଛନ୍ନ ଭାବ କଟିବା ପାଇଁ ତାଙ୍କୁ ମୁହୂର୍ତ୍ତକରୁ ଅଧିକ ସମୟ ଲାଗିଲା ନାହିଁ । ବ୍ୟସ୍ତ ହୋଇ କହିଲେ–‘ଶିବନାଥ ବାବୁ, ଓଦା ଲୁଗାପଟା ଛାଡ଼ନ୍ତୁ ! ଯଦୁ, ବାବୁଙ୍କୁ ବାଥରୁମ୍‍କୁ ନେଇ ଯା’ ।’

 

ଶିବନାଥ ବେହେରା ସଙ୍ଗରେ ଚାଲିଗଲା । ମନୋରମା ଏଥର ବିପଦରେ ପଡ଼ିଲା । ଝିଅଟି ତା’ର ପ୍ରାୟ ସମବୟସୀ ଏବଂ ତା’ର ବି ଓଦାଲୁଗା ପରିବର୍ତ୍ତନ କରିବା ଆବଶ୍ୟକ କିନ୍ତୁ ତା’ର ଆଭିଜାତ୍ୟ ସମ୍ପର୍କରେ ଯେଉଁ ପରିଚୟ ସେ ସେଦିନ ଶିବନାଥ ମୁହଁରୁ ଶୁଣିଛି, ସେଥିରୁ ୟାକୁ କ’ଣ ବୋଲି ସମ୍ବୋଧନ କରିବ ଭାବିପାରିଲା ନାହିଁ । ତା’ର ରୂପ ଯେତେ ସୁନ୍ଦର ହେଉ ପଛକେ ଶିକ୍ଷାସଂସ୍କାରହୀନ ନୀଚ ଜାତିର ଏହି ଦାସୀକନ୍ୟାକୁ ପିତାଙ୍କ ଆଗରେ ‘ଆସ’ ବୋଲି ଡାକିବାକୁ ତାକୁ ଯେପରି ଦ୍ୱିଧା ଲାଗିଲା, ‘ଆସନ୍ତୁ’ ବୋଲି ସମ୍ମାନ ସହକାରେ ଆହ୍ୱାନ କରି ନିଜ ଘରକୁ ନେଇ ଯିବାକୁ ସେହିପରି ଘୃଣା ବୋଧ ହେଲା । କିନ୍ତୁ ସହସା ଏହି ସମସ୍ୟାର ସମାଧାନ କରିଦେଲା ଝିଅଟି ନିଜେ । ମନୋରମା ପ୍ରତି ଚାହିଁ କହିଲା–ମୋର ବି ସବୁ ଓଦା ହୋଇଯାଇଛି, ମତେ ବି ଖଣ୍ଡେ ଲୁଗା ଦେବାକୁ ହେବ ।

 

‘ଦେଉଛି’ କହି ମନୋରମା ତାକୁ ଭିତରକୁ ନେଇଗଲା ଓ ଚାକରାଣୀକୁ ଡାକି ଗାଧୁଆ ଘରକୁ ନେଇ ଯିବା ପାଇଁ ଓ ଯାହା କିଛି ଆବଶ୍ୟକ ସବୁ ଆଣି ଦେବାପାଇଁ ନିର୍ଦ୍ଦେଶ ହେଲା ।

 

ଝିଅଟି ମନୋରମାର ଆପାଦମସ୍ତକ ବାରମ୍ବାର ନିରୀକ୍ଷଣ କରି କହିଲା–ମୋତେ ଖଣ୍ଡେ ସଫା–ମାନେ ବାସି ଧୋବ ଲୁଗା ଦେବା ପାଇଁ କୁହନ୍ତୁ ।

 

ମନୋରମା କହିଲା–ଆଣି ଦେଉଛି ।

 

ଝିଅଟି ଚାକରାଣୀକୁ କହିଲା–ସେ ଘରେ ସାବୁନ୍ ଅଛି ତ ?

 

ଚାକରାଣୀ କହିଲା–ଅଛି ।

 

‘ମୁଁ କିନ୍ତୁ କାହାର ବ୍ୟବହୃତ ସାବୁନ୍ ଲଗାଏ ନାହିଁ ।’ ଏଇ ଅପରିଚିତ ଝିଅଟିର ମନ୍ତବ୍ୟ ଶୁଣି ଚାକରାଣୀ ପ୍ରଥମେ ବିସ୍ମିତ ହେଲା । ତା’ପରେ କହିଲା–ସେ ଘରେ ଗୋଟାଏ ନୂଆ ସାବୁନ୍ ଅଛି; କିନ୍ତୁ ଶୁଣନ୍ତୁ, ଦିଦିଙ୍କ ଗାଧୁଆ ଘର, ତାଙ୍କ ସାବୁନ୍ ବ୍ୟବହାର କଲେ ଦୋଷ କ’ଣ ?

 

ଝିଅଟି ଓଷ୍ଠ କୁଞ୍ଚିତ କରି କହିଲା–‘ନା, ମୁଁ ତା’ ପାରିବି ନାହିଁ । ମୋର ଭାରି ଘୃଣା ହୁଏ । ତା’ଛଡ଼ା ଯାର ତା’ର ବ୍ୟବହୃତ ସାବୁନ୍ ଲଗାଇଲେ ମତେ ବାନ୍ତି ଆସେ ।’

 

ମନୋରମାର ମୁହଁ କ୍ରୋଧରେ ଆରକ୍ତ ହୋଇ ଉଠିଲା, କିନ୍ତୁ ମୁହୂର୍ତ୍ତକ ପାଇଁ । ପରମୁହୂର୍ତ୍ତରେ ନିର୍ମଳ ହସ ତା’ ମୁହଁରେ ଭରିଗଲା । ତା’ ମନ ଉପରୁ ଯେପରି ଗୋଟାଏ ମେଘ ଘୁଞ୍ଚିଗଲା । ହସି ପଚାରିଲା–ଏ କଥା ତୁମେ କାହାଠାରୁ ଶିଖିଲ ?

 

ଝିଅଟି କହିଲା–ଶିଖିବି କାହାଠୁ ? ମୁଁ ନିଜେ ସବୁ ଜାଣେ ।

 

ମନୋରମା କହିଲା–ସତରେ । ତା’ହେଲେ ମୋର ଏଇ ଚାକରାଣୀଟାକୁ ଦୁଇ ଚାରିଟା ଭଲ କଥା ଶିଖେଇ ଦିଅ ତ ! ଏଇଟା ଏକବାରେ ନିହାତ୍ ମୂର୍ଖ । କହୁ କହୁ ସେ ହସିବାକୁ ଲାଗିଲା-

 

ଚାକରାଣୀ ବି ହସିଲା; କହିଲା–ଚାଲ ମା, ସାବୁନ୍ ଫାବୁନ୍ ଲଗେଇ ତିଆରି ହେଇଯାଅ, ତା’ପରେ ତମ ପାଖରେ ବସି ଭଲ ଭଲ କଥା ଶିଖିନେବି । ଦିଦି, ଇଏ କିଏ ସେ ?

 

ମନୋରମା ହସି ମୁହଁ ନ ବୁଲାଇଥିଲେ ହୁଏତ ସେ ଏଇ ଅପରିଚିତ, ଅଶିକ୍ଷିତ ଝିଅଟି ମୁହଁରେ କୌତୁକ ଓ ପ୍ରଚ୍ଛନ୍ନ ଉପହାସର ଆଭାସ ଲକ୍ଷ୍ୟ କରି ପାରିଥାନ୍ତା ।

 

(ଚାରି)

 

ମନୋରମା ଆଶୁ ବାବୁଙ୍କରର କେବଳ କନ୍ୟା ନୁହେଁ । ଏକାଧାରରେ କନ୍ୟା, ବନ୍ଧୁ ଓ ମନ୍ତ୍ରୀ । ତେଣୁ ବାପ ଝିଅଙ୍କ ଭିତରେ ସଚରାଚର ସମ୍ମାନ ଓ ସଙ୍କୋଚର ଯେ ଦୂରତ୍ଵ ଥାଏ, ତା’ ଆଶୁ ବାବୁ ଓ ମନୋରମା ଭିତରେ ଦେଖାଯାଏ ନାହିଁ । ମଝିରେ ମଝିରେ ବାପ ଝିଅଙ୍କ ଭିତରେ ଏପରି ଅନେକ ଆଲୋଚନା ହୁଏ, ଯାହା ଅନ୍ୟ ବାପ ମା’ଙ୍କୁ ଖରାପ ଶୁଭିବ । କିନ୍ତୁ ଏମାନେ ସେପରି ଆଲୋଚନାରେ ଅଭ୍ୟସ୍ତ । ଆଶୁ ବାବୁ ଝିଅକୁ ଖୁବ୍ ବେଶୀ ଭଲପାଆନ୍ତି । ଏଇ ଝିଅ ପାଇଁ ସ୍ତ୍ରୀ ବିୟୋଗ ପରେ ସେ ଦ୍ଵିତୀୟ ବିବାହ କରି ନାହାନ୍ତି; ଅଥଚ ବନ୍ଧୁ ମହଲରେ ସେ ପ୍ରସଙ୍ଗ ଉଠିଲେ କହନ୍ତି–ଆଉ କାହିଁକି ସେ କଥା କହୁଛ ଭାଇ ! କାହିଁକି ଗୋଟାଏ ଝିଅର ସର୍ବନାଶ କରିବି-? ଯେଉଁ ଦୁଃଖ ସହି ସହି ମଣିର ମା ସ୍ୱର୍ଗକୁ ଗଲେ, ତା’ ମୁଁ ଜାଣେ । ତା’ କ’ଣ ମୋ’ପାଇଁ ଯଥେଷ୍ଟ ନୁହେଁ ?

 

ମନୋରମା ଏ କଥା ଶୁଣିଲେ ଭୀଷଣ ଆପତ୍ତି କରେ । କହେ–ବାବା, ତମର ଏ କଥା ମୁଁ ସହିପାରିବି ନାହିଁ । ଏଠି ତାଜମହଲ ଦେଖି ଆଉ କାହାର କ’ଣ ମନେ ହେଉ ପଛେ ମୋର କେବଳ ତମ କଥା ଓ ମା କଥା ମନେପଡ଼େ । ମୋ ମା ଦୁଃଖ ସହି କାହିଁକି ସ୍ୱର୍ଗକୁ ଯିବେ ?

 

ଆଶୁ ବାବୁ କହନ୍ତି–‘ତୋ ବୟସ ତ ସେତେବେଳକୁ ମୋଟେ ଦଶ କି ବାର ବର୍ଷ, ତୁ କ’ଣ ଜାଣିବୁ !’ କହୁ କହୁ ତାଙ୍କ ଆଖି ଛଳ ଛଳ ହୋଇଯାଏ ।

 

ଆଗ୍ରାକୁ ଆସି ସେ ସମସ୍ତଙ୍କ ସାଙ୍ଗରେ ମିଳିମିଶି ଚଳୁଥିଲେ କିନ୍ତୁ ତାଙ୍କର ବେଶୀ ହୃଦ୍ୟତା ଥିଲା ଅବିନାଶ ବାବୁଙ୍କ ସାଙ୍ଗରେ । ଅବିନାଶ ସହିଷ୍ଣୁ, ସଂଯତ ଲୋକ । ସେ ସ୍ଵଭାବତଃ ଏପରି ଶାନ୍ତ ଓ ପ୍ରସନ୍ନ ଯେ ସହଜରେ ସମସ୍ତଙ୍କର ଶ୍ରଦ୍ଧା ଆକର୍ଷଣ କରନ୍ତି କିନ୍ତୁ ଆଶୁ ବାବୁ ଅନ୍ୟ ଏକ କାରଣ ଯୋଗୁଁ ତାଙ୍କ ପ୍ରତି ଆକୃଷ୍ଟ ଥିଲେ । ତାଙ୍କ ପରି ସେ ଦ୍ଵିତୀୟ ବିବାହ କରିନଥିଲେ ଓ ପତ୍ନୀ ପ୍ରେମର ନିଦର୍ଶନ ସ୍ଵରୂପ ଗୃହର ସର୍ବତ୍ର ମୃତ ସ୍ତ୍ରୀର ଛବି ଟଙ୍ଗାଇ ଥିଲେ । ଆଶୁ ବାବୁ ତାଙ୍କୁ କହନ୍ତି–ଅବିନାଶ ବାବୁ, ଲୋକେ ଆମକୁ ପ୍ରଶଂସା କରନ୍ତି, ଭାବନ୍ତି ଆମର କି ଆତ୍ମସଂଯମ; କେତେ ବଡ଼ କଠିନ କାମ ଆମେ ନ କରୁଛେ ! ଅଥଚ ମୁଁ ଭାବୁଛି–ଆତ୍ମସଂଯମର ପ୍ରଶ୍ନ ଉଠୁଛି କେଉଁଠି ? ଯେଉଁମାନେ ଦ୍ଵିତୀୟଥର ବିବାହ କରୁଛନ୍ତି, ସେମାନେ ପାରୁଛନ୍ତି । ସେମାନଙ୍କୁ ମୁଁ ଅବଶ୍ୟ ଦୋଷ ଦେଉନାହିଁ ବା ଛୋଟ ମନେକରୁନାହିଁ । କେବଳ ମୁଁ ଭାବୁଛି ଯେ ମୁଁ ପାରିବିନି ।

 

ମୁଁ ଜାଣେ, ମଣିର ମା’ର ଜାଗାରେ ଆଉ ଜଣକୁ ସ୍ତ୍ରୀ ବୋଲି ଗ୍ରହଣ କରିବା ମୋ ପକ୍ଷରେ ଖାଲି କଠିନ ନୁହେଁ, ଅସମ୍ଭବ; କିନ୍ତୁ ଏ କଥା ତ ସେମାନେ ଜାଣନ୍ତି ନାହିଁ ! ଠିକ୍ ଏୟା ନୁହେଁ ଅବିନାଶ ବାବୁ ? ନିଜ ମନକୁ ପଚାରି ଦେଖନ୍ତୁ ଠିକ୍ କଥା କହିଛି କି ନୁହେଁ ।

 

ଅବିନାଶ ବାବୁ ହସନ୍ତି, କହନ୍ତି–ମୁଁ କିନ୍ତୁ ଯୋଗାଡ଼ କରିପାରିଲିନି ଆଶୁ ବାବୁ । ମାଷ୍ଟରି କରି ଖାଏ, ସମୟ ତ ପାଏନି, ବୟସ ବି ବଢ଼ିଛି, ଝିଅ ଦେବ କିଏ ?

 

ଆଶୁ ବାବୁ ଖୁସୀ ହୋଇ କହନ୍ତି–ଠିକ୍ ସେୟା ଅବିନାଶ ବାବୁ, ଠିକ୍ ସେୟା । ମୁଁ ବି ସମସ୍ତଙ୍କୁ କହି ବୁଲୁଛି–ଦେହର ଓଜନ ସାଢ଼େ ତିନି ମହଣ, ବାତରେ ପଙ୍ଗୁ, କେତେବେଳେ ଚାଲୁ ଚାଲୁ ହାର୍ଟ ଫେଲ୍ କରିଯିବ, ତା’ର ଠିକଣା ନାଇଁ । ଝିଅ ଦେବ କିଏ ? କିନ୍ତୁ ଜାଣେ, ଝିଅ ଦେବା ଲୋକର ଅଭାବ ନାହିଁ, କେବଳ ନେବାର ମଣିଷଟା ମରିଯାଇଛି । ହାଃ, ହାଃ, ଅବିନାଶ ମରିଯାଇଛି, ଆଶୁ ବୈଦ୍ୟ ମରିଯାଇଛି । ଏହା କହି ଏପରି ଉଚ୍ଚ ହାସ୍ୟ କଲେ ଯେ ଘରର ଦ୍ଵାର ଝରକା ପର୍ଯ୍ୟନ୍ତ କମ୍ପି ଉଠିଲା ।

 

ପ୍ରତ୍ୟେକ ଦିନ ଅପରାହ୍ନରେ ଭ୍ରମଣରେ ବାହାରି ଆଶୁ ବାବୁ ଅବିନାଶଙ୍କ ଘର ଦ୍ଵାରମୁହଁରେ ଓହ୍ଲାଇ ପଡ଼ନ୍ତି । କହନ୍ତି, ‘ମଣି, ସନ୍ଧ୍ୟା ସମୟରେ ଥଣ୍ଡାଟା ଦେହରେ ଲାଗିବ ମା, ତୁ ବରଂ ଆସିବା ବେଳକୁ ମତେ ସାଥିରେ ନେଇଯିବୁ !’

 

ମନୋରମା ହସି ହସି କହେ–ଥଣ୍ଡା କେଉଁଠି ବାବା, ହାଓୟାଟା ତ ଆଜି ବେଶ୍ ଗରମ ଲାଗୁଛି ।

 

ବାପା କହନ୍ତି–‘ସେ ବି ତ ଭଲ ନୁହେଁ ମା, ବୁଢ଼ାମାନଙ୍କ ସ୍ଵାସ୍ଥ୍ୟ ପକ୍ଷରେ ଗରମ ପବନ ବି ହାନିକର । ତୁ ଟିକିଏ ବୁଲି ଆ, ଆମେ ଦୁଇ ବୁଢ଼ା ମିଶି ଦୁଇପଦ କଥାବାର୍ତ୍ତା ହେଉ ।’

 

ମନୋରମା ହସି ହସି କହେ–ତମେ ଦୁଇ ପଦ କାହିଁକି ଦୁଇଶ ପଦ କଥାବାର୍ତ୍ତା ହୁଅ ବାବା, କିନ୍ତୁ ମନେ କରେଇ ଦେଉଛି ତମ ଦୁଇଜଣଙ୍କ ଭିତରୁ କେହି ବି ବୁଢ଼ା ନୁହଁ । ଏହା କହି ସେ ଚାଲିଯାଏ ।

 

ବାତ ଯୋଗୁଁ ଯେଉଁ ଦିନ ଆଶୁ ବାବୁ ଏତକ ବି କରିପାରନ୍ତି ନାହିଁ, ସେ ଦିନ ଅବିନାଶଙ୍କୁ ଯିବାକୁ ହୁଏ । ଗାଡ଼ି ପଠାଇ, ଲୋକ ପଠେଇ, ଚାହା ପାଇଁ ନିମନ୍ତ୍ରଣ କରି–ଯେକୌଣସି ପ୍ରକାରେ ଆଶୁ ବାବୁଙ୍କ ନିର୍ବନ୍ଧାତିଶଯ୍ୟ ଏଡ଼ିବାର ଯୁ ନ ଥିଲା ଅବିନାଶଙ୍କର । ଉଭୟେ ଏକତ୍ର ହେଲେ ଅନ୍ୟାନ୍ୟ ଆଲୋଚନାର ମଧ୍ୟରେ ଶିବନାଥର କଥା ପ୍ରାୟ ଉଠେ । ସେଇ ଯେ ତାକୁ ଘରକୁ ନିମନ୍ତ୍ରଣ କରି ଆଣି ସମସ୍ତେ ମିଳି ଅପମାନ ଦେଇ ବିଦାୟ କରିଥିଲେ । ଏହାର କଷ୍ଟ ଆଶୁ ବାବୁଙ୍କ ମନରୁ ଘୁଞ୍ଚି ନାହିଁ । ଶିବନାଥ ପଣ୍ଡିତ, ଶିବନାଥ ଗୁଣୀ, ତା’ର ସର୍ବାଙ୍ଗ ଯୌବନ, ସ୍ଵାସ୍ଥ୍ୟ ଓ ରୂପରେ ପରିପୂର୍ଣ୍ଣ–ଏ ସମସ୍ତ ବି କିଛି ନୁହେଁ ? ତେବେ କ’ଣ ପାଇଁ ଭଗବାନ ଏତେ ସମ୍ପଦ ତାକୁ ଦୁଇ ହାତ ପୂର୍ଣ୍ଣ କରି ଦେଇଛନ୍ତି ? ତାହା କ’ଣ ତାକୁ ମଣିଷ ସମାଜଠାରୁ ଦୂରରେ ରଖିବା ପାଇଁ ? ମାତାଲ ହେବାରୁ କ’ଣ ହେଲା ? ମଦ ଖାଇ ତ ଅନେକ ଲୋକ ମାତାଲ ହୁଅନ୍ତି । ଯୌବନରେ ସେ ତ ଏ ଅପରାଧ ବହୁବାର କରିଛନ୍ତି, ତା’ ବୋଲି ତାଙ୍କୁ ତ କେହି ଛାଡ଼ି ଦେଇନାହିଁ-! ଆଶୁ ବାବୁଙ୍କର ମଣିଷର ସାଧାରଣ ତ୍ରୁଟି ଅପରାଧ ବୋଲି ଗ୍ରହଣ କରିବା ଅପେକ୍ଷା ମାର୍ଜ୍ଜନା କରିବାର ପ୍ରବୃତ୍ତି ଥିଲା ଓ ଏ ସମ୍ପର୍କରେ ସେ ବହୁ ସମୟରେ ଅବିନାଶ ବାବୁଙ୍କ ସହ ତର୍କ କରନ୍ତି-। ପ୍ରକାଶ୍ୟରେ ଶିବନାଥକୁ ଘରକୁ ଡାକିବା ପାଇଁ ସାହସ ନ କଲେହେଁ ମନେମନେ ସେ ତାକୁ ଖୁବ୍ ଖୋଜନ୍ତି । କେବଳ ଅବିନାଶ ବାବୁ ଯେତେବେଳେ ଶିବନାଥର ପୀଡ଼ିତ ସ୍ତ୍ରୀକୁ ତ୍ୟାଗ କରି ଅନ୍ୟ ସ୍ତ୍ରୀ ଗ୍ରହଣ କରିବା ସମ୍ପର୍କରେ ପଚାରନ୍ତି, ସେ କିଛି ଜବାବ୍ ଦେଇ ପାରନ୍ତି ନାହିଁ । ଲଜ୍ଜିତ ହୋଇ କହନ୍ତି–ମୁଁ ତ ସେଇ କଥା ଭାବୁଛି–ଶିବନାଥ ପରି ଲୋକ ଏ କାମ କଲା କେମିତି ! କିନ୍ତୁ କିଏ ଜାଣେ ଅବିନାଶ ବାବୁ–ହୁଏତ ଭିତରେ କ’ଣ ଗୋଟାଏ ରହସ୍ୟ ଅଛି । ସମସ୍ତେ କ’ଣ ସବୁ କଥା ସବୁ ଲୋକଙ୍କ ଆଗରେ କହିପାରନ୍ତି ନା କହିବା ଉଚିତ ?

 

ଅବିନାଶ କହନ୍ତି–କିନ୍ତୁ ତା’ ସ୍ତ୍ରୀ ଯେ ନିର୍ଦ୍ଦୋଷ, ଏ କଥା ତ ସେ ନିଜ ମୁହଁରେ ସ୍ଵୀକାର କରିଛି ।

 

ଆଶୁ ବାବୁ ପରାସ୍ତ ହୋଇ କହନ୍ତି–ତା’ ଅବଶ୍ୟ ସ୍ଵୀକାର କରିଛି ।

 

ଅବିନାଶ କହନ୍ତି–ଆଉ, ଏଇ ଯେ ମୃତବନ୍ଧୁର ବିଧବାକୁ ଫାଙ୍କି ଦେଇ ସମସ୍ତ ବ୍ୟବସାୟଟାକୁ ନିଜର ବୋଲି ଦଖଲ କରିବା–ଏଇଟା ବି କେମିତି ସମ୍ଭବ ?

 

ଆଶୁ ବାବୁ ନିଜେ ଏ ଦୁଷ୍କର୍ମ କଲା ପରି ଅତିମାତ୍ରାରେ ଲଜ୍ଜିତ ହୋଇ ପଡ଼ନ୍ତି । ତା’ପରେ ଅପରାଧୀ ପରି ଧୀରେ ଧୀରେ କହନ୍ତି–କିନ୍ତୁ ଜାଣନ୍ତି ଅବିନାଶ ବାବୁ, ମୋର ମନେହେଉଛି ହୁଏତ କ’ଣ ଗୋଟାଏ ରହସ୍ୟ ଅଛି ଏ ଭିତରେ । ଆଚ୍ଛା, ଅଦାଲତ ବା ତାକୁ ଡିଗ୍ରୀ ଦେଲା କେମିତି, ସେମାନେ କ’ଣ କିଛି ବିଚାର କରି ଦେଖିଲେ ନାହିଁ ?

 

ଅବିନାଶ ବାବୁ କହନ୍ତି–ଇଂରେଜ ଅଦାଲତ କଥା ଛାଡ଼ନ୍ତୁ ଆଶୁ ବାବୁ । ଆପଣ ତ ନିଜେ ଜମିଦାର–ଇଂରେଜ ଅଦାଲତରେ ସବଳ ବିରୁଦ୍ଧରେ ଦୁର୍ବଳ କେବେ ବିଜୟୀ ହେବାର ଆପଣ ଜାଣନ୍ତି ?

 

ଆଶୁ ବାବୁ କହନ୍ତି–ନା, ନା, ସେକଥା ଠିକ୍ ନୁହେଁ । ତେବେ ଆପଣଙ୍କ କଥା ଯେ ପୁରାପୁରି ମିଥ୍ୟା, ତା’ ବି ନୁହେଁ । କିନ୍ତୁ ମୋର କ’ଣ ମନେହୁଏ ଜାଣନ୍ତି–

 

ମନୋରମା ଆସି ହଠାତ୍ ପହଞ୍ଚିଯାଏ ଓ କହେ–ବାବା, ତମେତ ଜାଣ ଯେ ଅବିନାଶ ବାବୁ ମିଥ୍ୟା ତର୍କ କରୁନାହାନ୍ତି ।

 

ଏହାପରେ ଆଉ ଆଶୁ ବାବୁଙ୍କ ପାଟି ଲେଉଟେ ନାହିଁ ।

 

ଶିବନାଥ ସମ୍ପର୍କରେ ମନୋରମାର କ୍ରୋଧ ସର୍ବାପେକ୍ଷା ବେଶୀ । ସେ ମୁହଁରେ ବିଶେଷ କିଛି କହେ ନାହିଁ, କିନ୍ତୁ ଆଶୁ ବାବୁ ଏ ଦିଗରେ ଝିଅକୁ ସବୁଠୁ ବେଶୀ ଭୟ କରନ୍ତି । ଯେଉଁଦିନ ସନ୍ଧ୍ୟାବେଳେ ଶିବନାଥ ଓ ତା’ର ସ୍ତ୍ରୀ ବର୍ଷାରେ ଓଦା ହୋଇ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ, ତା’ର ପ୍ରାୟ ଦୁଇଦିନ ପର୍ଯ୍ୟନ୍ତ ବାତ ରୋଗ ଯୋଗୁଁ ଆଶୁ ବାବୁ ଶଯ୍ୟାଗତ ହୋଇ ପଡ଼ିଥିଲେ । ନିଜେ ଉଠି ପାରନ୍ତି ନାହିଁ, ଅବିନାଶ ବି କାର୍ଯ୍ୟବ୍ୟସ୍ତତା ହେତୁ ଦିନେ ଦୁଇଦିନ ଆସି ପାରି ନାହାନ୍ତି, କିନ୍ତୁ ଆସିବା ମାତ୍ରେ ବାତର ଯନ୍ତ୍ରଣା ଭୁଲି ଆଶୁ ବାବୁ ସିଧା ହୋଇ ବସି କହିବାକୁ ଲାଗିଲେ–ଅବିନାଶ ବାବୁ, ଶିବନାଥର ସ୍ତ୍ରୀ ସହ ମୋର ପରିଚୟ ହୋଇଗଲା । ଝିଅଟି ସତେ ଯେମିତି ଲକ୍ଷ୍ମୀ ପ୍ରତିମା ! ଏଭଳି ରୂପ ମୁଁ ଅନ୍ୟ କେଉଁଠି ଦେଖିନି । ମନେହେଲା ଯେପରି ଭଗବାନ କୌଣସି ଏକ ଉଦ୍ଦେଶ୍ୟ ରଖି ଏ ଉଭୟଙ୍କୁ ମିଶାଇଛନ୍ତି ।

 

‘କ’ଣ କହୁଛନ୍ତି ଆଜ୍ଞା ?ସତରେ–’

 

‘ହୁଁ, ଦୁଇଜଣ ପାଖ ପାଖ ଠିଆହେଲେ ଚାହିଁ ରହିବାକୁ ଇଚ୍ଛା ହେବ, ପତା ଲେଉଟିବ ନାହିଁ ।’

 

ଅବିନାଶ ହସି ହସି କହିଲେ–ହୋଇପାରେ, କିନ୍ତୁ ଆପଣ ପ୍ରଶଂସା କଲେ ମାତ୍ରାଜ୍ଞାନ ଭୁଲିଯାନ୍ତି ।

 

ଆଶୁ ବାବୁ କିଛି ସମୟ ତାଙ୍କ ମୁହଁକୁ ଚାହିଁ କହିଲେ–ଏ ଦୋଷ ମୋର ଥାଇପାରେ । ମାତ୍ରା ଭୁଲିଗଲେ ଏ କ୍ଷେତ୍ରରେ ବି ଭୁଲିଯାନ୍ତି, କିନ୍ତୁ ଶକ୍ତି ନାହିଁ । କାରଣ ଏମାନଙ୍କ ସମ୍ପର୍କରେ ଯାହା କହିଲେ ବି ମାତ୍ରାର ବାଁ ପାଖେ ରହିବ ସିନା, ଡାହାଣ ଦିଗକୁ ଯିବ ନାହିଁ ।

 

ଅବିନାଶ ବାବୁ ଯେ ସମ୍ପୂର୍ଣ୍ଣ ବିଶ୍ୱାସ କଲେ ତା’ ନୁହେଁ, କିନ୍ତୁ ତାଙ୍କର ପୂର୍ବର ପରିହାସ ଭଙ୍ଗୀ ରହିଲା ନାହିଁ । କହିଲେ–ସେଦିନ ତା’ହେଲେ ଶିବନାଥ ବୃଥା ଦମ୍ଭ କରିନଥିଲା ! ଆଚ୍ଛା ଆପଣଙ୍କର ପରିଚୟ ହେଲା କେମିତି ?

 

ଆଶୁ ବାବୁ କହିଲେ–ନିତାନ୍ତ ଦୈବ ଘଟଣା । ଶିବନାଥର ମୋ ପାଖେ କାମ ଥିଲା । ତା’ ସ୍ତ୍ରୀ ସାଙ୍ଗରେ ଥିଲା, କିନ୍ତୁ ଘରକୁ ଆଣିବାକୁ ସାହସ କଲା ନାହିଁ, ବାହାରେ ତାକୁ ଗୋଟାଏ ଗଛତଳେ ଠିଆ କରାଇ ଦେଇ ଆସିଲା । କିନ୍ତୁ ବିଧି ବକ୍ର ହେଲେ ମଣିଷର କୌଶଳ ଖଟେ ନାହିଁ, ଅସମ୍ଭବ ବି ସମ୍ଭବ ହୋଇପଡ଼େ । ସେୟା ହେଲା ।’ ଏହା କହି ଆଶୁ ବାବୁ ସେ ଦିନର ଝଡ଼ବର୍ଷାର ବିସ୍ତୃତ ବର୍ଣ୍ଣନା ଦେଇ କହିଲେ–ମଣି କିନ୍ତୁ ୟା ଦ୍ୱାରା ଖୁସୀ ହେଲା ନାହିଁ । ଝିଅଟି ତା’ର ସମବୟସ୍କା, ହୁଏତ କିଛି ବଡ଼ ହୋଇପାରେ । ମଣି କହେ–ଶିବନାଥ ସେଦିନ ସତ କହିଥିଲା, ଝିଅଟି ଦାସୀ କନ୍ୟା । ଅନ୍ତତଃ ସେ ଯେ ଆମ ଭଦ୍ର ସମାଜର ନୁହେଁ, ଏଥିରେ ତା’ର ସନ୍ଦେହ ନାହିଁ-

 

ଅବିନାଶ କୌତୂହଳୀ ହୋଇ କହିଲେ–ଏ କଥା କେମିତି ଜଣାପଡ଼ିଲା ?

 

ଆଶୁ ବାବୁ କହିଲେ–ଝିଅଟି କୁଆଡ଼େ ଓଦା ଲୁଗା ବଦଳାଇବା ପାଇଁ ଖଣ୍ଡିଏ ସଫା ଲୁଗା ମାଗିଲା ଓ କହିଲା ଯେ ଅନ୍ୟ କାହାର ବ୍ୟବହୃତ ସାବୁନ୍ ସେ ବ୍ୟବହାର କରିପାରିବ ନାହିଁ; କାରଣ ସେଟା ତାକୁ ଘୃଣା ଲାଗେ ।

 

ଅବିନାଶ ବୁଝିପାରିଲେ ନାହିଁ ଯେ ୟା’ଭିତରେ ଭଦ୍ର ସମାଜର ବହିର୍ଭୂତ ଘଟଣା କ’ଣ ଅଛି !

 

ଆଶୁ ବାବୁ ଠିକ୍ ସେୟା କହିଲେ–ୟା’ଭିତରେ କ’ଣ ଅସଙ୍ଗତ ଘଟଣା ଅଛି, ମୁଁ ଆଜି ବି ବୁଝିପାରି ନାହିଁ । କିନ୍ତୁ ମଣି କହେ–ସେ କଥାଟା ଭିତରେ ନୁହେଁ, କହିବା ଭଙ୍ଗୀରେ ଏଭଳି ଜିନିଷ ଥିଲା ଯାହା କାନରେ ନ ଶୁଣିଲେ ବୁଝିବା ଦୁଷ୍କର । ତା’ଛଡ଼ା ଝିଅମାନଙ୍କର ଆଖି କାନକୁ ଫାଙ୍କିବା ଖୁବ୍ ସହଜ ନୁହେଁ । ଆମ ଚାକରାଣୀ ପର୍ଯ୍ୟନ୍ତ ବି ବୁଝିଲା ଯେ ଝିଅ ତା’ର ସମଗୋଷ୍ଠୀର, ତା’ ମୁନିବର କେହି ନୁହେଁ । ଖୁବ୍ ତଳୁ ହଠାତ୍ ଉପରକୁ ଉଠିଆସିଲେ ଯାହା ହୁଏ, ଏ ଝିଅର କୁଆଡ଼େ ସେୟା ହୋଇଛି ।

 

ଅବିନାଶ ସାମାନ୍ୟ ମୌନ ରହି କହିଲେ–ଦୁଃଖର କଥା; କିନ୍ତୁ ଆପଣଙ୍କ ସାଙ୍ଗେ ପରିଚୟ ହେଲା କେମିତି ? ଆପଣଙ୍କ ସହ କଥାବାର୍ତ୍ତା ବି ହେଲା ନା କ’ଣ ?

 

ଆଶୁ ବାବୁ କହିଲେ–ନିଶ୍ଚୟ । ଓଦାଲୁଗା ବଦଳି ସିଧା ଆସି ମୋ ଘରେ ପହଞ୍ଚିଲା । ସାମାନ୍ୟ କୁଣ୍ଠା ନାହିଁ, ମୋ ସ୍ୱାସ୍ଥ୍ୟ କେମିତି ଅଛି, କ’ଣ ଖାଉଛି, କ’ଣ ଚିକିତ୍ସା ଚାଲିଛି, ଜାଗାଟା ଭଲ ଲାଗୁଛି ନା ନାହିଁ ଇତ୍ୟାଦି ପ୍ରଶ୍ନ ସହଜ ସ୍ୱଚ୍ଛନ୍ଦ ଭାବେ କରିଗଲା । ବରଞ୍ଚ ଶିବନାଥ ଦ୍ଵିଧା ବୋଧ କଲା, କିନ୍ତୁ ତା’ର ସଙ୍କୋଚର ଚିହ୍ନ ବି ଦେଖିଲି ନାହିଁ ।

 

ଅବିନାଶ ପଚାରିଲେ–ମନୋରମା ବୋଧହୁଏ ସେତେବେଳକୁ ନଥିଲେ ?

 

‘ନା । ତା’ର ଯେ କି ଅଶ୍ରଦ୍ଧା ହୋଇଯାଇଛି, କହିବାର ନୁହେଁ । ସେମାନେ ଚାଲିଯିବା ପରେ କହିଲି–ମଣି, ସେମାନଙ୍କୁ ଟିକିଏ ବଳେଇ ଆସିଲୁନି ? ସେ କହିଲା–ତମେ ଯାହା କହ ବାବା, ଘରର ଦାସୀ, ଚାକରଙ୍କୁ ‘ଆସନ୍ତୁ’, ‘ବସନ୍ତୁ’ କହି ମୁଁ ଅଭ୍ୟର୍ଥନା କରିପାରିବି ନାହିଁ ବା ବିଦାୟ ଦେଇପାରିବି ନାହିଁ । ୟା’ପରେ ଆଉ କ’ଣ କରିବାର ଅଛି ।’

 

‘କହିବାର କ’ଣ ଅଛି’ ଅବିନାଶ କି ଭାବିପାରିଲେ ନାହିଁ, କିନ୍ତୁ ମୃଦୁ କଣ୍ଠରେ କହିଲେ–କହିବା କଷ୍ଟ ଆଶୁ ବାବୁ । ମୋର କିନ୍ତୁ ମନେହୁଏ ଯେ ମନୋରମା ଠିକ୍ କଥା କହିଛନ୍ତି । ଏଇ ରକମର ସ୍ତ୍ରୀଲୋକମାନଙ୍କ ସାଙ୍ଗରେ ଆମ ଘର ଝିଅବୋହୂ ମିଶିବା ଉଚିତ ନୁହେଁ ।

 

ଆଶୁ ବାବୁ ଚୁପ୍ ହୋଇ ବସି ରହିଲେ ।

 

ଅବିନାଶ ବାବୁ କହିବାକୁ ଲାଗିଲେ–ଶିବନାଥର ସଙ୍କୋଚର କାରଣ ବୋଧହୁଏ ଏଇ । ସେ ତ ସବୁ ଜଣେ, ତା’ର ଭୟ ହେଲା କାଳେ କୌଣସି ଅସୁନ୍ଦର କଥା ତା’ ସ୍ତ୍ରୀ କହି ପକେଇବ ।

 

ଆଶୁ ବାବୁ ହସି କହିଲେ–ହଁ, ତା’ ହୁଏତ ହୋଇପାରେ ।

 

ଅବିନାଶ କହିଲେ–ନିଶ୍ଚୟ ଏୟା ।

 

ଆଶୁ ବାବୁ ପ୍ରତିବାଦ ନ କରି କହିଲେ–ଝିଅଟି କିନ୍ତୁ ଦେଖିବାକୁ ଲକ୍ଷ୍ମୀପ୍ରତିମା ପରି । ଏହା କହି ଆରାମ୍‍ ଚଉକିରେ ଆଉଜି ବସିଲେ ।

 

ଅବିନାଶ କିଛି ସମୟ ନୀରବ ରହି କହିଲେ–ମୋ କଥାରେ କ’ଣ ଆପଣ କ୍ଷୁଣ୍ଣ ହେଲେ ?

 

ଆଶୁ ବାବୁ ସେପରି ଅର୍ଦ୍ଧଶାୟିତ ଅବସ୍ଥାରେ ଧୀରେ ଧୀରେ କହିଲେ–କ୍ଷୁଣ୍ଣ ହେବା କଥା ନୁହେଁ ଅବିନାଶ ବାବୁ, ତେବେ ସାମାନ୍ୟ କଷ୍ଟ ଲାଗୁଛି ମନରେ । ସେଥିପାଇଁ ଆପଣଙ୍କ ସହ ଦେଖାହେବା ପାଇଁ ଛଟପଟ ହେଉଥିଲି । ଝିଅଟିର ଖାଲି ରୂପ ନୁହେଁ, କଥାବାର୍ତ୍ତା କି ସରସ !

 

ଅବିନାଶ ହସି ହସି କହିଲେ–ମୁଁ ତ ରୂପ ଦେଖିନି, କଥା ବି ଶୁଣିନି ।

 

ଆଶୁ ବାବୁ କହିଲେ–କିନ୍ତୁ ସେ ସୁଯୋଗ ଯଦି କେତେବେଳେ ହୁଏ, ତେବେ ତାହା ତ୍ୟାଗ କରିବାଟା ଅନ୍ୟାୟ ହେବ, ମନେ ରଖିଥିବେ । ଆଉ କେହି ବୁଝୁ ବା ନ ବୁଝୁ, ଆପଣ ବୁଝିପାରିବେ, ମୁଁ ଠିକ୍ ଜାଣେ । ଗଲାବେଳକୁ ଝିଅଟି କହିଲା–ଆପଣ ମୋ ସ୍ଵାମୀଙ୍କର ଗୀତ ଶୁଶୁଣିବାକୁ ଏତେ ଭଲପା’ନ୍ତି, ତେବେ ମଝିରେ ମଝିରେ ଡାକି ପଠାନ୍ତିନି କାହିଁକି ? ମୁଁ ଯେ ଜଣେ ଅଛି, ଆପଣ ସେଟା ମନେ ନ ରଖିଲେ ଚଳିବ । ମୁଁ ତ ଆପଣମାନଙ୍କ ଭିତରକୁ ଆସିବା ପାଇଁ ଦାବି କରୁନି ।

 

ଅବିନାଶ ବାବୁ ଆଶ୍ଚର୍ଯ୍ୟ ହେଲେ, କହିଲେ–ଏତ ଅଶିକ୍ଷିତ ଲୋକର କଥା ନୁହେଁ ଆଶୁ ବାବୁ ? ଶୁଣିଲେ ମନେହୁଏ ଯେ ତା’ ସମ୍ପର୍କରେ ଆମେ ଯାହା କରୁନା କାହିଁକି, ତା’ ସ୍ୱାମୀକୁ ସେ ଭଦ୍ର ସମାଜରେ ଚଳାଇ ନେବାକୁ ଚାହେଁ ।

 

ଆଶୁ ବାବୁ କହିଲେ–ବସ୍ତୁତଃ ତା’ କଥା ଶୁଣି ମନେହେଲା ଯେ, ସେ ସବୁ କଥା ଜାଣେ-। ଆମେ ଯେ ସେ ଦିନ ତା’ ସ୍ୱାମୀକୁ ଅପମାନ କରି ବିଦାୟ ଦେଇଥିଲେ ସେ ଘଟନା ଶିବନାଥ ତାକୁ ଲୁଚାଇ ନାହିଁ । ଶିବନାଥ ବି ଖୁବ୍ ବେଶୀ ଲୁଚାଇ କରି ଚଳିବା ଲୋକ ନୁହେଁ ।

 

ଅବିନାଶ ସ୍ଵୀକାର କରି କହିଲେ–ହଁ, ତା’ ସ୍ଵଭାବ ସେମିତି । କିନ୍ତୁ ଗୋଟାଏ ଜିନିଷ ସେ ଲୁଚାଇଛି ନିଶ୍ଚୟ । ଏ ଝିଅଟି ଯେ ହେଉନା କାହିଁକି ୟାକୁ ସେ ସତରେ ବିବାହ କରି ନାହିଁ ।

 

ଆଶୁ ବାବୁ କହିଲେ–ଶିବନାଥ ତ କହିଲା ସେ ତା’ର ସ୍ତ୍ରୀ; ଝିଅଟି ବି ତାକୁ ସ୍ଵାମୀ ବୋଲି ପରିଚୟ ଦେଲା ।

 

ଅବିନାଶ କହିଲେ–ପରିଚୟ ଦେଲେ କ’ଣ ହେଲା, କିନ୍ତୁ ଏ କଥା ସତ ନୁହେଁ । ୟା’ଭିତରେ ଯେଉଁ ଗଭୀର ରହସ୍ୟ ଅଛି, ଅକ୍ଷୟ ବାବୁ ତାକୁ ନିଶ୍ଚୟ ଦିନେ ନା ଦିନେ ଉଦ୍‍ଘାଟିତ କରିବେ ।

 

ଆଶୁ ବାବୁ କହିଲେ–ସେଥିରେ ମୋର ସନ୍ଦେହ ନାହିଁ କାରଣ ଅକ୍ଷୟ ବାବୁ ଶକ୍ତିମାନ୍ ପୁରୁଷ । କିନ୍ତୁ ଏମାନଙ୍କ ପରସ୍ପରର ସ୍ୱୀକାରୋକ୍ତି ସତ୍ୟ ନୁହେଁ, ଅଥଚ ଯେ ରହସ୍ୟ ଗୋପନ ଅଛି ତାକୁ ଉଦ୍‍ଘାଟିତ କଲେ ସତ୍ୟ ଜଣାପଡ଼ିବ ? ଅବିନାଶ ବାବୁ, ଆପଣ ତ ଅକ୍ଷୟ ନୁହନ୍ତି, ଆପଣଙ୍କଠାରୁ ତ ଏପରି କଥା ମୁଁ ଆଶା କରିନଥିଲି ।

 

ଅବିନାଶ ବାବୁ ଲଜ୍ଜିତ ହୋଇ କହିଲେ–କିନ୍ତୁ ସମାଜ ତ ଅଛି, ତା’ର କଲ୍ୟାଣ ପାଇଁ–

 

କିନ୍ତୁ ତାଙ୍କ ବକ୍ତବ୍ୟ ଶେଷ ହୋଇପାରିଲା ନାହିଁ, ପାଖ ଦୁଆର ଖୋଲି ମନୋରମା ପ୍ରବେଶ କଲା । ଅବିନାଶ ବାବୁଙ୍କୁ ନମସ୍କାର ହୋଇ କହିଲା–ବାବା, ମୁଁ ବୁଲି ଯାଉଛି, ତମେ ବୋଧହୁଏ ଯାଇପାରିବ ନାହିଁ ?

 

‘ନା, ମା, ତୁ ଯା’ ।’

 

ଅବିନାଶ ଉଠି ଠିଆହେଲେ । କହିଲେ–ମୋର ବି କାମ ଅଛି, ବଜାର ପାଖେ ମତେ ଟିକିଏ ଓହ୍ଲାଇ ଦେବ, ମନୋରମା ?

 

‘ନିଶ୍ଚୟ, ଆସନ୍ତୁ ।’

 

ଗଲାବେଳକୁ ଅବିନାଶ କହିଗଲେ ଯେ ଅତି ଜରୁରୀ କାମରେ ସେ ଆସନ୍ତାକାଲି ଦିଲ୍ଲୀ ଯିବେ ଓ ସପ୍ତାହକ ପୂର୍ବରୁ ଆଗ୍ରା ଫେରିପାରିବେ ନାହିଁ ।

 

(ପାଞ୍ଚ)

 

ଦଶଦିନ ପରେ ଅବିନାଶ ବାବୁ ଦିଲ୍ଲୀରୁ ଫେରିଆସିଲେ । ଆସିବା କ୍ଷଣି ତାଙ୍କର ଦଶବର୍ଷର ପୁଅ ଜଗତ୍ ଖଣ୍ଡେ ଛୋଟ ଚିଠି ଆଣି ଦେଲା । ମାତ୍ର ଗୋଟିଏ ବାକ୍ୟ ଲେଖା ହୋଇଛି–

 

‘ଉପର ବେଳା ନିଶ୍ଚୟ ଆସିବେ–ଆଶୁ ।’

 

ଜଗତ୍‍ର ବିଧବା ମାଉସୀ ପର୍ଦ୍ଦା ଆଡ଼େଇ ମୁହଁ ଦେଖାଇ କହିଲେ–ଆଶୁ ବାବୁ କ’ଣ ବାଟକୁ ନଜର କରି ବସିଥିଲେ କି–ଆସୁ ନ ଆସୁ ଜରୁରୀ ତଲବ୍ ପହଞ୍ଚିଲାଣି–ଯିବାକୁ ହେବ ?

 

ଅବିନାଶ ବାବୁ କହିଲେ–ବୋଧହୁଏ କିଛି ବିଶେଷ ପ୍ରୟୋଜନ ଅଛି ।

 

‘ପ୍ରୟୋଜନ ନା ପାଉଁଶ ! ସେ କ’ଣ ତମକୁ ବାଟି ପିଇଯିବେ ନା କ’ଣ ?’

 

ଅବିନାଶ ତାଙ୍କ ଶାଳୀଙ୍କୁ ଆଦରରେ କେତେବେଳେ ମାଲିକାଣୀ, କେତେବେଳେ ବା ନାଁ ଧରି ନୀଳିମା ବୋଲି ଡାକନ୍ତି । ହସି ହସି କହିଲେ–ବୁଝିଲ ନା ମାଲିକାଣୀ, ଅମୃତ ଫଳ ଅନାଦରରେ ଗଛତଳେ ପଡ଼ିଥିବାର ଦେଖିଲେ ବାହାର ଲୋକଙ୍କର ଟିକିଏ ଲୋଭ ହୁଏ ।

 

ନୀଳିମା ହସିଲେ, କହିଲେ–ତା’ହେଲେ ସେଟା ଯେ ମହାକାଳ ଫଳ, ଅମୃତ ଫଳ ନୁହେଁ, ତାହା ଜଣେଇ ଦେବା ଦରକାର ।

ଅବିନାଶ କହିଲେ–ଜଣାଅ, କିନ୍ତୁ ସେମାନେ ବିଶ୍ୱାସ କରିବେ ନାହିଁ–ଲୋଭ ଆହୁରି ବଢ଼ିଯିବ । ହାତ ବଢ଼ାଇବାକୁ ବି ଛାଡ଼ିବେ ନାହିଁ ।

ନୀଳିମା କହିଲେ–ସେଥିରେ ଲାଭ ହେବନି ମୁଖାର୍ଜି ମହାଶୟ ! ଏରୁଣ୍ଡି ବାହାରେ ଏଥର ଶକ୍ତ କରି ବାଡ଼ ବୁଜିଦେବି । ଏହା କହି ସେ ହସ ଚାପି ପର୍ଦ୍ଦା ଭିତରକୁ ଚାଲିଗଲେ ।

ଅବିନାଶ ବାବୁ ଆଶୁ ବାବୁଙ୍କ ଘରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇ ନାହିଁ । ଆଶୁ ବାବୁ ତାଙ୍କୁ ଅତ୍ୟନ୍ତ ଆଦର ସହ ସମ୍ବର୍ଦ୍ଧନା ଓ କୃତ୍ରିମ କ୍ରୋଧ ପ୍ରଦର୍ଶନ କରି କହିଲେ–ଆପଣ ଅଧାର୍ମିକ । ବିଦେଶରେ ବନ୍ଧୁକୁ ଛାଡ଼ିଦେଇ ଦଶ ଦିନ ଅନୁପସ୍ଥିତ ରହିଗଲେ–ଇତି ମଧ୍ୟରେ ଅଧୀନର ଦଶଦଶା ସମୁପସ୍ଥିତ ।

ଅବିନାଶ ଚମକିପଡ଼ି କହିଲେ–ଏକାଥରେ ଦଶ ଦଶଟା ଦଶା ? ପ୍ରଥମଟା କହନ୍ତୁ ।

‘କହୁଛି । ପ୍ରଥମ ଦଶାରେ ଗୋଡ଼ ଦୁଇଟା କେବଳ ଯେ ତାଜା ହୋଇଯାଇଛି ତା’ ନୁହେଁ, ଅତି ଦ୍ରୁତ ବେଗରେ ଉପରୁ ତଳକୁ ଓ ତଳୁ ଉପରକୁ ଗମନାଗମନ ଆରମ୍ଭ ହୋଇଯାଇଛି ।’

‘ଅତ୍ୟନ୍ତ ଭୟର କଥା । ଦ୍ଵିତୀୟଟା ବର୍ଣ୍ଣନା କରନ୍ତୁ ।’

‘ଦ୍ଵିତୀୟ ଏଇ ଯେ ଆଜି ଗୋଟାଏ କ’ଣ ପର୍ବ ଉପଲକ୍ଷରେ ହିନ୍ଦୁସ୍ଥାନୀ ମହିଳାବୃନ୍ଦ ଯମୁନାକୂଳେ ସମବେତ ହୋଇଛନ୍ତି ଏବଂ ହରେନ୍ଦ୍ର-ଅକ୍ଷୟ ପ୍ରଭୃତି ପଣ୍ଡିତ ସମାଜ ନିର୍ଲିପ୍ତ ନିର୍ବିକାର ଭାବେ ବର୍ତ୍ତମାନ ସେଠାକୁ ଅଭିଯାନ ଚଳାଇଛନ୍ତି ।’

‘ଭଲକଥା । ତୃତୀୟ ଦଶା ବର୍ଣ୍ଣନା କରନ୍ତୁ ।’

‘ଦର୍ଶନେଚ୍ଛୁ ଆଶୁ ବୈଦ୍ୟ ଅତି ଉତ୍କଣ୍ଠିତ ହୃଦୟରେ ଅବିନାଶଙ୍କର ଅପେକ୍ଷା କରିଛନ୍ତି, ସେ ଯେପରି ପ୍ରାର୍ଥନା ଅସ୍ୱୀକାର ନ କରନ୍ତି ।’

ଅବିନାଶ ହସି ହସି କହିଲେ–ସେ ପ୍ରାର୍ଥନା ମଞ୍ଜୁର କରିଛନ୍ତି । ଏଥର ଚତୁର୍ଥ ଦଶାର ବିବରଣୀ ଦିଅନ୍ତୁ ।

ଆଶୁ ବାବୁ କହିଲେ–ଏଇଟା ଟିକିଏ ଗୁରୁତର । ଆମର ବାବୁ ବିଲାତରୁ ଭାରତକୁ ଆସି ପ୍ରଥମେ କାଶୀ ଏବଂ ପରେ ଏଇ ଆଗ୍ରା ଆସି ପ’ରଦିନ ଉପସ୍ଥିତ ହୋଇଛନ୍ତି । ବର୍ତ୍ତମାନ ମୋଟରର କଳ ବିଗିଡ଼ିଛି, ବାବୁ ସ୍ୱୟଂ ମରାମତି କାର୍ଯ୍ୟରେ ନିଯୁକ୍ତ । ମରାମତି ସମାପ୍ତ ପ୍ରାୟ ଏବଂ ସେ ଯେକୌଣସି ମୁହୂର୍ତ୍ତରେ ଆସି ପହଞ୍ଚିଯିବେ । ଅଭିଳାଷ, ଆଜି ଜ୍ୟୋତ୍ସ୍ନାରେ ବସି ସମସ୍ତେ ତାଜମହଲ ଦେଖିବା ।

ଅବିନାଶ ଗମ୍ଭୀର ହୋଇ ପଚାରିଲେ–ଏଇ ବାବୁଟି କିଏ ଆଶୁ ବାବୁ ? ୟାଙ୍କ କଥା ସେଦିନ କହିବାକୁ ଯାଇ ଆପଣ ହଠାତ୍ ବନ୍ଦ କରିଦେଲେ ।

ଆଶୁ ବାବୁ କହିଲେ–ହଁ, କିନ୍ତୁ ଆଜି ଅନ୍ତତଃ ଆପଣଙ୍କୁ କହିବାକୁ ଆଉ ବାଧା ନାହିଁ । ଅଜିତ୍‍ ମୋର ଭାବୀ ଜାମାତା, ମଣିର ବର । ଏ ଉଭୟଙ୍କର ଭଲପାଇବା ପୃଥିବୀର ଗୋଟାଏ ଅପୂର୍ବ ବସ୍ତୁ । ପିଲାଟି ରତ୍ନ ଖଣ୍ଡିଏ ।

 

ଅବିନାଶ ସ୍ଥିର ହୋଇ ଶୁଣିବାକୁ ଲାଗିଲେ । ଆଶୁ ବାବୁ କହିଲେ–ଆମେ ବ୍ରାହ୍ମ ନୁହଁ, ହିନ୍ଦୁ । ତେଣୁ ସମସ୍ତ କ୍ରିୟା କର୍ମ ହିନ୍ଦୁମତରେ ହୁଏ । ଯଥା ସମୟରେ, ଅର୍ଥାତ୍ ଚାରିବର୍ଷ ତଳେ ଏମାନଙ୍କର ବିବାହ ହେବାର ଥିଲା, ହେଇଥାନ୍ତା ବି, କିନ୍ତୁ ହେଲା ନାହିଁ । ଏମାନଙ୍କର ଯେପରି ପରିଚୟ ହେଲା ସେ ବି ଏକ ବିଚିତ୍ର ଘଟଣା–ବିଧିଲିପି କହିଲେ ବି ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ସେ ସବୁକଥା ଏହିକ୍ଷଣି ଥାଉ ।

 

ଅବିନାଶ ସେପରି ସ୍ତବ୍ଧ ହୋଇ ରହିଲେ । ଆଶୁ ବାବୁ କହିଲେ–ମଙ୍ଗନ ହୋଇଗଲା, ରାତି ଗାଡ଼ିରେ କାଶୀରୁ ଛୋଟ କାକା ଆସି ପହଞ୍ଚିଲେ । ବାପାଙ୍କ ମୃତ୍ୟୁ ପରେ ସେ ଘରର ମାଲିକ୍, ପିଲାଛୁଆ ନାହାନ୍ତି, ଖୁଡ଼ୀଙ୍କୁ ନେଇ ପହଞ୍ଚିଲେ । ବହୁଦିନରୁ କାଶୀବାସୀ । ଜ୍ୟୋତିଷରେ ତାଙ୍କର ବିଶ୍ଵାସ; ଆସି କହିଲେ–ଏ ବିବାହ ଏବେ ହୋଇପାରିବ ନାହିଁ । ସେ ନିଜେ ଏବଂ ଅନ୍ୟାନ୍ୟ ପଣ୍ଡିତଙ୍କ ସହ ନିର୍ଭୁଲ୍ ଗଣନା କରି ଦେଖିଛନ୍ତି ଯେ ଏ ବିବାହ ହେଲେ ତିନି ବର୍ଷ ତିନି ମାସ ମଧ୍ୟରେ ମଣି ବିଧବା ହେବ ।

 

ଗୋଟାଏ ହୁଲ୍‍ସ୍ଥୁଲ୍ ପଡ଼ିଗଲା । ସମସ୍ତ ଆୟୋଜନ ଲଣ୍ଡଭଣ୍ଡ ହୋଇଗଲା । କିନ୍ତୁ କାକାଙ୍କୁ ମୁଁ ଜାଣେ, ବୁଝିଲି, ଏ କଥାର ଆଉ ପରିବର୍ତ୍ତନ ନାହିଁ । ଅଜିତ୍‍ ନିଜେ ବି ବଡ଼ଲୋକର ପିଲା, ତା’ର ସଂସାରରେ ଗୋଟିଏ ବିଧବା ଖୁଡ଼ୀ ଛଡ଼ା କେହି ନାହାନ୍ତି । ସେ ଭୀଷଣ ରାଗ ହେଲା-। ଅଜିତ୍‍ ଦୁଃଖ ଓ ଅଭିମାନରେ ଇଞ୍ଜିନିୟରିଂ ପଢ଼ା ନାଁରେ ବିଲାତ ଚାଲିଗଲା । ସମସ୍ତେ ଜାଣିଲେ ଯେ ଏ ବିବାହ ଚିରକାଳ ପାଇଁ ଭାଙ୍ଗିଗଲା ।

 

ଅବିନାଶ ରୁଦ୍ଧ ନିଃଶ୍ୱାସ ତ୍ୟାଗ କରି ପଚାରିଲେ–ତା’ପରେ ?

 

ଆଶୁ ବାବୁ କହିଲେ–ସମସ୍ତେ ହତାଶ ହୋଇ ପଡ଼ିଲୁ, କେବଳ ହତାଶ ହେଲାନି ମଣି । ମତେ ଆସି କହିଲା–ବାବା, କ’ଣ ଏମିତି ଗୋଟାଏ ଘଟଣା ଘଟିଛି ଯେ ତମେ ଖାଇବା ଶୋଇବା ଛାଡ଼ି ବ୍ୟସ୍ତ ହୋଇ ପଡ଼ୁଛ ? ତିନି ବରଷ ଏମିତି କ’ଣ ବା ବେଶୀ ସମୟ ! ତାକୁ ଯେ କି ଆଘାତ ଲାଗିଥିଲା ତା’ ମୁଁ ଜାଣେ । କହିଲି–ମା, ତୋ କଥା ସାର୍ଥକ ହେଉ, କିନ୍ତୁ ଏସବୁ ଘଟଣାରେ ତିନିବର୍ଷ କ’ଣ, ତିନି ଦିନର ବାଧା ବି ମାରାତ୍ମକ । ମଣି ହସି କହିଲା–‘ତମର ଭୟ କରିବାର କିଛି ନାହିଁ ବାବା, ମୁଁ ଅଜିତ୍‍ଙ୍କୁ ଠିକ୍ ଚିହ୍ନିଛି ।’ ଅଜିତ୍‍ ସବୁବେଳେ ଟିକିଏ ସାତ୍ଵିକ ପ୍ରକୃତିର ମଣିଷ, ଭଗବାନ୍‍ଙ୍କ ଉପରେ ତା’ର ଅଚଳ ବିଶ୍ୱାସ । ଯିବାବେଳେ ମଣିକୁ ଖଣ୍ଡିଏ ଛୋଟ ଚିଠି ଲେଖି ଦେଇ ଯାଇଥିଲା । ଏଇ ଚାରିବର୍ଷ ଭିତରେ ଆଉ ଚିଠି ଦେଇନି । ନ ଲେଖୁ, କିନ୍ତୁ ମନେମନେ ମଣି ସବୁ ଜାଣେ । ସେଇଦିନୁ ସେ ଯେ ବ୍ରହ୍ମଚାରିଣୀ ଜୀବନ ଯାପନ କଲା, ଦିନେ ବି ତହିଁରୁ ପରିବର୍ତ୍ତନ କରିନି । ଅଥଚ ବାହାରୁ କିଛି ବୁଝିବାର ଉପାୟ ନାହିଁ ।

 

ଅବିନାଶ ଶ୍ରଦ୍ଧାବିଗଳିତ ଚିତ୍ତରେ କହିଲେ–ବାସ୍ତବିକ୍ ବୁଝିବାର ଉପାୟ ନାହିଁ । ମୁଁ ଆର୍ଶୀବାଦ କରୁଛି, ଏମାନେ ଜୀବନରେ ସୁଖୀ ହୁଅନ୍ତୁ ।

 

ଆଶୁ ବାବୁ କନ୍ୟା ତରଫରୁ ଯେପରି ମୁଣ୍ଡ ନୁଆଁଇଲେ । କହିଲେ–ବ୍ରାହ୍ମଣଙ୍କ ଆର୍ଶୀବାଦ ନିଷ୍ଫଳ ହୁଏ ନାହିଁ । ଅଜିତ୍‍ ପ୍ରଥମେ କାକାଙ୍କ ପାଖକୁ ଯାଇଥିଲା । ସେ ଅନୁମତି ଦେଇଛନ୍ତି । ତା’ ନ ହେଲେ ବୋଧହୁଏ ଏଠିକି ଆସି ନ ଥାନ୍ତା ।

 

ଏହାପରେ ଉଭୟେ କିଛି ସମୟ ମୌନ ରହି ଆଶୁ ବାବୁ ପୁଣି କହିବାକୁ ଲାଗିଲେ–ଅଜିତ୍‍ ବିଲାତ ଚାଲିଗଲା । ଦୁଇବର୍ଷ ପର୍ଯ୍ୟନ୍ତ ତା’ର କୌଣସି ସମ୍ବାଦ ନ ପାଇବାରୁ ମୁଁ ଭିତରେ ଭିତରେ ପାତ୍ର ସନ୍ଧାନ କଲି । କିନ୍ତୁ ମଣି ଏ କଥା ଜାଣିପାରି କହିଲା–ବାବା, ତୁମେ ଏ ଚେଷ୍ଟା କର ନାହିଁ । ତୁମେ ମତେ ପ୍ରକାଶରେ ସମ୍ପ୍ରଦାନ ନ କଲେ ବି ମନେମନେ ତ ଦେଇ ସାରିଥିଲ । ମୁଁ କହିଲି–ଏମିତି ତ ବହୁ କ୍ଷେତ୍ରରେ ହୁଏ ମା । କିନ୍ତୁ ଝିଅର ଦୁଇ ଆଖିରେ ଲୁହ ଭରିଗଲା । କହିଲା–ନା ବାବା, ଏ କଥା ହୋଇପାରିବନି । ମୋ ଅଦୃଷ୍ଟରେ ଭଗବାନ ଯାହା ଲେଖିଛନ୍ତି ମୁଁ ଯେପରି ତାକୁ ସହ୍ୟ କରିପାରେ, ମତେ ଅନ୍ୟ କିଛି କରିବାକୁ ଆଦେଶ ଦିଅ ନାହିଁ । ଦୁଇଜଣଙ୍କ ଆଖିରୁ ଲୁହ ବୋହିଗଲା । ମୁଁ ଆଖି ପୋଛି କହିଲି–ଅପରାଧ କରିଛି ମା, ତୁ ଏ ବୁଢ଼ା ପୁଅଟାକୁ କ୍ଷମାକର-

 

ଅକସ୍ମାତ୍ ପୂର୍ବ ସ୍ମୃତିର ଆବେଗରେ ତାଙ୍କର କଣ୍ଠ ରୁଦ୍ଧ ହୋଇ ଆସିଲା । ଅବିନାଶ ନିଜେ ବି ଅନେକ ସମୟ ପର୍ଯ୍ୟନ୍ତ କଥା କହିପାରିଲେ ନାହିଁ, ତା’ପରେ ଧୀରେ ଧୀରେ କହିଲେ–ଆଶୁ ବାବୁ ସଂସାରରେ ଏପରି ଅନେକ ଭୁଲ୍ ଆମେ କରିଥାଉଁ ଓ ଅନେକ ଅନ୍ୟାୟ ଧାରଣା ପୋଷଣ କରିଥାଉଁ ।

 

ଆଶୁ ବାବୁ ଠିକ୍ ବୁଝି ନ ପାରି ପଚାରିଲେ–ଭୁଲ୍ କ’ଣ ?

 

‘ଏଇ ଯେପରି–ଅନେକ ମନେକରନ୍ତି ଯେ ଝିଅମାନେ ଉଚ୍ଚଶିକ୍ଷିତା ହେଲେ ମେମ୍‍ସାହେବ ହେଇଯାଆନ୍ତି, ପ୍ରାଚୀନ ମଧୁର ହିନ୍ଦୁ ସଂସ୍କାରଗୁଡ଼ିକ ସେମାନଙ୍କ ମନରେ ସ୍ଥାନ ପାଏନା । କେତେ ବଡ଼ ଭୁଲ୍ ଧାରଣା, କହନ୍ତୁ ତ ?

 

ଆଶୁ ବାବୁ ମୁଣ୍ଡ ହଲାଇ କହିଲେ–ଭ୍ରମ ଅନେକ ସ୍ଥଳରେ ହୁଏ ଅବଶ୍ୟ, କିନ୍ତୁ ଜାଣନ୍ତି ନା ଅବିନାଶ ବାବୁ, ଶିକ୍ଷା କହନ୍ତୁ ବା ଅଶିକ୍ଷା କହନ୍ତୁ, ଅସଲ ଜିନିଷ ହେଲା ଜ୍ଞାନ ଅର୍ଜ୍ଜନ କରିବା । ଏହି ଜ୍ଞାନର ପାଇବା ନ ପାଇବା ଉପରେ ସମସ୍ତ ନିର୍ଭର କରେ । ନ ହେଲେ ଗୋଟିକର ଦୋଷ ଅନ୍ୟ ଉପରେ ଲଦିଲେ ଗୋଳମାଳ ସୃଷ୍ଟି ହୁଏ ।–ଏଇତ ଅଜିତ୍‍, ମଣି କୁଆଡ଼େ ଗଲା ?

 

ପ୍ରାୟ ତିରିଶି ବର୍ଷ ବୟସ୍କ ଗୋଟିଏ ସୁନ୍ଦର ଯୁବକ ଘରେ ଆସି ପହଞ୍ଚିଲା । କହିଲା–ମଣି ମୋତେ ସାହାଯ୍ୟ କରୁଥିଲେ, ତାଙ୍କ ଲୁଗାରେ କଳାଦାଗସବୁ ଲାଗିଯିବାରୁ ଲୁଗା ବଦଳାଇବା ପାଇଁ ଭିତରକୁ ଯାଇଛନ୍ତି । ମୋଟରଟା ଠିକ୍ ହେଇଗଲା, ଡ୍ରାଇଭରକୁ ସାମନାକୁ ନେଇ ଆସିବାକୁ କହି ଆସିଛି ।

 

ଆଶୁ ବାବୁ କହିଲେ–ଅଜିତ୍‍, ଏ ମୋର ପରମବନ୍ଧୁ ଶ୍ରୀଯୁକ୍ତ ଅବିନାଶ ମୁଖୋପାଧ୍ୟାୟ, ଏଠା କଲେଜର ଅଧ୍ୟାପକ; ୟାଙ୍କୁ ପ୍ରଣାମ କର ।

 

ଆଗନ୍ତୁକ ଯୁବକ ଅବିନାଶଙ୍କୁ ଭୂମିଷ୍ଠ ପ୍ରଣାମ କଲା ଓ ଆଶୁ ବାବୁଙ୍କ ଉଦ୍ଦେଶ୍ୟରେ କହିଲା–ମଣିକୁ ଆସିବା ପାଇଁ ପାଞ୍ଚମିନିଟ୍‍ରୁ ବେଶୀ ସମୟ ଲାଗିବ ନାହିଁ, ତେଣୁ ଆପଣ ଟିକିଏ ଶୀଘ୍ର ପ୍ରସ୍ତୁତ ହୋଇଯାନ୍ତୁ । ଡେରି ହେଲେ ଦେଖିବା ପାଇଁ ସମୟ ମିଳିବ ନାହିଁ । ଲୋକେ କହନ୍ତି ଯେ ତାଜମହଲ ଦେଖିଲେ ସାଧ ମେଣ୍ଟେ ନାହିଁ ।

 

ଆଶୁ ବାବୁ କହିଲେ–ତାଜମହଲ ସାଧ ନ ମେଣ୍ଟିବାର ଜିନିଷ ବାପା । ଆମେ ତ ପ୍ରସ୍ତୁତ ଅଛୁ, ବରଞ୍ଚ ତମମାନଙ୍କର ଡେରି ହେଉଛି । ତମେ ତ ଏପର୍ଯ୍ୟନ୍ତ ଲୁଗା ବଦଳାଇ ନାହଁ ।

 

ଯୁବକଟି ନିଜର ପୋଷାକପ୍ରତି ଦୃଷ୍ଟିପାତ କରି କହିଲା–ମୁଁ ଆଉ ଲୁଗା ବଦଳାଇବି ନାହିଁ, ଏଇଥିରେ ଚଳିଯିବ ।

 

‘ଏଇ ମଇଳା ଲୁଗା ପିନ୍ଧି ଯିବ ?’

 

ଯୁବକଟି ହସି କହିଲା–ମଇଳା ହେଲେ କ’ଣ ହେଲା, ଏ ତ ମୋ ପେଶା । ଲୁଗାରେ ମଇଳା ଲାଗିଲେ ଆମର ଗୌରବହାନି ହୁଏ ନାହିଁ ।

 

ଆଶୁ ବାବୁ ଏ କଥା ଶୁଣି ମନେମନେ ଖୁସୀ ହେଲେ ଏବଂ ଅବିନାଶ ବାବୁ ବି ଯୁବକଟିର ବିନମ୍ର ସରଳତା ଦେଖି ମୁଗ୍ଧ ହେଲେ ।

 

ମନୋରମା ଆସି ପହଞ୍ଚିଲା । ତା’ ପ୍ରତି ଅବିନାଶ ହଠାତ୍ ଚମକି ଉଠିଲେ । କେତେଦିନ ଧରି ତାକୁ ଦେଖି ନ ଥିଲେ; ପୁଣି ଏ ଭିତରେ ଅଜିତ୍‍ ଫେରିଆସିଛି । ଆଶୁ ବାବୁଙ୍କ ଠାରୁ ଯେଉଁସବୁ କଥା ସେ ଶୁଣିଲେ, ସେଥିରୁ ମନେକରିଥିଲେ ଯେ ମନୋରମାର ମୁହଁରେ ଏକ ଅନିର୍ବଚନୀୟ ଆନନ୍ଦର ଚିହ୍ନ ଦେଖିବେ, ଯାହା ଜୀବନରେ କେବେ ଦେଖି ନାହାନ୍ତି । କିନ୍ତୁ କାହିଁ, ସେ ସବୁ ତ କିଛି ନାହିଁ ! ନିତାନ୍ତ ସାଧାସିଧା ପୋଷାକ । ଗୋପନ ଆନନ୍ଦର ପ୍ରଚ୍ଛନ୍ନ ଆଡ଼ମ୍ବର କେଉଁଠି ଆତ୍ମପ୍ରକାଶ କରିନାହିଁ, ସୁଗଭୀର ପ୍ରସନ୍ନତାର ଶାନ୍ତ ଦୀପ୍ତି ମୁହଁରେ ବିକଶିତ ହୋଇ ଉଠିନାହିଁ, ବରଞ୍ଚ କିପରି ଗୋଟାଏ କ୍ଳାନ୍ତିର ଛାୟାରେ ଚକ୍ଷୁର ଦୃଷ୍ଟି ମ୍ଳାନ । ଅବିନାଶ ବାବୁଙ୍କର ମନେହେଲା–ହୁଏତ ଆଶୁ ବାବୁ ପିତୃସ୍ନେହ ବଶତଃ ନିଜ କନ୍ୟାକୁ ଭୁଲ୍ ବୁଝିଛନ୍ତି କିମ୍ଵା ହୁଏତ ଯାହା ଦିନେ ସତ୍ୟ ଥିଲା, ଆଜି ତାହା ମିଥ୍ୟାରେ ପରିଣତ ହୋଇଛି ।

 

ଅଳ୍ପ ସମୟ ପରେ ପ୍ରକାଣ୍ଡ ମୋଟର ଗାଡ଼ିରେ ସମସ୍ତେ ବାହାରି ପଡ଼ିଲେ । ନଈ ଘାଟରେ ସେତେବେଳକୁ ପୁଣ୍ୟ-ଲୁବ୍ଧ ନାରୀ ଓ ରୂପ-ଲୁବ୍ଧ ପୁରୁଷଙ୍କ ଭିଡ଼ କମି ଆସିଲାଣି । ସୁନ୍ଦର ଓ ସୁଦୀର୍ଘ ମାର୍ଗର ସର୍ବତ୍ର ସେମାନଙ୍କ ସାଜସଜ୍ଜା ଓ ବିଚିତ୍ର ପରିଧେୟ ଅସ୍ତମାନ ରବିରଶ୍ମିରେ ଅପରୂପ ଦେଖାଯାଉଛି । ସବୁ ଦେଖି ଦେଖି ସେମାନେ ବିଶ୍ୱ-ଖ୍ୟାତ ଅନନ୍ତ ସୌନ୍ଦର୍ଯ୍ୟମୟ ତାଜମହଲ ସମ୍ମୁଖରେ ପହଞ୍ଚିଲା ବେଳକୁ ହେମନ୍ତର ନାତିଦୀର୍ଘ ଦିବାଭାଗ ଅବସାନ ହୋଇ ଆସିଲାଣି ।

 

ଯମୁନା କୂଳରେ ଯାହା କିଛି ଦେଖିବାର ଥିଲା ସବୁ ଦେଖି ଅକ୍ଷୟ ବାବୁଙ୍କ ଦଳ ଇତିପୂର୍ବରୁ ଆସି ହାଜର ହୋଇଛନ୍ତି । ସେମାନେ ଅନେକଥର ତାଜ୍ ଦେଖିଛନ୍ତି, ଦେଖି ଦେଖି ଅରୁଚି ଧରିଗଲାଣି । ତେଣୁ ଉପରକୁ ନ ଉଠି ତଳେ ବଗିଚାର ଗୋଟିଏ ଅଂଶରେ ବସିଥିଲେ; ଏମାନଙ୍କୁ ଆସିବାର ଦେଖି ଉଚ୍ଚ କୋଳାହଳ କରି ସମ୍ବର୍ଦ୍ଧନା କଲେ । ବାତ ବ୍ୟାଧି ପୀଡ଼ିତ ଆଶୁ ବାବୁ ଦେହର ଗୁରୁଭାର ଘାସ ଉପରେ ନ୍ୟସ୍ତ କରି ଦୀର୍ଘଶ୍ୱାସ ତ୍ୟାଗ କରି କହିଲେ–ଓଃ, ବଞ୍ଚିଗଲା ମଣିଷ । ବର୍ତ୍ତମାନ ଯାହାର ଯେତେ ଇଚ୍ଛା ସେତେ ମମତାଜ ବେଗମ୍‍ର କବର ଦେଖି ଆନନ୍ଦ ଲାଭ କର ବାବା, ଆଶୁ ବୈଦ୍ୟ ଏଇଠୁ ବେଗମ୍‍ସାହେବାଙ୍କୁ କୁର୍ଣ୍ଣିସ୍ ଜଣାଉଛି । ୟାଠୁ ଅଧିକ ତା’ଦ୍ୱାରା ହେଇପାରିବ ନାହିଁ ।

 

ମନୋରମା କ୍ଷୁଣ୍ଣ ହୋଇ କହିଲା–ସେ କଥା ହେଇପାରିବନି ବାବା, ତମକୁ ଏକୁଟିଆ ଛାଡ଼ି ଆମେ କେହି ଯାଇପାରିବୁନି ।

 

ଆଶୁ ବାବୁ ହସି ହସି କହିଲେ–ଭୟ ନାଇଁ ମା, ତୋ ବୁଢ଼ା ବାପକୁ କେହି ଚୋରୀ କରି ନେଇଯିବନି ।

 

ଅବିନାଶ କହିଲେ–ନା, ସେ ଆଶଙ୍କା ନାହିଁ । ରୀତମତ କପିକଳ, ଲୁହାଚେନ୍ ଇତ୍ୟାଦି ସଂଗ୍ରହ ନ କଲେ ଉଠାଇବ କେମିତି ?

 

ମନୋରମା କହିଲା–ମୋ ବାବାଙ୍କୁ ଆପଣମାନେ ସବୁ ଆଉ ଖୁଣ୍ଟଣା ଦେବେ ନାହିଁ । ଆପଣମାନଙ୍କ ଆଖି ପଡ଼ି ମୋ ବାବା ରୋଗା ହେଇଗଲେଣି ।

 

ଅବିନାଶ କହିଲେ–ତା’ ଯଦି ହେଇଥାଏ, ତା’ହେଲେ ମାନିବାକୁ ହେବ ଯେ ଆମମାନଙ୍କର ଅନ୍ୟାୟ ହେଇଛି । କାରଣ ଦ୍ରଷ୍ଟବ୍ୟ ବସ୍ତୁ ହିସାବରେ ତାଙ୍କ ମର୍ଯ୍ୟାଦା ତାଜମହଲଠାରୁ କୌଣସି ଗୁଣରେ କମ୍ ନୁହେଁ । ସମସ୍ତେ ହସି ଉଠିଲେ ।

 

ମନୋରମା କହିଲା–ସେ କଥା ହେବନି ବାବା, ତମକୁ ଆମ ସାଙ୍ଗରେ ଯିବାକୁ ହେବ । ତମେ ସାଙ୍ଗରେ ନ ଥିଲେ ତାଜମହଲର ସୌନ୍ଦର୍ଯ୍ୟ ଲୁଚି ରହିଯିବ । ଯିଏ ଯେତେ ଖବର ଦିଅନ୍ତୁ, ତମ ଅପେକ୍ଷା ଅସଲ ତତ୍ତ୍ଵଟି କେହି ବେଶୀ ଜାଣେ ନାହିଁ ।

 

ହଠାତ୍ ସମସ୍ତଙ୍କର ନଜର ପଡ଼ିଲା ଏକ ଅପ୍ରତ୍ୟାଶିତ ଘଟଣା ପ୍ରତି । ତାଜ୍‍ର ପୂର୍ବଦିଗରୁ ବୁଲି ଅକସ୍ମାତ୍ ଶିବନାଥ ଓ ତା’ର ସ୍ତ୍ରୀ ଆଗରେ ଆସି ପହଞ୍ଚିଲେ । ଶିବନାଥ ନ ଦେଖିଲା ପରି ଛଳନା କରି ଅନ୍ୟ ଆଡ଼କୁ ଚାଲିଯିବାର ଉପକ୍ରମ କଲା ବେଳେକୁ ତା’ ସ୍ତ୍ରୀ ତା’ର ଦୃଷ୍ଟି ଆକର୍ଷଣ କରି କହିଲା–ଏଇ, ଦେଖ ଦେଖ, ଆଶୁ ବାବୁ ଓ ତାଙ୍କ ଝିଅ ଆସିଛନ୍ତି ।

 

ଆଶୁ ବାବୁ ଉଚ୍ଚସ୍ୱରରେ ଆହ୍ଵାନ କରି କହିଲେ–ଆପଣମାନେ କେତେବେଳେ ଆସିଲେ ଶିବନାଥ ବାବୁ ? ଏ ଆଡ଼କୁ ଆସନ୍ତୁ । ଶିବନାଥ ସସ୍ତ୍ରୀକ ପାଖରେ ଆସି ଠିଆହେଲା । ଆଶୁ ବାବୁ ପରିଚୟ କରିଦେବାକୁ ଯାଇ କହିଲେ–ଶିବନାଥଙ୍କ ସ୍ତ୍ରୀ । ଆପଣଙ୍କ ନାଁଟି କିନ୍ତୁ ଏପର୍ଯ୍ୟନ୍ତ ମୁଁ ଜାଣିନାହିଁ !

 

ଝିଅଟି କହିଲା–ମୋ ନାଁ କମଳ; ମୋତେ କିନ୍ତୁ ଆପଣ ବୋଲି ଡାକିବେନି ଆଶୁ ବାବୁ-

 

ଆଶୁ ବାବୁ କହିଲେ–ଡାକିବା ଉଚିତ ବି ନୁହେଁ । କମଳ, ଏମାନେ ମୋର ବନ୍ଧୁ, ତମ ସ୍ୱାମୀଙ୍କ ପରିଚିତ । ବସ ।

 

କମଳ ଅଜିତ୍‍କୁ ଦେଖାଇ କହିଲା–ୟାଙ୍କ ପରିଚୟ ଦେଲେ ନାହିଁ ତ !

 

ଆଶୁ ବାବୁ କହିଲେ–କ୍ରମଶଃ ଦେବି ନିଶ୍ଚୟ । ସେ ମୋର–ମୋର ପରମ ଆତ୍ମୀୟ । ନାଁ ଅଜିତ୍‍କୁମାର ରାୟ । କେତେ ଦିନ ହେଲା ବିଲାତରୁ ଫେରି ଆମକୁ ଦେଖିବାକୁ ଏଠିକି ଆସିଛନ୍ତି । କମଳ, ତମେ କ’ଣ ପ୍ରଥମଥର ପାଇଁ ଆଜି ତାଜମହଲ ଦେଖିଲ ?

 

ଝିଅଟି ମୁଣ୍ଡ ହଲାଇ କହିଲା–ହଁ ।

 

ଆଶୁ ବାବୁ କହିଲେ–ତା’ହେଲେ ତୁମେ ଭାଗ୍ୟବତୀ, କିନ୍ତୁ ଅଜିତ୍‍ ତମ ଅପେକ୍ଷା ବି ଭାଗ୍ୟବାନ୍ କାରଣ ସେ ଏହି ପରମବିସ୍ମୟର ଜିନିଷଟି ଦେଖି ନାହାନ୍ତି, ଏଥର ଦେଖିବେ । ଆଲୁଅ କମି ଆସିଲାଣି, ଆଉ ତ ଡେରି କଲେ ଚଳିବ ନାହିଁ ଅଜିତ୍‍ ।

 

ମନୋରମା କହିଲା–ଡେରି ତ କେବଳ ତମରି ପାଇଁ ବାବା, ଉଠ ।

 

‘ଉଠିବା ତ ସହଜ ବ୍ୟାପାର ନୁହେଁ ମା, ସେଥିପାଇଁ ଆୟୋଜନ କରିବାକୁ ହେବ ।’

 

‘ତା’ହେଲେ ସେଇ ଆୟୋଜନ କର ବାବା ।’

 

‘କରୁଛି । ଆଚ୍ଛା କମଳ, ତାଜମହଲ ଦେଖି ତୁମର କ’ଣ ମନେହେଲା ?’

 

କମଳ କହିଲା–ବିସ୍ମୟର ବସ୍ତୁ ବୋଲି ମନେହେଲା ?

 

ମନୋରମା ତା’ ସାଥିରେ କଥା କହିଲା ନାହିଁ, ଏଭଳିକି ପରିଚୟ ଥିବା ବି ତା’ ଆଚରଣରେ ପ୍ରକାଶ ପାଇଲା ନାହିଁ । ବାପାଙ୍କୁ ତାଗିଦ୍ କରି କହିଲା–ସନ୍ଧ୍ୟା ହେଲାଣି, ତମେ ଏଥର ଉଠ ବାବା ।

 

‘ଉଠୁଛି ମା କହି ଆଶୁ ବାବୁ ଉଠିବାର କିଛିମାତ୍ର ଉଦ୍ୟମ ନ କରି ବସି ରହିଲେ । କମଳ ଟିକିଏ ହସିଲା, ମନୋରମାକୁ ଚାହିଁ କହିଲା–ତାଙ୍କ ଦେହ ତ ଭଲ ନାହିଁ, ଚଢ଼ିବା ଓହ୍ଲାଇବା ତାଙ୍କ ପକ୍ଷରେ ସହଜ ହେବ ନାହିଁ । ତା’ ଅପେକ୍ଷା ବରଂ ଆମେ ଏଠି ବସି ଗପ କରୁଛୁ, ଆପଣମାନେ ଦେଖି ଆସନ୍ତୁ ।

 

ମନୋରମା ଏ ପ୍ରସ୍ତାବର ଉତ୍ତର ଦେଲା ନାହିଁ, କେବଳ ଜିଦ୍ କରି କହିଲା–ନାହିଁ ବାବା, ସେ କଥା ହେବ ନି । ତମେ ଏଥର ଉଠ ।

 

କିନ୍ତୁ ଦେଖାଗଲା ଯେ ଉଠିବାର ଚେଷ୍ଟା କେହି କରୁନାହାନ୍ତି; ଯେଉଁ ଜୀବନ୍ତ ବିସ୍ମୟ ଏହି ଅପରିଚିତ ରମଣୀର ସର୍ବାଙ୍ଗ ବ୍ୟାପି ଅକସ୍ମାତ୍ ମୂର୍ତ୍ତିମାନ୍ ହୋଇ ଉଠିଛି, ତା’ ଆଗରେ ଅଦୂରସ୍ଥିତ ମର୍ମରର ଅବ୍ୟକ୍ତ ବିସ୍ମୟ ଯେପରି ମୁହୂର୍ତ୍ତକ ପାଇଁ ଝାପ୍‍ସା ହୋଇଯାଇଛି ।

 

ଅବିନାଶ ବାବୁଙ୍କର ଚମକ ଭାଙ୍ଗିଲା । କହିଲେ–ଆଶୁ ବାବୁ ନ ଗଲେ ଚଳିବ ନାହିଁ । ମନୋରମାର ବିଶ୍ୱାସ–ତା’ ବାପାଙ୍କ ଆଖିରେ ନ ଦେଖିଲେ ତାଜ୍‍ର ଅଧେ ସୌନ୍ଦର୍ଯ୍ୟ ଉପଲବ୍ଧି କରି ହେବ ନାହିଁ ।

 

କମଳ ଆଖି ଉଠାଇ ପଚାରିଲା–କାହିଁକି ? ଆଶୁ ବାବୁଙ୍କୁ କହିଲା–ଆପଣ ବୋଧହୁଏ ଏ ବିଷୟରେ ଜଣେ ବିଶେଷଜ୍ଞ ଓ ତାରି ସମ୍ପର୍କରେ ସମସ୍ତ ତତ୍ତ୍ଵ ଜାଣନ୍ତି ?

 

ମନୋରମା ମନେମନେ ବିସ୍ମିତ ହେଲା । ଏ କଥା ତ ଅଶିକ୍ଷିତ ଦାସୀ କନ୍ୟାର ନୁହେଁ !

 

ଆଶୁ ବାବୁ ପୁଲକିତ ହୋଇ କହିଲେ–କିଛି ଜାଣେନା । ବିଶେଷଜ୍ଞ ତ ମୋଟେ ନୁହେଁ–ସୌନ୍ଦର୍ଯ୍ୟ ତତ୍ତ୍ଵର ମୌଳିକ ତଥ୍ୟ ବି ଜାଣେନା । ସେଦିଗରୁ ମୁଁ ତାଜମହଲକୁ ଦେଖେନା କମଳ । ମୁଁ ଦେଖେ ସମ୍ରାଟ୍ ସାଜାହାନଙ୍କୁ । ମୁଁ ଦେଖେ ତାଙ୍କର ଅପରିସୀମ ବ୍ୟଥା ଯେପରି ପଥର ଅଙ୍ଗେ ଅଙ୍ଗେ ବୋଳା ହୋଇଛି । ମୁଁ ଦେଖେ ତାଙ୍କର ଏକନିଷ୍ଠ ପତ୍ନୀପ୍ରେମ–ଯାହା ଏହି ମର୍ମର କାବ୍ୟ ସୃଷ୍ଟି କରି ତାଙ୍କୁ ଚିରଦିନ ପାଇଁ ବିଶ୍ୱରେ ଅମର କରି ରଖିଛି ।

 

କମଳ ଅତ୍ୟନ୍ତ ସହଜ କଣ୍ଠରେ ତାଙ୍କ ମୁହଁକୁ ଚାହିଁ କହିଲା–କିନ୍ତୁ ତାଙ୍କର ଅନେକ ବେଗମ୍ ଥିଲେ ବୋଲି ଶୁଣିଛି । ସମ୍ରାଟ୍ ମମତାଜଙ୍କୁ ଯେମିତି ଭଲପାଉଥିଲେ, ସେପରି ଆଉ ଦଶଜଣଙ୍କୁ ଭଲପାଉଥିଲେ । ହୁଏତ କିଛି ବେଶୀ ହୋଇପାରେ କିନ୍ତୁ ଏକନିଷ୍ଠ ପ୍ରେମ ତ ତାକୁ କୁହାଯାଇ ପାରେନା ଆଶୁ ବାବୁ । ତା’ ତାଙ୍କର ନ ଥିଲା ।

 

ଏହି ଅପ୍ରଚଳିତ ଭୟାନକ ମନ୍ତବ୍ୟରେ ସମସ୍ତେ ଚମକି ଉଠିଲେ । ଆଶୁ ବାବୁ କିମ୍ବା କେହି ହଠାତ୍ ଏହାର ଉତ୍ତର ଖୋଜି ପାଇଲେ ନାହିଁ ।

 

କମଳ କହିଲା–ସମ୍ରାଟ୍ ଭାବୁକ ଥିଲେ, କବି ଥିଲେ; ତାଙ୍କର ଶକ୍ତି, ସମ୍ପର୍କ ଏବଂ ଧୈର୍ଯ୍ୟ ସାହାଯ୍ୟରେ ସେ ଏତେବଡ଼ ଗୋଟାଏ ବିରାଟ ସୌନ୍ଦର୍ଯ୍ୟର ବସ୍ତୁ ପ୍ରତିଷ୍ଠିତ କରିଯାଇଛନ୍ତି । ମମତାଜ ଏକ ଆକସ୍ମିକ ଉପଲକ୍ଷ । ନ ହେଲେ ଏପରି ସୁନ୍ଦର ସୌଧ ସେ ଯେକୌଣସି ଘଟଣା ନେଇ ରଚନା କରିପାରିଥାନ୍ତେ । ଧର୍ମ ଉପଲକ୍ଷ ହୋଇଥିଲେ କ୍ଷତି ନ ଥିଲା, ସହସ୍ର-ଲକ୍ଷ-ମନୁଷ୍ୟ ବଧ କରିଥିବା ଦିଗ୍‍ବିଜୟର ସ୍ମୃତି ଉପଲକ୍ଷ୍ୟରେ ବି ହୋଇଥିଲେ ଚଳିଥାନ୍ତା । ଏ ଏକନିଷ୍ଠ ପ୍ରେମର ଦାନ ନୁହେଁ, ବାଦ୍‍ଶାଙ୍କ ସ୍ଵକୀୟ ଆନନ୍ଦର ଅକ୍ଷୟ ଦାନ । ଏଇତ ଆମ ପାଇଁ ଯଥେଷ୍ଟ ।

 

ଆଶୁ ବାବୁ ମନରେ ଆଘାତ ପାଇଲେ । ବାରମ୍ବାର ମୁଣ୍ଡହଲାଇ କହି ଉଠିଲେ–ଯଥେଷ୍ଟ ନୁହେଁ କମଳ, କୌଣସିମତେ ଯଥେଷ୍ଟ ନୁହେଁ । ତମ କଥା ଯଦି ସତ ହୁଏ, ସମ୍ରାଟଙ୍କର ଏକନିଷ୍ଠ ଭଲପାଇବା ଯଦି ନ ଥାଏ, ତେବେ ଏହି ବିପୁଳ ସ୍ମୃତି ସୌଧର କୌଣସି ଅର୍ଥ ନାହିଁ । ସେ ଯେତେବଡ଼ ସୌନ୍ଦର୍ଯ୍ୟ ସୃଷ୍ଟି କରନ୍ତୁ ନା କାହିଁକି, ମଣିଷ ହୃଦୟର ସେ ଶ୍ରଦ୍ଧାର ଆସନ ପାଇ ପାରିବେ ନାହିଁ ।

 

କମଳ କହିଲା–ଯଦି ନ ପାଇବେ ତା’ହେଲେ ସେଟା ମଣିଷର ମୂଢ଼ତା । ନିଷ୍ଠାର ଯେ ମୂଲ୍ୟ ନାହିଁ, ତା’ ମୁଁ କହୁନି, କିନ୍ତୁ ଯେ ମୂଲ୍ୟ ଯୁଗ ଯୁଗ ଧରି ଲୋକେ ତାକୁ ଦେଇ ଆସିଛନ୍ତି, ସେ ମୂଲ୍ୟ ତା’ର ପ୍ରାପ୍ୟ ନୁହେଁ । ଦିନେ ଜଣକୁ ଭଲ ପାଇଥିଲି ବୋଲି କୌଣସି ଦିନ କୌଣସି କାରଣତଃ ତା’ର ପରିବର୍ତ୍ତନ ହେବାର ଉପାୟ ନାହିଁ, ମନର ଏହି ଅଚଳ ଜଡ଼ଧର୍ମ ସୁସ୍ଥ ନୁହେଁ କିମ୍ବା ସୁନ୍ଦର ବି ନୁହେଁ ।

 

ଏହା ଶୁଣି ମନୋରମାର ବିସ୍ମୟର ସୀମା ରହିଲା ନାହିଁ । କମଳକୁ ମୂର୍ଖ ଦାସୀକନ୍ୟା ବୋଲି ଅବହେଳା କରିବା କଠିନ, କିନ୍ତୁ ଏତେ ପୁରୁଷଙ୍କ ଆଗରେ ଜଣେ ନାରୀର ଏହି ଲଜ୍ଜାହୀନ ଉକ୍ତି ତାକୁ ଅତ୍ୟନ୍ତ ଆଘାତ ଦେଲା । ଏପର୍ଯ୍ୟନ୍ତ ସେ କଥା କହି ନ ଥିଲା, କିନ୍ତୁ ଆଉ ନିଜକୁ ସମ୍ବରଣ ନ କରି ଅନୁଚ୍ଚ କଣ୍ଠରେ କହିଲା–ଏ ମନୋବୃତ୍ତି ଆଉ କାହାର ଥାଉ ବା ନ ଥାଉ, ଆପଣଙ୍କ ପକ୍ଷରେ ଯେ ଅତ୍ୟନ୍ତ ସ୍ଵାଭାବିକ, ତା’ ଜାଣେ । କିନ୍ତୁ ଅନ୍ୟ ପକ୍ଷରେ ଏହା ସୁନ୍ଦର ବା ଶୋଭନୀୟ ନୁହେଁ ।

 

ଆଶୁ ବାବୁ ମନେମନେ ଅତ୍ୟନ୍ତ କ୍ଷୁଣ୍ଣ ହୋଇ କହିଲେ–ଛି, ମା ।

 

କମଳ ରାଗ ନ କରି ଟିକିଏ ହସି କହିଲା–ଅନେକ ଦିନରୁ ଦୃଢ଼ମୂଳ ସଂସ୍କାରରେ ଆଘାତ ବାଜିଲେ ମଣିଷ ହଠାତ୍ ସହିପାରେନା । ଆପଣ ଠିକ୍ କହିଛନ୍ତି–ମୋ ପକ୍ଷରେ ଏହା ଅତ୍ୟନ୍ତ ସ୍ଵାଭାବିକ । ମୋ ଦେହ-ମନ ଯୌବନରେ ପୂର୍ଣ୍ଣ, ମନରେ ପ୍ରାଣଶକ୍ତି ଅଛି । ଯେଉଁଦିନ ଜାଣିବି ଯେ ପ୍ରୟୋଜନ ହେଲେ ବି ଏହାର ଆଉ ପରିବର୍ତ୍ତନର ଶକ୍ତି ନାହିଁ, ସେଦିନ ବୁଝିବି ଯେ ଏହା ଶେଷ ହୋଇଯାଇଛି–ମରିଗଲାଣି । ଏହା କହି ସେ ମୁହଁ ଟେକିଲାକ୍ଷଣି ଦେଖିଲା ଯେ ଅଜିତ୍‍ର ଦୁଇ ଆଖିରୁ ଯେପରି ନିଆଁ ଝରି ପଡ଼ୁଛି । ମନୋରମା ତାକୁ ଦେଖିପାରିଲା କି ନାହିଁ କେଜାଣି, କଥା ମଝିରେ ହଠାତ୍ କହି ଉଠିଲା–ବାବା, ବେଳ ତ ଆଉ ନାହିଁ, ମୁଁ ଅଜିତ୍‍ ବାବୁଙ୍କୁ ଦେଖେଇ ନେଇ ଆସୁଛି ?

 

ଅଜିତ୍‍ର ଚମକି ଭାଙ୍ଗିଗଲା, କହିଲା–ଚାଲ, ଆମେ ଦେଖି ଆସିବା ।

 

ଆଶୁ ବାବୁ ଖୁସି ହୋଇ କହିଲେ–ଯାଆ ମା, ଆମେ ଏଇଠି ବସିଛୁ । ଟିକେ ଶୀଘ୍ର ଆସ ନ ହେଲେ କାଲି ବେଳାବେଳି ଆସି ଆଉଥରେ ଦେଖିଯିବ ।

 

(ଛଅ)

 

ଅଜିତ୍‍ ଓ ମନୋରମା ତାଜ୍ ଦେଖି ଫେରିଲାବେଳକୁ ସୂର୍ଯ୍ୟାସ୍ତ ହୋଇଗଲାଣି, କିନ୍ତୁ ଅନ୍ଧାର ହୋଇନାହିଁ । ସମସ୍ତେ ବେଶ୍ ଆରାମରେ ବସିଛନ୍ତି, ଘୋରତର ତର୍କ ଚାଲିଛି । ତାଜ୍‍ର କଥା, ବସାକୁ ଫେରିବା କଥା, ଏପରିକି ଅଜିତ୍‍ ବା ମନୋରମା କଥା କାହାର ମନେ ନାହିଁ । ଅକ୍ଷୟ ନୀରବରେ ତମ୍ ତମ୍ ହେଉଛନ୍ତି–ଦେଖିଲେ ମନେହେଉଛି ଯେ ଇତିପୂର୍ବରୁ ସେ ଯଥେଷ୍ଟ ଗର୍ଜନ କରି ବର୍ତ୍ତମାନ ଦମ୍ ନେଉଛନ୍ତି । ଆଶୁ ବାବୁ ହାତ ଘାସ ଉପରେ ଠେସ ଦେଇ ଅର୍ଦ୍ଧଶାୟିତ ଅବସ୍ଥାରେ କଥା ଶୁଣୁଛନ୍ତି । ଅବିନାଶ ସମ୍ମୁଖକୁ ଝୁଙ୍କି ଖରଦୃଷ୍ଟିରେ କମଳ ପ୍ରତି ଚାହିଁ ରହିଛନ୍ତି । ବୁଝାଗଲା ଯେ ବର୍ତ୍ତମାନ ଜବାବ୍-ସୁଆଲ୍ ଏଇ ଦୁଇଜଣଙ୍କ ଭିତରେ ଚାଲିଛି । ସମସ୍ତେ ଆଗନ୍ତୁକଙ୍କ ପ୍ରତି ଚାହିଁଲେ । କମଳ ଓ ଶିବନାଥ, ଏମାନେ ବି ମୁହଁଟେକି ଚାହିଁଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏଇ ଯେ, ଜଣଙ୍କ ଚକ୍ଷୁ ଅଗ୍ନିଶିଖା ଭଳି ଦେଦୀପ୍ୟମାନ ଅଥଚ ଅନ୍ୟର ଦୃଷ୍ଟି କ୍ଳାନ୍ତ ଓ ମଳିନ; ସେ ଯେପରି କିଛି ଦେଖିପାରୁ ନାହିଁ ବା ଶୁଣିପାରୁ ନାହିଁ । ଏଇ ଦଳ ଭିତରେ ବସି ମଧ୍ୟ ଶିବନାଥ ଏମାନଙ୍କଠାରୁ ଯେପରି ବହୁଦୂରକୁ ଚାଲିଯାଇଛି ।

Unknown

 

ଆଶୁ ବାବୁ କେବଳ କହିଲେ–‘ବସ’, କିନ୍ତୁ ସେମାନେ କେଉଁଠି ବସିଲେ କିମ୍ୱା ବସିଲେ କି ନାହିଁ, ତା’ ପ୍ରତି ତାଙ୍କର ଦୃଷ୍ଟି ନ ଥିଲା ।

 

ଅବିନାଶ ଅକ୍ଷୟଙ୍କ ଯୁକ୍ତିମାଳାର ଛିନ୍ନ ସୂତ୍ରଟାକୁ ଅବଲମ୍ବନ କରି କହିଲେ–ସମ୍ରାଟ୍ ସାଜାହାନଙ୍କ ପ୍ରସଙ୍ଗ ବର୍ତ୍ତମାନ ଥାଉ, ତାଙ୍କ ସମ୍ପର୍କରେ ଚିନ୍ତା କରି ଦେଖିବାର କାରଣ ଅଛି, କାରଣ ପ୍ରଶ୍ନଟା ଟିକିଏ ଜଟିଳ । କିନ୍ତୁ ଯେଉଁଠି ପ୍ରଶ୍ନଟା ଏଇ ସାମନା ମାର୍ବଲ ପରି ସ୍ଵଚ୍ଛ, ଜଳର ନ୍ୟାୟ ତରଳ, ସୂର୍ଯ୍ୟାଲୋକ ପରି ସ୍ପଷ୍ଟ–ଏଇ ଯେପରି ଆମ ଆଶୁ ବାବୁଙ୍କ ଜୀବନ–କୌଣସି ଦିଗରୁ କିଛି ଅଭାବ ନ ଥିଲା, ଆତ୍ମୀୟସ୍ଵଜନ ବନ୍ଧୁବାନ୍ଧବଙ୍କ ଚେଷ୍ଟାରେ ତ୍ରୁଟି ନ ଥିଲା–କିନ୍ତୁ ତାଙ୍କ ମୃତା ସ୍ତ୍ରୀଙ୍କ ଜାଗାରେ ଆଉ କାହାକୁ ବସାଇବା ପାଇଁ ତ ସେ ଭାବି ବି ପାରିଲେ ନାହିଁ । ଏ ବସ୍ତୁ ତାଙ୍କର କଳ୍ପନାର ଅତୀତ । କୁହତ, ପାର୍ଥିବ ପ୍ରେମର ଏ କେତେବଡ଼ ଆଦର୍ଶ ! କେତେ ଉଚ୍ଚରେ ୟା’ର ସ୍ଥାନ-!

 

କମଳ କ’ଣ ଗୋଟାଏ କହିବାକୁ ଯାଉଥିଲା, କିନ୍ତୁ ପଛରୁ ମୃଦୁସ୍ପର୍ଶ ଅନୁଭବ କରି ଫେରି ଚାହିଁଲା । ଶିବନାଥ କହିଲା–ବର୍ତ୍ତମାନ ଏ ଅଲେଚନା ଥାଉ ।

 

କମଳ ପଚାରିଲା–କାହିଁକ ?

 

ଶିବନାଥ ଉତ୍ତରରେ କେବଳ କହିଲା–ଏମିତି କହୁଥିଲି ।

 

ତା’ କଥାରେ କେହି ବିଶେଷ ମନୋଯୋଗ ଦେଲେ ନାହିଁ । ଅନ୍ୟମନସ୍କ ଦୃଷ୍ଟିରୁ ଅନ୍ତରାଳରେ କି କଥା ଯେ ଚାପା ପଡ଼ିଗଲା, ତା’ କେହି ଜାଣିଲେ ନାହିଁ ବା ଜାଣିବାର ଚେଷ୍ଟା ବି କଲେ ନାହିଁ ।

 

କମଳ କହିଲା–ଓ, ଏମିତ ଘରକୁ ଯିବାପାଇଁ ବ୍ୟସ୍ତ ହେଉଛ ବୋଧହୁଏ ? କିନ୍ତୁ ଘର ତ ପାଖେପାଖେ । ଏହା କହି ସେ ହସିଲା ।

 

ଆଶୁ ବାରୁ ଲଜ୍ଜିତ ବୋଧ କଲେ, ହରେନ୍ଦ୍ର-ଅକ୍ଷୟ ମୁହଁପୋତି ହସିଲେ, ମନୋରମା ଅନ୍ୟଆଡ଼କୁ ଦୃଷ୍ଟି ଫେରାଇଲା, କିନ୍ତୁ ଯାହାକୁ ଲକ୍ଷ୍ୟ କରି କୁହାଗଲା, ସେଇ ଶିବନାଥର ସୁନ୍ଦର ମୁହଁ ଉପରେ ସାମାନ୍ୟ ପରିବର୍ତ୍ତନ ବି ଦେଖାଗଲ ନାହିଁ । ସେ ଯେପରି ପଥରରେ ଗଢ଼ା ହେଇଛି–ଦେଖି ପାରୁନାହିଁ ବା ଶୁଣି ପାରୁନାହିଁ ।

 

ଅବିନାଶ ଡେରି ଦେଖି କହିଲେ–ମୋ ପ୍ରଶ୍ନର ଉତ୍ତର ଦିଅ ।

 

କମଳ କହିଲା–କିନ୍ତୁ ସ୍ଵାମୀ ତ ବାରଣ କଲେ; ତାଙ୍କର ଅବାଧ୍ୟ ହେବା କ’ଣ ଉଚିତ ? ଏହା କହି ସେ ହସିବାକୁ ଲାଗିଲା ।

 

ଅବିନାଶ ନିଜେ ବି ନ ହସି ରହିପାରିଲେ ନାହିଁ, କହିଲେ–ଏ କ୍ଷେତ୍ରରେ ବିଶେଷ ଅପରାଧ ହେବ ନାହିଁ । ଆମେ ଏତେ ଲୋକ ତୁମକୁ ଅନୁରୋଧ କରୁଛୁ, କହ ।

 

କମଳ କହିଲା–ଆଶୁ ବାବୁଙ୍କୁ ଆଜିକୁ ମିଶେଇ ମାତ୍ର ଦୁଇ ଦିନ ଦେଖିଛି, ଏ ଭିତରେ ସେ ମତେ ବେଶ୍ ଭଲ ଲାଗିଛନ୍ତି । ଏହା କହି ଶିବନାଥଙ୍କୁ ଦେଖାଇ କହିଲା–ବର୍ତ୍ତମାନ ମୁଁ ବୁଝିପାରୁଛୁ ଯେ ଏ କାହିଁକ ମତେ ମନା କରୁଛନ୍ତି ।

 

ଆଶୁ ବାବୁ ନିଜେ ତହିଁରେ ବାଧା ଦେଇ କହିଲେ–କିନ୍ତୁ ମୋ ଦିଗରୁ ତମର କୁଣ୍ଠାବୋଧ କରିବାର କୌଣସି କାରଣ ନାହିଁ । ବୁଢ଼ା ଆଶୁ ବୈଦ୍ୟ ନିରୀହ ମଣିଷ କମଳ, ତାକୁ ଦୁଇ ଦିନ ଦେଖି ଅନେକଟା ଠଉରେଇ ନେଇଛ, ଆଉ ଦି ଦିନ ଦେଖିଲେ ଜାଣିବ ଯେ ତାକୁ ଭୟ କରିବା ଏକ ମସ୍ତ ଭୁଲ୍‍ । ତୁମେ ସ୍ଵଚ୍ଛନ୍ଦରେ କୁହ, ଏସବୁ କଥା ଶୁଣିବାକୁ ସତରେ ମତେ ଖୁବ୍ ଆନନ୍ଦ ଲାଗେ ।

 

କମଳ କହିଲା–କିନ୍ତୁ ଠିକ୍ ଏଇଥିପାଇଁ ତ ସେ ମୋତେ ବାରଣ କରିଥିଲେ, ଆଉ ବର୍ତ୍ତମାନ ଏଇଥିଲାଗି ମୋତେ ଅବିନାଶ ବାବୁଙ୍କୁ ଉତ୍ତର ଦେବା ପାଇଁ କଷ୍ଟ ଲଗୁଛି ଯେ ସାଂସାରିକ ପ୍ରେମିଜନିତ ଘଟଣାରେ ମୁଁ ତାଙ୍କୁ ବଡ଼ ବୋଲି ଗ୍ରହଣ କରେନା ବା ଆଦର୍ଶ ବୋଲି ମାନେନା ।

 

ଅକ୍ଷୟ ଶ୍ଳେଷସହ ପଚାରିଲେ–ଖୁବ୍ ସମ୍ଭବ ଯେ ଆପଣ ମାନନ୍ତି ନାହିଁ, କିନ୍ତୁ କ’ଣ ମାନନ୍ତି ମୁଁ ଶୁଣିପାରେ କି ?

 

କମଳ ତାଙ୍କ ଆଡ଼କୁ ଚାହିଁଲା; କିନ୍ତୁ ଖାଲି ତାଙ୍କୁ ଯେ ଉତ୍ତର ଦେଲା ତା’ ନୁହେଁ, କହିଲା–ଦିନେ ସ୍ତ୍ରୀଙ୍କୁ ଆଶୁ ବାବୁ ଭଲପାଉଥିଲେ । କିନ୍ତୁ ସେ ତ ଆଉ ବଞ୍ଚି ନାହାନ୍ତି–ତାଙ୍କୁ ଦେବାର ବା ତାଙ୍କଠାରୁ ପାଇବାର କିଛି ନାହିଁ । ତାଙ୍କୁ ସୁଖୀ କରାଯାଇ ପାରେନା ବା ଦୁଃଖ ଦିଆଯାଇ ପାରେନା । ସେ ଆଉ ନାହାନ୍ତି; ଭଲପାଇବାର ପାତ୍ର ନିଶ୍ଚିହ୍ନ ହୋଇଯାଇଛି–କିନ୍ତୁ ସେ ଯେ ଦିନେ ଭଲପାଇଥିଲେ ମନେଅଛି କେବଳ ସେଇ ଘଟଣାଟା । ମଣିଷ ନାଇଁ, ଅଛି ସ୍ମୃତି । ତାକୁ ମନ ଭିତରେ ପାଳନ କରି, ବର୍ତ୍ତମାନଠାରୁ ଅତୀତକୁ ଧ୍ରୁବ ଜ୍ଞାନ କରି ଜୀବନ ଯାପନ କରିବାରେ ଯେ କି ଆଦର୍ଶ ଅଛି, ମୁଁ ଭବିପାରେନା ।

 

କମଳ ମୁହଁରୁ ଏଇ କଥା ଶୁଣି ଆଶୁ ବାବୁ ପୁଣି ଅଘାତ ପାଇଲେ । କହିଲେ–କମଳ, ଆମ ଦେଶରେ ବିଧବାମାନଙ୍କ ହାତରେ କେବଳ ଏଇ ଜିନିଷଟା ଚରମ ସମ୍ବଳ ରୂପେ ଥାଏ । ସ୍ଵାମୀ ଯାଏ, କିନ୍ତୁ ତା’ର ସ୍ମୃତିକୁ ଅବଲମ୍ବନ କରି ବୈଧବ୍ୟ ଜୀବନର ପବିତ୍ରତା ଅବ୍ୟାହତ ରହେ–ଏ କଥା ତୁମେ କ’ଣ ମାନ ନାହିଁ ?

 

କମଳ କହିଲା–ନା, ଗୋଟାଏ ବଡ଼ ନାଁ ଦେଲେ କୌଣସି ଜିନିଷ ତ ସଂସାରରେ ବଡ଼ ହୋଇଯାଏନା । ବରଞ୍ଚ କହନ୍ତୁ ଏଇ ରୀତିରେ ଏ ଦେଶରେ ବୈଧବ୍ୟ–ଜୀବନ କାଟିବା ବିଧି, କହନ୍ତୁ ଯେ ଗୋଟାଏ ମିଥ୍ୟା କଥାକୁ ସତ୍ୟର ଗୌରବ ଦେଇ ଲୋକେ ସେମାନଙ୍କୁ ଠକି ଆସିଛନ୍ତି–ମୁଁ ଅସ୍ଵୀକାର କରିବି ନାହିଁ ।

 

ଅବିନାଶ କହିଲେ–ତା’ ଯଦି ହୁଏ, ସତରେ ଯଦି ସେମାନଙ୍କୁ ଲୋକେ ଠକି ଆସିଛନ୍ତି, ବିଧବାମାନଙ୍କ ବ୍ରହ୍ମଚର୍ଯ୍ୟରେ–ନା ଥାଉ, ବ୍ରହ୍ମଚର୍ଯ୍ୟର କଥା ଉଠାଇବି ନାହିଁ, କିନ୍ତୁ ସେମାନଙ୍କର ଆମରଣ ସଂଯତ ଜୀବନଯାତ୍ରାକୁ କ’ଣ ପାତିବ୍ରତ୍ୟର ମର୍ଯ୍ୟାଦା ଦେବ ନାହିଁ ?

 

କମଳ ହସିଲା, କହିଲା–ଅବିନାଶ ବାବୁ, ଏ ଆଉ ଗୋଟାଏ ଶବ୍ଦର ମୋହ । ସଂଯମ ବାକ୍ୟଟା ବହୁଦିନ ଧରି ମର୍ଯ୍ୟାଦା ପାଇ ଶେଷରେ ଏଭଳି ସ୍ଫୀତ ହୋଇ ଉଠିଛି ଯେ ତା’ର ସ୍ଥାନ କାଳ କାରଣ ଅକାରଣ ଆଉ ନାହିଁ । କହିବା ସଙ୍ଗେ ସଙ୍ଗେ ସମ୍ଭ୍ରମରେ ମଣିଷର ମୁଣ୍ଡ ନଇଁ ଆସେ; କିନ୍ତୁ ଅବସ୍ଥା ବିଶେଷରେ ଏ ବି ଗୋଟାଏ ଫାଙ୍କା ଶବ୍ଦଠାରୁ ବେଶୀ ନୁହେଁ । ତେଣୁ ଏ ଶବ୍ଦ ଉଚ୍ଚାରଣ କଲେ ସାଧାରଣ ମଣିଷର ଯେ ଭୟ ଜାତ ହୁଏ, ମୋର ତା’ ହୁଏନା । ମୁଁ ସେ ଦଳର ନୁହେଁ । ବହୁ ଲୋକ ବହୁଦିନ ଧରି କିଛି ଗୋଟାଏ କହି ଆସୁଛନ୍ତି ବୋଲି ମୁଁ ତାକୁ ମାନିନେଇ ପାରିବି ନାହିଁ । ସ୍ୱାମୀର ସ୍ମୃତି ବହନ କରି ବିଧବାର ଦିନ କଟାଇବା ଭଳି ଏଭଳି ସ୍ଵତଃସିଦ୍ଧ ପବିତ୍ରତାର ଧାରଣାକୁ ପବିତ୍ର ବୋଲି ପ୍ରମାଣ ନ କରିଦେଲେ ମୋତେ ସ୍ଵୀକାର କରିବାକୁ କଷ୍ଟ ଲାଗେ ।

 

ଅବିନାଶ ଉତ୍ତର ଖୋଜି କିଛି ନ ପାଇବାରୁ କହିଲେ–ତୁମେ କ’ଣ କହୁଛ ?

 

ଅକ୍ଷୟ କହିଲେ–ଦୁଇ ଓ ଦୁଇ ମିଶିଲେ ଚାରି ହୁଏ–ଏ କଥା ପ୍ରାମଣ ନ କଲେ ଆପଣ ବୋଧହୁଏ ବିଶ୍ୱାସ କରିବେ ନାହିଁ ?

 

କମଳ ଜବାବ୍ ଦେଲା ନାହିଁ, ରାଗ ବି କଲା ନାହିଁ, କେବଳ ହସିଲା; ଆଉ ଜଣେ ଲୋକ, ଆଶୁ ବାବୁ ବି ରାଗ କଲେ ନାହିଁ ଅଥଚ ସେ ସବୁଠାରୁ ବେଶୀ ଆହତ ହେଲେ ।

 

ଅକ୍ଷୟ ପୁଣି କହିଲେ–ଆପଣଙ୍କର ଏସବୁ କଦର୍ଯ୍ୟ ଧାରଣା ଆମ ଭଦ୍ର ସମାଜରେ ଅଚଳ ।

 

କମଳ ସେଇପରି ହସି ହସି ଉତ୍ତର ଦେଲା–ଭଦ୍ର ସମାଜରେ ଯେ ଅଚଳ ହେଇ ରହିଛି, ତା’ ମୁଁ ଜଣେ ।

 

ଏହାପରେ କଛି ସମୟ ପର୍ଯ୍ୟନ୍ତ ସମସ୍ତେ ମୌନ ହୋଇ ରହିଲେ । ଆଶୁ ବାବୁ ଧୀରେଧୀରେ କହିଲେ–ଆଉ ଗୋଟିଏ କଥା ତମକୁ ପଚାରେ କମଳ, ପବିତ୍ରତା ଓ ଅପବିତ୍ରତା ପାଇଁ କହୁନି–କିନ୍ତୁ ଯେ ସ୍ଵଭାବତଃ ଅନ୍ୟ କିଛି ଭାବେନା–ଏଇ ଯେପରି ମୁଁ । ମଣିର ସ୍ୱର୍ଗୀୟା ଜନନୀଙ୍କ ସ୍ଥାନରେ ଆଉ କାହାକୁ ବସାଇବାର କଥା ଯେ ମୁଁ କେତେବେଳେ କଳ୍ପନା କରିପାରେନା-

 

କମଳ କହିଲା–ଆପଣ ଯେ ବୁଢ଼ା ହୋଇଯାଇଛନ୍ତି ଆଶୁ ବାବୁ ।

 

ଆଶୁ ବାବୁ କହିଲେ–ଆଜି ବୁଢ଼ା ହୋଇଯାଇଛି, ମାନୁଛି କିନ୍ତୁ ଯେତେବେଳେ ବୁଢ଼ା ନ ଥିଲି ସେତେବେଳେ ତ ଏକଥା ଭାବିପାରିନି ।

 

କମଳ କହିଲା–ସେତେବେଳେ ବି ଏମିତି ବୁଢ଼ା ଥିଲେ । ଦେହରେ ନୁହଁ, ମନରେ । ଜଣେ ଜଣେ ଥାଆନ୍ତି ଯେଉଁମାନେ ବୁଢ଼ା ମନ ନେଇ ଜନ୍ମ ହୋଇଥାନ୍ତି । ସେଇ ବୃଦ୍ଧତ୍ୱର ଶାସନ ତଳେ ସେମାନଙ୍କର ଶୀର୍ଣ୍ଣ, ବିକୃତ ଯୌବନ ଚିରଦିନ ଲଜ୍ଜାରେ ମୁଣ୍ଡ ପୋତି ରହେ । ବୁଢ଼ା ମନ ଖୁସି ହୋଇ କହେ–ଆହା, ଏଇତ ବେଶ୍ ଅଛି ! ହଙ୍ଗାମା ନାହିଁ, ହଲ୍ଲା ହଇଚଇ ନାହିଁ–ଏଇତ ଶାନ୍ତି, ଏଇତ ମଣିଷର ଚରମ ତତ୍ତ୍ଵ କଥା । ତା’ର କେତେ ଧରଣର ବିଶେଷଣ, କେତେ ବାହାବାର ଆଡ଼ମ୍ବର । କର୍ଣ୍ଣ ମନ ପୂର୍ଣ୍ଣ ହୋଇ ସେମାନଙ୍କର ଖ୍ୟାତିର ବାଦ୍ୟ ବାଜେ, କିନ୍ତୁ ଏ ଯେ ସେମାନଙ୍କ ଜୀବନର ଜୟବାଦ୍ୟ ନୁହେଁ, ଆନନ୍ଦ ଲୋକର ବିସର୍ଜନର ବାଜଣା–ଏ କଥା ସେମାନେ ଜାଣି ବି ପାରନ୍ତି ନାହିଁ ।

 

ସମସ୍ତେ ମନେମନେ ଭାବିଲେ ଯେ ଏ କଥାର ଗୋଟାଏ କଡ଼ା ଜବାବ୍ ଦେବା ଉଚିତ–ଜଣେ ସ୍ତ୍ରୀଲୋକର ମୁହଁରୁ ଉନ୍ମାଦ ଯୌବନର ଏ ନିର୍ଲ୍ଲଜ ସ୍ତବଗାନ ଶୁଣି ଅନେକେ ରାଗରେ ଜଳିବାକୁ ଲାଗିଲେ–କିନ୍ତୁ ଏହାର ଉତ୍ତର ଦେବାକୁ କେହି କଥା ଖୋଜି ପାଇଲେ ନାହିଁ । ସେତେବେଳେ ଆଶୁ ବାବୁ ମୃଦୁ କଣ୍ଠରେ ପଚାରିଲେ–କମଳ, ବୁଢ଼ାମନ ତୁମେ କାହାକୁ କହୁଛ ? କୁହତ ଦେଖି, ମୁଁ ନିଜ ସଙ୍ଗେ ଥରେ ମିଳେଇ ଦେଖେ–ତାହା ସତ କି ମିଛ ।

 

କମଳ କହିଲା–ଆଶୁ ବାବୁ, ମୁଁ ମନର ବାର୍ଦ୍ଧକ୍ୟତାକୁ କହେ, ଯେ ମନ ଆଗକୁ ଚାହିଁପାରେନା, ଯାହାର ଅବସନ୍ନ ଜରାଗ୍ରସ୍ତମନ ଭବିଷ୍ୟତର ସମସ୍ତ ଆଶାରେ ଜଳାଞ୍ଜଳି ଦେଇ କେବଳ ଅତୀତ ଭିତରେ ବଞ୍ଚି ରହିବାକୁ ଚାହେଁ । ଆଉ ଯେପରି ତା’ର କିଛି କରିବାର ବା ପାଇବାର ଦାବି ନାହିଁ–ବର୍ତ୍ତମାନ ତା’ ପାଖରେ ଲୁପ୍ତ, ଅନାବଶ୍ୟକ, ଅନାଗତ, ଅର୍ଥହୀନ । ଅତୀତହିଁ ତା’ର ସର୍ବସ୍ୱ–ଅତୀତର ଆନନ୍ଦ, ଅତୀତର ବେଦନା, ସେଇ ତା’ର ମୂଳଧନ । ତାକୁ ଭାଙ୍ଗି ଖାଇ ସେ ଜୀବନର ବାକି କେତେଟା ଦିନ ବଞ୍ଚି ରହିବାକୁ ଚାହେଁ । ଦେଖନ୍ତୁ ତ ଆଶୁ ବାବୁ, ନିଜ ସାଙ୍ଗରେ ମିଳେଇ ମିଶୁଛି କି ନାହିଁ !

 

ଆଶୁ ବାବୁ ହସିଲେ, କହିଲେ–ସମୟ ପାଇଲେ ଦେଖିବି ନିଶ୍ଚୟ ।

 

ଅଜିତ୍‍କୁମାର ଏପର୍ଯ୍ୟନ୍ତ ଏତେକଥା ମଝିରେ ପଦେ କଥା ବି କହିନାହିଁ । କେବଳ ନିଷ୍ପଲକ ଆଖିରେ କମଳର ମୁହଁକୁ ଚାହିଁଥିଲା । ହଠାତ୍ ତା’ର କ’ଣ ହେଲା, ସେ ଆଉ ସମ୍ଭାଳି ପାରିଲା ନାହିଁ । କହିଲା–ମୋର ଗୋଟାଏ ପ୍ରଶ୍ନ–ଦେଖନ୍ତୁ ମିସେସ୍–

 

କମଳ ସିଧା ତା’ ଆଡ଼କୁ ଚାହିଁ କହିଲା–ମିସେସ୍ କାହିଁକି ? ମତେ ଆପଣ କମଳ ବୋଲି ଡାକୁ ନାହାନ୍ତି ?

 

ଅଜିତ୍‍ ଲଜ୍ଜାରେ ଲାଲ୍ ପଡ଼ିଯାଇ କହିଲା–ନା, ନା, ତା’ କେମିତି ହେବ–

 

କମଳ କହିଲା–କିଛି କ୍ଷତି ନାହିଁ । ବାପ ମା ମୋ ନାଁ କମଳ ରଖିଛନ୍ତି ଡାକିବା ପାଇଁ ତ-! ଏଥିରେ ମୋର ରାଗ ହୁଏନା । ଆକସ୍ମାତ୍ ମନୋରମା ପ୍ରତି ଚାହିଁ କହିଲା–ଆପଣଙ୍କ ନାଁ ମନୋରମା, ମୁଁ ଯଦି ଆପଣଙ୍କୁ ସେଇ ନାଁରେ ଡାକେ, ଆପଣ କ’ଣ ରାଗ ହେବେ ?

 

ମନୋରମା ମୁଣ୍ଡ ହଲାଇ କହିଲା–ହଁ ।

 

ଏ ଉତ୍ତର ତା’ଠାରୁ କେହି ଆଶା କରିନଥିଲେ, ଆଶୁ ବାବୁ କୁଣ୍ଠାରେ ମ୍ଳାନ ହୋଇ ପଡ଼ିଲେ । କେବଳ କମଳ କୁଣ୍ଠାବୋଧ କଲା ନାହିଁ । କହିଲା–ନାଁ ତ ଆଉ କିଛି ନୁହେଁ, କେବଳ ଗୋଟାଏ ଶବ୍ଦ–ଯେଉଁଥିରୁ ବୁଝାଯାଏ ଯେ ବହୁଲୋକଙ୍କ ଭିତରୁ ଜଣେ ଆଉ ଜଣକୁ ଆହ୍ଵାନ କରୁଛି, ତେବେ ଅନେକଲୋକଙ୍କୁ ଏପରି ଡାକିଲେ ଯେ କଷ୍ଟ ଲାଗେ, ତା’ ସତ୍ୟ । ସେମାନେ ଏହି ଶବ୍ଦଟାକୁ ନାନାଭାବେ ଅଳଂକୃତ କରିବାକୁ ଚାହାଁନ୍ତି । ଦେଖନ୍ତୁନା, ରାଜାମାନେ ସେମାନଙ୍କ ନାଁର ଆଗପଛରେ କେତେଗୁଡ଼ାଏ ନିରର୍ଥକ ବାକ୍ୟ ଦେଇ, କେତେଗୁଡ଼ାଏ ଶ୍ରୀ ଯୋଡ଼ି ଅନ୍ୟ ଲୋକ ଉଚ୍ଚାରଣ କରିବା ଚାହାଁନ୍ତି । ନ ହେଲେ ସେମାନଙ୍କର ମର୍ଯ୍ୟାଦା ନଷ୍ଟ ହୁଏ ।’ ଏହା କହି ସେ ହଠାତ୍ ହସି ଉଠି ଶିବନାଥକୁ କହିଲା–ଯେମିତି ଇଏ, କେତେବେଳେ କମଳ ଡାକିପାରନ୍ତି ନାହିଁ, କହନ୍ତି ଶିବାନୀ । ଅଜିତ୍‍ ବାବୁ, ଆପଣ ବରଂ ମୋତେ ମିସେସ୍ ଶିବନାଥ ନ ଡାକି ଶିବାନୀ ବୋଲି ଡାକନ୍ତୁ । କଥାଟା ବି ଛୋଟ, ସମସ୍ତେ ବି ବୁଝିବେ । ଅନ୍ତତଃ ମୁଁ ତ ବୁଝିବି ।

 

କିନ୍ତୁ କ’ଣ ହେଲା କେଜାଣି, ଏପରି ସୁସ୍ପଷ୍ଟ ଆଦେଶ ପାଇ ମଧ୍ୟ ଅଜିତ୍‍ କଥା କହି ପାରିଲା ନାହିଁ ।

 

ସେତେବେଳକୁ ବେଳ ଶେଷ ହୋଇ ବାଷ୍ପାଚ୍ଛନ୍ନ ଆକାଶରେ ଅସ୍ଵଚ୍ଛ ଜ୍ୟୋତ୍ସ୍ନା ଦେଖା ଦେଲାଣି । ସେଆଡ଼କୁ ଚାହିଁ ବାପାଙ୍କ ଦୃଷ୍ଟି ଆକର୍ଷଣ କରି ମନୋରମା କହିଲା–ବାବା, କାକର ପଡ଼ିଲାଣି, ଏଥର ଉଠ ।

 

ଆଶୁ ବାବୁ କହିଲେ–ଏଥର ଉଠୁଛି ମା ।

 

ଅବିନାଶ କହିଲେ–ଶିବାନୀ ନାଁଟି ବେଶ୍ । ଶିବନାଥ ଗୁଣୀ ଲୋକ, ତେଣୁ ମଧୁର ନାଁଟିଏ ଦେଇଛନ୍ତି; ନିଜ ନାଁ ସଙ୍ଗେ ଚମତ୍କାର ମେଳ ଖାଉଛି ।

 

ଆଶୁ ବାବୁ ଭତ୍‍ଫୁଲ୍ଲ ହୋଇ କହି ଉଠିଲେ–ଶିବନାଥ ନୁହେଁ ହେ ଅବିନାଶ, ଉପରର–ସେଇ । ଏହା କହି ସେ ଥରେ ଆକାଶ ଆଡ଼କୁ ଚାହିଁ କହିଲେ–ଆଦିକାଳର ଏହି ବୁଢ଼ା ଘଟକ ଏ ଉଭୟଙ୍କୁ ସବୁ ଦିଗରୁ ମିଶେଇବା ପାଇଁ ଆହାର ନିଦ୍ରା ତ୍ୟାଗ କରି ବହୁଦିନରୁ ଲାଗିଥିଲେ । ବଞ୍ଚିଥାଅ ।

 

ଅକସ୍ମାତ୍ ଅକ୍ଷୟ ସିଧା ହୋଇ ଦୁଇ ତିନିଥର ମୁଣ୍ଡ ହଲାଇ ଚକ୍ଷୁକୁ ଯଥାଶକ୍ତି ବିସ୍ଫାରିତ କରି କହିଲେ–ଆଚ୍ଛା, ମୁଁ ଆପଣଙ୍କୁ ଗୋଟାଏ ପ୍ରଶ୍ନ କରିପାରେ କି ?

 

କମଳ କହିଲା–କି ପ୍ରଶ୍ନ ?

 

ଅକ୍ଷୟ କହିଲେ–ଆପଣଙ୍କର ତ ସଂକୋଚ ନାହିଁ, ତେଣୁ ପଚାରୁଛି–ଶିବାନୀ ନାଁଟି ବେଶ୍–ଶିବନାଥ ବାବୁଙ୍କ ସଙ୍ଗେ ଆପଣଙ୍କର କ’ଣ ସତେ ବିବାହ ହୋଇଥିଲା ?

 

ଆଶୁ ବାବୁଙ୍କ ମୁହଁ କଳା ପଡ଼ିଗଲା । କହିଲେ–କ’ଣ ଆପଣ କହିଯାଉଛନ୍ତି ଅକ୍ଷୟ ବାବୁ ?

 

ଅବିନାଶ କହିଲେ–ତୁମେ କ’ଣ ପାଗଳ ହେଲ ?

 

ହରେନ୍ଦ୍ର କହିଲା–ବ୍ରୁଟ୍ !

 

ଅକ୍ଷୟ କହିଲେ–ଆପଣମାନେ ତ ଜାଣନ୍ତି–ମୋର ମିଥ୍ୟା ଚକ୍ଷୁଲଜ୍ଜା ନାହିଁ ।

 

ହରେନ୍ଦ୍ର କହିଲା–ସତ୍ୟ ମିଥ୍ୟା–କୌଣସି ରକମର ଲଜ୍ଜା ନାହିଁ, କିନ୍ତୁ ଆମମାନଙ୍କର ତ ଅଛି ।

 

କମଳ କିନ୍ତୁ ହସିବାକୁ ଲାଗିଲା–ଯେଭଳି ଖୁବ୍ ମଜାର କଥା । କହିଲା–ଏଥିରେ ରାଗ କରିବାର କ’ଣ ଅଛି ହରେନ୍ଦ୍ର ବାବୁ ? ମୁଁ କହୁଛି । ବିଲ୍‍କୁଲ୍ କିଛି ଯେ ହେଇନି ତା’ ନୁହେଁ । ବିବାହ ରକମ କ’ଣ ଗୋଟାଏ ହୋଇଥିଲା । ଯେଉଁମାନେ ଦେଖିବାକୁ ଯାଇଥିଲେ, ସେମାନେ ହସିଲେ କହିଲେ–ଏ ବିବାହ ନୁହେଁ, ଫାଙ୍କି । ୟାଙ୍କୁ ପଚାରିବାରୁ ଏ କହିଲେ–ବିବାହ ଶୈବ ମତରେ ହେଲା-। ମୁଁ କହିଲି–ସେଇ ଭଲ । ଶିବ ସାଙ୍ଗରେ ଯଦି ଶୈବ ମତରେ ବିବାହ ହେଲା, ସେଥିରେ ଭାବିବାର କ’ଣ ଅଛି ?

 

ଅବିନାଶ ଶୁଣି ଦୁଃଖିତ ହେଲେ । କହିଲେ–କିନ୍ତୁ ବର୍ତ୍ତମାନ ତ ଶୈବ ବିବାହ ଆମ ସମାଜରେ ଚଳେନା, ତେଣୁ କୌଣସି ଦିନ ଯଦି ବିବାହ ହୋଇନି ବୋଲି ସେ ଉଡ଼େଇ ଦେବାକୁ ଚାହାଁନ୍ତି, ତମର ତ ପ୍ରମାଣ କିଛି ନାହିଁ କମଳ !

 

କମଳ ଶିବନାଥ ପ୍ରତି ଚାହିଁ କହିଲା–କ’ଣ, ସତରେ ଏମିତି କରିବ କୋଉଦିନ ?

 

ଶିବନାଥ କୌଣସି ଉତ୍ତର ନ ଦେଇ ସେହିପରି ଉଦାସ ଗମ୍ଭୀର ଭାବେ ବସି ରହିଲା । ସେତେବେଳେ କମଳ ପରିହାସରେ କପାଳରେ ହାତମାରି କହିଲା–ହା ଅଦୃଷ୍ଟ ! ବିବାହ ହୋଇନି ବୋଲି ଏ ଅସ୍ଵୀକାର କରିବେ, ଆଉ ମୁଁ ଯିବି ‘ହେଇଛି’ ବୋଲି ପର ଲୋକଙ୍କ ପାଖକୁ ବିଚାର ପାଇବାକୁ ? ତା’ ଆଗରୁ ବେକରେ ଦଉଡ଼ି ଦେବା ପାଇଁ ଖଣ୍ଡେ ରସି ମିଳିବ ନାହିଁ ?

 

ଅବିନାଶ କହିଲେ–ହୁଏତ ମିଳିପାରେ, କିନ୍ତୁ ଆତ୍ମହତ୍ୟା ତ ମହାପାପ ।

 

କମଳ କହିଲା–ପାପ ନା ପାଉଁଶ ! କିନ୍ତୁ ତା’ ହେବନି, ମୁଁ ଆତ୍ମହତ୍ୟା କରିବାକୁ ଯିବି, ଏ କଥା ବିଧାତାପରୁଷ ବି କହିବେ ନାହିଁ ।

 

ଆଶୁ ବାବୁ କହିଲେ–ଏଇତ ମଣିଷ ପରି କଥା କମଳ ।

 

କମଳ ତାଙ୍କ ଆଡ଼କୁ ଚାହିଁ ନାଲିଶ୍ କରିବା ଭଙ୍ଗୀରେ କହିଲା–‘ଦେଖନ୍ତୁ ତ ଅବିନାଶ ବାବୁଙ୍କର ଅନ୍ୟାୟ ।’ ଶିବନାଥକୁ ଦେଖାଇ କହିଲା–‘ଏ ମତେ ଅସ୍ୱୀକାର କରିବେ, ଆଉ ମୁଁ ଯିବି ତାଙ୍କ ଉପରେ ପଡ଼ି ମତେ ସ୍ୱୀକାର କରିବା ପାଇଁ ! ସତ୍ୟ ଡୁବି ଯିବ ଆଉ ଯେଉଁ ଅନୁଷ୍ଠାନକୁ କେବେ ମାନିନି ତାକୁ ବାନ୍ଧି ରଖିବି ? ମୁଁ ? ମୁଁ ଏଇ କାମ କରିବି ?’ କହୁ କହୁ ତା’ର ଦୁଇ ଆଖି ଉଜ୍ଜ୍ୱଳ ହୋଇଗଲା ।

 

ଆଶୁ ବାବୁ ଆସ୍ତେ ଆସ୍ତେ କହିଲେ–ଶିବାନୀ, ସଂସାରରେ ସତ୍ୟ ଯେ ବଡ଼, ଆମେ ସମସ୍ତେ ମାନୁଛେ । କିନ୍ତୁ ଅନୁଷ୍ଠାନ ମୂଲ୍ୟହୀନ ନୁହେଁ ।

 

କମଳ କହିଲା–ମୂଲ୍ୟହୀନ ତ କହୁନାହିଁ । ଏଇ ଯେପରି ପ୍ରାଣ ସତ୍ୟ ଏବଂ ଦେହ ବି ସତ୍ୟ–କିନ୍ତୁ ପ୍ରାଣ ଚାଲିଗଲା ପରେ ?

 

ମନୋରମା ବାପାଙ୍କ ହାତ ଧରି ଟାଣିଲା–ବାବା, ଭୀଷଣ ଥଣ୍ଡା ପଡ଼ିଲାଣି, ନ ଉଠିଲେ ନ ହୁଏ ।

 

‘ହଁ ମା, ଉଠିଲି ।’

 

ଶିବନାଥ ହଠାତ୍ ଠିଆହୋଇ କହିଲା–ଶିବାନୀ, ଆଉ ଡେରି କରନା, ଚାଲ ।

 

କମଳ ହଠାତ୍ ଠିଆହେଲା । ସମସ୍ତଙ୍କୁ ନମସ୍କାର କରି କହିଲା–ଆପଣମାନଙ୍କ ସାଙ୍ଗେ ପରିଚୟ ହେଲା–ଖାଲି ତର୍କରେ । କିଛି ମନେକରିବେ ନାହିଁ ।

 

ଶିବନାଥ ଏତେ ସମୟ ପରେ ହସିଲା, କହିଲା–କେବଳ ତର୍କ କଲ ଶିବାନୀ, କିଛି ଶିଖିଲ ନାହିଁ ତ !

 

କମଳ ବିସ୍ମୟରେ କହିଲା–ନା, କିନ୍ତୁ କିଛି ଶିଖିବାର ଥିଲା ବୋଲି ତ ମନେପଡ଼ୁନି !

 

ଶିବନାଥ କହିଲା–ପଡ଼ିବାର କଥା ନୁହେଁ, ତା’ ଆଢ଼ୁଆଳରେ ରହିଗଲା । ଯଦି ପାରିବ, ଆଶୁ ବାବୁଙ୍କ ବୁଢ଼ାମନଟାକୁ ଶ୍ରଦ୍ଧା କରିବାକୁ ଶିଖ । ତା’ଠାରୁ ଆଉ ବଡ଼ କିଛି ଶିଖିବାର ନାହିଁ ।

 

କମଳ ବିସ୍ମୟରେ କହିଲା–ତୁମେ ଆଜି ଏସବୁ କ’ଣ କହୁଛ !

 

ଶିବନାଥ ଜବାବ୍ ଦେଲା ନାହିଁ, ସମସ୍ତଙ୍କୁ ନମସ୍କାର କରି କହିଲା–ଚାଲ ।

 

ଆଶୁ ବାବୁ ଦୀର୍ଘଶ୍ଵାସ ପକାଇ କହିଲେ–ଆଶ୍ଚର୍ଯ୍ୟ !

 

(ସାତ)

 

ଆଶ୍ଚର୍ଯ୍ୟ ନିଶ୍ଚୟ । ତା’ଛଡ଼ା ମନ କଥା ବ୍ୟକ୍ତ କରିବା ପାଇଁ ଆଉ କି ଶବ୍ଦ ବା ଅଛି ? ଏକ ଅତ୍ୟାଶ୍ଚର୍ଯ୍ୟ ନାଟକର ମଝିରେ ଯବନିକା ଟାଣି ଚାଲିଗଲା ପରି ଉଭୟେ ଚାଲିଗଲେ–ପର୍ଦ୍ଦା ଅନ୍ୟ ପାଖରେ କେତେ ଅଜଣା କଥା ବିସ୍ମୟ ଅଗୋଚରରେ ରହିଗଲା । ସମସ୍ତଙ୍କ ମନରେ କେବଳ ଗୋଟାଏ କଥା ଖେଳୁଥିଲା ଯେ, ଯେପରି ଏଇଥିପାଇଁ ସେମାନେ ତାଜ୍ ନିକଟକୁ ଆସିଥିଲେ । ଆକାଶରେ ଚାନ୍ଦ ଉଠିଛି, ହେମନ୍ତର ଶିଶିର-ସିକ୍ତ-ମନ୍ଦ-ଜ୍ୟୋତ୍ସ୍ନାରେ ଅଳ୍ପ ଦୂରରେ ତାଜ୍‍ମହଲ ଶ୍ୱେତମର୍ମର ମାୟାପୁରୀ ଭଳି ଉଦ୍ଭାସିତା–କିନ୍ତୁ ତା’ ପ୍ରତି କାହାର ନଜର ନାହିଁ ।

 

ମନୋରମା କହିଲା–ଏଥର ନ ଉଠିଲେ ତୁମର ଦେହ ଖରାପ ହେବ ବାବା ।

 

ଅବିନାଶ କହିଲେ–ଥଣ୍ଡା ବହୁତ ପଡ଼ିଲାଣି, ଉଠନ୍ତୁ ।

 

ସମସ୍ତେ ଉଠି ଠିଆ ହେଲେ । ଫାଟକର ବାହାରେ ଆଶୁ ବାବୁଙ୍କ ପ୍ରକାଣ୍ଡ ମୋଟର ଠିଆହୋଇଛି, କିନ୍ତୁ ଅକ୍ଷୟ-ହରେନ୍ଦ୍ର-ପ୍ରଭୃତିଙ୍କ ଟାଙ୍ଗାବାଲାର ପତ୍ତା ମିଳିଲା ନାହିଁ । ସେ ବୋଧହୁଏ ଏ ଭିତରେ ବେଶୀ ଭଡ଼ାର ସଓୟାର୍ ପାଇ ଅଦୃଶ୍ୟ ହୋଇଯାଇଛି । କିଛି ସମୟ ପର୍ଯ୍ୟନ୍ତ ସମସ୍ତେ ଚୁପ୍ ରହିଲେ, ପ୍ରଥମେ କଥା ଆରମ୍ଭ କଲେ ଅବିନାଶ–

 

‘ଶିବନାଥ ମିଛ କହିଥିଲା ନିଶ୍ଚୟ । କମଳ କୌଣସିମତେ ଦାସୀକନ୍ୟା ହୋଇପାରେନା-। ଅସମ୍ଭବ !’ ଏହା କହି ସେ ମନୋରମା ଆଡ଼କୁ ଚାହିଁଲେ ।

 

ମନୋରମା ମନରେ ମଧ୍ୟ ଏହି ପ୍ରଶ୍ନ ପ୍ରଥମେ ଉଠିଥିଲା, କିନ୍ତୁ ସେ ନିର୍ବାକ୍ ହୋଇ ରହିଲା ।

 

ଅକ୍ଷୟ କହିଲେ–ମିଛ କହିବାର କାରଣ ? ନିଜ ସ୍ତ୍ରୀ ସମ୍ପର୍କରେ ଏ ତ ଗୌରବର ପରିଚୟ ନୁହେଁ ଅବିନାଶ ବାବୁ ?

 

ଅବିନାଶ କହିଲେ–ସେଇ କଥା ତ ଭାବୁଛି ।

 

ଅକ୍ଷୟ କହିଲେ–ଆପଣମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, କିନ୍ତୁ ମୁଁ ହୋଇନି । ଏ ସମସ୍ତ ଶିବନାଥର ପ୍ରତିଧ୍ଵନି । ତେଣୁ କଥାରେ bravado ଅଛି ପ୍ରଚୁର, କିନ୍ତୁ ବସ୍ତୁ ନାହିଁ । ଅସଲ ନକଲ ମୁଁ ବାଛିପାରେ । ଏତେ ସହଜରେ ମୋତେ ଠକାଯାଏନା ।

 

ହରେନ୍ଦ୍ର କହି ଉଠିଲା–ବାପରେ ! ଆପଣଙ୍କୁ ଠକେଇବ କିଏ ! ଏକବାରେ monopolyରେ ହସ୍ତକ୍ଷେପ !

 

ଅକ୍ଷୟ ତା’ ପ୍ରତି ଗୋଟାଏ କ୍ରୂର କଟାକ୍ଷ ନିକ୍ଷେପ କରି କହିଲେ–ମୁଁ ଜୋର୍ କରି କହିପାରେ, ଏଥିରେ ଭଦ୍ରଘରର culture ପଇସାଟାକର ବି ନାହିଁ । ଝିଅମାନଙ୍କ ମୁହଁରେ ଏ କଥାଗୁଡ଼ା ଖାଲି immoral ନୁହେଁ, ଅଶ୍ଳୀଳ ମଧ୍ୟ ।

 

ଅବିନାଶ ପ୍ରତିବାଦ କରି କହିଲେ–ତା’ର ସବୁ କଥା ଝିଅମାନଙ୍କ ମୁହଁରେ ଶୋଭନୀୟ ହୋଇ ନ ପାରେ, କିନ୍ତୁ ତାକୁ ତ ଅଶ୍ଳୀଳ କୁହାଯାଇପାରେନା ।

 

ଅକ୍ଷୟ କଠିନ ସ୍ୱରରେ କହିଲେ–ଏ ଦୁଇଟାଯାକ ଏକ କଥା ଅବିନାଶ ବାବୁ । ଦେଖିଲେ ନାହିଁ, ବିବାହ ଜିନିଷଟା ତାଙ୍କ ପାଖରେ ତାମ୍‍ସାର ବ୍ୟାପାର । ଯେତେବେଳେ ସମସ୍ତେ ଆସି କହିଲେ ଯେ ଏ ବିବାହ ନୁହେଁ, ଫାଙ୍କି, ସେ ଖାଲି ହସି କହିଲେ–ସତରେ ! Absolute indifference ! ଆପଣମାନେ ଲକ୍ଷ୍ୟ କରି ନାହାନ୍ତି ? ୟା କ’ଣ କେଉଁ ଭଦ୍ରକନ୍ୟାକୁ ସାଜେ ନା ଭଦ୍ରଘରେ ସମ୍ଭବପର ?

 

ଅକ୍ଷୟଙ୍କ କଥାଟା ସତ୍ୟ, ତେଣୁ ସମସ୍ତେ ମୌନ ରହିଲେ ।

 

ଆଶୁ ବାବୁ ଏପର୍ଯ୍ୟନ୍ତ କିଛି କହିନଥିଲେ । ସବୁ କଥା ତାଙ୍କ କାନରେ ବାଜୁଥିଲା କିନ୍ତୁ ସେ ଅନ୍ୟମନସ୍କ ଥିଲେ । ହଠାତ୍ ଏଇ ସ୍ତବ୍ଧତାରେ ତାଙ୍କର ଧ୍ୟାନ ଭାଙ୍ଗିଗଲା । ଧୀରେ ଧୀରେ କହିଲେ–ବିବାହ ନୁହେଁ, କମଳର ଏଇ formଟା ପ୍ରତି ସେଭଳି ଆସ୍ଥା ନାହିଁ । ଅନୁଷ୍ଠାନ ଯା’ ହେଉନା କାହିଁକି କିଛି ଗୋଟାଏ ହେଲେ ତା’ର ହେଲା । ସ୍ୱାମୀକୁ କହିଲା–‘ଏମାନେ କ’ଣ କହୁଛନ୍ତି ବିବାହଟା ଖାଲି ଫାଙ୍କି । ସ୍ଵାମୀ କହିଲେ–ଆମର ଶୈବମତରେ ବିବାହ ହେଲା । କମଳ ତା’ ଶୁଣି ଖୁସୀ ହୋଇ କହିଲା–ଶିବ ସଙ୍ଗେ ଯଦି ଶୈବମତରେ ବିବାହ ହେଲା ତ ଖୁବ୍ ଭଲ ।’ କଥାଟା ମତେ ଯେ କେତେ ମିଠା ଲାଗିଲା କ’ଣ କହିବି ଅବିନାଶ ବାବୁ !

 

ଭିତରେ ଭିତରେ ଅବିନାଶ ମନରେ ଏଇ କଥାଟି ବାଜୁଥିଲା । ସେ କହିଲେ–ଆଉ କମଳ ଯେ ଶିବନାଥ ମୁହଁକୁ ଚାହିଁ ହସ ହସ ମୁହଁରେ ପଚାରିଲା–‘ହଁ ହେ, ତମେ ଏମିତି କରିବ ନା କ’ଣ ? ମତେ ଫାଙ୍କି ଦେବ ସତେ ?’ କେତେ କଥା ତ ତା’ପରେ ଚାଲିଗଲା ଆଶୁ ବାବୁ, କିନ୍ତୁ ଏଇ କଥାର ପ୍ରତିଧ୍ଵନି ଏବେ ବି ଯେମିତି ମୋ କାନରେ ବାଜୁଛି !

 

ପ୍ରତ୍ୟୁତ୍ତରରେ ଆଶୁ ବାବୁ ଟିକିଏ ହସି ମୁଣ୍ଡ ହଲାଇ ସମ୍ମତି ଜଣାଇଲେ ।

 

ଅବିନାଶ କହିଲେ–ଆଉ ଏଇ ଯେ ‘ଶିବାନୀ’ ନାଁଟି ? ତା’ କ’ଣ କମ୍ ମଧୁର ?

 

ଅକ୍ଷୟ ଆଉ ଯେପରି ସହିପାରିଲେ ନାହିଁ । କହିଲେ–ଆପଣମାନେ ତ ଅବାକ୍ ହେଲେ ଅବିନାଶ ବାବୁ ! ସେମାନଙ୍କର ଯାହା କିଛି ସବୁ ଆପଣଙ୍କୁ ମଧୁର ଲାଗିଲା–ଏମିତି କି ଶିବନାଥର ନିଜ ନାଁ ସଙ୍ଗେ ଗୋଟିଏ ‘ନୀ’ ଯୋଗ କରି ଦେବାରୁ ମଧୁ ଝରି ପଡ଼ିଲା !

 

ହରେନ୍ଦ୍ର କହିଲା–‘ନୀ’ ଯୋଗକଲେ ହୁଏନି ଅକ୍ଷୟ ବାବୁ ! ଆପଣଙ୍କ ସ୍ତ୍ରୀଙ୍କୁ ଅକ୍ଷୟିନୀ ଡାକିଲେ କ’ଣ ମହୁ ଝରିବ !

 

ତା’ କଥା ଶୁଣି ସମସ୍ତେ ହସି ଉଠିଲେ । ମନୋରମା ବି ରାସ୍ତା ଆଡ଼କୁ ଚାହିଁ ମୁହଁରେ ଲୁଗା ଦେଇ ହସ ଚାପି ନେଲା ।

 

ଅକ୍ଷୟ କ୍ରୋଧରେ ଉତ୍‍କ୍ଷିପ୍ତ ହୋଇ ଉଠିଲେ । ଗର୍ଜନ କରି କହିଲେ–ହରେନ୍ ବାବୁ, don’t you go too far l କୌଣସି ଭଦ୍ରମହିଳା ସହ ଏ ସମସ୍ତ ସ୍ତ୍ରୀଲୋକଙ୍କୁ ଥଟ୍ଟାରେ ବି ତୁଳନା କରିବାକୁ ମୁଁ ଅପମାନକର ବୋଧ କରେ ।

 

ହରେନ୍ଦ୍ର ଚୁପ୍ ରହିଲା । ତର୍କ କରିବା ତା’ର ସ୍ୱଭାବ ନୁହେଁ, ନିଜ କଥା ଯୁକ୍ତି ସହ ପ୍ରମାଣ କରିବାର ଅଭ୍ୟାସ ବି ତା’ର ନାହିଁ । ମଝିରେ ଉଠି କିଛି ଗୋଟାଏ କହିଦେଇ ହଠାତ୍ ଏପରି ଚୁପ୍ ହୋଇଯିବ ଯେ ହଜାରେ କହିଲେ ବି ଆଉ ପାଟି ଫିଟେଇବ ନାହିଁ । ତାହାହିଁ ହେଲା । ଅକ୍ଷୟ ବାକି ବାଟତକ ଶିବାନୀ କଥା ଛାଡ଼ି ହରେନ୍ଦ୍ର ସମ୍ପର୍କରେ କହିଲେ । ସେ ଯେ ଭଦ୍ରମହିଳାଙ୍କ ପ୍ରତି ଭଦ୍ରତାହୀନ ମନ୍ତବ୍ୟ କରିଛି ଏବଂ ଶିବନାଥର ଶୈବମତରେ ବିବାହିତ ସ୍ତ୍ରୀର ବାକ୍ୟ ବା ବ୍ୟବହାରରେ ଆଭିଜାତ୍ୟର ବିନ୍ଦୁ ମାତ୍ର ନାହିଁ, ବରଂ ତା’ର ଶିକ୍ଷା ଓ ସଂସ୍କାର ଜଘନ୍ୟ ହୀନତାର ପରିଚାୟକ ଅକ୍ଷୟ ବାବୁ ଏଇ ସବୁ କଥା ଅତ୍ୟନ୍ତ ରୂଢ଼ତାର ସହିତ ପ୍ରମାଣ କରୁ କରୁ ଗାଡ଼ି ଆଶୁ ବାବୁଙ୍କ ଦୁଆରେ ପହଞ୍ଚିଗଲା । ଅବିନାଶ ଓ ଅନ୍ୟ ସମସ୍ତେ ଓହ୍ଲାଇଗଲେ, କେବଳ ଅକ୍ଷୟ ଓ ହରେନ୍ଦ୍ରଙ୍କୁ ପହଞ୍ଚାଇ ଦେବା ପାଇଁ ଗାଡ଼ି ଗଲା ।

 

ଆଶୁ ବାବୁ ଉଦ୍‍ବିଗ୍ନ ହୋଇ ପ୍ରଶ୍ନ କଲେ–ଗାଡ଼ି ଭିତରେ ଏମାନେ ପିଟାପିଟି ହେବେନି ତ ?

 

ଅଭିନାଶ କହିଲେ–ସେ ଭୟ ନାହିଁ । ଏ ତ ପ୍ରତିଦିନର ଘଟଣା, କିନ୍ତୁ ସେଥିରେ ତାଙ୍କ ବନ୍ଧୁତା କ୍ଷୁଣ୍ଣ ହୁଏ ନାହିଁ ।

 

ଘରଭିତରେ ଚା’ ଖାଉ ଖାଉ ଆଶୁ ବାବୁ ଆସ୍ତେ ଆସ୍ତେ କହିଲେ–‘ଅକ୍ଷୟ ବାବୁଙ୍କ ପ୍ରକୃତି ଅତି କଠିନ ।’ ଏହାଠାରୁ କଠିନ କଥା ତାଙ୍କ ମୁହଁରେ ଆସିଲା ନାହିଁ । ହଠାତ୍ ମନୋରମା ପ୍ରତି ଚାହିଁ ପଚାରିଲେ–ମଣି, କମଳ ସମ୍ପର୍କରେ ତୋର ପୂର୍ବ ଧାରଣା କ’ଣ ବଦଳି ନାହିଁ ?

 

‘କି ଧାରଣା ବାବା ?’

 

‘ଏଇ ଯେମିତି–ଏଇ ଧର–’

 

‘କିନ୍ତୁ ମୋର ଧାରଣାରୁ ତମେ କ’ଣ ପାଇବ ବାବା ?’

 

ଆଶୁ ବାବୁ ଆଉ ଦ୍ଵିରୁକ୍ତି କଲେ ନାହିଁ । ସେ ଜାଣନ୍ତି ଯେ କମଳ ସମ୍ପର୍କରେ ମନୋରମା ଅତି ବିମୁଖ । ଏ କଥା ତାଙ୍କୁ କଷ୍ଟ ଦିଏ, କିନ୍ତୁ ଏ କଥା ନେଇ ପୁଣି ଆଲୋଚନା ଆରମ୍ଭ କରିବା ଯେପରି ଅପ୍ରୀତିକର ସେହିଭଳି ନିଷ୍ଫଳ ।

 

ଅକସ୍ମାତ୍ ଅଭିନାଶ କହି ଉଠିଲେ–କିନ୍ତୁ ଗୋଟାଏ କଥାକୁ ଆପଣମାନେ କାନ ଦେଇନାହାନ୍ତି–ଶିବନାଥର ଶେଷ କଥାଟା । କମଳର ସବୁକଥା ଯଦି ପ୍ରତିଧ୍ଵନି ହୋଇଥାନ୍ତା, ତେବେ ଶିବନାଥର କହିବା ପ୍ରୟୋଜନ ନ ଥିଲା–କମଳ ଆପଣଙ୍କୁ ଶ୍ରଦ୍ଧା କରିବାକୁ ଶିଖୁ ବୋଲି । ଏହା କହି ସେ ନିଜେ ଆଶୁ ବାବୁଙ୍କ ପ୍ରତି ସଶ୍ରଦ୍ଧ ଦୃଷ୍ଟିପାତ କରି କହିଲେ–ବାସ୍ତବିକ୍, କହିବାକୁ ଗଲେ ଆପଣଙ୍କ ପରି ଭକ୍ତିଭାଜନ ବ୍ୟକ୍ତି କେତେଜଣ ବା ଅଛନ୍ତି ? ଏଇ ସାମାନ୍ୟ ପରିଚୟରେ ଯେ ଶିବନାଥ ଏତେବଡ଼ ସତ୍ୟ ହୃଦୟଙ୍ଗମ କରିପାରିଛି, କେବଳ ଏଇଥିପାଇଁ ତା’ର ବହୁ ଅପରାଧ କ୍ଷମଣୀୟ ।

 

ଏ କଥା ଶୁଣି ଆଶୁ ବାବୁ ବ୍ୟସ୍ତ ହୋଇ ଉଠିଲେ । ତାଙ୍କର ବିପୁଳ ଶରୀର ଯେପରି ଲଜ୍ଜାରେ ସଙ୍କୁଚିତ ହୋଇଗଲା । ମନୋରମା କୃତଜ୍ଞତାପୂର୍ଣ୍ଣ ଦୃଷ୍ଟିରେ ଅବିନାଶ ବାବୁଙ୍କ ପ୍ରତି ଚାହିଁ କହିଲା–ଅବିନାଶ ବାବୁ, ଏଇଠି ଶିବନାଥ ଓ ତା’ ସ୍ତ୍ରୀର ପ୍ରକୃତ ପ୍ରଭେଦ । ଆଜି ଜାଣିଲି, ସେ ଦିନ ଲୁଗା ଓ ସାବୁନ ମାଗିଲା ବେଳେ ସେ କେବଳ ମୋତେ ଉପହାସ କରିଗଲା–ତା’ର ସେ ଦିନର ଅଭିନୟ ମୁଁ ବୁଝିପାରି ନ ଥିଲି, କିନ୍ତୁ ବାବା, ସେ ଯଦି ତମକୁ ସମସ୍ତଙ୍କଠାରୁ ବଡ଼ ବୋଲି ଚିହ୍ନି ନ ପାରିଲା, ତେବେ ତା’ର ସମସ୍ତ ଚତୁରୀ, ବିଦ୍ରୂପ ବ୍ୟର୍ଥ ।

 

ଆଶୁ ବାବୁ ବ୍ୟାକୁଳ ହୋଇ କହିଲେ–ତମେ ସବୁ କ’ଣ ଏମିତି କହୁଛ ମା !

 

ଅଭିନାଶ ବାବୁ କହିଲେ–ଆଶୁ ବାବୁ, ଏ କଥାରେ ସାମାନ୍ୟ ଅତିଶୟୋକ୍ତି ନାହିଁ । ଗଲାବେଳକୁ ଶିବନାଥ ଏହି କଥା ତା’ ସ୍ତ୍ରୀକୁ କହିବା ପାଇଁ ଚେଷ୍ଟା କରୁଥିଲା । ଆଜି ସେ ମୋଟେ କଥା କହିନି, କିନ୍ତୁ ତା’ର ଏଇ ଗୋଟିଏ କଥାରୁ ମୋର ମନେହେଉଛି ଯେ ଏଇଠି ସେମାନଙ୍କ ପରସ୍ପରର ମତଭେଦ ରହିଛି ।

 

ଆଶୁ ବାବୁ କହିଲେ–ତାହା ଯଦି ଥାଏ, ତେବେ ସେଇଟା ଶିବନାଥର ଦୋଷ, କମଳର ନୁହେଁ ।

 

ମନୋରମା ହଠାତ୍ କହି ଉଠିଲା–ତମେ ଯେ ତାକୁ କି ଆଖିରେ ଦେଖୁଛ ବାବା, ତମେ ଜାଣ । କିନ୍ତୁ ତମ ପରି ମଣିଷକୁ ସେ ଶ୍ରଦ୍ଧା କରିପାରେନା, ତାକୁ କ’ଣ କ୍ଷମା କରାଯାଇପାରେ ?

 

ଆଶୁ ବାବୁ ମନୋରମା ମୁହଁକୁ ଚାହିଁ କହିଲେ–କାହିଁକି ମା ? ମତେ ଶ୍ରଦ୍ଧା ନ କରିବାର କୌଣସି ଭାବ ତ ତା’ ଆଚରଣରେ ପ୍ରକାଶ ପାଇନାହିଁ ।

 

‘କିନ୍ତୁ ଶ୍ରଦ୍ଧାର ଭାବ ବି ତ ପ୍ରକାଶ ପାଇନାହିଁ ।’

 

ଆଶୁ ବାବୁ କହିଲେ–ପାଇବାର କଥାତ ନୁହେଁ ମଣି, ବରଂ ଶ୍ରଦ୍ଧା ପ୍ରକାଶ ପାଇଥିଲେ ମିଥ୍ୟାଚାର ହୋଇଥାନ୍ତା । ମୋ ଭିତରେ ଯେଉଁ ବସ୍ତୁକୁ ତୁମେମାନେ ଶକ୍ତିର ପ୍ରାଚୁର୍ଯ୍ୟ ମନେକରି ବିସ୍ମୟମୁଗ୍ଧ ହୋଇଯାଅ, ତାହା କମଳ ନିକଟରେ ନିଛକ ଶକ୍ତିର ଅଭାବ । ଦୁର୍ବଳ ମନୁଷ୍ୟକୁ ସ୍ନେହର ପ୍ରଶ୍ରୟ ଦେଇ ଭଲପାଇ ହୁଏ, ଏ କଥା ସେ ମୋତେ କହିଛି; କିନ୍ତୁ ତା’ ନିକଟରେ ମୋର ଯେଉଁ ମୂଲ୍ୟର ଅସ୍ତିତ୍ଵ ନାହିଁ, ଜବରଦସ୍ତି ତାକୁ ଦେବାକୁ ଯାଇ ସେ ମୋତେ ଛୋଟ କରି ନାହିଁ ବା ନିଜକୁ ଅପମାନ କରି ନାହିଁ । ଏତ ପୂରା ଠିକ୍ କଥା, ଏଥିରେ ବ୍ୟଥା ପାଇବାର ତ କିଛି ନାହିଁ ମଣି-

 

ଏପର୍ଯ୍ୟନ୍ତ ଅଜିତ୍‍ ଅନ୍ୟମନସ୍କ ଥିଲା, ଏଇ କଥା ଶୁଣି ସେ ଆଶୁ ବାବୁଙ୍କ ଆଡ଼କୁ ଚାହିଁଲା । ସେ କିଛି ଜାଣେ ନାହିଁ ବା ଜାଣିବାର ଅବକାଶ ମଧ୍ୟ ପାଇନାହିଁ । ସମସ୍ତ ଘଟଣାଟା ତା’ ନିକଟରେ ଝାପ୍‍ସା–ବର୍ତ୍ତମାନ ଆଶୁ ବାବୁ ଯାହା କହିଲେ ସେଥିରେ ବି କିଛି ପରିଷ୍କାର ହେଲା ନାହିଁ-

 

ମନୋରମା ନୀରବ ହୋଇ ରହିଲା କିନ୍ତୁ ଅବିନାଶ ବାବୁ ଉତ୍ତେଜନାର ସହ ପ୍ରଶ୍ନ କଲେ–ତା’ହେଲେ ସ୍ଵାର୍ଥତ୍ୟାଗର କୌଣସି ମୂଲ୍ୟ ନାହିଁ ?

 

ଆଶୁ ବାବୁ ହସିଲେ; କହିଲେ–ପ୍ରଶ୍ନଟା ଠିକ୍ ଅଧ୍ୟାପକଲାଖି ହେଲା ନାହିଁ । ଯା’ହେଉ, ତା’ ନିକଟରେ ନାହିଁ ।

 

‘ତା’ହେଲେ ଆତ୍ମସଂଯମର ବି କିଛି ଦାମ୍ ନାହିଁ ?’

 

‘ତା’ ନିକଟରେ ନାହିଁ । ସଂଯମ ଯେଉଁଠି ଅର୍ଥହୀନ ସେଠି ତା’ କେବଳ ନିଷ୍ଫଳ ଆତ୍ମପୀଡ଼ିନ । ଆଉ ତାକୁ ନେଇ ନିଜକୁ ବଡ଼ ମନେକରିବା କେବଳ ନିଜକୁ ଠକିବା ନୁହେଁ, ପୃଥିବୀକୁ ବି ଠକିବା । କମଳର ମୁହଁ ଦେଖି ମନେହେଲା ସେ ଏଇ କଥା କହିବାକୁ ଚାହେଁ ।’ ଏହା କହି ସେ କିଛି ସମୟ ଚୁପ୍ ରହି କହିଲେ–କେଉଁଠୁ ସେ ଏ ଧାରଣା ପାଇଲା କେଜାଣି, ହଠାତ୍ ଶୁଣିଲେ ଖୁବ୍ ଅଦ୍ଭୁତ ଲାଗେ ।

 

ମନୋରମା କହି ଉଠିଲା–ଅଦ୍ଭୁତ ଲାଗେ ? ଦେହରେ ନିଆଁ ଲାଗି ଯାଏନା ? ବାବା, ଜୀବନରେ କୌଣସି କଥା ତମେ କ’ଣ ଜୋର୍ ଦେଇ କହିପାରିବ ନାହିଁ ? ଯିଏ ଯାହା କହିବ, ସେଥିରେ ହଁ ମାରିବ ?

 

ଆଶୁ ବାବୁ କହିଲେ–ହଁ ତ ମାରୁନି ମା; ବିରାଗ ବିଦ୍ୱେଷ ନେଇ କଥା ବିଚାର କଲେ କେବଳ ଗୋଟାଏ ପକ୍ଷ ଠକେ ନା, ଅପର ପକ୍ଷ ବି ଠକେ । ଯେଉଁସବୁ କଥା ତା’ ମୁହଁରେ ଆମେ ଶୁଣିବାକୁ ଚାହୁଁଥିଲେ, କମଳ ହୁଏତ ଠିକ୍ ସେଇ କଥା କହିନି । ସେ ଯାହା କହିଲା ତା’ର ମୋଟ କଥା ବୋଧହୁଏ ଏଇ ଯେ, ସୁଦୀର୍ଘ ସଂସାର ଭିତରେ ଯେ ସତ୍ୟ ଆମ ରକ୍ତ ମଜ୍ଜାଗତ ହୋଇଯାଇଛି, ତାହା କେବଳ ପ୍ରଶ୍ନର ଗୋଟାଏ ଦିଗ । ଅପର ଦିଗ ବି ଅଛି । କେବଳ ଆଖିବୁଜି ମୁଣ୍ଡ ହଲାଇଲେ କ’ଣ ହେବ ମଣି ?

 

ମନୋରମା କହିଲା–ବାବା, ଭାରତବର୍ଷରେ କ’ଣ ଏତେକାଳ ଧରି ସେ ଦିଗଟା ଦେଖିବାପାଇଁ କେହି ଲୋକ ନ ଥିଲେ ?

 

ଆଶୁ ବାବୁ ଟିକିଏ ହସି କହିଲେ–ଇଏ ଖାଲି ରାଗର କଥା ମା । ନ ହେଲେ ତୁ ଖୁବ୍ ଭଲ ଭାବରେ ଜାଣୁ ଯେ ଖାଲି ଆମ ଦେଶରେ ନୁହେଁ, କୌଣସି ଦେଶରେ ପୂର୍ବଗାମୀଗଣ ମଣିଷର ଶେଷ ପ୍ରଶ୍ନର ଉତ୍ତର ଦେଇଯାଇ ନାହାନ୍ତି । ତା’ହେଲେ ସୃଷ୍ଟି ସ୍ଥିର ହୋଇଯାନ୍ତା । ତା’ର ଚଳିବାର କୌଣସି ଅର୍ଥ ରହନ୍ତା ନାଇଁ ।

 

ହଠାତ୍ ତାଙ୍କର ଆଖି ପଡ଼ିଲା ଯେ ଅଜିତ୍‍ ଏକ ଦୃଷ୍ଟିରେ ତାଙ୍କ ପ୍ରତି ଚାହିଁ ରହିଛି । କହିଲେ–ତୁମେ ବୋଧହୁଏ କିଛି ବି ବୁଝିପାରୁନା, ନା ?

 

ଅଜିତ୍‍ ମୁଣ୍ଡ ହଲାଇଲା । ଆଶୁ ବାବୁ ସମ୍ପୂର୍ଣ୍ଣ ଘଟଣା ଆନୁପୂର୍ବକ ବର୍ଣ୍ଣନା କରି କହିଲେ–ଅକ୍ଷୟ ଏପରି ଏକ ପବିତ୍ର ହୋମାଗ୍ନି ଜାଳିଦେଲେ ଯେ ଲୋକେ ଚାହିଁ ଦେଖିବେ କ’ଣ ଧୂଆଁରେ ମୁଣ୍ଡ ଟେକି ହେଲା ନାହିଁ । ମଜା କଥା ଏଇ ଯେ ଆମମାନଙ୍କର ମାମଲା ହେଲା ଶିବନାଥ ବିରୁଦ୍ଧରେ, ଅଥଚ ଆମେ ଦଣ୍ଡ ଦେଲୁ କମଳକୁ । ସେ ଥିଲେ ଏଠାରେ ଜଣେ ଅଧ୍ୟାପକ, ମଦ ଖାଇବା ଅପରାଧରୁ ତାଙ୍କର ଚାକିରି ଗଲା ଏବଂ ଋଗ୍‍ଣା ସ୍ତ୍ରୀକୁ ତ୍ୟାଗ କରି କମଳକୁ ଘରକୁ ଆଣିଲେ । କହିଲେ–ବିବାହ ଶୈବମତରେ ହୋଇଛି । ଅକ୍ଷୟ ବାବୁ ଭିତରେ ଭିତରେ ସମ୍ବାଦ ଆଣିଲେ ଯେ ସବୁ ଫାଙ୍କି, ପ୍ରଶ୍ନ ହେଲା–ଝିଅଟି କ’ଣ ଭଦ୍ରଘରର ? ଶିବନାଥ କହିଲେ–ସେ ତାଙ୍କ ଘରର ଚାକରାଣୀର ଝିଅ । ପ୍ରଶ୍ନ କରାଗଲା–ଝିଅଟି କ’ଣ ଶିକ୍ଷିତା ? ଶିବାନାଥ ଜବାବ୍ ଦେଲେ–ଶିକ୍ଷା ପାଇଁ ବିବାହ କରି ନାହାନ୍ତି, ବିବାହ କରିଛନ୍ତି ରୂପ ପାଇଁ । କଥା ଶୁଣ ! କମଳର ଅପରାଧ ମୁଁ କୌଣସି ଜାଗାରେ ଦେଖିଲି ନାହିଁ । ଅଥଚ ଆମେ ତାକୁ ସମସ୍ତ ସଂସର୍ଗରୁ ଦୂର କରି ଦେଲୁ । ଆମର ଘୃଣାର ମାତ୍ରା ତାରି ପ୍ରତି ପଡ଼ିଲା ସବୁଠାରୁ ବେଶୀ । ଆଉ ଏଇ ହେଲା ସମାଜର ସୁବିଚାର ।

 

ମନୋରମା କହିଲା–ତାକୁ କ’ଣ ସମାଜ ଭିତରକୁ ଡାକି ଆଣିବାକୁ ଚାହଁ ବାବା ?

 

ଆଶୁ ବାବୁ କହିଲେ–ମୁଁ ଚାହିଁଲେ ବା ହେବ କାହିଁକି ମା ? ସମାଜରେ ତ ପୁଣି ଅକ୍ଷୟ ବାବୁଙ୍କ ଦଳ ଅଛନ୍ତି, ସେମାନେ ତ ପ୍ରବଳ ପକ୍ଷ ।

 

ମନୋରମା ପଚାରିଲା–ତମେ ଏକୁଟିଆ ହେଲେ ବୋଧହୁଏ ଡାକି ଆଣନ୍ତ ବାବା ?

 

ଆଶୁ ବାବୁ ତା’ର ସ୍ପଷ୍ଟ ଜବାବ୍ ଦେଲେ ନାହିଁ । କହିଲେ–ଡାକିଲେ କ’ଣ ସମସ୍ତେ ଆସନ୍ତି ମା ?

 

ଅଜିତ୍‍ କହିଲା–ଆଶ୍ଚର୍ଯ୍ୟ ଏଇ ଯେ ଆପଣଙ୍କ ମତ ସହ ତାଙ୍କର ସବୁଠାରୁ ବେଶୀ ବିରୋଧ ଅଥଚ ସେ ଆପଣଙ୍କ ସ୍ନେହର ବେଶୀ ଭାଗ ପାଇଛନ୍ତି ।

 

ଅବିନାଶ କହିଲେ–ତା’ର କାରଣ ଅଛି ଅଜିତ୍‍ ବାବୁ । କମଳ ସମ୍ପର୍କରେ ଆମେ କିଛି ଜାଣୁନା, କେବଳ ଜାଣୁ ତା’ର ବୈପ୍ଳବିକ ଦିଗଟାକୁ, ଆଉ ଜାଣୁ ତା’ର ଅଖଣ୍ତ ମନ୍ଦ ଦିଗଟାକୁ । ତେଣୁ ତା’ କଥା ଶୁଣିଲେ ଆମର ଭୟ ହୁଏ, ରାଗ ବି ହୁଏ । ଭାବୁ–ଏଇଥର ବୋଧହୁଏ ପୃଥିବୀ ରସାତଳକୁ ଗଲା ।’ ତା’ପରେ ଆଶୁ ବାବୁଙ୍କ ଉଦ୍ଦେଶ୍ୟରେ କହିଲେ–ଆଶୁ ବାବୁଙ୍କର ନିଷ୍ପାପ ଦେହ, ନିଷ୍କଳଙ୍କ ମନ । ସନ୍ଦେହର ଛାୟା ବି ତହିଁରେ ପଡ଼େନା, ଭୟର ଦାଗ ସୁଦ୍ଧା ଲାଗେନା । ମହାଦେବଙ୍କ ବିଷ ହେଉ ବା ଅମୃତ ହେଉ, କଣ୍ଠରେ ଅଟକିଯିବ, ଉଦରସ୍ଥ ହେବ ନାହିଁ । ଦେବତାର ଦଳ ଆସନ୍ତୁ ବା ଦୈତ୍ୟ ଦାନବ ଘେରି ଯାଆନ୍ତୁ, ନିର୍ଲିପ୍ତ ନିର୍ବିକାର ଚିତ୍ତ । କେବଳ ବାତରେ କାବୁ ନ ହେଲେ ସେ ଖୁସି । କିନ୍ତୁ ଆମମାନଙ୍କର ତ–

 

କଥା ଶେଷ ହୋଇପାରିଲା ନାହିଁ । ଆଶୁ ବାବୁ ଅକସ୍ମାତ୍ ଦୁଇ ହାତ ଧରି ତାଙ୍କୁ ନିବୃତ୍ତ କରି କହିଲେ–ଆପଣଙ୍କ ଗୋଡ଼ତଳେ ପଡ଼ୁଛି ଅବିନାଶ ବାବୁ, ଆଉ ଅଧିକା କହନ୍ତୁ ନାହିଁ । ନିରବଚ୍ଛିନ୍ନ ଭାବେ ଗୋଟିଏ ଯୁଗ ବିଲାତରେ କଟେଇ ଆସିଛି, ସେଠି କ’ଣ କରିଛି କ’ଣ ନ କରିଛି, ନିଜର ମଧ୍ୟ ମନେ ନାହିଁ । ଅକ୍ଷୟ କାନକୁ ଗଲେ ଆଉ ରକ୍ଷା ନାହିଁ । ପୂରା ନାଡ଼ିନକ୍ଷତ୍ର ଟାଣି ବାହାର କରି ଆଣିବ । ସେତେବେଳେ ?

 

ଅବିନାଶ ବାବୁ ବିସ୍ମୟ ସହ ପଚାରିଲେ–ଆପଣ ବିଲାତ ଯାଇଥିଲେ ?

 

ଆଶୁ ବାବୁ କହିଲେ–ହଁ, ସେ ଦୁଷ୍କାର୍ଯ୍ୟ କରି ଆସିଛି ।

 

ମନୋରମା କହିଲା–ପିଲାଦିନୁ ବାପାଙ୍କ ସମସ୍ତ ଶିକ୍ଷାଦୀକ୍ଷା ଇଉରୋପରେ ହୋଇଛି । ବାପା ବାରିଷ୍ଟର, ଡକ୍ଟ୍ରେଟ୍ ପାଇଛନ୍ତି ।

 

ଅଭିନାଶ କହିଲେ–ସତରେ ନା କ’ଣ ?

 

ଆଶୁ ବାବୁ କହି ଉଠିଲେ–ଭୟ ନାହିଁ, ଭୟ ନାହିଁ ପ୍ରଫେସର, ସବୁ ଭୁଲି ଯାଇଛି । ଦୀର୍ଘକାଳ ଯାଯାବରବୃତ୍ତି ଅବଲମ୍ବନ କରି ଝିଅକୁ ଧରି ଏଠି ସେଠି ବୁଲୁଛି–ଏଇ ଆପଣ ଯାହା କହୁଥିଲେ–ମନଭିତରଟା ଧୋଇଧାଇ ହୋଇ ନିଷ୍ପାପ ନିଷ୍କଳୁଷ ହୋଇଯାଇଛି । ସେଠି ଛାପ ପର୍ଯ୍ୟନ୍ତ ବି କୋଉଠି ନାହିଁ । ସେ ଯାହାହେଉ, ଦୟାକରି ଘଟଣାଟା ଯେମିତି ଅକ୍ଷୟ ବାବୁଙ୍କ କାନକୁ ନ ଯାଏ ।

 

ଅବିନାଶ ହସି ହସି କହିଲେ–ଆପଣଙ୍କର ଅକ୍ଷୟକୁ ଖୁବ୍ ଡର, ନା ?

 

ଆଶୁ ବାବୁ ତତ୍‍କ୍ଷଣାତ୍ ସ୍ଵୀକାର କରି କହିଲେ–ହଁ । ଏକେ ବାତ ପ୍ରକୋପରେ ବଞ୍ଚି ପାରୁନି, ସେଥିରେ ତାଙ୍କର କୌତୂହଳ ଜାଗ୍ରତ ହେଲେ ପରା ମଡ଼ା ପାଲଟିଯିବ ।

 

ମନୋରମା ହସି ପକାଇ କହିଲା–ବାବା, ଏ ତମର ବଡ଼ ଅନ୍ୟାୟ ।

 

ଆଶୁ ବାବୁ କହିଲେ–ଅନ୍ୟାୟ ହେଉ ପଛେ ମା, ଆତ୍ମରକ୍ଷାର ଅଧିକାର ସମସ୍ତଙ୍କର ଅଛି ।

 

ଶୁଣି ସମସ୍ତେ ହସିବାକୁ ଲାଗିଲେ । ମନୋରମା ପଚାରିଲା ବାବା, ମଣିଷ ସମାଜରେ କ’ଣ ଅକ୍ଷୟ ବାବୁଙ୍କ ପରି ଲୋକଙ୍କର ପ୍ରୟୋଜନ ନାହିଁ ।

 

ଆଶୁ ବାବୁ କହିଲେ–ତୋର ଏ ‘ପ୍ରୟୋଜନ’ ଜିନିଷଟା ସଂସାରରେ ସବୁଠାରୁ ଗୋଳମାଳିଆ ଜିନିଷ ମା । ଆଗେ ତା’ର ନିଷ୍ପତ୍ତି ହେଉ, ତା’ପରେ ତୋ ପ୍ରଶ୍ନର ଯଥାର୍ଥ ଉତ୍ତର ଦିଆଯିବ । କିନ୍ତୁ ତା’ ତ ହୋଇପାରିବନି, ତେଣୁ ଚିରକାଳ ସେ ସମ୍ପର୍କରେ ତର୍କ ଚାଲିଛି, ନିଷ୍ପତ୍ତି ହୋଇପାରୁନାହିଁ ।

 

ମନୋରମା କ୍ଷୁଣ୍ଣ ହୋଇ କହିଲା–ତମେ ସବୁ କଥାର ଜବାବ୍ ଏମିତି ଏଡ଼ି ଚାଲିଯାଅ ବାବା, କେତେବେଳେ ସ୍ପଷ୍ଟ କରି କିଛି କୁହନା । ଏ ତମର ବଡ଼ ଅନ୍ୟାୟ ।

 

ଆଶୁ ବାବୁ ହସି ହସି କହିଲେ–ସ୍ପଷ୍ଟ କରି କହି ପାରିବାର ବିଦ୍ୟା ବୁଦ୍ଧି ତୋ ବାପର ନାହିଁ ମଣି, ସେ ତୋର ଅଦୃଷ୍ଟ । ଏଇଲାଗେ ତୁଚ୍ଛାକୁ ମୋ ଉପରେ ରାଗ ହେଲେ କ’ଣ ହେବ ?

 

ଅଜିତ୍‍ ଉଠି ଠିଆହୋଇ କହିଲା–ମୁଣ୍ଡଟା ଟିକିଏ ଧରିଲା ପରି ଲାଗୁଛି । ବାହାରେ ଟିକିଏ ଘୂରି ଆସେ ।

 

ଆଶୁ ବାବୁ ବ୍ୟସ୍ତ ହୋଇ କହିଲେ–ଏଇ ଥଣ୍ଡାରେ ? ଅନ୍ଧାରରେ ?

 

ଦକ୍ଷିଣ ଦିଗରୁ ଗୋଟାଏ ଖୋଲା ଝରକା ବାଟେ ସ୍ନିଗ୍ଧ ଜ୍ୟୋତ୍ସ୍ନା ତଳ କାର୍ପେଟ୍ ଉପରେ ଝରି ପଡ଼ିଥିଲା, ଅଜିତ୍‍ ସେଇ ଆଡ଼କୁ ଚାହିଁ କହିଲା–ଥଣ୍ଡା ହୁଏତ ଟିକିଏ ପଡ଼ିଛି କିନ୍ତୁ ଅନ୍ଧାର ନାହିଁ, ଯାଉଛି, ଟିକିଏ ବୁଲି ଆସେ ।

 

‘କିନ୍ତୁ ଚାଲିକରି ଯାଅନି ।’

 

‘ନା, ଗାଡ଼ିରେ ଯିବି ।’

 

ଗାଡ଼ିର କଭର୍‍ଟା ଉଠେଇବ ନାହିଁ ଅଜିତ୍‍, ଥଣ୍ଡା ଲାଗିପାରେ । ଅଜିତ୍‍ ସମ୍ମତି ଜଣାଇଲା । ଆଶୁ ବାବୁ କହିଲେ–ତା’ହେଲେ ଅବିନାଶ ବାବୁଙ୍କୁ ବି ଘରେ ଛାଡ଼ି ଦେବ, କିନ୍ତୁ ଡେରି କରିବ ନାହିଁ ।

 

ଆଚ୍ଛା, କହି ଅଜିତ୍‍ ଅବିନାଶ ବାବୁ ସାଙ୍ଗରେ ବାହାରି ଯିବା ପରେ ଆଶୁ ବାବୁ ମୃଦୁ ହାସ୍ୟ ସହ କହିଲେ–ପିଲାଟାର ଏପର୍ଯ୍ୟନ୍ତ ମଟରରେ ଚଢ଼ି ବୁଲିବାର ସୌଖ୍ ଯାଇନି । ଏ ଥଣ୍ଡାରେ ବୁଲି ବାହାରିଲାଣି ।

 

(ଆଠ)

 

ପନ୍ଦର ଦିନ ପରର କଥା । ସନ୍ଧ୍ୟା ହେବାକୁ ଡେରି ନାହିଁ, ଅଜିତ୍‍ ଆଶୁ ବାବୁ ଓ ମନୋରମାକୁ ଅବିନାଶ ବାବୁଙ୍କ ଘରେ ଛାଡ଼ି ଦେଇ ଏକାକୀ ବୁଲି ବାହାରିଥିଲା । ଏମିତି ସେ ପ୍ରାୟ ବୁଲିଯାଏ । ଯେଉଁ ରାସ୍ତାଟା ସହରର ଉତ୍ତର ଦିଗରୁ ଆସି କଲେଜର ଆଗ ଦେଇ କିଛି ଦୂର ଗଲାପରେ ସିଧା ପଶ୍ଚିମକୁ ଚାଲିଯାଇଛି, ସେଇ ବାଟରେ ଏକ ନିର୍ଜନ ଜାଗାରେ ହଠାତ୍ ଉଚ୍ଚ ନାରୀ କଣ୍ଠରେ ନିଜ ନାଁ ଶୁଣି ଅଜିତ୍‍ ଚମକି ଗାଡ଼ି ଅଟକାଇ ଦେଖିଲା ଯେ ଶିବନାଥର ସ୍ତ୍ରୀ କମଳ-। ରାସ୍ତା ପାଖରେ ଗୋଟାଏ ପୁରୁଣାକାଳିଆ ଭଙ୍ଗା ଦିମହଲା ଘର, ଆଗରେ ଖଣ୍ଡିଏ ଛୋଟ ଶ୍ରୀହୀନ ବଗିଚା । ସେଇଠି ଠିଆହୋଇ କମଳ ହାତ ଠାରି ଡାକୁଛି । ମୋଟର ବନ୍ଦ କରିବାରୁ ସେ ପାଖକୁ ଆସିଲା । କହିଲା–ଆଉ ଦିନେ ଆପଣ ଏମିତି ଏକୁଟିଆ ଯାଉଥିଲେ । ମୁଁ କେତେ ଡାକିଲି, କିନ୍ତୁ ଶୁଣି ପାରିଲେ ନାହିଁ । ଶୁଣିବେ କେମିତି ? ବାପରେ ବାପ୍‍, ଯେଭଳି ଜୋରରେ ଆପଣ ଯା’ନ୍ତି, ଦେଖିଲେ ଦମ୍ ବନ୍ଦ ହୋଇଯିବ ! ଆପଣଙ୍କର ଭୟ ହୁଏନା ?

 

ଅଜିତ୍‍ ଗାଡ଼ିରୁ ତଳକୁ ଓହ୍ଲାଇ ଠିଆହେଲା । କହିଲା–ଆପଣ ଏକୁଟିଆ ଯେ ! ଶିବନାଥ ବାବୁ କାହାନ୍ତି ?

 

କମଳ କହିଲା–ସେ ଘରେ ନାହାନ୍ତି । ଆପଣ ତ ଏକୁଟିଆ ବାହାରିଛନ୍ତି ? ସେଦିନ ବି କେହି ସାଥିରେ ନ ଥିଲେ ।

 

ଅଜିତ୍‍ କହିଲା–ନା, ଏ କେତେ ଦିନ ଆଶୁ ବାବୁଙ୍କ ଦେହ ଭଳ ନ ଥିଲା । ତେଣୁ ସେମାନେ କେହି ବାହାରି ନାହାନ୍ତି । ଆଜି ସେମାନଙ୍କୁ ଅବିନାଶ ବାବୁଙ୍କ ଘରେ ଛାଡ଼ି ଦେଇ ମୁଁ ବୁଲି ବାହାରିଛି । ସନ୍ଧ୍ୟାବେଳେ ମୁଁ କେବେହେଲେ ଘରେ ରହିପାରେନା ।

 

କମଳ କହିଲା–ମୁଁ ବି ରହିପାରେନା, କିନ୍ତୁ ପାରେନା ବୋଲି ଖାଲି କହିଦେଲେ ତ ହବନି–ଗରିବ ଲୋକଙ୍କୁ ସଂସାରରେ ଅନେକ କିଛି କରିବାକୁ ହୁଏ । ଏହା କହି ସେ ଅଜିତ୍‍ର ମୁହଁକୁ ଚାହିଁ ହଠାତ୍ କହିଲା–ମତେ ଟିକିଏ ସାଙ୍ଗରେ ନେବେ ? ଟିକିଏ ବୁଲି ଆସନ୍ତି ।

 

ଅଜିତ୍‍ ମୁସ୍କିଲରେ ପଡ଼ିଲା । ସାଥିରେ ଡ୍ରାଇଭର ପର୍ଯ୍ୟନ୍ତ ବି ନାହିଁ । ଶିବନାଥ ବାବୁ ଘରେ ନାହାନ୍ତି ବୋଲି ତ ଆଗରୁ ଶୁଣିଛି, କିନ୍ତୁ ପ୍ରତ୍ୟାଖ୍ୟାନ କରିବାକୁ ଖରାପ ଲାଗିଲା । ଟିକିଏ ଦ୍ଵିଧା ସହ କହିଲା–ଏଠି ଆପଣଙ୍କର ସାଙ୍ଗସାଥି କେହି ନାହାନ୍ତି, ନା ?

 

କମଳ କହିଲା–ସାଙ୍ଗସାଥି କେଉଁଠୁ ପାଇବି ? ଏ ଅଞ୍ଚଳର ଦଶା ଦେଖୁ ନାହାନ୍ତି ? ସହରର ବାହାରେ କହିଲେ ଚଳେ–ନାଁଟା ସାହ୍‍ଗଞ୍ଜ ନା କ’ଣ–ଏଇ ପାଖରେ ବୋଧହୁଏ ଗୋଟାଏ ଚମଡ଼ା କାରଖାନା ଅଛି । ମୋର ପ୍ରତିବେଶୀ ଖାଲି ମୋଚି । କାରଖାନାକୁ ଯାଆନ୍ତି, ମଦ ଖାଆନ୍ତି, ସାରା ରାତି ହଲ୍ଲା କରନ୍ତି–ଏଇତ ଆମର ପଡ଼ା ।

 

ଅଜିତ୍‍ ପ୍ରଶ୍ନ କଲା–ଏଆଡ଼େ ବୋଧହୁଏ ଭଦ୍ରଲୋକ କେହି ନାହାନ୍ତି ?

 

କମଳ କହିଲା–ବୋଧହୁଏ ନାହାନ୍ତି । ଆଉ ଥିଲେ ବି ସେ ମୋତେ ସେମାନଙ୍କ ଘରକୁ ଛାଡ଼ିବେ କାହିଁକି ? ତା’ ହୋଇଥିଲେ ତ ମଝିରେ ମଝିରେ ଯେତେବେଳେ ବଡ଼ ଏକୁଟିଆ ଲାଗେ ଆପଣମାନଙ୍କ ଘରକୁ ଯାଇପାରୁଥାନ୍ତି । କହୁ କହୁ ସେ ଯାଇ ମୋଟର ଗାଡ଼ି ଭିତରେ ବସିଲା । କହିଲା–ଆସନ୍ତୁ, ଅନେକ ଦିନ ଧରି ମୋଟର ଗାଡ଼ିରେ ଚଢ଼ିନି । ଆଜି ମତେ କିନ୍ତୁ ଅନେକ ଦୂର ବୁଲେଇ ଆଣିବେ ।

 

ଅଜିତ୍‍ ଉପସ୍ଥିତ କର୍ତ୍ତବ୍ୟ ସ୍ଥିର କରିପାରିଲା ନାହିଁ । ସଙ୍କୋଚ ସହ କହିଲା–ବେଶୀ ଦୂର ଗଲେ ରାତି ହୋଇଯିବ । ଶିବନାଥ ବାବୁ ଘରକୁ ଫେରି ଆପଣଙ୍କୁ ନ ଦେଖିଲେ ହୁଏତ କିଛି ମନେକରି ପାରନ୍ତି ।

 

କମଳ କହିଲା–ନା, ମନେକରିବାର କିଛି ନାହିଁ ।

 

ଅଜିତ୍‍ କହିଲା–ତା’ହେଲେ ଡ୍ରାଇଭର୍ ପାଖେ ନ ବସି ଭିତରେ ବସନ୍ତୁନା !

 

କମଳ କହିଲା–ଡ୍ରାଇଭର୍‍ ତ ଆପଣ ନିଜେ । ପାଖରେ ନ ବସିଲେ ଗପ କରିବି କେମିତି ? ଏତେ ପଛରେ ମୁଁ ମୁହଁ ବୁଜି ବସିପାରିବି ନାହିଁ । ଆପଣ ଆସନ୍ତୁ, ଆଉ ଡେରି କରନ୍ତୁ ନାହିଁ ।

 

ଅଜିତ୍‍ ଉଠିଆସି ଗାଡ଼ି ଛାଡ଼ିଦେଲା । ପଥ ସୁନ୍ଦର ଏବଂ ନିର୍ଜନ–କଦାଚିତ୍ ଜଣେ ଅଧେ ବା ଦେଖା ମିଳିଲା–ଏଇ ମାତ୍ର । ଗାଡ଼ିର ବେଗ କ୍ରମଶଃ ଦ୍ରୁତତର ହୋଇ ଉଠିଲା ।

 

କମଳ କହିଲା–ଆପଣ ଜୋରରେ ଗାଡ଼ି ଚଳାଇବାକୁ ଭଲପାଆନ୍ତି, ନା ?

 

ଅଜିତ୍‍ କହିଲା–ହଁ ।

 

‘ଭୟ ଲାଗେନା ?’

 

‘ନା, ମୋର ସେ ଅଭ୍ୟାସ ଅଛି ।’

 

‘ଅଭ୍ୟାସ ତ ମୂଳ ।’ ଏହା କହି କମଳ କିଛି ସମୟ ନୀରବ ରହି କହିଲା–ମୋର ତ ଅଭ୍ୟାସ ନାହିଁ, ମତେ ତ କିନ୍ତୁ ଭଲଲାଗୁଛି । ବୋଧହୁଏ ସ୍ୱଭାବ, ନା ?

 

ଅଜିତ୍‍ କହିଲା–ହଁ, ତା’ ହେଇପାରେ ।

 

କାମଳ କହିଲା–ନିଶ୍ଚୟ, ଅଥଚ ଏଥିରେ ବିପଦ ଅଛି । ଯିଏ ଚଢ଼େ ତା’ର ଏବଂ ଯେ ଚାପା ପଡ଼େ ତା’ର, ନାହିଁ ?

 

ଅଜିତ୍‍ କହିଲା–ନାହିଁ, ଚାପା ପଡ଼ିବ କାହିଁକି ?

 

କମଳ କହିଲା–ପଡ଼ିଲେ ବି କ’ଣ ହେଲା, ଦ୍ରୁତବେଗର ଭାରି ଗୋଟାଏ ଆନନ୍ଦ ଅଛି, ଗାଡ଼ିର ହେଉ ବା ଜୀନନର ହେଉ । କିନ୍ତୁ ଯେଉଁମାନେ ଭୟାଳୁ ଲୋକ, ସେମାନେ ପାରିବେ ନାହିଁ-। ସେମାନେ ସାବଧାନରେ ଧୀରେ ଧୀରେ ଚାଲନ୍ତି । ଭାବନ୍ତି, ପଦକଷ୍ଟ ଯେ ଦୂର ହେଲା, ସେଇ ଯଥେଷ୍ଟ । ବାଟଚଲାକୁ ଫାଙ୍କି ଦେଇ ସେମାନେ ଖୁସୀ, କିନ୍ତୁ ନିଜ ଫାଙ୍କିର ଟେର୍ ପାଆନ୍ତି ନାହିଁ-। ଠିକ୍ ନା ଅଜିତ୍‍ ବାବୁ ?

 

କଥାଟା ଅଜିତ୍‍ ବୁଝିପାରିଲା ନାହିଁ–କହିଲା–ତା’ ଅର୍ଥ ?

 

କମଳ ତା’ ମୁହଁକୁ ଚାହିଁ ଟିକିଏ ହସିଲା । କିଛି ସମୟ ପରେ ମୁଣ୍ଡ ହଲାଇ–ନାଇଁ, ମାନେ କିଛି ନାହିଁ, ଏମିତି ।

 

କଥାଟା ସେ ଯେ ବୁଝେଇବାକୁ ଚାହେଁନି, ଏଇଆ ବୁଝାଗଲା ।

 

ଅନ୍ଧକାର ଗାଢ଼ତର ହୋଇ ଆସିଲାଣି । ଅଜିତ୍‍ ଫେରିବାକୁ କହିବାରୁ କମଳ କହିଲା–ଏଇ ଭିତରେ ? ଚାଲନ୍ତୁ, ଆଉ ଟିକିଏ ଯିବା ।

 

ଅଜିତ୍‍ କହିଲା–ଅନେକ ଦୂରକୁ ଆସିଲେଣି, ଫେରିବାକୁ ରାତି ହେବ ।

 

କମଳ କହିଲା–ହେଲା ବି ରାତି !

 

‘କିନ୍ତୁ ଶିବନାଥ ବାବୁ ହୁଏତ ବିରକ୍ତ ହେବେ ।’

 

କମଳ କହିଲା–ହୁଅନ୍ତୁ ।

 

ଅଜିତ୍‍ ମନେମନେ ବିସ୍ମିତ ହୋଇ କହିଲା–କିନ୍ତୁ ଆଶୁ ବାବୁଙ୍କୁ ଘରକୁ ଫେରାଇ ନେବାକୁ ହେବ । ବିଳମ୍ଵ ହେଲେ ଭଲ ହେବନି ।

 

କମଳ ପ୍ରତ୍ୟୁତ୍ତରରେ କହିଲା–ଆଗ୍ରା ସହରରେ ତ ଗାଡ଼ିର ଅଭାବ ନାହିଁ, ସେମାନେ ଅନାୟାସରେ ଯାଇପାରିବେ । ଚାଲନ୍ତୁ ଆଉ ଟିକିଏ ।’ ଏହା କହି କମଳ ତାକୁ ଏକରକମ ଜୋର୍ କରି ଆଗକୁ ନେଇ ଚାଲିଲା ।

 

କ୍ରମଶଃ ପଥ ଜନହୀନ ଓ ରାତ୍ରିର ଅନ୍ଧକାର ଗାଢ଼ତର ହୋଇ ଉଠିଲା । ଚାରିଦିଗର ଦିଗନ୍ତବିସ୍ତୃତ ପ୍ରାନ୍ତର ନିରତିଶୟ ସ୍ତବ୍ଧ । ଅଜିତ୍‍ ହଠାତ୍ ଉଦ୍‍ବିଗ୍ନ ଚିତ୍ତରେ ଗାଡ଼ିର ଗତିରୋଧ କରି କହିଲା–ଆଉ ନୁହେଁ, ଏଥର ଚାଲନ୍ତୁ ।

 

କମଳ କହିଲା–ହଉ ।

 

ଫେରିବା ବାଟରେ ସେ କହିଲା–ଭବୁଥିଲି ମିଥ୍ୟା ସାଙ୍ଗରେ ରଫା କରିବାକୁ ଯାଇ ମଣିଷ ଜୀବନର କେତେ ଅମୂଲ୍ୟ ସମ୍ପଦ ନଷ୍ଟ କରେନା ! ମତେ ଏକୁଟିଆ ଧରି ଯିବାକୁ ଆପଣଙ୍କୁ କେତେ ସଂକୋଚ ହେଉ ନ ଥିଲା । ମୁଁ ଯଦି ସେଇ ଭୟରେ ପଛେଇ ଯାଇଥାନ୍ତି, ଏଭଳି ଆନନ୍ଦ ଭାଗ୍ୟରେ ଜୁଟି ନ ଥାନ୍ତା ।

 

ଅଜିତ୍‍ କହିଲା–କିନ୍ତୁ ଶେଷପର୍ଯ୍ୟନ୍ତ ନ ଦେଖି ନିଶ୍ଚୟ କରି ତ କିଛି କହି ହେବ ନାହିଁ । ଫେରିଯାଇ ହୁଏତ ଦେଖିବେ ଭାଗ୍ୟରେ ଆନନ୍ଦ ସ୍ଥାନରେ ନିରାନନ୍ଦ ହିଁ ଲେଖା ଅଛି ।

 

କମଳ କହିଲା–ଏଇ ଅନ୍ଧକାର ନିର୍ଜନ ପଥରେ ଏକୁଟିଆ ଆପଣଙ୍କ ପାଖରେ ବସି କେତେବାଟ ଉର୍ଦ୍ଧ୍ଵଶ୍ୱାସରେ ଦଉଡ଼ି ନ ଆସିଲି ! ଆଜି ମତେ ଯେତେ ଭଲଲାଗୁଛି କହି ହେବନି ।

 

ଅଜିତ୍‍ ବୁଝିଲା–କମଳ ତା’ କଥାରେ କାନ ଦେଇନାହିଁ, ସେ ଯେପରି ନିଜକୁ କହୁଥିଲା-। ଶୁଣି ଲଜ୍ଜା ପାଇବାର ହୁଏତ କିଛି ନାହିଁ, ତେବେ ବି ସେ ପ୍ରଥମେ କିଛିଟା ସଙ୍କୁଚିତ ହୋଇ ପଡ଼ିଲା ।ଏଇ ଝିଅଟି ସମ୍ପର୍କରେ ବିରୁଦ୍ଧ କଳ୍ପନା ଓ ଅଶୁଭ ଜନଶ୍ରୁତି ବ୍ୟତୀତ ବୋଧହୁଏ କେହି କିଛି ଜାଣନ୍ତି ନାହିଁ–ଯାହା ଜାଣନ୍ତି ତା’ର ହୁଏତ ଅନେକ ଅଂଶ ମିଥ୍ୟା ଏବଂ ସତ୍ୟ ଯାହା ଅଛି ସେଥିରେ ଅସତ୍ୟର ଛାୟା ଏପରି ନିବିଡ଼ ଯେ ସତ୍ୟ-ମିଥ୍ୟା ବାଛି ପାରିବାର ଉପାୟ ନାହିଁ ।

 

ଅଜିତ୍‍ ଚୁପ୍ ହୋଇ ବସିଥିଲା, ହଠାତ୍ କମଳର ଚେତନା ଫେରିଆସିଲା ଯେମିତି । କହିଲା–ହଁ, କ’ଣ କହୁଥିଲେ–ଫେରିଗଲେ ଦେଖିବି ଭାଗ୍ୟରେ ଆନନ୍ଦ ପରିବର୍ତ୍ତେ ନିରାନନ୍ଦହିଁ ଲେଖାଅଛି !

 

ଅଜିତ୍‍ କହିଲା–ତା’ହେଲେ ?

 

କମଳ କହିଲା–ତା’ହେଲେ ବି ପ୍ରମାଣ ହୁଏନା ଯେ, ଆଜି ଯେଉଁ ଆନନ୍ଦ ପାଇଲି, ତା’ ପାଇନି ।

 

ଏଥର ଅଜିତ୍‍ ହସିଲା । କହିଲା–ତା’ ଅବଶ୍ୟ ପ୍ରମାଣ ହୁଏନା, କିନ୍ତୁ ଏ କଥା ପ୍ରମାଣ ହେଉଛି ଯେ ଆପଣ କମ୍ ତାର୍କିକ ନୁହନ୍ତି ! ଆପଣଙ୍କ ସାଙ୍ଗେ କଥାରେ ପାରିବା କଷ୍ଟ ।

 

‘ଅର୍ଥାତ୍‍–ଯାହାକୁ କୂଟତାର୍କିକ କୁହାଯାଏ, ମୁଁ ସେଇ ?’

 

ଅଜିତ୍‍ କହିଲା–ନା, ତା’ ନୁହେଁ, କିନ୍ତୁ ଯାହାର ଶେଷଫଳ ଦୁଃଖରେ ଶେଷ ହୁଏ, ତା’ର ମୂଳରୁ ଯେତେ ଆନନ୍ଦ ଥାଉନା କାହିଁକି, ତାକୁ ପ୍ରକୃତ ଆନନ୍ଦ କୁହାଯାଇ ପାରେନା । ଏ କଥା ତ ଆପଣ ନିଶ୍ଚୟ ମାନିବେ ?

 

କମଳ କହିଲା–ନା ମୁଁ ମାନେନା । ମୁଁ କେବଳ ଏଇ କଥା ମାନେ ଯେ, ଯେତେବେଳେ ଯାହା ପାଇବି ତାକୁ ଯେମିତି ସତ୍ୟ ବୋଲି ଗ୍ରହଣ କରିପାରିବି । ଦୁଃଖର ଦାହ ଯେପରି ମୋର ସୁଖର ଶିଶିରବିନ୍ଦୁଗୁଡ଼ିକୁ ଶୋଷଣ କରି ନ ନିଏ । ସେ ଯେତେ ଅଳ୍ପ ହେଉନା କାହିଁକି, ତା’ର ପରିମାଣ ସଂସାରରେ ଯେତେ ତୁଚ୍ଛ ହେଉନା କାହିଁକି, ତାକୁ ମୁଁ ଯେପରି ଅସ୍ୱୀକାର ନ କରେ । ଏକ ଦିନର ଆନନ୍ଦ ଯେପରି ଅନ୍ୟ ଏକ ଦିନର ନିରାନନ୍ଦ ପାଖରେ ଲଜ୍ଜାବୋଧ ନ କରେ ।’ ଏହା କହି ସେ କିଛି ସମୟ ସ୍ତବ୍ଧ ରହି କହିଲା–ଏ ଜୀବନରେ ସୁଖଦୁଃଖ କୌଣସିଟା ସତ୍ୟ ନୁହେଁ ଅଜିତ୍‍ ବାବୁ, ସତ୍ୟ ଚଞ୍ଚଳ ମୁହୂର୍ତ୍ତଗୁଡ଼ିକ, ସତ୍ୟ କେବଳ ତା’ର ଚଳମାନ ଛନ୍ଦ ଟିକକ । ବୁଦ୍ଧି ଏବଂ ହୃଦୟ ସହ ଏହାକୁ ପାଇବା ତ ପ୍ରକୃତ ପ୍ରାପ୍ତି ! ଏୟା କ’ଣ ଠିକ୍ ନୁହେଁ ?

 

ଏ ପ୍ରଶ୍ନର ଉତ୍ତର ଅଜିତ୍‍ ଦେଇପାରିଲା ନାହିଁ । କିନ୍ତୁ ତା’ର ମନେହେଲା ଯେ ଅନ୍ଧାରରେ କମଳର ଦୁଇ ଆଖି ଏକାନ୍ତ ଆଗ୍ରହର ସହ ତା’ ଆଡ଼କୁ ଚାହିଁ ରହିଛି । ସେ ଯେପରି ନିଶ୍ଚୟ କିଛି ଗୋଟାଏ ଶୁଣିବାକୁ ଚାହେଁ ।

 

‘କାହିଁ, ଜବାବ୍‍ ଦେଲେନି ତ ?’

 

‘ଆପଣଙ୍କ କଥାଗୁଡ଼ିକ ସ୍ପଷ୍ଟ ବୁଝିପାରିଲି ନାହିଁ ।’

 

‘ପାରିଲେ ନାହିଁ ?’

 

‘ନା ।’

 

ଗୋଟାଏ ଚାପା ନିଃଶ୍ୱାସ ପକାଇ କମଳ ଧୀରେ ଧୀରେ କହିଲା–ତା’ର ମାନେ ସ୍ପଷ୍ଟଭାବେ ବୁଝିବାର ସମୟ ଆପଣଙ୍କର ଏପର୍ଯ୍ୟନ୍ତ ହୋଇନି । ଯଦି କେତେବେଳେ ଦରକାର ହୁଏ, ମତେ ମନେପକେଇବେ । ମନେପକେଇବେ ତ ?

 

ଅଜିତ୍‍ କହିଲା–ହଁ ।

 

ଗାଡ଼ି ଆସି ସେଇ ଭଙ୍ଗା କୋଠା ଦୁଆରେ ରହିଲା । ଅଜିତ୍‍ ଗାଡ଼ିର ଦ୍ୱାର ଖୋଲି ରାସ୍ତାରେ ଆସି ଠିଆହେଲା । ଘରଆଡ଼କୁ ଚାହିଁ କହିଲା–କେଉଁଠି ଟିକିଏ ଆଲୁଅ ନାହିଁ, ସମସ୍ତେ ବୋଧହୁଏ ଶୋଇ ପଡ଼ିଲେଣି ।

 

କମଳ ଓହ୍ଲାଇ ଆସି କହିଲା–ବୋଧହୁଏ ।

 

ଅଜିତ୍‍ କହିଲା–ଦେଖନ୍ତୁ ତ ଆପଣଙ୍କର ଅନ୍ୟାୟ । କାହାକୁ ନ ଜଣାଇ ଚାଲିଗଲେ, ଶିବନାଥ ବାବୁ ହୁଏତ କେତେ ଦୁର୍ଭାବନାରେ ପଡ଼ିଥିବେ ।

 

କମଳ କହିଲା–ହଁ, ଦୁର୍ଭାବନା ଚାପରେ ଶୋଇପଡ଼ିଛନ୍ତି ବୋଧହୁଏ ।

 

ଅଜିତ୍‍ କହିଲା–ଏ ଅନ୍ଧାରରେ ଯିବେ କେମିତି ? ଗାଡ଼ିରେ ଗୋଟାଏ ଛୋଟ ହାତ ଲଣ୍ଠନ ଅଛି, ସେଇଟା ଜଳେଇ ସାଙ୍ଗରେ ଦେବି ?

 

କମଳ ଅତ୍ୟନ୍ତ ଖୁସି ହୋଇ କହିଲା–ତା’ହେଲେ ତ ରକ୍ଷା ଅଜିତ୍‍ ବାବୁ, ଆପଣଙ୍କୁ ଟିକିଏ ଚା’ ଖାଇବାକୁ ଦେଇପାରିବି ।

 

ଅଜିତ୍‍ ଅନୁନୟ କଣ୍ଠରେ କହିଲା–ଆଉ ଯା’ ହୁକୁମ୍ କରନ୍ତୁ ପାଳନ କରିବି, କିନ୍ତୁ ଏତେ ରାତିରେ ଚା’ ଖାଇବାର ଅନୁରୋଧ କରନ୍ତୁ ନାହିଁ । ଚାଲନ୍ତୁ, ଆପଣଙ୍କୁ ଛାଡ଼ିଦେଇ ଆସିବି ।

 

ସଦର ଦରଜାରେ ହାତ ମାରିବାରୁ ଖୋଲିଗଲା । ଭିତର ବାରଣ୍ଡାରେ ଜଣେ ହିନ୍ଦୁସ୍ଥାନୀ ଦାସୀ ଘୁମାଉଥିଲା, ପାଟି ଶୁଣି ଉଠି ବସିଲା । ଉପରେ ଛୋଟ ଛୋଟ ଦୁଇଟି ବଖରା । ଅତିଶୟ ସଂକୀର୍ଣ୍ଣ ସିଡ଼ିର ତଳେ ମିଞ୍ଜି ମିଞ୍ଜି ହୋଇ ଗୋଟିଏ ଛୋଟ ହ୍ୟାରିକେନ୍ ଲଣ୍ଠନ ଜଳୁଛି । ସେଇଟା ହାତରେ ଧରି କମଳ ତାକୁ ଉପରକୁ ଡାକିବାରୁ ଅଜିତ୍‍ ସଂକୋଚରେ କହିଲା–‘ନା, ଏଥର ମୁଁ ଯାଏ-। ଅନେକ ରାତି ହେଲାଣି ।’ କମଳ ଜିଦ୍ ଧରି କହିଲା–ସେ କଥା ହେବନି, ଆସନ୍ତୁ । ଅଜିତ୍‍ ତଥାପି ଦ୍ୱିଧା କରୁଛି ଦେଖି ସେ କହିଲା–ଆପଣ ଭାବୁଛନ୍ତି ଯେ ଏଟା ବୋଧହୁଏ ଶିବନାଥ ବାବୁଙ୍କ ନିକଟରେ ଖୁବ୍ ଗୋଟାଏ ଲଜ୍ଜାର ଜିନିଷ ପରି ଜଣାପଡ଼ିବ । କିନ୍ତୁ ନ ଆସିଲେ ଲଜ୍ଜା ଏହାଠାରୁ ବହୁଗୁଣ ବଢ଼ିଯିବ, ଏକଥା ଭୁଲି ଯାଉଛନ୍ତି କାହିଁକି ? ଆସନ୍ତୁ । ତଳୁ ଏପରି ଭାବେ ଆପଣଙ୍କୁ ଛାଡ଼ିଦେଲେ ସାରା ରାତି ମତେ ନିଦ ଲାଗିବ ନାହିଁ ।

 

ଅଜିତ୍‍ ଉଠିଆସି ଦେଖିଲା ଯେ ଘରେ ଆସ୍‍ବାବ୍‍ପତ୍ର ନାହିଁ କହିଲେ ଚଳେ । ଅଳ୍ପ ମୂଲ୍ୟର ଖଣ୍ଡିଏ ଆରାମ୍‍ ଚେୟାର୍, ଖଣ୍ଡିଏ ଛୋଟ ଟେବୁଲ୍, ଗୋଟିଏ ଟୁଲ୍, ତିନିଟା ଟ୍ରଙ୍କ୍, ଗୋଟିଏ ପୁରୁଣା ଲୁହା ଖଟ ଉପରେ ବିଛଣା ତକିଆ ଗଦା ହୋଇଛି–ଯେପରି ସାଧାରଣତଃ ତା’ର ପ୍ରୟୋଜନ ନାହିଁ । ଘର ଶୂନ୍ୟ–ଶିବନାଥ ବାବୁ ନାହାନ୍ତି ।

 

ଅଜିତ୍‍ ବିସ୍ମିତ ହେଲା କିନ୍ତୁ ମନେମନେ ସ୍ଵସ୍ତି ବୋଧକରି କହିଲା–କାହିଁ, ସେ ଏପର୍ଯ୍ୟନ୍ତ ଆସି ନାହାନ୍ତି ତ ?

 

କମଳ କହିଲା–ନା ।

 

ଅଜିତ୍‍ କହିଲା–ଆଜି ବୋଧହୁଏ ଆମର ସେଠି ତାଙ୍କର ଗାନବାଜଣା ଖୁବ୍ ଜୋରସୋର୍ ଚାଲିଛି ।

 

‘କେମିତି ଜାଣିଲେ ?’

 

‘କାଲି ପ’ରଦିନ ଦି ଦିନ ଯାଇନାହାନ୍ତି । ଆଜି ହାତରେ ପାଇ ଆଶୁ ବାବୁ ବୋଧହୁଏ ସବୁ କ୍ଷତିପୂରଣ କରି ନେଉଛନ୍ତି ।’

 

କମଳ ପ୍ରଶ୍ନ କଲା–ରୋଜ୍ ଯା’ନ୍ତି, ଏ ଦୁଇଦିନ ଯାଇନାହାନ୍ତି କାହିଁକି ?

 

ଅଜିତ୍‍ କହିଲା–ସେ ଖବର ମୋ ଅପେକ୍ଷା ଆପଣ ବେଶୀ ଜାଣନ୍ତି । ସମ୍ଭବତଃ ଆପଣ ଛାଡ଼ି ନ ଦେବାରୁ ଯାଇପାରି ନାହାନ୍ତି । ନ ହେଲେ ସ୍ଵେଚ୍ଛାରେ ସେ ତ ଗର୍‍ହାଜିର୍ ହେବା ଦେଖାଯାଏନି ।

 

କମଳ କିଛି ସମୟ ତା’ର ମୁହଁକୁ ଚାହିଁ ଅକସ୍ମାତ୍ ହସି ଉଠିଲା । କହିଲା–କିଏ ଜାଣେ ସେ ସେଠିକି ଗାନବାଜଣା କରିବାକୁ ଯା’ନ୍ତି ବୋଲି । ବାସ୍ତବିକ, ମଣିଷକୁ ଜବରଦସ୍ତି ଧରି ରଖିବା ଅତି ଅନ୍ୟାୟ, ନା !

 

ଅଜିତ୍‍ କହିଲା–ନିଶ୍ଚୟ ।

 

କମଳ କହିଲା–ସେ ଭଲଲୋକ, ସେଇଥିପାଇଁ ଏ ଦଶା । ଆଚ୍ଛା, ଆପଣଙ୍କୁ ଯଦି କିଏ ଧରି ରଖନ୍ତା, ରହନ୍ତେ ?

 

ଅଜିତ୍‍ କହିଲା–ନା । ତା’ଛଡ଼ା ମତେ ଧରି ରଖିବା ପାଇଁ ତ କେହି ନାହାନ୍ତି ?

 

କମଳ ହସି ହସି କହିଲା–ଏଇତ ମୁସ୍କିଲ୍ । ଧରି ରଖିବା ପାଇଁ କିଏ କେଉଁଠି ଲୁଚି ରହିଛି, କେମିତି ଜାଣିବେ ? ଏଇ ମୁଁ ଯେ ଆପଣଙ୍କୁ ସନ୍ଧ୍ୟାଠାରୁ ଏତେବେଳଯାଏଁ ଧରି ରଖିଛି, ତା’ର ତ ଟେର୍ ପାଇ ନାହାନ୍ତି । ଥାଉ, ସେ ସବୁ କଥାରେ ତର୍କ କରି ବା ଲାଭ କ’ଣ ? କିନ୍ତୁ କଥାରେ କଥାରେ ତ ଡେରି ହେଇ ଯାଉଛି । ମୁଁ ଯାଏ, ଆରଘରୁ ଚା’ କରି ଆଣେ ।

 

‘ମୁଁ କ’ଣ ଏଠି ଏକୁଟିଆ ଚୁପ୍ ହେଇ ବସିଥିବି ? ସେ କଥା ହବନି ।’

 

‘ହବାର ଦରକାର କ’ଣ ।’ ଏହା କହି କମଳ ତାକୁ ସାଙ୍ଗରେ ପାଖଘରକୁ ନେଇ ଗୋଟାଏ ନୂଆ ଆସନ ପକାଇ ଦେଇ କହିଲା–ବସନ୍ତୁ । ଏ ଦୁନିଆର ବ୍ୟାପାର ବଡ଼ ବିଚିତ୍ର ଅଜିତ୍‍ ବାବୁ । ସେଦିନ ଏଇ ଆସନ ଖଣ୍ଡିକ ପସନ୍ଦ କରି କିଣିଲାବେଳେ ଭାବିଥିଲି ଯେ ଜଣକୁ ବସିବାକୁ ଦେଇ କିହିବି...ଛାଡ଼ନ୍ତୁ, ସେ କଥା ତ ଆଉ ଜଣଙ୍କୁ କୁହାଯାଇ ପାରେନା । ତେବେ ଆପଣଙ୍କୁ ବସିବାକୁ ଦେଉଛି । କେତେ ସାମାନ୍ୟ ସମୟର ବା ବ୍ୟବଧାନ !

 

ଏହାର ଅର୍ଥ ତ କେତେ ପ୍ରକାର ହୋଇପାରେ–ହୁଏତ ଅତି ସହଜ କିମ୍ବା ଅତି ଦୁରୂହ । ତଥାପି ଅଜିତ୍‍ ଲଜ୍ଜାରେ ଲାଲ୍ ପଡ଼ିଗଲା । ଦ୍ଵିଧା ସହ ସେ କହିଲା–ତେବେ ତାକୁ ବସିବାକୁ ଦେଲେନି କାହିଁକି ?

 

କମଳ କହିଲା–ଏଇତ ମଣିଷର ବିରାଟ ଭୁଲ୍‍ । ଭାବେ ସବୁ ବୋଧହୁଏ ତା’ ହାତରେ କିନ୍ତୁ କେଉଁଠି ବସି କିଏ ଯେ ସବୁ ଓଲଟପାଲଟ କରି ଦିଏ, କେହି ତା’ର ସନ୍ଧାନ ପାଏନା । ଆପଣଙ୍କ ଚାହାରେ କ’ଣ ବେଶୀ ଚିନି ଦେବି ?

 

ଅଜିତ୍‍ କହିଲା–ଦିଅନ୍ତୁ । ଚିନି ଓ ଦୁଧ ଲୋଭରେ ମୁଁ ଚା’ ଖାଏ, ନ ହେଲେ ଏଥିରେ ମୋର କୌଣସି ଆଗ୍ରହ ନାହିଁ ।

 

କମଳ କହିଲା–ମୋର ବି ଠିକ୍ ତା’ । କାହିଁକି ଯେ ମଣିଷ ଏଗୁଡ଼ାକ ଖାଏ ମୁଁ ବୁଝିପାରେନା । ଅଥଚ ଚାହାର ଦେଶରେ ମୋର ଜନ୍ମ ।

 

‘ଆପଣଙ୍କ ଜନ୍ମଭୂମି ତା’ହେଲେ ଆସାମ ?’

 

‘କେବଳ ଆସାମ ନୁହେଁ, ଚା’ ବଗିଚା ଭିତରେ ।’

 

‘ତେବେ ବି ଆପଣଙ୍କର ଚାହାରେ ରୁଚି ନାହିଁ ?’

 

‘ଏକବାରେ ନାହିଁ । ଲୋକେ ଦେଲେ କେବଳ ଭଦ୍ରତା ଖାତିରରେ ଖାଏ ।’

 

ଅଜିତ୍‍ ଚା’ କପ୍ ଧରି ଚାରିଆଡ଼କୁ ଚାହିଁ କହିଲା–ଏଇ ବୋଧହୁଏ ଆପଣଙ୍କ ରନ୍ଧାଘର-?

 

କମଳ କହିଲା–ହଁ ।

 

ଅଜିତ୍‍ ଇତସ୍ତତଃ କରିବାକୁ ଲାଗିଲା । କମଳ ହସ ହସ ମୁହଁରେ ତା’ ଆଡ଼କୁ ଚାହିଁ କହିଲା–ଏଥର ପଚାରନ୍ତୁ ତା’ହେଲେ ଆପଣ କ’ଣ ଖାଇବେ ? ତା’ ଉତ୍ତରରେ ମୁଁ କହିବି–ରାତିରେ ମୁଁ ଖାଏନା । ଦିନରେ ମାତ୍ର ଥରେ ଖାଏ ।

 

‘କେବଳ ଥରେ ଖାଆନ୍ତି ?’

 

କମଳ କହିଲା–ହଁ । ୟା’ପରେ ଆପଣଙ୍କର ମନେ ହେବା ଉଚିତ–ତା’ହେଲେ ଶିବନାଥ ବାବୁ ଘରକୁ ଆସି କ’ଣ ଖାଇବେ ? ତାଙ୍କ ଖାଇବା ତ ମୁଁ ଦେଖିଛି–ସେ ତ ଆଉଥରେ ଖାଆନ୍ତି ନାହିଁ ? ତେବେ ? ୟା ଉତ୍ତରରେ ମୁଁ କହିବି ସେ ତ ଆପଣଙ୍କ ଘରେ ଖାଇ ଆସିବେ, ତାଙ୍କର ଭାବନା କ’ଣ ? ଆପଣ କହିବେ–ତା’ ଅବଶ୍ୟ, କିନ୍ତୁ ସେ ତ ସବୁଦିନ ଖାଆନ୍ତି ନାହିଁ । ଶୁଣି ମୁଁ ଭାବିବି–ଏ କଥା ପର ଲୋକକୁ କହି ବା ଲାଭ କ’ଣ ? କିନ୍ତୁ ସେଥିରେ ଆପଣ ନିରସ୍ତ ହେବେ ନାହିଁ । ସେତେବେଳେ ମୋତେ ବାଧ୍ୟ ହୋଇ କହିବାକୁ ପଡ଼ିବ–ଅଜିତ୍‍ ବାବୁ, ଆପଣଙ୍କର ଭୟ କରିବାର କିଛି ନାହିଁ, ସେ ଏଠାକୁ ଆଉ ଆସନ୍ତି ନାହିଁ । ଶୈବ-ବିବାହର ଶିବାନୀର ମୋହବୋଧ ତାଙ୍କର କଟି ଗଲାଣି ।

 

ଅଜିତ୍‍ ଏତେବେଳକୁ ଏ କଥାର ଅର୍ଥ ବୁଝିପାରିଲା । ଗଭୀର ବିସ୍ମୟରେ ତା’ ମୁହଁକୁ ଚାହିଁ କହିଲା–ୟା ଅର୍ଥ ? ଆପଣ କ’ଣ ରାଗରେ ଏ କଥା କହୁଛନ୍ତି ?

 

କମଳ କହିଲା–ନା, ରାଗରେ ନୁହେଁ । ରାଗିବାର ଜୋର୍ ବୋଧହୁଏ ମୋର ଆଜି ଆଉ ନାହିଁ । ମୁଁ ଜାଣିଥିଲି ସେ ପଥର କିଣିବା ପାଇଁ ଜୟପୁର ଯାଇଛନ୍ତି; ଆପଣଙ୍କରଠାରୁ ପ୍ରଥମେ ଖବର ପାଇଲି ଯେ ସେ ଆଗ୍ରା ଛାଡ଼ି କୁଆଡ଼େ ଯାଇନାହାନ୍ତି । ଚାଲନ୍ତୁ, ସେ ଘରେ ବସିବା ।

 

ଏପାଖ ଘରକୁ ଆସି କମଳ କହିଲା–ଏଇଟା ଆମର ଶୋଇବା ଘର । ସେତେବେଳେ ବି ୟାଠୁ ବେଶୀ ଜିନିଷ ଏ ଘରେ ନ ଥିଲା–ଏବେ ବି ନାହିଁ । କିନ୍ତୁ ସେଦିନ ଏ ଘରର ଚେହେରା ଦେଖିଥିଲେ ଆଜି ମୋତେ କହିବାକୁ ପଡ଼ି ନ ଥାନ୍ତା ଯେ ମୁଁ ରାଗିନି । କିନ୍ତୁ ଆପଣଙ୍କର ତ ବେଶୀ ରାତି ହୋଇଯାଉଛି ଅଜିତ୍‍ ବାବୁ ? ଆଉ ତ ଡେରି କଲେ ଚଳିବ ନାହିଁ ।

 

ଅଜିତ୍‍ ଉଠି ଠିଆହୋଇ କହିଲା–ହଁ, ତା’ହେଲେ ମୁଁ ଆଜି ଯାଉଛି ।

 

କମଳ ସଙ୍ଗେ ସଙ୍ଗେ ଉଠି ଠିଆହେଲା ।

 

ଅଜିତ୍‍ କହିଲା–ଯଦି ଅନୁମତି ଦେବେ ତ କାଲି ଆସିବି ।

 

‘ହଁ, ଆସିବେ’ କହି ସେ ପଛେ ପଛେ ତଳକୁ ଓହ୍ଲାଇ ଆସିଲା ।

 

ଅଜିତ୍‍ ସାମାନ୍ୟ ଇତସ୍ତତଃ କରି କହିଲା–ଯଦି ଦୋଷ ନ ଦେବେ ତ ଗୋଟାଏ କଥା ପଚାରିବି; ଶିବନାଥ ବାବୁ ପ୍ରାୟ କେତେଦିନ ହେଲା ଆସି ନାହାନ୍ତି ?

 

‘ଅନେକ ଦିନ ହେଲାଣି’ କହି କମଳ ହସିଲା । ଅଜିତ୍‍ ତା’ର ଲଣ୍ଠନ ଆଲୋକରେ ସ୍ପଷ୍ଟ ଦେଖିପାରିଲା ଯେ ଏ ହସର ରୀତି ସ୍ଵତନ୍ତ୍ର । ତା’ର ପୂର୍ବର ହସ ସହ ଏହାର କେଉଁଠି ସାମାନ୍ୟତମ ସଦୃଶ୍ୟ ନାହିଁ ।

 

(ନଅ)

 

ଅଜିତ୍‍ ଘରକୁ ଫେରିଲାବେଳକୁ ଗଭୀର ରାତ୍ରି । ଦୋକାନପତ୍ର ବନ୍ଦ ହୋଇଗଲାଣି । କେଉଁଠି ମଣିଷ ଗତାଗତର ଚିହ୍ନ ନାହିଁ । ଘଡ଼ି ଖୋଲି ଦେଖିଲା ଯେ ଚାବି ଅଭାବରୁ ଆଠଟା ବାଜି ବନ୍ଦ ହୋଇଯାଇଛି । ବର୍ତ୍ତମାନ ହୁଏତ ଗୋଟାଏ ବା ଦୁଇଟା–ଠିକ୍ କେତେ ବାଜିଛି ଅନ୍ଦାଜ କରିପାରିଲା ନାହିଁ । ଆଶୁ ବାବୁଙ୍କ ଘରେ ଯେ ସମସ୍ତେ ବ୍ୟସ୍ତ ହୋଇ ଯିବେଣି, ସନ୍ଦେହ ନାହିଁ । ଶୋଇବା କଥା ଦୂରେ ଥାଉ, ହୁଏତ ଖିଆପିଆ ବି ହୋଇ ନ ଥିବ । ଫେରି ଯେ ସେ କ’ଣ କହିବ କିଛି ଭାବିପାରିଲା ନାହିଁ । ସତ କଥା ତ କୁହାଯାଇ ପାରେନା । କାହିଁକି ଯେ କୁହାଯାଇ ପାରେନା, ସେ ସମ୍ପର୍କରେ ତର୍କ କରିବା ନିଷ୍ଫଳ, କିନ୍ତୁ କୁହାଯାଇ ପାରିବ ନି ନିଶ୍ଚୟ । ବରଂ ମିଛ କଥା କହି ହେବ । କିନ୍ତୁ ମିଛ କଥା କହିବାର ଅଭ୍ୟାସ ତା’ର ନ ଥିଲା, ନ ହେଲେ ମୋଟର ଗାଡ଼ିରେ ଏକୁଟିଆ ବସି କ’ଣ କହିବ, ଭାବିବାକୁ ହୁଅନ୍ତା ନାହିଁ ।

 

ଗେଟ୍ ଖୋଲା ଥିଲା । ଦରୱାନ୍ ସଲାମ୍ କରି କହିଲା ଯେ ଡ୍ରାଇଭର ନାହିଁ, ତାକୁ ଖୋଜିବାକୁ ଯାଇଛି । ଗାଡ଼ି ଗ୍ୟାରେଜରେ ରଖି ଅଜିତ୍‍ ଆଶୁ ବାବୁଙ୍କ ବୈଠକଖାନ ଭିତରକୁ ଯାଇ ଦେଖିଲା, ସେ ସେ ପର୍ଯ୍ୟନ୍ତ ଶୋଇ ନାହାନ୍ତି । ଅସୁସ୍ଥ ଶରୀରରେ ତା’ପାଇଁ ଅପେକ୍ଷା କରି ବସିଛନ୍ତି-। ତାକୁ ଦେଖି ସିଧା ହୋଇ ବସି କହିଲେ–ଏଇ ଯେ ଅଜିତ୍‍ ! ମୁଁ ବାରମ୍ବାର କହୁଛି, କ’ଣ ଗୋଟାଏ ଆକ୍ସିଡେଣ୍ଟ୍ ହୋଇଛି ନିଶ୍ଚୟ । କେତେଥର ତମକୁ କହିଛି, ଏକୁଟିଆ କେବେ ବାହାରିବ ନାହିଁ-। ବୁଢ଼ାର କଥା ହେଲା ତ ଏବେ ? ଶିକ୍ଷା ପାଇଗଲ ?

 

ଅଜିତ୍‍ ଟିକିଏ ସଲ୍ଲଜ ହସି କହିଲା–ଆପଣମାନଙ୍କୁ ଏତେ ଭାବନାରେ ପକାଇଥିବାରୁ ପ୍ରକୃତରେ ମୁଁ ଖୁବ୍ ଦୁଃଖିତ ।

 

‘ଦୁଃଖ କାଲି କରିବ । ଘଡ଼ିକୁ ଚାହିଁଲ–ଦୁଇଟା ବାଜିଲାଣି । କ’ଣ ଦି’ଟା ଖାଇଦେଇ ଯାଅ ଶୋଇ ପଡ଼ିବ । କାଲି ସବୁ କଥା ଶୁଣିବ । ଯଦୁ ! ଯଦୁ ! ସେ ବି ତମକୁ ଖୋଜିବାକୁ ଯାଇଛି କି ?’

 

ଅଜିତ୍‍ କହିଲା–ଦେଖନ୍ତୁ–କି ଅନ୍ୟାୟ କଥା ଆପଣଙ୍କର ! ଏତେ ବଡ଼ ସହରରେ ସେ ବା ମତେ କେଉଁଠି ଖୋଜିବ ?

 

ଆଶୁ ବାବୁ କହିଲେ–ତମେ ତ କହିଲ ଅନ୍ୟାୟ; କିନ୍ତୁ ଆମ ଅବସ୍ଥା ଯାହା ହେଲାଣି ତା’ ଆମେ ଜାଣୁ । ଏଗାରଟାବେଳୁ ଶିବନାଥ ବାବୁଙ୍କ ଗାଉଣାବାଜଣା ବନ୍ଦ ହେଲାଣି । ସେତେବେଳଠୁ–ମଣିଟା କୁଆଡ଼େ ଗଲା ? ତାକୁ ତ ସେତେବେଳଠୁ ଦେଖିନି !

 

ଅଜିତ୍‍ କହିଲା–ବୋଧହୁଏ ଶୋଇ ପଡ଼ିଲେଣି ।

 

ଶୋଇବ କ’ଣ ? ସେ ପରା ଏତେବେଳଯାଏଁ ଖାଇନି–କହି ହଠାତ୍ ତାଙ୍କର କ’ଣ ମନେପଡ଼ିଲା ପରି ପଚାରିଲେ–ଗ୍ୟାରେଜ୍ ପାଖେ କୋଚ୍‍ମ୍ୟାନ୍‍କୁ ଦେଖିଲ କି ?

 

ଅଜିତ୍‍ କହିଲା–କାଇଁ ନାଇଁ ତ !

 

‘ତେବେ ହେଲା !’ କହି ଆଶୁ ବାବୁ ଦୁଶ୍ଚିନ୍ତାରେ ବ୍ୟସ୍ତ ହୋଇ କହିଲେ–ଯାହା ଭାବୁଥିଲି ସେୟା । ଗାଡ଼ିଟା ନେଇ ସେ ବୋଧହୁଏ ତମକୁ ଖୋଜି ବାହାରିଛି । ଦେଖ ତ କି ଅନ୍ୟାୟ କଥା ! କାଳେ ମନା କରିବି ବୋଲି ମତେ ପଦେ କଥା ବି କହି ଯାଇନି । ଲୁଚି ଚାଲିଯାଇଛି । କେତେବେଳେ ଫେରିବ କିଏ ଜାଣେ ! ଆଜି ରାତିଟା ତା’ହେଲେ ଅନିଦ୍ରାରେ ଗଲା ।

 

‘ମୁଁ ଦେଖୁଛି ଗାଡ଼ି ଅଛି କି ନାହିଁ’ କହି ଅଜିତ୍‍ ଘରୁ ବାହାରି ଗଲା । ଅସ୍ତାବଲରେ ଦେଖିଲା ଗାଡ଼ି ମହଜୁତ୍ ଅଛି । ତା’ର ଗୋଟାଏ ଦୁଶ୍ଚିନ୍ତା କଟିଲା । ତଳ ବାରଣ୍ଡାର ଉତ୍ତର ଦିଗରେ କେତେଟା ବିଲାତୀ ଝାଉଁ ଓ ପାମ୍ ଗଛ ବହୁ ଅଯତ୍ନ ସତ୍ତ୍ଵେ ବଞ୍ଚି ରହିଛି । ତା’ର ଉପରକୁ ମନୋରମାର ଶୟନକକ୍ଷ । ଆଲୁଅ ଜଳୁଛି କି ନାହିଁ ଦେଖିବା ପାଇଁ ଅଜିତ୍‍ ସେଇ ବାଟ ଦେଇ ଆଶୁ ବାବୁଙ୍କ ଆଡ଼କୁ ଯାଉଥିଲା, ହଠାତ୍ ବଗିଚା ଭିତରୁ କଥାବାର୍ତ୍ତା ଶୁଣିବାକୁ ପାଇଲା । ଅତ୍ୟନ୍ତ ପରିଚିତ କଣ୍ଠ । କ’ଣ ଗୋଟାଏ ଗୀତର ସ୍ଵର ସମ୍ପର୍କରେ କଥାବାର୍ତ୍ତା ଚାଲିଥିଲା । ଦୋଷ କିଛି ନୁହେଁ–ତେବେ ସେଥିପାଇଁ ଛାୟାଚ୍ଛନ୍ନ ବୃକ୍ଷତଳର ପ୍ରୟୋଜନ ନ ଥିଲା । କ୍ଷଣକାଳ ପାଇଁ ଅଜିତ୍‍ର ପାଦ ଦୁଇଟା ନିର୍ଜୀବ ହୋଇଗଲା । ଆଲୋଚନା ଚାଲୁ ରହିଲା–ସେ ସେମିତି ନିଃଶବ୍ଦରେ ଆସିଥିଲା, ଠିକ୍ ସେଇଭଳି ଚାଲିଗଲା । ଆଲୋଚନାକାରୀ ଉଭୟେ କେହି ଜାଣିପାରିଲେ ନାହିଁ–ତାଙ୍କର ଏଇ ନିଶୀଥ ବିଶ୍ରମ୍ଭାଳାପର କେହି ସାକ୍ଷୀ ରହିଲା କି ନାହିଁ ।

 

ଆଶୁ ବାବୁ ବ୍ୟସ୍ତ ହୋଇ ପଚାରିଲେ–କିଛି ଖବର ପାଇଲ ?

 

ଅଜିତ୍‍ କହିଲା–ଗାଡ଼ି ଘୋଡ଼ା ଅସ୍ତାବଲରେ ଅଛନ୍ତି । ମଣି ବାହାରକୁ ଯାଇ ନାହାନ୍ତି ।

 

‘ଓଃ, ବଞ୍ଚିଗଲା ମଣିଷ’ କହି ଆଶୁ ବାବୁ ନିଶ୍ଚିନ୍ତ ପରିତୃପ୍ତିର ନିଃଶ୍ଵାସ ମାରି କହିଲେ–ରାତି ଅନେକ ହେଲାଣି, ସେ ବୋଧହୁଏ କ୍ଳାନ୍ତ ହୋଇ ଘରେ ଶୋଇ ପଡ଼ିଛି । ଆଜି ଆଉ ଝିଅଟା କିଛି ଖାଇ ପାରିଲାନି । ଯାଅ ବାବା, ତୁମେ କ’ଣ ଦି’ଟା ଖାଇ ଶୋଇପଡ଼ ।

 

ଅଜିତ୍‍ କହିଲା–ଏତେ ରାତିରେ ମୁଁ ଆଉ ଖାଇବି ନାହିଁ । ଆପଣ ଯା’ନ୍ତୁ, ଶୋଇବେ ।

 

‘ହଁ, ଯାଉଛି । ତେବେ, ତମେ କ’ଣ କିଛି ଖାଇବନି ? ଟିକିଏ କ’ଣ ମୁହଁରେ ଦେଇଦିଅ–’

 

‘ନା, କିଛି ନାହିଁ । ଆପଣ ଆଉ ଡେରି କରନ୍ତୁ ନାହିଁ । ଯାଆନ୍ତୁ ଶୋଇବେ ।’ ଏହା କହି ରୁଗ୍‍ଣ ଆଶୁ ବାବୁଙ୍କୁ ଶୋଇବା ଘରକୁ ପଠେଇ ଦେଇ ସେ ଖୋଲା ଝରକା ପାଖେ ଆସି ଠିଆହେଲା । ସେ ଠିକ୍ ଭାବେ ଜାଣେ ଯେ ସଙ୍ଗୀତ ସମ୍ପର୍କରେ ଆଲୋଚନା ସରିଲେ ବାପାଙ୍କ ଖବର ନେବା ପାଇଁ ମନୋରମା ନିଶ୍ଚୟ ଆସିବ ।

 

ମନୋରମା ଆସିଲା, କିନ୍ତୁ ଅଧଘଣ୍ଟାଏ ପରେ । ପ୍ରଥମେ ସେ ବୈଠକଖାନାକୁ ଚାହିଁ ଦେଖିଲା ଯେ ଘର ଅନ୍ଧାର । ଯଦୁ ବୋଧହୁଏ ପାଖରେ କେଉଁଠି ଥିଲା । ଆଶୁ ବାବୁ ଡାକିଲାବେଳେ ଜବାବ୍ ଦେଇନି ଅବଶ୍ୟ, କିନ୍ତୁ ସେ ଚାଲିଗଲା ପରେ ଆସି ଲାଇଟ୍ ଲିଭେଇ ଦେଇଛି । ମନୋରମା କିଛି ସମୟ ଏପାଖ ସେପାଖ ହେଲା, ହଠାତ୍ ଦେଖିଲା ଯେ ଅଜିତ୍‍ ତା’ର ଖୋଲା ଝରକା ପାଖରେ ଚୁପ୍ ହୋଇ ଠିଆ ହୋଇଛି । ତା’ ଘରେ ଆଲୁଅ ନାହିଁ, କିନ୍ତୁ ଉପରବାରଣ୍ଡାରୁ କ୍ଷୀଣ ଆଲୋକ ରେଖା ଝରକା ଉପରେ ପଡ଼ିଥିଲା ।

 

‘କିଏ ?’

 

‘ମୁଁ ଅଜିତ୍‍ ।’

 

‘ବାଃ, କେତେବେଳେ ଆସିଲ ? ବାବା ବୋଧହୁଏ ଶୋଇବାକୁ ଗଲେଣି ।’ ଏହା କହି ସେ ଚୁପ୍‍ ହେବାକୁ ଚେଷ୍ଟା କଲା, କିନ୍ତୁ ଅସମାପ୍ତ କଥାର ଚାପରେ କହିବାକୁ ଲାଗିଲା–ଦେଖ ତ ତମର ଅନ୍ୟାୟ ! ଘରର ସମସ୍ତ ଲୋକ ଭାବି ଭାବି ହଇରାଣ–ନିଶ୍ଚୟ କ’ଣ ଗୋଟାଏ ହୋଇଥିଲା-। ସେଇଥିପାଇଁ ତ ବାବା ବାରମ୍ବାର ଏକୁଟିଆ ଯିବା ପାଇଁ ମନାକରନ୍ତି !

 

ଏ ସମସ୍ତ ପ୍ରଶ୍ନ ଓ ମନ୍ତବ୍ୟର ଅଜିତ୍‍ କୌଣସି ଉତ୍ତର ଦେଲା ନାହିଁ ।

 

ମନୋରମା କହିଲା–କିନ୍ତୁ ସେ ଶୋଇପାରିନଥିବେ । ନିଶ୍ଚୟ ଚାହିଁଥିବେ । ମୁଁ ଯାଏ, ତାଙ୍କୁ ତମେ ଆସିବାର ଖବର ଦେବି ।

 

ଅଜିତ୍‍ କହିଲା–ଦରକାର ନାହିଁ । ସେ ମୁଁ ଆସିଲା ପରେ ଶୋଇବାକୁ ଗଲେ ।

 

‘ତମକୁ ଦେଖିଛନ୍ତି ? ତା’ହେଲେ ମତେ ଖବର ଦେଲେ ନାହିଁ କାହିଁକି ?’

 

‘ତାଙ୍କର ଧାରଣା–ତମେ ଶୋଇ ପଡ଼ିଲଣି ।’

 

‘ଶୋଇବି କେମିତି ? ମୁଁ ତ ଏଯାଏଁ ଖାଇନି ।’

 

‘ତା’ହେଲେ ଖାଇପିଇ ଯାଅ ଶୋଇବ । ରାତି ଆଉ ବେଶୀ ନାହିଁ ।’

 

‘ତୁମ୍ଭେ ଖାଇବ ନାହିଁ ।’

 

‘ନାଁ’ କହି ଅଜିତ୍‍ ଝରକା ପାଖରୁ ଘୁଞ୍ଚିଗଲା ।

 

‘ବାଃ’, ଏହାଠାରୁ ଅଧିକ ଆଉ ତା’ ପାଟିରୁ ବାହାରିଲା ନାହିଁ । କିନ୍ତୁ ଭିତରୁ ଆଉ କିଛି ଜବାବ୍ ଆସିଲା ନାହିଁ । ବାହାରେ ମନୋରମା ସ୍ତବ୍ଧ ହୋଇ ଠିଆହେଲା । ଜୋର୍ ଜବରଦସ୍ତି କରି ଜିଦ୍ ବଜାୟ ରଖିବାରେ ମନୋରମା ଅଦ୍ୱିତୀୟ–କିନ୍ତୁ କାହିଁକି କେଜାଣି ତା’ ମୁହଁ ବନ୍ଦ ହୋଇଗଲା । ଅଜିତ୍‍ ରାତି ଶେଷରେ ଘରକୁ ଫେରିଛି । ଘର ସାରା କାହା ମନରେ ଶାନ୍ତି ନାହିଁ–ତା’ ସତ୍ତ୍ୱେ ସେଇ ତାକୁ ଅପମାନ ଦେଲା ଅଥଚ ସେ କେବଳ ଅବଶ ନିର୍ବାକ୍ ହୋଇ ରହିଲା ! ଝରକା ପାଖକୁ କେହି ଫେରିଆସିଲା ନାହିଁ କିମ୍ବା ସେ ଗଲା କି ନାହିଁ ବୁଝିଲା ନାହିଁ ! ଗଭୀର ରାତିରେ ବହୁ ସମୟ ନିଃଶବ୍ଦରେ ଠିଆହେଲା ପରେ ମନୋରମା ଧୀରେ ଧୀରେ ଚାଲିଗଲା ।

 

ସକାଳେ ଆଶୁ ବାବୁ ବେହେରା ମୁହଁରୁ ଶୁଣିବାକୁ ପାଇଲେ ଯେ ମନୋରମା ବା ଅଜିତ୍‍ କେହି ରାତିରେ ଖାଇ ନାହାନ୍ତି । ଚା’ ଖାଉ ଖାଉ ସେ ଅଜିତ୍‍କୁ ପଚାରିଲେ–କାଲି କ’ଣ ଗୋଟେ ଭୟାନକ ଆକ୍ସିଡେଣ୍ଟ୍ ହୋଇଗଲା ?

 

ଅଜିତ୍‍ କହିଲା–ନା ।

 

‘ତା’ହେଲେ ତେଲ ସରିଗଲା, ନା ?’

 

‘ନା, ତେଲ ଯଥେଷ୍ଟ ଥିଲା ।’

 

‘ତେବେ ଏତେ ଡେରି ହେଲା କାହିଁକି ?’

 

ଅଜିତ୍‍ କେବଳ ଉତ୍ତର ଦେଲା–ଏମିତି ।

 

ମନୋରମା ନିଜେ ଚା’ ଖାଏନା । ସେ ବାବାଙ୍କ ପାଇଁ ଚା’ ତିଆରି କରି ଚା’ ଓ ଜଳଖିଆ ପ୍ଲେଟ୍‍ଟା ଅଜିତ୍‍ ଆଡ଼କୁ ବଢ଼ାଇ ଦେଲା, କିନ୍ତୁ କିଛି ପ୍ରଶ୍ନ କଲା ନାହିଁ । ମୁହଁ ଟେକି ଚାହିଁଲା ବି ନାହିଁ । ଉଭୟଙ୍କର ଏହି ଭାବାନ୍ତର ଆଶୁ ବାବୁ ଲକ୍ଷ୍ୟ କଲେ । ଜଳଖିଆ ଖାଇସାରି ଅଜିତ୍‍ ଗାଧୋଇବାକୁ ଗଲାରୁ ସେ ଝିଅକୁ ଏକାନ୍ତରେ କହିଲେ–ନା, ମା–ଏଇଟା ଭଲ ନୁହେଁ । ଅଜିତ୍‍ ସାଙ୍ଗେ ଆମର ସମ୍ବନ୍ଧ ଯେତେ ହେଉନା କାହିଁକି ସେ ଆମର ଅତିଥି । ଅତିଥିର ଯୋଗ୍ୟ ମର୍ଯ୍ୟାଦା ତାକୁ ଦେବା ଉଚିତ ।

 

ମନୋରମା କହିଲା–ମୁଁ ତ ନାହିଁ କରୁନି ବାବା ।

 

ତୁ ନାହିଁ କରୁନୁ ଯେ–ଆମ ବ୍ୟବହାରରେ କେଉଁଠି ହେଲେ ବିରକ୍ତି ପ୍ରକାଶ ପାଇବା ଅନୁଚିତ ।

 

ମନୋରମା କହିଲା–ତା’ ଠିକ୍, କିନ୍ତୁ ମୋ ବ୍ୟବହାରରେ ବିରକ୍ତି ପ୍ରକାଶ ପାଇଛି ବୋଲି ତୁମକୁ କିଏ କହିଲା ?

 

ଆଶୁ ବାବୁ ଏ ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ । ସେ କିଛି ଶୁଣି ନାହାନ୍ତି, କିଛି ଜାଣି ନାହାନ୍ତି, ସମସ୍ତ ତାଙ୍କର ଅନୁମାନ ମାତ୍ର । ତଥାପି ତାଙ୍କ ମନ ପ୍ରସନ୍ନ ହେଲା ନାହିଁ । କାରଣ ଏଭଳି ତର୍କ କରି ଉତ୍କଣ୍ଠିତ ପିତୃଚିତ୍ତଙ୍କୁ ନିଃଶଙ୍କ କରାଯାଇ ପାରେନା । କିଛି ସମୟ ପରେ ସେ କହିଲେ–ଏତେ ରାତିରେ ଅଜିତ୍‍ ଆଉ ଖାଇଲା ନାହିଁ, ମୁଁ ବି ଶୋଇବାକୁ ଚାଲିଗଲି । ତୁ ଆଗରୁ ଶୋଇ ପଡ଼ିଥିଲୁ–କେଜାଣି କେଉଁଠି ହୁଏତ ଆମ ବ୍ୟବହାରରେ ଅବହେଳା ପ୍ରକାଶ ପାଇଛି । ଅଜିତ୍‍ର ମନ ଆଜି ଭଲ ନାହିଁ ।

 

ମନୋରମା କହିଲା–କିଏ ଯଦି ସାରା ରାତି ରାସ୍ତାରେ ଘୂରି ଘୂରି କଟାଇବାକୁ ଚାହେଁ, ତା’ହେଲେ ଆମକୁ ତା’ପାଇଁ ବାଟ ଚାହିଁ ବସିବାକୁ ପଡ଼ିବ ? ଏଇଆ କ’ଣ ଅତିଥି ପ୍ରତି ଗୃହସ୍ଥର କର୍ତ୍ତବ୍ୟ ?

 

ଆଶୁ ବାବୁ ହସିଲେ, ନିଜକୁ ଇଙ୍ଗିତରେ ଦେଖାଇ କହିଲେ–ଗୃହସ୍ଥ ମାନେ ଯଦି ଏହି ବାତ ରୋଗୀଟି ହୁଏ, ତା’ହେଲେ ତା’ର କର୍ତ୍ତବ୍ୟ ଆଠଟା ଭିତରେ ଶୋଇ ପଡ଼ିବା । ନ ହେଲେ ଖୁବ୍ ବଡ଼ ସମ୍ମାନିତ ଅତିଥି ବାତବ୍ୟାଧି ପ୍ରତି ଅସମ୍ମାନ ହେବ । କିନ୍ତୁ ଅନ୍ୟ କେହି ହେଲେ ତାକୁ କର୍ତ୍ତବ୍ୟ ନିର୍ଦ୍ଦେଶ କରିବାର ମୋର ଆବଶ୍ୟକତା ନାହିଁ । ଆଜି ଅନେକ ଦିନ ତଳର ଗୋଟାଏ ଘଟଣା ମନେପଡ଼ୁଛି ମଣି ! ତୋ ମା ସେତେବେଳକୁ ବଞ୍ଚି ଥାଆନ୍ତି । ଗୁପ୍ତିପଡ଼ାକୁ ମାଛ ଧରିବାକୁ ଯାଇ ଆଉ ଫେରି ପାରିଲି ନାହିଁ । ମାତ୍ର ଗୋଟାଏ ରାତି, ତେବେ ଜଣେ ଲୋକ ସେଇଥିପାଇଁ ଝରକା ପାଖେ ବସି ବସି ରାତି କଟେଇ ଦେଲେ । ତାଙ୍କୁ ତ କେହି ବତେଇ ଦେଇ ନ ଥିଲେ, କିନ୍ତୁ ଆଉଥରେ ଦେଖା ହେଲେ ପଚାରିବି ଯେ କାହାଠୁ ଏ କଥା ଶିଖିଥଲେ l’ ଏହା କହି ଆଶୁ ବାବୁ ମୁହଁ ଫେରାଇ ବସି ରହିଲେ ।

ଏ କାହାଣୀ ନୂଆ ନୁହେଁ । ଗଳ୍ପ ଛଳରେ ବହୁବାର ସେ ଏ କଥା ଝିଅକୁ କହିଛନ୍ତି, ତଥାପି ସେ ପୁରୁଣା ହୁଏ ନାହିଁ । ଯେତେବେଳେ ମନେପଡ଼େ ନୂଆ ହୋଇ ଦେଖାଦିଏ ।

ଚାକରାଣୀ ଆସି ଦ୍ଵାର ପାଖେ ଠିଆହେଲା । ମନୋରମା ଉଠିପଡ଼ି କହିଲା–ବାବା, ତୁମେ ଟିକିଏ ବସ । ମୁଁ ରନ୍ଧାରନ୍ଧିର ବ୍ୟବସ୍ଥା କରିଦେଇ ଆସେ । ଏହା କହି ସେ ରୋଷେଇ ଘରଆଡ଼େ ଚାଲିଗଲା । ଆଲୋଚନାଟା ଯେ ଆଉ ବେଶୀ ଦୂର ଗଡ଼ିଲା ନାହିଁ, ଏଥିପାଇଁ ସେ ସ୍ଵସ୍ତିର ନିଃଶ୍ୱାସ ମାରିଲା ।

ଦିନ ଭିତରେ ଆଶୁ ବାବୁ କେତେଥର ଅଜିତ୍‍ର ଖୋଜଖବର ନେଲେ । କେତେବେଳେ ହୁଏତ ସେ ବହି ପଢ଼ୁଛି–କେତେବେଳେ ବା ଚିଠିପତ୍ର ଲେଖୁଛି । ମଧ୍ୟାହ୍ନ ଭୋଜନ ବେଳେ ସେ ପ୍ରାୟ କଥାବାର୍ତ୍ତା କଲା ନାହିଁ ଓ ଖାଇବା ଶେଷ ହେବା ମାତ୍ରେ ଉଠି ଚାଲିଗଲା । ଅନ୍ୟ ଦିନ ତୁଳନାରେ ଏ ବ୍ୟବହାର ଯେପରି ରୂଢ଼ ସେହିଭଳି ବିସ୍ମୟକର ।

ଆଶୁ ବାବୁଙ୍କ କ୍ଷୋଭର ସୀମା ନାହିଁ । ପଚାରିଲେ–ଘଟଣା କ’ଣ ମଣି ?

ମନୋରମା ଦିନସାରା ପିତାଙ୍କ ଦୃଷ୍ଟି ଏଡ଼େଇ ଚାଲିଥିଲା । କିଛି ନ ଜାଣିଲା ପରି କହିଲା–ମୁଁ ତ କିଛି ଜାଣିନି ବାବା ।

ଆଶୁ ବାବୁ କିଛି ସମୟ ଚିନ୍ତା କରି କହିଲେ–ତା’ର ଫେରିଆସିଲା ପର୍ଯ୍ୟନ୍ତ ମୁଁ ତ ଅପେକ୍ଷା କରି ରହିଥିଲି । ଖାଇବାକୁ ବି କହିଲି । କିନ୍ତୁ ଅନେକ ରାତି ହେଲାଣି କହି ସେ ଖାଇଲା ନାହିଁ । ତୋର ଶୋଇ ପଡ଼ିବାଟା ହୁଏତ ଠିକ୍ ହୋଇନାହିଁ । କିନ୍ତୁ ଏଥିରେ ଏତେ ଅଧିକ ଅନ୍ୟାୟ ହେଲା ପରି ମତେ ତ ଜଣାପଡ଼ୁନି । ଏହି ସାମାନ୍ୟ ଘଟଣାକୁ ସେ ବଡ଼ କରି ଧରିବା ଦେଖି ମତେ ତ ଖୁବ୍ ଆଶର୍ଯ୍ୟ ଲାଗୁଛି ।

ମନୋରମା ଚୁପ୍ ରହିଲା । ଆଶୁ ବାବୁ କିଛି ସମୟ ମୌନ ରହି କହିଲେ–ତାକୁ ତୁ ଏ ଘଟଣା ପଚାରିଲୁ ନାହିଁ ?

ମନୋରମା କହିଲା–ପଚାରିବାର କ’ଣ ଅଛି ବାବା ?

ପରିବାର ଅନେକ ଅଛି–କିନ୍ତୁ ମଣି ପକ୍ଷରେ ପଚାରିବା ଅତି କଠିନ, ଏ କଥା ଆଶୁ ବାବୁ ଭଲ ଭାବରେ ଜାଣନ୍ତି । ତଥାପି କହିଲେ–ସେ ରାଗ କରିଛି, ଏକଥା ଠିକ୍ । ବୋଧହୁଏ ସେ ଭାବେ ଯେ ତୁ ତାକୁ ଉପେକ୍ଷା କରୁ । ଏ ରକମ ଅନ୍ୟାୟ ଧାରଣା ତ ତା’ ମନରେ ଉଚିତ ନୁହେଁ ।

ମନୋରମା କହିଲା–ମୋ ସମ୍ପର୍କରେ ସେ ଯଦି ଅନ୍ୟାୟ ଧାରଣ ପୋଷଣ କରିଥାନ୍ତି, ତେବେ ଦୋଷ ତାଙ୍କର । ତାଙ୍କ ଦୋଷ ସଂଶୋଧନର ଦାୟିତ୍ଵ କ’ଣ ମୋର ?

ଆଶୁ ବାବୁ ଏ ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ । ଝିଅକୁ ସେ ଯେଉଁ ଭାବରେ ମଣିଷ କରିଛନ୍ତି ତା’ ଅନୁଯାୟୀ ତା’ ଆତ୍ମସମ୍ମାନରେ ଆଘାତ ହେଲାଭଳି କୌଣସି ଆଦେଶ ସେ ଦେଇପାରିବେ ନାହିଁ । ସେ ଉଠିଗଲା ପରେ ଏଇ କଥାଟା ନିଜ ଭିତରେ ଅବିଶ୍ରାମ ଗୋଳେଇ ଘାଣ୍ଟି ହେଲା । ସେ ଅତ୍ୟନ୍ତ ବିମର୍ଷ ହୋଇ ପଡ଼ିଲେ । ଏଇଭଳି କଳହ ସାଧାରଣତଃ ହୋଇଥାଏ ଓ ଏହା ଅତ୍ୟନ୍ତ କ୍ଷଣସ୍ଥାୟୀ–ଏ କଥା ବହୁବାର ଆବୃତ୍ତି କରି ସୁଦ୍ଧା ସେ ଶାନ୍ତି ପାଇପାରିଲେ ନାହିଁ । ଅଜିତ୍‍କୁ ବି ସେ ଜାଣନ୍ତି । ସେ ଯେ କେବଳ ଉଚ୍ଚ ଶିକ୍ଷିତ, ତା’ ନୁହେଁ । ସେ ନିଃସନ୍ଦେହରେ ଉପଲବ୍ଧି କଲେ ଯେ ଆଜିର ଏଇ ଅହେତୁକ ବିରାଗ ସହ ତା’ ଚାରିତ୍ରିକ ସତ୍ୟପରତାର ସାମଞ୍ଜସ୍ୟ ନାହିଁ । ସମସ୍ତଙ୍କ ଅପରିସୀମ ଉଦ୍ବେଗ ସତ୍ତ୍ୱେ ଲଜ୍ଜାବୋଧ ପରିବର୍ତ୍ତେ ସେ ଯେ ରାଗ କରିପାରିଲା, ଏହା ତାଙ୍କୁ ସମ୍ଭବପର ବୋଧ ହେଲା ନାହିଁ ।

 

ଉପର ବେଳା ଗେଟ୍ ଭିତରକୁ ଗୋଟାଏ ଟାଙ୍ଗା ଆସିବାର ଦେଖି ଆଶୁ ବାବୁ ଖବର ନେଇ ଜାଣିଲେ ଯେ ଅଜିତ୍‍ ପାଇଁ ଟାଙ୍ଗା ଆସିଛି । ସେ ଅଜିତ୍‍କୁ ଡକାଇ ପଠାଇଲେ । ସେ ଆସିବା ପରେ ଅଳ୍ପ ହସି ପଚାରିଲେ–ଟାଙ୍ଗା କ’ଣ ହେବ ଅଜିତ୍‍ ?

 

‘ଟିକିଏ ବୁଲିଯିବି ।’

 

‘କାହିଁକି, ମୋଟର କ’ଣ ହେଲା ? ପୁଣି ଖରାପ ହେଲାଣି କି ?’

 

‘ନା, କିନ୍ତୁ ଆପଣଙ୍କର ଦରକାର ହୋଇପାରେ ।’

 

‘ଯଦି ଦରକାର ପଡ଼ିବ, ସେଥିପାଇଁ ଗୋଟାଏ ଘୋଡ଼ାଗାଡ଼ି ରହିଛି ।’ ଏହା କହି ସେ ଟିକିଏ ଚୁପ୍ ରହି କହିଲେ–ବାପା ଅଜିତ୍‍, ମତେ ସତ କଥା କୁହ । ଗାଡ଼ି ସମ୍ପର୍କରେ କ’ଣ କିଛି କଥା ଉଠିଲା ?

 

ଅଜିତ୍‍ କହିଲା–କାଇଁ, ମତେ ଜଣା ନାଇଁ ତ ! ତେବେ ଆଜି ଆପଣଙ୍କର ଏଠି ଗାଉଣାବାଜଣା ହେବ । ସେମାନଙ୍କୁ ଆଣିବା ପାଇଁ, ଛାଡ଼ିବା ପାଇଁ ମୋଟର ଗାଡ଼ି ଦରକାର । ଘୋଡ଼ାଗାଡ଼ି ହେଲେ ତ ଚଳିବ ନାହିଁ ।

 

ସକାଳୁ ନାନା ଦୁଶ୍ଚିନ୍ତାରେ ଆଶୁ ବାବୁ ଏ କଥା ଭୁଲିଯାଇ ଥିଲେ । ବର୍ତ୍ତମାନ ମନେପଡ଼ିଲା ଯେ ଗତକାଲି ସଭା ଭାଜିବା ପରେ ଆଜି ପାଇଁ ସେମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ସନ୍ଧ୍ୟା ପରେ ମଜଲିସ୍‍ ବସିବ । ଖାଇବା ପିଇବା ଏଇଠି କରିବା ପାଇଁ ମନୋରମା କହିଥିବାର ବି ତାଙ୍କର ମନେପଡ଼ିଲା; କିନ୍ତୁ ସେ ମନେମନେ ହସିଲେ । କାରଣ କଳହ–ଆଶଙ୍କରେ ନାନା ମାନସିକ ଆସ୍ୱାଚ୍ଛନ୍ଦ୍ୟ ଭିତରେ ସେ ଏ କଥା ଭୁଲିଯାଇଛନ୍ତି । ତେଣୁ ମନୋରମାକୁ ଏସବୁ ଯେ ବହୁ ପରିମାଣରେ ବିରକ୍ତିକର ଲାଗିବ, ସେ ସ୍ଵତଃସିଦ୍ଧ ଭଳି ଅନୁମାନ କରିନେଲେ । କହିଲେ–ଆଜି ଏସବୁ ହୋଇପାରିବନି ଅଜିତ୍‍ ।

 

ଅଜିତ୍‍ କହିଲା–କାହିଁକି ?

 

କାହିଁକି ? ମଣିକୁ ପଚାରି ଦେଖ ତ ! ଏହା କହି ସେ ବେହେରାକୁ ଉଚ୍ଚସ୍ୱରରେ ଡାକି ଝିଅକୁ ପଠାଇ ଦେବା ପାଇଁ କହିଲେ–ତା’ପରେ ଈଷତ୍ ହସି କହିଲେ–ତମର ତ ମନ ଭଲ ନାହିଁ–ଗାଉଣାବାଜଣା କିଏ ଶୁଣିବ ? ମଣି ? ଆଚ୍ଛା, ସେ ସବୁ ଆଉ ଦିନେ ହେବ । ତମେ ବର୍ତ୍ତମାନ ମୋଟରଗାଡ଼ି ନେଇ ଟିକିଏ ବୁଲିଆସ । ବେଶୀ ଡେରି କରିବ ନାହିଁ । ଆଜି ଆଉ ତମେ ଏକୁଟିଆ ଯିବ ନାହିଁ । ଡ୍ରାଇଭର ତ ବସି ବସି କୋଢ଼ିଆ ହେଇ ଗଲାଣି । ଏହା କହି ଗୋଟାଏ କଠିନ ସମସ୍ୟାର ଏକ ଅଭାବନୀୟ ସୁମୀମାଂସା କରିଥିବାରୁ ଆନନ୍ଦରେ ଆରାମ୍‍ ଚଉକିରେ ଆଉଜି ଯାଇ ପରିତୃପ୍ତିପୂର୍ଣ୍ଣ ନିଃଶ୍ଵାସ ତ୍ୟାଗ କଲେ । ସଙ୍ଗେ ସଙ୍ଗେ କହିଲେ–ତମେ ଟାଙ୍ଗା ଭଡ଼ା କରି ବୁଲିଯିବ ? ଛିଃ !

 

ମନୋରମା ଘରେ ପ୍ରବେଶ କଲାମାତ୍ରେ ଅଜିତ୍‍କୁ ଦେଖି ମୁହଁ ଫେରାଇ ଠିଆହେଲା । ଆଶୁ ବାବୁ ପୁଣି ସିଧା ହୋଇ ବସିଲେ । କୌତୁକଭରା ସ୍ନିଗ୍ଧ ହସ ମୁହଁରେ କହିଲେ–ଆଚ୍ଛା, ଆଜି କଥା ମନେଅଛିଟି ମା ? ନା, ଏକଦମ୍ ଭୁଲିଯାଇଛୁ ?

Unknown

 

‘କି କଥା ବାପା ?’

 

ଆଜି ପରା ସମସ୍ତଙ୍କୁ ନିମନ୍ତ୍ରଣ କରିଛୁ ? ଗୀତ ସରିଲେ ସେମାନେ ଖାଇବେ–ମନେଅଛି ତ ?

 

ମନୋରମା କହିଲେ–ତା’ ଆଉ ମନେ ନାହିଁ ! ସେମାନଙ୍କୁ ଆଣିବା ପାଇଁ ମୋଟରଗାଡ଼ି ପଠେଇ ଦେଇଛି ।

 

‘ମୋଟର ପଠେଇଛୁ ? ଖାଇବା ବ୍ୟବସ୍ଥା ?’

 

ମଣି କହିଲା–ସବୁ ଠିକ୍ ହେଇଛି ବାପା, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।

 

ଆଚ୍ଛା, କହି ଆଶୁ ବାବୁ ଆରାମ୍‍ ଚେୟାରରେ ଆଉଜି ପଡ଼ିଲେ । ମୁହଁ ଉପରେ ଯେମିତି କିଏ କାଳି ବୋଳିଦେଲା !

 

ମନୋରମା ଚାଲିଗଲା । ଅଜିତ୍‍ ବାହାରି ଯାଉଥିଲା । ଆଶୁ ବାବୁ ତାକୁ ଇଙ୍ଗିତରେ ଯିବା ପାଇଁ ନିଷେଧ କରି ବହୁ ସମୟ ଚୁପ୍ ରହିଲେ । ପରେ ଉଠିପଡ଼ି କହିଲେ–ଅଜିତ୍‍, ଝିଅ ତରଫରୁ କ୍ଷମା ମାଗୁଥିବାରୁ ମୁଁ ଲଜ୍ଜିତ । କିନ୍ତୁ ତା’ର ମା ନାହାନ୍ତି, ସେ ଥିଲେ ମୋତେ ଏକଥା କହିବାକୁ ପଡ଼ି ନ ଥାନ୍ତା ।

 

ଅଜିତ୍‍ ଚୁପ୍ ହୋଇ ଠିଆହେଲା । ଆଶୁ ବାବୁ କହିଲେ–ତା’ ଉପରେ ତମେ କାହିଁକି ରାଗିଛ, ସେ ଏତେବେଳକୁ ତମଠୁ ବାହାର କରି ନିଅନ୍ତେଣି । କିନ୍ତୁ ସେ ତ ନାହାନ୍ତି, ସେ କଥା କ’ଣ ମତେ କୁହାଯାଇ ପାରେନା ?

 

ତାଙ୍କ କଣ୍ଠ କରୁଣ ହୋଇଉଠିଲା । ତଥାପି ଅଜିତ୍‍ ନିର୍ବାକ୍ ରହିଲା ।

 

ଆଶୁ ବାବୁ ପଚାରିଲେ–ମଣି ସଙ୍ଗେ ତମର କ’ଣ ଦେଖା ହୋଇନାହିଁ ?

 

ଅଜିତ୍‍ କହିଲା–ହୋଇଥିଲା ।

 

ଆଶୁ ବାବୁ ବ୍ୟଗ୍ର ହୋଇ ଉଠିଲେ–ଦେଖା ହେଇଥିଲା ? କେତେବେଳେ ? ମଣି ଯେ କାଲି ତମ ପାଇଁ ଅପେକ୍ଷା କରି ନ ପାରି ଶୋଇ ପଡ଼ିଥିଲା–ଏ କଥା ତୁମକୁ କହିଥିଲା ?

 

ଅଜିତ୍‍ କିଛି ସମୟ ସ୍ଥିର ଭାବେ ରହି କି ଜବାବ୍ ଦେବ ଭାବି ନେଲା । ତା’ପରେ ଧୀରେ ଧୀରେ କହିଲା–ଏତେ ରାତି ପର୍ଯ୍ୟନ୍ତ ନିରର୍ଥକ ଚାହିଁ ରହିବା ସହଜ ନୁହେଁ, ଉଚିତ ବି ନୁହେଁ-

 

ଶୋଇ ପଡ଼ିଥିଲେ ଏମିତି କିଛି ଅନ୍ୟାୟ ହେଇଯାଇ ନଥାନ୍ତା, କିନ୍ତୁ ସେ ଶୋଇ ନ ଥିଲେ । ଆପଣ ଶୋଇବା ପାଇଁ ଯିବା ପରେ ତାଙ୍କ ସହ ଦେଖା ହୋଇଥିଲା ।

 

‘ତା’ପରେ ?’

 

‘ତା’ପରେ ମୁଁ ଆଉ କୌଣସି କଥା ଆପଣଙ୍କୁ କହିପାରିବି ନାହିଁ ।’ କହି ସେ ଚାଲିଗଲା-। ଦ୍ୱାରବନ୍ଧ ପାଖରୁ କହିଲା–ହୁଏତ କାଲି ପ’ରଦିନ ଭିତରେ ମୋତେ ଏଠୁ ଚାଲିଯିବାକୁ ପଡ଼ିବ-

 

ଆଶୁ ବାବୁ କିଛି ବୁଝିପାରିଲେ ନାହିଁ, କେବଳ ଜାଣିଲେ ଯେ କିଛି ଗୋଟାଏ ଦୁର୍ଘଟଣା ଘଟିଯାଇଛି ।

 

ଆରାମ୍‍ ଚଉକିରେ ପଡ଼ି ରହି ସେ ଶୁଣି ପାରିଲେ ଯେ ଅଜିତ୍‍କୁ ନେଇ ଟାଙ୍ଗା ଚାଲିଗଲା । କେତେ ମିନିଟ୍ ପରେ ପ୍ରଚୁର କୋଳାହଳ ମଧ୍ୟରେ ନିମନ୍ତ୍ରିତମାନଙ୍କୁ ଧରି ତାଙ୍କ ମୋଟର ଫେରିଆସିଲା । ସେ କିନ୍ତୁ ଉଠିଲେ ନାହିଁ, ସେଇଠି ପଥର ମୂର୍ତ୍ତି ପରି ନିଶ୍ଚଳ ହୋଇ ବସି ରହିଲେ । ବୈଠକ ବସିବାରୁ ବେହେରା ଯାଇ ଖବର ଦେଲା ଯେ ବାବୁଙ୍କର ଦେହ ଭଲ ନ ଲାଗିବାରୁ ସେ ଶୋଇ ପଡ଼ିଛନ୍ତି ।

 

ସେଦିନ ଗୀତ ଜମିଲା ନାହିଁ, ଖିଆପିଆର ଉତ୍ସାହ ମ୍ଳାନ ହୋଇ ଗଲା । ସମସ୍ତଙ୍କର ଥରକୁ ଥର ମନେପଡ଼ିଲା ଯେ ଘର ଭିତରୁ ଜଣେ ବାହାରକୁ ବୁଲି ଚାଲିଯାଇଛନ୍ତି । ବିପୁଳ ଦେହ ଓ ପ୍ରସନ୍ନ ସ୍ନିଗ୍ଧହାସ୍ୟ ସହ ଯେଉଁ ଅପର ବ୍ୟକ୍ତି ସଭାକୁ ଉଜ୍ଜ୍ୱଳ ଓ ସରସ କରି ରଖନ୍ତି, ତାଙ୍କ ସ୍ଥାନ ବି ଆଜି ଖାଲି ପଡ଼ିଛି ।

 

(ଦଶ)

 

ଏଣେ ଅଜିତ୍‍ର ଗାଡ଼ି ଆସି କମଳ ଦୁଆର ମୁହଁରେ ଅଟକିଲା । କମଳ ରାସ୍ତାଧାରରେ ଥିବା ସଂକୀର୍ଣ୍ଣ ବାରଣ୍ଡା ଉପରେ ଠିଆ ହୋଇଥିଲା । ମୁହାଁମୁହିଁ ହେବା ମାତ୍ରେ ହାତ ଟେକି ନମସ୍କାର କଲା । ଗାଡ଼ିକୁ ଇଙ୍ଗିତ କରି କହିଲା–ଏଇଟାକୁ ବିଦାୟ କରି ଦିଅନ୍ତୁ । ଦୁଆରେ ଠିଆ ହେଇ ଖାଲି ଫେରିଯିବା ପାଇଁ ବ୍ୟସ୍ତ କରିବ ।

 

ସିଡ଼ି ଉପରକୁ ଉଠୁ ଉଠୁ ଅଜିତ୍‍ କହିଲା–ଗାଡ଼ିଟାକୁ ତ ଫେରାଇ ଦେଲେ, ଫେରିଲାବେଳକୁ ଆଉ ଗୋଟାଏ ମିଳିବ ତ ?

 

କମଳ କହିଲା–ନା । କେତେ ବାଟ ବା, ଚାଲିକରି ଯିବେ ।

 

‘ଚାଲିକରି ଯିବି ?’

 

‘କାହିଁକି, ଭୟ ଲାଗିବ ନା କ’ଣ ? ନ ହେଲେ ମୁଁ ନିଜେ ଯାଇ ଆପଣଙ୍କୁ ଘରେ ଛାଡ଼ି ଆସିବି, ଆସନ୍ତୁ ।’ କହି ତାକୁ ସାଙ୍ଗରେ ଧରି ରନ୍ଧାଘରକୁ ଗଲା । କାଲିର ସେଇ ଆସନ ଖଣ୍ଡିକ ପକାଇ କହିଲା–ଦେଖନ୍ତୁ, ସାରାଦିନ ଲାଗି ମୁଁ ଆପଣଙ୍କ ପାଇଁ ରାନ୍ଧିଛି । ଆପଣ ନ ଆସିଥିଲେ ରାଗରେ ସବୁତକ ମୋଚିପଡ଼ାରେ ବାଣ୍ଟି ଦେଇଥାନ୍ତି ।

 

ଅଜିତ୍‍ କହିଲା–ଆପଣଙ୍କର ରାଗ ତ କମ୍ ନୁହେଁ ! କିନ୍ତୁ ବାଣ୍ଟି ଦେଇଥିଲେ ରନ୍ଧନ ସାମଗ୍ରୀର ଯଥେଷ୍ଟ ସଦ୍‍ଗତି ହୋଇଥାନ୍ତା ।

 

‘ଏ କଥାର ଅର୍ଥ ?’ କହି କମଳ କିଛି ସମୟ ପାଇଁ ଅଜିତ୍‍ର ମୁହଁକୁ ଚାହିଁ କହିଲା–ଅର୍ଥାତ୍ ଆପଣଙ୍କର ଅଭାବ ନାହିଁ, ହୁଏତ ଅଧିକାଂଶ ଫୋପଡ଼ା ହେବ । କିନ୍ତୁ ସେମାନଙ୍କର ଅତ୍ୟନ୍ତ ଅଭାବ, ସେମାନେ ଖାଇ ବଞ୍ଚିଯିବେ । ତେଣୁ ସେମାନଙ୍କୁ ଖୁଆଇବା ଅର୍ଥ ଖାଦ୍ୟଦ୍ରବ୍ୟର ସଦ୍‍ବ୍ୟବହାର, ଏଇ ନା ?

 

ଅଜିତ୍‍ କହିଲା–ହଁ, ତା’ ନୁହେଁ ଆଉ କ’ଣ !

 

କମଳ କହିଲା–ଏ ହେଲା ସାଧୁ ଲୋକଙ୍କର ଭଲ ମନ୍ଦର ବିଚାର । ପୁଣ୍ୟାତ୍ମାମାନଙ୍କର ଧର୍ମବୁଦ୍ଧି ଶାଣିତ ଯୁକ୍ତି ! ପରଲୋକର ଖାତାରେ ସେମାନେ ଏହାକୁ ସାର୍ଥକ ବ୍ୟୟ ବୋଲି ଲେଖି ରଖିବାକୁ ଚାହାଁନ୍ତି । ସେମାନେ ବୁଝନ୍ତି ନାହିଁ ଯେ ଏଇଟା ସମ୍ପୂର୍ଣ୍ଣ ମିଥ୍ୟା । ଆନନ୍ଦର ସୁଧାପାତ୍ର ଯେ ଅପବ୍ୟୟର ଅନ୍ୟାୟରେ ପରିପୂର୍ଣ୍ଣ ହୋଇ ଉଠେ, ଏ କଥା ସେମାନେ ଜାଣିବେ କେଉଁଠୁ ?

 

ଅଜିତ୍‍ ଆଶ୍ଚର୍ଯ୍ୟ ହୋଇ କହିଲା–ମନୁଷ୍ୟର କର୍ତ୍ତବ୍ୟବୁଦ୍ଧି ଭିତରେ କ’ଣ ଆନନ୍ଦ ନାହିଁ ?

 

କମଳ କହିଲା–ନା, ନାହିଁ । କର୍ତ୍ତବ୍ୟ ମଧ୍ୟରେ ଆନନ୍ଦର ଯେ ଛଳନା ଅଛି, ତା’ ଦୁଃଖର ନାମାନ୍ତର । ତାକୁ ବୁଦ୍ଧିର ଶାସନଦ୍ଵାରା ଜୋର୍‍ କରି ମାନିବାକୁ ହୁଏ । ସେଇ ତ ବନ୍ଧନ । ତା’ ନ ହେଲେ ଶିବନାଥଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ ଯେ ଆପଣଙ୍କୁ ଆଣି ବସେଇଛି, ଭଲପାଇବାର ଏଇ ଅପବ୍ୟୟରେ ମୁଁ ଆନନ୍ଦ ପାଆନ୍ତି କେଉଁଠୁ ? ଏଇ ଯେ ସାରାଦିନ ନ ଖାଇ କେତେ କ’ଣ ବସି ରାନ୍ଧିଛି–ଆପଣ ଆସି ଖାଇବେ ବୋଲି, ଏଇ ଅକର୍ତ୍ତବ୍ୟ ଭିତରେ ମୁଁ ତୃପ୍ତି ପାଆନ୍ତି କିପରି ? ଅଜିତ୍‍ ବାବୁ, ଆଜି ଆପଣ ମୋର ସବୁ କଥା ବୁଝିପାରିବେ ନାହିଁ, ବୁଝିବାର ଚେଷ୍ଟା କରି ବି ଲାଭ ନାହିଁ । କିନ୍ତୁ ଏତେଗୁଡ଼ାଏ ଓଲଟା କଥାର ଅର୍ଥ ଯଦି କେତେବେଳେ ନିଜେ ଉପଲବ୍ଧ କରିପାରନ୍ତି, ତେବେ ସେ ଦିନ ମୋତେ ସ୍ମରଣ କରିବେ । କିନ୍ତୁ ଏଇକ୍ଷଣି ଥାଉ, ଆପଣ ଖାଇବସନ୍ତୁ । ଏହା କହି ସେ ପତ୍ରପୂର୍ଣ୍ଣ କରି ବହୁବିଧ ଭୋଜ୍ୟବସ୍ତୁ ତା’ ଆଗରେ ବାଢ଼ିଲା ।

 

ଅଜିତ୍‍ ବହୁ ସମୟ ମୌନ ରହି କହିଲା–ଏ କଥା ଠିକ୍ ଯେ ଆପଣଙ୍କର ଶେଷ କଥାଗୁଡ଼ିକର ଅର୍ଥ ମୁଁ ବୁଝିପାରି ନାହିଁ କିନ୍ତୁ ମନେହେଉଛି ଯେପରି ସମ୍ପୂର୍ଣ୍ଣ ଅବୋଧ୍ୟ ନୁହେଁ । ବୁଝେଇ ଦେଲେ ହୁଏତ ବୁଝିପାରିବି ।

 

କମଳ କହିଲା–କିଏ ବୁଝେଇ ଦେବ, ଅଜିତ୍‍ ବାବୁ, ମୁଁ ? ମୋର କ’ଣ ଦରକାର ? ଏହା କହି ସେ ହସି ହସି ବାକି ପତ୍ରଗୁଡ଼ିକ ବଢ଼େଇ ଦେଲା ।

 

ଅଜିତ୍‍ ଖାଇବାକୁ ବସି କହିଲା–ଆପଣ ବୋଧହୁଏ ଜାଣନ୍ତି ନାହିଁ ଯେ ମୁଁ କାଲି ରାତିରେ ଖାଇନି ।

 

କମଳ କହିଲା–ମୁଁ ଅବଶ୍ୟ ଜାଣିନି, କିନ୍ତୁ ମୁଁ ଭୟ କରୁଥିଲି ଯେ ହୁଏତ ଏତେ ରାତିରେ ଫେରି ଆପଣଙ୍କର ଖିଆ ହେବନାହିଁ । ସେଇୟା ହେଲା । ମୋ ଦୋଷରୁ ଆପଣ କାଲି ଉପବାସ ରହିଲେ ।

 

‘କିନ୍ତୁ ଆଜି ସୁଧ ମୂଳ ଆଦାୟ ହୋଇଗଲା ।’ କହିସାରି ତା’ର ମନେପଡ଼ିଲା ଯେ କମଳ ଏପର୍ଯ୍ୟନ୍ତ ଖାଇ ନାହିଁ । ମନେମନେ ଲଜ୍ଜିତ ହୋଇ କହିଲା ମୁଁ ତ ପଶୁପରି ସ୍ୱାର୍ଥପର ! ସାରାଦିନ ଆପଣ ଖାଇ ନାହାନ୍ତି, ଅଥଚ ସେ ଆଡ଼େ ମୋର ହୋସ୍ ନାହିଁ । ମୁଁ ବେଶ୍ ଆରାମରେ ଖାଇ ବସିଛି ।

 

କମଳ ହସି ହସି କହିଲା–ଏ ତ ମୋର ନିଜର ଖାଇବାଠାରୁ ବଡ଼, ସେଥିପାଇଁ ଆପଣଙ୍କୁ ପ୍ରଥମେ ଖାଇବାକୁ ବାଢ଼ି ଦେଇଛି । ସେ ଟିକିଏ ଅଟକି ପୁଣି କହିଲା–ଆଉ ଏସବୁ ମାଛ ମାଂସର ବ୍ୟବସ୍ଥା, ମୁଁ ତ ଖାଏ ନାହିଁ ।

 

‘କିନ୍ତୁ ଆପଣ କ’ଣ ଖାଇବେ ?’

 

‘ଏଇତ’ କହି ସେ ଘୋଡ଼ା ହୋଇଥିବା ଗୋଟିଏ ଏନାମେଲ୍ ଗିନା ଅଙ୍ଗୁଳି ନିର୍ଦ୍ଦେଶରେ ଦେଖାଇ କହିଲା–ଏ ଭିତରେ ମୋର ଚାଉଳ-ଆଳୁ-ଡାଲି-ସିଝା ହୋଇ ରହିଛି । ସେଇ ମୋର ରାଜଭୋଗ ।

 

ଏ ବିଷୟରେ ଅଜିତ୍‍ର କୌତୂହଳ ନିବୃତ୍ତି ହେଲା ନାହିଁ । କିନ୍ତୁ ପଚାରିବା ପାଇଁ ତାକୁ ସଙ୍କୋଚ ଲାଗିଲା । କାଳେ ସେ ଦାରିଦ୍ର୍ୟ ସମ୍ପର୍କରେ ଉଲ୍ଲେଖ କରିବ, ଏଇ ଆଶଙ୍କାରେ ସେ ଅନ୍ୟ କଥା ପକାଇଲା । କହିଲା–ଆପଣଙ୍କୁ ଦେଖି ପ୍ରଥମରୁ ମୋତେ ଯେ କି ବିସ୍ମୟ ଲାଗିଥିଲା କହିହେବନି ।

 

କମଳ ହସି ହସି କହିଲା–ସେ ତ ମୋର ରୂପ ଅଜିତ୍‍ ବାବୁ । କିନ୍ତୁ ସେ ବି ଅକ୍ଷୟ ବାବୁଙ୍କ ପାଖରେ ହାର ମାନିଲା । ତାଙ୍କୁ ପରାସ୍ତ କରି ପାରିନାହିଁ ।

 

ଅଜିତ୍‍ ଲଜ୍ଜିତ ହେଲା । ସାମାନ୍ୟ ହସି କହିଲା–ବୋଧହୁଏ ସେ ପରାସ୍ତ ହୋଇ ନାହାନ୍ତି-। ସେ ଗୋଲ୍‍କୁଣ୍ଡା ହୀରା, ସେଥିରେ ଦାଗ ପଡ଼ିବା କଷ୍ଟ । ମତେ କିନ୍ତୁ ବିସ୍ମୟ ଲାଗିଥିଲା ଆପଣଙ୍କ କଥା ଶୁଣି । ହଠାତ୍ ଧୈର୍ଯ୍ୟ ରହେନା–ରାଗ ଆସେ । ମନେହୁଏ ଆପଣ କୌଣସି ସତ୍ୟକୁ ବି ମାନିବାକୁ ନାରାଜ । ହାତ ବଢ଼ାଇ ବାଟ ଆଗୁଳିବା ଯେପରି ଆପଣଙ୍କର ସ୍ଵଭାବ ।

 

କମଳ ହୁଏତ କ୍ଷୁଣ୍ଣ ହେଲା । କହିଲା–ହୋଇଥିବ, କିନ୍ତୁ ମୋ’ଠାରୁ ବଡ଼ ବିସ୍ମୟ ଯେଉଁଠି ଥିଲା ସେ ଅବଶ୍ୟ ଆଉ ଗୋଟାଏ ଦିଗ । ଯେପରି ବିପୁଳ ଦେହ, ସେହିପରି ଧୈର୍ଯ୍ୟର ହିମଗିରି । ଉତ୍ତାପର ବାଷ୍ପ ସେଠି ପହଞ୍ଚିବା କଷ୍ଟ । ଇଚ୍ଛା ହୁଏ, ମୁଁ ଯଦି ତାଙ୍କର ଝିଅ ହୋଇଥାନ୍ତି !

 

ଅଜିତ୍‍କୁ କଥାଟି ଖୁବ୍ ଭଲଲାଗିଲା । ଆଶୁ ବାବୁଙ୍କୁ ସେ ଅନ୍ତରରେ ଦେବତାପରି ଶ୍ରଦ୍ଧା ଓ ଭକ୍ତି କରେ । ତଥାପି କହିଲା–ଆପଣ ଉଭୟଙ୍କର ଏପରି ବିପରୀତମୁଖୀ ପ୍ରକୃତି ମିଳିଲା କିପରି-?

 

କମଳ କହିଲା–ସେ କଥା ତ ଜାଣିନି । ମୋର ଇଚ୍ଛା କଥା କେବଳ କହିଲି । ମଣିପରି ମୁଁ ଯଦି ତାଙ୍କର ଝିଅ ହୋଇଥାନ୍ତି ! ଏହା କହି ସେ କିଛି ସମୟ ନିସ୍ତବ୍ଧ ରହି କହିଲା–ମୋ ବାପା ବି ଖୁବ୍ ବଡ଼ଲୋକ ଥିଲେ । ସେ ଠିକ୍ ଏଇଭଳି ଧୀର ଶାନ୍ତ ମଣିଷ ଥିଲେ ।

 

କମଳ ଦାସୀ-କନ୍ୟା, ଛୋଟଜାତି ଘରର ଝିଅ । ଏଇ କଥା ଅଜିତ୍‍ ସମସ୍ତଙ୍କ ଠାରୁ ଶୁଣିଥିଲା । ବର୍ତ୍ତମାନ କମଳ ମୁହଁରୁ ତା’ ବାପାଙ୍କ କଥା ଶୁଣି କମଳର ଶୈଶବର ଇତିହାସ ଶୁଣିବା ପାଇଁ ତା’ର କୌତୂହଳ ଜାତ ହେଲା । କିନ୍ତୁ ପଚାରିଲେ କାଳେ ଅଜ୍ଞାତ ଭାବେ ଆଘାତ ହେବ, ଏଇ ଭୟରେ ସେ ପ୍ରଶ୍ନ କରିପାରିଲା ନାହିଁ ।

 

ଖାଇବା ଶେଷ ହେଲା । କିନ୍ତୁ ଜାଗାରୁ ନ ଉଠି ଅଜିତ୍‍ କହିଲା–ଆଗେ ଆପଣଙ୍କର ଖାଇବା ଶେଷ ହେଉ । ତା’ପରେ ଉଠିବା ।

 

‘କାହିଁକି ବୃଥା କଷ୍ଟ ପାଇବେ ଅଜିତ୍‍ ବାବୁ, ଆପଣ ଉଠନ୍ତୁ ବରଂ ମୁହଁ ଧୋଇ ବସନ୍ତୁ, ମୁଁ ଖାଇ ବସୁଛି ।’

 

‘ନା, ନା’ ସେ କଥା ହେବନି । ଆପଣ ନ ଖାଇଲେ ମୁଁ ଆସନ ଛାଡ଼ି ତିଳେ ମାତ୍ର ଘୁଞ୍ଚିବି ନାହିଁ ।’

 

‘ଆଚ୍ଛା ମଣିଷ ତ !’ କହି କମଳ ଆହାର୍ଯ୍ୟ ଦ୍ରବ୍ୟ ଆଣି ଖାଇ ବସିଲା । ସେ ଲେଶମାତ୍ର ଅତ୍ୟୁକ୍ତି କରିନାହିଁ, ଚାଉଳ, ଡାଲି, ଆଳୁ ସିଝା କେବଳ । ଶୁଖି ପ୍ରାୟ ବିବର୍ଣ୍ଣ ହୋଇ ଗଲାଣି । ଅନ୍ୟ ଦିନ ସେ କ’ଣ ଖାଏ କେଜାଣି, କିନ୍ତୁ ଆଜି ଏତେ ପ୍ରକାର ପର୍ଯ୍ୟାପ୍ତ ଆୟୋଜନ ମଝିରେ ଏହି ସ୍ଵେଚ୍ଛାକୃତ ଆତ୍ମପୀଡ଼ନ ଦେଖି ଅଜିତ୍‍ ଆଖି ଛଳ ଛଳ ହୋଇଗଲା । କାଲି ଶୁଣିଥିଲା ଯେ ସେ ଦିନକେ ଥରେ ଖାଏ ଏବଂ ଆଜି ତାହାର ନମୁନା ଦେଖିବାକୁ ପାଇଲା । ସୁତରାଂ ଯୁକ୍ତି ଓ ତର୍କ ଛଳନାରେ କମଳ ମୁହଁରେ ଯାହା କହୁ ପଛେ ବାସ୍ତବ କ୍ଷେତ୍ରରେ ତାହାର ଏଇ କଠୋର ଆତ୍ମସଂଯମର ଅପରୂପ ମାଧୁର୍ଯ୍ୟ ଦେଖି ଅଜିତ୍‍ ଶ୍ରଦ୍ଧାରେ ଅଭିଭୂତ ହୋଇଗଲା । ଯେଉଁମାନେ କମଳକୁ ବଞ୍ଚନା, ଅସମ୍ମାନ, ଅନାଦର ଓ ଲାଞ୍ଛନା ଦେଉଛନ୍ତି, ସେମାନଙ୍କ ପ୍ରତି ତା’ ମନ ଘୃଣାରେ ଭରିଗଲା । କମଳର ଖାଇବା ଦେଖି ସେ ଏହି ଭାବକୁ ଚାପି ରଖି ନ ପାରି ଉଚ୍ଛ୍ୱସିତ ଆବେଗରେ ସହ କହିଲା–ନିଜକୁ ବଡ଼ ମନେକରି ଯେଉଁମାନେ ଅପମାନ ଦେଇ ଆପଣଙ୍କୁ ଦୂରରେ ରଖୁଛନ୍ତି, ବିନା କାରଣରେ ଆପଣଙ୍କୁ ଗ୍ଳାନି, ଅସମ୍ମାନ ଦେଉଛନ୍ତି, ସେମାନେ ଆପଣଙ୍କର ପଦସ୍ପର୍ଶ କରିବା ପାଇଁ ଯୋଗ୍ୟ ନୁହନ୍ତି । ସଂସାରରେ ଆପଣହିଁ ଯଥାର୍ଥ ଦେବୀର ଆସନ ପାଇବା ପାଇଁ ଯୋଗ୍ୟ ।

 

କମଳ ଅକୃତ୍ରିମ ବିସ୍ମୟ ସହ ମୁହଁ ଟେକି ପଚାରିଲା–କାହିଁକି ?

 

‘କାହିଁକି ତା’ ଜାଣେନା, କିନ୍ତୁ ମୁଁ ଶପଥ କରି ଏ କଥା କହିପାରେ ।’

 

କମଳର ବିସ୍ମୟଭାବ ଗଲାନାହିଁ, କିନ୍ତୁ ସେ ଚୁପ୍ ରହିଲା ।

 

ଅଜିତ୍‍ କହିଲା–କ୍ଷମା କରିବେ ତ ଗୋଟାଏ ପ୍ରଶ୍ନ ପଚାରିବି ।

 

‘କି ପ୍ରଶ୍ନ ?’

 

ପାପିଷ୍ଠ ଶିବନାଥଠାରୁ ଅପମାନ ଓ ବଞ୍ଚନା ପାଇବା ପରେ ଆପଣ କ’ଣ କୃଚ୍ଛ୍ରବ୍ରତ ଅବଲମ୍ବନ କରିଛନ୍ତି ?

 

କମଳ କହିଲା–ନା । ମୋର ପ୍ରଥମ ସ୍ୱାମୀ ମରିବା ପରଠାରୁ ମୁଁ ଏଇପରି ଖାଏ । ସେଥିରେ ମୋର କଷ୍ଟ ହୁଏନା ।

 

ଅଜିତ୍‍ର ମୁହଁ ଉପରେ କଳା ଲେପି ହୋଇଗଲା ଯେମିତି ! ସେ କେତେ ମୁହୂର୍ତ୍ତ ସ୍ତବ୍ଧ ରହି ନିଜକୁ ସମ୍ଭାଳି ନେଇ ଆସ୍ତେ ଆସ୍ତେ ପଚାରିଲା–ଆପଣଙ୍କର କ’ଣ ଆଗରୁ ଆଉଥରେ ବିବାହ ହୋଇଥିଲା ?

 

କମଳ କହିଲା–ହଁ । ସେ ଜଣେ ଆସାମୀ ଖ୍ରୀଷ୍ଟାନ୍ । ତାଙ୍କର ମୃତ୍ୟୁ ପରେ ମୋ ବାପା ଘୋଡ଼ାରୁ ପଡ଼ି ହଠାତ୍ ମରିଗଲେ । ସେତେବେଳେ ଶିବନାଥଙ୍କର ଜଣେ କାକା ଚା’ ବାଗାନରେ ହେଡ଼୍‍ କ୍ଳାର୍କ ଥିଲେ । ତାଙ୍କର ସ୍ତ୍ରୀ ନ ଥିଲେ । ସେ ମା’ଙ୍କୁ ଆଶ୍ରୟ ଦେଲେ । ମୁଁ ବି ତାଙ୍କ ସହ ଆସିଲି । ଏଇଭଳି ନାନା ଦୁଃଖ କଷ୍ଟରେ ପଡ଼ି ବେଳାଏ ଖାଇବା ମୋର ଅଭ୍ୟାସ ହୋଇଗଲା । ଏ ଆଉ କୃଚ୍ଛ୍ର ସାଧନା କ’ଣ, ବରଞ୍ଚ ଶରୀର ମନ ଉଭୟ ଭଲ ରହେ ।

 

ଅଜିତ୍‍ ନିଃଶ୍ଵାସ ପକାଇ କହିଲା–ଆପଣ ଜାତିରେ ତନ୍ତୀ ବୋଲି ଶୁଣିଛି ।

 

କମଳ କହିଲା–ଲୋକେ ତା’ କହନ୍ତି । କିନ୍ତୁ ମା କହନ୍ତି ଯେ ତାଙ୍କ ପିତା ଜାତିରେ ବୈଦ୍ୟ ଅର୍ଥାତ୍ ମୋର ମାତାମହ ତନ୍ତୀ ନୁହନ୍ତି, ବୈଦ୍ୟ ଥିଲେ । ଏହା କହି ସେ ଟିକିଏ ହସି କହିଲା–ସେ ଯାହା ହୁଅନ୍ତୁ । ବର୍ତ୍ତମାନ ଦୁଃଖ କରିବା ବୃଥା ।

 

ଅଜିତ୍‍ କହିଲା–ତା’ ଠିକ୍ ।

 

କମଳ କହିଲା–ମା’ଙ୍କର ରୂପ ଥିଲା, ରୁଚି ନ ଥିଲା । ବିବାହ ପରେ କ’ଣ ଗୋଟାଏ ଦୁର୍ନାମ ହେବାରୁ ତା’ର ସ୍ଵାମୀ ତାକୁ ନେଇ ଚା’ ବାଗାନ୍‍କୁ ଚାଲି ଆସିଲେ । କିନ୍ତୁ ବଞ୍ଚିଲେ ନାହିଁ । କେତେ ମାସ ପରେ ଜ୍ଵରରେ ପ୍ରାଣତ୍ୟାଗ କଲେ । ତିନିବର୍ଷ ପରେ ମୋର ଜନ୍ମ ହେଲା ବାଗାନ୍‍ର ବଡ଼ ସାହେବଙ୍କ ଘରେ ।

 

ତା’ର ବଂଶ ଓ ଜନ୍ମଗ୍ରହଣର ବିବରଣ ଶୁଣି ମୁହୂର୍ତ୍ତପୂର୍ବେ ଶ୍ରଦ୍ଧା ଓ ସ୍ନେହ ବିଷ୍ଫାରିତ ଅଜିତ୍‍ର ହୃଦୟ ବିତୃଷ୍ଣାରେ ସଂକୁଚିତ ହୋଇଗଲା । ତାକୁ ସବୁଠୁ ବେଶୀ ବାଧିଲା ଯେ ନିଜର ଓ ନିଜ ଜନନୀ ସମ୍ପର୍କରେ ଏକ ଲଜ୍ଜାକର ବୃତାନ୍ତ ବିବୃତ କରିବା ପାଇଁ ଏହାର ଲେଶମାତ୍ର ଲଜ୍ଜା ନାହିଁ-। ଅନାୟାସରେ କହି ପାରିଲା ଯେ ମା’ର ରୂପ ଥିଲା, କିନ୍ତୁ ରୁଚି ନ ଥିଲା ! ଯେ ଅପରାଧରେ ଜଣେ ଲଜ୍ଜାରେ ମାଟିରେ ମିଶିଯାଆନ୍ତା, ତା’ ଏହା ପକ୍ଷରେ କେବଳ ରୁଚିର ବିକାର ମାତ୍ର-! ତା’ଠାରୁ ବେଶୀ ନୁହେଁ ।

 

କମଳ କହିବାକୁ ଲାଗିଲା–କିନ୍ତୁ ମୋ ବାପା ଥିଲେ ସାଧୁ ବ୍ୟକ୍ତି । ଚରିତ୍ର, ପାଣ୍ଡିତ୍ୟ–ସବୁ ଦିଗରୁ ଏଭଳି ମଣିଷ ମୁଁ ଖୁବ୍ କମ୍ ଦେଖିଛି ଅଜିତ୍‍ ବାବୁ । ଜୀବନର ଊଣିଶି ବର୍ଷ ମୁଁ ତାଙ୍କ ପାଖେ ମଣିଷ ହୋଇଛି ।

 

ଅଜିତ୍‍ର ହଠାତ୍ ସନ୍ଦେହ ହେଲା–ହୁଏତ ଏ ପରିହାସ କରୁଛି । କହିଲା–ଏ କଥା ଆପଣ ସତ କହୁଛନ୍ତି ?

 

କମଳ ଟିକିଏ ଆଶ୍ଚର୍ଯ୍ୟ ହୋଇ କହିଲା–ମୁଁ ତ କେବେ ମିଛ କହେନା ଅଜିତ୍‍ ବାବୁ ! ପିତାର ସ୍ମରଣରେ ପଲକ ପାଇଁ ତା’ ମୁହଁରେ ଏକ ସ୍ନିଗ୍ଧ ଦୀପ୍ତି ଖେଳିଗଲା । କହିଲା–ଜୀବନରେ କୌଣସି କାରଣ ବଶତଃ ମିଥ୍ୟା ଚିନ୍ତା, ମିଥ୍ୟା ଅଭିମାନ ବା ମିଥ୍ୟା ବାକ୍ୟର ଆଶ୍ରୟ ନ ନେବାକୁ ବାବା ମୋତେ ଶିକ୍ଷା ଦେଇଛନ୍ତି ।

 

ଅଜିତ୍‍ ତଥାପି ଯେପରି ବିଶ୍ୱାସ କରିପାରିଲା ନାହିଁ । କହିଲା–ଆପଣ ଯଦି ଜଣେ ଇଂରେଜ ଭଦ୍ରଲୋକଙ୍କଦ୍ଵାରା ମଣିଷ ହୋଇଛନ୍ତି, ଆପଣଙ୍କର ଇଂରେଜୀ ଶିଖିବାଟା ତ ଉଚିତ । ପ୍ରତ୍ୟୁତ୍ତରରେ କମଳ ମୁରୁକି ହସିଲା ମାତ୍ର । କହିଲା–ମୁଁ ଖାଇସାରିଲିଣି, ଚାଲନ୍ତୁ ସେ ଘରକୁ ଯିବା-

 

‘ନା, ମୁଁ ବର୍ତ୍ତମାନ ଚାଲିଯିବି ।’

 

‘ବସିବେନି ? ଏତେଶୀଘ୍ର ଚାଲିଯିବେ ?’

 

‘ନା, ଆଜି ଆଉ ସମୟ ହେବନି ।’

 

ଏତେ ସମୟ ପରେ କମଳ ମୁହଁଟେକି ଅଜିତ୍‍ ଆଡ଼କୁ ଚାହିଁଲା ଓ ତା’ ମୁହଁର କଠୋରତା ଲକ୍ଷ୍ୟ କଲା । ହୁଏତ କାରଣଟା ବି ଅନୁମାନ କରିପାରିଲା । ନିର୍ନିମେଷ ନୟନରେ ତା’ ଆଡ଼କୁ ଚାହିଁରହି ଧୀରେ ଧୀରେ କହିଲା–ଆଚ୍ଛା ଯାଆନ୍ତୁ ।

 

ଏହାପରେ କ’ଣ କହିବାକୁ ହେବ, ଅଜିତ୍‍ ଖୋଜି ପାଇଲା ନାହିଁ । ଶେଷରେ କହିଲା–ଆପଣ କ’ଣ ଆଗ୍ରାରେ କିଛିଦିନ ରହିବେ ?

 

‘କାହିଁକି ?’

 

‘ଧରନ୍ତୁ ଶିବନାଥ ବାବୁ ଯଦି ଆଉ ନ ଆସନ୍ତି । ତାଙ୍କ ଉପରେ ତ ଆପଣଙ୍କର କିଛି ଜୋର୍ ନାହିଁ ।’

 

କମଳ କହିଲା–ନା । ଟିକିଏ ସ୍ଥିର ରହି କହିଲା–ଆପଣଙ୍କର ସେଠାକୁ ସେ ନିତି ଯାଆନ୍ତି, ଗୋପନରେ ଟିକିଏ ଖୋଜଖବର ନେଇ ମୋତେ ଜଣାଇ ପାରିବେ କି ?

 

‘ସେଥିରେ ଲାଭ କ’ଣ ହେବ ?’

 

‘ହେବ ଆଉ କ’ଣ ! ଘର ଭଡ଼ାଟା ଏ ମାସର ଦିଆ ସରିଛି । ମୁଁ ତା’ହେଲେ କାଲି ପ’ରଦିନ ଚାଲିଯାଇ ପାରନ୍ତି ।’

 

‘କେଉଁଠିକି ଯିବେ ।’

 

କମଳ ଏ ପ୍ରଶ୍ନର ଉତ୍ତର ଦେଲା ନାହିଁ, ଚୁପ୍ ରହିଲା ।

 

ଅଜିତ୍‍ ପଚାରିଲା–ଆପଣଙ୍କ ହାତରେ ବୋଧହୁଏ ଟଙ୍କାପଇସା ନାହିଁ ?

 

କମଳ ଏ ପ୍ରଶ୍ନର ଉତ୍ତର ଦେଲା ନାହିଁ ।

 

ଅଜିତ୍‍ କିଛି ସମୟ ପରେ ମୌନ ରହି କହିଲା–ଆସିବାବେଳେ କିଛି ଟଙ୍କା ସାଥିରେ ଆଣିଥିଲି । ନେବେ ?

 

‘ନା ।’

 

ନା କାହିଁକି ? ମୁଁ ନିଶ୍ଚିତ ରୂପେ ଜାଣେ ଯେ ଆପଣଙ୍କ ହାତରେ କିଛି ନାହିଁ । ଯାହା ବା ଥିଲା, ଆଜି ମୋ’ପାଇଁ ଶେଷ ହୋଇଯାଇଛି । କିଛି ଉତ୍ତର ନ ପାଇ ପୁଣି କହିଲା–ପ୍ରୟୋଜନ ବେଳେ ବନ୍ଧୁଠାରୁ କ’ଣ ସାହାଯ୍ୟ ନିଆଯାଏ ନାହିଁ ?

 

କମଳ କହିଲା–କିନ୍ତୁ ଆପଣ ତ ବନ୍ଧୁ ନୁହନ୍ତି ।

 

ନ ହେଲି ବା, କିନ୍ତୁ ଅବନ୍ଧୁଠାରୁ ବି ତ ୠଣ ନିଆଯାଏ ଏବଂ ଶୁଝାଯାଏ । ଆପଣ ତା’ହେଲେ ନେବେନି କାହିଁକି ?

 

କମଳ କହିଲା–ଆପଣଙ୍କୁ କହିଛି–ମୁଁ କେବେ ମିଛ କହେନା ।

 

କଥା ମୃଦୁ, କିନ୍ତୁ ଶର ମୂନ ଭଳି ତୀକ୍ଷ୍ଣ । ଅଜିତ୍‍ ବୁଝିଲା–ଏହାର ଅନ୍ୟଥା ହେବ ନାହିଁ । ଚାହିଁ ଦେଖିଲା ଯେ ପ୍ରଥମ ଦିନ ତା’ ଦେହରେ ଯାହା ସାମାନ୍ୟ ଅଳଙ୍କାର ଥିଲା, ଆଜି ତା’ ନାହିଁ । ସମ୍ଭବତଃ ଘର ଭଡ଼ା ଓ ଏଇ କେତେଦିନର ଖର୍ଚ୍ଚ ଚଳାଇବାରେ ଶେଷ ହୋଇଯାଇଛି । ପଚାରିଲା–ଯିବାଟା କ’ଣ ସ୍ଥିର ?

 

କମଳ କହିଲା–ତା’ଛଡ଼ା ଉପାୟ କ’ଣ ?

 

ଉପାୟ କ’ଣ–ଅଜିତ୍‍ ଜାଣେନା ଏବଂ ଜାଣେନା ବୋଲି ତାକୁ ଖୁବ୍ କଷ୍ଟ ଲାଗିଲା । ଶେଷ ଚେଷ୍ଟା ସ୍ୱରୂପ କହିଲା–ଏ ସମୟରେ ସାହାଯ୍ୟ କରିବାପାଇଁ ଆପଣଙ୍କର କ’ଣ ସଂସାରରେ କେହି ନାହାନ୍ତି ?

 

କମଳ ଟିକିଏ ଭାବି କହିଲା–ଅଛନ୍ତି । ଝିଅ ଭଳି ତାଙ୍କପାଖରେ ହାତପାତି ଠିଆ ହେଇ ହେବ । କିନ୍ତୁ...ଅନେକ ରାତି ହୋଇଗଲାଣି, ଆପଣଙ୍କୁ ଟିକିଏ ଆଗେଇ ଦେଇ ଆସିବି କି ?

 

ଅଜିତ୍‍ ବ୍ୟସ୍ତ ହୋଇ କହିଲା–ନା, ମୁଁ ଏକା ଯାଇପାରିବି ।

 

‘ତା’ହେଲେ ଆସନ୍ତୁ, ନମସ୍କାର ।’ କହି କମଳ ତା’ର ଶୋଇବା ଘରକୁ ଚାଲିଗଲା । ଅଜିତ୍‍ ପ୍ରାୟ ଦୁଇମିନିଟ୍ ସ୍ତବ୍ଧ ଭାବେ ଠିଆହୋଇ ଆସ୍ତେ ଆସ୍ତେ ରାସ୍ତାକୁ ଆସିଲା ।

 

(ଏଗାର)

 

ବେଳ ତୃତୀୟ ପ୍ରହର ।ଶୀତର ସୀମା ନାହିଁ । ଆଶୁ ବାବୁଙ୍କ ବସିବା ଘରର ଝରକାଗୁଡ଼ିକ ଦିନସାରା ବନ୍ଦ ହୋଇଛି । ସେ ଆରାମ୍‍ ଚେୟାର୍‍ର ଦୁଇ ବାହୁ ଉପରେ ଦୁଇ ଗୋଡ଼ ଲମ୍ବାଇ ଦେଇ ଗଭୀର ମନୋଯୋଗ ସହ କ’ଣ ଗୋଟାଏ ପଢ଼ୁଥିଲେ । ପଛପଟ ଦରଜା ଉପରେ ଗୋଟାଏ ଛାଇ ପଡ଼ିବାର ଦେଖି ବୁଝିଲେ ଯେ ବର୍ତ୍ତମାନ ତାଙ୍କ ବେହେରାର ଦିବାନିଦ୍ରା ଶେଷ ହେଲା ବୋଧହୁଏ । କହିଲେ–କଞ୍ଚାନିଦରେ ଉଠିନୁ ତ ବାପା, ତା’ହେଲେ ପୁଣି ମୁଣ୍ଡ ଧରିବ । ବିଶେଷ କଷ୍ଟ ନ ହେଲେ ଦୟାକରି ଏ ଗରିବର ଗୋଡ଼ ଦୁଇଟା ଉପରେ ଲୁଗାଟା ଘୋଡ଼ାଇ ଦେଇ ଯା’ ।

 

ତଳ କାର୍ପେଟ ଉପରେ ଗୋଟାଏ ଚାଦର ପଡ଼ିଥିଲା । ଆଗନ୍ତୁକ ତାକୁ ତୋଳି ନେଇ ଆଶୁ ବାବୁଙ୍କ ପାଦକୁ ଭଲଭାବରେ ଘୋଡ଼ାଇ ଦେଲା ।

 

ଆଶୁ ବାବୁ କହିଲେ–ହେଲା ବାବା, ଆଉ ଅତି ଯତ୍ନରେ କାମ ନାହିଁ । ଏଥର ଗୋଟାଏ ଚୁରୁଟ୍ ଦେଇ ଆଉ ଟିକିଏ ଗଡ଼ପଡ଼ କରିନେ । ଏବେ ବି ଟିକିଏ ବେଳ ଅଛି । କିନ୍ତୁ କାଲି ଫଳ ପାଇବୁ ଯେ–

 

ଅର୍ଥାତ୍‍ କାଲି ତୋର ଚାକିରି ଯିବ । କୌଣସି ଶବ୍ଦ ଆସିଲା ନାହିଁ, କାରଣ ମାଲିକଙ୍କର ଏବଂବିଧ ମନ୍ତବ୍ୟ ପ୍ରତି ଭୃତ୍ୟ ଅଭ୍ୟସ୍ତ । ପ୍ରତିବାଦ କରିବା ଯେପରି ନିଷ୍ପ୍ରୟୋଜନ, ବିଚଳିତ ହେବା ସେପରି ମୂଲ୍ୟହୀନ ।

 

ଆଶୁ ବାବୁ ହାତ ବଢ଼ାଇ ଚୁରୁଟ୍ ଗ୍ରହଣ କଲେ ଓ ଦିଆସିଲାଇ ଜଳାଇବାର ଶବ୍ଦରେ ବହିରୁ ମୁହଁ ଉଠାଇ ଚାହିଁଲେ । କେତେକ ସମୟ ଅଭିଭୂତ ରହି କହିଲେ–ଏମିତି ଯତ୍ନରେ ଘୋଡ଼ାଇ ଦେବା ତ ତା’ ଚୌଦପୁରୁଷକୁ ବି ଆସିବ ନାହିଁ ।

 

କମଳ କହିଲା–କିନ୍ତୁ ଏଣେ ମୋ ହାତଟା ପୋଡ଼ିଯାଇଛି ଯେ !

 

ଆଶୁ ବାବୁ ବ୍ୟସ୍ତ ହୋଇ ଜଳନ୍ତା କାଠିଟା ତା’ ହାତରୁ ଫିଙ୍ଗିଦେଲେ ଏବଂ ସେଇ ହାତକୁ ନିଜ ହାତରେ ଧରି କମଳକୁ ଆଗକୁ ଟାଣିଆଣିଲେ । ପଚାରିଲେ–ଏତେ ଦିନ ଧରି ତମର ଦେଖାନାଇଁ ଯେ ମା ?

 

ଏଇ ପ୍ରଥମ ଥର ସେ କମଳକୁ ମାତୃସମ୍ବୋଧନ କଲେ । କମଳ ଖଣ୍ଡିଏ ଚୌକିଟାଣି ସାମାନ୍ୟ ଦୂରରେ ବସିବାକୁ ଯାଉଥିଲା କିନ୍ତୁ ଆଶୁ ବାବୁ କହିଲେ–ନା, ସେଠି ନୁହେଁ ମା, ମୋ ପାଖରେ ଆସି ବସ । ଏହା କହି ତାକୁ ପାଖକୁ ଟାଣିଆଣି କହିଲେ–ହଠାତ୍ ଚାଲି ଆସିଲ ଯେ ।

 

କମଳ କହିଲା–ଆଜି ଖୁବ୍ ଇଚ୍ଛାହେଲା ଆପଣାକୁ ଦେଖିବା ପାଇଁ, ସେଇଥିପାଇଁ ଚାଲିଆସିଲି ।

 

ଆଶୁ ବାବୁ କହିଲେ–ବେଶ୍ କଲ । ଏହାଠାରୁ ଅଧିକ ଆଉ କିଛି ସେ କହି ପାରିଲେ ନାହିଁ । ଅନ୍ୟାନ୍ୟ ସମସ୍ତଙ୍କ ଠାରୁ ସେ ଅଧିକ ଜାଣନ୍ତି ଯେ ଏ ଦେଶରେ କମଳର ବନ୍ଧୁ କେହି ନାହିଁ-। କେହି ତାକୁ ଚାହେଁନା, ତା’ର କାହା ଘରକୁ ଯିବାର ଅଧିକାର ନାହିଁ–ଏଇ ଝିଅଟିକୁ ନିତାନ୍ତ ନିଃସ୍ଵ ଜୀବନ ଯାପନ କରିବାକୁ ହୁଏ । ତଥାପି ତାଙ୍କ ମୁହଁରୁ ବାହାରି ପାରିଲା ନାହିଁ ଯେ–କମଳ, ତମର ସେତେବେଳେ ଖୁସୀ ସେତେବେଳେ ଆସିବ । ଆଉ ଯେଉଁଠି ଯାହାହେଉନା କାହିଁକି ମୋ ପାଖରେ ତମର କୌଣସି ସଂକୋଚ କରିବାର ଆବଶ୍ୟକତା ନାହିଁ । ସେ କଥା ଅଭାବରେ ଦୁଇ ତିନି ମିନିଟ୍ ଅନ୍ୟମନସ୍କ ଭାବେ ମୌନ ରହିଲେ । ତାଙ୍କ ହାତର କାଗଜଗୁଡ଼ାକ ତଳେ ଖସି ପଡ଼ିବାରୁ କମଳ ନଇଁ ଗୋଟାଇ ଦେଉ ଦେଉ କହିଲା–ଆପଣ ପଢ଼ୁଥିଲେ, ମୁଁ ବୋଧହୁଏ ଅସମୟରେ ଆସି ବାଧା ଦେଲି ।

 

ଆଶୁ ବାବୁ କହିଲେ–ନା, ପଢ଼ା ମୋର ସରିଗଲାଣି । ଯାହା ବାକି ଅଛି ତାହା ନ ପଢ଼ିଲେ ବି ଚଳିବ–ପଢ଼ିବାର ଇଚ୍ଛା ବି ନାହିଁ । ଟିକିଏ ଅଟକି କହିଲେ–ତା’ଛଡ଼ା ତମେ ଚାଲିଗଲେ ମୋତେ ଏକୁଟିଆ ରହିବାକୁ ହେବ । ତା’ଛଡ଼ା ବରଂ ବସି ଗଳ୍ପ କରିବା ଭଲ ।

 

କମଳ କହିଲା–ମୁଁ ତ ସାରାଦିନ ଆପଣଙ୍କ ସହ ବସି ଗଳ୍ପ କରିପାରନ୍ତି, କିନ୍ତୁ ଆଉ ସମସ୍ତେ ପୁଣି ବିରକ୍ତି ହେବେ ଯେ !

 

ଆଶୁ ବାବୁଙ୍କୁ କଷ୍ଟ ଲାଗିଲା । ସେ କହିଲେ–ତୁମ କଥା ମିଛ ନୁହେଁ କମଳ, କିନ୍ତୁ ଯେଉଁମାନେ ରାଗ କରନ୍ତେ ସେମାନେ ଆଜି କେହି ନାହାନ୍ତି । ଏଠାରେ ନୂଆ ମାଜିଷ୍ଟ୍ରେଟ୍ ବଙ୍ଗାଳୀ-। ତାଙ୍କ ସ୍ତ୍ରୀ ମଣିର ବନ୍ଧୁ, ଏକାସଙ୍ଗେ କଲେଜରେ ପଢ଼ୁଥିଲେ । ଦୁଇ ଦିନ ହେଲା ସେ ସ୍ଵାମୀ ପାଖକୁ ଆସିଛନ୍ତି । ମଣି ସେଇଠିକୁ ବୁଲିଯାଇଛି । ବୋଧହୁଏ ଫେରିଲାବେଲକୁ ରାତି ହେବ-

 

କମଳ ହସି ହସି ପଚାରିଲା–ଆପଣ କହିଲେ ‘ଯେଉଁମାନେ ରାଗ କରନ୍ତେ’–ଜଣେ ତ ମନୋରମା; ବାକି ଅନ୍ୟମାନେ କିଏ କିଏ ?

 

ଆଶୁ ବାବୁ କହିଲେ–ସମସ୍ତେ । ଏଠି ତମ ବିରୁଦ୍ଧରେ ଲୋକର ଅଭାବ ନାହିଁ । ଆଗେ ମନେହେଉଥିଲା ଅଜିତ୍‍ର ତମ ଉପରେ ରାଗ ନାହିଁ କିନ୍ତୁ ତା’ର ତମ ପ୍ରତି ବିଦ୍ଵେଷ ସବୁଠୁ ବେଶୀ-। ତା’ ପାଖରେ ବର୍ତ୍ତମାନ ଅକ୍ଷୟ ବାବୁ ବି ହାର ମାନିବେ ।

 

କମଳ ଚୁପ୍ ହୋଇ ଶୁଣୁଛି ଦେଖି, ସେ କହିଲେ–ଆସିଲା ପରଠୁ ଏପରି କେବେ ନ ଥିଲା, କିନ୍ତୁ ହଠାତ୍ ଦୁଇ ଦିନ ହେଲା ସବୁ ଯେମିତି ବଦଳିଗଲା । ବର୍ତ୍ତମାନ ଅବିନାଶ ବାବୁ ବି ଦେଖୁଛି ସେଇଭଳି । ଏମାନେ ସମସ୍ତେ ମିଶି ତମ ବିରୁଦ୍ଧରେ ଚକ୍ରାନ୍ତ କରୁଛନ୍ତି ।

 

ଏଥର କମଳ କହିଲା–ଅର୍ଥାତ୍ କୁଶାଙ୍କୁର ପ୍ରତି ବଜ୍ରାଘାତ, କିନ୍ତୁ ମୋ ପରି ସମାଜ ଓ ଲୋକାଳୟ ବାହାରେ ଥିବା ତୁଚ୍ଛ ଜଣେ ସ୍ତ୍ରୀଲୋକ ବିରୁଦ୍ଧରେ ଏ ଚକ୍ରାନ୍ତ କାହିଁକି ? ମୁଁ ତ କାହା ଘରକୁ ଯାଏନା ।

 

ଆଶୁ ବାବୁ କହିଲେ–ତା’ ଠିକ୍ । ସହରରେ ତମ ବସା କେଉଁଠି କେହି କହିପାରିବେ ନାହିଁ, କିନ୍ତୁ ତା’ ବୋଲି ତମେ ତୁଚ୍ଛ ନୁହଁ । ସେଥିପାଇଁ ଏମାନେ ତମକୁ ଭୁଲିପାରୁ ନାହାନ୍ତି ବା ମାଫ୍ କରିପାରୁ ନାହାନ୍ତି । ତମ ଆଲୋଚନା ନ କଲେ, ତମକୁ ଖୁଣ୍ଟା ନ ଦେଲେ, ଏମାନଙ୍କୁ ଶାନ୍ତି ମିଳିବ ନାହିଁ । ଅକସ୍ମାତ୍ ହାତରେ ଧରିଥିବା କାଗଜଗୁଡ଼ାକ ଦେଖାଇ କହିଲେ–ଏଇଟା କ’ଣ ଜାଣ ? ଅକ୍ଷୟ ବାବୁଙ୍କ ରଚନା । ଇଂରେଜୀ ନ ହୋଇଥିଲେ ତମକୁ ପଢ଼ି ଶୁଣେଇଥାନ୍ତି । ନାଁ ଅବଶ୍ୟ ଦିଆଯାଇନି କିନ୍ତୁ ମୂଳରୁ ଶେଷପର୍ଯ୍ୟନ୍ତ କେବଳ ତମ କଥା, ତମକୁ ଆକ୍ରମଣ । କାଲି ମାଜିଷ୍ଟ୍ରେଟ୍‍ ସାହେବଙ୍କ ଘରେ ନାରୀକଲ୍ୟାଣ ସମିତିର ଉଦ୍ବୋଧନ ଉତ୍ସବ ହେବ–ଏ ତା’ର ମଙ୍ଗଳ ଅନୁଷ୍ଠାନ ।’ ଏହା କହି ସେ କାଗଜଗୁଡ଼ାକ ଦୂରକୁ ନିକ୍ଷେପ କରି କହିଲେ–ଏ କେବଳ ପ୍ରବନ୍ଧ ନୁହେଁ । ମଝିରେ ମଝିରେ ଗଳ୍ପ ଛଳରେ ପାତ୍ରପାତ୍ରୀଙ୍କ ମୁହଁରେ ନାନା କଥା ଆଲୋଚନା କରାଯାଇଛି । ଆଲୋଚନାର ମୂଳ କ୍ଷତି ସହ ଅବଶ୍ୟ କାହାର ବିରୋଧ ନାହିଁ–ବିରୋଧ ରହିପାରେନା, କିନ୍ତୁ ଏ ତ ତା’ ନୁହେଁ ! ବ୍ୟକ୍ତି ବିଶେଷକୁ ପଦେ ପଦେ ଆଘାତ କରିପାରିଲେ ଯେପରି ଏମାନଙ୍କର ଅସଲ ଆନନ୍ଦ । ଅକ୍ଷୟର ଆନନ୍ଦ ଓ ମୋ ଆନନ୍ଦ ତ ସମାନ ନୁହେଁ କମଳ, ତେଣୁ ମୁଁ ଏହାକୁ ପସନ୍ଦ କରିପାରୁନି ।

 

କମଳ କହିଲା–କିନ୍ତୁ ମୁଁ ତ ଏ ଲେଖା ଶୁଣିବାକୁ ଯିବି ନାହିଁ । ମତେ ଆଘାତ କରିବାର ସାର୍ଥକତା କ’ଣ ?

 

ଆଶୁ ବାବୁ କହିଲେ–କୌଣସି ସାର୍ଥକତା ନାହିଁ । ସେଇଥିପାଇଁ ବୋଧହୁଏ ଏମାନେ ମୋତେ ପଢ଼ିବାକୁ ଦେଇଛନ୍ତି । ଭାବିଛନ୍ତି–ବୁଢ଼ାକୁ ଦୁଃଖ ଦେଇ ସେତିକି ଲାଭ ମିଳିଲା । ଏହା କହି ସେ ହାତ ବଢ଼ାଇ କମଳର ହାତଟିକୁ ମୁଠାରେ ଧରିଲେ । ଏହି ସ୍ପର୍ଶଟିକକରେ କ’ଣ ଥିଲା କେଜାଣି–କମଳ ସମ୍ପୂର୍ଣ୍ଣ ବୁଝିପାରିଲା ନାହିଁ, କିନ୍ତୁ ତା’ ଭିତରଟା ଯେପରି କ’ଣ ହୋଇଗଲା । ଟିକିଏ ଅଟକି କହିଲା–ସେମାନେ ଆପଣଙ୍କ ଦୁର୍ବଳତା ଠିକ୍ ଧରି ପାରିଛନ୍ତି, କିନ୍ତୁ ଅସଲ ମଣିଷଟିକୁ ସେମାନେ ଚିହ୍ନି ପାରି ନାହାନ୍ତି ।

 

‘ତମେ କ’ଣ ଚିହ୍ନି ପାରିଛ ମା ?’

 

‘ବୋଧହୁଏ ସେମାନଙ୍କଠାରୁ ବେଶୀ ଚିହ୍ନି ପାରିଛି ।’

 

ଆଶୁ ବାବୁ ଏହାର ଉତ୍ତର ଦେଲେ ନାହିଁ । ବହୁକ୍ଷଣ ନୀରବରେ ବସି ରହି ଆସ୍ତେ ଆସ୍ତେ କହିଲେ–ସମସ୍ତେ ଭାବନ୍ତି, ଏହି ସଦାନନ୍ଦ ବୁଢ଼ା ଲୋକଟି ପରି ସୁଖୀ କେହି ନାହିଁ । ଅନେକ ଟଙ୍କା, ଅନେକ ବିଷୟ ସମ୍ପତ୍ତି–

 

‘ତା ତ ମିଛ ନୁହେଁ ।’

 

ଆଶୁ ବାବୁ କହିଲେ–ନା, ମିଛ ନୁହେଁ । ଅର୍ଥ ଓ ସମ୍ପତ୍ତି ମୋର ଯଥେଷ୍ଟ ଅଛି, କିନ୍ତୁ ଜଣେ ମଣିଷ ପାଇଁ ତା’ କେତେ ସାମାନ୍ୟ–

 

କମଳ କହିଲା–ଅନେକ ବେଶୀ ଆଶୁ ବାବୁ ।

 

ଆଶୁ ବାବୁ ତା’ ମୁହଁକୁ କିଛି ସମୟ ଚାହିଁ କହିଲେ–ତମେ ଯଦି କିଛି ମନେ ନ କରିବ, ତେବେ ଗୋଟାଏ କଥା କହିବି ।

 

‘କୁହନ୍ତୁ ।’

 

‘ମୁଁ ବୁଢ଼ା ଲୋକ, ଆଉ ତମେ ମଣିର ସମବୟସୀ । ତମ ମୁହଁରୁ ମୋ ନାଁଟା ଶୁଣିବାକୁ ମତେ ବାଧୁଛି କମଳ । ତମର କୌଣସି ଆପତ୍ତି ନ ଥାଏ ତ ମତେ କାକା ବାବୁ ବୋଲି ଡାକିପାର-।’

 

କମଳର ବିସ୍ମୟର ସୀମା ରହିଲା ନାହିଁ । ଆଶୁ ବାବୁ କହି ଲାଗିଲେ–କଥାରେ ଅଛି ନାହିଁ ମାମୁଁଠାରୁ କଣା ମାମୁଁ ଭଲ । ମୁଁ ଅବଶ୍ୟ କଣା ନୁହେଁ–କିନ୍ତୁ ଛୋଟା, ବାତରେ ପଙ୍ଗୁ ହୋଇଯାଇଛି । ବଜାରରେ ଆଉ ଆଶୁ ବୈଦ୍ୟର କଣା କରଡ଼ିଟାକର ମୂଲ୍ୟ ନାହିଁ । ଏହା କହି ସେ ହସି ନିଜର ବୁଢ଼ାଆଙ୍ଗୁଠିକୁ ହଲାଇ କହିଲେ–ମୂଲ୍ୟ ନ ଥିଲେ ନାହିଁ । ଯାହାର ବାପ ବଞ୍ଚିନାହିଁ ତା’ର ଏତେ ବାଛବିଚାର ରହିଲେ ଚଳେନା । ତା’ର ଛୋଟା କାକା ଭଲ ।

 

ଅନ୍ୟ ପକ୍ଷରୁ ଜବାବ୍ ନ ପାଇ ସେ ପୁନଶ୍ଚ କହିଲେ–କେହି ଯଦି ଖୁଣ୍ଟା ଦେବ ତ ତାକୁ ବିନୟ କରି କହିବ–ଏଇ ମୋର ଢେର୍ । ଗରିବ ପାଇଁ ପିତଳ ହିଁ ସୁନା ।

 

ତାଙ୍କର ଚଉକିର ପଛପଟେ ବସି କମଳ ଛାତ ଆଡ଼କୁ ଚାହିଁ ଅଶ୍ରୁ ନିରୋଧ କରିବା ପାଇଁ ଚେଷ୍ଟା କରୁଥିଲା–ଉତ୍ତର ଦେଇ ପାରିଲା ନାହିଁ । ଏଇ ଦୁଇଜଣଙ୍କର କେଉଁଠି ମେଳ ନାହିଁ । କେବଳ ଅନାତ୍ମୀୟ ପରିଚୟର ସୁଦୂର ବ୍ୟବଧାନ ନୁହେଁ–ଶିକ୍ଷା, ସଂସ୍କାର, ରୀତିନୀତି, ସଂସାର ଓ ସାମାଜିକ ବ୍ୟବସ୍ଥାରେ ଉଭୟଙ୍କ ମଧ୍ୟରେ କେତେ ବଡ଼ ପ୍ରଭେଦ ! କୌଣସି ସମ୍ବନ୍ଧ ଯେଉଁଠି ନାହିଁ, ସେଠି କେବଳ ଗୋଟାଏ ସମ୍ବୋଧନର ଛଳ କରି ବାନ୍ଧି ରଖିବାର ଏ ମଧୁର କୌଶଳ ଦେଖି କମଳର ଆଖିରୁ ବହୁକାଳ ପରେ ଅଶ୍ରୁ ଝରିଲା ।

 

ଆଶୁ ବାବୁ ପଚାରିଲେ–କ’ଣ ମା, ପାରିବ ତ ଡାକି ?

 

କମଳ ଉଚ୍ଛ୍ଵସିତ ଅଶ୍ରୁ ସମ୍ଭାଳି ନେଇ ଉତ୍ତର ଦେଲା–ନା ।

 

‘ନା ! ନା କାହିଁକି ?’

 

କମଳ ଏ ପ୍ରଶ୍ନର ଉତ୍ତର ଦେଲାନାହିଁ, ଅନ୍ୟ କଥା ପକାଇଲା । କହିଲା–ଅଜିତ୍‍ ବାବୁ କେଉଁଠି ?

 

ଆଶୁ ବାବୁ କିଛି ସମୟ ଚୁପ୍ ରହି କହିଲେ–କେଜାଣି–ହୁଏତ ଘରେ କେଉଁଠି ଅଛି । ପୁନରାୟ କିଛି କାଳ ମୌନ ରହି ସେ ଧୀରେ ଧୀରେ କହିଲେ କେତେଦିନ ହେଲା ମୋ ପାଖକୁ ସେ ପ୍ରାୟ ଆସୁନାହିଁ । ହୁଏତ ଏଠାରୁ ସେ ଖୁବ୍ ଶୀଘ୍ର ଚାଲିଯିବ ।

 

‘କେଉଁଆଡ଼େ ଯିବେ ?’

 

ଆଶୁ ବାବୁ ହସି କହିଲେ–ଏ ବୁଢ଼ାଟାକୁ ସମସ୍ତେ କ’ଣ ସବୁ କଥା କହୁଛନ୍ତି ମା ? ହୁଏତ ପ୍ରୟୋଜନ ମନେ କରୁନାହାନ୍ତି । ଟିକିଏ ରହି କହିଲେ–ତମେ ବୋଧହୁଏ ଶୁଣିଥିବ–ମଣି ସଙ୍ଗେ ତା’ର ବିବାହ ପ୍ରସଙ୍ଗ ବହୁଦିନରୁ ସ୍ଥିର ଥିଲା–ହଠାତ୍ ମନେହେଉଛି ଯେ ଏମାନଙ୍କ ଭିତରେ ଖୁବ୍ ଗୋଟିଏ ଝଗଡ଼ା ଲାଗି ଯାଇଛି ବୋଧହୁଏ । କେହି କାହା ସଙ୍ଗେ କଥାବାର୍ତ୍ତା କରୁନାହାନ୍ତି ।

 

କମଳ ନୀରବ ରହିଲା । ଆଶୁ ବାବୁ ନିଃଶ୍ଵାସ ପକାଇ କହିଲେ–ଜଗଦୀଶ୍ଵର ମାଲିକ, ତାଙ୍କରି ଇଚ୍ଛା । ଜଣେ ସଙ୍ଗୀତଚର୍ଚ୍ଚାରେ ମାତିଛି, ଆଉ ଜଣେ ତା’ର ପୁରୁଣା ଅଭ୍ୟାସ ଅସଲସୁଧ ମିଶାଇ ଅସୁଲ କରିବା ପାଇଁ ଯୋଗାଡ଼ କରୁଛି । ଏଇତ ଚାଲିଛି ।

 

କମଳ ଆଉ ଚୁପ୍ ରହିପାରିଲା ନାହିଁ । କୌତୂହଳୀ ହୋଇ ପ୍ରଶ୍ନ କଲା–ପୁରୁଣା ଅଭ୍ୟାସ କ’ଣ ?

 

ଆଶୁ ବାବୁ କହିଲେ–ସେ ଅନେକ କଥା । ସେ ଗେରୁଆ ପିନ୍ଧି ସନ୍ନ୍ୟାସୀ ହୋଇଛି, ଦେଶକାମ କରି ଜେଲ୍ ଯାଇଛି । ମଣିକୁ ଭଲ ପାଇଛି, ବିଲାତ ଯାଇ ଇଞ୍ଜିନିୟରିଂ ପାସ୍‍ କରି ଆସିଛି । ଫେରିଆସି ସଂସାରୀ ହେବାର ଇଚ୍ଛା ପ୍ରକାଶ କରିଛି କିନ୍ତୁ ବର୍ତ୍ତମାନ ବୋଧହୁଏ ସେଟା ଟିକିଏ ବଦଳିଛି । ଆଗେ ମାଛ ମାଂସ ଖାଉ ନ ଥିଲା, ତା’ପରେ ଏବେ ଖାଉଥିଲା ପୁଣି ଦେଖିଲି ଯେ ପରଦିନଠାରୁ ତା’ ବି ବନ୍ଦ । ଯଦୁ କହେ, ବାବୁ ଆଜିକାଲି ଘଣ୍ଟାଏ ଖଣ୍ଡେ ନାକ ଟିପି ବସି ଯୋଗାଭ୍ୟାସ କରୁଛନ୍ତି ।

 

‘ଯୋଗାଭ୍ୟାସ କରୁଛନ୍ତି ?’

 

‘ହଁ । ଚାକରଟା କହୁଥିଲା ଯେ ଫେରିବା ବାଟରେ କାଶୀଠାରେ ପୁଣି ସମୁଦ୍ର ଯାତ୍ରା ପାଇଁ ପ୍ରାୟଶ୍ଚିତ କରି ଯିବେ ।’

 

କମଳ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲା–ଅଜିତ୍‍ ବାବୁ ସମୁଦ୍ର ଯାତ୍ରା ପାଇଁ ପ୍ରାୟଶ୍ଚିତ କରିବେ ?

 

ଆଶୁ ବାବୁ କହିଲେ–ସେ ସବୁ ପାରେ । ତା’ର ହେଲା ସର୍ବତୋମୁଖୀ ପ୍ରତିଭା ।

 

କମଳ ହସି ପକାଇଲା । କ’ଣ ଗୋଟାଏ କହିବାକୁ ଯାଉଥିଲା, ଏହି ସମୟରେ ଦ୍ଵାରପାଖରେ କେହି ଜଣେ ଲୋକ ଆସିବାର ଛାୟା ପଡ଼ିଲା । ଭୃତ୍ୟ ଆସି ସମ୍ବାଦ ଦେଲା ଯେ ଅବିନାଶ, ଅକ୍ଷୟ, ହରେନ୍ଦ୍ର, ଅଜିତ୍‍ ପ୍ରଭୃତି ବାବୁମାନେ ସେ ଆଡ଼କୁ ଆସୁଛନ୍ତି । ଏହା ଶୁଣି କେବଳ କମଳ ନୁହେଁ, ବନ୍ଧୁମାନଙ୍କୁ ଉଚ୍ଛ୍ଵସିତ ଉଲ୍ଲାସରେ ଅଭ୍ୟର୍ଥନା କରିବା ଯେଉଁ ଆଶୁ ବାବୁଙ୍କର ସ୍ଵଭାବ, ତାଙ୍କର ବି ମୁହଁ ଶୁଖିଗଲା । କିଛି ସମୟ ପରେ ଆଗନ୍ତୁକମାନେ ଘରେ ପଶି ଆଶ୍ଚର୍ଯ୍ୟ ହୋଇଗଲେ । କାରଣ କମଳକୁ ଏଭଳି ଭାବରେ ଦେଖାପାଇବା ସେମାନଙ୍କ କଳ୍ପନାର ଅତୀତ । ହରେନ୍ଦ୍ର ହାତଟେକି କମଳକୁ ନମସ୍କାର କରି କହିଲା–ଭଲ ଅଛନ୍ତି ? ଅନେକ ଦିନ ଆପଣଙ୍କୁ ଦେଖିନି ।

 

ଅବିନାଶ ହସିବା ଭଳି ମୁଖଭଙ୍ଗୀ କରି ଥରେ ବାଁକୁ ଓ ଥରେ ଡାହାଣକୁ ମୁହଁ ହଲାଇଲେ–ଯାହାର କୌଣସି ଅର୍ଥ ନାହିଁ ।

 

ଅକ୍ଷୟ ବାବୁ କିନ୍ତୁ ଖାରା ମଣିଷ । କମଳକୁ ଦେଖି ତାଙ୍କର ଦୁଇ ଆଖିରୁ ଅବଜ୍ଞା ଓ ବିରକ୍ତି ସ୍ପଷ୍ଟ ପ୍ରକାଶ ପାଉଥିଲା । ଖଣ୍ଡେ ଚେୟାର ଟାଣି ବସିପଡ଼ି ଆଶୁ ବାବୁଙ୍କୁ କହିଲେ–ଆର୍ଟିକେଲ୍‍ଟା । ପଢ଼ିଲେ ? ହଠାତ୍ ତାଙ୍କ ଆଖିରେ ପଡ଼ିଗଲା ଯେ ସେଇ ଲେଖାଟା ତଳେ ପଡ଼ିଛି-। ନିଜେ ଉଠେଇ ଦେବାକୁ ଯାଉଥିଲେ, ହରେନ୍ଦ୍ର ବାଧାଦେଇ କହିଲା–ଥାଉ ନା ଅକ୍ଷୟ ବାବୁ, ଓଳେଇଲା ବେଳେ ଚାକର ସେଇଟା ଉଠେଇ, ଫିଙ୍ଗି ଦେବ ଯେ ।

 

ଅକ୍ଷୟ ବାବୁ ହରେନ୍ଦ୍ରକୁ ଠେଲି ଦେଇ କାଗଜଗୁଡ଼ାକ ଗୋଟେଇ ଆଣିଲେ ।

 

‘ହଁ, ପଢ଼ିଲି’ କହି ଆଶୁ ବାବୁ ଉଠି ବସିଲେ । ଚାହିଁ ଦେଖିଲେ, ଅଜିତ୍‍ ସୋଫାର ଧାରରେ ବସି ସେଇଦିନର ଖବରକାଗଜ ଉପରେ ଆଖି ବୁଲାଉଛି ।

 

ଅବିନାଶ ବାବୁ କହିଲେ–ମୁଁ ବି ଅକ୍ଷୟଙ୍କ ଲେଖାଟା ମୂଳରୁ ଶେଷପର୍ଯ୍ୟନ୍ତ ମନ ଦେଇ ପଢ଼ିଛି ଆଶୁ ବାବୁ । ଅଧିକାଂଶ ସତ୍ୟ ଓ ମୂଲ୍ୟବାନ୍ । ଯଦି ଦେଶର ସାମାଜିକ ବ୍ୟବସ୍ଥାର ସଂସ୍କାର କରିବା ଦରକାର ତେବେ ସୁପରିଚିତ ଓ ସୁପ୍ରତିଷ୍ଠିତ ମାର୍ଗରେ ତାକୁ ଚଳେଇବା କର୍ତ୍ତବ୍ୟ । ପରୋପ ସଂସ୍ପର୍ଶରେ ଆମେ ଅନେକ ଭଲ ଜିନିଷ ପାଇଛୁ । ନିଜର ଅନେକ ତ୍ରୁଟି ଯେ ଆମ ଆଖିରେ ଧରାପଡ଼ିଛି, ତା’ ମାନୁଛି । କିନ୍ତୁ ଆମର ସଂସ୍କାର ଆମ ନିଜ ବାଟରେ ହେବା ଉଚିତ । ପରର ଅନୁକରଣରେ କଲ୍ୟାଣ ନାହିଁ । ଭାରତୀୟ ନାରୀର ଯାହା ବୈଶିଷ୍ଟ୍ୟ, ଯାହା ତା’ର ନିଜସ୍ଵ, ଯଦି ଲୋଭ ବା ମୋହରେ ପଡ଼ି ତା’ ନଷ୍ଟ ହୋଇଯାଏ, ଆମେ ସବୁ ଦିଗରୁ ବ୍ୟର୍ଥ ହେବୁ । ଏୟା ନା ଅକ୍ଷୟ ବାବୁ ?

 

କଥାଗୁଡ଼ିକ ଭଲ ଏବଂ ସମସ୍ତଟା ଅକ୍ଷୟ ବାବୁଙ୍କ ପ୍ରବନ୍ଧର ସାରାଂଶ । ବିନୟରେ ସେ ମୁହଁରେ କିଛି କହିଲେ ନାହିଁ । କିନ୍ତୁ ଆତ୍ମପ୍ରସାଦର ଅନିର୍ବଚନୀୟ ତୃପ୍ତିରେ ତନୁ ଅର୍ଦ୍ଧନିମୀଳିତ ହୋଇଗଲା ଓ ସେ ଶିରଶ୍ଚାଳନ କଲେ ମାତ୍ର ।

 

ଆଶୁ ବାବୁ ଅକପଟଭାବେ ସ୍ୱୀକାର କରି କହିଲେ–ଏହାକୁ ନେଇ ତର୍କ କରିବାର ଆବଶ୍ୟକତା ନାହିଁ ଅବିନାଶ ବାବୁ । ବହୁ ମନୀଷୀ ବହୁଦିନରୁ ଏକଥା କହି ଆସିଛନ୍ତି ଏବଂ ବୋଧହୁଏ ଭାରତବର୍ଷର କୌଣସି ବ୍ୟକ୍ତି ଏହାର ପ୍ରତିବାଦ କରିବ ନାହିଁ ।

 

ଅକ୍ଷୟ ବାବୁ କହିଲେ–କରିବାର ଯୁ’ ନାହିଁ । ଏହାଛଡ଼ା ଆଉରି ଅନେକ ବିଷୟ ଅଛି, ଯାହା ମୁଁ ପ୍ରବନ୍ଧରେ ଲେଖି ପାରିଲି ନାହିଁ । କାଲି ନାରୀ-କଲ୍ୟାଣ-ସମିତିରେ ମୁଁ ବତ୍କୃତାରେ ସେ ସବୁ କହିବି ।

 

ଆଶୁ ବାବୁ କମଳ ପ୍ରତି ଚାହିଁ କହିଲେ ତମକୁ ତ ନିମନ୍ତ୍ରଣ ମିଳି ନ ଥିବ ତେଣୁ ତମେ ସମିତିର ସଭାକୁ ଯିବ ନାହିଁ । ମୁଁ ତ ବାତ ରୋଗରେ କାବୁ । ମୁଁ ନ ଯାଏ କିନ୍ତୁ ଏ ତ ତମମାନଙ୍କର ଭଲମନ୍ଦର କଥା । ତମର ତ ଏ ପ୍ରସ୍ତାବରେ ଆପତ୍ତି ନାହିଁ ?

 

ଅନ୍ୟ ସମୟ ହୋଇଥିଲେ କମଳ ଏ ମୁହୂର୍ତ୍ତରେ ନୀରବ ରହିଥାନ୍ତା କିନ୍ତୁ ପ୍ରଥମରେ ତା’ର ମନ ଖରାପ ସେଥିରେ ପୁଣି ଏଇ ପୌରୁଷହୀନ ଲୋକଗୁଡ଼ାଙ୍କର ସଂଘବଦ୍ଧ, ସଦମ୍ଭ ପ୍ରତିକୂଳତାରେ ତା’ ମନ ଭିତରେ ନିଆଁ ଜଳିଉଠିଲା । କିନ୍ତୁ ଯଥାସାଧ୍ୟ ଆତ୍ମସମ୍ବରଣ କରି ସେ ହସି ହସି କହିଲା–କେଉଁଟା ଆଶୁ ବାବୁ ? ଅନୁକରଣ ନା ଭାରତୀୟ ବୈଶିଷ୍ଟ୍ୟ ?

 

ଆଶୁ ବାବୁ କହିଲେ–ଧର, ଯଦି କହେ ଉଭୟ ?

 

କମଳ କହିଲା–ଅନୁକରଣ ଜିନିଷଟା କେବଳ ବାହାରର ନକଲ ତେଣୁ ସେଟା ଖାଲି ଫାଙ୍କି । କେତେବେଳେ ଆକୃତି ମେଳ ଖାଇଲେ ପ୍ରକୃତି ସମାନ ହୁଏ ନାହିଁ । କିନ୍ତୁ ଭିତର ଓ ବାହାର ଯଦି ଏକ ହୋଇଯାଏ, ତେବେ ଅନୁକରଣ କରିବାରେ ଲଜ୍ଜା କ’ଣ ଅଛି ?

 

ଆଶୁ ବାବୁ କହିଲେ–ନିଶ୍ଚୟ ଅଛି । ଏ ଧରଣ ସର୍ବାଙ୍ଗୀନ ଅନୁକରଣ କଲେ ଆମେ ନିଜର ବିଶେଷତ୍ଵ ହରାଇବା । ତା’ର ଅର୍ଥ ନିଜକୁ ନିଃଶେଷ କରିଦେବା । ସେଥିରେ ଯଦି ଲଜ୍ଜା ବା ଦୁଃଖ ନଥାଏ, ତେବେ ଆଉ କେଉଁଥିରେ ଅଛି ?

 

କମଳ କହିଲା–ବିଶେଷତ୍ଵ ଗଲେ କ’ଣ ହେଲା–ଭାରତର ବୈଶିଷ୍ଟ୍ୟ ଓ ୟୁରୋପର ବୈଶିଷ୍ଟ୍ୟ ମଧ୍ୟରେ ଯଥେଷ୍ଟ ପ୍ରଭେଦ ଅଛି । କିନ୍ତୁ କୌଣସି ଦେଶର କୌଣସି ବୈଶିଷ୍ଟ୍ୟ ପାଇଁ ମଣିଷ ଜନ୍ମ ହୋଇନି, ମଣିଷ ପାଇଁ ତା’ର ଆଦର । ଅସଲକଥା ବର୍ତ୍ତମାନ ସେ ବୈଶିଷ୍ଟ୍ୟ ତା’ପାଇଁ କଲ୍ୟାଣକର ବି ନୁହେଁ । ତା’ଛଡ଼ା ଅନ୍ୟ ସମସ୍ତ ଜିନିଷ କେବଳ ଅନ୍ଧ ମୋହ ।

 

ଆଶୁ ବାବୁ ବ୍ୟଥିତ ହୋଇ କହିଲେ–କେବଳ ଅନ୍ଧ ମୋହ, ତା’ଠୁ ବେଶୀ କିଛି ନୁହେଁ ?

 

କମଳ କହିଲା–ନା, ତା’ଠାରୁ ବେଶୀ ନୁହେଁ । କୌଣସି ଏକ ଜାତିର ଗୋଟାଏ ବୈଶିଷ୍ଟ୍ୟ ବହୁଦିନ ଧରି ଚଳି ଆସିଛି ବୋଲି ସେଇ ଛାଞ୍ଚରେ ଢାଳି ଚିରଦିନ ସେ ଦେଶରେ ମଣିଷ ଗଢ଼ିବାକୁ ହେବ–ୟା’ର ଅର୍ଥ କ’ଣ ? ମଣିଷଠାରୁ ମଣିଷର ବିଶେଷତ୍ଵ ବଡ଼ ନୁହେଁ । ଏ କଥା ଭୁଲିଲେ ମଣିଷ ତ ନଷ୍ଟ ହୁଏ, ବିଶେଷତ୍ଵ ବି ଯାଏ । ଏଇଟା ହିଁ ପ୍ରକୃତ ପକ୍ଷେ ଲଜ୍ଜାର ଜିନିଷ ଆଶୁ ବାବୁ ।

 

ଆଶୁ ବାବୁ ଯେପରି ହତବୁଦ୍ଧି ହୋଇଗଲେ । କହିଲେ–ତା’ହେଲେ ସବୁ ତ ଏକାକାର ହୋଇଯିବ ! ଭାରତବର୍ଷୀୟ ବୋଲି ଆମର ସ୍ଵତନ୍ତ୍ର ପରିଚୟ ରହିବ କ’ଣ ?

 

ତାଙ୍କର କୁଣ୍ଠିତ ମୁଖଭଙ୍ଗୀ ପ୍ରତି ଚାହିଁ କମଳ ହସି ପକେଇଲା । କହିଲା–ହୁଏତ ମୁନିଋଷିଙ୍କର ବଂଶଧର ବୋଲି ପରିଚୟ ରହିବ ନାହିଁ, କିନ୍ତୁ ମଣିଷ ବୋଲି ପରିଚିତ ହେବାରେ ବାଧା ରହିବନି । ଆଉ ଆପଣ ଯାହାକୁ ଭଗବାନ ବୋଲି କହିଛନ୍ତି ସେ ଠିକ୍ ଚିହ୍ନି ପାରିବେ, ତାଙ୍କର ଭୁଲ୍ ହେବ ନାହିଁ ।

 

ଅକ୍ଷୟଙ୍କର ମୁହଁ କଠିନ ହୋଇଗଲା । କହିଲେ–ଭଗବାନ କେବଳ ଆମର ? ଆପଣଙ୍କର ନୁହେଁ ?

 

କମଳ ଉତ୍ତର ଦେଲା–ନା ।

 

ଅକ୍ଷୟ କହିଲେ–ଏ ଖାଲି ଶିବନାଥର ପ୍ରତିଧ୍ଵନି ।

 

ହରେନ୍ଦ୍ର କହିଲା–ବ୍ରୁଟ୍

 

‘ଦେଖନ୍ତୁ ହରେନ୍ଦ୍ର ବାବୁ’–

 

‘ଦେଖୁଛି, ବିଷ୍ଟ୍ !’

 

ଆଶୁ ବାବୁ ସହସା ସ୍ୱପ୍ନୋତ୍‍ଥିତ ପରି ଉଠି ବସିଲେ । କହିଲେ–ଦେଖ କମଳ, ଅନ୍ୟ କଥା କହୁ ନାହଁ, କିନ୍ତୁ ଆମର ଭାରତୀୟ ବୈଶିଷ୍ଟ୍ୟ କେବଳ କଥାର କଥା ନୁହେଁ । ତାହା ଚାଲିଗଲେ ସେ କେତେ ବଡ଼ କ୍ଷତି ହେବ ତା’ ପରିମାଣ ବିଚାର କରିବା ଦୁଃସାଧ୍ୟ । କେତେ ଧର୍ମ, କେତେ ଆଦର୍ଶ, କେତେ ପୁରାଣ, ଇତିହାସ, କାବ୍ୟ, ଉପାଖ୍ୟାନ, ଶିଳ୍ପ–କେତେ ଅମୂଲ୍ୟ ସମ୍ପଦ ଏହି ବୈଶିଷ୍ଟ୍ୟକୁ ଆଶ୍ରୟ କରି ଆଜି ପର୍ଯ୍ୟନ୍ତ ଜୀବିତ ଅଛି । ଏଥିରୁ ତ କିଛି ବି ରହିବ ନାହିଁ ?

 

କମଳ କହିଲା–ରହିବା ପାଇଁ ଏତେ ବ୍ୟାକୁଳତା କାହିଁକି ? ଯାହା ଯିବାର ନୁହେଁ, ତା’ ଯିବନି । ମଣିଷର ପ୍ରୟୋଜନ ଅନୁଯାୟୀ ପୁଣି ନୂତନ ରୂପ, ନୂତନ ସୋନ୍ଦର୍ଯ୍ୟ, ନୂଆ ମୂଲ୍ୟ ନେଇ ଦେଖା ଦେବ । ସେଇ ହେବ ତା’ର ଅସଲ ପରିଚୟ । ତା’ ନ ହେଲେ, ବହୁଦିନ ଧରି କିଛି ଗୋଟାଏ ରହିଛି ବୋଲି ତାକୁ ଅଟକାଇ ରଖିବା କେମିତିକା କଥା ?

 

ଅକ୍ଷୟ କହିଲେ–ସେ କଥା ବୁଝିବାର ଶକ୍ତି ଆପଣଙ୍କର ନାହିଁ ।

 

ହରେନ୍ଦ୍ର କହିଲା–ଆପଣଙ୍କ ଅଭଦ୍ର ବ୍ୟବହାରରେ ମୁଁ ଆପତ୍ତି କରୁଛି ଅକ୍ଷୟ ବାବୁ ।

 

ଆଶୁ ବାବୁ କହିଲେ–କମଳ, ତମ ଯୁକ୍ତିରେ ଯେ କିଛି ସତ୍ୟ ନାହିଁ, ମୁଁ ସେ କଥା କହୁନି-। କିନ୍ତୁ ଯାହାକୁ ତମେ ଅବଜ୍ଞାରେ ଉପେକ୍ଷା କରୁଛ, ତା’ ଭିତରେ ବି ଅନେକ ସତ୍ୟ ଅଛି-। ନାନା କାରଣ ଯୋଗୁଁ ଆମ ସାମାଜିକ ରୀତିନୀତି ପ୍ରତି ତମର ଅଶ୍ରଦ୍ଧା ଆସି ଯାଇଛି । ତମେ କିନ୍ତୁ ଏ କଥା ଭୁଲିଲେ ଚଳିବ ନାହିଁ ଯେ ବାହାରର ଅନେକ ଉତ୍ପାତ ଆମକୁ ସହିବାକୁ ପଡ଼ିଛି; ତେବେ ବି ଆଜି ଯେ ସମସ୍ତ ବିଶିଷ୍ଟତା ନେଇ ଆମେ ବଞ୍ଚି ରହିଛେ, ତା’ କେବଳ ଆମର ରୀତିନୀତି ସତ୍ୟ ଆଶ୍ରୟ କରି ଥିବାରୁ ସମ୍ଭବ ହୋଇ ପାରିଛି । ଜଗତର ଅନେକ ଜାତି ତ ଏକାବେଳେ ବିଲୁପ୍ତ ହୋଇଯାଇଛି ।

 

କମଳ କହିଲା–ସେଥିପାଇଁ ଦୁଃଖ କାହିଁକି ? ଚିରକାଳ ସେମାନେ ଜାଗା ମାଡ଼ି ବସିଥିବେ କାହିଁକି ?

 

ଆଶୁ ବାବୁ କହିଲେ–ଏ ଅନ୍ୟ କଥା କମଳ ।

 

କମଳ କହିଲା–ହୋଇପାରେ । ବାବାଙ୍କ ଠାରୁ ଶୁଣିଥିଲି ଯେ ଅର୍ଯ୍ୟମାନଙ୍କର ଗୋଟିଏ ଶାଖା ଯାଇ ଇଉରୋପରେ ବସବାସ କରିଥିଲେ, ଆଜି ସେମାନେ ଲୁପ୍ତପ୍ରାୟ । କିନ୍ତୁ ସେମାନଙ୍କ ଜାଗାରେ ଯେଉଁମାନେ ଅଛନ୍ତି, ସେମାନେ ତାଙ୍କଠାରୁ ଅନେକ ବଡ଼ । ଏ ଦେଶରେ ଯଦି ସେଭଳି ହୁଅନ୍ତା, ତେବେ ଆମେ ଆଜି ପୂର୍ବ ପିତାମହମାନଙ୍କ ପାଇଁ ଶୋକ କରନ୍ତୁ ନାହିଁ ବା ନିଜ ସନାତନ ବିଶେଷତ୍ୱର ଦମ୍ଭ ନେଇ ଦିନାତିପାତ କରନ୍ତୁ ନାହିଁ । ଆପଣ ଅତୀତ ଉପଦ୍ରବ ସମ୍ପର୍କରେ କହୁଥିଲେ, ହୁଏତ ତା’ଠାରୁ ବଡ଼ ଉପଦ୍ରବ ଆଉ ଅଦୃଷ୍ଟରେ ନାହିଁ । କିନ୍ତୁ ଦୂର୍ଯୋଗ ଥିବା ବି ତ ସମ୍ଭବ । ସେତେବେଳେ ଆମେ କେଉଁ ଜୋରରେ ବଞ୍ଚି ରହିବା କୁହନ୍ତୁ ?

 

ଆଶୁ ବାବୁ ଏ ପ୍ରଶ୍ନର ଉତ୍ତର ଦେଲେ ନାହିଁ । କିନ୍ତୁ ଅକ୍ଷୟ ବାବୁ ଉତ୍ତପ୍ତ ହୋଇ ଉଠିଲେ । କହିଲେ–ସେତେବେଳେ ବି ଆମେ ବଞ୍ଚି ରହିବା–ଆମ ଆଦର୍ଶର ନିତ୍ୟତାର ଜୋରରେ–ଯେ ଆଦର୍ଶ ବହୁ ସହସ୍ର ଯୁଗ ଆମ ମନରେ ଅବିଚଳିତ ହୋଇ ରହିଛି । ସେ ଆଦର୍ଶ ଆମ ଦାନ ଭିତରେ, ଆମ ପୁଣ୍ୟ ଭିତରେ, ଆମର ତପସ୍ୟା ଭିତରେ ଅଛି । ଯେ ଆଦର୍ଶ ଆମ ନାରୀ ଜାତିର ଅକ୍ଷୟ ସତୀତ୍ୱ ମଧ୍ୟରେ ନିହିତ ଅଛି, ତାରି ଜୋରରେ ଆମେ ବଞ୍ଚି ରହିବା । ହିନ୍ଦୁ କେତେବେଳେ ମରେନା ।’

 

ଅଜିତ୍‍ ହାତରେ ଧରିଥିବା କାଗଜ ପକାଇ ଦେଇ ତା’ ଆଡ଼କୁ ବିସ୍ଫାରିତ ନେତ୍ରରେ ଚାହିଁ ରହିଲା ଏବଂ କମଳ ବି ମୁହୂର୍ତ୍ତେ ପାଇଁ ନିର୍ବାକ୍‍ ହୋଇ ରହିଗଲା । ତା’ର ମନେପଡ଼ିଲା ଯେ ଏହି ଲୋକଟା ପ୍ରବନ୍ଧ ଲେଖି ଅକାରଣ ତାକୁ ଆକ୍ରମଣ କରୁଛି ଓ ଏହାକୁ ସେ ଆସନ୍ତା କାଲି ନାରୀ କଲ୍ୟାଣ ଉଦ୍ଦେଶ୍ୟରେ ବହୁ ନାରୀ ସମକ୍ଷରେ ସଦମ୍ଭେ ପାଠ କରିବ । ତା’ର ସନ୍ଦେହ ରହିଲା ନାହିଁ ଯେ ଏହି ଶେଷୋକ୍ତ ଇଙ୍ଗିତ କେବଳ ତାକୁ ଲକ୍ଷ୍ୟ କରି କୁହାଯାଇଛି । ଦୁର୍ଜୟ କ୍ରୋଧରେ ତା’ ମୁହଁ ଲାଲ ପଡ଼ିଗଲା କିନ୍ତୁ ଏଥର ବି ସେ ଆତ୍ମସମ୍ବରଣ କରି କହିଲା–ଅକ୍ଷୟ ବାବୁ, ଆପଣଙ୍କ ସଙ୍ଗେ କଥା କହିବା ପାଇଁ ମୋର ଇଚ୍ଛା ହୁଏନା, ମୋର ଆତ୍ମସମ୍ମାନକୁ ବାଧୁଛି ।’ କହି ସେ ଆଶୁ ବାବୁଙ୍କ ପ୍ରତି ଫେରି ଚାହିଁ କହିଲା–କୌଣସି ଆଦର୍ଶ ବହୁକାଳ ସ୍ଥାୟୀ ହୋଇଛି ବୋଲି ତା’ ଚିରକାଳ ହୋଇପାରେନା ଏବଂ ତା’ର ପରିବର୍ତ୍ତନ କରିବାରେ ଲଜ୍ଜାର ପ୍ରଶ୍ନ ଉଠେନା–ଏହି କଥା ମୁଁ କହୁଥିଲି-। ସେଥିପାଇଁ କୌଣସି ଜାତିର ବୈଶିଷ୍ଟ୍ୟ ଗଲେ ବି କ୍ଷତି ନାହିଁ । ଗୋଟାଏ ଉଦାହରଣ ଦିଏ । ଆତିଥେୟତା ଆମର କେତେ ବଡ଼ ଆଦର୍ଶ ! କେତେ କାବ୍ୟ, କେତେ ଉପାଖ୍ୟାନ, କେତେ ଧର୍ମ କାହାଣୀ ଏହାର ଉପରେ ରଚିତ ହୋଇଛି । ଅତିଥିକୁ ଖୁସି କରିବା ପାଇଁ ଦାତାକର୍ଣ୍ଣ ନିଜେ ପୁତ୍ରହତ୍ୟା କରିଥିଲେ । ଏଇ ବିଷୟ ଶୁଣି କେତେ ଲୋକ ଯେ ଆଖିରୁ ପାଣି ଢାଳିଛନ୍ତି ତା’ର ଇୟତ୍ତା ନାହିଁ । ଅଥଚ ଏ କାହାଣୀ ଆଜି କେବଳ କୁତ୍ସିତ ନୁହେଁ, ବିଭତ୍ସ ମଧ୍ୟ । ସତୀ ସ୍ତ୍ରୀ କୁଷ୍ଠଗ୍ରସ୍ତ ସ୍ୱାମୀକୁ କାନ୍ଧରେ ବୋହି ନେଇ ଗଣିକାଳୟରେ ପହଞ୍ଚାଇ ଦେଇଥିଲେ–ସତୀତ୍ୱର ଏ ଆଦର୍ଶର ଦିନେ ତୁଳନା ନ ଥିଲା କିନ୍ତୁ ଆଜି ସେକଥା ମନରେ କେବଳ ଘୃଣା ଉଦ୍ରେକ କରେ । ଆପଣଙ୍କ ନିଜ ଜୀବନର ଯେ ଆଦର୍ଶ, ଯେ ତ୍ୟାଗ ଆଜି ବହୁ ଲୋକ ମନରେ ଶ୍ରଦ୍ଧା ଓ ବିସ୍ମୟର କାରଣ ହୋଇ ରହିଛି, ଦିନେ ହୁଏତ ତା’ କେବଳ ଅନୁକମ୍ପାର ଘଟଣାରେ ପର୍ଯ୍ୟବସିତ ହେବ । ଏଇ ନିଷ୍ଫଳ ଆତ୍ମନିଗ୍ରହକୁ ଲୋକେ ଉପହାସ କରିବେ ମାତ୍ର ।

 

ଆଘାତର ଏ ନିର୍ମମତାରେ କ୍ଷଣକ ପାଇଁ ଆଶୁ ବାବୁଙ୍କ ମୁହଁ ବେଦନା-ପାଣ୍ଡୁର ହୋଇ ଉଠିଲା । କହିଲେ–କମଳ, ଏହାକୁ ଆତ୍ମନିଗ୍ରହ କହୁଛ କାହିଁକି, ଏ ଯେ ମୋର ପରମ ଆନନ୍ଦ । ଏ ଯେ ମୋର ଉତ୍ତରାଧିକାର ସୂତ୍ରରେ ପାଇଥିବା ବହୁ ଯୁଗର ଧନ ।

 

କମଳ କହିଲା–ହେଉ ବା ସେ ବହୁ ଯୁଗ । କେବଳ ବର୍ଷ ଗଣନା କରି ଆଦର୍ଶର ମୂଲ୍ୟ ଧାର୍ଯ୍ୟ ହୁଏନା । ଅଚଳ, ସ୍ଥାଣୁ, ଭ୍ରାନ୍ତିଭରା ସମାଜର ସହସ୍ର ବର୍ଷ ହୁଏତ ଅନାଗତର ଦଶଟା ବର୍ଷର ଗତି ବେଗରେ ଭାସିଯିବ ।ସେଇ ଦଶଟା ବର୍ଷ ଢେର୍ ବଡ଼ ଆଶୁ ବାବୁ ।

 

ଅଜିତ୍‍ ଅକସ୍ମାତ୍ ଗୁଣମୁକ୍ତ ଧନୁ ପରି ସିଧା ଠିଆହୋଇ କହିଲା–ଆପଣଙ୍କର ବାକ୍ୟରେ ଉଗ୍ରତା ଦେଖି ହୁଏତ ଏମାନଙ୍କର ବିସ୍ମୟର ସୀମା ନାହିଁ କିନ୍ତୁ ମୁଁ ବିସ୍ମିତ ହୋଇନାହିଁ । ମୁଁ ଜାଣେ ଏଇ ବିଜାତୀୟ ମନୋଭାବର ଉତ୍ସ କେଉଁଠି, କାହିଁକି ଆମର ସମସ୍ତ ମଙ୍ଗଳ-ଆଦର୍ଶ ପ୍ରତି ଆପଣଙ୍କର ଏପରି ନିବିଡ଼ ଘୃଣା–ଚାଲନ୍ତୁ, ଆମର ଆଉ ଡେରି କରିବାର ସମୟ ନାହିଁ । ପାଞ୍ଚଟା ବାଜି ଗଲାଣି ।

 

ଅଜିତ୍‍ର ପଛେ ପଛେ ସମସ୍ତେ ନିଃଶବ୍ଦରେ ବାହାରିଗଲେ । କେହି ତାକୁ ଅଭିବାଦନ କଲେ ନାହିଁ, କେହି ତା’ ପ୍ରତି ଚାହିଁଲେ ବି ନାହିଁ । ଯୁକ୍ତି ହାର ମାନିଲା ପରେ ଏଇ ଭାବରେ ପୁରୁଷଦଳ ନିଜର ଜୟ ଘୋଷଣା କରି ପୌରୁଷ ବଜାୟ ରଖିଲେ । ସେମାନେ ଚାଲିଗଲା ପରେ ଆଶୁ ବାବୁ ଧୀରେ ଧୀରେ କହିଲେ–କମଳ, ମତେ ତମେ ଆଜି ସବୁଠାରୁ ବେଶୀ ଆଘାତ ଦେଇଛ, କିନ୍ତୁ ମୁଁ ଆଜି ତୁମକୁ ସମସ୍ତ ମନପ୍ରାଣ ଦେଇ ଭଲପାଇଛି । ମୋ ମଣିଠାରୁ ତମେ କୌଣସି ଅଂଶରେ କମ୍ ନୁହଁ ମା ।

 

କମଳ କହିଲା–ତା’ର କାରଣ ଆପଣ ଯେ ଯଥାର୍ଥ ବଡ଼ମଣିଷ କାକା ବାବୁ । ଆପଣ ତ ଏମାନଙ୍କ ପରି ମିଥ୍ୟା ନୁହନ୍ତି । ଆଚ୍ଛା, ମୋର ବି ସମୟ ହୋଇଗଲାଣି, ମୁଁ ଚାଲିଲି । ଏହା କହି ସେ ତଳେ ମୁଣ୍ଡଲଗାଇ ତାଙ୍କୁ ପ୍ରଣାମ କଲା ।

 

ଏପରି ପ୍ରଣାମ ସେ କାହାକୁ ବି କରେନା, ତେଣୁ ଏହି ଅଭାବନୀୟ ବ୍ୟବହାରରେ ଆଶୁ ବାବୁ ବ୍ୟତିବ୍ୟସ୍ତ ହୋଇ ଉଠିଲେ । ଆଶୀର୍ବାଦ କରି କହିଲେ–ଆଉଥରେ କେବେ ଆସିବ ମା ?

 

‘ଆଉ ହୁଏତ ମୁଁ ଆସିବି ନାହିଁ କାକା ବାବୁ’ କହି ସେ ଘରୁ ବାହାରିଗଲା । ଆଶୁ ବାବୁ ସେଇ ଆଡ଼କୁ ନିଃଶବ୍ଦରେ ଚାହିଁ ରହିଲେ ।

 

(ବାର)

 

ଆଗ୍ରାର ନୂତନ ମାଜିଷ୍ଟ୍ରେଟ୍‍ଙ୍କ ସ୍ତ୍ରୀଙ୍କ ନାମ ମାଳିନୀ । ତାଙ୍କ ଯତ୍ନରେ ତାଙ୍କ ଘରେ ନାରୀ-କଲ୍ୟାଣ-ସମିତି ପ୍ରତିଷ୍ଠିତ ହେଲା । ପ୍ରଥମ ଅଧିବେଶନରେ ଉଦ୍ୟୋଗଟା ବେଶ୍ ଆଡ଼ମ୍ବର ସହକାରେ କରାଯାଇଥିଲା, କିନ୍ତୁ ସୁସମ୍ପନ୍ନ ତ ହେଲା ନାହିଁ ବରଂ ବିଶୃଙ୍ଖଳ ହୋଇଗଲା । ଅଧିବେଶନ କେବଳ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିଲେହେଁ ପୁରୁଷମାନଙ୍କୁ ଯୋଗ ଦେବା ପାଇଁ ମନା ନ ଥିଲା । ବସ୍ତୁତଃ ଏ ଅଧିବେଶନରେ ସେମାନେ ବିଶେଷ ଭାବେ ନିମନ୍ତ୍ରିତ ହୋଇଥିଲେ । ଅବିନାଶ ବାବୁଙ୍କ ଉପରେ ନିମନ୍ତ୍ରଣର ଭାର ଥିଲା । ଚିନ୍ତାଶୀଳ ଲେଖକ ବୋଲି ଅକ୍ଷୟଙ୍କର ନାଁ ଅଛି । ତେଣୁ ପ୍ରବନ୍ଧ ଲେଖାର ଦାୟିତ୍ୱ ସେ ଗ୍ରହଣ କରିଥିଲେ । ତାଙ୍କ ପରାମର୍ଶ ଅନୁଯାୟୀ ଶିବନାଥ ବ୍ୟତୀତ ଅନ୍ୟ କାହାକୁ ବାଦ୍ ଦିଆଯାଇ ନାହିଁ । ଅବିନାଶଙ୍କ ଶାଳୀ ନୀଳିମା ଘର ଘର ବୁଲି ଧନୀ ଦରିଦ୍ର ନିର୍ବିଶେଷରେ ସହରର ବହୁ ସ୍ତ୍ରୀଲୋକଙ୍କୁ ନିମନ୍ତ୍ରଣ କରିଛନ୍ତି । କେବଳ ଆଶୁ ବାବୁଙ୍କର ଯିବା ପାଇଁ ଇଚ୍ଛା ନ ଥିଲା । ବାତବ୍ୟାଧି ସତ୍ତ୍ୱେ ତାଙ୍କୁ ରକ୍ଷା ମିଳିଲା ନାହିଁ, ମାଳିନୀ ନିଜେ ଯାଇ ଧରିଆଣିଲା ।

 

ଅକ୍ଷୟ ଲେଖା ଧରି ପ୍ରସ୍ତୁତ ଥିଲେ । ପ୍ରଚଳିତ ଦୁଇ ଚାରି ପଦ ବିନୟ ଭାଷଣ ପରେ ସିଧା ଠିଆହୋଇ ପ୍ରବନ୍ଧ ପାଠ କଲେ । ଅଳ୍ପ ସମୟ ପରେ ବୁଝାଗଲା ଯେ ତାଙ୍କ ବକ୍ତବ୍ୟ ବିଷୟ ଯେପରି ଅରୁଚିକର ସେହିଭଳି ଦୀର୍ଘ । ପୁରାକାଳର ସୀତା ସାବିତ୍ରୀଙ୍କ ଉଲ୍ଲେଖ କରି ସେ ଆଧୁନିକ ନାରୀ ଜାତିର ଆଦର୍ଶବିହୀନତା ପ୍ରତି କଟାକ୍ଷ କରିଛନ୍ତି । ଜଣେ ଆଧୁନିକ ଓ ଶିକ୍ଷିତ ମହିଳାଙ୍କ ଗୃହରେ ଉପସ୍ଥିତ ରହି ଆଜିକାଲିର ଶିକ୍ଷାଦୀକ୍ଷା ବିରୁଦ୍ଧରେ କଟୁକ୍ତି କରିବା ପାଇଁ ତାଙ୍କୁ ସାମାନ୍ୟ ଦ୍ୱିଧା ମଧ୍ୟ ଲାଗିନାହିଁ କାରଣ ତାଙ୍କର ଗର୍ବ ଯେ, ଅପ୍ରିୟ ସତ୍ୟ କହିବାକୁ ସେ ଭୟ କରନ୍ତି ନାହିଁ । ସୁତରାଂ ଲେଖା ଭିତରେ ସତ୍ୟ ଥାଉ ବା ନ ଥାଉ, ଅପ୍ରିୟ ବାକ୍ୟର ଅଭାବ ନ ଥିଲା ଏବଂ ତାହାର ଉଦାହରଣ ଦେବା ପାଇଁ ଏକମାତ୍ର ନଜିର୍‍ ଥିଲା–କମଳ । ଅନିମନ୍ତ୍ରିତ ଏହି ତରୁଣୀଟି ସମ୍ପର୍କରେ ଅକ୍ଷୟ ତାଙ୍କ ଲେଖାରେ ଶେଷ ସୀମା ପର୍ଯ୍ୟନ୍ତ ଚାଲିଯାଇଥିଲେ । ଶେଷ ଆଡ଼କୁ ସେ ଗଭୀର ପରିତାପର ସହ ବ୍ୟକ୍ତି କରିଛନ୍ତି ଯେ ଏହି ସହରରେ ଠିକ୍ ଏହିପରି ଜଣେ ସ୍ତ୍ରୀଲୋକ ଅଛି ଓ ସେ ଭଦ୍ର ସମାଜରେ ନିରନ୍ତର ପ୍ରଶ୍ରୟ ପାଇ ଆସିଛି । ସେ ନିଜର ଦାମ୍ପତ୍ୟ ଜୀବନକୁ ଅବୈଧ ଜାଣି ବି ଲଜ୍ଜିତ ହେବା ଦୂରେ ଥାଉ ଉପେକ୍ଷା କରି ଆସିଛି କେବଳ । ତା’ ପାଖରେ ବିବାହ ଅନୁଷ୍ଠାନ ଅର୍ଥହୀନ ସଂସ୍କାର ମାତ୍ର ଓ ପତିପତ୍ନୀର ଏକନିଷ୍ପ ପ୍ରେମ କେବଳ ନିଛକ ମାନସିକ ଦୁର୍ବଳତା । ଉପସଂହାରରେ ଏ କଥା ବି ଉଲ୍ଲେଖ କରିଛନ୍ତି ଯେ, ନାରୀ ହୋଇ ନାରୀର ଗଭୀରତମ ଆଦର୍ଶକୁ ଯେ ଅସ୍ଵୀକାର କରେ, ତଥାକଥିତ ସେହି ଶିକ୍ଷିତା ନାରୀର ଉପଯୁକ୍ତ ବିଶେଷଣ ଓ ବ୍ୟବସ୍ଥାନ ନିର୍ଣ୍ଣୟ କରିବାରେ ପ୍ରବନ୍ଧ ଲେଖକଙ୍କ ନିଜର କୌଣସି ସନ୍ଦେହ ନ ଥିଲେହେଁ କେବଳ ସଙ୍କୋଚବଶତଃ କହିପାରୁ ନାହାନ୍ତି । ଏହି ତ୍ରୁଟି ପାଇଁ ସେ କ୍ଷମା ପ୍ରାର୍ଥାନ କରୁଛନ୍ତି ।

 

ମହିଳା-ସମାଜ ମଧ୍ୟରେ ମନୋରମା ବ୍ୟତୀତ କମଳକୁ କେହି ଦେଖି ନାହାନ୍ତି କିନ୍ତୁ ତା’ର ରୂପର ଖ୍ୟାତି ଓ ଚରିତ୍ରର ଅଖ୍ୟାତି ପୁରୁଷମାନଙ୍କଦ୍ଵାରା ପରିବ୍ୟାପ୍ତ ହେବାପାଇଁ ବାକି ନ ଥିଲା । ଏପରିକି, ନବପ୍ରତିଷ୍ଠିତ ନାରୀ କଲ୍ୟାଣ ସମିତିର ସଭାନେତ୍ରୀ ମାଳିନୀ ପର୍ଯ୍ୟନ୍ତ ବି ତ ପହଞ୍ଚିଛି ଏବଂ ଏ ବିଷୟରେ ନାରୀମଣ୍ଡଳରେ କୌତୂହଳର ସୀମା ନାହିଁ । ତେଣୁ ରୁଚି ଓ ନୀତିର ସମ୍ୟକ୍ ବିଚାରର ଉତ୍ସାହରେ ଉଦ୍ଦୀପ୍ତ ପ୍ରଶ୍ନମାଳା ଦେଇ ବ୍ୟକ୍ତିଗତ ଆଲୋଚନା ହୁଏତ ସତେଜ ହୋଇ ଉଠିଥାନ୍ତା, କିନ୍ତୁ ଲେଖକଙ୍କର ପରମବନ୍ଧୁ ହରେନ୍ଦ୍ର ଏଠାରେ କଠୋର ପ୍ରତିବନ୍ଧକ ହୋଇ ଉଠିଲା । ସେ ସିଧା ଠିଆହୋଇ କହିଲା–ଅକ୍ଷୟ ବାବୁଙ୍କର ଏ ଲେଖାର ମୁଁ ସମ୍ପୂର୍ଣ୍ଣ ପ୍ରତିବାଦ କରୁଛି । କେବଳ ଅପ୍ରାସଙ୍ଗିକ ବୋଲି ନୁହେଁ, କୌଣସି ମହିଳାଙ୍କୁ ତାଙ୍କ ଅନୁପସ୍ଥିତିରେ ଆକ୍ରମଣ କରିବା ରୁଚିହୀନତା, ବିଷ୍ଟଲି ଏବଂ ତାଙ୍କ ଚରିତ୍ର ସମ୍ପର୍କରେ ଅକାରଣ ଉଲ୍ଲେଖ କରିବା ଅଭଦ୍ରୋଚିତ ଓ ହେୟ । ନାରୀକଲ୍ୟାଣ ସମିତି ପକ୍ଷରୁ ଏହି ପ୍ରବନ୍ଧ ଲେଖକଙ୍କୁ ନିନ୍ଦା କରିବା ଉଚିତ ।

 

ଏହାପରେ ଏକ ଭୀଷଣ ଅବସ୍ଥା ସୃଷ୍ଟି ହେଲା । ଅକ୍ଷୟ ଉତ୍ତେଜିତ ହୋଇ ହିତାହିତ ଜ୍ଞାନଶୂନ୍ୟ ଭଳି ଯାହା ମନ ତା’ ବକିବାକୁ ଲାଗିଲେ ଏବଂ ମଝିରେ ମଝିରେ ସ୍ୱଳ୍ପଭାଷୀ ହରେଦ୍ର କେବଳ ‘ବିଷ୍ଟ୍’, ‘ବ୍ରୁଟ୍’ ବୋଲି ପଦେ ପଦେ କହୁଥିଲା ।

 

ମାଳିନୀ ଅଗ୍ରାରେ ନୂଆ ଲୋକ, ସହସା ଏକପ୍ରକାରର ବାକ୍ ବିତଣ୍ଡାର ଉଗ୍ରତାରେ ବିପନ୍ନ ହୋଇ ପଡ଼ିଲା । ସେହି ଉତ୍ତେଜନାରେ ମଧ୍ୟ ଅନ୍ୟମାନେ ନିଜ ନିଜର ମତାମତ ପ୍ରକାଶ କରିବା ପାଇଁ କାର୍ପଣ୍ୟ କଲେ ନାହିଁ । କେବଳ ଆଶୁ ବାବୁ ଚୁପ୍ ରହିଥିଲେ । ପ୍ରବନ୍ଧ ପାଠର ମୂଳରୁ ସେଇ ଯେ ମୁଣ୍ଡ ପୋତି ବସିଥିଲେ, ସଭା ଶେଷପର୍ଯ୍ୟନ୍ତ ଆଉ ମୁଣ୍ଡ ଟେକି ନାହାନ୍ତି । ଆଉ ଜଣେ ଲୋକ ଏ ତର୍କଯୁଦ୍ଧରେ ଯୋଗ ଦେଇ ନ ଥିଲେ–ସେ ହେଉଛନ୍ତି ଅକ୍ଷୟ-ହରେନ୍ଦ୍ରଙ୍କ ଆଳାପ-ଆଲୋଚନାରେ ନିତ୍ୟ ଅଭ୍ୟସ୍ତ ଅବିନାଶ ।

 

ବ୍ୟକ୍ତି ବିଶେଷରେ ଚିରତ୍ରଗତ ଭଲମନ୍ଦ ନିରୂପଣ କରିବା ଏ ସମିତିର ଲକ୍ଷ୍ୟ ନୁହେଁ ଓ ଏପ୍ରକାର ଆଲୋଚନାରେ କାହାର କଲ୍ୟାଣ ହେବ ନାହିଁ, ଏ କଥା ମାଳିନୀ ଭଲଭାବେ ଜାଣେ । ବିଶେଷତଃ ଲେଖା ମଧ୍ୟରେ ଆଶୁ ବାବୁଙ୍କ ପ୍ରତି ବି ଇଙ୍ଗିତ ରହିଛି । ଏ କଥା କିପରି ଜାଣିପାରି ତାକୁ ଅତ୍ୟନ୍ତ କଷ୍ଟ ଲାଗିଲା । ସଭା ଶେଷ ହେବା ପରେ ସେ ନିଃଶବ୍ଦରେ ଆଶୁ ବାବୁଙ୍କ ନିକଟକୁ ଆସି ଲଜ୍ଜିତ ମୃଦୁ କଣ୍ଠରେ କହିଲା–ନିରର୍ଥକ ଆଜି ଆପଣଙ୍କ ଶାନ୍ତି ନଷ୍ଟ କରିଥିବାରୁ ମୁଁ ଦୁଃଖିତ ।

 

ଆଶୁ ବାବୁ ହସିବାକୁ ଚେଷ୍ଟା କରି କହିଲେ–ଘରେ ତ ମୁଁ ଏକୁଟିଆ ବସି ରହିଥାନ୍ତି, ସମୟ ଅନ୍ତତଃ କଟିଲା ।

 

ମାଳିନୀ କହିଲା–ଘରେ ବସି ରହିବା ଏହାଠାରୁ ଢେର୍ ଭଲ । ଟିକିଏ ରହି କହିଲା–ଆଜି ସେ ନାହାନ୍ତି । ମଣି ଏଠି ଖାଇକରି ଯିବ ।

 

‘ବେଶ୍, ମୁଁ ଯାଇ ଗାଡ଼ି ପଠାଇଦେବି । ଆଉ ସବୁ ଝିଅମାନେ ?’

 

‘ସେମାନେ ଏଠି ସମସ୍ତ ଖାଇକରି ଯିବେ ।’

 

ଅବିନାଶ ଓ ଅଜିତ୍‍କୁ ସାଙ୍ଗରେ ଧରି ଆଶୁ ବାବୁ ଗାଡ଼ିରେ ଉଠିବାକୁ ଯାଉଥିଲେ, ଏହି ସମୟରେ ହରେନ୍ଦ୍ର ଓ ଅକ୍ଷୟ ଆସି ପହଞ୍ଚିଲେ । ସେମାନଙ୍କୁ ଘରେ ପହଞ୍ଚାଇ ଦେବାକୁ ହେବ । ବାଟସାରା ଆଶୁ ବାବୁ ନୀରବ ହୋଇ ବସି ରହିଲେ । କମଳକୁ ଉପଲକ୍ଷ କରି ଅକ୍ଷୟ ଯେ ତାଙ୍କ ପ୍ରତି ଅଶିଷ୍ଟ ଇଙ୍ଗିତ କରିଛି, ତାଙ୍କ ମନରେ ଖେଳୁଥିଲା ।

 

ଗାଡ଼ି ଆସି ବସାରେ ପହଞ୍ଚିଲା । ତଳ ବାରଣ୍ଡାରେ ଜଣେ ଅପରିଚିତ ଲୋକ ବସିଥିଲା, ବମ୍ବେଆଡ଼ ଲୋକଙ୍କ ପରି ତା’ର ପୋଷାକ । ପାଖକୁ ଆସି ଆଶୁ ବାବୁଙ୍କୁ ନମସ୍କାର କଲା ।

 

‘କ’ଣ ?’

 

ସେ ଖଣ୍ଡିଏ କାଗଜ ବଢ଼ାଇ ଦେଇ କହିଲା–ଚିଠି ।

 

ଚିଠି ଖଣ୍ଡକ ସେ ଅଜିତ୍‍ ହାତରେ ଦେଲେ, ଅଜିତ୍‍ ମଟର ଆଲୁଅରେ ପଢ଼ି କହିଲା–ଚିଠି କମଳର ।

 

‘କମଳର ? କ’ଣ ସେ ଲେଖିଛି ?’

 

‘ଲେଖିଛନ୍ତି ଯେ ପତ୍ରବାହକଠାରୁ ସବୁ ବୁଝିପାରିବେ ।’

 

ଆଶୁ ବାବୁ ତାଙ୍କ ମୁହଁକୁ ଚାହଁବାରୁ ଅପରିଚିତ ଭଦ୍ରଲୋକ କହିଲେ–ଏ ଚିଠି ଆଉ କାହା ହାତରେ ପଡ଼ିବା ତାଙ୍କର ଇଚ୍ଛା ନ ଥିଲା । ଆପଣ ତାଙ୍କର ଆତ୍ମୀୟ–ମୁଁ ତାଙ୍କଠାରୁ କିଛି ଟଙ୍କା ପାଇବା କଥା–

 

କଥା ଶେଷ ନ ହେଉଣୁ ଆଶୁ ବାବୁ ଅତ୍ୟନ୍ତ କ୍ରୁଦ୍ଧ ହୋଇ କହିଲେ–ମୁଁ ତା’ର ଆତ୍ମୀୟ ନୁହେଁ, ପ୍ରକୃତରେ ସେ ମୋର କେହି ନୁହେଁ । ତା’ପାଇଁ ମୁଁ ଟଙ୍କା ଦେବି କାହିଁକି ?

 

ଗାଡ଼ି ଉପରୁ ଅକ୍ଷୟ କହିଲା–Just like her ।

 

କଥାଟା ସମସ୍ତେ ଶୁଣିଲେ । ପତ୍ରବାହକ ଭଦ୍ରଲୋକ ଅପ୍ରତିଭ ହୋଇ କହିଲେ–ଟଙ୍କା ଆପଣ ନ ଦିଅନ୍ତୁ–ସେ ଦେବେ । ଆପଣ କେବଳ କେତେ ଦିନ ପାଇଁ ଜାମିନ୍ ହେଲେ–

 

ଆଶୁ ବାବୁଙ୍କ ରାଗ ବଢ଼ିଗଲା । କହିଲେ–ଜାମିନ୍ ହେବା ମୋର ଗରଜ ପଡ଼ିଛି ! ତା’ର ସ୍ଵାମୀ ଅଛନ୍ତି, ଧାର କଥା ତାଙ୍କୁ କହିବେ ।

 

ଭଦ୍ରଲୋକ ଅତିଶୟ ବିସ୍ମିତ ହୋଇ କହିଲେ–ତାଙ୍କ ସ୍ଵାମୀଙ୍କ କଥା ତ ଶୁଣିନି ।

 

‘ଖୋଜ୍ କଲେ ଶୁଣି ପାରିବେ, Good Night । ଆସ ଅଜିତ୍‍, ଆଉ ଡେରି କରନାହିଁ ।’ କହି ସେ ଅଜିତ୍‍କୁ ସାଙ୍ଗରେ ନେଇ ଉପରକୁ ଚାଲିଗଲେ । ଉପର ବାରଣ୍ଡାରୁ ମୁହଁ ବଢ଼ାଇ ଡ୍ରାଇଭରକୁ କହିଦେଲେ ସେ ମାଜିଷ୍ଟ୍ରେଟ୍‍ଙ୍କ ଘରକୁ ଗାଡ଼ି ଯିବାରେ ଯେପରି ଡେରି ନ ହୁଏ-। ଅଜିତ୍‍ ସିଧା ତା’ ଘରକୁ ଚାଲିଯାଉଥିଲା, ଆଶୁ ବାବୁ ତାକୁ ନିଜ ଘରକୁ ଡାକି କହିଲେ–‘ବସ-। ମଜା ଦେଖିଲ ତ ?’ ଏ କଥାର ଅର୍ଥ କ’ଣ, ଅଜିତ୍‍ ତା’ ବୁଝିଲା । ବସ୍ତୁତଃ ଆଶୁ ବାବୁଙ୍କର ସ୍ଵାଭାବିକ ସହୃଦୟତା, ଶାନ୍ତିପ୍ରିୟତା ଓ ଚିର ଅଭ୍ୟସ୍ତ ସହିଷ୍ଣୁତା ସହ ତାଙ୍କର ମୁହୂର୍ତ୍ତକ ପୂର୍ବରୁ ଅକାରଣ ରୂଢ଼ତା କେବଳ ଅକ୍ଷୟ ବ୍ୟତୀତ ଆଉ ପ୍ରତ୍ୟେକଙ୍କୁ ଆଘାତ ଦେଲା । କିଛି ନ ଜାଣି ବି ଦିନେ ଏହି ରହସ୍ୟମୟୀ ରମଣୀ ପ୍ରତି ଅଜିତ୍‍ର ଅନ୍ତର ସଶ୍ରଦ୍ଧ ବିସ୍ମୟରେ ଭରି ଉଠିଥିଲା; କିନ୍ତୁ ଯେଉଁଦିନ କମଳ ନିର୍ଜନ ନିଶୀଥରେ ଏହି ଅପରିଚିତ ପୁରୁଷର ସମ୍ମୁଖରେ ଆପଣା ବିଗତ ନାରୀ ଜୀବନର ଅସଂବୃତ ଇତିହାସ ଏକାନ୍ତ ଅବଳୀଳାକ୍ରମେ ଉଦ୍‍ଘାଟିତ କରିଥିଲା, ସେ ଦିନଠାରୁ ଅଜିତ୍‍ର ମନ ପୁଞ୍ଜୀଭୂତ ବିରାଗ ଓ ବିତୃଷ୍ଣାରେ ପୂର୍ଣ୍ଣ ହୋଇଯାଇଥିଲା । ଏହି କେତେ ଦିନ ତା’ର ସେହିଭଳି କଟିଛି । ତେଣୁ ଆଜି ନାରୀ-କଲ୍ୟାଣ-ସମିତିର ଉଦ୍ବୋଧନ ଉପଲକ୍ଷରେ ଆଦର୍ଶ ପନ୍ଥୀ ଅକ୍ଷୟ ନାରୀତ୍ଵର ଆଦର୍ଶ ଛଳନାରେ କମଳକୁ ଯେତେ କଟୂକ୍ତି କରିଛି, ସେଥିରେ ସେ ଦୁଃଖିତ ହୋଇନାହିଁ । ଏହିଭଳି ସେ ଆଶା କରିଥିଲା । ତେବେ ଅକ୍ଷୟ ବାବୁଙ୍କ କ୍ରୋଧାନ୍ଧ ବର୍ବରତା ଯେତେ ତୀକ୍ଷ୍ଣ ହେଉନା କାହିଁକି, ଆଶୁ ବାବୁ ଏହିକ୍ଷଣି ଯାହା କଲେ, ସେଥିରେ କମଳ ପ୍ରତି ଯେପରି ଚରମ ଅପମାନ ହେଲା । କମଳକୁ ଅବଶ୍ୟ ସେ ଭଲ ବୋଲି କହିଲା । କମଳର ମତାମତ ଓ ସାମାଜିକ ଆଚରଣର ସୁତୀବ୍ର ନିନ୍ଦାରେ ସେ କୌଣସି ଅବିଚାର ଦେଖିନାହିଁ । ତା’ ନିଜ ଭିତରେ କମଳ ବିରୁଦ୍ଧରେ ଅତ୍ୟଧିକ ଘୃଣା ପରିପୁଷ୍ଟ ହୋଇ ରହିଛି । ତା’ର ବ୍ୟକ୍ତିଗତ ମତ, ଯେ ଭଦ୍ର ସମାଜରେ ଅଚଳ ତାହାକୁ ପ୍ରତ୍ୟାଖ୍ୟାନ କରିବାରେ ଅପରାଧ ନାହିଁ, କିନ୍ତୁ ତା’ ବୋଲି ଏ କ’ଣ ହେଲା ! ଦୁର୍ଦ୍ଦଶାଗ୍ରସ୍ଥ ଜଣେ ରମଣୀର ଦୁଃସମୟରେ ସାମାନ୍ୟ ଅର୍ଥଭିକ୍ଷାର ପ୍ରତ୍ୟାଖ୍ୟାନରେ ସେ ଯେପରି ସମସ୍ତ ପୁରୁଷଗୋଷ୍ଠୀ ଚରମ ଅସମ୍ମାନ ଅନ୍ତରରେ ଅନୁଭବ କଲା । ସେହି ରାତ୍ରିର ସମସ୍ତ ଆଲୋଚନା ତା’ର ମନେପଡ଼ିଲା । ତାକୁ ଯତ୍ନ କରି ଖୁଆଇବା ଭିତରେ ଚା’-ବଗିଚାର ଅତୀତ ଦିନର ଘଟଣାର ବର୍ଣ୍ଣନା–ତା’ର ମା’ର କାହାଣୀ, ନିଜର ଇତିହାସ, ଇଂରେଜ ମ୍ୟାନେଜର ଘରେ ଜନ୍ମ ହେବାର ବିବରଣୀ । ଏହା ଯେପରି ଅଦ୍ଭୁତ, ସେହିପରି ଅରୁଚିକର–କିନ୍ତୁ କି ଦରକାର ଥିଲା ତା’ର ? ଗୋପନ କରିଥିଲେ ବା କ’ଣ କ୍ଷତି ହୋଇଥାନ୍ତା ? କିନ୍ତୁ ଦୁନିଆର ଏହି ସହଜ ସୁବୁଦ୍ଧି କମଳର ନାହିଁ । ଯଦି ବା ଥିବ, ତେବେ ଗ୍ରାହ୍ୟ କରିନାହିଁ ।

 

ଆଉ ସବୁଠାରୁ ଆଶ୍ଚର୍ଯ୍ୟ ତା’ର ଅସମ୍ଭବ ଧୈର୍ଯ୍ୟ ! ଦୈବକ୍ରମେ ତା’ ମୁହଁରୁ ସେ ପ୍ରଥମେ ଶୁଣିଲା ଯେ ଶିବନାଥ ଆଗ୍ରା ଛାଡ଼ି ବାହାରକୁ ଯାଇନାହିଁ । ଏଇ ସହରରରେ ଆତ୍ମଗୋପନ କରିଅଛି । ଶୁଣି ଚୁପ୍ ରହିଲା । ମୁହଁରେ ବେଦନାର ଚିହ୍ନ ଦେଖାଗଲା ନାହିଁ–ବାହାରିଲା ନାହିଁ ଅଭିଯୋଗର ଭାଷା । ଏତେ ବଡ଼ ମିଥ୍ୟାଚାରର ସେ କିଛି ମାତ୍ର ଅଭିଯୋଗ ଅନ୍ୟ ନିକଟରେ କଲା ନାହିଁ । ସେ ଦିନ ସମ୍ରାଟମହିଷୀ ମମତାଜଙ୍କ ସ୍ମୃତିସୌଧ ନିକଟରେ ବସି ଯାହା ସେ ହସି ହସି ଉଚ୍ଚାରଣ କରିଥିଲା, ତାହା ଅକ୍ଷରେ ଅକ୍ଷରେ ପାଳନ କଲା ।

 

ଆଶୁ ବାବୁ ନିଜେ ହୁଏତ କିଛି ସମୟ ପାଇଁ ଅନ୍ୟମନସ୍କ ହୋଇ ପଡ଼ିଲେ । ହଠାତ୍ ସଚେତନ ହୋଇ ପୂର୍ବ ପ୍ରଶ୍ନର ପୁନରାବୃତ୍ତି କରି କହିଲେ–ମଜା ଦେଖିଲ ତ ଅଜିତ୍‍ ? ମୁଁ ନିଶ୍ଚୟ ଭାବେ କହିପାରେ–ଏଟା ଶିବନାଥର କୌଶଳ ।

 

ଅଜିତ୍‍ କହିଲା–ନ ହୋଇପାରେ ବି । ନ ଜାଣିଲେ କିଛି କହିହେବନି ।

 

ଆଶୁ ବାବୁ କହିଲେ–ତା’ ଅବଶ୍ୟ, କିନ୍ତୁ ମୋର ବିଶ୍ୱାସ ଶିବନାଥର ଏ ଚାଲ୍‍ । ମତେ ସେ ବଡ଼ଲୋକ ବୋଲି ଜାଣେ ।

 

ଅଜିତ୍‍ କହିଲା–ଏ ଖବର ତ ଅନେକ ଲୋକ ଜାଣନ୍ତି । କମଳ ଯେ ନ ଜାଣେ, ତା’ ନୁହେଁ ।

 

ଆଶୁ ବାବୁ କହିଲେ–ତା’ହେଲେ ତ ଢେର୍ ବେଶୀ ଅନ୍ୟାୟ । ସ୍ଵାମୀକୁ ଗୋପନ କରିବା ତ ଭଲ କାମ ନୁହେଁ ।

 

ଅଜିତ୍‍ ଚୁପ୍ ହୋଇ ରହିଲା । ଆଶୁ ବାବୁ କହିଲେ–ସ୍ଵାମୀକୁ ନ ଜଣାଇ, ହୁଏତ ତା’ ମତ ବିରୁଦ୍ଧରେ, ପରଲୋକଠାରୁ ଟଙ୍କା ଧାର କରିବାକୁ ଯିବା କେତେ ବଡ଼ ଅନ୍ୟାୟ କୁହତ ? ଏହାକୁ ପ୍ରଶ୍ରୟ ଦେଲେ ଚଳିବ ନାହିଁ ।

 

ଅଜିତ୍‍ କହିଲା–ସେ ତ ଟଙ୍କା ଚାହିଁ ନାହାନ୍ତି, କେବଳ ଜାମିନ୍ ହେବା ପାଇଁ ଅନୁରୋଧ କରିଥିଲେ ।

 

ଆଶୁ ବାବୁ କହିଲେ–‘ସେ ଏକା କଥା ।’ କିଛି ସମୟ ମୌନ ରହି, ପୁନରାୟ କହିଲେ–ତା’ପରେ, ମୋତେ ଆତ୍ମୀୟ ବୋଲି ପରିଚୟ ଦେବାଟା କ’ଣ ଛଳନା ନୁହେଁ ? ମୁଁ ତ ସତରେ ତା’ର ଆତ୍ମୀୟ ନୁହେଁ ?

 

ଅଜିତ୍‍ କହିଲା–ସେ ହୁଏତ ଆପଣଙ୍କୁ ପ୍ରକୃତ ଆତ୍ମୀୟ ବୋଲି ମନେକରନ୍ତି । ମୋର ମନେହୁଏ, କାହାକୁ ଛଳନା କରିବା ତାଙ୍କ ପ୍ରକୃତି ନୁହେଁ ।

 

‘ନା, ମୁଁ ସେ ଦିଗରୁ କହୁ ନ ଥିଲି ଅଜିତ୍‍’ କହି ଆଶୁ ବାବୁ ଯେପରି ନିଜକୁ ନିଜେ କୈଫିୟତ୍‍ ଦେବାକୁ ଆରମ୍ଭ କଲେ । ଲୋକଟାକୁ ଗୋଟାଏ ଝୁଙ୍କିରେ ବିଦାୟ କରି ଦେଇ ତାଙ୍କ ମନରେ ଗ୍ଳାନି ଭରି ଯାଇଥିଲା । କହିଲେ–ସେ ମୋତେ ଆତ୍ମୀୟ ବୋଲି ଭାବିଥିଲେ, ଯଦି ଟଙ୍କା ଦୁଇଶ, ତିନିଶ ଦରକାର ପଡ଼ିଲା, ତେବେ ନିଜେ ଆସି ନେଇ ପାରିଥାନ୍ତା । ବୃଥା ଗୋଟାଏ ଲୋକକୁ ସମସ୍ତଙ୍କ ଆଗରେ ପଠାଇବା କି ଦରକାର ଥିଲା ? ଆଉ ଯାହା କହ, ଝିଅଟାର ବିଚାର ବୁଦ୍ଧି ନାହିଁ ।

 

ବେହେରା ଆସି ଖାଇବାକୁ ବାଢ଼ିଛି ବୋଲି କହିଗଲା । ଅଜିତ୍‍ ଉଠି ଯାଉଥିଲା, ଆଶୁ ବାବୁ କହିଲେ–ଲୋକଟାକୁ ମାର୍କ କରିଛ ଅଜିତ୍‍, କି କଦର୍ଯ୍ୟ ଚେହେରା ! ମନି-ଲେଣ୍ଡର୍ କି ନା ! ଯାଇ ହୁଏତ ନାନା କଥା ବନେଇ ଚୁନେଇ କହିବ ।

 

ଅଜିତ୍‍ ହସି ପକାଇଲା । କହିଲା–‘ବନେଇବା ଦରକାର ନାହିଁ, ସତ କହିଲେ ବି ଯଥେଷ୍ଟ ହେବ ।’ ଏହା କହି ସେ ଯିବାକୁ ବାହାରିବା ବେଳେ ଆଶୁ ବାବୁ କହିଲେ–‘ଏଇ ଅକ୍ଷୟ ଲୋକଟା ଗୋଟାଏ ନୁଇସେନ୍‍ସ । ମଣିଷର ସହିବାର ସୀମା ଅତିକ୍ରମ କରିଯାଏ । ଆଚ୍ଛା ଗୋଟାଏ କାମ କର ତ ଅଜିତ୍‍, ଯଦୁକୁ ଡାକି ଏଇ ଆଲମିରାଟା ଖୋଲ, ଦେଖ ତ କ’ଣ ଅଛି । ଅନ୍ତତଃ ପାଞ୍ଚଶ, ସାତଶ ଟଙ୍କା–ଯାହା ଅଛି ପଠେଇ ଦିଅ । ଆମ ଡ୍ରାଇଭର ତ ତା’ ବସା ଚିହ୍ନିଛି–ଶିବନାଥକୁ ମଝିରେ ମଝିରେ ଛାଡ଼ି ଦେଇ ଆସେ ।’ ଏହା କହି ସେ ବେହେରାକୁ ଡାକିଲେ ।

 

ଅଜିତ୍‍ ବାଧା ଦେଇ କହିଲା–ଯାହା ହେବାର ହେଲା । ଆଜି ରାତିରେ ଥାଉ । କାଲି ସକାଳେ ବିଚାର କରି ଦେଖିବା ।

 

ଆଶୁ ବାବୁ କହିଲେ–ତମେ ବୁଝୁନା ଅଜିତ୍‍, ବିଶେଷ ଦରକାର ନ ଥିଲେ ସେ ରାତିରେ ଲୋକ ପଠାଇ ନ ଥାନ୍ତା ।

 

ଅଜିତ୍‍ କିଛି ସମୟ ଠିଆହୋଇ ରହିଲା । ତା’ପରେ କହିଲା–ଡ୍ରାଇଭର ବସାରେ ନାହିଁ; ମନୋରମାଙ୍କୁ ଧରି କେତେବେଳେ ଫେରିବ, କିଛି ଠିକ୍ ନାହିଁ । ଏ ଭିତରେ କମଳ ସବୁ ଶୁଣି ସାରିଥିବେ । ତା’ପରେ ବୋଧହୁଏ ଆଉ ଟଙ୍କା ପଠାଇବା ଉଚିତ ହେବନି । ସେ ଆପଣଙ୍କଠାରୁ ଗ୍ରହଣ କରିବା ପାଇଁ ହୁଏତ ରାଜି ହେବେ ନାହିଁ ।

 

‘କିନ୍ତୁ ଏ ତ କେବଳ ତମର ଅନୁମାନ ଅଜିତ୍‍ ।’

 

‘ହଁ, ଅନୁମାନ ନୁହେଁ ଆଉ କ’ଣ !’

 

‘ବିଦେଶରେ ତା’ର ଟଙ୍କାର ପ୍ରୟୋଜନ ହୁଏତ ଖୁବ୍ ବେଶୀ ଥାଇପାରେ ।’

 

‘କିନ୍ତୁ ପ୍ରୟୋଜନ ଆତ୍ମମର୍ଯ୍ୟାଦା ଅପେକ୍ଷା ବଡ଼ ନ ହୋଇପାରେ ।’

 

ଆଶୁ ବାବୁ କହିଲେ–ଏ ତ ତମର କେବଳ ଅନୁମାନ ଅଜିତ୍‍ ।

 

ଅଜିତ୍‍ ହଠାତ୍ ଉତ୍ତର ଦେଲା ନାହିଁ । କିଛି ସମୟ ତଳକୁ ମୁହଁ ପୋତି ରହି କହିଲା–‘ନା, ଅନୁମାନଠାରୁ ଅଧିକ, ଏହା ମୋର ବିଶ୍ଵାସ ।’ ଏହା କହି ସେ ଧୀରେ ଧୀରେ ଘରୁ ବାହାରି ଗଲା ।

 

ଆଶୁ ବାବୁ ତାକୁ ଆଉ ଡାକିଲେ ନାହିଁ । କମଳ ସମ୍ବନ୍ଧରେ ଏ ବିଶ୍ଵାସ ଅସମ୍ଭବ ନୁହେଁ, ଅସଙ୍ଗତ ବି ନୁହେଁ–ଏ କଥା ସେ ନିଜେ ବି ଜାଣନ୍ତି । ନିରୁପାୟ ଅନୁଶୋଚନାରେ ତାଙ୍କ ଛାତି ଭିତରଟା ଚକଟି ମନ୍ଥି ହୋଇ ଯାଉଥିଲା ।

 

(ତେର)

 

ନାରୀ କଲ୍ୟାଣ ସମିତିରୁ ଫେରି ନୀଳିମା ଅବିନାଶଙ୍କୁ ଧରି ବସିଲା–ମୁଖାର୍ଜି ମହାଶୟ, ମୁଁ ଟିକିଏ କମଳକୁ ଦେଖିବି । ମୋର ମନ ହେଉଛି, ତାକୁ ଡାକି ଆଣି ଆମ ଘରେ ଖୁଆଇ ପିଆଇ ଛାଡ଼ନ୍ତି ।

 

ଅବିନାଶ ଆଶ୍ଚର୍ଯ୍ୟ ହୋଇ କହିଲେ–ତମର ସାହସ ତ କମ୍ ନୁହେଁ । ଖାଲି ଟିକିଏ କଥାବାର୍ତ୍ତା ବି ନୁହେଁ, ଏକାବେଳକେ ଖୁଆଇ ଛାଡ଼ିବା ପର୍ଯ୍ୟନ୍ତ– ! ଦେଖ, ଏ ଦେଶରେ ବାଘ ଭାଲୁ ନାହାନ୍ତି, ଥିଲେ ତମ ହୁକୁମରେ ସେମାନଙ୍କୁ ବି ନିମନ୍ତ୍ରଣ କରିପାରିବି; କିନ୍ତୁ ତାକୁ ନୁହେଁ । ଅକ୍ଷୟ ଖବର ପାଇଲେ ଆଉ ରକ୍ଷା ନାହିଁ । ମତେ ଏକ ଘରକିଆ କରି ରଖିବ ।

 

ନୀଳିମା କହିଲେ–ମୁଁ ତ ଅକ୍ଷୟ ବାବୁଙ୍କୁ ଭୟ କରେନା ।

 

ଅବିନାଶ କହିଲେ–ତୁମେ ନ କଲେ କ୍ଷତି ନାହିଁ; ମୁଁ ତ ଭୟ କରୁଛି । ସେତିକିରେ ତା’ର ଚଳିବ ।

 

ନୀଳିମା ଜିଦ୍ ଧରି ବସିଲା–କହିଲା–ନା, ସେ କଥା ହେବନି । ତମେ ନ ଯିବ ତ ନାଇଁ, ମୁଁ ନିଜେ ଯାଇ ତାକୁ ଡାକି ଆଣିବି । କିନ୍ତୁ ମୁଁ ତ ତା’ ବସାଟା ଚିହ୍ନେନା । ହରେନ୍ଦ୍ର ଜାଣନ୍ତି । ମୁଁ ତାଙ୍କୁ ଧରି ଚାଲିଯିବି । ସେ ତମ ପରି ଭୟାଳୁ ଲୋକ ନୁହନ୍ତି । ଟିକିଏ ଅଟକି ପୁଣି କହିଲା–ତମମାନଙ୍କ ମୁହଁରୁ ଯାହା ମୁଁ ଜାଣିଛି, ସେଥିରୁ ତ ମନେହୁଏ ଦୋଷ ସବୁ ଶିବନାଥ ବାବୁଙ୍କର–କିନ୍ତୁ ମୁଁ ତ ତାଙ୍କୁ ନିମନ୍ତ୍ରଣ କରୁନାହିଁ । ମୁଁ କମଳକୁ ଡାକିବି, ତା’ ସାଥିରେ ଟିକିଏ କଥାବାର୍ତ୍ତା କରିବି । କମଳ ଯଦି ଆସିବାକୁ ରାଜି ହୁଏ, ତେବେ ମାଜିଷ୍ଟ୍ରେଟ୍‍ଙ୍କ ସ୍ତ୍ରୀ କହିଛନ୍ତି–ସେ ବି ଆସିବେ । ବୁଝିଲ-?

 

ଅବିନାଶ ସବୁ ବୁଝିଲେ–କିନ୍ତୁ ସ୍ପଷ୍ଟଭାବେ ସମ୍ମତି ଦେଇପାରିଲେ ନାହିଁ ଅଥଚ ବାଧା ଦେବାର ବି ଭରସା ନାହିଁ । ନୀଳିମାକୁ ସେ ଖାଲି ଶ୍ରଦ୍ଧା, ସ୍ନେହ ନୁହେଁ–ଭୟ ବି କରନ୍ତି ।

 

ତା’ ପରଦିନ ସକାଳେ ହରେନ୍ଦ୍ରକୁ ଡକାଇ ଆଣି ନୀଳିମା କହିଲେ–ତମକୁ ଆଜି ଗୋଟିଏ କାମ କରିବାକୁ ହେବ । ତମେ ବାଡ଼ୁଅ ମଣିଷ, ଘରେ ସ୍ତ୍ରୀ ନାହିଁ ଯେ ନୀତି ନିୟମ ନାଁରେ ତମ କାନ ମୋଡ଼ିବ । ବସାରେ ପଲେ ବାପ-ମା-ଛେଉଣ୍ଡ ପିଲାଙ୍କୁ ନେଇ ତ ଅଛ–ତମର ଭୟ କ’ଣ ?

 

ହରେନ୍ଦ୍ର କହିଲା–ଭୟ କଥା ପଛକୁ ଥାଉ–କିନ୍ତୁ କ’ଣ କରିବାକୁ ହେବ ?

 

ନୀଳିମା କହିଲା–ମୁଁ ଟିକିଏ କମଳ ସାଥିରେ କଥାବାର୍ତ୍ତା କରିବି, ତାକୁ ଡାକି ଆଣି ଘରେ ଗଣ୍ଡେ ଖୁଆଇବି । ତମେ ତ ତାଙ୍କ ଘର ଚିହ୍ନିଛ, ମତେ ସାଙ୍ଗରେ ନେଇ ତା’ ଘରଠିକୁ ଯିବ । କେତେବେଳେ ଯାଇପାରିବ କହ ତ ?

 

ହରେନ୍ଦ୍ର କହିଲା–‘ଯେତେବେଳେ ହୁକୁମ କରିବେ, କିନ୍ତୁ ଘରବାଲା ? ତାଙ୍କ ଅଭିପ୍ରାୟ କ’ଣ ?’ କହି ସେ ବାରଣ୍ଡା କୋଣରେ ଅବିନାଶଙ୍କୁ ଦେଖାଇ ଦେଲା । ଅବିନାଶ ଇଜିଚେୟାରରେ ବସି ‘ପାୟୋନିୟର୍’ ପଢ଼ୁଥିଲେ–ସବୁ ଶୁଣିଲେ; କିନ୍ତୁ ପାଟି ଫିଟେଇଲେ ନାହିଁ ।

 

ନୀଳିମା କହିଲା–ତାଙ୍କ ମତାମତ ନେଇ ସେ ରହନ୍ତୁ–ମୋର ଯାଏ ଆସେ କେତେ ! ମୁଁ ତାଙ୍କର ଶାଳୀ, ଶାଳୀର ବଡ଼ ଭଉଣୀ ହୋଇଥିଲେ ଅବା ‘ପତି ପରମଗୁରୁ’ ନୀତିର ଗଦାପ୍ରହାରରେ ମତେ ଶାସନ କରନ୍ତେ ! ମୋର ଯାହାକୁ ମନ ତାକୁ ଡାକିବି । ମାଜିଷ୍ଟ୍ରେଟ୍‍ଙ୍କ ସ୍ତ୍ରୀ କହିଛନ୍ତି–ଖବର ପାଇଲେ ସେ ବି ଆସିବେ । ୟାଙ୍କୁ ଭଲ ଲାଗିବନି ତ ସେ ସେତେବେଳକୁ ଆଉ କେଉଁଠିକି ଚାଲିଯିବେ ।

 

ଅବିନାଶ କାଗଜରୁ ମୁହଁ ନ ଟେକି କହିଲେ–କାମଟା କିନ୍ତୁ ଭଲ ହେବନି ହରେନ୍ଦ୍ର । କାଲିକା ଘଟଣାଟା ମନେଅଛି ତ ? ଆଶୁ ବାବୁଙ୍କ ଭଲି ଲୋକକୁ ମଧ୍ୟ ସାବଧାନ ହେବାକୁ ହେବ ଏଣିକି ।

 

ହରେନ୍ଦ୍ର ଜବାବ୍ ଦେଲା ନାହିଁ । କାଳେ କାଲିର ସେଇ ଲଜ୍ଜାକର ଘଟଣାଟା ନୀଳିମା କାନରେ ପଡ଼ିବ, ଏଇ ଭୟରେ ସେ ତତ୍‍କ୍ଷଣାତ୍ ଚାପି ଦେଇ କହିଲା–ବରଂ ଆଉ ଗୋଟାଏ କାମ କରନ୍ତୁ ଭାଉଜ, ମୋ ବସାକୁ ତାଙ୍କୁ ନିମନ୍ତ୍ରଣ କରି ଆସିବେ । ଆପଣ ଗୃହକର୍ତ୍ତୀ ହେବେ । ଲକ୍ଷ୍ମୀଛଡ଼ାର ଘରେ ଦିନେ ଯାଇ ଲକ୍ଷ୍ମୀ ଆବିର୍ଭାବ ହୁଅନ୍ତୁ–ଅନ୍ତତଃ ମୋର ସେ ହତଭାଗା ପିଲାଗୁଡ଼ାକ ଦି’ଟା ଭଲ ଜିନିଷ ପାଟିରେ ଦେଇପାରିବେ ତ ?

 

ନୀଳିମା ଅଭିମାନଭରା କଣ୍ଠରେ କହିଲା–ବେଶ୍, ସେୟା ହବ । ମୁଁ ବି ଭବିଷ୍ୟତରେ ୟାଙ୍କ ଖୁଣ୍ଟାରୁ ରକ୍ଷା ପାଇବି ।

 

ଅବିନାଶ ଉଠି ବସିଲେ । କହିଲେ–ଅର୍ଥାତ୍ ଅପବାଦର ଆଉ ସୀମା ରହିବ ନାହିଁ । କାରଣ ଶିବନାଥକୁ ବାଦ୍ ଦେଇ କେବେଠୁ କମଳକୁ ତୁମ ବସାକୁ ଡାକିବା ପାଇଁ କୌଣସି କୈଫିୟତ୍ ଦିଆଯାଇ ପାରିବ ନାହିଁ । ତା’ ଅପେକ୍ଷା ବରଂ ସ୍ତ୍ରୀଲୋକମାନେ ପରସ୍ପର ଭିତରେ ଆଳାପ ପରିଚୟ କରିବା ଢେର୍ ଭଲ ଶୁଣାଯିବ ।

 

କଥାଟା ଯୁକ୍ତିସଙ୍ଗତ । ତେଣୁ ସ୍ଥିର ହେଲା ଯେ କଲେଜ ଛୁଟି ପରେ ହରେନ୍ଦ୍ର ଗାଡ଼ି କରି ନୀଳିମାକୁ ସାଙ୍ଗରେ ନେଇ କମଳକୁ ନିମନ୍ତ୍ରଣ କରି ଆସିବ ।

 

ଉପର ବେଳା ହରେନ୍ଦ୍ର ଆସି କହିଲା ଯେ ଆଉ କଷ୍ଟ କରି ଯିବାର ପ୍ରୟୋଜନ ନାହିଁ । କାଲି ରାତିରେ ଆସିବା ପାଇଁ ମୁଁ କହି ଦେଇଛି–ସେ ରାଜି ହୋଇଛନ୍ତି ।

 

ନୀଳିମା ଉତ୍ସୁକ ହୋଇ ଉଠିଲା । ହରେନ୍ଦ୍ର କହିଲା–‘ଫେରିଲା ବେଳକୁ ବାଟରେ ତାଙ୍କ ସହ ଦେଖା । ତାଙ୍କ ସାଙ୍ଗରେ ଜଣେ କୁଲି, ମୁଣ୍ଡରେ ଏକ ବିରାଟ ବାକ୍ସ । ପଚାରିଲି–ଏଇଟା କ’ଣ-? ଯାଉଛନ୍ତି କୁଆଡ଼େ ? କହିଲେ–ଯାଉଛି ଗୋଟାଏ କାମରେ । ତା’ପରେ ଆପଣଙ୍କର ପରିଚୟ ଦେଇ କହିଲି, ଭାଉଜ କାଲି ସନ୍ଧ୍ୟାରେ ତାଙ୍କ ଘରକୁ ଯିବାପାଇଁ ଆପଣଙ୍କୁ ନିମନ୍ତ୍ରଣ କରିଛନ୍ତି-। ନିହାତ୍ ଘରୋଇ ବ୍ୟାପାର । ଆପଣଙ୍କୁ ଯିବାକୁ ହେବ ନିଶ୍ଚୟ । ଟିକିଏ ଚୁପ୍ ରହି ସେ କହିଲେ–ଆଚ୍ଛା ହେଉ । ପଚାରିଲି–ମତେ ସାଙ୍ଗରେ ନେଇ ଭାଉଜ ଆପଣଙ୍କୁ ନିମନ୍ତ୍ରଣ କରିବାକୁ ଯିବେ ବୋଲି ବିଚାରୁଥିଲେ, ତେବେ ଆଉ ତା’ର ଦରକାର ଅଛି କି ? ଟିକିଏ ହସି ସେ କହିଲେ–ନା-। ମୁଁ କହିଲି–ଆପଣ ତ ଏକୁଟିଆ ଯାଇ ପାରିବେ ନାହିଁ, କାଲି କେତେବେଳେ ଆସି ଆପଣଙ୍କୁ ନେଇଯିବି ? ସେ କହିଲେ–ଏକୁଟିଆ ଯାଇ ପାରିବି–ଅବିନାଶ ବାବୁଙ୍କ ବସା ଚିହ୍ନିଛି ।

 

ନୀଳିମା ଆର୍ଦ୍ର କଣ୍ଠରେ କହିଲା–ଝିଅଟି ଏସବୁ ଦିଗରୁ ବେଶ୍ ଭଦ୍ର, ଅତି ନିରହଙ୍କାର ।

 

ପାଖ ଘରେ ଅବିନାଶ ବାବୁ ଲୁଗା ପାଲଟୁଥିଲେ । ସେ ସବୁ ଶୁଣି କହିଲେ–ଆଉ କୁଲି ଯେଉଁ ବାକ୍ସଟା ମୁଣ୍ଡେଇ ଥିଲା, ସେଇଟା କ’ଣ ? ତା’ର ଇତିହାସ ତ କିଛି ଜଣାପଡ଼ିଲା ନାହିଁ ?

 

ହରେନ୍ଦ୍ର କହିଲା–ମୁଁ ପଚାରି ନାହିଁ ।

 

‘ପଚାରିଥିଲେ ଭଲ ହୋଇଥାନ୍ତା । ବୋଧହୁଏ ବିକ୍ରି କରିବାକୁ ବା ବନ୍ଧକ ଦେବାକୁ ଯାଉଥିଲେ ।’

 

ହରେନ୍ଦ୍ର କହିଲା–‘ହୋଇପାରେ । ଆପଣଙ୍କ ପାଖକୁ ବନ୍ଧକ ଦେବାକୁ ଆସିଲେ ପୂରା ଇତିହାସଟା ଜାଣିନେବେ ।’ ଏହା କହି ସେ ଚାଲିଯାଉଥିଲା, ହଠାତ୍ ଦ୍ଵାରପାଖେ ଠିଆହୋଇ କହିଲା–ଭାଉଜ, ଆପଣ ନାରୀ-କଲ୍ୟାଣ-ସମିତିରେ ଅକ୍ଷୟ ବାବୁଙ୍କ ବକ୍ତୃତା ଶୁଣିଛନ୍ତି ତ ? ଆମେସବୁ ଲୋକଟାକୁ ବ୍ରୁଟ୍‍ କହୁ–କିନ୍ତୁ ସେ ବିଚାରାର ସାମାନ୍ୟ ଚାତୁରୀ ଥିଲେ ଅନାୟାସରେ ସମାଜରେ ସାଧୁ ସଜ୍ଜନ ରୂପେ ଚଳି ଯାଇ ପାରନ୍ତା–ନା କ’ଣ କହୁଛନ୍ତି ଦାଦା ? ଠିକ୍ ନା ?

 

ଅବିନାଶ ଘର ଭିତରୁ ଗର୍ଜନ କରି ଉଠିଲେ–ହଁ ତମେ ତ ଗୋଟାଏ ନିତ୍ୟାନନ୍ଦ ଶ୍ରୀ ଗୌରାଙ୍ଗ ମହାପ୍ରଭୁ, ଏ ବିଷୟରେ ଆଉ କାହାର କିଛି ସନ୍ଦେହ ନାହିଁ । ଯାଇ ବନ୍ଧୁବରଙ୍କୁ ଚାତୁରୀଟା ଶିଖେଇ ଦେଇ ଆସ । ‘ଚେଷ୍ଟା କରିବି । ମୁଁ ଏବେ ଚାଲିଲି ଭାଉଜ, କାଲି ଠିକ୍ ସମୟରେ ଆସି ପହଞ୍ଚିବି ।’ କହି ସେ ବାହାରିଗଲା ।

 

ନୀଳିମା ଉଦ୍ୟୋଗ ଆୟୋଜନରେ କିଛି ତ୍ରୁଟି ରଖି ନାହିଁ । ମନୋରମା ମୂଳରୁ କମଳକୁ ଭଲପାଏନା–ସେ କୌଣସିମତେ ବି ଆସିବ ନାହିଁ ବୋଲି ଆଶୁ ବାବୁଙ୍କ ଘରର କାହାକୁ ଖବର ଦିଆଯାଇନି । ମାଳିନୀଙ୍କୁ ଖବର ଦିଆଯାଇଥିଲା, କିନ୍ତୁ ହଠାତ୍ ଅସୁସ୍ଥ ହୋଇପଡ଼ି ସେ ଆସିପାରିଲେ ନାହିଁ ।

 

କମଳ ଠିକ୍ ସମୟରେ ଆସି ପହଞ୍ଚିଲା । ଯାନବାହନରେ ନୁହେଁ, ଏକୁଟିଆ ଚାଲି ଚାଲି ଆସି ଉପସ୍ଥିତ ହେଲା । ଗୃହକର୍ତ୍ତୀ ତାକୁ ଆଦର ସହ ଗ୍ରହଣ କଲେ । ଅବିନାଶ ଦ୍ଵାରମୁହଁରେ ଠିଆ ହୋଇଥିଲେ–କମଳକୁ ସେ ଅନେକ ଦିନ ଧରି ଦେଖି ନାହାନ୍ତି । ଆଜି ତା’ର ଚେହେରା ଓ ଲୁଗାପଟା ଦେଖି ଆଶ୍ଚର୍ଯ୍ୟ ହେଲେ । ପରିଧାନରେ ଦୈନ୍ୟର ଛାପ ସୁସ୍ପଷ୍ଟ । ବିସ୍ମୟ ସହ ପଚାରିଲେ–ଏ ରାତିରେ ଏକୁଟିଆ ଚାଲି ଚାଲି ଆସିଲ ଯେ କମଳ ?

 

କମଳ କହିଲା–କାରଣ ଅତି ସାଧାରଣ ଅବିନାଶ ବାବୁ, ବୁଝିବା ପାଇଁ ମୋଟେ କଠିନ ନୁହେଁ ।

 

ଅବିନାଶ ଅପ୍ରତିଭ ହୋଇଗଲେ ଏବଂ ତାହାକୁ ଲୁଚାଇବା ପାଇଁ ତରତରରେ କହି ଉଠିଲେ–ନା, ନା, କ’ଣ ଯେ ତମେ କହୁଛ ? କାମଟା କିନ୍ତୁ ଭଲହେଲାନି–ନୀଳିମା, ୟାଙ୍କ ନାଁ କମଳ । ଆଉ ଗୋଟାଏ ନାମ ଶିବାନୀ । ୟାଙ୍କୁ ଦେଖିବା ପାଇଁ ତମେ ଏତେ ବ୍ୟସ୍ତ ହେଉଥିଲ । ଆସ କମଳ, ଘର ଭିତରକୁ ଆସ । ତମର ବୋଧହୁଏ ସବୁ ଯୋଗାଡ଼ ହୋଇସାରିଛି ? ତା’ହେଲେ ଅନର୍ଥକ ଡେରି କରି ଲାଭ କ’ଣ ? ଠିକ୍ ସମୟରେ ସେ ଫେର୍ ବସାକୁ ଫେରିବା ଦରକାର ।

 

ଏ ସମସ୍ତ ଉପଦେଶ ଓ ପ୍ରଶ୍ନର ଅନେକଟା ବାହୁଲ୍ୟ । ଉତ୍ତର ଅନାବଶ୍ୟକ, ପ୍ରତ୍ୟାଶା ବି ନ ଥାଏ ।

 

ହରେଦ୍ର ଆସି କମଳକୁ ନମସ୍କାର କଲା । କହିଲା–ଅତିଥିଙ୍କୁ ଅଭ୍ୟର୍ଥନା କରିବା ବେଳେ ପହଞ୍ଚି ପାରିନି ଭାଉଜ, କ୍ଷମା କରିବେ । ଅକ୍ଷୟ ବାବୁ ଆସିଥିଲେ–ତାଙ୍କୁ ଯଥୋଚିତ ମିଷ୍ଟ ବାକ୍ୟରେ ପରିତୁଷ୍ଟ କରି ବିଦାୟ ଦେବାକୁ ବିଳମ୍ବ ହେଲା ।’ ଏହା କହି ସେ ହସିବାକୁ ଲାଗିଲା ।

ଭିତରକୁ ଆସି ଆହାର୍ଯ୍ୟ ବସ୍ତୁର ପ୍ରାଚୁର୍ଯ୍ୟ ଦେଖି ମୁହୂର୍ତ୍ତକାଳ ନୀରବରେ ରହି କମଳ କହିଲା–ମୁଁ ତ ଏସବୁ ଜିନିଷ ଖାଏନି । ସମସ୍ତେ ବ୍ୟସ୍ତ ହୋଇ ଉଠିବାରୁ ସେ କହିଲା–ଆପଣମାନେ ଯାହାକୁ ହବିଷ୍ୟାନ୍ନ କହନ୍ତି–ମୁଁ ସେଇ ଜିନିଷ ଖାଏ ।

ଶୁଣି ନୀଳିମା କହିଲା–କି ଆଶ୍ଚର୍ଯ୍ୟ କଥା ! ଆପଣ କେଉଁ ଦୁଃଖରେ ହବିଷ କରିବେ ?

କମଳ କହିଲା–ତା’ ଠିକ୍ । ଦୁଃଖ ଯେ ନାହିଁ ତା’ ନୁହେଁ । କିନ୍ତୁ ଏସବୁ ଖାଏନି ବୋଲି ମୋର ଅଭାବ ଅପେକ୍ଷାକୃତ ଭାବେ କମ୍ । ଆପଣ କିଛି ମନେକରିବେ ନାହିଁ ।

ନୀଳିମା କ୍ଷୁଣ୍ଣ ହୋଇ କହିଲା–ନ ଖାଇଲେ ମୋର ଏତେ ଜିନିଷ ନଷ୍ଟ ହେବ ସିନା ?

କମଳ ହସିଲା; କହିଲା–ଯା ହେବାର ତ ହେଇଗଲାଣି, ଆଉ ଫେରିବ ନାହିଁ । ପୁଣି ଖାଇ ନିଜେ ନଷ୍ଟ ହେବି କାହିଁକି ?

ନୀଳିମା କାତର ଭାବେ ଶେଷ ଚେଷ୍ଟା ସ୍ୱରୂପ କହିଲା–କେବଳ ଆଜି ଦିନଟା ପାଇଁ, ଗୋଟିଏ ଥର ନିୟମ ଭଙ୍ଗ କରିପାରିବେ ନାହିଁ ?

କମଳ ମୁଣ୍ଡ ହଲାଇ କହିଲା–ନା ।

 

ହସ ହସ ମୁହଁରେ ଗୋଟିଏ ମାତ୍ର ଶବ୍ଦ–ଶୁଣିଲେ ହଠାତ୍ କିଛି ମନେହୁଏନା । କିନ୍ତୁ ତା’ର ଯେ କେତେ ବଡ଼ ଦୃଢ଼ତା–ତା’ ହରେନ୍ଦ୍ର ବୁଝିପାରିଲା । କେବଳ ସେ ବୁଝିଲା ଯେ ଏହାର ବ୍ୟତିକ୍ରମ ନାହିଁ । ତେଣୁ ଗୃହକର୍ତ୍ତୀ ଅନୁରୋଧର ପୁନରୁକ୍ତି କରିବା ମାତ୍ରେ ସେ ବାଧାଦେଇ କହିଲା–ନା, ଥାଉ ଭାଉଜ, ଖାଇବା ଜିନିଷ ଆପଣଙ୍କର ନଷ୍ଟ ହେବ ନାହିଁ । ମୋ ବସାର ପିଲାମାନେ ସବୁ ବାଣ୍ଟିକୁଣ୍ଟି ଖାଇଦେବେ । କିନ୍ତୁ ତାଙ୍କୁ ଆଉ ଜୋର୍ କରନ୍ତୁ ନାହିଁ । ବରଞ୍ଚ ଯାହା ଖାଇବେ ତା’ ଯୋଗାଡ଼ କରିଦିଅନ୍ତୁ ।

 

ନୀଳିମା ରାଗିଯାଇ କହିଲା–ହଁ, କରୁଛି, କିନ୍ତୁ ମତେ ଆଉ ସାନ୍ତ୍ୱନା ଦେବା ଦରକାର ନାହିଁ । ଏସବୁ ଘାସ ନୁହେଁ ଯେ ପଲେ ଛେଳି ମେଣ୍ଢା ଆଣି, ଚରେଇ ଦେବ । ମୁଁ ବରଂ ରାସ୍ତାରେ ଫିଙ୍ଗି ଦେବି–ତେବେ ତାଙ୍କୁ ଖୁଆଇବି ନାହିଁ ।

 

ହରେନ୍ଦ୍ର କହିଲା–କାହିଁକି, ତାଙ୍କ ଉପରେ ଆପଣଙ୍କର ଏତେ ରାଗ କାହିଁକି ?

 

ନୀଳିମା କହିଲା–ସେଇମାନଙ୍କ ପାଇଁ ତ ତମର ଏ ଦୁର୍ଗତି । ବାପା ଟଙ୍କା ରଖିଯାଇଛନ୍ତି, ନିଜର ବି ଉପାର୍ଜନ କମ୍ ନୁହେଁ; ବୋହୂ ଆସିଥିଲେ ଛୁଆପିଲାରେ ଘର ପୂରି ଉଠୁଥନ୍ତା । ନିଜେ ଯେମିତି ଅଧାବୁଢ଼ା କାର୍ତ୍ତିକ, ଦଳଟି ତିଆରି ହୋଇଛି ସେଇ ଅନୁଯାୟୀ । ସେମାନଙ୍କୁ ମୁଁ କିଛି ଦେବିନି–କହି ଦେଉଛି । ମୋର ନଷ୍ଟ ହେଲେ ହେବ ପଛେ ।

 

କମଳ କିଛି ବୁଝିପାରିଲା ନାହିଁ । ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା । ହରେନ୍ଦ୍ର ଲଜ୍ଜିତ ହୋଇ କହିଲା–ଭାଉଜଙ୍କର ଅନେକ ଦିନରୁ ମୋ ଉପରେ ଏଥିପାଇଁ ରାଗ । ଏହା କହି ସେ ସଂକ୍ଷେପରେ ଘଟଣାଟା କହି, କହିଲା–ବାପା-ମା’ ଛେଉଣ୍ଡ ମୋର କେତୋଟି ଛାତ୍ର ଅଛନ୍ତି–ସେମାନେ ମୋ ପାଖେ ରହି ସ୍କୁଲ କଲେଜରେ ପଢ଼ନ୍ତି । ସେମାନଙ୍କ ଉପରେ ଭାଉଜଙ୍କର ସବୁ ଆକ୍ରୋଶ ।

 

କମଳ ବିସ୍ମୟାପନ୍ନ ହୋଇ କହିଲା–ସତରେ ନା କ’ଣ ! କାଇଁ ଏ କଥା ତ ମୁଁ ଶୁଣିନି !

 

ହରେନ୍ଦ୍ର କହିଲା–ଶୁଣିବା ଭଳି କିଛି ନୁହେଁ । ସେଗୁଡ଼ିକ ଚରିତ୍ରବାନ୍ ଉତ୍ତମ ପିଲା । ମୁଁ ସେମାନଙ୍କୁ ଖୁବ୍ ଭଲପାଏ ।

 

ନୀଳିମା କୃତ୍ରିମ କୋପ କରି କହିଲା–ବଡ଼ ହେଲେ ସେମାନେ ଦେଶ ଉଦ୍ଧାର କରିବେ, ଏଇଆ ପଣ । ଗୁରୁଙ୍କ ଭଳି ବ୍ରହ୍ମଚାରୀ ରହି ଦିଗ୍‍ବିଜୟୀ ବୀର ହେବେ ବୋଧହୁଏ ।

 

ହରେନ୍ଦ୍ର କହିଲା–ଆପଣ ସେମାନଙ୍କୁ ଦେଖିଯିବେ ? ଦେଖିଲେ ଖୁସି ହେବେ ନିଶ୍ଚୟ ।

 

କମଳ ତତ୍‍କ୍ଷଣାତ୍ ସମ୍ମତ ହୋଇ କହିଲା–ଯଦି ଆପଣ ସାଙ୍ଗରେ ନେଇଯିବେ–ମୁଁ କାଲି ବି ଯାଇ ପାରିବି ।

 

ହରେନ୍ଦ୍ର କହିଲା–ନା, କାଲି ନୁହେଁ, ଆଉ ଦିନେ ଯିବା । ଆମ ଆଶ୍ରମର ରାଜେନ୍‍ ଓ ସତୀଶ୍ କାଶୀ ଯାଇଛନ୍ତି । ସେମାନେ ଆସିଲେ ଆପଣଙ୍କୁ ନେଇଯିବି । ମୁଁ ଜୋର୍ କରି କହିପାରେ ଯେ ପିଲାମାନଙ୍କୁ ଦେଖିଲେ ଆପଣ ନିଶ୍ଚୟ ଖୁସି ହେବେ ।

 

ଅବିନାଶ ଇତିମଧ୍ୟରେ ଆସି ପହଞ୍ଚିଗଲେ–ଶୁଣି ଚକ୍ଷୁ ବିସ୍ଫାରିତ କରି କହିଲେ–କେତେଗୁଡ଼ାଏ ଲକ୍ଷ୍ମୀଛଡ଼ାଙ୍କ ଆଡ୍‍ଡା ଏ ଭିତରେ ‘ଆଶ୍ରମ’ରେ ପରିଣତ ହେଲାଣି ? ତୁ କେତେ ଭଣ୍ଡାମି ଜାଣିଛୁ ହରେନ୍ !

 

ନୀଳିମା ରାଗିଗଲା; କହିଲା–ଏସବୁ ତୁମର ଅନ୍ୟାୟ । ହରେନ୍ ତ ତମଠୁ ଆଶ୍ରମ ଚାନ୍ଦା ନେବା ପାଇଁ ଆସିନାହାନ୍ତି ଯେ ତମେ ତାଙ୍କୁ ଭଣ୍ଡ ବୋଲି ଗାଲିଦେବ ? ନିଜ ଖର୍ଚ୍ଚରେ ପରପିଲାଙ୍କୁ ମଣିଷ କଲେ ତାକୁ ଭଣ୍ଡାମି କୁହାଯାଏନା । ବରଂ ଯେଉଁମାନେ କହନ୍ତି–ସେମାନଙ୍କୁ ସେଇ ନାଁରେ ଡାକିବା ଉଚିତ ।

 

ହରେନ୍ଦ୍ର ହସି ହସି କହିଲା–ଭାଉଜ, ଏଇଲାଗେ ପରା ଆପଣ ସେମାନଙ୍କୁ ଛେଳି ମେଣ୍ଢା ପଲ ବୋଲି କହୁଥିଲେ–ଆପଣଙ୍କ କଥାର ପ୍ରତିଧ୍ୱନି ମାତ୍ର କରିବାରୁ ଦାଦାଙ୍କୁ ଏ ଗାଳି କାହିଁକି ଦେଉଛନ୍ତି ?

 

ନୀଳିମା କହିଲା–ମୁଁ ରାଗରେ କହୁଥିଲି । କିନ୍ତୁ ସେ କାହିଁକି କହିବେ ? ଭଣ୍ଡାମିର ଧାରଣା ନିଜ ଭିତରେ ସ୍ପଷ୍ଟ ହେଲା ପରେ ପରକୁ କହିଲେ ଶୋଭା ପାଇବ ।

 

କମଳ କହିଲା–ପିଲାଗୁଡ଼ିକ ସବୁ ପରା ସ୍କୁଲ କଲେଜରେ ପଢ଼ନ୍ତି ?

 

ହରେନ୍ଦ୍ର କହିଲା–ହଁ, ପ୍ରକାଶ୍ୟରେ ସେୟା ।

 

ଅବିନାଶ କହିଲେ–ଆଉ ଅପ୍ରକାଶ୍ୟରେ କ’ଣ ସବୁ ପ୍ରାଣାୟାମ, ରେଚକ-କୁମ୍ଭକ ଚର୍ଚ୍ଚା ହୁଏ, ସେ କଥା କୁହ ।

 

ଶୁଣି ସମସ୍ତେ ହସିଲେ । ନୀଳିମା ଅନୁନୟ କରି କମଳକୁ କହିଲା–ମୁଖାର୍ଜି ମହାଶୟଙ୍କ ଆଜି ମିଜାଜ୍ ଦେଖି ତାଙ୍କ ସମ୍ପର୍କରେ ବିଚାର କରିବେନି । ମଝିରେ ମଝିରେ ତାଙ୍କ ମୁଣ୍ଡ ଖୁବ୍ ଥଣ୍ଡା ଥାଏ । ନ ହେଲେ ବହୁ ଆଗରୁ ମୁଁ ଛାଡ଼ି ପଳାନ୍ତିଣି । ଏହା କହି ସେ ହସିବାକୁ ଲାଗିଲା ।

 

ଏହି ସ୍ନିଗ୍ଧ ପରିହାସରେ ଆବହାଉଆ ଅନେକ ହାଲୁକା ହୋଇଗଲା । ପୂଝାରି ଆସି କହିଲା, କମଳର ଖାଇବା ତିଆରି ହୋଇ ଗଲାଣି । ସମସ୍ତେ ଆଲୋଚନା ବନ୍ଦ ରଖି ଉଠିଗଲେ ।

 

ପ୍ରାୟ ଦୁଇଘଣ୍ଟା ପରେ ସମସ୍ତେ ଆସି ବାହାର ଘରେ ବସିଲେ । କମଳ ପୂର୍ବ ପ୍ରସଙ୍ଗର ସୂତ୍ର ଧରି କହିଲା–ପିଲାମାନେ ରେଚକ-କୁମ୍ଭକ ନ କରନ୍ତୁ ପଛେ, ପଢ଼ାପଢ଼ି ଛଡ଼ା ଅନ୍ୟାନ୍ୟ ଆଉ କ’ଣ କରନ୍ତି ?

 

ହରେନ୍ଦ୍ର କହିଲା ଭବିଷ୍ୟତରେ ଯେପରି ପ୍ରକୃତ ମଣିଷ ହୋଇ ପାରିବେ, ସେ ଚେଷ୍ଟା କରାଯାଏ । ତେବେ ଯେଦିନ ପାଦଧୂଳି ଦେବେ, ସେଦିନ ସବୁ ବୁଝାଇ ଦେବି । ଆଜି ନୁହେଁ ।

 

କମଳ ପ୍ରତି ସମ୍ମାନର ଆତିଶଯ୍ୟ ଅବିନାଶ ସହିପାରୁନଥିଲେ, କିନ୍ତୁ କିଛି ନ କହି ଚୁପ୍ ରହିଲେ ।

 

ନୀଳିମା କହିଲା–ଆଜି କହିବାରେ ବାଧା କ’ଣ ? ତମ ଶିକ୍ଷା ପଦ୍ଧତି ସମ୍ପର୍କରେ ନ କହ ପଛେ, କିନ୍ତୁ ପୁରାକାଳର ଭାରତୀୟ ଆଦର୍ଶ ଅନୁଯାୟୀ ତୁମେ ବ୍ରହ୍ମଚର୍ଯ୍ୟ ଶିକ୍ଷା ଦେଉଛ–ଏ କଥା କହିଲେ ଦୋଷ କ’ଣ ? ତମେ ତ ସେଇକଥା ଦିନେ କହୁଥିଲ ।

 

ହରେନ୍ଦ୍ର ବିନୟ ସହ କହିଲା–ଆପଣ ଯେ ମିଛ କହୁଛନ୍ତି, ମୁଁ ତ ସେ କଥା କହୁନି ଭାଉଜ । କହିଲାକ୍ଷଣି ତା’ର ପୂର୍ବ ଦିନର ତର୍କ କଥା ମନେପଡ଼ିଲା । କମଳ ଆଡ଼କୁ ଚାହିଁ କହିଲା ଆପଣଙ୍କର ବୋଧହୁଏ ଏ କାମ ପ୍ରତି ସହାନୁଭୂତି ନାଇଁ ?

 

କମଳ କହିଲା–ଆପଣଙ୍କ କାମଟା କ’ଣ ନ ଜାଣିଲେ ତ କହିହେବନି ହରେନ୍ଦ୍ର ବାବୁ । କିନ୍ତୁ ଅତୀତର ଛାଞ୍ଚରେ ଗଢ଼ିବାଟା ଯେ ପ୍ରକୃତ ମଣିଷ ତିଆରି କରିବା–ଏଟା ତ ଠିକ୍ ଯୁକ୍ତି ନୁହେଁ ।

 

ହରେନ୍ଦ୍ର କହିଲା–ତାହା ହିଁ ତ ଆମ ଭାରତବର୍ଷର ଆଦର୍ଶ ।

 

କମଳ ଜବାବ୍ ଦେଲା–ଭାରତର ଆଦର୍ଶ ଯେ ଚିର ଯୁଗର ଚରମ ଆଦର୍ଶ–ଏ କଥା କିଏ ସ୍ଥିର କରିଛି କୁହନ୍ତୁ ତ !

 

ଅବିନାଶ ଏପର୍ଯ୍ୟନ୍ତ କଥା କହିନଥିଲେ–ରାଗ ଚାପି ରଖି କହିଲେ–ଚରମ ଆଦର୍ଶ ନ ହୋଇପାରେ କମଳ, କିନ୍ତୁ ଏ ଆଦର୍ଶ ଯେ ଆମ ପିତୃ ପିତାମହଙ୍କର ଆଦର୍ଶ । ଭାରତବାସୀର ଏହାହିଁ ଚିରକାଳର ଲକ୍ଷ୍ୟ–ଏହାହିଁ ତା’ର ଏକମାତ୍ର ଗତିପଥ । ହରେନ୍‍ର ଆଶ୍ରମର ଘଟଣା ମୁଁ ଜାଣେନା, କିନ୍ତୁ ସେ ଯଦି ଏହି ଲକ୍ଷ୍ୟ ଗ୍ରହଣ କରିଥାଏ, ତେବେ ମୁଁ ତାକୁ ଆଶୀର୍ବାଦ କରିବି ନିଶ୍ଚୟ-

 

କମଳ କିଛି ସମୟ ନିଃଶବ୍ଦରେ ତାଙ୍କ ମୁହଁକୁ ଚାହିଁ କହିଲା–ମୁଁ ଠିକ୍ ଜାଣିପାରୁନି–ମଣିଷର କାହିଁକି ଏପରି ଭୁଲ୍ ହୁଏ । ନିଜ ଛଡ଼ା ସେମାନେ ଅନ୍ୟ କୌଣସି ଭାରତୀୟଙ୍କୁ ଦି’ ଆଖିରେ ଦେଖିପାରନ୍ତି ନାହିଁ । ଭାରତରେ ତ ଆହୁରି ଅନେକ ଜାତି ଅଛନ୍ତି–ସେମାନେ ଏ ଆଦର୍ଶ ଗ୍ରହଣ କରିବେ କାହିଁକି ?

 

ଅବିନାଶ କୁପିତ ହୋଇ କହିଲେ ଚୁଲିକୁ ଯା’ନ୍ତୁ ସେମାନେ । ଆମ ପାଖରେ ଏ ନିବେଦନ ନିଷ୍ଫଳ । ମୁଁ କେବଳ ଆମରି ଆଦର୍ଶ ସ୍ପଷ୍ଟ ଭାବରେ ଦେଖିପାରିଲେ ଯଥେଷ୍ଟ ହେଲା ବୋଲି ମନେକରିବି ।

 

କମଳ ଧୀରେ ଧୀରେ କହିଲା–ଏ ଆପଣଙ୍କର କେବଳ ରାଗବେଳର କଥା ଅବିନାଶ ବାବୁ, ନ ହେଲେ ଆପଣଙ୍କୁ ଏଭଳି ଅନ୍ଧ ବୋଲି ଗ୍ରହଣ କରିବାକୁ ମୋର ପ୍ରବୃତ୍ତି ହୁଏନା । ଟିକିଏ ଅଟକି ଯାଇ କହିଲା–‘କେଜାଣି, ବୋଧହୁଏ ପୁରୁଷମାନେ ସବୁ ଏଇଭଳି ଭାବନ୍ତି । ସେଦିନ ଅଜିତ୍‍ ବାବୁଙ୍କ ଆଗରେ ହଠାତ୍ ଏଇ ପ୍ରସଙ୍ଗ ପଡ଼ିଗଲା । ଭାରତର ସନାତନ ବୈଶିଷ୍ଟ୍ୟ, ତା’ର ସ୍ଵାତନ୍ତ୍ର୍ୟ ନଷ୍ଟ ହୋଇଯିବା ଆଶଙ୍କାରେ ତାଙ୍କ ମୁହଁ ଦୁଃଖରେ କଳା ପଡ଼ିଗଲା । ଦିନେ ସେ ଥିଲେ ଉତ୍କଟ ସ୍ଵଦେଶୀ–ହୁଏତ ଏବେ ବି ଅଛନ୍ତି–ଏ ସମ୍ଭାବନା ତାଙ୍କ ପାଖରେ ଯେପରି ପ୍ରଳୟର ନାମାନ୍ତର ।’ କହି ସେ ଦୀର୍ଘନିଃଶ୍ଵାସ ପକାଇଲା ।

 

ଅବିନାଶ କ’ଣ ଗୋଟାଏ ଜବାବ୍ ଦେବା ପାଇଁ ପ୍ରସ୍ତୁତ ହେଉଥିଲେ ବୋଧହୁଏ, କମଳ ସେଥିପ୍ରତି ଦୃକ୍‍ପାତ ନ କରି କହିବାକୁ ଲାଗିଲା–କିନ୍ତୁ ମୁଁ ଭାବେ, ଏଥିପାଇଁ ଭୟ କାହିଁକି ? କୌଣସି ଦେଶ ବିଶେଷରେ ଜନ୍ମ ହୋଇଛି ବୋଲି ତା’ର ନିଜସ୍ଵ ଆଚାର-ଆଚରଣ ଚିରକାଳ କାମୁଡ଼ି ଧରିବାକୁ ପଡ଼ିବ କାହିଁକି ? ଗଲା ବା ସେ ବିଶେଷତ୍ଵ ନିଃଶେଷ ହୋଇ ! ଏତେ ମମତା କାହିଁକି ? ବିଶ୍ଵର ସମସ୍ତ ମାନବ ଯଦି ଗୋଟିଏ ଚିନ୍ତା, ଗୋଟିଏ ଭାବ, ଗୋଟିଏ ଧାରଣାର ଧ୍ଵଜା ଧରି ଠିଆହେବେ–କି କ୍ଷତି ସେଥିରେ ? ଭାରତୀୟ ବୋଲି ଚିହ୍ନା ପଡ଼ିବ ନାହିଁ, ଏହି ଭୟ ତ ? ନ ହେଲେ ବା ଚିହ୍ନା–ବିଶ୍ୱମାନବ-ଜାତିର ଜଣେ ବୋଲି ପରିଚୟ ଦେବାକୁ କେହି ବାଧା ଦେବେ ନାହିଁ-। ସେଥିରେ କ’ଣ କମ୍ ଗୌରବ ?

 

ଅବିନାଶ ଆଉ ଜବାବ୍‍ ଖୋଜି ନ ପାଇ କହିଲେ–ତୁମେ ଯା’ କହୁଚ, ନିଜେ ତା’ର ଅର୍ଥ ବୁଝିନାହଁ । ଏଥିରେ ମଣିଷର ସର୍ବନାଶ ହେବ ।

 

କମଳ କହିଲେ–ମଣିଷର ନୁହେଁ ଅବିନାଶ ବାବୁ, ଯେଉଁମାନେ ଅନ୍ଧ, ସେମାନଙ୍କ ଅହଙ୍କାରର ସର୍ବନାଶ ହେବ ।

 

ଅବିନାଶ କହିଲା–ଏଗୁଡ଼ା ନିଛକ ଶିବନାଥର କଥା ।

 

କମଳ କହିଲା–ସେ କଥା ତ ଜାଣେନା–ସେ କ’ଣ ଏ କଥା ବି କହନ୍ତି !

 

ଏଥର ଅବିନାଶ କ୍ରୋଧରେ ଅସମ୍ଭାଳ ହୋଇ ଆତ୍ମବିସ୍ମୃତ ହୋଇ ପଡ଼ିଲେ । ବିଦ୍ରୂପ କରି କହିଲେ–ଖୁବ୍ ଜାଣ, କଥାଗୁଡ଼ାକ ମୁଖସ୍ଥ କରିଛ, ଆଉ ଜାଣିନା କାହାର ?

 

ତାଙ୍କର ଏ କଦର୍ଯ୍ୟ ଆକ୍ଷେପର ଜବାବ୍‍ କମଳ ଦେଲା ନାହିଁ, ଦେଲା ନୀଳିମା । କହିଲା–କଥା ଯାହାର ହେଉନା କାହିଁକି, ମାଷ୍ଟରଗିରିରେ କଡ଼ା କଥା କହି, ଧମକ୍‍ ଦେଇ ଛାତ୍ରର ମୁହଁ ବନ୍ଦ କରାଯାଏ–କିନ୍ତୁ ସେଥିରେ ସମସ୍ୟାର ସମାଧାନ ହୁଏନା । ପ୍ରଶ୍ନର ଜବାବ୍‍ ଦେଇ ନ ପାରିଲେ ତ ଲଜ୍ଜା ନାହିଁ, କିନ୍ତୁ ଭଦ୍ରତା ଲଙ୍ଘନ କରିବା ଯୋଗୁଁ ଯେ କେହି ଲଜ୍ଜିତ ହେବା ଉଚିତ । ହରେନ୍, ତମେ ଗୋଟାଏ ଗାଡ଼ି ଡାକି ପଠାଅ ତ ! ତମେ ଯାଇ ଛାଡ଼ି ଦେଇ ଆସିବ । ତମେ ତ ବ୍ରହ୍ମଚାରୀ, ତମକୁ ସାଙ୍ଗରେ ପଠେଇବାରେ ଭୟ ନାହିଁ । ଏହା କହି ସେ ଅବିନାଶଙ୍କ ପ୍ରତି ଲକ୍ଷ୍ୟ କରି କହିଲା–ମୁଖାର୍ଜି ମହାଶୟଙ୍କ ମୁହଁର ଚେହେରା ଯେପରି କ୍ରମଶଃ ମିଷ୍ଟ ହୋଇ ଉଠୁଛି, ତହିଁରେ ବିଳମ୍ବ କରିବା ଉଚିତ ହେବ ନାହିଁ ।

 

ଅବିନାଶ ଗମ୍ଭୀର ହୋଇ କହିଲେ–‘ବେଶ୍ ତ, ତମେମାନେ ବସି ଗପ କର, ମୁଁ ଶୋଇବାକୁ ଚଲିଲି ।’ କହି ଉଠି ଚାଲିଗଲେ ।

 

ଚାକର ଗାଡ଼ି ଡାକିବାକୁ ଗଲା । ହରେନ୍ଦ୍ର କମଳ ଉଦ୍ଦେଶ୍ୟରେ କହିଲା–ଆମ ଆଶ୍ରମକୁ କିନ୍ତୁ ଦିନେ ଯିବେ ନିଶ୍ଚୟ । ସେ ଦିନ ଆଣିବାକୁ ଗଲେ, ନା କହିବେ ନାହିଁ ।

 

କମଳ ହସି ହସି କହିଲା–ବ୍ରହ୍ମଚାରୀ ଆଶ୍ରମକୁ ମୋତେ ଟାଣୁଛନ୍ତି କାହିଁକି ? ନ ଗଲି ବା ମୁଁ–

 

‘ନା, ନା, ସେ କଥା ଚଳିବ ନାହିଁ । ବ୍ରହ୍ମଚାରୀ ବୋଲି ଆମମାନଙ୍କର ଭୟଙ୍କର କିଛି ନାହିଁ । ନିତାନ୍ତ ସାଦାସିଧା । ଗେରୁଆ ପିନ୍ଧୁନା, ଜଟା ବକଳ ବି ନାହିଁ । ସାଧାରଣ ଙ୍କ ଭିତରେ ଆମେ ମିଳିମିଶି ଅଛୁ ।

Unknown

 

‘କିନ୍ତୁ ସେ କଥା ତ ଭଲ ନୁହେଁ । ଅସାଧାରଣ ହୋଇ ସାଧାରଣଙ୍କ ଭିତରେ ଆତ୍ମଗୋପନ କରିବାର ଚେଷ୍ଟା ଆଉ ଏକ ଭୀଷଣ ଅନ୍ୟାୟ ଆଚରଣ । ବୋଧହୁଏ ଅବିନାଶ ବାବୁ ଏହାକୁ ଭଣ୍ଡାମି କହୁଥିଲେ ।ତା’ ଅପେକ୍ଷା ବରଂ ଗେରୁଆ ଜଟା ବକଳ ଢେର୍ ଭଲ ।ସିଥିରେ ମଣିଷକୁ ଚିହ୍ନିବାର ସୁବିଧା ହୁଏ । ଠକିବାର ସମ୍ଭାବନା କମ୍ ।’

 

ହରେନ୍ କହିଲା–ଆପଣଙ୍କ ସଙ୍ଗେ ଯୁକ୍ତିରେ ପାରି ଉଠିବାର ଯୁ ନାହିଁ–ହଟିବାକୁ ହେବ-। କିନ୍ତୁ ବାସ୍ତବିକ, ଆମ ଅନୁଷ୍ଠାନଟିକୁ ଆପଣ କ’ଣ ଭଲ କହିବେ ନାହିଁ ? ପାରୁ ବା ନ ପାରୁ, ଏଇ ଆଦର୍ଶ କେତେ ବଡ଼ କହନ୍ତୁ ତ ?

 

କମଳ କହିଲା–ତା’ ତ କହିପାରିବି ନାହିଁ ହରେନ୍ଦ୍ର ବାବୁ । ସମସ୍ତ ସଂଯମ ପରି ଯୌନ ସଂଯମରେ ବି ସତ୍ୟ ନିହିତ, କିନ୍ତୁ ତାହା ଏକ ଗୌଣ ସତ୍ୟ । ତମ୍ବି ତୋଫାନ କରି ତାହାକୁ ଜୀବନର ମୁଖ୍ୟ ସତ୍ୟ ରୂପେ ଗ୍ରହଣ କଲେ ସେ ଅନ୍ୟ ଏକ ଧରଣର ଅସଂଯମ ହୋଇ ଉଠିବ । ତା’ର ବି ଦଣ୍ଡ ଅଛି । ଆତ୍ମନିଗ୍ରହର ଉଗ୍ର ଦମ୍ଭରେ ଆଧ୍ୟାତ୍ମିକତା କ୍ଷୀଣ ହୋଇ ଉଠେ । ବେଶ୍, ମୁଁ ଆପଣଙ୍କ ଆଶ୍ରମକୁ ଯିବି ।

 

ହରେନ୍ଦ୍ର କହିଲା–ଯିବାକୁ ହେବ–ନ ଗଲେ ମୁଁ ଛାଡ଼ିବି ନାହିଁ । କିନ୍ତୁ ଗୋଟାଏ କଥା କହି ରଖେ, ଆମର ଆଡ଼ମ୍ବର ନାହିଁ–ଆଡ଼ମ୍ବର କରି ଆମେ କିଛି କରୁନା । ହଠାତ୍ ନୀଳିମାକୁ ଦେଖାଇ କହିଲା–ମୋର ଆଦର୍ଶ ଏଇ–ୟାଙ୍କରି ପରି ଆମେ ସହଜ ପଥର ପଥିକ । ବୈଧବ୍ୟର କୌଣସି ବାହ୍ୟ ପ୍ରକାଶ ନାହିଁ–ବାହାରୁ ମନେହେବ ସତେ ଯେପରି ବିଳାସ ବ୍ୟସନରେ ମଗ୍ନ; କିନ୍ତୁ ଦୁଃସାଧ୍ୟ ଆଚାରନିଷ୍ଠା, କଠୋର ଆତ୍ମଶାସନ ତାଙ୍କର !

 

କମଳ ମୌନ ରହିଲା । ହରେନ୍ଦ୍ର ଭକ୍ତି ଓ ଶ୍ରଦ୍ଧାରେ ବିଗଳିତ ହୋଇ କହିଲା–ଆପଣ ଭାରତର ଅତୀତ ଯୁଗ ପ୍ରତି ଶ୍ରଦ୍ଧାସମ୍ପନ୍ନ ନୁହନ୍ତି । କିନ୍ତୁ କହନ୍ତୁ ତ–ନାରୀତ୍ଵର ଏତେ ବଡ଼ ମହିମା, ଏତେ ମହନୀୟ ଆଦର୍ଶ ଆଉ କେଉଁ ଦେଶରେ ଅଛି ? ଏଇ ଘରେ ଭାଉଜ ଯଥାର୍ଥ ଗୃହିଣୀ–ଦାଦାଙ୍କ ମା’ମରା ଶିଶୁଗୁଡ଼ିଙ୍କର ମା ପରି । ଏ ଘରର ସମସ୍ତ ଦାୟିତ୍ୱ ତାଙ୍କ ଉପରେ । ଅଥଚ କୌଣସି ସ୍ଵାର୍ଥ, କୌଣସି ବନ୍ଧନ ନାହିଁ । କହନ୍ତୁ ତ, କେଉଁ ଦେଶର ବିଧବା ପରପାଇଁ ଏପରି ନିଜକୁ ବିସର୍ଜନ ଦେଇପାରେ ?

 

କମଳର ମୁହଁ ସ୍ମିତହାସ୍ୟରେ ବିକଶିତ ହୋଇ ଉଠିଲା । କହିଲା–ୟା’ଭିତରେ ଭଲ ବା କ’ଣ ଅଛି ହରେନ୍ ବାବୁ ? ଅପରର ଗୃହରେ ନିଃସ୍ୱାର୍ଥ ଗୃହିଣୀ ଓ ଅପରର ଶିଶୁର ନିଃସ୍ଵାର୍ଥ ଜନନୀ ହେବାର ଦୃଷ୍ଟାନ୍ତ ହୁଏତ ଜଗତରେ ଆଉ କେଉଁଠି ନାହିଁ । ନାହିଁ ବୋଲି ଅଦ୍ଭୁତ ହୋଇପାରେ, କିନ୍ତୁ ଭଲ ହେବ କିପରି ?

 

ଶୁଣି ହରେନ୍ଦ୍ର ସ୍ତବ୍ଧ ହୋଇଗଲା ଏବଂ ନୀଳିମା ଆଶ୍ଚର୍ଯ୍ୟ ହୋଇ ଦୁଇଚକ୍ଷୁ ବିସ୍ତାରିତ କରି ତା’ ମୁହଁକୁ ଚାହିଁ ରହିଲା । କମଳ ତାକୁ ଲକ୍ଷ୍ୟ କରି କହିଲା–ବାକ୍ୟଛଟାରେ, ବିଶେଷଣର ଚାତୁର୍ଯ୍ୟ ବଳରେ ଏହାକୁ ଯେତେ ଗୌରବାନ୍ୱିତ ବୋଲି ପ୍ରମାଣିତ କରନ୍ତୁ ନା କାହିଁକି, ଗୃହିଣୀତ୍ୱର ଏ ମିଥ୍ୟା ଅଭିନୟରେ ସମ୍ମାନ ନାହିଁ । ଏ ଗୌରବ ତ୍ୟାଗ କରିବା ଢେରେ ଭଲ ।

 

ହରେନ୍ଦ୍ର ଗଭୀର ବେଦନାର ସହ କହିଲା–ଗୋଟାଏ ସୁଶୃଙ୍ଖଳ ସଂସାର ନଷ୍ଟ କରି ଚାଲି ଯିବାର ଉପଦେଶ–ଏ ତ ଆପଣଙ୍କ ପାଖରୁ ଆଶା କରାଯାଏନା ।

 

କମଳ କହିଲା–କିନ୍ତୁ ସଂସାର ତ ତାଙ୍କର ନିଜର ନୁହେଁ–ହୋଇଥିଲେ ଏ ଉପଦେଶ ଦେଇ ନ ଥା’ନ୍ତି । ଅଥଚ ଏୟା କରି କର୍ମଭୋଗ ନିଶାରେ ପୁରୁଷମାନେ ଆମକୁ ମାତାଲ କରି ରଖନ୍ତି । ସେମାନଙ୍କ ବାହାବା’ର କଡ଼ା ମଦ ଖାଇ ଆମ ଆଖିରେ ନିଶା ଲାଗେ–ଭାବୁଁ–ଏଇ ବୋଧହୁଏ ନାରୀଜୀବନର ସାର୍ଥକତା । ଆମ ଚା’ ବଗିଚାର ହରିଶ୍ ବାବୁଙ୍କ କଥା ମନେପଡ଼ୁଛି । ଷୋହଳ ବର୍ଷର ଛୋଟ ଭଉଣୀଟିର ସ୍ଵାମୀ ଯେତେବେଳେ ମରିଗଲେ–ତାକୁ ଘରକୁ ଡାକି ଆଣି ପଲେ ପୁଅଝିଅ ଦେଖାଇ କାନ୍ଦି କାନ୍ଦି କହିଲେ–ମା ଲକ୍ଷ୍ମୀ ଏଇମାନେ ଏଥର ତୋର ପୁଅଝିଅ । ତୋର ଭାବନା କ’ଣ ଭଉଣୀ, ଏମାନଙ୍କ ମା ପରି ଏମାନଙ୍କୁ ମଣିଷ କରି, ଏ ଘରର ସର୍ବେସର୍ବା ହୋଇ ତୁ ରହ–ତୋର ସେଇ ସାର୍ଥକତା ପାଇଁ ମୁଁ ଆଶୀର୍ବାଦ କରୁଛି । ହରିଶ୍ ବାବୁ ଭଲ ଲୋକ–ଚା’ ବଗିଚା ସାରା ତାଙ୍କର ଧନ୍ୟ ଧନ୍ୟ ପଡ଼ିଗଲା । ସମସ୍ତେ କହିଲେ ଲକ୍ଷ୍ମୀର କପାଳ ଭଲ । ଭଲ ତ ନିଶ୍ଚୟ–କେବଳ ଜଣେ ସ୍ତ୍ରୀଲୋକ ହିଁ ଜାଣେ ଯେ ଏତେ ବଡ଼ ଦୁର୍ଯୋଗ, ଏତେ ବଡ଼ ଫାଙ୍କି ଆଉ କେଉଁଠି ନାହିଁ । ଯେଉଁଦିନ ଏ ବିଡ଼ମ୍ବନା ଧରାପଡ଼େ, ସେତେବେଳକୁ ଅବଶ୍ୟ ବେଳ ଗଡ଼ିଯାଇଥାଏ ।

 

ହରେନ୍ଦ୍ର କହିଲା–ତା’ପରେ ।

 

କମଳ କହିଲା–‘ପରେ କ’ଣ ହେଲା ମୁଁ ଜାଣେନି ହରେନ୍ ବାବୁ, ଲକ୍ଷ୍ମୀର ସାର୍ଥକତା ଶେଷପର୍ଯ୍ୟନ୍ତ ଦେଖି ଆସି ପାରିଲି ନାହିଁ–ଆଗରୁ ଚାଲି ଆସିବାକୁ ପଡ଼ିଲା । ଆରେ–ଏଇତ ଗାଡ଼ି ଆସିଗଲାଣି । ଚାଲନ୍ତୁ, ଯାଉ ଯାଉ ବାଟରେ କହିବି । ନମସ୍କାର ।’ ଏହା କହି ସେ ଗାଡ଼ି ପ୍ରତି ଅଗ୍ରସର ହେଲା ।

 

ନୀଳିମା ନିଃଶବ୍ଦ ନମସ୍କାର କରି ଠିଆହୋଇ ରହିଲା । ତା’ର ଦୁଇ ଚକ୍ଷୁ ତାରକା ପ୍ରଜ୍ୱଳିତ ଅଙ୍ଗାର ପରି ସତେ ଯେମିତି ଜଳୁଥିଲା ।

 

(ଚଉଦ)

 

କମଳ ଆଗରେ ‘ଆଶ୍ରମ’ ଶବ୍ଦଟା ହରେନ୍ଦ୍ର ମୁହଁରୁ ହଠାତ୍ ବାହାରି ଯାଇଥିଲା । ଶୁଣି ଅବିନାଶ ଯେ ଥଟ୍ଟା କରିଥିଲେ ତା’ ଅନ୍ୟାୟ ନୁହେଁ । କେତେ ଜଣ ଦରିଦ୍ର ଛାତ୍ର ସେଠାରେ ରହି ବିନା ଖର୍ଚ୍ଚରେ ପଢ଼ାଶୁଣା କରନ୍ତି–ଏତିକି ଲୋକେ ଜାଣନ୍ତି । ବସ୍ତୁତଃ ନିଜର ଏଇ ବାସସ୍ଥାନକୁ ବାହାର ଲୋକଙ୍କ ଆଗରେ ଏତେ ବଡ଼ ଗୋଟାଏ ଗୌରବର ପଦବୀ ଦେଇ ଗ୍ରହଣ କରିବାର ସଂକଳ୍ପ ହରେନ୍ଦ୍ରର କେବେ ନ ଥିଲା । ଏ ନିତାନ୍ତ ଗୋଟାଏ ସାଧାରଣ ଘଟଣା ଏବଂ ପ୍ରଥମେ ଏହାର ଆରମ୍ଭ ହୋଇଥିଲା ସାମାନ୍ୟ ଭାବରେ; କିନ୍ତୁ ଏସବୁ ଜିନିଷର ସ୍ଵଭାବ ଯେ ଥରେ ଦାତାର ଦୁର୍ବଳତା ଜନ୍ମ ନେଲେ ଆଉ ତା’ ଅଗ୍ରଗତିର ବିରାମ ନାହିଁ । କଠିନ ମଞ୍ଜି ପରି ମୃତ୍ତିକାର ସମସ୍ତ ରସ ନିଃଶେଷ ଆକର୍ଷଣ କରି ଡାଳ ବିସ୍ତାର କରିବାକୁ ଡେରି ହୁଏ ନାହିଁ । ଏଠି ବି ସେୟା ହେଲା । ତେବେ ଘଟଣାର ଗୋଟିଏ ବିବରଣ ଦେବା ଉଚିତ ।

 

ହରେନ୍ଦ୍ରର ଭାଇ ଭଉଣୀ ନ ଥିଲେ । ପିତା ଓକିଲାତି କରି ପ୍ରଚୁର ଅର୍ଥ ସଞ୍ଚୟ କରି ଯାଇଥିଲେ । ତାଙ୍କ ମୃତ୍ୟୁ ପରେ ସଂସାରରେ ଅବଶିଷ୍ଟ ଥିଲେ ହରେନ୍ଦ୍ରର ମା । ପୁଅର ପାଠପଢ଼ା ସରିଲାବେଳକୁ ସେ ପରଲୋକ ଗମନ କଲେ । ଅତଏବ ହରେନ୍ଦ୍ରକୁ ବିବାହ ପାଇଁ ଜୋର୍ ଦେବାପାଇଁ ବା ଉଦଯୋଗ ଆୟୋଜନ କରି ସଂସାରର ଶୃଙ୍ଖଳା ଦେବାପାଇଁ ଆପଣାର ବୋଲି କେହି ନ ଥିଲେ । ଏଣୁ ପଢ଼ା ଯେତେବେଳେ ଶେଷହେଲା ସେତେବେଳେ ନିହାତ୍ କାମ ଅଭାବରେ ସେ ଦେଶ ଓ ଦେଶର ସେବାରେ ଆତ୍ମନିୟୋଗ କଲା । ବ୍ୟାଙ୍କରେ ଜମିଥିବା ସୁଧରେ ଦୁର୍ଭିକ୍ଷ ନିବାରିଣୀ ସମିତି ଗଠନ କଲା, ବନ୍ୟାବେଳେ ଆଚାର୍ଯ୍ୟଦେବଙ୍କ ଦଳରେ ମିଶିଲା, ସେବକ ସଙ୍ଘରେ ମିଶି କଣା, କୁଜା, ଛୋଟା, ଅନ୍ଧ ଅନେକ ଧରି ଆଣି ସେବାକଲା । ନାଁ ହେଲା ପରେ ଦଳେ ଦଳେ ଲୋକ ଆସି ତାକୁ କହିବାକୁ ଲାଗିଲେ–ଟଙ୍କା ଦିଅ, ପରୋପକାର କରିବା । ସୁଧ ପ୍ରାୟ ସରି ଆସିଲାଣି, ମୂଳ ଧନରେ ହାତ ନ ଦେଲେ ନ ଚଳେ–ଏଇ ଅବସ୍ଥାବେଳେ ହଠାତ୍ ତା’ର ଦିନେ ଅବିନାଶ ବାବୁଙ୍କ ସହ ପରିଚୟ ହେଲା । ସମ୍ବନ୍ଧ ଯେତେ ଦୂରର ହେଉ ନା କାହିଁକି, ସଂସାରରେ ପୃଥିବୀରେ ଆପଣାର କହିବା ପାଇଁ ଏପର୍ଯ୍ୟନ୍ତ ଲୋକ ଅଛନ୍ତି, ଏ ବିଶ୍ୱାସ ତା’ର ସେଇ ଦିନ ହେଲା । ଅବିନାଶଙ୍କ କଲେଜରେ ଗୋଟିଏ ଅଧ୍ୟାପକ ଚାକିରି ସେତେବେଳକୁ ଖାଲି ଥିଲା, ଚେଷ୍ଟା କରି ତାକୁ ସେହି ଚାକିରିରେ ନିଯୁକ୍ତି ଦେଇ କୌଣସିମତେ ସାଙ୍ଗରେ ଧରି ଆଗ୍ରା ଆସିଲେ । ହରେନ୍ଦ୍ରର ଆଗ୍ରା ଆସିବା ପଛରେ ଏହା ହିଁ ଇତିହାସ । ପଶ୍ଚିମ ଦେଶରେ ମୁସଲମାନୀ ଅମଳର ପ୍ରାଚୀନ ସହରମାନଙ୍କରେ ସେକାଳର ଅନେକ ବଡ଼ ବଡ଼ ଘର ଏବେ ଅଳ୍ପ ଭଡ଼ାରେ ମିଳେ । ହରେନ୍ଦ୍ର ସେଥିରୁ ଗୋଟିଏ ଯୋଗାଡ଼ କରିନେଲା । ସେଇ ତା’ର ଆଶ୍ରମ ।

 

ଏଠିକି ଆସି ଯେ କେତେ ଦିନ ସେ ଅବିନାଶଙ୍କ ଘରେ ଥିଲା, ସେଇଠି ତା’ର ନୀଳିମା ସହ ପରିଚୟ ହେଲା । ନୀଳିମା ଅଚିହ୍ନା ଲୋକ ବୋଲି ଦିନକ ପାଇଁ ମଧ୍ୟ ଆଢ଼ୁଆଳରେ ରହି ଦାସୀ ଚାକରଙ୍କ ସାହାଯ୍ୟରେ କାମ ଚଲାଇ ନେବାକୁ ଚେଷ୍ଟା କଲା ନାହିଁ–ଏକବାରେ ପ୍ରଥମ ଦିନରୁ ବାହାରକୁ ଆସି କଥାବାର୍ତ୍ତା କଲା । କହିଲା–ତମର କେତେବେଳେ କ’ଣ ଦରକାର, ହରେନ୍, କହିବା ପାଇଁ ଲାଜ କରିବ ନାହିଁ । ମୁଁ ଏଠି ଗୃହିଣୀ ନୁହେଁ–କିନ୍ତୁ ଗୃହିଣିତ୍ୱ ପଡ଼ିଛି ମୋ ଉପରେ । ତମ ଭାଇ କହୁଥିଲେ–ତମର ଅଯତ୍ନ ହେଲେ ମୋ ଦରମା କଟା ହେବ । ଗରିବ ମଣିଷ ମୁଁ–ମୋର ଲୋକସାନ କରାଅ ନା ଭାଇ–କିଛି ଦରକାର ପଡ଼ିଲେ ଜଣାଇବ ଯେମିତି ।

 

ହରେନ୍ଦ୍ର କ’ଣ ଉତ୍ତର ଦେବ, ଭାବିପାରିଲା ନାହିଁ । ଲଜ୍ଜାରେ ସେ ଏପରି ଜଡ଼ସଡ଼ ହୋଇଗଲା ଯେ, ଯେ ଅବଲୀଳାକ୍ରମେ ଏପରି ମିଷ୍ଟବାକ୍ୟ ବ୍ୟବହାର କରିଗଲେ, ତାଙ୍କ ମୁହଁକୁ ଚାହିଁ ପାରିଲା ନାହିଁ । କିନ୍ତୁ ଲାଜ ଛାଡ଼ିବାକୁ ଦୁଇ ଦିନରୁ ବେଶୀ ସମୟ ଲାଗିଲା ନାହିଁ । ଠିକ୍ ଯେମିତି ନ ଛାଡ଼ିଲେ ଉପାୟ ନାହିଁ ! ନୀଳିମାର ଯେପରି ସ୍ୱଚ୍ଛନ୍ଦ ଅନାଡ଼ମ୍ବର ପ୍ରୀତି, ସେଇପରି ସହଜ ସେବା ମନୋବୃତ୍ତି । ସେ ଯେ ବିଧବା–ସଂସାରରେ ଯେ ସତରେ ତା’ର ଆଶ୍ରୟ କେଉଁଠି ନାହିଁ–ସେ ଯେ ଏ ଘରେ ପର–ଏ କଥାଟା ତା’ର ମୁହଁର ଚେହେରାରୁ, ସାଜସଜ୍ଜାରୁ, ରହସ୍ୟ ମଧୁର ଆଳାପ ଆଲୋଚନାରୁ ଧରିପାରିବାର ଉପାୟ ନାହିଁ ।

 

ବୟସ ଖୁବ୍ କମ୍ ନୁହେଁ–ବୋଧହୁଏ ତିରିଶି ପାଖାପାଖି ହେବ । ତା’ର ହସ ହସ ମୁହଁ, ଖୋଲା କଥାବାର୍ତ୍ତାରୁ ଏ ବୟସର ସ୍ୱାଭାବିକ ଗାମ୍ଭୀର୍ଯ୍ୟ ଧରାପଡ଼େନା ଅଥଚ ଟିକିଏ ମନୋନିବେଶ କଲେ ଜଣାପଡ଼ିବ ଯେ ଗୋଟାଏ ଅଦୃଶ୍ୟ ଆବେଷ୍ଟନୀ ଅହର୍ନିଶ ତା’ ପାଖରେ ରହିଛି ଯାହା ଭିତରେ ପ୍ରବେଶର ଉପାୟ ନାହିଁ । ଘରର ଦାସୀ, ଚାକର ଏପରି କି ମାଲିକ୍ ପର୍ଯ୍ୟନ୍ତ ଜାଣିପାରନ୍ତି ନାହିଁ ।

 

ଏଇ ଘରେ ଏହିପରି ପରିବେଶରେ ହରେନ୍ଦ୍ର ଦୁଇ ସପ୍ତାହ କଟାଇଦେଲା । ହଠାତ୍ ଦିନେ ସେ ଅଲଗା ବସା ଭଡ଼ା କରିଛି ଶୁଣି ନୀଳିମା କ୍ଷୁଣ୍ଣ ହୋଇ କହିଲା–ଏତେ ତରତରରେ ବସା ନେବା କ’ଣ ଦରକାର ଥିଲା ହରେନ୍ ? ଏଠି ବା ତମର କ’ଣ ଅଟକୁଥିଲା ?

 

ହରେନ୍ଦ୍ର ଲଜ୍ଜିତ ହୋଇ କହିଲା–ଦିନେ ତ ଯିବାକୁ ପଡ଼ିଥାନ୍ତା ଭାଉଜ ।

 

ନୀଳିମା କହିଲା–ତା’ ହୁଏତ ପଡ଼ିଥାନ୍ତା । କିନ୍ତୁ ଦେଶ ସେବାର ନିଶା ତ ତମର ଏପର୍ଯ୍ୟନ୍ତ ଛାଡ଼ିନି ହରେନ୍ଦ୍ର । ଆଉ କେତେ ଦିନ ଭାଉଜର ହେପାଜତରେ ରହିଥିଲେ ବା କ’ଣ କ୍ଷତି ହୋଇଥାନ୍ତା ?

 

ହରେନ୍ଦ୍ର କହିଲା–ତମ ହେପାଜତରେ ରହିବି ତ ଭାଉଜ । ବସା ତ ଏଠୁ ଦଶ ମିନିଟ୍‍ର ବାଟ–ତମ ନଜର ବାହାରେ ଯିବି କୁଆଡ଼େ ?

 

ଅବିନାଶ ଘର ଭିତରେ କ’ଣ କାମ କରୁଥିଲେ । ସେଇଠୁ କହିଲେ–ଯିବୁ ଜାହାନ୍ନାମକୁ-। ଅନେକ ମନା କଲି; ହରେନ୍, ଯାଆନା କୁଆଡ଼େ–ଏଇଠି ରହ । ମୋ କଥା କ’ଣ ଶୁଣିଲା-? ଇଜ୍ଜତ ବଡ଼ ନା ଭାଇର କଥା ବଡ଼ ? ଯା’ ନୂଆ ବସାରେ ଦରିଦ୍ର ନାରାୟଣଙ୍କ ସେବା କରୁଥିବୁ ବସି । ନୀଳିମା, ତାକୁ କଥା କହିବା ବୃଥା । ତା’ର ହେଲା ଦଣ୍ଡପାଟୁଆ ଜାତି–ପିଠି ଫୋଡ଼ି ନ ବୁଲିଲେ ତାକୁ ସୁଖ ଲାଗିବ ନାହିଁ ।

 

ନୂଆ ବସାକୁ ଆସି ହରେନ୍ଦ୍ର ଚାକର ପୂଜାରୀ ରଖି ଅତି ଶାନ୍ତଶିଷ୍ଟ ନିରୀହ ଶିକ୍ଷକ ପରି କଲେଜ କାମରେ ମନ ଦେଲା । ଘରଟା ପ୍ରକାଣ୍ଡ–ଦୁଇଟା ବଖରା ବ୍ୟତୀତ ଅନ୍ୟଗୁଡ଼ିକ ବ୍ୟବହାର ହେଲା ନାହିଁ । ମାସେ ଖଣ୍ଡେ ପରେ ଏଇ ଶୂନ୍ୟ ଘରଗୁଡ଼ାକ ଖାଁ ଖାଁ ଲାଗିଲା । ଭଡ଼ା ଦେବାକୁ ହେଉଛି ଅଥଚ କାମରେ ଲାଗୁନି ଅତଏବ ରାଜେନ୍‍ ପାଖକୁ ପତ୍ର ଗଲା । ସେ ଥିଲା ଦୁର୍ଭିକ୍ଷ-ନିବାରିଣୀ-ସମିତିର ସେକ୍ରେଟାରୀ । ଦେଶୋଦ୍ଧାରର ଆଗ୍ରହାତିଶଯ୍ୟ ହେତୁ ଦୁଇ ବର୍ଷ ନଜର ବନ୍ଦୀରେ ରହି ପାଞ୍ଚ ଛ ମାସ ହେଲା ଛାଡ଼ ପାଇ ବନ୍ଧୁଗଣଙ୍କ ସନ୍ଧାନରେ ବୁଲୁଥିଲା । ହରେନ୍ଦ୍ରର ଚିଠି ଓ ଟ୍ରେନ୍ ଭଡ଼ା ପାଇ ତତ୍‍କ୍ଷଣାତ୍ ଚାଲି ଆସିଲା । ହରେନ୍ଦ୍ର କହିଲା–ଦେଖି, ଯଦି ତୋ’ପାଇଁ ଗୋଟାଏ ଚାକିରିବାକିରୀ କରିଦେଇପାରେ ।

 

ରାଜେନ୍‍ କହିଲା–‘ଆଚ୍ଛା ।’ ତା’ର ପରମ ବନ୍ଧୁ ଥିଲା ସତୀଶ୍‍ । ସେ କୌଣସିମତେ ପୋଲିସ୍‍ର ନଜର ଏଡ଼ାଇ ମେଦିନୀପୁର ଜିଲ୍ଲାର କୌଣସି ଗୋଟିଏ ଗାଁରେ ବସି ବ୍ରହ୍ମଚର୍ଯ୍ୟାଶ୍ରମ ଖୋଲିବା ଚେଷ୍ଟାରେ ଥିଲା । ରାଜେନ୍‍ର ପତ୍ର ପାଇବାର ସପ୍ତାହକ ମଧ୍ୟରେ ସେ ତା’ର ଏହି ସାଧୁସଙ୍କଳ୍ପ ତ୍ୟାଗ କରି ଆଗ୍ରାରେ ଆସି ପହଞ୍ଚିଲା । ସେ ଏକୁଟିଆ ନ ଆସି ସାଙ୍ଗରେ ଆଉ ଜଣେ ଭକ୍ତକୁ ଧରି ଆସିଥିଲା । ସତୀଶ୍‍ ଯୁକ୍ତି ଓ ଶାସ୍ତ୍ରର ଦ୍ୱାହି ଦେଇ ନିର୍ବିଶେଷରେ ପ୍ରମାଣ କରିଦେଲା ଯେ ‘ଭାରତବର୍ଷ ଧର୍ମଭୂମି–ମୁନିଋଷିମାନେ ଏହି ଦେଶର ଦେବତା । ଆମେ କେବଳ ବ୍ରହ୍ମଚାରୀ ହେବାକୁ ଭୁଲି ଯାଇଛୁ ବୋଲି ଅମର ସବୁଗଲା । ଏ ଦେଶ ସହ ଜଗତର ଅନ୍ୟ କୌଣସି ଦେଶର ତୁଳନା ହୋଇପାରେନା କାରଣ ଆମେ ଏକଦା ଜଗତର ଶିକ୍ଷକ ଜାତି ଥିଲୁ । ସମଗ୍ର ମଣିଷ ଗୋଷ୍ଠୀର ଗୁରୁ ଥିଲୁ । ସୁତରାଂ ବର୍ତ୍ତମାନ ଭାରତବାସୀର ଏକମାତ୍ର କରଣୀୟ, ପ୍ରତି ଗ୍ରାମରେ ପ୍ରତି ନଗରରେ ଅସଂଖ୍ୟ ବ୍ରହ୍ମଚର୍ଯ୍ୟାଶ୍ରମ ସ୍ଥାପନ କରିବା । କୌଣସି ଦିନ ଯଦି ଦେଶୋଦ୍ଧାର କରିବା ସମ୍ଭବ ହୁଏ, ତେବେ ଏହି ବାଟରେ ହୋଇପାରିବ ।’

 

ଏ କଥା ଶୁଣି ହରେନ୍ଦ୍ର ମୁଗ୍ଧ ହୋଇଗଲା । ସତୀଶ୍‍ର ନାଁ ସେ ଶୁଣିଥିଲା, କିନ୍ତୁ ପରିଚୟ ନ ଥିଲା । ତେଣୁ ଏହି ସୌଭାଗ୍ୟ ପାଇଁ ସେ ରାଜେନ୍‍କୁ ମନେମନେ ଧନ୍ୟବାଦ ଦେଲା ଏବଂ ଏ ପୂର୍ବରୁ ଯେ ତାହାର ବିବାହ ହୋଇ ନାହିଁ ସେଥିପାଇଁ ନିଜକୁ ଭାଗ୍ୟବାନ୍ ମନେକଲା । ସତୀଶ୍ ବହୁ ସର୍ବବାଦୀସମ୍ମତ ନୀତି କଥା ଜାଣେ; କେତେଦିନ ଧରି ତାହାରି ଆଲୋଚନା ଚାଲିଲା ‘ଋଷିମାନେ ଆମରି ପୂର୍ବପୁରୁଷ–ଆମ ପୂର୍ବପିତାମହଗଣ ଦିନେ ଜଗତର ଗୁରୁ ଥିଲେ । ତେଣୁ ପୁଣି ଜଗତର ଗୁରୁଗିରି କରିବାର ଆମେ ଯଥାର୍ଥ ଉତ୍ତରାଧିକାରୀ । ଆର୍ଯ୍ୟରକ୍ତସମ୍ଭୂତ କେଉଁ ପାଷଣ୍ଡ ଏହାର ପ୍ରତିବାଦ କରିପାରେ ?’ କହିବା ବାହୁଲ୍ୟ ଯେ ପ୍ରତିବାଦ କରିପାରିବା ଭଳି ଦୁର୍ନୀତିପରାୟଣ କୌଣସି ବ୍ୟକ୍ତି ସେଠାରେ ନ ଥିଲେ ।

 

ହରେନ୍ଦ୍ର ମାତି ଉଠିଲା, କିନ୍ତୁ ଏହା ତପସ୍ୟା ଓ ସାଧନାର ବସ୍ତୁ ବୋଲି ସମସ୍ତ ବ୍ୟାପାରଟା ସାଧ୍ୟମତେ ଗୋପନରେ ରଖାଗଲା । କେବଳ ରାଜେନ୍‍ ଓ ସତୀଶ୍‍ ମଝିରେ ମଝିରେ ବିଭିନ୍ନ ଅଞ୍ଚଳରୁ ବାଳକ ସଂଗ୍ରହ କରି ଆଣିଲେ । ଯେଉଁମାନେ ବୟସରେ ଛୋଟ, ସେମାନେ ସ୍କୁଲରେ ପଢ଼ିଲେ ଓ ଯେଉଁମାନେ ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନେ ହରେନ୍ଦ୍ର ଚେଷ୍ଟାରେ ଗୋଟାଏ କଲେଜରେ ଭର୍ତ୍ତି ହୋଇଗଲେ–ଏହିପରି ଅଳ୍ପ କାଳ ମଧ୍ୟରେ ସମଗ୍ର ଘରଟା ନାନା ବୟସର ପିଲାରେ ଭର୍ତ୍ତି ହୋଇଗଲା । ବାହାରେ ବେଶୀ ଲୋକ ଜାଣନ୍ତି ନାହିଁ, ଜାଣିବା ପାଇଁ କେହି ଚେଷ୍ଟା ବି କରନ୍ତି ନାହିଁ । କେବଳ ଏଇ ମାତ୍ର ସମସ୍ତେ ଶୁଣାଶୁଣିରେ ଜାଣିଲେ ଯେ ହରେନ୍ଦ୍ରର ବସାରେ ରହି କେତେଗୁଡ଼ିଏ ଦରିଦ୍ର, ବଙ୍ଗାଳୀ ବାଳକ ପଢ଼ାପଢ଼ି କରନ୍ତି । ଏହାଠାରୁ ଅଧିକ ଅବିନାଶ ଓ ନୀଳିମା ବି ଜାଣନ୍ତି ନାହିଁ ।

 

ସତୀଶ୍‍ର କଠୋର ଶାସନ ହେତୁ ବସାକୁ ମାଛ, ମାଂସ ଆସିବାର ଉପାୟ ନାହିଁ । ବ୍ରାହ୍ମମୁହୂର୍ତ୍ତରେ ଉଠି ସମସ୍ତଙ୍କୁ ସ୍ତୋତ୍ରପାଠ, ଧ୍ୟାନ, ପ୍ରାଣାୟମ ପ୍ରଭୃତି ଶାସ୍ତ୍ରବିହିତ କର୍ମ ସମ୍ପନ୍ନ କରିବାକୁ ପଡ଼େ । ତା’ପରେ ଲେଖାପଢ଼ା ଓ ନିତ୍ୟକର୍ମ କରିବାକୁ ହୁଏ । କିନ୍ତୁ କର୍ତ୍ତୃପକ୍ଷମାନଙ୍କର ଏତିକିରେ ମନବୋଧ ହେଲା ନାହିଁ । ସାଧନ ମାର୍ଗ କ୍ରମଶଃ କଠୋରତର ହେବାକୁ ଲାଗିଲା । ନୀତି ନିୟମର ଏ କାଠିନ୍ୟ ଦାଉରେ ଚାକର, ପୂଝାରି ପଳାଇଲେ–ଅତଏବ ଏ କାମଗୁଡ଼ାକ ଭାଗ କରି ପିଲାମାନଙ୍କ ମୁଣ୍ଡରେ ପଡ଼ିଲା । କୌଣସି ଦିନ ଗୋଟାଏ ତରକାରୀ ହୁଏ–କୌଣସି ଦିନ ତା’ ବି ହୋଇପାରେ ନାହିଁ । ପିଲାମାନଙ୍କର ପଢ଼ାପଢ଼ି ଗଲା–ସ୍କୁଲରେ ସେମାନେ ଗାଳିମାଡ଼ ଖାଇଲେ କିନ୍ତୁ ଧରାବନ୍ଧା ନିୟମ ନିଷ୍ଠାରେ ଶୈଥିଲ୍ୟ ଘଟିଲା ନାହିଁ । କେବଳ ଗୋଟାଏ ଅନିୟମ ଥିଲା–ବାହାରୁ କୌଣସି ଆହାରର ନିୟନ୍ତ୍ରଣ ଜୁଟିଲେ । ନୀଳିମାର କୌଣସି ଗୋଟାଏ ବ୍ରତ ଉଦ୍‍ଯାପନ ଉପଲକ୍ଷେ ହରେନ୍ଦ୍ର ଏଇ ବ୍ୟତିକ୍ରମ ଜୋର୍ କରି ଚଳେଇ ନେଇଥିଲା । ଏହା ଛଡ଼ା ଅନ୍ୟ କୌଣସି ବ୍ୟତିକ୍ରମର ମାର୍ଜନା ନ ଥିଲା । ପିଲମାନଙ୍କର ଖାଲିପାଦ, ରୁକ୍ଷ ମସ୍ତକ–କାଳେ କୌଣସି ଛିଦ୍ର ପଥରେ ବିଳାସିତା ଅନଧିକାର ପ୍ରବେଶ କରିଯାଇପାରେ, ଏଥିପ୍ରତି ସତୀଶ୍‍ର ଅତି ସତର୍କ ଦୃଷ୍ଟି ଥିଲା । ମୋଟାମୋଟି ଏଇ ଭାବରେ ଆଶ୍ରମରେ ଦିନ କଟୁଥିଲା । ସତୀଶ୍‍ର ତ କଥାଇ ନାହିଁ, ହରେନ୍ଦ୍ରର ମନ ଭିତରେ ମଧ୍ୟ ଆନନ୍ଦର ସୀମା ରହିଲା ନାହିଁ । ବାହାରର କାହା ପାଖରେ ସେମାନେ ବିଶେଷ କିଛି ପ୍ରକାଶ କରନ୍ତି ନାହିଁ, କିନ୍ତୁ ନିଜ ଭିତରେ ହରେନ୍ଦ୍ର ଆତ୍ମପ୍ରସାଦ ଓ ପରିତୃପ୍ତିର ଉଚ୍ଛ୍ୱସିତ ଆବେଗରେ ପ୍ରାୟ କହେ ଯେ ଗୋଟିଏ ବାଳକକୁ ଯଦି ସେ ମଣିଷ କରି ଗଢ଼ିପାରେ, ତେବେ ଜୀବନରେ ଚରମ ସାର୍ଥକତା ଲାଭ କରିଛି ବୋଲି ମନେକରିବ । ସତୀଶ୍‍ କଥା କହେ ନାହିଁ, କିନ୍ତୁ ବିନୟରେ ମୁଖ ଆନତ କରି ଆଣେ ।

 

କେବଳ ଗୋଟିଏ ବିଷୟରେ ହରେନ୍ଦ୍ର ଓ ସତୀଶ୍‍ ଉଭୟେ ସନ୍ଦିଗ୍ଧ ଥିଲେ । କିଛିଦିନ ହେଲା ଉଭୟେ ଅନୁଭବ କରୁଥିଲେ ଯେ ରାଜେନ୍‍ର ଆଚରଣ ଆଉ ପୂର୍ବ ପରି ନାହିଁ । ଆଶ୍ରମର କୌଣସି କାମରେ ସେ ଧରାଛୁଆଁ ଦିଏନା, ସକାଳେ ସାଧନ ଭଜନ ଇତ୍ୟାଦି ନିତ୍ୟକର୍ମ ବେଳେ ସେ ପ୍ରାୟ ଅନୁପସ୍ଥିତ ଥାଏ । ପଚାରିଲେ କହେ–ଦେହ ଭଲ ନାହିଁ । ଅଥଚ ଦେହ ଭଲ ନ ଥିବାର ବିଶେଷ କୌଣସି ସୂଚନା ଦେଖାଯାଏନା । କ’ଣ ଯେ ତା’ର ହୋଇଛି ପଚାରିଲେ ଜବାବ୍‍ ମିଳେନା-। ଦିନେ ଦିନେ ସକାଳୁ କୁଆଡ଼େ ଚାଲିଯାଏ । ଦିନସାରା ଆସେ ନାହିଁ । ରାତିରେ ଫେରିଲାବେଳକୁ ତା’ ଚେହେରା ଏପରି ଦିଶୁଥାଏ ଯେ କିଛି ପଚାରିବା ପାଇଁ ହରେନ୍ଦ୍ରର ପ୍ରବୃତ୍ତି ହୁଏ ନାହିଁ । ଅଥଚ ଏ ସମସ୍ତ ଆଶ୍ରମର ନିୟମ ବିରୁଦ୍ଧ । ଏକା ହରେନ୍ଦ୍ର ବ୍ୟତୀତ ଆଉ କାହାର ସନ୍ଧ୍ୟା ପରେ ବାହାରେ ରହିବାର ନିୟମ ନାହିଁ–ଏ କଥା ରାଜେନ୍‍ ଜାଣେ ଅଥଚ ଗ୍ରାହ୍ୟ କରେ ନାହିଁ । ଆଶ୍ରମର ସେକ୍ରେଟାରୀ ସତୀଶ୍‍, ଶୃଙ୍ଖଳା ରକ୍ଷାର ଭାର ତା’ ଉପରେ । ସେ ଏହି ସକଳ ଅନାଚାର ବିରୁଦ୍ଧରେ ହରେନ୍ଦ୍ର ନିକଟରେ କୌଣସି ବିଧିବଦ୍ଧ ଅଭିଯୋଗ କରି ନାହିଁ । କିନ୍ତୁ ମଝିରେ ମଝିରେ ଇଙ୍ଗିତରେ ପ୍ରକାଶ କରେ ଯେ ଏହାକୁ ଆଶ୍ରମରେ ରଖିବା ଠିକ୍ ହେବ ନାହିଁ–ପିଲାମାନେ ବିଗିଡ଼ି ଯାଇ ପାରନ୍ତି-। ହରେନ୍ଦ୍ର ନିଜେ ଯେ ନ ବୁଝେ ତା’ ନୁହେଁ, କିନ୍ତୁ ମୁହଁ ଖୋଲି କହିବାର ସାହସ ତା’ର ନ ଥିଲା-। ଦିନେ ରାତିସାରା ରାଜେନ୍‍ର ଦେଖା ନାହିଁ । ସକାଳେ ଯେତେବେଳେ ସେ ଫେରିଲା–ସେତେବେଳେ ଏ ବିଷୟରେ ଗୋଟାଏ ରୀତିମତ ଆଲୋଚନା ଆରମ୍ଭ ହୋଇଯାଇଛି । ହରେନ୍ଦ୍ର ବିସ୍ମିତ ହୋଇ କହିଲା–ଘଟଣା କ’ଣ ରାଜେନ୍‍ ? କାଲି କେଉଁଠି ଥିଲୁ ?

 

ସେ ଟିକିଏ ହସିବାକୁ ଚେଷ୍ଟା କରି କହିଲା–ଗୋଟାଏ ଗଛତଳେ ଶୋଇଥିଲି ।

 

‘ଗଛତଳେ ? ଗଛତଳେ କାହିଁକି ?’

 

‘ଅନେକ ରାତି ହୋଇଯାଇଥିଲା–ଆଉ ଡକାଡକି କରି ଆପଣଙ୍କ ନିଦ ଭାଙ୍ଗିଲି ନାହିଁ ।’

 

‘ବେଶ୍ ! ଏତେ ରାତି ହେଲା କାହିଁକି ?

 

‘ଏମିତି ବୁଲୁ ବୁଲୁ କହି ସେ ନିଜ ଘରକୁ ଚାଲିଗଲା ।’

 

ସତୀଶ୍‍ ପାଖରେ ଥିଲା । ହରେନ୍ଦ୍ର କହିଲା–ଏସବୁ କି କାଣ୍ଡ ସତୀଶ୍‍ ?

 

‘ଆପଣଙ୍କ କଥା ଏଡ଼ିଦେଇ ଚାଲିଗଲା–ଜବାବ୍ ବି ଦେଲା ନାହିଁ । ଆଉ ମୁଁ ଜାଣିବି କେମିତି ?’

 

‘ହଁ ହେ, ଏତେଟା କିନ୍ତୁ ଭଲ ନୁହେଁ ।’

 

ସତୀଶ୍‍ ମୁହଁ ଫୁଲାଇ କିଛି ସମୟ ଚୁପ୍ ହୋଇ ଠିଆହେଲା ଓ ତା’ପରେ କହିଲା–ଆପଣ ତ ଜାଣନ୍ତି, ପୁଲିସ୍‍ ତାକୁ ଦୁଇବର୍ଷ ଜେଲରେ ରଖିଥିଲା ?

 

ହରେନ୍ଦ୍ର କହିଲା–ଜାଣେ, ତେବେ ସେ ତ ମିଥ୍ୟା ସନ୍ଦେହରେ । ତା’ର ସତରେ କୌଣସି ଦୋଷ ନ ଥିଲା ତ !

 

ସତୀଶ୍‍ କହିଲା–ମୁଁ କେବଳ ତା’ର ବନ୍ଧୁ ବୋଲି ଜେଲକୁ ଯାଉ ଯାଉ ରହିଗଲି । ପୁଲିସ୍‍ ଏପର୍ଯ୍ୟନ୍ତ ତାକୁ ନଜରରେ ରଖିଛି ।

 

ହରେନ୍ଦ୍ର–କହିଲା ଅସମ୍ଭବ ନୁହେଁ ।

 

ଉତ୍ତରରେ ସତୀଶ୍‍ ହସି କହିଲା–ମୁଁ ଭାବୁଛି, ଏଣିକି ସେମାନଙ୍କର ଯେପରି ଆଶ୍ରମ ପ୍ରତି ଆକର୍ଷଣ ନ ହୁଏ ।

 

ଶୁଣି ହରେନ୍ଦ୍ର ଚିନ୍ତିତ ହୋଇ ଚୁପ୍ ରହିଲା । ସତୀଶ୍‍ ନିଜେ କିଛି ସମୟ ଚୁପ୍ ରହି ସହସା ପ୍ରଶ୍ନ କଲା–ଆପଣ ବୋଧହୁଏ ଜାଣନ୍ତି ଯେ ରାଜେନ୍‍ ଭଗବାନ ପର୍ଯ୍ୟନ୍ତ ବିଶ୍ୱାସ କରେନା-?

 

ହରେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ କହିଲା–କାଇଁ ନାଇଁ ତ !

 

ସତୀଶ୍‍ କହିଲା–ମୁଁ ଜାଣେ ସେ କରେନା । ଆଶ୍ରମର କାମଦାମ ନିୟମ-ନିଷେଧ ପ୍ରତି ତା’ର ତିଳାର୍ଦ୍ଧ ଶ୍ରଦ୍ଧା ନାହିଁ । ଆପଣ ବରଂ ତା’ପାଇଁ କେଉଁଠି ଗୋଟାଏ ଚାକିରି ବାକିରୀ ଯୋଗାଡ଼ କରିଦିଅନ୍ତୁ ।

 

ହରେନ୍ଦ୍ର କହିଲା–ଚାକିରି ତ ଗଛରେ ଫଳୁନାହିଁ ସତୀଶ୍‍ ଯେ ଇଚ୍ଛା କଲେ ତୋଳି ଆଣି ଦେବି । ସେଥିପାଇଁ ଯଥେଷ୍ଟ ଚେଷ୍ଟା କରିବାକୁ ହେବ ।

 

ସତୀଶ୍‍ କହିଲା–ତା’ହେଲେ ସେୟା କରନ୍ତୁ । ଆପଣ ଯେତେବେଳେ ଆଶ୍ରମର ପ୍ରତିଷ୍ଠାତା ଓ ପ୍ରେସିଡେଣ୍ଟ ଏବଂ ମୁଁ ତା’ର ସେକ୍ରେଟେରୀ, ସେତେବେଳେ ସବୁ ବିଷୟ ଆପଣଙ୍କୁ ଜଣାଇବା ମୋର କର୍ତ୍ତବ୍ୟ । ଆପଣ ତାକୁ ଅତ୍ୟନ୍ତ ଶ୍ରଦ୍ଧା କରନ୍ତି ଏବଂ ମୋର ସେ ବନ୍ଧୁ । ତେଣୁ ତା’ ବିରୁଦ୍ଧରେ କୌଣସି କଥା କହିବାକୁ ମୋର ପ୍ରବୃତ୍ତି ହୋଇନି କିନ୍ତୁ ବର୍ତ୍ତମାନ ଆପଣଙ୍କୁ ସତର୍କ କରିଦେବା ମୋର କର୍ତ୍ତବ୍ୟ ।

 

ହରେନ୍ଦ୍ର ମନେମନେ ଭୀତ ହୋଇ କହିଲା–କିନ୍ତୁ ମୁଁ ଜାଣେ ତା’ର ଚରିତ୍ର ଅତ୍ୟନ୍ତ ନିର୍ମଳ ।

 

ସତୀଶ୍‍ ମୁଣ୍ଡ ହଲାଇ କହିଲା–ହଁ । ସେ ଦିଗରୁ ତା’ର କୌଣସି ଶତ୍ରୁ ବି ତାକୁ ଦୋଷ ଦେଇପାରେନା । ରାଜେନ୍‍ ଆଜୀବନ କୁମାର, କିନ୍ତୁ ସେ ବ୍ରହ୍ମଚାରୀ ନୁହେଁ । ଅସଲ କାରଣ–ସ୍ତ୍ରୀଲୋକ ବୋଲି ସଂସାରରେ ଯେ କେହି ଅଛନ୍ତି ଏ କଥା ଭାବିବା ପାଇଁ ତା’ର ସମୟ ନାହିଁ । ଏହା କହି କିଛି ସମୟ ଚୁପ୍ ରହି ସେ କହିଲା ତା’ର ଚରିତ୍ରର ଅଭିଯୋଗ ମୁଁ କରୁନାହିଁ, ଅସ୍ଵାଭାବିକ ଭାବେ ନିର୍ମଳ କିନ୍ତୁ–

 

ହରେନ୍ଦ୍ର ପଚାରିଲା–ତେବେ କିନ୍ତୁଟା କ’ଣ ?

 

ସତୀଶ୍‍ କହିଲା–କଲିକତା ବସାରେ ଆମେ ଉଭୟେ ଏକାଘରେ ଥିଲୁ । ସେ ସେତେବେଳେ କ୍ୟାମ୍ୱେଲ ମେଡ଼ିକାଲ ସ୍କୁଲରେ ଛାତ୍ର ଏବଂ ବସାରେ ରହି ବି.ଏସ୍.ସି. ପଢ଼ୁଥାଏ । ସମସ୍ତେ ଜାଣନ୍ତି ସେ ପରୀକ୍ଷାରେ ଫାଷ୍ଟ ହେବ କିନ୍ତୁ ପରୀକ୍ଷା ପୂର୍ବରୁ ହଠାତ୍ କୁଆଡ଼େ ଚାଲିଗଲା–

 

ହରେନ୍ଦ୍ର ବିସ୍ମିତ ହୋଇ ପଚାରିଲା–ସେ କ’ଣ ଡାକ୍ତରୀ ପଢ଼ୁଥିଲା ? କିନ୍ତୁ ମତେ ତ କହୁଥିଲା ଯେ ସେ ଶିବପୁର ଇଞ୍ଜିନିୟରିଂ କଲେଜରେ ପଢ଼ୁଥିଲା କିନ୍ତୁ ପଢ଼ାପଢ଼ି କଷ୍ଟ ହେବାରୁ ସେ ଛାଡ଼ି ପଳାଇ ଆସିଲା ।

 

ସତୀଶ୍‍ କହିଲା–କିନ୍ତୁ ଖବର ନେଲେ ବୁଝିପାରିବେ ଯେ ସେ କଲେଜର ଥାର୍ଡ଼ ଇୟରରେ ପ୍ରଥମ ହୋଇଥିଲା । ଅଥଚ ବିନା କାରଣରେ ଚାଲି ଆସିବାରୁ କଲେଜର ସବୁ ପ୍ରଫେସର ଦୁଃଖିତ । ତା’ର ପିଉସୀଘର ଅତ୍ୟନ୍ତ ବଡ଼ଲୋକ, ସେଇ ପଢ଼ାପଢ଼ି ପାଇଁ ଟଙ୍କା ପଇସା ଦେଉଥିଲେ । ଏ ଘଟଣାରେ ବିରକ୍ତ ହୋଇ ଟଙ୍କା ଦେବା ବନ୍ଦ କଲେ । ତା’ପରେ ବୋଧହୁଏ ଆପଣଙ୍କ ସହ ତା’ର ପରିଚୟ । ଦୁଇବର୍ଷ ବୁଲି ବୁଲି ଘରକୁ ଫେରିଆସିବାରୁ ପିଉସୀ ତାକୁ ଡାକ୍ତରି ସ୍କୁଲରେ ଭର୍ତ୍ତି କରିଦେଲେ । କ୍ଲାସରେ ପ୍ରତି ବିଷୟରେ ଫାଷ୍ଟ ହେଉଥିଲା, ଅଥଚ ତିନି ବର୍ଷ ପଢ଼ିଲା ପରେ ହଠାତ୍ ଛାଡ଼ି ଦେଲା । ସେଇ ଗୋଟାଏ କଥା–‘ଭାରି କଷ୍ଟ, ମୁଁ ପାରିବି ନାହିଁ ।’ ଛାଡ଼ି ଦେଇ ମୋ ବସାରେ ଆସି ଆଡ୍‍ଡା ମାରିଲା । କହିଲା–ଟ୍ୟୁସନ୍ କରି ବି.ଏସ୍.ସି.ପାସ୍‍ କରି କେଉଁ ଗାଁରେ ଯାଇ ଶିକ୍ଷକତା କରିବ । ମୁଁ କହିଲି–ବେଶ୍, ତା’ହେଲେ କର । ତା’ପରେ ପନ୍ଦର ଦିନ ଖିଆପିଆ ପାଇଁ ସମୟ ନାହିଁ–ଆଖିରୁ ନିଦ ବି କୁଆଡ଼େ ଛାଡ଼ିଗଲା । ଏଭଳି ପଢ଼ିଲା ଯେ ସେ ଏକ ତାଜବ ଘଟଣା ! ସମସ୍ତେ କହିଲେ–ତା’ ନ ହେଲେ କ୍ଲାସରେ ଫାଷ୍ଟ ହେଉଥାନ୍ତା କେମିତି ?

 

ହରେନ୍ଦ୍ର ଏସବୁ କିଛି ଜାଣି ନ ଥିଲା–କହିଲା–ତା’ପରେ ?

 

ସତୀଶ୍‍ କହିଲା–ତା’ପରେ ଯାହା କଲା ସେ ବି ଅନ୍ୟ ଏକ ଆଶ୍ଚର୍ଯ୍ୟ ଘଟଣା । ବହି ଆଉ ଛୁଇଁଲା ନାହିଁ । ଖାତା, ପେନ୍‍ସିଲ ସବୁ କୁଆଡ଼େ ଯାଇ ପଡ଼ିଲା–କୁଆଡ଼େ ଯାଏ, କେଉଁଠୁ ଆସେ ପତ୍ତା ମିଳେ ନାହିଁ । ଯେତେବେଳେ ଫେରିଆସେ, ସେତେବେଳକୁ ତା’ ଚେହେରା ଦେଖିଲେ ଭୟ ଲାଗେ–ଯେମିତି ଅନେକ ଦିନ ହେଲା ଖାଇନାହିଁ ବା ଗାଧୋଇ ନାହିଁ ।

 

‘ତା’ପରେ ?’

 

ତା’ପରେ ଦିନେ ପୋଲିସ୍ ଦଳବଳ ନେଇ ଘରେ ପହଞ୍ଚି ଦକ୍ଷଯଜ୍ଞ ଆରମ୍ଭ କରିଦେଲେ-। ଏଇଟାକୁ ଫିଙ୍ଗି, ସେଇଟାକୁ ଖୋଲି ଅବସ୍ଥା ଏପରି ସାଂଘାତିକ କଲେ ଯେ ନିଜେ ନ ଦେଖିଲେ ଅନୁମାନ କରି ହେବ ନାହିଁ । ବସାରେ ସମସ୍ତେ କିରାଣି–ଭୟରେ ଅନେକଙ୍କର ଜର ଆସିଗଲା–ସମସ୍ତେ ଭାବିଲେ, ଆଉ ରକ୍ଷା ନାହିଁ । ପୋଲିସ୍ ସମସ୍ତଙ୍କୁ ଧରିନେଇ ନିଶ୍ଚୟ ଫାସି ଦେବ ।

 

‘ତା’ପରେ ?’

 

ତା’ପରେ ସନ୍ଧ୍ୟା ସୁଦ୍ଧା ରାଜେନ୍‍କୁ ଓ ରାଜେନ୍‍ର ବନ୍ଧୁ ବୋଲି ମତେ ଧରିନେଇ ସେମାନେ ବାହାରିଲେ । ମତେ ଚାରିଦିନ ପରେ ଛାଡ଼ିଦେଲେ କିନ୍ତୁ ରାଜେନ୍‍ କଥା କିଛି ଜଣାପଡ଼ିଲା ନାହିଁ । ଛାଡ଼ିବା ବେଳେ ପୋଲିସ୍ ସାହେବ ମୋତେ ବାରମ୍ବାର ସ୍ମରଣ କରାଇ ଦେଇ କହିବେ–‘ୱାନ୍ ଷ୍ଟେପ୍ । ଓନ୍‍ଲି ୱାନ୍ ଷ୍ଟେପ୍–ତମ ବସାଘର ଆଉ ଏ ଜେଲ ଭିତରେ ବ୍ୟବଧାନ ରହିଲା ଓନ୍‍ଲି ୱାନ୍ ଷ୍ଟେପ୍–ଗୋ ।’ ଗଙ୍ଗାସ୍ନାନ କରି କାଳୀ ଘାଟରେ ମା କାଳୀଙ୍କୁ ଦର୍ଶନ କରି ବସାକୁ ଫେରିଆସିଲି । ସମସ୍ତେ କହିଲେ–ସତୀଶ୍‍, ତୁ ଭାଗ୍ୟବାନ । ଅଫିସକୁ ଗଲି, ସାହେବ ଡାକି ପଠାଇ ଦୁଇ ମାସର ଦରମା ହାତରେ ଧରେଇ ଦେଇ କହିଲେ–ଗୋ । ଶୁଣିଲି ଇତି ମଧ୍ୟରେ ମୋ’ପାଇଁ ଅନେକ ଖାନତଲାସ ହୋଇଯାଇଛି ।

 

ହରେନ୍ଦ୍ର ସ୍ତବ୍ଧ ହୋଇ ରହିଲା । କିଛି ସମୟ ଏଭଳି ରହି ଶେଷରେ ଧୀରେ ଧୀରେ କହିଲା–ତା’ହେଲେ ତୁ ନିଶ୍ଚୟ ଭାବୁଛୁ ଯେ–

 

ସତୀଶ୍‍ ମିନତି କରି କହିଲା–ମତେ ପଚାରିବେ ନାହିଁ । ସେ ମୋ ବନ୍ଧୁ ।

 

ହରେନ୍ଦ୍ର ଖୁସି ନ ହୋଇ କହିଲା–ସେ ତ ମୋର ବି ନିଜ ଭାଇ ପରି ।

 

ସତୀଶ୍‍ କହିଲା–ଗୋଟାଏ କଥା ଭାବି ଦେଖିବାର କଥା ଯେ ସେମାନେ ଆମକୁ ବିନା ଦୋଷରେ ଧରିନେଇଥିଲେ ସତ–ତେବେ ଛାଡ଼ି ବି ଦେଲେ ତ !

 

ହରେନ୍ଦ୍ର କହିଲା–ବିନା ଦୋଷରେ ଲାଞ୍ଛନା କରିବାଟା ତ ଆଇନସମ୍ମତ ନୁହେଁ । ଯେଉଁମାନେ ତା’ କରିପାରନ୍ତି, ସେମାନେ ଅନ୍ୟ କିଛି କରିପାରିବେନି କାହିଁକି ? ଏଇକଥା କହି ସେ କଲେଜକୁ ଚାଲିଗଲା କିନ୍ତୁ ମନେମନେ ଖୁବ୍ ଅଶାନ୍ତି ଭୋଗ କଲା । କେବଳ ରାଜେନ୍‍ର ଭବିଷ୍ୟତ ଚିନ୍ତା ନୁହେଁ, ଦେଶ କାମରେ ଦେଶର ତରୁଣମାନଙ୍କୁ ମଣିଷ ପରି ମଣିଷ ଗଢ଼ିବାକୁ ସେ ଯେ ଆୟୋଜନ କରିଛି, କାଳେ ଅକାରଣ ନଷ୍ଟ ହୋଇଯିବ–ଏହି ଭୟରେ ସେ ଚିନ୍ତିତ ହୋଇ ପଡ଼ିଲା । ହରେନ୍ଦ୍ର ସ୍ଥିର କଲା ଯେ ସତ ହେଉ ବା ମିଛ ହେଉ–ଅକାରଣ ଆଶ୍ରମ ପ୍ରତି ପୋଲିସ୍‍ର ଦୃଷ୍ଟି ଆକର୍ଷଣ କରିବା ଉଚିତ ହେବ ନାହିଁ । ବିଶେଷତଃ ରାଜେନ୍‍ ଯେତେବେଳେ ସ୍ପଷ୍ଟ ଭାବେ ଆଶ୍ରମର ନିୟମ ଲଙ୍ଘନ କରିଛି, ସେତେବେଳେ କେଉଁଠି ଚାକିରି କରାଇ ଦେଇ ହେଉ ବା ଅନ୍ୟ କୌଣସି କାରଣରେ ହେଉ, ତାହାକୁ ଏଠାରୁ ବିଦାୟ କରିଦେବା ବାଞ୍ଛନୀୟ ।

 

ଏହାର କେତେଦିନ ପରେ କୌଣସି ଗୋଟାଏ ମୁସଲମାନ ପର୍ବ ପାଇଁ କଲେଜ ଦୁଇଦିନ ଛୁଟି ଥିଲା । ସତୀଶ୍‍ କାଶୀ ଯିବା ପାଇଁ ପଚାରି ଆସିଲା । ଆଗ୍ରା ଆଶ୍ରମ ଆଦର୍ଶରେ ଭାରତର ସର୍ବତ୍ର ଅନୁଷ୍ଠାନ ଗଢ଼ିବାର ଇଚ୍ଛା ହରେନ୍ଦ୍ରର ଥିଲା ଓ ସତୀଶ୍‍ ସେଇଥିପାଇଁ କାଶୀ ଯିବା କଥା । ଏ କଥା ଶୁଣି ରାଜେନ୍‍ ଆସି କହିଲା–ହରେନ୍ ଦା, ମୁଁ ବି ତା’ ସାଙ୍ଗେ କେତେ ଦିନ ବୁଲି ଆସିବି ।

 

ହରେନ୍ଦ୍ର କହିଲା–ତା’ର କାମ ଅଛି ବୋଲି ସେ ଯାଉଛି । ତୁ କାହିଁକି ଯିବୁ ?

 

ରାଜେନ୍ଦ୍ର କହିଲା–ମୋର କାମ କିଛି ନାହିଁ ବୋଲି ମୁଁ ଯିବି । ଗାଡ଼ି ଭଡ଼ା ମୋ ପାଖେ ଅଛି ।

 

ହରେନ୍ଦ୍ର ପଚାରିଲା–ଫେରିଆସିବା ପାଇଁ ଭଡ଼ା ଅଛି ତ ?

 

ରାଜେନ୍ଦ୍ର ଚୁପ୍ ରହିଲା । ହରେନ୍ଦ୍ର କହିଲା–ରାଜେନ୍‍, କେତେ ଦିନ ହେଲା ତତେ ଗୋଟାଏ କଥା କହିବି କହିବି ହୋଇ ଆଉ କହିପାରୁନି ।

 

ରାଜେନ୍‍ ସାମାନ୍ୟ ହସି କହିଲା–କହିବାର ଆବଶ୍ୟକ ନାହିଁ, ମୁଁ ଜାଣେ । ଏହା କହି ସେ ଚାଲିଗଲା ।

 

ରାତି ଗାଡ଼ିରେ ସେମାନଙ୍କର ଯିବା କଥା । ବସାରୁ ବାହାରିଲାବେଳେ ହରେନ୍ଦ୍ର ହଠାତ୍ ରାଜେନ୍‍ ହାତରେ ଗୋଟାଏ କାଗଜ ପୁଡ଼ିଆ ଗୁଞ୍ଜିଦେଇ ଧୀରେ କହିଲା–ଫେରି ନ ଆସିଲେ ମୋର ମନରେ ଖୁବ୍ ଦୁଃଖ ହେବ ରାଜେନ୍‍ !

 

ଏହାର ଦଶ ଦିନ ପରେ ଉଭୟେ ଫେରିଆସିଲେ । ହରେନ୍ଦ୍ରକୁ ଏକୁଟିଆ ଡାକି ସତୀଶ୍‍ ଖୁସି ହୋଇ କହିଲା ଆପଣଙ୍କର ସେ ଦିନ କହିବାରେ ଅନେକ କାମ ହେଲା ହରେନ୍ ଦା । କାଶୀରେ ଆଶ୍ରମ ସ୍ଥାପନ ପାଇଁ ରାଜେନ୍‍ ଏ କେତେ ଦିନ ଅମାନୁଷିକ ପରିଶ୍ରମ କରିଛି ।

 

ହରେନ୍ଦ୍ର କହିଲା–ପରିଶ୍ରମ କଲେ ତ ସେ ଅମାନୁଷିକ ପରିଶ୍ରମ କରେ ସତୀଶ୍‍ ।

 

‘ହଁ ତା’ ସତ, ତେବେ ତା’ର ଚଉଠାଭାଗ ଯଦି ଆମର ଏଇ ଆଶ୍ରମ ପାଇଁ କରନ୍ତା ।’

 

ହରେନ୍ଦ୍ର ଆଶାନିତ ହୋଇ କହିଲା–କରିବ ସତୀଶ୍‍, କରିବ ଏତେ ଦିନ ପର୍ଯ୍ୟନ୍ତ ବୋଧହୁଏ ସେ ଜିନିଷଟା କ’ଣ–ଠିକ୍ ବୁଝି ନ ଥିଲା । ଏଣିକି ତା’ର ଯତ୍ନର ସୀମା ରହିବ ନାହିଁ ।

 

ସତୀଶ୍‍ ନିଜେ ବି ସେଇ ଭରସାରେ ରହିଲା ।

 

ହରେନ୍ଦ୍ର କହିଲା–ତମେ ଫେରିଆସିବା ପାଇଁ ମୁଁ ଗୋଟାଏ କାମ ଅଟକାଇ ରଖିଛି । ମୁଁ ମନେମନେ ସ୍ଥିର କରିଛି ଯେ ଆଉ ଆମ ଆଶ୍ରମର ଅସ୍ତିତ୍ଵ ଓ ଉଦ୍ଦେଶ୍ୟ ଗୋପନ ରଖିଲେ ଚଳିବ ନାହିଁ । ଦେଶ ଓ ଦଶର ସହାନୁଭୂତି ଲାଭ କରିବା ଆମର ପ୍ରୟୋଜନ । ଏହାର ବିଶିଷ୍ଟ କର୍ମ ପଦ୍ଧତି ସାଧାରଣରେ ପ୍ରଚାର କରିବା ଆବଶ୍ୟକ ।

 

ସତୀଶ୍‍ ସନ୍ଦିଗ୍ଧ କଣ୍ଠରେ କହିଲା–ତା’ହେଲେ କାମରେ ବାଧା ଆସିବ ନାହିଁ ?

 

ହରେନ୍ଦ୍ର କହିଲା–ନା ! ଏହି ରବିବାରରେ ମୁଁ କେତେ ଜଣଙ୍କୁ ଆମନ୍ତ୍ରଣ କରିଛି । ସେମାନେ ଦେଖିବାକୁ ଆସିବେ । ଆଶ୍ରମର ଶିକ୍ଷା, ସାଧନା, ସଂଯମ ଓ ବିଶୁଦ୍ଧତା ସନ୍ଦର୍ଶନରେ ଆମେ ଯେପରି ସେମାନଙ୍କୁ ମୁଗ୍ଧ କରିପାରିବା । ତୋ ଉପରେ ସମୁଦାୟ ଦାୟିତ୍ଵ ।

 

ସତୀଶ୍‍ ପଚାରିଲା–କିଏ କିଏ ଆସିବେ ?

 

ହରେନ୍ଦ୍ର କହିଲା–ଅଜିତ୍‍ ବାବୁ, ଅବିନାଶ ଦା ଏବଂ ନୀଳିମା ଭାଉଜ । ଶିବନାଥ ବାବୁ ବର୍ତ୍ତମାନ ଏଠାରେ ନାହାନ୍ତି–ଶୁଣିଲି ଯେ କୁଆଡ଼େ କାମରେ ବାହାରକୁ ଯାଇଛନ୍ତି । କିନ୍ତୁ ତାଙ୍କ ସ୍ତ୍ରୀ କମଳଙ୍କ ନାଁ ବୋଧହୁଏ ଶୁଣିଛୁ–ସେ ବି ଆସିବେ । ଶରୀର ସୁସ୍ଥ ଥିଲେ ଆଶୁ ବାବୁଙ୍କୁ ବି ଧରିନେଇ ଆସିପାରିବି । ଜାଣ ତ, ଏମାନେ ସବୁ ଯେ କେହି ଲୋକ ନୁହନ୍ତି । ସେ ଦିନ ଏମାନଙ୍କଠାରୁ ଆମେ ଯେପରି ପ୍ରକୃତ ଶ୍ରଦ୍ଧା ଓ ଶୁଭେଚ୍ଛା ପାଇ ପାରିବୁ । ସେ ଭାର ତୋ ଉପରେ-

 

ସତୀଶ୍‍ ବିନୟ ସହ ମୁଣ୍ଡ ନୁଆଁଇ କହିଲା–ଆଶୀର୍ବାଦ କରନ୍ତୁ । ମୁଁ ଯେପରି ସଫଳ ହେବି ।

 

ରବିବାର ସନ୍ଧ୍ୟାରେ ଅଭ୍ୟାଗତମାନେ ଆସି ଉପସ୍ଥିତ ହେଲେ–ଆସିଲେନି କେବଳ ଆଶୁ ବାବୁ । ହରେନ୍ଦ୍ର ଦ୍ଵାର ମୁହଁରୁ ସେମାନଙ୍କୁ ପାଛୋଟି ଆଣିଲା । ପିଲାମାନେ ସେତେବେଳୁ ନିତ୍ୟକର୍ମରେ ବ୍ୟାପୃତ–କିଏ ଆଲୁଅ ଜାଳୁଛି, କିଏ ଝାଡ଼ୁ ଦେଉଛି, କିଏ ଚୁଲି ଲଗାଉଛି, କିଏ ପାଣି କାଢ଼ୁଛି, କିଏ ରାନ୍ଧିବାର ବ୍ୟବସ୍ଥା କରୁଛି । ରାଜେନ୍ଦ୍ର ଅବିନାଶକୁ ଲକ୍ଷ୍ୟ କରି କହିଲା–ଦାଦା, ଏଇମାନେ ସବୁ ଆମ ଆଶ୍ରମର ପିଲା–ଯେଉଁମାନଙ୍କୁ ଆପଣ ଲକ୍ଷ୍ମୀଛଡ଼ା ବୋଲି କହନ୍ତି । ଆମର ଚାକର-ପୂଜାରୀ ନାହାନ୍ତି, ସବୁ କାମ ଏମାନେ ହାତରେ କରନ୍ତି । ଭାଉଜ, ହାଣ୍ଡିଶାଳ ଆଡ଼େ ଟିକିଏ ଆସନ୍ତୁ । ଆଜି ଆମର ପର୍ବଦିନ–ସେଆଡ଼ର ଆୟୋଜନ ଚାଲନ୍ତୁ ଦେଖି ଆସିବେ ।

 

ନୀଳିମାର ପଛେ ପଛେ ସମସ୍ତେ ଆସି ରନ୍ଧନଶାଳା ପାଖରେ ଠିଆ ହେଲେ । ଗୋଟିଏ ଦଶ ବାର ବର୍ଷର ପିଲା ଚୁଲି ଲଗାଉଥିଲା ଏବଂ ସମବୟସ୍କ ଆଉ ଗୋଟିଏ ପିଲା ପନିକିରେ ଆଳୁ କାଟୁଥିଲା–ଉଭୟେ ଠିଆହୋଇ ନମସ୍କାର କଲେ । ନୀଳିମା ସ୍ନେହଭରା କଣ୍ଠରେ ପିଲାଟିକୁ ସମ୍ବୋଧନ କରି କହିଲା–ଆଜି ତମର କ’ଣ ରନ୍ଧା ହେବ ବାପା !

 

ପିଲାଟି ପ୍ରଫୁଲ୍ଲଭାବେ ଉତ୍ତର ଦେଲା–ଆଜି ଆମର ରବିବାରରେ ଆଳୁଦମ୍ ହୁଏ ।

 

‘ଆଉ କ’ଣ ହୁଏ ?’

 

‘ଆଉ କିଛି ନାହିଁ ।’

 

ନୀଳିମା ବ୍ୟାକୁଳ କଣ୍ଠରେ ପଚାରିଲା–ଖାଲି ଆଳୁଦମ୍ ? ଡାଲି, ଝୋଳ ବା ଅନ୍ୟ କିଛି–

 

ପିଲାଟି କହିଲା–କାଲି ଆମର ଡାଲି ହୋଇଥିଲା ।

 

ସତୀଶ୍‍ ପାଖରେ ଠିଆ ହୋଇଥିଲା । ବୁଝେଇ ଦେଇ କହିଲା–ଆମ ଆଶ୍ରମରେ ଗୋଟିଏ ତରକାରୀରୁ ବେଶୀ ହେବାର ନିୟମ ନାହିଁ ।

 

ହରେନ୍ଦ୍ର ହସି କହିଲା–ହବାର ଉପାୟ ନାହିଁ ଭାଉଜ, ହେବ କେଉଁଠୁ ? ସତୀଶ୍‍ ଅନ୍ୟ ନିକଟରେ ଏଇ କଥା କହି ଆଶ୍ରମର ମର୍ଯ୍ୟାଦା ରକ୍ଷା କରେ ।

 

ନୀଳିମା ପଚାରିଲା–ଚାକର ଚାକରାଣୀ ନାହାନ୍ତି ବୋଧହୁଏ ?

 

ହରେନ୍ଦ୍ର କହିଲା–ନା । ସେମାନଙ୍କୁ ଆଣିଲେ ଆଳୁଦମ୍‍କୁ ବିଦାୟ ଦେବାକୁ ହେବ । ପିଲାମାନେ ସେଇଟା ପସନ୍ଦ କରିବେ ନାହିଁ ।

 

ନୀଳିମା ଆଉ କିଛି ପଚାରିଲା ନାହିଁ, ପିଲାଗୁଡ଼ିକୁ ଦେଖି ତା’ର ଆଖି ଛଳ ଛଳ ହୋଇ ଉଠିଲା । କହିଲା–ହରେନ୍ଦ୍ର, ଅନ୍ୟ କେଉଁଆଡ଼େ ଚାଲ, ବୁଲି ଦେଖିବା ।

 

ସମସ୍ତେ ଏ କଥାର ଅର୍ଥ ବୁଝିଲେ । ହରେନ୍ଦ୍ର ମନେମନେ ପୁଲକିତ ହୋଇ କହିଲା–ଚାଲନ୍ତୁ । ମୁଁ ଠିକ୍ ଜାଣିଥିଲି ଭାଉଜ, ଆପଣ ଏସବୁ ଦେଖି ସହି ପାରିବେ ନାହିଁ । ଏହା କହି ସେ କମଳ ଆଡ଼କୁ ଚାହିଁ କହିଲା–କିନ୍ତୁ ଆପଣ ତ ଏଥିରେ ଅଭ୍ୟସ୍ତ–ଆପଣ ନିଶ୍ଚୟ ଏହାର ସାର୍ଥକତା ବୁଝିବେ । ତେଣୁ ସେ ଦିନ ଆମର ଏହି ବ୍ରହ୍ମଚର୍ଯ୍ୟାଶ୍ରମକୁ ଆପଣକୁ ନିମନ୍ତ୍ରଣ କରୁଥିଲି ।

 

ହରେନ୍ଦ୍ରର ଗମ୍ଭୀର ମୁହଁକୁ ଚାହିଁ ହସି ଦେଇ କମଳ କହିଲା–ମୋ ନିଜ କଥା ଅଲଗା, କିନ୍ତୁ ଏଇ ଶିଶୁଗୁଡ଼ିକୁ ନେଇ ପ୍ରଚଣ୍ଡ ଆଡ଼ମ୍ବର ସହ ନିଷ୍ଫଳ ଦାରିଦ୍ର୍ୟ ଚର୍ଚ୍ଚାର ଅର୍ଥ କ’ଣ ମଣିଷ ଗଢ଼ିବା ? ଏଇମାନେ ସବୁ ବୋଧହୁଏ ବ୍ରହ୍ମଚାରୀ ? ଏମାନଙ୍କୁ ମଣିଷ କରିବାକୁ ଚାହାଁନ୍ତି ତ ସାଧାରଣ ସହଜ ବାଟ ଦେଇ କରନ୍ତୁ–ମିଛରେ ଦୁଃଖର ବୋଝ ଲଦି ଦେଇ ଏମାନଙ୍କୁ ଅକାଳରେ ପଙ୍ଗୁ କରି ଦିଅନ୍ତୁ ନାହିଁ । ତା’ କଥାର କଠୋରତାରେ ହରେନ୍ଦ୍ର ବିବ୍ରତ ହୋଇ ଉଠିଲା–ଅବିନାଶ ବାବୁ କହିଲେ–କମଳକୁ ଡାକି ଆଣିବା ତମର ଉଚିତ ହେଇନି ହରେନ୍ଦ୍ର ।

 

କମଳ ଲଜ୍ଜିତ ହୋଇ କହିଲା–ସତରେ, ମତେ ଡାକିବା କାହାର ଉଚିତ ନୁହେଁ ।

 

ନୀଳିମା କହିଲା–ମୁଁ ସେ ଭିତରେ ନାହିଁ କମଳ, ମୋ ଘରେ ତମର କେବେ ଅନାଦର ହେବ ନାହିଁ । ଚାଲ, ଆମେ ଉପରେ ଯାଇ ବସିବା । ଦେଖି, ହରେନ୍ଦ୍ରଙ୍କ ଆଶ୍ରମରେ ଆଉ କ’ଣ କ’ଣ ହଟଚମଟ ଅଛି ।

 

ଦିମହଲାରେ ବସିବା ଘରଟି ବେଶ୍ ପ୍ରଶସ୍ତ । ଛାତ ଓ କାନ୍ଥରେ ପୁରାତନ କାରୁକାର୍ଯ୍ୟ ବିଦ୍ୟମାନ । ବସିବା ପାଇଁ ତିନି ଚାରିଟି ଚୌକି, ଖଣ୍ଡିଏ ବେଞ୍ଚ ଅଛି, କିନ୍ତୁ ସାଧାରଣତଃ କେହି ସେଥିରେ ବସେ ନାହିଁ । ଚଟାଣରେ ସତରଞ୍ଜି ପଡ଼ିଛି । ଆଜିର ବିଶେଷତ୍ଵ ଏହି ଯେ ପଡ଼ିଶା ଲାଲାଜୀଙ୍କ ଘରୁ କେତେଟା ମୋଟା ତକିଆ ମଗା ହୋଇ ଅଣାଯାଇଛି । ମଝିରେ ତାଙ୍କ ଘରର ନୀଳ ଲଣ୍ଠନଟି ଜଳୁଛି । ତଳର ଅନ୍ଧାର ଓ ଆନନ୍ଦହୀନ ଆବହାୱାରୁ ଆସି ଏଇ ଘରେ ପହଞ୍ଚି ସମସ୍ତେ ଖୁସି ହେଲେ ।

 

ଅବିନାଶ ଗୋଟାଏ ତକିଆ ଆଶ୍ରୟ କରି ଗୋଡ଼ ଦୁଇଟା ଲମ୍ବାଇ ଦେଇ ତୃପ୍ତି ସହ କହିଲେ–ଓଃ, ରକ୍ଷା ମିଳିଗଲା !

 

ହରେନ୍ଦ୍ର ମନେମନେ ପୁଲକିତ ହୋଇ କହିଲା–ଆମ ଆଶ୍ରମର ଏ ଘରଟି ଆପଣଙ୍କୁ କିମିତି ଲାଗୁଛି ଦାଦା !

 

ଅବିନାଶ କହିଲେ–ଏଇତ ମୁସ୍କିଲରେ ପକେଇଲୁ ହରେନ୍ । କମଳ ଉପସ୍ଥିତ ଅଛନ୍ତି, ତାଙ୍କ ସାମ୍ନାରେ କାହାକୁ ଭଲ କହିବାକୁ ସାହସ ହୁଏନା–ହୁଏତ ସୁତୀକ୍ଷ୍ଣ ଯୁକ୍ତି ସହ ଏକ୍ଷଣି ପ୍ରମାଣ କରିଦେବେ ଯେ ଛାତର ନକ୍ସାଠାରୁ ଚଟାଣର ଗାଲିଚା ପର୍ଯ୍ୟନ୍ତ ସବୁ ଖରାପ ! ତା’ପରେ କମଳ ମୁହଁକୁ ଚାହିଁ ହସି ହସି କହିଲେ–ମୋର ଆଉ କିଛି ସମ୍ବଳ ଥାଉ ବା ନ ଥାଉ କମଳ, ଅନ୍ତତଃ ବୟସର ପୁଞ୍ଜିଟା ଯେ ଜମେଇ ପାରିଛି, ଏ କଥା ତୁମେ ମାନିବ । ସେଇ ଜୋରରେ ତୁମକୁ ଗୋଟାଏ କଥା କହିରଖେ–ସତକଥା ଅନେକ ସମୟରେ ଅପ୍ରିୟ ହୁଏ, ତା’ ଅସ୍ଵୀକାର କରୁନି, କିନ୍ତୁ ତା’ବୋଲି ସବୁ ଅପ୍ରିୟ କଥା ସତ୍ୟ ନୁହେଁ । ଶିବନାଥ ତମକୁ ଅନେକ କଥା ଶିଖେଇଛି, କେବଳ ଦେଖୁଛି ଏଇ କଥାଟି ଶିଖେଇ ପାରିନାହିଁ ।

 

କମଳର ମୁହଁ ଲାଲ ହୋଇଗଲା । ସେ କିଛି ଜବାବ୍ ଦେଲା ନାହିଁ; କିନ୍ତୁ ଏ କଥାର ଉତ୍ତର ଦେଲା ନୀଳିମା । କହିଲା–ଶିବନାଥର ଏଟା ଦୋଷ ହୋଇଛି ମୁଖାର୍ଜି ମହାଶୟ, ତାକୁ ଆମେ ଧରି ଜରିମାନା ଅସୁଲ୍ କରିବୁ ନିଶ୍ଚୟ । କିନ୍ତୁ ଗୁରୁଗିରିରେ ଅନ୍ୟ କେହି ପୁରୁଷ ତ କମ୍ ନୁହେଁ । ତେଣୁ ପ୍ରାର୍ଥନା କରାଯାଉଛି ଯେ ଆପଣଙ୍କ ବୟସର ପୁଞ୍ଜିରୁ ଗୋଟାଏ ଦୁଇଟା ପ୍ରିୟବାକ୍ୟ ବାହାର କରନ୍ତୁ–ଆମେ ଶୁଣି ଧନ୍ୟ ହେବୁ ।

ଅବିନାଶ ଭିତରେ ଭିତରେ ରାଗରେ ଜଳିବାକୁ ଲାଗିଲେ ଏତେ ଲୋକଙ୍କ ମଝିରେ କେବଳ ଉପହସିତ ହେବାରୁ ନୁହେଁ, ଏଇ ବକ୍ରୋକ୍ତି ଭିତରେ ଯେ ତୀକ୍ଷ୍ଣତା ଥିଲା, ତାହା ତାଙ୍କ ଅନ୍ତରରେ ବାଜିଲା । କିଛିଦିନ ଧରି ନୀଳିମା ଓ ତାଙ୍କ ମଧ୍ୟରେ କି ଗୋଟାଏ ଅସନ୍ତୋଷର ବାତ୍ୟା ଦେଖା ଦେଇଥିଲା । ହରେନ୍ଦ୍ର ଉଦ୍ଦେଶ୍ୟରେ ଅବିନାଶ ବାବୁ କହିଲେ–ରାଗ କରୁନି ହରେନ୍, ତୋ ଭାଉଜ ତ ନିହାତି ମିଛ କଥା କହିନାହାନ୍ତି । ମତେ ଚିହ୍ନିବାକୁ ତ ତାଙ୍କର ଆଉ ବାକି ନାହିଁ । ସେ ଠିକ୍ ଜାଣନ୍ତି–ମୋର ପୁଞ୍ଜିପଟା ସବୁ ପୁରୁଣାକାଳିଆ, ସେ ଜିନିଷ ଖାଣ୍ଟି ହେଲେ ବି ଚକ୍‍ଚକ୍‍ ନୁହେଁ-

ହରେନ୍ଦ୍ର ପଚାରିଲା–ଏ କଥାର ମାନେ କ’ଣ ଦାଦା ?

ଅବିନାଶ କହିଲେ–ତୁ ସନ୍ୟାସୀ ମଣିଷ, ତୁ ବୁଝିପାରିବୁ ନାହିଁ । ନୀଳିମା ଯେପରି କମଳର ଭକ୍ତ ହୋଇ ଉଠିଛନ୍ତି, ଆଶାକରୁଛି ଯେ ତା’ର ଅଭିଜ୍ଞତା କାମରେ ଲଗେଇଲେ ତାଙ୍କ ନିଜ ପାଇଁ ବାଟ ଛାଏଁ ପରିଷ୍କାର ହୋଇଯିବ ।

ହରେନ୍ଦ୍ର ହାତଯୋଡ଼ି କ୍ଷୁବ୍ଧ କଣ୍ଠରେ କହିଲା–ଦାଦା, ଆପଣମାନେ ସମସ୍ତେ ଆଜି ମୋର ଅତିଥି । କମଳଙ୍କୁ ମୁଁ ସମ୍ମାନ ସହ ଏଠିକି ନିମନ୍ତ୍ରଣ କରି ଆଣିଛି, ଏ କଥା ଆପଣମାନେ ଭୁଲିଗଲେ ଚଳିବ ନାହିଁ ।

ନୀଳିମା କହିଲା–ହରେନ୍ଦ୍ର, ଏ କଥା ବି ଦୟାକରି ଦାଦାଙ୍କୁ ଜଣାଇ ଦିଅ ଯେ ମୁଁ ତାଙ୍କର ଗୃହିଣୀ ନୁହେଁ–ତେଣୁ ମୋତେ ଶାସନ କଲାବେଳେ ମାତ୍ରାଜ୍ଞାନ ଥିବା ଉଚିତ । ମୋ ଆଡ଼ୁ ମୁଖାର୍ଜି ମହାଶୟଙ୍କ ଅଭିଜ୍ଞତାର ଭଣ୍ଡାରରେ ଏଇ ସାମାନ୍ୟ ଜ୍ଞାନ ଜମା ରହୁ–ଭବିଷ୍ୟତରେ କାମରେ ଲାଗିବ ।

ହରେନ୍ଦ୍ର ହାତ ଯୋଡ଼ି କହିଲା–ରକ୍ଷା କରନ୍ତୁ ଭାଉଜ, ଯେତେ ଅଭିଜ୍ଞତାର ଲଢ଼ାଇ, ସବୁ କ’ଣ ମୋ ବସାକୁ ଆସି ହେବାର ଥିଲା ? ଯାହା ବାକି ରହିଲା–ରହୁ, ଘରକୁ ଯାଇ ସମାଧାନ କରିନେବେ । ଯେଉଁ ଆଶଙ୍କାରେ ଅକ୍ଷୟକୁ ଡାକିଲି ନାହିଁ, ସେୟା ମୋ ଭାଗ୍ୟରେ ଶେଷପର୍ଯ୍ୟନ୍ତ ଜୁଟିଲା ।

ଶୁଣି ଅଜିତ୍‍ ଓ କମଳ ଉଭୟେ ହସି ପକାଇଲେ ।

ହରେନ୍ଦ୍ର ପଚାରିଲା–ଅଜିତ୍‍ ବାବୁ, ଆପଣ କୁଆଡ଼େ କାଲି ଘରକୁ ଚାଲି ଯାଉଛନ୍ତି ?

‘ଆପଣ କାହାଠାରୁ ଶୁଣିଲେ ?’

ଆଶୁ ବାବୁଙ୍କୁ ଆଣିବାକୁ ଯାଇଥିଲି । ସେ କହିଲେ ଆପଣ କାଲି ଯାଉଛନ୍ତି ।

ଅଜିତ୍‍ କହିଲା–ବୋଧହୁଏ ଯିବି, କିନ୍ତୁ କାଲି ନୁହେଁ, ପରଦିନ ଏବଂ ଘରକୁ ଯିବି କି ନାହିଁ ସ୍ଥିର ନାହିଁ । ଉପର ବେଳା ଯାଇ ଷ୍ଟେସନରେ ପହଞ୍ଚିବି–ଉତ୍ତର-ଦକ୍ଷିଣ ପୂର୍ବ-ପଶ୍ଚିମ ଯେଉଁ ଆଡ଼କୁ ଗାଡ଼ି ପାଇବି, ସେଆଡ଼େ ଯିବ ।

 

ହରେନ୍ଦ୍ର ହସି ହସି କହିଲା–ଅନେକଟା ସାଧୁ ସନ୍ୟାସୀଙ୍କ ପରି; ଗନ୍ତବ୍ୟ ସ୍ଥଳ ସ୍ଥିର ନାହିଁ-

 

ଅଜିତ୍‍ କହିଲା–ଠିକ୍ ସେୟା ।

 

‘ଫେରିଆସିବେ କେବେ ?’

 

‘ତା’ର ବି କିଛି ଠିକ୍ ଠିକଣା ନାହିଁ ।’

 

ହରେନ୍ଦ୍ର କହିଲା–ଅଜିତ୍‍ ବାବୁ, ଆପଣ ଭାଗ୍ୟବାନ ଲୋକ । ବୋଝ ବୋହିବା ପାଇଁ ଯଦି ଆପଣଙ୍କର ଜଣେ କୁଲି ଦରକାର ହୁଏ, ମୁଁ ଜଣେ ଲୋକ ଦେଇପାରିବି । ବିଦେଶରେ ତା’ ପରି ଜଣେ ବନ୍ଧୁ ପାଇବେ ନାହିଁ ।

 

କମଳ କହିଲା–ଆଉ ରାନ୍ଧିବା ପାଇଁ ଲୋକ ଦରକାର ହେଲେ ମୁଁ ବି ଜଣଙ୍କୁ ଦେଇପାରିବି–ତା’ ଭଳି ଆଉ ଜଣେ ମିଳିବା ଦୁଷ୍କର । ଆପଣ ବି ସ୍ଵୀକାର କରିବେ ଯେ ତା’ର ଅହଙ୍କାର କରିବାର ଦାବି ଅଛି ।

 

ଅବିନାଶଙ୍କୁ ଆଉ କିଛି ଭଲ ଲାଗୁ ନ ଥିଲା । କହିଲେ–ହରେନ୍ ଆଉ ଡେରି କାହିଁକି ? ଏଥର ଫେରିବାର ବ୍ୟବସ୍ଥା କରାଯାଉ । ନା, କ’ଣ କହୁଛୁ ?

 

ହରେନ୍ଦ୍ର ବିନୟ ସହକାରେ କହିଲା–ପିଲାମାନଙ୍କ ସାଙ୍ଗରେ ଟିକେ କଥାବାର୍ତ୍ତା ହେବେନି ? ତାଙ୍କୁ କିଛି ଉପଦେଶ ଦେଇଯିବେ ତ ।

 

ଅବିନାଶ କହିଲେ–ଉପଦେଶ ଦେବାକୁ ତ ମୁଁ ଆସିନି ହରେନ୍ଦ୍ର, ଏମାନଙ୍କ ସାଥିରେ କେବଳ ଆସିଥିଲି । ଆଉ ବୋଧହୁଏ ରହିବା ଦରକାର ନାହିଁ ।

 

ସତୀଶ୍‍ ଅନେକଗୁଡ଼ିଏ ପିଲାଙ୍କୁ ଧରି ଆସି ପହଞ୍ଚିଲା । ଦଶ ବାର ବର୍ଷର ବାଳକଠାରୁ କୋଡ଼ିଏ ବର୍ଷର ଯୁବକ ପର୍ଯ୍ୟନ୍ତ ସେଥିରେ ଅଛନ୍ତି । ଶୀତ ଦିନ, ଅଥଚ ସମସ୍ତଙ୍କ ଦେହରେ ଖଣ୍ଡିଏ ଲେଖାଏଁ ଜାମା । କାହାର ପାଦରେ ଯୋତା ନାହିଁ । ଆହାରର ବ୍ୟବସ୍ଥା ତ ଆଗରୁ ଦେଖାଯାଇଛି । ବ୍ରହ୍ମଚର୍ଯ୍ୟାଶ୍ରମରେ ଏ ସମସ୍ତ ଶିକ୍ଷାର ଅଙ୍ଗ । ହରେନ୍ଦ୍ର ଆଗରୁ ଗୋଟିଏ ସୁନ୍ଦର ବକ୍ତୃତା ରଚନା କରିଥିଲା–ମନେମନେ ତାହାକୁ ଆବୃତ୍ତି କରି କହିଲା–ଏହି ପିଲାମାନେ ଦେଶ କାମରେ ଜୀବନ ଉତ୍ସର୍ଗ କରିଛନ୍ତି । ଆଶ୍ରମରେ ଏହି ମହତ୍ ଆଦର୍ଶ ଯେପରି ଗ୍ରାମେ ଗ୍ରାମେ, ସହର ନଗରରେ ଏମାନେ ପ୍ରଚାର କରିପାରିବେ, ସେଥିପାଇଁ ଆପଣମାନଙ୍କ ଆଶୀର୍ବାଦ ଭିକ୍ଷା କରୁଛି ।

 

ସମସ୍ତେ ମୁକ୍ତ କଣ୍ଠରେ ଆଶୀର୍ବାଦ କଲେ ।

 

ହରେନ୍ଦ୍ର କହିଲା–ଯଦି ସମୟ ପାଏ, ତେବେ ମୁଁ ସବୁ କଥା ପରେ କହିବି । ଏହା କହି ସେ କମଳକୁ ଚାହିଁ କହିଲା–ଆଜି ଆମେ ଆପଣଙ୍କୁ ନିମନ୍ତ୍ରଣ କରି ଆଣିଛୁ ବିଶେଷ କରି ଆପଣଙ୍କଠାରୁ କିଛି ଶୁଣିବୁ ବୋଲି । ପିଲାମାନେ ବଡ଼ ଆଶା କରିଛନ୍ତି ଯେ ଆପଣଙ୍କ ମୁହଁରୁ ଏପରି କିଛି ଶୁଣିବେ ଯାହା ତାଙ୍କ ଜୀବନରେ ପାଥେୟ ସ୍ୱରୂପ ରହିବ ।

 

କମଳ ସଙ୍କୋଚ ଓ ଦ୍ଵିଧାରେ ଆରକ୍ତ ହୋଇଗଲା । କହିଲା–ମୁଁ ତ ବକ୍ତୃତା ଦେଇପାରେନା ହରେନ୍ ବାବୁ ।

ସତୀଶ୍‍ କହିଲା–ବକ୍ତୃତା ନୁହେଁ, ଉପଦେଶ । ଦେଶ ପାଇଁ କାମ କରିବାକୁ ଯାହା ସେମାନଙ୍କୁ ସାହାଯ୍ୟ କରିବ ।

କମଳ ତାକୁ ପଚାରିଲା–ଦେଶ କାମ କହିଲେ ଆପଣ କ’ଣ ବୁଝନ୍ତି କହନ୍ତୁ ତ !

ସତୀଶ୍‍ କହିଲା–ଯେଉଁଥିରେ ଦେଶର ସର୍ବାଙ୍ଗୀନ ଉନ୍ନତି ହେବ, ତାହା ହିଁ ଦେଶ କାମ-

କମଳ କହିଲା–କିନ୍ତୁ କଲ୍ୟାଣର ଧାରଣା ସମସ୍ତଙ୍କର ତ ସମାନ ନୁହେଁ । ଆପଣଙ୍କ ସଙ୍ଗେ ମୋ ଧାରଣା ଯଦି ନ ମିଶେ, ତେବେ ମୋ ଉପଦେଶ ତ ଆପଣଙ୍କର କୌଣସି କାମରେ ଲାଗିବ ନାହିଁ ।

ସତୀଶ୍‍ ମୁସ୍କିଲରେ ପଡ଼ିଲା । ଏ କଥାର ଠିକ୍ ଉତ୍ତର ସେ ଖୋଜି ପାଇଲା ନାହିଁ । ତାକୁ ଏ ବିପଦରୁ ଉଦ୍ଧାର କରିବା ପାଇଁ ହରେନ୍ଦ୍ର କହିଲା–ଯାହାଦ୍ଵାରା ଦେଶର ମୁକ୍ତି ସାଧିତ ହେବ, ତାହା ହିଁ ଦେଶର ଏକମାତ୍ର କଲ୍ୟାଣ । ଦେଶରେ ଏ ସତ୍ୟ କିଏ ବା ଅସ୍ୱୀକାର କରିବ ?

କମଳ କହିଲା ନା, ହରେନ୍ ବାବୁ–କହିବାକୁ ଭୟ ଲାଗୁଛି, ସମସ୍ତେ ଚିଡ଼ି ଉଠିବେ । ନ ହେଲେ ମୁଁ କହିବି ଯେ ଏହି ‘ମୁକ୍ତି’ ପରି ଭଳିଯିବା ପାଇଁ ବା ଭୁଲେଇବା ପାଇଁ ଶବ୍ଦ ଆଉ ନାହିଁ । କେଉଁଥିରୁ ମୁକ୍ତି ? ତ୍ରିବିଧ ଦୁଃଖରୁ ନା ଭବବନ୍ଧନରୁ ? କାହାକୁ ଦେଶ ପାଇଁ ଏକମାତ୍ର ମୁକ୍ତି ବୋଲି ସ୍ଥିର କରି ଆଶ୍ରମ ପ୍ରତିଷ୍ଠା କରିଛନ୍ତି କହନ୍ତୁ ତ ? ଏୟା କ’ଣ ଆପଣଙ୍କ ସ୍ଵଦେଶ ସେବାର ଆଦର୍ଶ-?

ହରେନ୍ଦ୍ର ବ୍ୟସ୍ତ ହୋଇ କହିଲା–ନା, ନା, ସେ ସବୁ ନୁହେଁ, ସେ ସବୁ ଆମର ଉଦ୍ଦେଶ୍ୟ ନୁହେଁ ।

କମଳ କହିଲା–ତା’ହେଲେ କହନ୍ତୁ–ସେ ସବୁ ଆପଣଙ୍କର କାମ୍ୟ ନୁହେଁ, କହନ୍ତୁ ଆପଣଙ୍କର ଆଦର୍ଶ ସ୍ଵତନ୍ତ୍ର; କହନ୍ତୁ ଯେ ସଂସାରରେ ତ୍ୟାଗ ଓ ଧୈର୍ଯ୍ୟର ସାଧନା ଆପଣଙ୍କର ନୁହେଁ, ଆପଣଙ୍କ ସାଧାନା ପୃଥବୀର ସମସ୍ତ ଐଶ୍ୱର୍ଯ୍ୟ, ସମସ୍ତ ପ୍ରାଣବତ୍ତା ନେଇ ବଞ୍ଚି ରହିବା; କିନ୍ତୁ ସେଥିପାଇଁ କ’ଣ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି ? ଦେହରେ ଖଣ୍ଡେ ଜାମା ନାହିଁ, ପାଦରେ ଯୋତା ନାହିଁ–ପିନ୍ଧିବା ପାଇଁ ଚିରାଲୁଗା, ମୁଣ୍ଡରେ ବାଳ ଫୁରୁଫୁରୁ ଉଡ଼ୁଛି । ଓଳିଏ ଓପାସ ରହି ଯେଉଁମାନେ ଖାଲି ଅସ୍ୱୀକାର ମଧ୍ୟରେ ବଢ଼ି ଆସିଛନ୍ତି, ପାଇବାର ଆନନ୍ଦ ଯେଉଁମାନଙ୍କ ଭିତରେ ନିଶ୍ଚିହ୍ନ ହୋଇଗଲାଣି, ଆପଣ କ’ଣ ଭାବୁଛନ୍ତି ଦେଶର ଲକ୍ଷ୍ମୀଭଣ୍ଡାରର ଚାବି ଏଇମାନଙ୍କ ଜରିଆରେ ମିଳିବ ? ହରେନ୍ ବାବୁ, ସମଗ୍ର ପୃଥିବୀକୁ ଥରେ ଚାହିଁ ଦେଖନ୍ତୁ–ଯେଉଁମାନେ ଅନେକ ପାଇଛନ୍ତି ସେମାନେ ସହଜରେ ଦେଇଛନ୍ତି–ଏମିତି ଅକିଞ୍ଚନତାର ସ୍କୁଲ ଖୋଲି ସେମାନେ ତ୍ୟାଗର ଗ୍ରାଜୁଏଟ୍ ତିଆରି କରି ନାହାନ୍ତି ।

ସତୀଶ୍‍ ହତବୁଦ୍ଧି ହୋଇ କହିଲା–ଦେଶର ମୁକ୍ତି ସଂଗ୍ରାମରେ କ’ଣ ଧର୍ମର ସାଧନା, ତ୍ୟାଗ ଦୀକ୍ଷାର ପ୍ରୟୋଜନ ନାହିଁ ?

କମଳ କହିଲା–ମୁକ୍ତି ସଂଗ୍ରାମ ଅର୍ଥ ପ୍ରଥମେ ପରିଷ୍କାର ହେଉ ।

ସତୀଶ୍‍ ଇତସ୍ତତଃ ହେବାକୁ ଲାଗିଲା । କମଳ ସାମାନ୍ୟ ହସି କହିଲା–ମୁଁ ଭାବୁଛି, ଆପଣ ବୋଧହୁଏ ବିଦେଶୀ ରାଜଶକ୍ତିର ବନ୍ଧନ ମୋଚନକୁ ଦେଶର ମୁକ୍ତି ସଂଗ୍ରାମ ବୋଲି କହୁଛନ୍ତି । ତା’ ଯଦି ହେଇଥାଏ ସତୀଶ୍‍ ବାବୁ, ତା’ହେଲେ ମୁଁ ଆପଣଙ୍କୁ କହି ରଖୁଛି ଯେ ମୁଁ ଧର୍ମସାଧନା କରେନି କିମ୍ବା ତ୍ୟାଗର ଦୀକ୍ଷା ନେଇନି; ତଥାପି ଆପଣ ମତେ ଯୁଦ୍ଧବେଳେ ଆଗୁଆ ଦଳରେ ଦେଖିବାକୁ ପାଇବେ । କିନ୍ତୁ ଆପଣମାନଙ୍କୁ ଖୋଜିଲେ ପାଇବି ତ ?

ସତୀଶ୍‍ କଥା କହିଲା ନାହିଁ, ହଠାତ୍ ଯେପରି ବିବ୍ରତ ହୋଇ ଉଠିଲା । ତା’ର ଚଞ୍ଚଳ ଦୃଷ୍ଟିର ଅନୁସରଣ କରି କମଳ କିଛି ସମୟ ଧରି ଚାହିଁ ରହିଲା । ଏହି ଲୋକଟି ରାଜେନ୍ଦ୍ର । କେତେବେଳେ ଯେ ନିଃଶବ୍ଦରେ ଆସି ଦୁଆର ପାଖେ ଠିଆ ହୋଇଥିଲା ତା’ ସତୀଶ୍‍ ବ୍ୟତୀତ ଅନ୍ୟ କେହି ଲକ୍ଷ୍ୟ କରି ନାହିଁ । ଲୋକଟିର ଚେହେରା ଥରେ ଦେଖିଲେ ଭୁଲିବା ସହଜ ନୁହେଁ । ବୟସ ବୋଧହୁଏ ୨୫ ।୨୬ ହେବ, ରଙ୍ଗ ଅତିଶୟ ଫର୍ସା; ହଠାତ୍ ଦେଖିଲେ ଅସ୍ଵାଭାବିକ ମନେହୁଏ । ବିସ୍ତୃତ କପାଳ, ଏଇ ବୟସରୁ ମୁଣ୍ଡ ଉପରେ ଚନ୍ଦା ହୋଇଗଲାଣି । ଆଖି ଗଭୀର ଏବଂ ଅତି କ୍ଷୁଦ୍ର–ଓଠ ବେଶ୍ ଚଉଡ଼ା, ତହିଁରେ ଦୃଢ଼ ସଂକଳ୍ପର ଛାପ ସୁସ୍ପଷ୍ଟ । ହଠାତ୍ ଦେଖିଲେ ଭୟ ହୁଏ–ମନେହେବ ସେ ଏଭଳି ଲୋକକୁ ଏଡ଼ାଇ ଚଳିବା ଭଲ ।

ହରେନ୍ଦ୍ର କହିଲା–ଏଇ ମୋର ବନ୍ଧୁ–କେବଳ ବନ୍ଧୁ ନୁହେଁ ଛୋଟ ଭାଇ ପରି । ଏତେ ବଡ଼ କର୍ମୀ, ସ୍ଵଦେଶ ଭକ୍ତ ଓ ଭୟଶୂନ୍ୟ ସାଧୁଚିତ୍ତ ସୁପୁରୁଷ ମୁଁ କେଉଁଠି ଦେଖିନାହିଁ । ଭାଉଜ, ଏହାରି ବିଷୟ ସେ ଦିନ ମୁଁ ତମକୁ କହୁଥିଲି । ଆଶ୍ଚର୍ଯ୍ୟ ବ୍ୟକ୍ତି । ଅଜିତ୍‍ ବାବୁ, ଏହାକୁ ଆପଣଙ୍କ ସାଙ୍ଗରେ ମାଲପତ୍ର ଧରି ଯିବାପାଇଁ ମୁଁ କହୁଥିଲି ।

ଅଜିତ୍‍ କିଛି କହିବା ପୂର୍ବରୁ ଗୋଟିଏ ପିଲା ଆସି ଖବର ଦେଲା–ଅକ୍ଷୟ ବାବୁ ଆସିଛନ୍ତି-

ହରେନ୍ଦ୍ର ବିସ୍ମିତ ହୋଇ କହିଲା–ଅକ୍ଷୟ ବାବୁ ?

ଅକ୍ଷୟ ଘରେ ପ୍ରବେଶ କରି କହିଲେ–‘ହଁ, ହଁ, ତମର ପରମ ବନ୍ଧୁ ଅକ୍ଷୟକୁମାର ।’ ହଠାତ୍ ଚମକି ପଡ଼ି କହି ଉଠିଲେ–ଏଁ, ଘଟଣା କ’ଣ ? ସମସ୍ତେ ଏଇଠି ! ଆଶୁ ବାବୁଙ୍କ ସାଙ୍ଗରେ ବୁଲି ଯାଇଥିଲି ଯେ ସେ ବାଟରେ ଓହ୍ଲାଇ ଦେଲେ । ଏଇବାଟେ ଯାଉଥିଲି–ହଠାତ୍ ମନେହେଲା–ହରି ଘୋଷର ଗୋଶାଳାଟା ବୁଲିଯାଏ । ଯା’ହେଉ ବେଶ୍ ହେଲା ।

ଅକ୍ଷୟ ବାବୁଙ୍କୁ କେହି ଉତ୍ତର ଦେଲେ ନାହିଁ, କାରଣ ଉତ୍ତର ଦେବାର କିଛି ନ ଥିଲା ଏବଂ କେହି ବିଶ୍ଵାସ ବି କଲେ ନାହିଁ । ଏଇଟା ଅକ୍ଷୟ ବାବୁଙ୍କର ବାଟ ନୁହେଁ ଏବଂ ସେ ସାଧାରଣତଃ ଏ ରାସ୍ତାରେ ଆସନ୍ତି ନାହିଁ ।

ଅକ୍ଷୟ ବାବୁ କମଳ ପ୍ରତି ଚାହିଁ କହିଲେ–ତମ ଘରକୁ କାଲି, ସକାଳେ ଯିବି ବୋଲି ଭାବୁଥିଲି କିନ୍ତୁ ତମ ଘର ତ ଚିହ୍ନି ନାହିଁ । ଭଲହେଲା ଯେ ଦେଖା ହୋଇଗଲା । ଗୋଟାଏ ସୁସମ୍ବାଦ ଅଛି ।

କମଳ ନିଃଶବ୍ଦରେ ଚାହିଁ ରହିଲା । ହରେନ୍ଦ୍ର ପଚାରିଲା–ସୁସମ୍ବାଦଟା କ’ଣ ଶୁଣେ ? ଶୁଭ ଯେତେବେଳେ, ନିଶ୍ଚୟ ଗୋପନୀୟ ନୁହେଁ ।

 

ଅକ୍ଷୟ ବାବୁ କହିଲେ–ନା, ଗୋପନ କରିବାର କ’ଣ ଅଛି ? ବାଟରେ ଆଜି ସେ ସିଲାଇ କଳ ବିକ୍ରି କରିବାବାଲା ଲୋକ ସାଥିରେ ଦେଖା ହେଲା । ସେଇ ଯିଏ ସେ ଦିନ କମଳ ତରଫରୁ ଟଙ୍କା ମାଗିବାକୁ ଯାଇଥିଲା । ଗାଡ଼ି ଅଟକାଇ ଘଟଣାଟା ପୂରା ଶୁଣିଲି । କମଳକୁ ଦେଖାଇ କହିଲେ–ଏ ଧାରରେ ଗୋଟାଏ ସିଲେଇ କଳ କିଣି ଫତୁଆ ପ୍ରଭୃତି ତିଆରି ଖରଚ ଚଳାଉଥିଲେ–ଶିବନାଥ ତ ବେଶ୍ ଆତ୍ମଗୋପନ କରି ଅଛନ୍ତି । କିନ୍ତୁ ମେସିନ୍ ପାଇଁ ଦାମ୍‍ ତ ଦରକାର । ସେ ମେସିନ୍‍ଟା ନେଇ ଯାଇଛି । କମଳ, କାଲି ସକାଳେ ଲୋକ ପଠାଇ ସେଟା ନେଇ ଆସ । ଖାଇବା ପିନ୍ଧିବା ନ ଚଳିଲେ ଆମମାନଙ୍କୁ ତ ସେ କଥା କହିପାରିଥାନ୍ତ ।

 

ତା’ କଥାର ନିଷ୍ଠୁରତାରେ ସମସ୍ତେ ମର୍ମାହତ ହେଲେ । କମଳର ଶୀର୍ଣ୍ଣ ପାଣ୍ଡୁର ମୁହଁର କାରଣ କ’ଣ ଜାଣିପାରି ଅବିନାଶ ମଧ୍ୟ ଲଜ୍ଜିତ ବୋଧ କଲେ ।

 

କମଳ ମୃଦୁ କଣ୍ଠରେ କହିଲା–ମୋର କୃତଜ୍ଞତା ଜଣାଇ ତାଙ୍କୁ ସେଟା ଫେରାଇ ଦେବାକୁ କହିବେ । ଆଉ ମୋର ଆବଶ୍ୟକ ହେବ ନାହିଁ ।

 

‘କାହିଁକି ?’

 

ହରେନ୍ଦ୍ର କହିଲା–ଅକ୍ଷୟ ବାବୁ, ଆପଣ ଏ ଘରୁ ବାହାରି ଯା’ନ୍ତୁ । ଆପଣଙ୍କୁ ମୁଁ ଡାକି ଆଣିନି–ଆପଣ ଯେ ଆସନ୍ତୁ ସେ କଥା ଇଚ୍ଛା କରିନି–ତଥାପି ଆପଣ ଆସିଲେ । ମଣିଷର ପଶୁତ୍ଵର କ’ଣ ସୀମା ନାହିଁ ?

 

କମଳ ମୁହଁ ଟେକି ଦେଖିଲା ଯେ ଅଜିତ୍‍ର ଆଖି ଲୁହରେ ଢଳ ଢଳ ହେଉଛି । କହିଲା–ଅଜିତ୍‍ ବାବୁ, ଆପଣଙ୍କର ଗାଡ଼ି ଅଛି, ଦୟାକରି ମୋତେ ଘରେ ପହଞ୍ଚାଇ ଦେବେ ?

 

ଅଜିତ୍‍ କଥା କହି ପାରିଲା ନାହିଁ, କେବଳ ମୁଣ୍ଡ ହଲାଇ ସମ୍ମତି ଜଣାଇଲା ।

 

କମଳ ନୀଳିମାଙ୍କୁ ନମସ୍କାର କରି କହିଲା–ଆଉ ବୋଧହୁଏ ଶୀଘ୍ର ଦେଖା ହେବ ନାହିଁ, ମୁଁ ଏଇଠାରୁ ଚାଲି ଯାଉଛି ।

 

କେଉଁଠିକି ଯିବ–ଏ କଥା କେହି ପଚାରିବାକୁ ସାହସ କଲେ ନାହିଁ, ନୀଳିମା ତା’ ହାତଟିକୁ ଟାଣିଆଣି କିଛି ସମୟ ପାଇଁ ଧରି ରଖିଲା ଓ ତା’ପରେ କମଳ ହରେନ୍ଦ୍ର କୁ ନମସ୍କାର କରି ଅଜିତ୍‍ ପଛେ ପଛେ ଘରୁ ବାହାରି ଗଲା ।

 

(ପନ୍ଦର)

 

ମୋଟରରେ ବସି କମଳ ଆକାଶ ଆଡ଼କୁ ଅନ୍ୟମନସ୍କ ଭାବେ ଚାହିଁ ରହିଥିଲା । ଗାଡ଼ି ଅଟକିବାରୁ ଚାରିଆଡ଼କୁ ଚାହିଁ ପଚାରିଲା–ଏଠିକି କାହିଁକି ଆସିଲେ ଅଜିତ୍‍ ବାବୁ, ଏ ତ ମୋ ଘରବାଟ ନୁହେଁ ।

 

ଅଜିତ୍‍ କହିଲା–ନା, ଏ ବାଟ ନୁହେଁ ।

 

‘ନୁହେଁ ? ତା’ହେଲେ ତ ଫେରିବାକୁ ହେବ ?’

 

‘ସେ କଥା ଆପଣ ଜାଣନ୍ତି । ମତେ କହିଲେ ମୁଁ ଫେରିବି ।’

 

ଶୁଣି କମଳ ଆଶ୍ଚର୍ଯ୍ୟ ହେଲା । ଏହି ଅଦ୍ଭୁତ ଉତ୍ତର ପାଇଁ ନ ହେଲେ ବି ତା’ର ସ୍ୱରର ଅସ୍ଵାଭାବିକତା କମଳକୁ ବିଚଳିତ କଲା । କିଛି ସମୟ ମୌନ ରହି ସେ ଦୃଢ଼ କଣ୍ଠରେ କହିଲା–ବାଟ ଭୁଲିବା ପାଇଁ ମୁଁ ତ ଅନୁରୋଧ କରିନଥିଲି ଅଜିତ୍‍ ବାବୁ ଯେ ସଂଶୋଧନ ପାଇଁ ମୋତେ ହୁକୁମ ଦେବାକୁ ହେବ । ଠିକ୍ ଜାଗାରେ ପହୁଞ୍ଚାଇ ଦେବାର ଦାୟିତ୍ୱ ଆପଣଙ୍କର–ମୋର କର୍ତ୍ତବ୍ୟ କେବଳ ଆପଣଙ୍କୁ ବିଶ୍ୱାସ କରି ରହିବା ।

 

‘ଯଦି ଦାୟିତ୍ଵବୋଧର ଧାରଣାରେ କୌଣସି ଭୁଲ୍‍ କରିଥାଏ କମଳ ?’

 

‘ଯଦି ଉପରେ ତ ବିଚାର ହୁଏ ନା ଅଜିତ୍‍ ବାବୁ । ଭୁଲ୍‍ ସମ୍ପର୍କରେ ପ୍ରଥମେ ନିଃସନ୍ଦେହ ହେଲେ ଯାଇ ବିଚାର କରିବି ।’

 

ଅଜିତ୍‍ ଅସ୍ପୁଟ ସ୍ଵରରେ କହିଲା–ତା’ହେଲେ ବିଚାର କରନ୍ତୁ । ମୁଁ ଅପେକ୍ଷା କରି ରହିଲି-। ଏହା କହି କେତେ ସମୟ ସ୍ତବ୍ଧ ରହି ହଠାତ୍ କହିଲା–କମଳ, ଆଉ ଦିନକର କଥା ତମର ମନେଅଛି ? ସେ ଦିନ ତ ଠିକ୍ ଏମିତି ଅନ୍ଧାର ଥିଲା ।

 

‘ହଁ, ଠିକ୍ ଏଇଭଳି ଅନ୍ଧାର ଥିଲା’ କହି ସେ ଗାଡ଼ିର ଦ୍ଵାର ଖୋଲି ଅଜିତ୍‍ ପାଖରେ ବସିଲା । ଜନପ୍ରାଣୀହୀନ ଅନ୍ଧାର ରାତି–ସମ୍ପୂର୍ଣ୍ଣ ନୀରବତା ବିରାଜମାନ କରୁଛି । କିଛି ସମୟ ପର୍ଯ୍ୟନ୍ତ କେହି କିଛି କଥା କହିଲେ ନାହିଁ ।

 

‘ଅଜିତ୍‍ ବାବୁ ।’

 

‘ଉଁ ।’

 

ଅଜିତ୍‍ର ବୁକୁ ଭିତରେ ଝଡ଼ ଉଠୁଥିଲା–ଜବାବ୍ ଦେବାକୁ ଯାଇ ତା’ର ମୁଖ ବନ୍ଦ ହୋଇ ଯାଉଥିଲା ।

 

କମଳ ପୁଣି ପଚାରିଲା–କ’ଣ ଭାବୁଛନ୍ତି କୁହନ୍ତୁ ।

 

ଅଜିତ୍‍ ଥରିଲା ଗଳାରେ କହିଲା–ସେ ଦିନ ଆଶୁ ବାବୁଙ୍କ ଘରେ ମୁଁ କିପରି ବ୍ୟବହାର କରିଥିଲି, ତମର ମନେଅଛି ? ସେ ଦିନ ପର୍ଯ୍ୟନ୍ତ ଭାବିଥିଲି ଯେ ତମର ଅତୀତଇ ତମ ଅସ୍ତିତ୍ୱର ସର୍ବାପେକ୍ଷା ବୃହତ୍ତମ ଅଂଶ–ତା’ ସହ ମୁଁ ସାଲିସ୍ କରିବି କିପରି ? ପଛର ଛାଇ ଆଗକୁ ବଢ଼ିଯାଇ ତମର ମୁହଁ ଘୋଡ଼ାଇ ପକାଇ ଥିଲା–ସତ୍ୟର ସୂର୍ଯ୍ୟ ଯେ ଅନ୍ଧାର ଭିତରେ ଲୁଚି ରହିଥିଲା । ମୁଁ ସେ କଥା ଭୁଲି ଯାଇଥିଲି । କିନ୍ତୁ ଆଜି କ’ଣ ଭାବୁଛି ଜାଣ ?

କମଳ କହିଲା–ଜଣେ ସ୍ତ୍ରୀଲୋକ ଏହାପରେ କ’ଣ ବୁଝିପାରିବିନି, ଏତେ ବଡ଼ ନିର୍ବୋଧ ମୁଁ ନୁହେଁ । ବାଟ ଯେତେବେଳଠାରୁ ଭୁଲିଲେଣି, ସେଇଠୁଁ ମୁଁ ବୁଝିଛି ।

ଅଜିତ୍‍ ଧୀରେ ଧୀରେ ତା’ର କାନ୍ଧ ଉପରେ ବାଁ ହାତ ରଖି ଚୁପ୍ ରହିଲା । କିଛି ସମୟ ପରେ କହିଲା–କମଳ, ମନେହେଉଛି ଆଜି ବୋଧହୁଏ ମୁଁ ନିଜକୁ ସମ୍ଭାଳି ରଖି ପାରିବି ନାହିଁ ।

କମଳ ନ ଘୁଞ୍ଚି ସେଇଠି ବସି ରହିଲା । ତା’ଠାରେ ବିସ୍ମୟ ବା ବିହ୍ୱଳତାର ଚିହ୍ନ ମଧ୍ୟ ନ ଥିଲା । ସେ ସହଜ ଶାନ୍ତ କଣ୍ଠରେ କହିଲା–ଏଥିରେ ଆଶ୍ଚର୍ଯ୍ୟ କିଛି ନାହିଁ ଅଜିତ୍‍ ବାବୁ, ଏମିତି ପ୍ରାୟ ହୁଏ । କିନ୍ତୁ ଆପଣ ତ ଜଣେ ସାମାନ୍ୟ ପୁରୁଷ ନୁହନ୍ତି, ଜଣେ ନ୍ୟାୟନିଷ୍ଠ ଭଦ୍ରବ୍ୟକ୍ତି । ଏହାପରେ ମୋତେ କାନ୍ଧରୁ ଓହ୍ଲାଇବେ କିଭଳି ? ସହଜରେ ଫିଙ୍ଗିଦେଲାଭଳି ଛୋଟଲୋକୀ ତ ଆପଣ କରିପାରିବେ ନାହିଁ ?

ଅଜିତ୍‍ ଗମ୍ଭୀର ହୋଇ କହିଲା–ମୋତେ ଏଭଳି କରିବାକୁ ହେବ ବୋଲି ତୁମେ ଆଶଙ୍କା କରୁଛ କାହିଁକି ?

କମଳ ହସି କହିଲା–ଆଶଙ୍କା ମୋ ନିଜ ପାଇଁ କରୁନି ଅଜିତ୍‍ ବାବୁ, କରୁଛି ଖାଲି ଆପଣଙ୍କ ପାଇଁ । ପାରିଲେ ଭୟ ନ ଥିଲା, ପାରିବେନି ବୋଲି ଭୟ । ମାତ୍ର ଗୋଟିଏ ରାତ୍ରିର ପ୍ରତିବଦଳରେ ଏତେ ବଡ଼ ଶାସ୍ତି ଆପଣଙ୍କ ମୁଣ୍ଡରେ ଲଦି ଦେବା ପାଇଁ ମୋର ଇଚ୍ଛା ହେଉନି । ଚାଲନ୍ତୁ, ଫେରିଯିବା ।

କଥାଗୁଡ଼ା ଅଜିତ୍‍ର କାନରେ ବାଜୁଥିଲା, କିନ୍ତୁ ମନରେ ତା’ର କିଛି ପ୍ରଭାବ ପଡ଼ିଲା ନାହିଁ । ପଲକ ମଧ୍ୟରେ ତା’ର ରକ୍ତ ଉନ୍ମତ୍ତ ହୋଇ ଉଠିଲା ଯେପରି–କମଳକୁ ଛାତି ଉପରକୁ ଟାଣିଆଣି କହିଲା–ମତେ କ’ଣ ତୁମେ ବିଶ୍ୱାସ କରିପାରନି କମଳ ?

ମୁହୂର୍ତ୍ତକ ପାଇଁ କମଳର ନିଃଶ୍ୱାସ ରୁଦ୍ଧ ହୋଇ ଆସିଲା; କହିଲା–ହଁ, ପାରିବି ।

‘ତା’ହେଲେ ଫେରିବାକୁ ଚାହୁଁଛ କାହିଁକି ? ଚାଲ ଆମେ ଚାଲିଯିବା ।’

‘ଚାଲନ୍ତୁ ।’

ଗାଡ଼ି ଚଳାଉ ଚଳାଉ ହଠାତ୍ ଅଜିତ୍‍ ଅଟକି କହିଲା–ତମେ କ’ଣ ବସାରୁ କିଛି ସାଙ୍ଗରେ ନେବ ନାହିଁ ?

‘ନା, କିନ୍ତୁ ଆପଣ ?’

ଅଜିତ୍‍ ଭାବିବାକୁ ଲାଗିଲା । ପକେଟରେ ହାତ ମାରି କହିଲା–ସାଙ୍ଗରେ କିଛି ଟଙ୍କା ପଇସା ନାହିଁ–ତା’ର ତ ଦରକାର ।

 

କମଳ କହିଲା–ଗାଡ଼ିଟା ବିକି ଦେଲେ ଟଙ୍କା ଅନାୟାସରେ ମିଳିବ ।

 

ଅଜିତ୍‍ ବିସ୍ମିତ ହୋଇ କହିଲା–ଗାଡ଼ି ବିକିବି ? କିନ୍ତୁ ଏ ତ ମୋର ଗାଡ଼ି ନୁହେଁ, ଆଶୁ ବାବୁଙ୍କର ।

 

କମଲା କହିଲା–ସେଥିରେ କ’ଣ ଅଛି ? ଆଶୁ ବାବୁ ଲଜ୍ଜା ଓ ଘୃଣାରେ ଗାଡ଼ି ସମ୍ପର୍କରେ ପାଟି ବି ଫିଟାଇବେ ନାହିଁ । କୌଣସି ଚିନ୍ତା ନାହିଁ–ଚାଲନ୍ତୁ ।

 

ଏ କଥା ଶୁଣି ଅଜିତ୍‍ ସ୍ତବ୍ଧ ହୋଇଗଲା । ତା’ର ବାଁ ହାତଟା କମଳର କାନ୍ଧ ଉପରେ ଥିଲା–ଖସି ପଡ଼ିଲା । ବହୁ ସମୟ ନିଃଶବ୍ଦରେ କଟିଲା ପରେ ପଚାରିଲା–ତୁମେ ଥଟ୍ଟା କରୁଛ ?

 

‘ନା, ସତ କଥା କହୁଛି ।’

 

‘ତୁମେ ସତରେ ବିଶ୍ଵାସ କରୁଛ ଯେ ମୁଁ ପରର ଜିନିଷ ଚୋରୀ କରିପାରେ ? ତୁମେ କ’ଣ ନିଜେ କରିପାରିବ ?’

 

କମଳ କହିଲା–ମୋର ପାରିବା ବା ନ ପାରିବା ଉପରେ ଯଦି ନିର୍ଭର କରିଥାନ୍ତେ ଅଜିତ୍‍ ବାବୁ, ତା’ହେଲେ ତା’ର ଜବାବ୍‍ ଦେଇଥାନ୍ତି । ପର ଜିନିଷ ଆତ୍ମସାତ୍ କରିବାର ସାହସ ଆପଣଙ୍କର ନାହିଁ । ଚାଲନ୍ତୁ, ଗାଡ଼ି ବୁଲାଇ ମୋତେ ବସାରେ ଛାଡ଼ିଦେଇ ଆସିବେ ।

 

ଫେରିବା ବାଟରେ ଅଜିତ୍‍ ଧୀରେ ଧୀରେ କହିଲା–ପର ଜିନିଷ ଆତ୍ମସାତ୍ କରିବାର ସାହସ–କ’ଣ ଖୁବ୍ ବଡ଼ ଜିନିଷ ବୋଲି ତମର ଧାରଣା, କମଳ ?

 

କମଳ କହିଲା–ବଡ଼ ଛୋଟର କଥା ଉଠୁନି । ଏ ସାହସ ଆପଣଙ୍କର ନାହିଁ ବୋଲି କେବଳ କହୁଛି ।

 

‘ନା, ନାହିଁ ଏବଂ ସେଥିପାଇଁ ମୁଁ ଲଜ୍ଜିତ ନୁହେଁ ।’ କହି ଅଜୀତ୍‍ ସାମାନ୍ୟ ଅଟକି କହିଲା–ବରଂ ଥିଲେ ଲଜ୍ଜାବୋଧ କରିଥାନ୍ତି । ମୋର ବିଶ୍ୱାସ, ଯେକୌରସି ଭଦ୍ରବ୍ୟକ୍ତି ଏ କଥାରେ ମୋ ସହ ଏକମତ ହେବେ ।

 

କମଳ କହିଲା–ଏକମତ ହେବା ଖୁବ୍ ସହଜ । ସେଥିରେ ବାହାବା ମିଳେ ।

 

‘ଖାଲି ବାହାବା ପାଇଁ ? ତା’ଠୁ କିଛି ବେଶୀ ନୁହେଁ ? ଜଣେ ଶିକ୍ଷିତ ଭଦ୍ର ଲୋକର ମତାମତ କ’ଣ କିଛି ନାହିଁ ?’

 

‘ଯଦି ଥାଏ ସେ ସମ୍ପର୍କରେ ଅନ୍ୟ କୌଣସି ଦିନ ସମୟ ଥିଲେ ଆଲୋଚନା କରିବା ।’ କହି ସେ ସାମାନ୍ୟ ଚୁପ୍‍ ରହି କହିଲା–ଅନ୍ୟ କେହି ହୋଇଥିଲେ ଆପଣଙ୍କ ଯୁକ୍ତିର ଉତ୍ତର ଦେବା ପାଇଁ ବିଦ୍ରୂପ କରି କହିଥାନ୍ତି–କମଳକୁ ଆତ୍ମସାତ୍ କରିବା ପାଇଁ ଚେଷ୍ଟା କଳାବେଳେ ଆପଣଙ୍କ ଭଦ୍ର ମନରେ ସଙ୍କୋଚ ଆସିନାହିଁ ତ ? ମୁଁ କିନ୍ତୁ ତା’ କହିପାରିବି ନାହିଁ–କାରଣ କମଳ କାହାର ସମ୍ପତ୍ତି ନୁହେଁ । ସେ କେବଳ ତା’ ନିଜର, ଅନ୍ୟ କାହାର ନୁହେଁ ।

 

କୌଣସି ଦିନ ବୋଧହୁଏ ହୋଇ ବି ପାରିବ ନାହିଁ ?’

 

‘ଏ ତ ଭବିଷ୍ୟତର କଥା ଅଜିତ୍‍ ବାବୁ, ଆଜି ତା’ର ଜବାବ୍‍ ଦେବି କିପରି ?’

 

‘ଜବାବ୍‍ ବୋଧହୁଏ କୌଣସି ଦିନ ବି ଦେଇପାରିବି ନାହିଁ । ମନେହୁଏ ଏଇଥିପାଇଁ ବୋଧହୁଏ ଶିବନାଥର ଏତେ ବଡ଼ ନିର୍ମମତା ତୁମକୁ ଆଘାତ ଦେଇପାରିନି । ଅତି ସହଜରେ ତୁମେ ତାକୁ ଫିଙ୍ଗିଦେଇ ପାରିଛ ।’ କହି ସେ ନିଃଶ୍ଵାସ ମାରିଲା ।

 

ମୋଟର ଆଲୁଅରେ କେତେ ଖଣ୍ଡ ବଳଦ ଗାଡ଼ି ଦେଖାଗଲା । ପାଖରେ ବୋଧହୁଏ କୌଣସି ପଲ୍ଲୀ, କୃଷକମାନେ ଇତସ୍ତତଃ ଗାଡ଼ିଗୁଡ଼ାକ ରାସ୍ତାରେ ଥୋଇଦେଇ ଚାଲି ଯାଇଛନ୍ତି । ଖୁବ୍‍ ସାବଧାନତା ସହକାରେ ମଟର କଟାଇ ନେଉ ନେଉ ଅଜିତ୍‍ କହିଲା–କମଳ, ତୁମକୁ ବୁଝିବା ଖୁବ୍‍ ଶକ୍ତ ।

 

କମଳ କହିଲା–ଶକ୍ତ କ’ଣ ? ଠିକ୍‍ ତ ବୁଝିଥିଲେ ଯେ ବାଟ ଭୁଲିଲେଇ ମୋତେ ଭୁଲେଇ ନେଇ ହେବ ।

 

‘ହୁଏତ ସେ ବୁଝିବା ମୋର ଭୁଲ୍‍ ।’

 

କମଳ ପୁଣି ହସି କହିଲା–ବାଟ ଭୁଲିବା ଭୁଲ୍‍, ମତେ ଭୁଲେଇବା ପାଇଁ ଚେଷ୍ଟା କରିବା ଭୁଲ୍‍, ପୁଣି ନିଜର ବୁଝିବା ବି ଭୁଲ୍‍ । ଆପଣଙ୍କ ଏ ଭୁଲ୍‍ ବୋଝର ସଂଶୋଧନ ହେବ କେବେ ? ଅଜିତ୍‍ ବାବୁ, ନିଜକୁ ଟିକିଏ ଶ୍ରଦ୍ଧା କରି ଶିଖନ୍ତୁ । ଏଭଳି ନିଜ ପାଖରେ ନିଜକୁ ଛୋଟ କରିଦେବେ ନାହିଁ ।

 

‘କିନ୍ତୁ ନିଜର ଭୁଲ୍‍ ଅସ୍ୱୀକାର କଲେ କ’ଣ ନିଜପ୍ରତି ଶ୍ରଦ୍ଧା ବଢ଼ିଯାଏ ।’

 

‘ନା, ତା’ ହୁଏନା; କିନ୍ତୁ ଅସ୍ଵୀକାର କରିବାର ବି ଗୋଟାଏ ରୀତି ଅଛି । ସଂସାର ତ କେବଳ ଆପଣଙ୍କୁ ନେଇ ନୁହେଁ–ତା’ହେଲେ ତ ସମସ୍ତ ଗଣ୍ଡଗୋଳ ତୁଟିଯାନ୍ତା । ଏଠି ଆଉ ଦଶଜଣ ବି ରହନ୍ତି । ସେମାନଙ୍କର ଇଚ୍ଛା ଅନିଚ୍ଛା, ସେମାନଙ୍କ କାମର ପ୍ରଭାବ ବି ନିଜକୁ ସ୍ପର୍ଶ କରେ । ତେଣୁ ଶେଷ ଫଳାଫଳ ଯଦି ନିଜର ମନୋମତ ହୋଇପାରେନା, ତାକୁ ଭୁଲ୍‍ ବୋଲି ଧିକ୍କାର କଲେ ନିଜକୁ ଅପମାନ କରାଯାଏ । ନିଜପ୍ରତି ଏହାଠାରୁ ବଳି ଅଧିକ ଅଶ୍ରଦ୍ଧା ଆଉ କ’ଣ ଥାଇପାରେ କହନ୍ତୁ ?

 

ଅଜିତ୍‍ କିଛି ସମୟ ଚୁପ୍ ରହି ପଚାରିଲା–କିନ୍ତୁ ଯେଉଁଠି ପ୍ରକୃତରେ ଭୁଲ୍‍ ହୁଏ ? ଶିବନାଥ ସମ୍ପର୍କରେ ତୁମର କ’ଣ ଅନୁଶୋଚନା ହୁଏନା କମଳ ? ତୁମେ ମତେ ଏ କଥା କହିଲେ ମୁଁ ବିଶ୍ୱାସ କରିବି ?

 

କମଳ ଏ କଥାର କୌଣସି ସିଧା ଉତ୍ତର ନ ଦେଇ କହିଲା–ବିଶ୍ୱାସ କରିବା ନ କରିବା ଆପଣଙ୍କ ଇଚ୍ଛା । କିନ୍ତୁ ଶିବନାଥ ବାବୁଙ୍କ ବିରୁଦ୍ଧରେ ମୁଁ ତ କାହା ନିକଟରେ କୌଣସି ଦିନ ନାଲିଶ୍ କରିନି ।

 

‘ତୁମେ ନାଲିଶ୍ କରିବା ଭଳି ଲୋକ ନୁହଁ; କିନ୍ତୁ ଭୁଲ୍‍ ପାଇଁ କ’ଣ ନିଜ ପାଖରେ କେବେ ନିଜକୁ ଧିକ୍କାର କରି ନାହଁ ?’

 

‘ନା ।’

 

‘ତା’ହେଲେ ମୁଁ କେବଳ ଏତିକି ମାତ୍ର କହିପାରେ ଯେ ତୁମେ ଜଣେ ଅସାଧାରଣ, ଅଦ୍ଭୁତ ସ୍ତ୍ରୀଲୋକ ।’

 

କମଳ ଏ ମନ୍ତବ୍ୟର କୌଣସି ଜବାବ୍ ଦେଲା ନାହିଁ–ନୀରବ ରହିଲା ।

 

ଦଶ ମିନିଟ୍ ନୀରବରେ ରହିଲା ପରେ ଅଜିତ୍‍ ହଠାତ୍ ପଚାରିଲା–କମଳ, ଏପରି ଭୁଲ୍‍ ଯଦି ମୁଁ କାଲି ବି କରେ, ତା’ହେଲେ କ’ଣ ତମର ଦେଖା ପାଇବି ?

 

‘କିନ୍ତୁ ଯଦିର ଉତ୍ତର ତ ଯଦିରେ ଦିଆହୁଏ ଅଜିତ୍‍ ବାବୁ–ଅନିଶ୍ଚିତ ପ୍ରସ୍ତାବରେ ନିଶ୍ଚିତ ମୀମାଂସା ଆଶା କରାଯାଏନା ।’

 

‘ଅର୍ଥାତ୍ ମୋର ଏ ମୋହ କାଲି ପର୍ଯ୍ୟନ୍ତ ରହିବ ନାହିଁ–ତାହାହିଁ ତମର ସନ୍ଦେହ ।’

 

‘ଅନ୍ତତଃ ଅସମ୍ଭବ ନୁହେଁ ବୋଲି ମୋର ମନେହୁଏ ।’

 

ଅଜିତ୍‍ ମନେମନେ ଆହତ ହୋଇ କହିଲା–ମୁଁ ଆଉ ଯାହା ହୁଏନା କାହିଁକି, ଶିବନାଥ ନୁହେଁ ।

 

କମଳ ଉତ୍ତର ଦେଲା–ସେ କଥା ମୁଁ ଜାଣେ ଅଜିତ୍‍ ବାବୁ । ଆଉ ହୁଏତ ଆପଣଙ୍କଠାରୁ ବେଶୀ ଭାବେ ଜାଣେ ।

 

ଅଜିତ୍‍ କହିଲା–ଜାଣିଥିଲେ ତୁମେ କଦାପି ବିଶ୍ୱାସ କରି ନ ଥାନ୍ତ ଯେ ମୁଁ ଆଜି ତୁମକୁ ଭୁଲାଇବାକୁ ଚେଷ୍ଟା କରୁଥିଲି । ଏହା ମଧ୍ୟରେ କିଛି ସତ୍ୟ ନ ଥିଲା ।

 

କମଳ କହିଲା–ମିଥ୍ୟାର କଥା ତ କିଛି ହୋଇନି ଅଜିତ୍‍ ବାବୁ । ମୋହର କଥା ପଡ଼ିଥିଲା । ଏ ଦୁଇଟା ଏକା କଥା ନୁହେଁ । ଆଜି ମୋହ ବଶରେ ଯଦି କାହାକୁ ଭୁଲାଇବାକୁ ବସିଥାନ୍ତି ତ ନିଜକୁ । ମତେ ଯେ ଠକି ନ ଥାନ୍ତେ, ସେ କଥା ମୁଁ ଭଲରୂପେ ଜାଣେ ।

 

‘କିନ୍ତୁ ଶେଷପର୍ଯ୍ୟନ୍ତ ତୁମେ ଯେ ବଞ୍ଚିତ ହେଲ କମଳ । ମୋର ରାତ୍ରିର ମୋହ ଦିନରେ କଟିଯିବ–ଏଇ କଥା ଜାଣି ମଧ୍ୟ ତୁମେ ମୋ ସାଙ୍ଗରେ ଯିବା ପାଇଁ ଅସମ୍ମତ ହୋଇ ନାହଁ ତ ? ତା’ କ’ଣ କେବଳ ଉପହାସ ?’

 

କମଳ ଟିକିଏ ହସି କହିଲା–ପରୀକ୍ଷା କରି ଦେଖିଲେ ନାହିଁ କାହିଁକି ? ବାଟ ଖୋଲା ଥିଲା, ମୁଁ ତ ନିଷେଧ କରିନଥିଲି ।

 

ଅଜିତ୍‍ ନିଃଶ୍ଵାସ ପକାଇ କହିଲା–ଯଦି ଉପହାସ କରି ନ ଥାଅ, ତେବେ ବୁଝିବି ଯେ ତୁମକୁ ବୁଝିବା ବାସ୍ତବିକ୍ ଖୁବ୍ କଠିନ । ଗୋଟାଏ କଥା ତୁମକୁ କହିବି କମଳ । ନାରୀର ପ୍ରେମ ହୃଦୟକୁ ଯେପରି ଆଚ୍ଛନ୍ନ କରେ, ତା’ର ରୂପର ମୋହ ବୁଦ୍ଧିକୁ ସେହିଭଳି ଆଚ୍ଛନ୍ନ କରେ । ପ୍ରଥମଟା ଯେତେ ବଡ଼ ସତ୍ୟ, ଅନ୍ୟଟା ସେତିକି ଦୂର ମିଥ୍ୟା । ତୁମେ ତ ଜାଣ ଏ ମୋର ଭଲପାଇବା ନୁହେଁ, ଏ କେବଳ ମୋର କ୍ଷଣକର ମୋହ । କିପରି ତୁମେ ଏହାକୁ ପ୍ରଶ୍ରୟ ଦେଉଥିଲ-! କମଳ, କୁହେଳିକା ଯେତେ ଘନଭାବେ ସୂର୍ଯ୍ୟକୁ ଆଚ୍ଛନ୍ନ କରୁ ପଛେ, ତା’ ମିଥ୍ୟା, ସୂର୍ଯ୍ୟ କେବଳ ଧ୍ରୁବ ।

 

କମଳ କ୍ଷଣକ ପାଇଁ ତା’ ଆଡ଼କୁ ନିର୍ନିମେଷ ନୟନରେ ଚାହିଁ ରହିଲା, ତା’ପରେ ଶାନ୍ତ କଣ୍ଠରେ କହିଲା–ଏଟା କବିର ଉପମା ଅଜିତ୍‍ ବାବୁ, ଯୁକ୍ତି ନୁହେଁ–ସତ୍ୟ ବି ନୁହେଁ । କେଉଁ ଆଦିମ କାଳରେ କୁହେଳିକାର ସୃଷ୍ଟି ହୋଇଥିଲା, ଆଜି ବି ସେ ସେଇଭଳି ବିଦ୍ୟମାନ ଅଛି । ସୂର୍ଯ୍ୟକୁ ସେ ବହୁବାର ଆବୃତ କରିଛି ଏବଂ କରିବ ବି । ଦୁଇଟା ଯାକ ନଶ୍ଵର–ହୁଏତ ଦୁଇଟା ଯାକ ନିତ୍ୟକାଳ ସ୍ଥାୟୀ । କ୍ଷଣକର ସତ୍ୟ ନେଇ ସେ ବାରମ୍ବାର ଫେରିଆସେ । କିନ୍ତୁ କ୍ଷଣ ତ ମିଥ୍ୟା ନୁହେଁ । ମାଳତୀ ଫୁଲର ଆୟୁ ସୂର୍ଯ୍ୟମୁଖୀ ଭଳି ଦୀର୍ଘ ନୁହେଁ ବୋଲି କ’ଣ ତାକୁ ମିଥ୍ୟା ବୋଲି ଉଡ଼ାଇ ଦେବେ ? ଆଜି ଗୋଟାଏ ରାତ୍ରିର ମୋହକୁ ପ୍ରଶ୍ରୟ ଦେବାକୁ ଚାହିଁଥିଲି ବୋଲି ଯଦି ଆପଣ ଅଭିଯୋଗ କରନ୍ତି ଅଜିତ୍‍ ବାବୁ, ତା’ହେଲେ ଆୟୁଷ୍ମାନ୍‍ର ଦୀର୍ଘତା କ’ଣ ଜୀବନର ସବୁଠାରୁ ବଡ଼ ସତ୍ୟ ?

 

ଅଜିତ୍‍ ଯେ ସବୁ କଥା ବୁଝିପାରିଲା ନାହିଁ, ଏ କଥା ଜାଣିପାରି କମଳ କହିଲା–ଆଜି ମୋ କଥା ବୁଝିବାର ଶକ୍ତି ଆପଣଙ୍କର ନାହିଁ । ତେଣୁ ଶିବନାଥଙ୍କ ପ୍ରତି ଆପଣଙ୍କର କ୍ରୋଧର ସୀମା ନାହିଁ–ଯଦିଓ ମୁଁ ତାଙ୍କୁ କ୍ଷମା କରିଛି । ଯା’ ପାଇଛି ତା’ଠାରୁ ବେଶୀ କାହିଁକି ପାଇଲି ନାହିଁ, ସେଥିପାଇଁ ମୋର ସାମାନ୍ୟ ନାଲିଶ୍ ନାହିଁ ।

 

ଅଜିତ୍‍ କହିଲା–ଅର୍ଥାତ୍ ତୁମେ ସମ୍ପୂର୍ଣ୍ଣ ନିର୍ବିକାର । ଆଚ୍ଛା, ସଂସାରରେ କ’ଣ କାହା ବିରୁଦ୍ଧରେ ତମର କିଛି ନାଲିଶ୍ ନାହିଁ ?

 

କମଳ ତା’ ମୁହଁକୁ ଚାହିଁ କହିଲା–ଅଛି କେବଳ ଜଣକ ବିରୁଦ୍ଧରେ ।

 

‘କା ବିରୁଦ୍ଧରେ କୁହନା ?’

 

‘କ’ଣ ହେବ ଆପଣଙ୍କର ଅନ୍ୟ ବିରୁଦ୍ଧରେ ଶୁଣି ?’

 

‘ଅନ୍ୟ ବିରୁଦ୍ଧରେ ? ଯା’ହେଉ, ଅନ୍ତତଃ ନିଶ୍ଚିତ ହୋଇପାରିବି ଯେ ମୋ ଉପରେ ତମର କୌଣସି ରାଗ ନାହିଁ ।’

 

କମଳ କହିଲା–ନିଶ୍ଚିନ୍ତ ହେଲେ କ’ଣ ଖୁସି ହେବେ ? କିନ୍ତୁ ସେଥିପାଇଁ ଏଇଲେ ସମୟ ନାହିଁ । ଆମେ ଆସି ପହଞ୍ଚିଲେଣି, ଗାଡ଼ି ଅଟକାନ୍ତୁ । ମୁଁ ଓହ୍ଲାଇଯିବି ।

 

ଗାଡ଼ି ଅଟକିଲା । ଅନ୍ଧାରରେ କେହି ଜଣେ ରାସ୍ତା ପାଖରେ ଠିଆ ହୋଇଥିଲା, ପାଖକୁ ଆସିବାରୁ ଉଭୟେ ଚମକି ଉଠିଲେ । ଅଜିତ୍‍ ପଚାରିଲା–କିଏ ?

 

‘ମୁଁ ରାଜେନ୍‍ । ଆଜି ହରେନ୍ ଦା’ଙ୍କ ଆଶ୍ରମରେ ମତେ ଦେଖିଥିବେ ।’

 

‘ଓଃ, ରାଜେନ୍‍ ଏତେ ରାତିରେ କାହିଁକି ?’

 

‘ଆପଣମାନଙ୍କ ପାଇଁ ଅପେକ୍ଷା କରି ରହିଛି । ଆପଣ ଚାଲିଯିବା ପରେ ଆଶୁ ବାବୁ ଆପଣଙ୍କୁ ଖୋଜିବା ପାଇଁ ଲୋକ ପଠାଇଥିଲେ ।’ କହି ସେ କମଳ ପ୍ରତି ଚାହିଁ ରହିଲା ।

 

କମଳ କହିଲା–ମୋତେ ଖୋଜିବାର କାରଣ କ’ଣ ?

 

ରାଜେନ୍‍ କହିଲା–ଆପଣ ବୋଧହୁଏ ଶୁଣିଥିବେ, ଆଜିକାଲି ଖୁବ୍ ବେଶୀ ଇନ୍‍ଫ୍ଲୁଏଞ୍ଜା ହେଉଛି ଓ ଅନେକ ଲୋକ ମରୁଛନ୍ତି ମଧ୍ୟ । ଶିବନାଥ ବାବୁ ଅତିଶୟ ପୀଡ଼ିତ । ହଠାତ୍ ସବାରୀରେ ତାଙ୍କୁ ଆଶୁ ବାବୁଙ୍କ ଘରକୁ ଅଣାଯାଇଛି । ଆଶୁ ବାବୁ ଭାବିଥିଲେ–ଆପଣ ଆଶ୍ରମରେ ଥିବେ; ତେଣୁ ଆପଣଙ୍କୁ ଡକାଇ ପଠାଇଥିଲେ ।

 

‘ରାତି କେତେ ହେବ ?’

 

‘ବୋଧହୁଏ ତିନିଟା ବାଜିବ ।’

 

କମଳ ହାତ ବଢ଼ାଇ ଗାଡ଼ିର ଦୁଆର ଖୋଲି କହିଲା–ଭିତରକୁ ଆସନ୍ତୁ, ବାଟରେ ଆପଣଙ୍କୁ ଆଶ୍ରମରେ ପହଞ୍ଚାଇ ଦେଇ ଚାଲିଯିବୁ ।

 

ଅଜିତ୍‍ କଥା କହିଲା ନାହିଁ । କାଠପିତୁଳା ପରି ନିଃଶବ୍ଦରେ ଗାଡ଼ି ଚଳାଇ ହରେନ୍ଦ୍ର ବସା ଆଗରେ ଆସି ଅଟକିଲା । ରାଜେନ୍‍ ଓହ୍ଲାଇବା ପରେ କମଳ କହିଲା–ଆପଣଙ୍କୁ ଅନେକ ଧନ୍ୟବାଦ । ମୋତେ ଖବର ଦେବା ପାଇଁ ବହୁ ଅସୁବିଧାରେ ପଡ଼ିଲେ ।

 

‘ମୋର କାମ ଏଇଭଳି । ପ୍ରୟୋଜନ ହେଲେ ଖବର ଦେବେ ।’ କହି ରାଜେନ୍‍ ଚାଲିଗଲା । ଭୂମିକା ନାହିଁ, ଆଡ଼ମ୍ବର ନାହିଁ, ସିଧା କଥାରେ କହିଗଲା ଯେ ଏ ତା’ର କର୍ତ୍ତବ୍ୟର ଅନ୍ତର୍ଗତ । ଆଜି ସନ୍ଧ୍ୟାରେ କମଳ ହରେନ୍ଦ୍ରଠାରୁ ତା’ ସମ୍ପର୍କରେ ଯାହା ଶୁଣିଥିଲା ସବୁକଥା ମନେପଡ଼ିଲା । ଗୋଟାଏ ଦିଗରେ ତା’ର ପରୀକ୍ଷାରେ ପାସ୍‍ କରିବାର ଅସାଧାରଣ କ୍ଷମତା, ଅନ୍ୟ ଦିଗରେ ସଫଳତା ପୂର୍ବରୁ ତାକୁ ତ୍ୟାଗ କରିବାର ଅପରିସୀମ ଔଦାସୀନ୍ୟ ! ବୟସ ଅଳ୍ପ, ଯୌବନର ପ୍ରଥମ ସୋପାନରେ ପାଦ ଦେଇଛି ମାତ୍ର–ଏଇ ବୟସରୁ ନିଜର ବୋଲି କିଛି ହାତରେ ରଖିନାହିଁ, ସବୁ ପରପାଇଁ ବାଣ୍ଟି ଦେଇଛି ।

 

ଅଜିତ୍‍ ସେ ପର୍ଯ୍ୟନ୍ତ ନୀରବ ରହିଥିଲା । ରାତି ତିନିଟା ବାଜି ଯାଇଛି ଶୁଣିଲା ପରେ କୌଣସି କଥାରେ ମନ ଦେବା ଭଳି ଶକ୍ତି ତା’ର ନ ଥିଲା । କେବଳ ଗୋଟାଏ କାଳ୍ପନିକ, ଅସଂବଦ୍ଧ ପ୍ରଶ୍ନୋତ୍ତରମାଳାର ଆଘାତ ପ୍ରତିଘାତର ତଳେ, ଏହି ନିଶୀଥ ଅଭିଯାନର ନିରବଚ୍ଛିନ୍ନ ଶ୍ରୀହୀନତାରେ ମନ ତା’ର ଆଚ୍ଛନ୍ନ ରହିଥିଲା । ଖୁବ୍ ସମ୍ଭବ କେହି କିଛି ପଚାରିବେ ନାହିଁ, ହୁଏତ ପଚାରିବା ପାଇଁ କେହି ଭରସା କରିବେ ନାହିଁ । କେବଳ ନିଜର ଇଚ୍ଛା, ଅଭିରୁଚି ଓ ବିଦ୍ୱେଷର ତୁଳି ଦେଇ ଏହି ଅଜ୍ଞାତ ଘଟଣାର ଆଦ୍ୟପ୍ରାନ୍ତ କାହାଣୀ ତିଆରି କରିବେ ମାତ୍ର । ସବୁଠାରୁ ବେଶୀ ଆଘାତ ପାଇଥିଲା ସେ ଏହି ଲଜ୍ଜାହୀନା ତରୁଣୀର ନିର୍ଭୟ ସତ୍ୟବାଦୀତାରେ । ଏ ପୃଥିବୀରେ ମିଥ୍ୟା କହିବାର ପ୍ରୟୋଜନ ତା’ର ନାହିଁ । ଏ ଯେପରି ପୃଥିବୀସାରା ସମସ୍ତଙ୍କୁ ବିବ୍ରତ କରିବା ପାଇଁ ଜନ୍ମ ନେଇଛି ।

 

ଏ ଦିଗରେ ଶିବନାଥର ରୋଗ ଶଯ୍ୟା ପାଖେ କିଏ କିଏ ଅଛନ୍ତି ସେ ଜାଣେନା । ସେମାନେ ଯେ କମଳକୁ ଖୋଜୁଛନ୍ତି ଏ କଥା ମନେକରି ତା’ର ରକ୍ତ ଶୀତଳ ହୋଇଗଲା । ହଠାତ୍ ତା’ର ମନେହେଲା ସେ କମଳକୁ ଭୟ କରେ । ସେ ଯେ ତା’ର ପ୍ରଲୁବ୍ଧ ନିଃଶ୍ୱାସ ହେତୁ କ୍ଷଣକ ପାଇଁ ଆତ୍ମବିସ୍ମୃତ ଉନ୍ମାଦ ଭଳି ଜ୍ଞାନ ହରାଇଥିଲା–ଏଥିପାଇଁ ତା’ର ଯେଭଳି କଠିନ ଶାସ୍ତି ହୁଏ–ସେଥିପାଇଁ ସେ ବାରମ୍ଵାର ନିଜକୁ ଅଭିଶାପ ଦେବାରେ ଲାଗିଲା ।

 

ଗେଟ୍ ଭିତରକୁ ପଶିଲା ମାତ୍ରେ ପ୍ରଥମେ ଆଶୁ ବାବୁଙ୍କ ସଙ୍ଗେ ଦେଖା । ବୋଧହୁଏ ସେମାନଙ୍କ ଅପେକ୍ଷାରେ ଥିଲେ । ଗାଡ଼ିର ଶବ୍ଦ ଶୁଣି ଓହ୍ଲାଇ ଆସି ପଚାରିଲେ–କିଏ, ଅଜିତ୍‍ ? ସାଙ୍ଗରେ କିଏ, କମଳ ?

 

‘ହଁ ।’

 

‘ଯଦୁ, କମଳକୁ ଶିବନାଥ ବାବୁଙ୍କ ଘରକୁ ନେଇ ଯା’ । ଶୁଣିଛ ବୋଧହୁଏ–ତାଙ୍କ ଦେହ ଖରାପ ଅଛି ?’ ଉତ୍ତରକୁ ଅପେକ୍ଷା ନ କରି ସେ କହିବାକୁ ଲାଗିଲେ–ଏଇ ୠତୁ ପରିବର୍ତ୍ତନର ସମୟଟା ବଡ଼ ଖରାପ । ସେଥିପାଇଁ ଏଇ ସବୁ ରୋଗ ଲାଗି ରହିଛି–ଲୋକ ବି ବହୁତ ମରୁଛନ୍ତି । ମୋ ନିଜ ଦେହ ବି ଭଲ ନାହିଁ–ସକାଳୁ ଜର ଜର ଲାଗୁଛି ।

 

କମଳ ଉଦ୍‍ବିଗ୍ନ ହୋଇ ପଚାରିଲା–ତେବେ ଆପଣ ଏପର୍ଯ୍ୟନ୍ତ ଶୋଇ ନାହାନ୍ତି କାହିଁକି-? ଏଠି ତ ଦେଖିବା ପାଇଁ ଲୋକ ଅଭାବ ନାହାନ୍ତି ।

 

‘କିଏ ଆଉ ଅଛି କହ ? ଡାକ୍ତର ଆସି ଦେଖି ଯାଇଛନ୍ତି । ମତେ ଶୋଇବାକୁ ପଠେଇ ଦେଇ ମଣି ନିଜେ ଦେଖା ଶୁଣା କରୁଛି–କିନ୍ତୁ ଶୋଇ ପାରିଲି ନାହିଁ । ତମର ଆସିବାକୁ ଡେରି ହେଲା । କମଳ, ମଣିଷର ରୋଗ ବଇରାଗ ବେଳେ ଅଭିମାନ କଲେ ଚଳେ ? ଝଗଡ଼ା ଯେ ହୁଏନା ତା’ ନୁହେଁ, କିନ୍ତୁ ତିନି ଚାରି ଦିନ ହେଲା ଅନ୍ୟ କୋଉ ବସାରେ ସେ ବିଚରା ଯାଇ ଜରରେ ପଡ଼ିଛି, ତମେ ଟିକିଏ ଖବର ବି ନେଲ ନାହିଁ ? ଏଇଟା କିନ୍ତୁ ଭଲହେଲାନି–ଏବେ ତମକୁ ତ ଏକୁଟିଆ ଭୋଗିବାକୁ ପଡ଼ିବ ।’

 

ଶୁଣି କମଳ ପ୍ରଥମେ ବିସ୍ମିତ ହେଲା, କିନ୍ତୁ ମନେମନେ ବୁଝିଲା ଯେ ଏହି ସରଳଚିତ୍ତ ବ୍ୟକ୍ତି ଭିତରର କୌଣସି କଥା ଜାଣନ୍ତି ନାହିଁ । ସେ ଚୁପ୍ ହୋଇ ଠିଆହେଲା । ଆଶୁ ବାବୁ କହିବାକୁ ଲାଗିଲେ–ହରେନ୍ ବାବୁଙ୍କଠାରୁ ଶୁଣିଲି ତୁମେ ଘରେ ନାହଁ–ସେତିକିବେଳୁ ମୁଁ ଜାଣିଲିଣି ଯେ ଅଜିତ୍‍ ତମକୁ ଛାଡ଼ି ନାହିଁ । ନିଜେ ସେ ବୁଲିବାକୁ ଖୁବ୍ ଭଲପାଏ–ତମକୁ ବି ଧରିନେଇ ଯାଇଛି । କିନ୍ତୁ ବିଚାରିଲି–ଅନ୍ଧାରରେ କିଛି ଗୋଟାଏ ଦୁର୍ଘଟଣା ହୋଇଥିଲେ କ’ଣ ହୋଇଥାନ୍ତା ?

 

ଅଜିତ୍‍ର ଛାତି ଉପରୁ ଗୋଟାଏ ପଥର ଓହ୍ଲାଇଗଲା ଯେମିତି । କୌଣସି ଦିଗରୁ ମନ୍ଦ ଚିନ୍ତା ଏଇ ମଣିଷଟି ଭିତରେ ପ୍ରବେଶ କରିପାରେନା–ନିଷ୍କଳୁଷ ଅନ୍ତରରେ ସର୍ବଦା ଅକଳଙ୍କ ଶୁଭ୍ରତା ବିରାଜମାନ । ଆଶୁ ବାବୁଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧାରେ ତା’ର ମନ ଭରିଗଲା । କମଳ ଏସବୁ କଥା ନ ଶୁଣି ପଚାରିଲା–ସେ ହସ୍ପିଟାଲକୁ ନ ଯାଇ ଏଠାକୁ ଆସିଲେ କାହିଁକି ?

 

ଆଶୁ ବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ–ହସ୍ପିଟାଲ ? ତେବେ ତ ତମର ଏପର୍ଯ୍ୟନ୍ତ ରାଗ ଯାଇନି ?

 

‘ରାଗ ପାଇଁ କହୁନି ଆଶୁ ବାବୁ, ଯାହା ସଙ୍ଗତ ଓ ସ୍ଵାଭାବିକ, ତାହା ହିଁ କହୁଛି ମାତ୍ର ।’

 

‘ଏଟା ସ୍ଵାଭାବିକ ନୁହେଁ, ସଙ୍ଗତ ବି ନୁହେଁ । ତେବେ ଏ କଥା ମାନିବି ଯେ ଏଠିକି ନ ଆଣି ତମ ପାଖକୁ ପଠାଇ ଦେବା ମଣିର ଉଚିତ ଥିଲା ।’

 

କମଳ କହିଲା–ନା, ଉଚିତ ନ ଥିଲା । ମଣି ଜାଣନ୍ତି ଯେ ଚିକିତ୍ସା କରିବାର ସାଧ୍ୟ ମୋର ନାହିଁ ।

 

ଏ କଥା ଶୁଣି ଆଶୁ ବାବୁଙ୍କ ଅନ୍ୟ ଗୋଟାଏ ବିଷୟ ମନେପଡ଼ିବାରୁ ସେ ଅପ୍ରତିଭ ହୋଇଗଲେ । କମଳ କହିଲା–କେବଳ ମନୋରମା ନୁହେଁ, ଶିବନାଥ ବାବୁ ବି ଜାଣନ୍ତି ଯେ କେବଳ ସେବାଦ୍ଵାରା ରୋଗ କମିଯାଏ ନାହିଁ । ସେଥିପାଇଁ ଔଷଧ ପଥ୍ୟ ଦରକାର । ହୁଏତ ଭଲହେଲା ଯେ ଖବର ମୋ ପାଖେ ନ ପହଞ୍ଚି ମଣିଙ୍କ ପାଖରେ ପହଞ୍ଚିଲା । ତାଙ୍କର ପରମାୟୁର ଜୋର୍ ଅଛି ।

 

ଆଶୁ ବାବୁ ଲଜ୍ଜାରେ ମ୍ଳାନ ହୋଇଗଲେ–ସେ ବାରମ୍ବାର ମୁଣ୍ଡ ହଲାଇ କହିବାକୁ ଲାଗିଲେ–ସେ କଥା ନୁହେଁ କମଳ–ସେବା ହେଉଛି ସବୁ । ଯତ୍ନ ସବୁଠାରୁ ବଡ଼ ଔଷଧ । ନ ହେଲେ ଡାକ୍ତର ବୈଦ୍ୟ ଉପଲକ୍ଷ ମାତ୍ର । ମୁଁ ଭୁକ୍ତଭୋଗୀ କମଳ, ରୋଗରେ ପଡ଼ି ପଡ଼ି ମୋର ସେ ଶିକ୍ଷା ହୋଇଯାଇଛି । ଘରକୁ ଚାଲ, ତମ ଜିନିଷ–ତମେ ଯେମିତି ଭଲ ବିଚାରିବ–ସେମିତି କରିବ । ମୁଁ ଥାଉ ଥାଉ ଔଷଧ ପତ୍ର ପାଇଁ ତ୍ରୁଟି ହେବ ନାହିଁ । ଏହା କହି ସେ ତାକୁ ବାଟ ଦେଖାଇ ଆଗେଇ ଗଲେ । ଅଜିତ୍‍ କ’ଣ କରିବ ବୁଝି ନ ପାରି ସେମାନଙ୍କ ସାଙ୍ଗରେ ଚାଲିଲା । ରୋଗୀ ଘରେ ଗୋଳମାଳ ହେବା ଆଶଙ୍କାରେ ସମସ୍ତେ ପାଦ ଚିପି ଚିପି ନିଃଶବ୍ଦରେ ପହଞ୍ଚିଲେ । ଶେଯ ପାଖରେ ଚୌକିରେ ବସି ମନୋରମା ରାତି ଅନିଦ୍ରାର କ୍ଳାନ୍ତି ହେତୁ ରୋଗୀ ଛାତିରେ ମୁଣ୍ଡ ରଖି ଶୋଇ ଯାଇଛି–ତା’ର ବେକ ଉପରେ ପରସ୍ପର ସଂଲଗ୍ନ ହାତ ରଖି ଶିବନାଥ ବି ସୁପ୍ତ । ସ୍ଵପ୍ନାତୀତ ଏହି ଦୃଶ୍ୟ ଦେଖି ଆଶୁ ବାବୁଙ୍କର ଦୁଇ ଆଖିରେ ମୁହୂର୍ତ୍ତକ ପାଇଁ ଅନ୍ଧାର ଘୋଟିଗଲା ଯେପରି–କିନ୍ତୁ ତା’ପରେ ସେ ଘର ଛାଡ଼ି ଦୌଡ଼ି ପଳାଇ ଆସିଲେ । ଅଜିତ୍‍ ଓ କମଳ ପରସ୍ପର ପ୍ରତି ଚାହିଁ ରହିଲେ–ତା’ପରେ ଯେମିତି ଆସିଥିଲେ ସେହିପରି ନିଃଶବ୍ଦରେ ଚାଲିଗଲେ ।

 

(ଷୋଳ)

 

ରୋଗୀର ଘରୁ ବାହାରି ଆସି ଅଜିତ୍‍ ଓ କମଳ ବାରଣ୍ଡାରେ ଠିଆ ହେଲେ । ଗୋଟିଏ ଛୋଟ ଲଣ୍ଠନ ଝୁଲୁଥିଲା, ସେଇ ଆଲୁଅରେ ଦେଖାଗଲା ଅଜିତ୍‍ର ମୁହଁ ନିଷ୍ପ୍ରଭ ହୋଇଯାଇଛି–ହଠାତ୍ ଧକ୍କା ଲାଗିଲେ ଯେପରି ହୁଏ । ସେଠାରେ ଆଉ କେହି ନ ଥିଲା, ତଥାପି ଜଣେ ଅନାତ୍ମୀୟା ଭଦ୍ରମହିଳା ପ୍ରତି ଉପଯୁକ୍ତ ସମ୍ମାନ ସହ ଅଜିତ୍‍ ପଚାରିଲା–ଆପଣ କ’ଣ ବର୍ତ୍ତମାନ ବସାକୁ ଫେରିଯିବେ ? ଦରକାର ହେଲେ ମୁଁ ତା’ର ବ୍ୟବସ୍ଥା କରିଦେବି ।

 

କମଳ ତା’ ମୁହଁକୁ ଚାହିଁ ଚୁପ୍ ହୋଇ ଠିଆହେଲା । ଅଜିତ୍‍ କହିଲା–ଏ ଘରେ ତ ଆଉ ଆପଣଙ୍କ ମୁହୂର୍ତ୍ତେ ରହିବା ଠିକ୍ ହେବ ନାହିଁ ।

 

କମଳ ଉତ୍ତର ଦେଲା–ଆପଣଙ୍କ ପାଇଁ ରହିବା ଠିକ୍ ହେବ ?

 

ଅଜିତ୍‍ କହିଲା–ନା, ମୋ’ପାଇଁ ବି ନୁହେଁ । କାଲି ସକାଳେ ମୁଁ ଅନ୍ୟତ୍ର ଚାଲିଯିବି ।

 

କମଳ କହିଲା–ସେଇ ଭଲ । ମୁଁ ବି ସେତିକିବେଳେ ଯିବି । ଆପାତତଃ ଏଇ ଚଉକିରେ ବସି ରାତିଟା କଟାଇ ଦେବି, ଆପଣ ଯାଇ ବିଶ୍ରାମ କରନ୍ତୁ ।

 

ସେଇ କ୍ଷୁଦ୍ର ଚଉକିଟା ପ୍ରତି ଦୃଷ୍ଟିପାତ କରି ଅଜିତ୍‍ ଇତଃସ୍ତତଃ କରି କହିଲା–କିନ୍ତୁ–

 

କମଳ କହିଲା–କିନ୍ତୁର କୌଣସି କାରଣ ନାହିଁ ଅଜିତ୍‍ ବାବୁ । ସେଥିରେ ଅନେକ ଝଂଝଟ । ଏକ୍ଷଣି ବସାକୁ ଯିବା ବି ସମ୍ଭବ ନୁହେଁ କି ଆପଣଙ୍କ ଘରକୁ ବି ଯାଇ ହେବନି । ଆପଣ ଯା’ନ୍ତୁ, ଆଉ ଡେରି କରନ୍ତୁ ନାହିଁ ।

 

ସକାଳେ ବେହେରା ଆସି ଅଜିତ୍‍କୁ ଆଶୁ ବାବୁଙ୍କ ଶୋଇବା ଘରକୁ ଡାକି ନେଇଗଲା । ସେ ସେପର୍ଯ୍ୟନ୍ତ ଶେଯ ଛାଡ଼ି ଉଠି ନାହାନ୍ତି । ପାଖରେ ଗୋଟିଏ ଚୌକିରେ କମଳ ବସିଛି । ବୋଧହୁଏ ତାକୁ ଆଗରୁ ଡକାଯାଇଛି ।

 

ଆଶୁ ବାବୁ କହିଲେ–ଦେହଟା କାଲିଠୁ ଭଲ ଲାଗୁନି । ଆଜି ମନେହେଉଛି–ଆଚ୍ଛା ବସ, ଅଜିତ୍‍ ।

 

ଅଜିତ୍‍ ବସିବାରୁ କହିଲେ–ଶୁଣିଲି, ତମେ ଆଜି ସକାଳୁ ଚାଲିଯିବ; ତମକୁ ରହିବାକୁ କହିବାକୁ ମୋର ମୁହଁ ନାହିଁ–ଆଚ୍ଛା ବେଶ୍ । ଆଉ କେତେବେଳେ ହୁଏତ ଦେଖା ବି ନ ହୋଇପାରେ–ତେବେ ଜାଣିଥାଅ, ମୁଁ ତୁମକୁ ସର୍ବାନ୍ତଃକରଣ ଆଶୀର୍ବାଦ କରୁଛି–ତମେ ଆମକୁ କ୍ଷମା କରି ଜୀବନରେ ସୁଖୀ ହେବ ।

 

ଅଜିତ୍‍ ସେ ପର୍ଯ୍ୟନ୍ତ ତାଙ୍କ ମୁହଁକୁ ଚାହିଁ ନ ଥିଲା, ବର୍ତ୍ତମାନ ତାଙ୍କ ମୁହଁକୁ ଚାହିଁ ନିର୍ବାକ୍ ହୋଇଗଲା । ସେ ଯେପରି ଅକସ୍ମାତ୍ କଥା ଭୁଲିଗଲା । ଗୋଟାଏ ରାତିର ମାତ୍ର କେତେ ଘଣ୍ଟା ମଧ୍ୟରେ କେତେ ବଡ଼ ଯେ ପରିବର୍ତ୍ତନ ହୋଇଗଲା, ସେ ଭାବି ପାରୁ ନ ଥିଲା ।

 

ଆଶୁ ବାବୁ ଦୁଇ ତିନି ମିନିଟ୍ ଚୁପ୍ ରହି କମଳ ଆଡ଼କୁ ଚାହିଁ କହିଲେ–ତମକୁ ଡାକି ଆଣିଛି କିନ୍ତୁ ତମକୁ ଚାହିଁଲେ ମୋ ମୁଣ୍ଡ ପୋତି ହୋଇ ଯାଉଛି । ସାରା ରାତି ବସି ବସି କେତେ ଯେ କ’ଣ ଭାବିଛି, କେମିତି କହିବି ?

 

ଟିକିଏ ଅଟକି ରହି ପୁଣି କହିଲେ–ଅକ୍ଷୟ ବାବୁ ଦିନେ କହୁଥିଲେ ଯେ ଶିବନାଥ ବାବୁ କୁଆଡ଼େ ତମ ଘରଆଡ଼େ ପ୍ରାୟ ଯାଆନ୍ତି ନାହିଁ । ମୁଁ କାନ ଦେଇ ନ ଥିଲି–ଭାବିଥିଲି ଏ ବୋଧହୁଏ ତା’ର ବିଦ୍ୱେଷର ଆତିଶଯ୍ୟ । ତମର ଟଙ୍କା ପଇସା ଅଭାବ ହେଉଥିଲା–ସେତେବେଳେ ତା’ର କାରଣ ବୁଝି ନ ଥିଲି–ଆଜି କିନ୍ତୁ ସବୁ ପରିଷ୍କାର ହୋଇଗଲାଣି–ଆଉ ସନ୍ଦେହ କିଛି ନାହିଁ ।

 

ଉଭୟେ ନୀରବ ରହିଲେ । ସେ କହିଲେ–ତମ ପ୍ରତି ମୁଁ ଅନେକ କ୍ଷେତ୍ରରେ ଭଲ ବ୍ୟବହାର କରିପାରିନି, କିନ୍ତୁ ସେଇ ପ୍ରଥମ ପରିଚୟ ଦିନଠାରୁ ମୁଁ ତମକୁ ଭଲ ପାଇଛି । ଆଜି ଖାଲି ମନେହେଉଛି, ଆମେ ଯଦି ଆଗ୍ରାକୁ ନ ଆସିଥାନ୍ତୁ ! କହୁ କହୁ ତାଙ୍କ ଆଖି ଲୁହରେ ଜକେଇ ଆସିଲା–ସେ ହାତରେ ପୋଛିଦେଇ କହିଲେ–ଜଗଦୀଶ୍ଵର ।

 

କମଳ ଉଠିଆସି ତାଙ୍କ ମୁଣ୍ଡ ପାଖେ ବସିଲା–କପାଳରେ ହାତ ମାରି କହିଲା–ଆପଣଙ୍କର ତ ଜ୍ଵର ଅଛି ଆଶୁ ବାବୁ ।

 

ଆଶୁ ବାବୁ ତା’ର ହାତଟି ନିଜ ହାତରେ ଚାପି ଧରି କହିଲେ–କମଳ, ମୁଁ ଜାଣେ ତୁମେ ଅତି ବୁଦ୍ଧିମତୀ, ମୋ’ପାଇଁ କ’ଣ ଗୋଟାଏ ଉପାୟ କରିଦିଅ । ଏ ଲୋକଟା ମୋ ଘରେ ରହିବ–ଏ କଥା ଭାବିଲେ ମୋ ଦିହ ନିଆଁ ହୋଇଯାଉଛି ।

 

କମଳ ଚାହିଁ ଦେଖିଲା, ଅଜିତ୍‍ ମୁଣ୍ଡ ପୋତି ବସିଛି । ତା’ ପାଖରୁ କୌଣସି ଇଙ୍ଗିତ ନ ପାଇ କହିଲା–‘ମୁଁ କ’ଣ କରିବି କହନ୍ତୁ ।’ କିଛି ଜବାବ୍ ନ ପାଇ ସେ ନିଜେ କିଛି ସମୟ ଚୁପ୍‍ ରହି କହିଲା–ଶିବନାଥ ବାବୁଙ୍କୁ ଆପଣ ରଖିବାକୁ ଚାହୁଁ ନାହାନ୍ତି ସତ–କିନ୍ତୁ ସେ ଯେ ପୀଡ଼ିତ । ଏ ଅବସ୍ଥାରେ ହୁଏତ ତାଙ୍କୁ ହସ୍ପିଟାଲକୁ ପଠାନ୍ତୁ–ନ ହେଲେ ତାଙ୍କ ନିଜ ବସାଟା ଯଦି ଜାଣନ୍ତି, ସେଠିକି ପଠାଇ ପାରନ୍ତି । ଆଉ ଯଦି ମନେକରନ୍ତି ଯେ ମୋ ପାଖକୁ ପଠେଇଲେ ଭଲ ହେବ, ତା’ହେଲେ ବି ପଠାଇ ପାରନ୍ତି । ମୋର କିଛି ଆପତ୍ତି ନାହିଁ; କିନ୍ତୁ ଆପଣ ତ ଜାଣନ୍ତି–ଚିକିତ୍ସା କରିବା ପାଇଁ ମୋର ଶକ୍ତି ନାହିଁ । ମୁଁ ସିନା ପ୍ରାଣପଣେ ସେବା କରିବି, କିନ୍ତୁ ତା’ଠୁ ତ କିଛି ବେଶୀ କରିପାରିବି ନାହିଁ ।

 

ଆଶୁ ବାବୁ କୃତଜ୍ଞ ଦୃଷ୍ଟିରେ ଚାହିଁ କହିଲେ–କମଳ, ଠିକ୍ କହିପାରିବିନି, କାହିଁକି କେଜାଣି–ମୁଁ ତୁମଠାରୁ ଠିକ୍ ଏଇପରି ଉତ୍ତର ଆଶା କରିଥିଲି । ପାଷଣ୍ଡର ଉତ୍ତର ଦେବାକୁ ଯାଇ ତୁମେ ଯେ ପାଷାଣ ହୋଇପାରିବ ନାହିଁ, ଏ କଥା ମୁଁ ଠିକ୍ ଜାଣିଥିଲି । ତମ ଜିନିଷ ତମେ ଘରକୁ ନେଇଯାଅ, ଚିକିତ୍ସା ପାଇଁ ଖର୍ଚ୍ଚର ଭୟ କର ନାହିଁ–ସେ ଭାର ମୁଁ ନେଉଛି ।

 

କମଳ କହିଲା–କିନ୍ତୁ ଏ ଘଟଣାରେ ଗୋଟାଏ କଥା ସର୍ବାଗ୍ରେ ପରିଷ୍କାର ହେବା ଦରକାର ।

 

ଆଶୁ ବାବୁ ସଙ୍ଗେ ସଙ୍ଗେ କହିଲେ–ତମର କହିବାର ଦରକାର ନାହିଁ, ମୁଁ ସେ କଥା ଜାଣେ । ଦିନେ ସେ ସବୁ ଆବର୍ଜନା ଦୂର ହୋଇଯିବ । ତମର କୌଣସି ଚିନ୍ତା ନାହିଁ, ମୁଁ ବଞ୍ଚି ଥାଉ ଥାଉ ତମ ଉପରେ ଏତେ ବଡ଼ ଅନ୍ୟାୟ ଅତ୍ୟାଚାର କରେଇ ଦେବି ନାହିଁ ।

 

କମଳ ତାଙ୍କ ମୁହଁକୁ ସ୍ଥିର ଦୃଷ୍ଟିରେ ଚାହିଁ ରହିଲା–କିଛି କହିଲା ନାହିଁ ।

 

‘କ’ଣ ଭାବୁଛ କମଳ ?’

 

‘ଭାବୁଛି ଆପଣଙ୍କୁ କହିବାର ଦରକାର ଅଛି କି ନାହିଁ–କିନ୍ତୁ ମନେହେଉଛି, ପ୍ରୟୋଜନ ଅଛି ବୋଲି । ନ ହେଲେ କିଛି ପରିଷ୍କାର ହେବ ନାହିଁ–ବରଂ ମଇଳା ବଢ଼ିଯିବ । ଆପଣଙ୍କର ଟଙ୍କା ଅଛି, ହୃଦୟ ଅଛି–ପର ପାଇଁ ଖର୍ଚ୍ଚ କରିବା ଆପଣଙ୍କ ପାଇଁ କଠିନ ନୁହେଁ–କିନ୍ତୁ ମତେ ଦୟା କରୁଛନ୍ତି, ଏ ଭୁଲ୍ ଧାରଣା ଯଦି ଆପଣଙ୍କର ଥାଏ, ତା’ହେଲେ ସେଟା ଦୂର ହେବା ଦରକାର । କୌଣସି କାରଣ ବଶତଃ ବି ମୁଁ ଆପଣଙ୍କଠାରୁ ଭିକ୍ଷା ଗ୍ରହଣ କରିବି ନାହିଁ ।

 

ଆଶୁ ବାବୁଙ୍କର ସେଇ ସିଲାଇ କଳ କଥାଟା ମନେପଡ଼ିଲା–ବ୍ୟଥିତ ହୋଇ କହିଲେ–ମୁଁ ଯଦି ଗୋଟାଏ ଭୁଲ୍ କରିଛି ତେବେ ତା’ର କ’ଣ କ୍ଷମା ନାହିଁ ?

 

କମଳ କହିଲା–ଆପଣ ସେତେବେଳେ ଯେତେ ବଡ଼ ଭୁଲ୍ କରିନଥିଲେ ବର୍ତ୍ତମାନ ତା’ଠାରୁ ବଡ଼ ଭୁଲ୍ କରିବାକୁ ଯାଉଛନ୍ତି । ଆପଣ ଭାବୁଛନ୍ତି ଯେ ଶିବନାଥ ବାବୁଙ୍କୁ ବଞ୍ଚେଇବା ଅର୍ଥ ମତେ ବଞ୍ଚେଇବା, ମତେ ଅନୁଗ୍ରହ କରିବା କଥା । କିନ୍ତୁ ତା’ ନୁହେଁ । ୟା’ପରେ ଆପଣଙ୍କର ଯେପରି ଇଚ୍ଛା, ସେମିତି ବ୍ୟବସ୍ଥା କରନ୍ତୁ–ମୋର ଆପତ୍ତି ନାହିଁ ।

 

ଆଶୁ ବାବୁ କହିଲେ–ଏମିତି ରାଗ ହୁଏ କମଳ, ଏଟା ତମ ପକ୍ଷରେ ଅସ୍ଵାଭାବିକ ବି ନୁହେଁ, ଅନ୍ୟାୟ ବି ନୁହେଁ । ବେଶ୍, ମୁଁ ଶିବନାଥକୁ ବଞ୍ଚାଇବା ପାଇଁ ସାହାଯ୍ୟ କରିବି, ତମକୁ ଅନୁଗ୍ରହ କରିବି ନାହିଁ । ଏବେ ହେଲା ତ ?

 

କମଳ ମୁହଁରେ ବିରକ୍ତିର ଚିହ୍ନ ଦେଖାଗଲା । କହିଲା–‘ନା, ହେବ ନାହିଁ । ଆପଣଙ୍କୁ ଯେତେବେଳେ ମୁଁ ବୁଝାଇ ପାରିବି ନାହିଁ, ସେତେବେଳେ ଉପାୟ କ’ଣ ? ତାଙ୍କୁ ଡାକ୍ତରଖାନାକୁ ପଠାନ୍ତୁ–ନାଇଁ ତ ହରେନ୍ଦ୍ର ବାବୁଙ୍କ ଆଶ୍ରମକୁ ପଠାଇ ଦିଅନ୍ତୁ । ସେମାନେ ଅନେକ ଲୋକଙ୍କର ସେବା କରୁଛନ୍ତି, ୟାଙ୍କର ବି କରିବେ । ଆପଣଙ୍କର ଯାହା ଖରଚ କରିବାର କଥା, ସେଇଠି କରିବେ । ମୁଁ ଭୀଷଣ କ୍ଳାନ୍ତ, ବର୍ତ୍ତମାନ ଉଠେ ।’ କହି ସେ ପ୍ରକୃତରେ ଉଠିବାର ଉପକ୍ରମ କଲା ।

 

ତା’ର କଥା ଓ ବ୍ୟବହାରରେ ଆଶୁ ବାବୁ ମନେମନେ କ୍ରୁଦ୍ଧ ହେଲେ; କହିଲେ–ଏ ତମର ତୁଚ୍ଛା କଥାକୁ ବଢ଼ାଇବା କଥା, କମଳ । ଉଭୟଙ୍କର ଉପକାର ପାଇଁ ମୁଁ ଯାହା କରିବାକୁ ଯାଉଛି, ତମେ ତାକୁ ବୃଥା ବିକୃତ କରି ଦେଖୁଛ । ଗୋଟାଏ ଦିଗରୁ ଦେଖିବାକୁ ଗଲେ ମୁଁ ଏଥିପାଇଁ ଲଜ୍ଜିତ ଏବଂ ଏ କଦାଚାରକୁ ଅଙ୍କୁରରୁ ବିନାଶ ନ କଲେ ମୋର ଗ୍ଳାନିର ସୀମା ରହିବ ନାହିଁ; କିନ୍ତୁ ମୋ ଝିଅ ଏଥିରେ ସଂଶ୍ଳିଷ୍ଟ ଅଛି ବୋଲି ଯେ ମୁଁ କୌଣସିମତେ ଉଦ୍ଧାର ପାଇବା ପାଇଁ ବାଟ ଖୋଜୁଛି, ତା’ ନୁହେଁ । ଶିବନାଥକୁ ମୁଁ ଅନେକ ଉପାୟରେ ବଞ୍ଚାଇ ପାରିବି–କିନ୍ତୁ କେବଳ ସେତିକି ମୁଁ ଚାହେଁନା । ଯେପରି ତମ ଆନ୍ତରିକ ସେବା ଫଳରେ ତମେ ତାକୁ ଫେରି ପାଇବ, ସେଇ କାମନା କରି ମୁଁ ଏ ପ୍ରସ୍ତାବ କରୁଛି–ଖାଲି ବ୍ୟକ୍ତିଗତ ଆବଶ୍ୟକତା ଦୃଷ୍ଟିରୁ ନୁହେଁ ।

 

କଥା ସତ୍ୟ, ସକରୁଣ ଏବଂ ଆନ୍ତରିକତା ପୂର୍ଣ୍ଣ; କିନ୍ତୁ କମଳ ମନରେ ଏହାଦ୍ଵାରା କିଛି ପ୍ରଭାବ ପଡ଼ିଲା ନାହିଁ । ସେ ଉତ୍ତରରେ କହିଲା–ମୁଁ ଠିକ୍ ଏଇ କଥା ଆପଣଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛି, ଆଶୁ ବାବୁ । ସେବା କରିବା ପାଇଁ ମୁଁ ଅସମ୍ମତ ନୁହେଁ, ଚା’ ବଗିଚାରେ ଅନେକ ରୋଗୀଙ୍କର ସେବା କରିଛି । କିନ୍ତୁ ତାଙ୍କୁ ଫେରିପାଇବାକୁ ଚାହେଁନି । ଏ କଥା ମୁଁ ଅଭିମାନରେ ବା ମିଥ୍ୟା ଗର୍ବପରବଶ ହୋଇ କହୁନାହିଁ–ସମ୍ବନ୍ଧ ଆମର ଛିଣ୍ଡି ଯାଇଛି, ମୁଁ ତାକୁ ଜୋଡ଼ି ପାରିବି ନାହିଁ ।

 

କଥାରେ ଉଷ୍ଣତା ବା ଉଚ୍ଛ୍ଵାସ ନାହିଁ–ଅତି ସାଦାସିଧା । ଆଶୁ ବାବୁ ଏ କଥା ଶୁଣି ସ୍ତବ୍ଧ ହୋଇଗଲେ, କିନ୍ତୁ କିଛି ସମୟ ପରେ କହିଲେ–ଏ କି କଥା କମଳ ? ଏହି ସାମାନ୍ୟ କାରଣରୁ ତମେ ସ୍ୱାମୀ ଛାଡ଼ିବା ପାଇଁ ଚାହୁଁଛ ? ଏ ଶିକ୍ଷା ତମକୁ କିଏ ଦେଲା ?

 

କମଳ ନୀରବ ରହିଲା–ଆଶୁ ବାବୁ କହିବାକୁ ଲାଗିଲେ–‘ଯେ ଦେଇଥାଉନା କାହିଁକି, ଭୁଲ୍‍ ଶିକ୍ଷା ଦେଇଛି । ଏ ଅନ୍ୟାୟ, ଅସଙ୍ଗତ–ଗଭୀର ଅସମ୍ମାନର କଥା । ଯେଉଁଠି ଜନ୍ମ ହୋଇଥାଅ ପଛକେ, ତୁମେ ଭାରତୀୟ ନାରୀ ଏ ପଥ ତମର ନୁହେଁ–ଏ କଥା ତୁମେ ଭୁଲିଯାଅନି । ଜାଣ କମଳ, ଗୋଟିଏ ଦେଶରେ ଯାହା ଧର୍ମ, ଅନ୍ୟ ଦେଶରେ ତା’ ଅଧର୍ମ ଏବଂ ସ୍ୱଧର୍ମରେ ମୃତ୍ୟୁ ମଧ୍ୟ ଶ୍ରେୟସ୍କର ।’ କହୁ କହୁ ତାଙ୍କର ଦୁଇ ଚକ୍ଷୁ ଦୀପ୍ତ ହୋଇ ଉଠିଲା ଏବଂ କହି ସାରି ସେ ସାମାନ୍ୟ ଅଟକି ଗଲେ । କିନ୍ତୁ ଯାହା ଉଦ୍ଦେଶ୍ୟରେ କହିଲେ, ସେ ଲେଶମାତ୍ର ବିଚଳିତ ହେଲା ନାହିଁ ।

 

ଆଶୁ ବାବୁ କହିବାକୁ ଲାଗିଲେ–ଏଇ ମୋହ ଦିନେ ଆମ ଦେଶକୁ ରସାତଳକୁ ଟାଣି ନେଉଥିଲା କିନ୍ତୁ କେତେଜଣ ମନୀଷୀ ଏ ଭାନ୍ତି ଧରି ପାରିଲେ । ଦେଶର ଜନତାକୁ ସେମାନେ ବାରମ୍ଵାର ଡାକି କହିଲେ–ତମେ ଉନ୍ମାଦ ଭଳି କେଉଁଆଡ଼େ ଚାଲିଛ ? ତମର କୌଣସି ଦୈନ୍ୟ, କୌଣସି ଅଭାବ ନାହିଁ–କାହା ପାଖରେ ତମକୁ ହାତ ପାତିବାକୁ ହେବ ନାହିଁ–କେବଳ ଥରେ ଘରକୁ ଫେରିଚାହଁ । ପୂର୍ବ ପିତାମହାଗଣ ସବୁ ରଖିଯାଇଛନ୍ତି, କେବଳ ଥରେ ହାତ ବଢ଼ାଇଲେ ପାଇବ । ବିଲାତରେ ତ ସବୁ ନିଜ ଆଖିରେ ଦେଖି ଆସିଛି–ବର୍ତ୍ତମାନ ଭାବୁଛି–ସେ ସମୟରେ ସେମାନେ ଯଦି ଏଇ ସତର୍କବାଣୀ ଉଚ୍ଚାରଣ କରି ନ ଥାନ୍ତେ, ଆଜି ଦେଶରେ କ’ଣ ହେଉ ନ ଥାନ୍ତା । ଓଃ, ଶିକ୍ଷିତ ଲୋକମାନଙ୍କର ଯେ କି ଦଶା ସେକାଳେ !’ ଏ କଥା କହି ସେ ସ୍ୱର୍ଗତ ମନୀଷୀଗଣଙ୍କ ଉଦ୍ଦେଶ୍ୟରେ କରଯୋଡ଼ି ପ୍ରଣତି ଜଣାଇଲେ ।

 

କମଳ ଚାହିଁଲା ଯେ ଅଜିତ୍‍ ତାଙ୍କ ଆଡ଼କୁ ମୁଗ୍ଧ ନୟନରେ ଚାହିଁ ରହିଛି । କଳ୍ପନା ଆବେଶରେ ତା’ର ସଜ୍ଞା ନାହିଁ ଯେପରି ।

 

ଆଶୁ ବାବୁଙ୍କ ସେ ପର୍ଯ୍ୟନ୍ତ ଭାବାବେଗ ପ୍ରଶମିତ ହୋଇ ନାହିଁ । କହିଲେ–କମଳ, ସେମାନେ ଆଉ କିଛି ନ କରିଥିଲେ ବି କେବଳ ଏଇଥିପାଇଁ ଦେଶବାସୀଙ୍କଠାରେ ସେମାନେ ପ୍ରାତଃସ୍ମରଣୀୟ ହୋଇ ରହିବେ ।

 

‘କେବଳ ଏଇଥିପାଇଁ ସେମାନେ ପ୍ରାତଃସ୍ମରଣୀୟ ?’

 

‘ହଁ–ସେମାନେ ଦେଶବାସୀଙ୍କୁ ବାହାରୁ ମୁହଁ ଫେରାଇ ଘରପ୍ରତି ଦୃଷ୍ଟି ଦେବାକୁ ଶିକ୍ଷା ଦେଇଥିଲେ ବୋଲି-’

 

କମଳ କହିଲା–ବାହାରେ ଯଦି ଆଲୁଅ ଜଳେ, ଯଦି ପୂର୍ବ ଦିଗନ୍ତରେ ସୂର୍ଯୋଦୟ ହୁଏ, ତା’ହେଲେ ବି ଦେଶବାସୀ ପଛକୁ ବୁଲି ପଶ୍ଚିମକୁ ଚାହିଁ ରହିବେ ? ସେଇ କ’ଣ ଦେଶପ୍ରୀତି ?

 

ଏ ପ୍ରଶ୍ନ ବୋଧହୁଏ ଆଶୁ ବାବୁଙ୍କ କାନରେ ପହଞ୍ଚିଲା ନାହିଁ–ସେ ନିଜ ଝୁଙ୍କିରେ କହିବାକୁ ଲାଗିଲେ–ଦେଶର ଧର୍ମ, ଦେଶର ପୁରାଣ, ଇତିହାସ, ଏ ଦେଶର ଆଚାର ବ୍ୟବହାର, ରୀତିନୀତି ଦିନେ ଯାହା ବିଦେଶର ଚାପରେ ଲୋପ ପାଇବାକୁ ବସିଥିଲା, ଆଜି ଯେ ତା’ ପ୍ରତି ଆମର ଶ୍ରଦ୍ଧା ଓ ବିଶ୍ୱାସ ଫେରିଆସିଛି–ତା’ କେବଳ ସେମାନଙ୍କର ଭବିଷ୍ୟତ ଦୃଷ୍ଟିର ଫଳ । ଜାତି ହିସାବରେ ଆମେ ଧ୍ଵଂସ ପଥରେ ଆଗେଇ ଯାଉଥିଲୁ । ଏଥିରୁ ବଞ୍ଚି ରହିବା କ’ଣ କମ୍ କଥା ? ପୁଣି ଥରେ ସମସ୍ତ ଫେରାଇ ନ ଆଣି ପାରିଲେ ଆମେ ଯେକୌଣସି କ୍ରମେ ରକ୍ଷା ପାଇ ପାରିବୁ ନାଇଁ–ଏ ବୋଧ ଶକ୍ତି ଆମକୁ କିଏ ଦେଲା କହ ତ ?

 

ଅଜିତ୍‍ ଅକସ୍ମାତ୍ ଠିଆହୋଇପଡ଼ି କହିଲା–‘ଏ ସମସ୍ତ ଚିନ୍ତା ଯେ ଆପଣଙ୍କ ମନରେ ସ୍ଥାନ ପାଇପାରେ, ଏ କଥା ମୁଁ କୌଣସି ଦିନ କଳ୍ପନା ବି କରିନଥିଲି । ମୋର ଅତ୍ୟନ୍ତ ଦୁଃଖ ଯେ ଏତେଦିନ ଧରି ଆପଣଙ୍କୁ ଚିହ୍ନି ପାରିନି । ଆପଣଙ୍କ ପାଦତଳରେ ବସି ଉପଦେଶ ଗ୍ରହଣ କରି ପାରିନି–’ ସେ ଆଉରି କେତେ କ’ଣ କହିବାକୁ ଯାଉଥିଲା କିନ୍ତୁ ବାଧା ପଡ଼ିଲା । ବେହେରା ଘରକୁ ଆସି କହିଲା ଯେ ହରେନ୍ଦ୍ର ବାବୁ ପ୍ରଭୃତି ଦେଖା କରିବାକୁ ଆସିଛନ୍ତି । ପରମୁହୂର୍ତ୍ତରେ ହରେନ୍ଦ୍ର, ସତୀଶ୍‍ ଓ ରାଜେନ୍‍କୁ ନେଇ ଆସି ପହଞ୍ଚିଲା । କହିଲା–‘ଖବର ନେଇ ବୁଝିଲି ଯେ ଶିବନାଥ ବାବୁ ଶୋଇଛନ୍ତି, ଡାକ୍ତର ଘର ବାଟେ ବୁଲି ଆସିଲି । ତାଙ୍କର ବିଶ୍ୱାସ କେସ୍ ସିରିୟସ୍ ନୁହେଁ, ଶୀଘ୍ର ଭଲ ହୋଇଯିବେ’ ଏହା କହି ସେ କମଳକୁ ନମସ୍କାର ହୋଇ ସଙ୍ଗୀମାନଙ୍କୁ ଧରି ଆସନ ଗ୍ରହଣ କଲା ।

 

ଆଶୁ ବାବୁ ମୁଣ୍ଡ ହଲାଇ ସମ୍ମତି ଜଣାଇଲେ, କିନ୍ତୁ ତାଙ୍କର ଦୃଷ୍ଟି ଅଜିତ୍‍ ପ୍ରତି ଥିଲା । ସେ ତାକୁ ଲକ୍ଷ୍ୟ କରି କହିଲେ–ତମେ କାହିଁକି ଭୁଲିଯାଉଛ ଯେ ମୁଁ ମୋର ସମସ୍ତ ଯୌବନ ବିଦେଶରେ କଟେଇଛି ? ଏଭଳି ଅନେକ ବସ୍ତୁ ଅଛି, ଯାହା ପାଖରୁ ଦେଖାଯାଏନା–ଦୂରରୁ ଠିଆହୋଇ ଚାହିଁଲେ ଜଣାଯାଏ । ମୁଁ ଶିକ୍ଷିତ ମନର ପରିବର୍ତ୍ତନ ସ୍ପଷ୍ଟ ଦେଖି ପାରୁଛି । ଏଇ ଯେଉଁ ହରେନ୍ଦ୍ରର ଆଶ୍ରମ–ପ୍ରତି ଗାଁରେ, ସହରରେ ତା’ର ଯେ ଶାଖା ପ୍ରଶାଖା ବିସ୍ତୃତ ହୋଇଯାଇଛି–ତା’ କ’ଣ ଏଇଥି ପାଇଁ ନୁହେଁ ? ଏଇ ବ୍ରହ୍ମଚର୍ଯ୍ୟ, ସଂଯମ ସାଧନା, ପୁରାତନ ରୀତିନୀତିର ପୁନଃପ୍ରବର୍ତ୍ତନ–ଏ ସମସ୍ତ କ’ଣ ଆମର ସେଇ ଅତୀତର ପୁନଃପ୍ରତିଷ୍ଠାର ଉଦ୍ୟମ ନୁହେଁ ? ସେ କଥା ଭୁଲିଗଲେ ବା ତା’ ପ୍ରତି ଆସ୍ଥା ହରାଇଲେ, ଆମର ଆଉ ଆଶା କରିବାର କ’ଣ ଅଛି ? ତପୋବନର ଯେ ଆଦର୍ଶ ଭାରତର ଥିଲା, ସମଗ୍ର ପୃଥିବୀରେ ତା’ର ସମକକ୍ଷ ଆଦର୍ଶ ଆଉ ମିଳିବ ନାହିଁ । ଯେଉଁମାନେ ଆମ ସମାଜକୁ ଗଢ଼ିଥିଲେ, ଆମର ସେଇ ପ୍ରାଚୀନ ଶାସ୍ତ୍ରକର୍ତ୍ତାଗଣ ବ୍ୟବସାୟୀ ନ ଥିଲେ, ଥିଲେ ସନ୍ନ୍ୟାସୀ । ନିଃସନ୍ଦେହରେ ସେମାନଙ୍କ ଦାନ ଗ୍ରହଣ କରିବା ହିଁ ଆମ ଜୀବନରେ ଚରମ ସାର୍ଥକତା । ଏଇ ଆମର କଲ୍ୟାଣମୟ ମାର୍ଗ କମଳ, ଏହା ଛଡ଼ା ଆଉ ପନ୍ଥା ନାହିଁ ।

 

ଅଜିତ୍‍ ସ୍ତବ୍ଧ ହୋଇ ରହିଲା, ସତୀଶ୍‍ ଓ ହରେନ୍ଦ୍ରଙ୍କର ବିସ୍ମୟର ସୀମା ନାହିଁ । ରାଜେନ୍ଦ୍ର ବୁଝିପାରିଲା ନାହିଁ ଯେ ଏହି ସାହେବୀ ଚାଲିଚଳନରେ ଚଳୁଥିବା ଭଦ୍ରବ୍ୟକ୍ତି କାହିଁକି ଓ କେଉଁ ପ୍ରସଙ୍ଗରେ ଏସବୁ କଥା କହୁଛନ୍ତି । ସମସ୍ତଙ୍କ ମୁହଁରେ ଅକପଟ ଶ୍ରଦ୍ଧାର ଚିହ୍ନ ।

 

ବକ୍ତା ନିଜେ ବି କମ୍ ବିସ୍ମିତ ହେଲେ ନାହିଁ । ଖାଲି କହିବାର କଥା ବୋଲି ନୁହେଁ, ଏଭଳି କାହାକୁ କେବେ କହିବା ପାଇଁ ସେ ସୁଯୋଗ ବି ପାଇନାହାନ୍ତି । ମନ ତାଙ୍କର ଅନିର୍ବଚନୀୟ ପରିତୃପ୍ତିରେ ଭରିଗଲା । କିଛି ସମୟ ପାଇଁ ପୂର୍ବର ଦୁଃଖ ଭୁଲିଗଲେ । କହିଲେ–ବୁଝିଲ କମଳ, କାହିଁକି ମୁଁ ତମକୁ ଅନୁରୋଧ କରୁଥିଲି ?

 

କମଳ ମୁଣ୍ଡହଲାଇ କହିଲା–ନା ।

 

‘ନା ? ନା କ’ଣ ?’

 

‘ବିଦେଶୀ ଶିକ୍ଷାର ପ୍ରଭାବ କାଟି ଆମର ସାବକ ଅବସ୍ଥାକୁ ଫେରି ଯିବାର ଚେଷ୍ଟା ଶିକ୍ଷିତ ସମାଜରେ ପ୍ରଚଳିତ ହେଲାଣି, ଏହି ସମ୍ବାଦ ଆପଣ ପରମ ଆନନ୍ଦ ସହ ଶୁଣାଉଥିଲେ । ଆପଣଙ୍କର ବିଶ୍ୱାସ ଏଥିରେ ଦେଶର କଲ୍ୟାଣ ହେବ । କିନ୍ତୁ କାରଣ କିଛି ଦେଖାଇ ନାହାନ୍ତି । ଅନେକ ପ୍ରାଚୀନ ରୀତିନୀତି ଲୋପ ପାଇ ଯାଉଥିଲା–ସେଗୁଡ଼ିକର ପୁନରୁଦ୍ଧାର କରିବାର ଚେଷ୍ଟା ଚାଲିଛି । ଏ କଥା ନିଶ୍ଚୟ ସତ୍ୟ–କିନ୍ତୁ ସେଥିରେ ନିଶ୍ଚୟ ଭଲ ଫଳ ହେବ, ଏହାର ପ୍ରମାଣ କାହିଁ ? କାହିଁ, ସେ କଥା ତ କହିଲେ ନାହିଁ ?’

 

‘କହିଲି ନାହିଁ କେମିତି ?’

 

‘ନା, କହି ନାହାଁନ୍ତି । ଯାହା କହିଛନ୍ତି ତା’ ସଂସ୍କାର ବିରୋଧୀ ପ୍ରତ୍ୟେକ ବ୍ୟକ୍ତି ପୁରାତନର ପ୍ରତି ଅନ୍ଧ ସ୍ତାବକ କହିଥାନ୍ତି । ଲୁପ୍ତ ବସ୍ତୁର ପୁନରୁଦ୍ଧାର ମାତ୍ରେ ଯେ ଭଲ ତା’ର ପ୍ରମାଣ ନାହିଁ । ମୋହବଶରେ ବହୁ ମନ୍ଦ ବସ୍ତୁର ବି ପୁନଃପ୍ରତିଷ୍ଟା ହୋଇଥାଏ ।

 

ଆଶୁ ବାବୁ ଉତ୍ତର ଖୋଜି ପାଇଲେ ନାହିଁ । କିନ୍ତୁ ଅଜିତ୍‍ କହିଲା–ମନ୍ଦ ବସ୍ତୁକୁ ଉଦ୍ଧାର କରିବା ପାଇଁ କେହି ଶକ୍ତି କ୍ଷୟ କରେନା ।

 

କମଳ କହିଲା–ଅନେକ ଲୋକ କରନ୍ତି; ମନ୍ଦ ବୋଲି ନୁହେଁ–ପୁରାତନ ମାତ୍ରେ ସ୍ଵତଃସିଦ୍ଧ ଭାବେ ଭଲ ବୋଲି ମନେକରନ୍ତି । ଗୋଟାଏ କଥା ମୁଁ ଆପଣଙ୍କୁ ପ୍ରଥମରୁ କହିବାକୁ ଚାହୁଁଥିଲି–କିନ୍ତୁ ଆପଣ କାନ ଦେଲେ ନାହିଁ । ଲୌକିକ ଆଚାର ଅନୁଷ୍ଠାନ ହେଉ ବା ପାରଲୌକିକ ଧର୍ମକର୍ମ ହେଉ–କେବଳ ନିଜ ଦେଶର ବୋଲି କୁଣ୍ଢେଇ ଧଇଲେ, ହୁଏତ ଦେଶପ୍ରୀତିର ବାହାବା ମିଳିପାରେ–କିନ୍ତୁ ଦେଶର କଲ୍ୟାଣ ସାଧିତ ହୁଏ ନାହିଁ ।

 

ଆଶୁ ବାବୁ ଅବାକ୍ ହୋଇ କହିଲେ–ତମେ କ’ଣ କହୁଛ କମଳ ? ଦେଶର ଧର୍ମ, ଦେଶର ଆଚାର ଅନୁଷ୍ଠାନକୁ ତ୍ୟାଗ କରି ବାହାରୁ ଭିକ୍ଷା ଗ୍ରହଣ କଲେ ନିଜର ବୋଲି ବାକି ରହିବ କ’ଣ ? ଜଗତରେ ମଣିଷ ବୋଲି ଦାବି ଜଣେଇବେ କେଉଁ ପରିଚୟରେ ?

 

କମଳ କହିଲା–ଦାବି ଆସି ଘରେ ପହଞ୍ଚିବ, ପରିଚୟର ପ୍ରୟୋଜନ ହେବ ନାହିଁ । ବିଶ୍ଵଜଗତ ବିନା ପରିଚୟରେ ଚିହ୍ନି ପାରିବ ।’

 

ଆଶୁ ବାବୁ ବ୍ୟାକୁଳ ହୋଇ କହିଲେ–ତମକୁ ବୁଝିପାରିଲି ନାହିଁ, କମଳ ।

 

‘ବୁଝିବାର କଥା ନୁହେଁ, ଆଶୁ ବାବୁ । ଏଇ ଚଳମାନ ସଂସାର ମଝିରେ ଗତିଶୀଳ ମାନବ ଚିତ୍ତରେ ପଦେ ପଦେ ଯେ ସତ୍ୟ ନିତ୍ୟ ନୂତନ ରୂପରେ ଦେଖାଦିଏ, ସମସ୍ତେ ତାକୁ ଚିହ୍ନିପାରନ୍ତି ନାହିଁ । ଭାବନ୍ତି–ଏ କେଉଁ ବିପଦ କେଉଁଠୁ ଆସି ପହଞ୍ଚିଲା ? ସେ ଦିନ ତାଜମହଲ ପାଖେ ଶିବାନୀର କଥା ମନେପଡ଼ୁଛି ? ଆଜି କମଳ ଭିତରେ ତାକୁ ଚିହ୍ନି ପାରିବା କଷ୍ଟ । ମନେହେବ–ଯାହାକୁ ଦେଖିଥିଲି ସେ କୁଆଡେ଼ ଗଲା । କିନ୍ତୁ ଏଇ ହେଲା ମଣିଷର ସତ୍ୟ ପରିଚୟ–ଏଇଭଳି ଭାବରେ ମୁଁ ଯେମିତି ସମସ୍ତଙ୍କ ପାଖରେ ଚିରଦିନ ପରିଚିତ ହୋଇପାରେ ।’

 

ଟିକିଏ ଅଟକି କହିଲା–କିନ୍ତୁ ତର୍କର ଝଡ଼ରେ ଅସଲ କଥାଟା ହଜିଗଲା । ମୁଁ ଅତି କ୍ଳାନ୍ତ, ଏଥର ଉଠୁଛି ।

 

ଆଶୁ ବାବୁ ବିହ୍ଵଳ ହୋଇ ଚାହିଁ ରହିଲେ । ସେ କେତେକ କଥା ଅସ୍ପଷ୍ଟ ଭାବେ ବୁଝିଲେ-। ଆଉ କେତେ କଥା ମୋଟେ ବୁଝିପାରିଲେ ନାହିଁ । କେବଳ ତାଙ୍କର ମନେହେଲା ଯେ ସେ ଯେଉଁ ଝଡ଼ କଥା କହିଥିଲା–ସେଇ ପ୍ରଚଣ୍ଡ ଖଞ୍ଜା ମୁହଁରେ ତାଙ୍କର ସମସ୍ତ ଆବେଦନ ନିବେଦନ ତୃଣଖଣ୍ଡ ପରି ଭାସି ଯାଇଛି ।

 

କମଳ ଉଠି ଠିଆହେଲା । ଅଜିତ୍‍କୁ ଚାହିଁ କହିଲା–ସାଙ୍ଗରେ ଧରି ଆସିଥିଲେ, ଚାଲନ୍ତୁନା, ନେଇ ଛାଡ଼ି ଦେବେ ।

 

ଅଜିତ୍‍ କିନ୍ତୁ ସଂକୋଚରେ ମୁହଁ ଟେକି ପାରିଲା ନାହିଁ ।

 

କମଳ ମନେମନେ ଟିକିଏ ହସି ରାଜେନ୍‍ର କାନ୍ଧ ଉପରେ ହାତ ରଖି କହିଲା–ରାଜେନ୍‍ ବାବୁ, ତୁମେ ଭାଇ ମତେ ଟିକିଏ ଛାଡ଼ି ଦେଇ ଆସି ପାରିବ ?

 

ଏହି ଆକସ୍ମିକ ଆତ୍ମୀୟ ସମ୍ବୋଧନରେ ରାଜେନ୍‍ ବିସ୍ମିତ ହୋଇ ତା’ ପ୍ରତି ଚାହିଁଲା–ତା’ପରେ କହିଲା–ଚାଲନ୍ତୁ ।

 

ଦ୍ଵାର ପାଖକୁ ଆସି କମଳ ହଠାତ୍ ଫେରି ଚାହିଁ କହିଲା–‘ଆଶୁ ବାବୁ, ମୋ ପ୍ରସ୍ତାବ ମୁଁ ପ୍ରତ୍ୟାହାର କରି ନାହିଁ । ଏଇ ସର୍ତ୍ତରେ ଇଚ୍ଛା ହୁଏତ ପଠେଇ ଦେବେ–ମୁଁ ଯଥାସାଧ୍ୟ ଚେଷ୍ଟା କରିବି-। ବଞ୍ଚିଲେ ଭଲ, ନ ବଞ୍ଚିଲେ ଅଦୃଷ୍ଟ ।’ ଘର ଭିତରେ ସମସ୍ତେ ସ୍ତବ୍ଧ ହୋଇ ଚାହିଁ ରହିଲେ–କମଳ ଚାଲିଗଲା ।

 

ଅଧବାଟରୁ ରାଜେନ୍‍ ବିଦାୟ ନେଲା । କହିଗଲା ଯେ କାମସାରି ଘଣ୍ଟାଏ ଦୁଇ ଘଣ୍ଟା ଭିତରେ ଫେରିଆସିବ ।

 

କମଳ ଅନ୍ୟମନସ୍କ ହୋଇ ପଡ଼ିଥିଲା–ତେଣୁ ଆପତ୍ତି କଲା ନାହିଁ । ବସାକୁ ଆସି ଦେଖିଲା–ସେ ପର୍ଯ୍ୟନ୍ତ ଦୁଆରେ ତାଲା ପଡ଼ିଛି । ଯେଉଁ ଦାସୀଟି ଆସି ତା’ର କାମଦାମ କରିଦେଇ ଯାଏ, ସେ ଆସି ନାହିଁ । ଘର ଖୋଲି ସେ କାମରେ ବ୍ୟସ୍ତ ରହିଲା । କାଲିଠାରୁ ତା’ର ଉପବାସ–ସ୍ଥିର କରିଥିଲା ଯେକୌଣସିମତେ କିଛି ରାନ୍ଧି ଖାଇସାରି ବିଶ୍ରାମ କରିବ । ବିଶ୍ରାମ ତା’ର ଏକାନ୍ତ ପ୍ରୟୋଜନ । କିନ୍ତୁ ତା’ର ଘର କାମ ସହଜରେ ଛିଡ଼ିଲା ନାହିଁ । ଚାରିଆଡ଼େ ଯେ ଏତେ ମଇଳା ଜମା ହୋଇଛି, ସେ ଲକ୍ଷ୍ୟ କରିନଥିଲା । ଚୁନ ବାଲି କାନ୍ଥରୁ ଖସି ଖଟ ଧାରରେ ଜମା ହୋଇଛି–ପକ୍ଷୀ ବସାରୁ କାଠିକୁଟା ଖସି ଶେଯ ଉପରେ ପଡ଼ିଛି–ଚାଦର, ତକିଆ ଖୋଳ ସବୁ ମଇଳା ହୋଇଗଲାଣି । ଚେୟାର, ଟେବୁଲ୍ ସ୍ଥାନଭ୍ରଷ୍ଟ, ପାପୋଛରେ କାଦୁଅ ଜମା ହୋଇଛି–ଆଇନାଟାର ଅବସ୍ଥା ଏପରି ଯେ ତାକୁ ପରିଷ୍କାର କରିବା ପାଇଁ ଓଳିଏ ଲାଗିବ । ଦୁଆତରେ କାଳି ଶୁଖିଗଲାଣି; କଲମ, ପ୍ୟାଡ୍‍, ବ୍ଲଟିଂ କାଗଜ ସବୁ ଏଣେତେଣେ ପଡ଼ିଛି । ଅପରିଚ୍ଛନ୍ନତାର ଆତିଶଯ୍ୟ ଦେଖି ତା’ର ମନେହେଲା ଯେପରି ଏପର୍ଯ୍ୟନ୍ତ ଏ ଘରେ ମଣିଷ ନ ଥିଲେ । ଗାଧୁଆ, ଖିଆପିଆ ବନ୍ଦ କରି ସେ ସବୁ ପରିଷ୍କାର କରିବାରେ ଲାଗିଲା । ସବୁ ଶେଷ କରି ସେ ତଳୁ ଗାଧୋଇ ଫେରିଲା ବେଳକୁ ସନ୍ଧ୍ୟା ହେଲାଣି । ଏତେ ଦିନ ପର୍ଯ୍ୟନ୍ତ ସେ ନିଶ୍ଚୟ ରୂପେ ଜାଣିଥିଲା ଯେ ସେ ଏଠି ରହିବ ନାହିଁ । ରହିବା ସମ୍ଭବ ନୁହେଁ, ଉଚିତ ବି ନୁହେଁ । ମାସ ପରେ ମାସ ବସାର ଭଡ଼ା ଯୋଗାଇବ କେଉଁଠୁ ? ଯିବାକୁ ହେବ ନିଶ୍ଚୟ–କେବଳ ଯିବା ଦିନଟା ସେ ଠିକ୍ କରିପାରି ନ ଥିଲା–ରାତି ପରେ ସକାଳ ଓ ସକାଳ ପରେ ରାତି ଆସି ତାକୁ ପାଦ ବଢ଼ାଇବାକୁ ସମୟ ନ ଥିଲା ।

 

ଘର ପ୍ରତି ମମତା ନାହିଁ, ଅଥଚ ଆଜି ସେ କାହିଁକି ଏତେ ଖାଟିଲା, ଅକସ୍ମାତ୍ ଏହାର କ’ଣ ଦରକାର ଥିଲା–ଏଇ କଥା ଭାବୁ ଭାବୁ ସେ ଶୂନ୍ୟ ଚକ୍ଷୁରେ ରାସ୍ତାକୁ ଚାହିଁ ରହିଲା–ପୁଣି ଯାଇ କାମରେ ଲାଗିଗଲା । ଏଇମିତି ଆଜି ତା’ର କାମ ଓ ସମୟ ଉଭୟ ଶେଷ ହେଇଛି–କିନ୍ତୁ ସମୟ ତ ସବୁଦିନ ଶେଷ ହୁଏ–କେବଳ ଏମିତି କାମରେ ନୁହେଁ । ସନ୍ଧ୍ୟା ପରେ ସେ ଆଲୁଅ ଲଗେଇ ଭାତ ବସେଇଲା ଏବଂ ସମୟ କଟାଇବା ପାଇଁ ବିଛଣାରେ ପଡ଼ି ଗୋଟାଏ ବହି ଖୋଲି ଚାହିଁ ରହିଲା । କେତେବେଳେ ଯେ ବହି ଓ ତା’ର ଆଖି ବୁଜି ହୋଇଯାଇଛି, ସେ ଟେର ପାଇନି । ଉଠିଲା ବେଳକୁ ଘରର ଆଲୁଅ ଲିଭିଯାଇଛି ଏବଂ ଖୋଲା ଝରକା ବାଟ ଦେଇ ଉଷାର ଅରୁଣାଲୋକରେ ଘର ସାରା ଆରକ୍ତ ହୋଇ ଉଠିଛି । ବେଳ ହେଲାଣି । ଅଥଚ ଦାସୀଟିର ଦେଖାନାଇଁ । ତା’ ବସା ଖୋଜି ତା’ ସମ୍ପର୍କରେ ଖବର ନେବା ପ୍ରୟୋଜନ ବିଚାରି ସେ ଲୁଗା ପିନ୍ଧି ବାହାରୁଛି, ଏହି ସମୟରେ ତଳ ସିଡ଼ିରେ କିଏ ଆସୁଥିବାର ଶବ୍ଦ ଶୁଭିଲା ।

 

ଡାକ ଶୁଭିଲା–ଘରେ ଅଛନ୍ତି ? ଯିବି ?

 

‘ଆସନ୍ତୁ ।’

 

ହରେନ୍ଦ୍ର ଆସିଲା । ଚୌକି ଟାଣି ବସିପଡ଼ି କହିଲା–କୁଆଡ଼େ ବାହାରୁଥିଲେ ନା କ’ଣ ?

 

‘ହଁ । ଯେଉଁ ବୁଢ଼ୀଟି ମୋର କାମଦାମ କରେ ତା’ର ବୋଧହୁଏ ଦେହ ଖରାପ ଅଛି । ତାକୁ ଖୋଜି ବାହାରିଥିଲି ।’

 

‘ଇନ୍‍ଫ୍ଲୁଏଞ୍ଜା ଛଡ଼ା କିଛି ହୋଇ ନ ଥିବ । ଆଗ୍ରାରେ ଏପିଡ଼େମିକ ଫର୍ମରେ ଦେଖାଦେଲାଣି । ବସ୍ତିଗୁଡ଼ାକରେ ବହୁ ଲୋକ ମରୁଛନ୍ତି । ମଥୁରା ବୃନ୍ଦାବନରେ ଯେଉଁ ଭଳି ହେଇଥିଲା ସେମିତି ହେଲେ ହୁଏତ ମରିବାକୁ ହେବ ନ ହେଲେ ଆଗ୍ରା ଛାଡ଼ି ପଳେଇବା କଥା । ଏ ବୁଢ଼ୀ ଥାଏ କେଉଁଠି ?’

 

‘ଠିକ୍ ଜାଣିନି । ଏଇ ପାଖରେ କୋଉଠି ଥାଏ ବୋଧହୁଏ । ଖୋଜିବାକୁ ହେବ ।’

 

ହରେନ୍ଦ୍ର କହିଲା–ଏଇ ରୋଗଟା ବଡ଼ ସଂକ୍ରାମକ । ଟିକିଏ ସାବଧାନ ରହିବେ । ସେ ଆଡ଼ର ଖବର ପାଇଛନ୍ତି ବୋଧହୁଏ ?

 

କମଳ ମୁଣ୍ଡ ହଲାଇ କହିଲା–ନା ।

 

ହରେନ୍ଦ୍ର ତା’ ମୁହଁକୁ କିଛି ସମୟ ଚାହିଁ କହିଲା–ଭୟ ପାଇବାର କିଛି ନାହିଁ । କାଲି ଆସିଥାନ୍ତି, କିନ୍ତୁ କୌଣସିମତେ ସମୟ ପାଇଲି ନାହିଁ । ଆମ ଅକ୍ଷୟ ବାବୁ ଆଜି କଲେଜକୁ ଆସି ନାହାନ୍ତି, ଶୁଣିଲି ତାଙ୍କ ଦେହ ଖରାପ–ଆଶୁ ବାବୁଙ୍କୁ କାଲି ଦେଖି ଆସିଥିଲେ । ଏଣେ ଅବିନାଶ ଦା’ଙ୍କର କାଲିଠାରୁ ଜର । ଭାଉଜଙ୍କର ବି ମୁହଁ ଶୁଖିଲା ଦିଶୁଥିଲା–ସେ ନିଜେ ନ ପଡ଼ିଗଲେ ରକ୍ଷା-

 

କମଳ ଚୁପ୍ ରହିଲା । ଏସବୁ ଖବରରେ ସେ ବିଶେଷ ମନ ଦେଇ ପାରିଲା ନାହିଁ ।

Unknown

 

‘ତା’ଛଡ଼ା ଶିବନାଥ ବାବୁ । ଇନ୍‍ଫ୍ଲୁଏଞ୍ଜାରେ କିଛି କୁହାଯାଇ ପାରେନା ଅବଶ୍ୟ । ଅଥଚ ହସ୍ପିଟାଲ୍‍କୁ ଯିବା ପାଇଁ ରାଜି ହେଲେ ନାହିଁ । କାଲି ଉପର ବେଳା ତାଙ୍କୁ ତାଙ୍କ ବସାକୁ ରିମୁଭ୍ କରାହେଲା । ଆଜି ଯାଇ ଟିକିଏ ଖବର ନେବାକୁ ହେବ ।’

 

କମଳ ପଚାରିଲା–ସେଠି ଆଉ କିଏ ଅଛି ?

 

‘ଗୋଟିଏ ଚାକର ଅଛି । ଉପର ଘରଗୁଡ଼ାକରେ କେତେଜଣ ପଞ୍ଜାବୀ ଅଛନ୍ତି । ଠିକାଦାରି କରନ୍ତି ସେମାନେ । ଶୁଣିଲି ସେମାନେ ଭଲ ଲୋକ ।’

 

କମଳ ଦୀର୍ଘ ନିଃଶ୍ଵାସ ପକାଇ ଚୁପ୍ ରହିଲା । ଟିକିଏ ପରେ କହିଲା–ରାଜେନ୍‍ ବାବୁଙ୍କୁ ଟିକିଏ ମୋ ପାଖକୁ ପଠାଇ ଦେବେ ?

 

‘ପାଇଲେ ପଠାଇବି, କିନ୍ତୁ ମୁଁ ତାକୁ ପାଇବି କେଉଁଠୁ ? ଆଜି ସକାଳୁ ବାହାରିଛି ଯେ ଏପର୍ଯ୍ୟନ୍ତ ଦେଖା ନାହିଁ । ସେ ପାଖ ମୋଚି ପଡ଼ାରେ ଖୁବ୍ ଜୋର୍ ଇନ୍‍ଫ୍ଲୁଏଞ୍ଜା–ଯାଇଛି ସେବା କରିବାକୁ । ଯଦି ଖାଇବାକୁ ଆଶ୍ରମକୁ ଆସେ ତ ଖବର ଦେବି ।’

 

‘ତାଙ୍କୁ କିଏ ରିମୁଭ୍ କଲା ? ଆପଣ ?’

 

‘ନା, ରାଜେନ୍‍ । ତା ମୁହଁରୁ ଶୁଣିଲି ପଞ୍ଜାବୀମାନେ ଯତ୍ନ ନେଉଛନ୍ତି । ତେବେ ସେମାନେ ଯାହା କରନ୍ତୁ–ରାଜେନ୍‍ ଯେତେବେଳେ ଠିକଣା ଜାଣିଛି, ସହଜରେ ତ୍ରୁଟି ହେବ ନାହିଁ । ଦରକାର ହେଲେ ନିଜେ ଲାଗିଯିବ । ଗୋଟାଏ ଭରସା–ତାକୁ ରୋଗ ଧରେନା । ପୁଲିସ୍‍ ନ ଧରିଲେ ସେ ଏକା ମାଧିଆ ବାଇଶି ପଳ । କେବଳ ପୁଲିସ୍‍ ପାଖେ ଜବ୍‍ଦ, ନ ହେଲେ ତାକୁ କାବୁ କଲାଭଳି ଜିନିଷ ପୃଥିବୀରେ ନାହିଁ ।’

 

‘ପୁଲିସ୍‍ ଧରିବାର ଆଶଙ୍କା ଅଛି କି ?’

 

‘ଆଶା ତ କରୁଛି ସେଇଭଳି । ଅନ୍ତତଃ ଆଶ୍ରମଟା ବଞ୍ଚିଯିବ ।’

 

‘ତା’ହେଲେ ତାଙ୍କୁ ଚାଲିଯିବା ପାଇଁ କହୁ ନାହାନ୍ତି କାହିଁକି ?’

 

‘ତା’ କଠିନ; କହିଲା ମାତ୍ରେ ଚାଲିଯିବ ଯେ ମୁଣ୍ଡ ପିଟିଲେ ବି ଆଉ ଦେଖା ମିଳିବା ସହଜ ନୁହେଁ ।’

 

‘ନ ଫେରିଲେ କ୍ଷତି କ’ଣ ?’

 

‘କ୍ଷତି ? ତାକୁ ତ ଜାଣି ନାହାନ୍ତି, ନ ଜାଣିଲେ କ୍ଷତିର ପରିମାଣ ଜାଣିବା ସହଜ ନୁହେଁ । ଆଶ୍ରମ ନ ରହିଲେ ମୁଁ ସହିପାରିବି, କିନ୍ତୁ ତାକୁ ହରେଇଲେ ମୁଁ ସହିପାରିବି ନାହିଁ ।’ ଏହା କହି ହରେନ୍ଦ୍ର କିଛି ସମୟ ଚୁପ୍ ରହି ପ୍ରସଙ୍ଗ ବଦଳାଇବା ପାଇଁ କହିଲା–ଗୋଟାଏ ମଜା ଘଟଣା ଶୁଣନ୍ତୁ-। କେହି କଳ୍ପନା କରିପାରିବ ନାହିଁ । କାଲି ଅବିନାଶ ଦା’ଘରୁ ଫେରିଲାବେଳକୁ ଅନେକ ରାତି ହେଲାଣି । ଦେଖିଲି ଅଜିତ୍‍ ବାବୁ ଆସି ଉପସ୍ଥିତ । ଭୟ ହେଲା–ଘଟଣା କ’ଣ ? ଦେହ ଫେହ ଖରାପ ହେଲାନା କ’ଣ ? କିନ୍ତୁ ସେୟା ନୁହେଁ–ବିଛଣାପତ୍ର ଧରି ସେ ଆଶ୍ରମରେ ରହିବାକୁ ଆସିଛନ୍ତି । ଇତି ମଧ୍ୟରେ ସତୀଶ୍‍ ସଙ୍ଗେ କଥାବାର୍ତ୍ତୀ ହୋଇଯାଇଛି–ଆଶ୍ରମ କାମରେ ଜୀବନ କଟାଇବେ ବୋଲି ସ୍ଥିର କରିଛନ୍ତି–ଏଥିରେ ଆଉ ହଲ୍‍ଚଲ୍‍ ନାହିଁ । ବଡ଼ଲୋକଙ୍କୁ ପାଇଲେ ଆମର ସାଧାରଣତଃ ଭଲ ହିଁ ହୁଏ । କିନ୍ତୁ ଆଶଙ୍କା ହେଲା ଯେ ୟା’ଭିତରେ କିଛି ଗୋଟାଏ ଗୋଳମାଳ ଅଛି । ସକାଳେ ଆଶୁ ବାବୁଙ୍କ ପାଖକୁ ଯାଇଥିଲି, ସବୁ ଶୁଣି ସେ କହିଲେ–‘ଉଦ୍ଦେଶ୍ୟ ଅତି ମହତ୍ କିନ୍ତୁ ଭାରତରେ ତ ଆଶ୍ରମର ଅଭାବ ନାହିଁ, ଆଗ୍ରା ଛଡ଼ା ଆଉ କୋଉଠିକି ଯାଇ ସେ ଏ ବୃତ୍ତି ଧରିଥିଲେ ମୁଁ ଏଠି ସୁବିଧାରେ ଦିନାକେତେ ରହିପାରିଥାନ୍ତି । ଦେଖୁଛି ମତେ ଏଠି ଶୀଘ୍ର ବିଛଣା ଉଠେଇବାକୁ ପଡ଼ିବ ।’

କମଳ କୌଣସି ପ୍ରକାରରେ ବିସ୍ମୟ ପ୍ରକାଶ ନ କରି ଚୁପ୍ ରହିଲା । ହରେନ୍ଦ୍ର କହିଲା–ମୁଁ ସେଇଠାରୁ ହିଁ ବର୍ତ୍ତମାନ ଫେରୁଛି । ଭାବୁଛି, ଫେରିଯାଇ ଅଜିତ୍‍ ବାବୁଙ୍କୁ କ’ଣ କହିବି ।

କମଳ ବୁଝିପାରିଲା ଶିବନାଥକୁ ସ୍ଥାନାନ୍ତରିତ କରିବାକୁ ଯାଇ ନାନା ବାଦ ପ୍ରତିବାଦର ସୃଷ୍ଟି ହୋଇଛି । ଅବଶ୍ୟ କେହି କିଛି କହି ନାହାନ୍ତି, ନୀରବରେ ହିଁ ସମସ୍ତ ଘଟିଛି, କିନ୍ତୁ କର୍କଶତାର ସେ ଯେ ସମସ୍ତ ସ୍ତରକୁ ଅତିକ୍ରମ କରିଯାଇଛି ଏଥିରେ ସନ୍ଦେହ ନାହିଁ; ତଥାପି ସେ କୌଣସି କଥାର ଉତ୍ତର ଦେଲାନି, ସେମିତି ନୀରବରେ ବସି ରହିଲା ।

ହରେନ୍ଦ୍ର ପୁଣି କହିଲା–ବୋଧହୁଏ ଆଶୁ ବାବୁ ସବୁ କଥା ଶୁଣିଛନ୍ତି । ଆପଣଙ୍କ ପ୍ରତି ଶିବନାଥଙ୍କର ଏଭଳି ଆଚରଣରେ ସେ ଖୁବ୍ ମର୍ମାହତ । ଏକରକମ ଜୋର୍ କରି ସେ ତାକୁ ଘରୁ ବାହାର କରି ଦେଇଛନ୍ତି । ମନୋରମାର ଏହା ବୋଧହୁଏ ଇଚ୍ଛା ନ ଥିଲା, ଶିବନାଥ ତା’ର ସଙ୍ଗୀତଗୁରୁ, ପାଖରେ ବସି ଚିକିତ୍ସା କରିବା ତା’ର ଅଭିପ୍ରାୟ ଥିଲା, କିନ୍ତୁ ତାହା ହୋଇପାରିଲାନି । ଅଜିତ୍‍ ବାବୁ ବୋଧହୁଏ ଏଇ କଥା ନେଇ ତା’ ସାଙ୍ଗରେ ଝଗଡ଼ା କରିଛନ୍ତି ।

କମଳ ଟିକିଏ ହସିଲା, କହିଲା–ଆଶ୍ଚର୍ଯ୍ୟ ନୁହେଁ; କିନ୍ତୁ ଆପଣ ଏସବୁ ଶୁଣିଲେ କାହାଠୁ-? ରାଜେନ୍‍ କହିଲା ?

‘ନା, ସେ ସେମିତି ଲୋକ ନୁହେଁ । ଜାଣିଲେ ବି କହିବନି । ଏ କେବଳ ମୋର ଅନୁମାନ । ସେୟା ଭାବୁଛି, ମିଳାମିଶା ତ ନିଶ୍ଚୟ ହବ, ତେବେ ମଝିରୁ ଅଜିତ୍‍କୁ ରଗେଇ ଲାଭ କ’ଣ ? ଚୁପ୍ ରହିଯିବା ହିଁ ଭଲ । ଯେତେଦିନ ସେ ଆଶ୍ରମରେ ରହେ ଯତ୍ନର ଅଭାବ ହେବ ନାହିଁ ।

କମଳ କହିଲା–ତାହା ହିଁ ଭଲ ହେବ ।

‘ତେବେ ବର୍ତ୍ତମାନ ଉଠୁଛି । ଦାଦାଙ୍କ ସକାଶେ ହିଁ ଭାବନା, ଟିକିଏ କଥାରେ ସେ ବଡ଼ ବିଚଳିତ ହୋଇ ପଡ଼ନ୍ତି । ସମୟ ଯଦି ପାଏ କାଲି ଥରେ ଆସିବି ।’

‘ଆସିବେ ।’ କମଳ ଉଠି ନମସ୍କାର କଲା, କହିଲା–ରଜେନ୍‍କୁ ପଠାଇବାକୁ ଭୁଲିବେନି-। କହିବେ ବଡ଼ ଅସୁବିଧାରେ ପଡ଼ି ତାକୁ ମୁଁ ଡକେଇଛି ।

‘ଅସୁବିଧାରେ ପଡ଼ି ଡକେଇଛନ୍ତି ?’ ହରେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ କହିଲା–ଦେଖା ପାଇଲେ ସେଇକ୍ଷଣି ପଠେଇଦେବି, କିନ୍ତୁ ମତେ କହିବେନି କାହିଁକି ? ମତେ ମଧ୍ୟ ଆପଣଙ୍କର ଅକୃତ୍ରିମ ବନ୍ଧୁ ବୋଲି ଧରନ୍ତୁନା ।

 

‘ତା’ ତ ଜଣେ, କିନ୍ତୁ ତାକୁ ଟିକିଏ ପଠେଇ ଦେବେ ।’

 

‘ହଁ, ନିଶ୍ଚୟ ପଠେଇ ଦେବି ।’ କହି ହରେନ୍ଦ୍ର ଆଉ କଥାକୁ ନ ବଢ଼େଇ ବାହାରି ଗଲା ।

 

ଉପରଓଳି ରଜେନ୍ ଆସି ଉପସ୍ଥିତ ହେଲା ।

 

‘ରାଜେନ୍‍, ମୋର ଗୋଟାଏ କାମ କରିବାକୁ ହେବ ।’

 

ତା’ ତ କରିବି; କିନ୍ତୁ କାଲି ନାଁ ସାଥିରେ ଯେଉଁ ‘ବାବୁ’ ଟିକକ ଖାଲି ଥିଲା, ଆଜି ସେତକ ବି ଖସିଲା ।

 

‘ଭଲ ତ ହେଲା, ବେଶ୍ ହାଲୁକା ହୋଇଗଲା । ନାଇଁ ଯଦି ଚାହଁ ତ ଯୋଡ଼ି ଦେବି ।’

 

‘ନା ଥାଉ, ଦରକାର ନାହିଁ; କିନ୍ତୁ ମୁଁ ଆପଣଙ୍କୁ କ’ଣ ବୋଲି ଡାକିବି ?’

 

‘ସମସ୍ତେ ମତେ ଡାକନ୍ତି କମଳ ବୋଲି, କାଇଁ ସେଥିରେ ତ ମୋର ସମ୍ମାନହାନି ହୁଏନା-। ନାମର ଆଗରେ ପଛରେ ଗୋଛାଏ କିଛି ଯୋଡ଼ି ନିଜକୁ ଓଜନିଆ କରିବାକୁ ମତେ ଭାରି ସଂକୋଚ ଲାଗେ । ‘ଆପଣ’ କହିବା ମଧ୍ୟ ଦରକାର ନାହିଁ । ମତେ ମୋର ସାଧାରଣ ନାମ ଧରି ଡାକିଲେ ହେଲା ।’

 

ଏହାର ଉତ୍ତରକୁ ଏଡ଼େଇ ନେଇ ରାଜେନ୍‍ ପଚାରିଲା–ମତେ, କ’ଣ କରିବାକୁ ହେବ ?

 

‘ମୋର ବନ୍ଧୁ ହେବାକୁ ପଡ଼ିବ । ଲୋକେ କହନ୍ତି ତୁମେ ବିପ୍ଳବ ପନ୍ଥୀ ବୋଲି । ତା’ ଯଦି ସତ ହୋଇଥାଏ ତୁମ ସହିତ ମୋର ବନ୍ଧୁତ୍ୱ ଅକ୍ଷୟ ହେବ ।’

 

‘ସେ ଅକ୍ଷୟ ବନ୍ଧୁତ୍ୱ ମୋର କି କାମରେ ଲାଗିବ ?’

 

କମଳ ବିସ୍ମିତ ଆଉ ବ୍ୟଥିତ ହେଲା । ଉପେକ୍ଷାର ଏକ ସୁସ୍ପଷ୍ଟ ସ୍ଵର ଆସି ତାହାର କାନରେ ବାଜିଲା, କହିଲା–ଏମିତି କଥା କହନ୍ତିନି । ବନ୍ଧୁତ୍ୱ ଜିନିଷଟା ସଂସାରରେ ଦୁର୍ଲଭ, ଆଉ ମୋର ବନ୍ଧୁତ୍ୱ ସାଧାରଣତଃ ଆହୁରି ଦୁର୍ଲଭ । ଯାହାକୁ ଚିହ୍ନନି ତାକୁ ଅଯଥା ଅଶ୍ରଦ୍ଧା କରି ନିଜକୁ ଛୋଟ କର ନାହିଁ ।

 

କିନ୍ତୁ ଏ ଅନୁଯୋଗ ଲୋକଟି ଉପରେ କୌଣସି ପ୍ରଭାବ ପକାଇ ପାରିଲା ନାହିଁ, ସେ ହସ ହସ ମୁଖରେ ସହଜ ଭାବେ ଉତ୍ତର ଦେଲା–ଅଶ୍ରଦ୍ଧା ସକାଶେ ନୁହେଁ, ବନ୍ଧୁତ୍ୱର ଆବଶ୍ୟକତାଟା ବୁଝିପାରିନି, ତେଣୁ କେବଳ ଜାଣିବାକୁ ଚାହୁଁଥିଲି । ଆଉ ଯଦି କହନ୍ତି ଏ ଜିନିଷ ମୋର କାମରେ ଲାଗିବ, ମୁଁ ତା’ ଅସ୍ଵୀକାର କରୁନି; କିନ୍ତୁ କି କାମରେ ଲାଗିବ ତାହା ଭାବୁଛି ।

 

କମଳର ମୁହଁ ରଙ୍ଗା ପଡ଼ିଗଲା । କିଏ ଯେପରି ଚାବୁକ୍ ମାରି ତାକୁ ଅପମାନ ଦେଲା । ସେ ଅତି ଶିକ୍ଷିତା, ଅତି ସୁନ୍ଦରୀ ଓ ପ୍ରଖର ବୁଦ୍ଧିଶାଳିନୀ ! ସେ ପୁରୁଷର କାମନାର ବସ୍ତୁ, ଏହା ଥିଲା ତା’ର ଧାରଣା; ତାହାର ଦୃପ୍ତ ତେଜ ଯେ ଅପରାଜେୟ, ଏହା ଥିଲା ତା’ର ଐକାନ୍ତିକ ବିଶ୍ଵାସ । ସଂସାରରେ ବହୁ ନାରୀ ତାକୁ ଘୃଣା କରିଛନ୍ତି, ବହୁ ପୁରୁଷ ତାକୁ ଆତଙ୍କ ଅଗ୍ନିରେ ଧ୍ଵଂସ କରିବା ପାଇଁ ଚେଷ୍ଟା କରିଛନ୍ତି–ଅବହେଳାର ଛଳନା ଯେ କରିନାହାନ୍ତି, ତା’ ନୁହେଁ–କିନ୍ତୁ ଏ ତ ସେସବୁ ଠାରୁ ସ୍ଵତନ୍ତ୍ର । ଆଜି ଏଇ ଲୋକଟି ପାଖରେ ସେ ତୁଚ୍ଛତାରେ ମ୍ଳାନ ହୋଇଗଲା ଯେପରି । ଶିବନାଥ ତାକୁ ବଞ୍ଚନା କରିଛି–କିନ୍ତୁ ଏଭଳି ତା’ ଦେହରେ ଦୀନତାର ଚିରାକନା ଗୁଡ଼ାଇ ଦେଇନି ।

 

କମଳର ଗୋଟାଏ ପ୍ରବଳ ସନ୍ଦେହ ଜାଗ୍ରତ ହେଲା । ପଚାରିଲା–ମୋ ବିଷୟରେ ତମେ ବହୁତ କିଛି ଶୁଣିଛ ନା ?

 

ରାଜେନ୍‍ କହିଲା–ସମସ୍ତେ ଅବଶ୍ୟ କହନ୍ତି ।

 

‘କ’ଣ କହନ୍ତି ?’

 

ସେ ଟିକିଏ ହସିବାକୁ ଚେଷ୍ଟା କଲା, କହିଲା–ଦେଖନ୍ତୁ, ଏସବୁ ସମ୍ପର୍କରେ ମୋର ସ୍ମରଣ ଶକ୍ତି ଅତି ଖରାପ; ପ୍ରାୟ କିଛି ମନେ ନାହିଁ କହିଲେ ତଳେ ।

 

‘ସତ କହୁଛ ?’

 

‘ହଁ ନିରାଟ ସତ ।’

 

କମଳ ଜେରା କଲା ନାହିଁ, ବିଶ୍ଵାସ କଲା । ବୁଝିଲା ଯେକୌଣସି ସ୍ତ୍ରୀଲୋକ ସମ୍ପର୍କରେ ତା’ ମନରେ କେବେ କୌତୂହଳ ଜାଗ୍ରତ ହୋଇ ନାହିଁ । ସେ ଶୁଣିଲା ପରେ ପରେ ଭୁଲି ଯାଇଛି । ଆଉ ଗୋଟାଏ କଥା ବୁଝିଲା । ତୁମେ ବୋଲି କହିବାର ଅଧିକାର ଦେବା ପରେ ବି ସେ ‘ଆପଣ’ ବୋଲି ଡାକୁଛି–ତା’ର ଅକଳଙ୍କ ଚିତ୍ତରେ ଏପର୍ଯ୍ୟନ୍ତ କୌଣସି ନାରୀ ମୂର୍ତ୍ତିର ଛାଇ ପର୍ଯ୍ୟନ୍ତ ବି ପଡ଼ିନାହିଁ । ଘନିଷ୍ଠ ହୋଇ ଉଠିବାର ଲୁବ୍ଧତା ତା’ର ଅଜ୍ଞାତ । କମଳ ମନେମନେ ସ୍ଵସ୍ତିର ନିଃଶ୍ୱାସ ପକାଇଲା ।

 

କିଛି ସମୟ ପରେ କହିଲା–ଶିବନାଥ ବାବୁ ମତେ ତ୍ୟାଗ କରିଛନ୍ତି, ଜାଣିଛ ?

 

‘ଜାଣିଛି ।’

 

କମଳ କହିଲା–ଆମର ବିବାହରେ ଆନୁଷ୍ଠାନିକ ଫାଙ୍କି ଥିଲା, କିନ୍ତୁ ମନ ଭିତରେ ଫାଙ୍କ ନ ଥିଲା । ସମସ୍ତେ ସନ୍ଦେହ କରି କହିଲେ–ଏ ବିବାହ ପକ୍‍କା ହେଲାନି । ମୋର କିନ୍ତୁ ଭୟ ନ ଥିଲା । କହିଲି–କଞ୍ଚା ହେଲେ ବି, ମନ ତ ମାନିଛି । ବରଂ ଭଲହେଲା–ଯାହାକୁ ସ୍ଵାମୀ ବୋଲି ଗ୍ରହଣ କରିଛି, ତାକୁ ଜୋର୍ କରି ବାନ୍ଧି ରଖିନି । ମନଟା ଯଦି କୌଣସି ଦିନ ଦେଉଳିଆ ହୋଇଯିବ, ତେବେ ପୁରୋହିତର ମନ୍ତ୍ରରେ ମହାଜନୀ କରି ସୁଧ ଅସୁଲ କରାଯାଇପାରେ, କିନ୍ତୁ ମୂଳ ତ ଡୁବିଲା । ତେବେ ଛାଡ଼–ତୁମକୁ ଏସବୁ କହି କିଛି ଲାଭ ନାହିଁ–ତମେ ବୁଝିବ ନାହିଁ ।

 

ରାଜେନ୍‍ ଚୁପ୍ ରହିଲା । କମଳ କହିଲା–ସେତେବେଳେ ଅବଶ୍ୟ ଜାଣି ନ ଥିଲି ସେ ତା’ର ଟଙ୍କାର ଲୋଭ ଏତେ ବେଶୀ । ଜାଣିଥିଲେ ଅବଶ୍ୟ ଲାଞ୍ଛନା ଏଡ଼ାଇ ଚଳି ପାରିଥାନ୍ତି ତ ।

 

ରାଜେନ୍‍ ପଚାରିଲା–ୟା’ର ମାନେ ?

 

କମଳ ହଠାତ୍ ଆତ୍ମସମ୍ବରଣ କରି କହିଲା–ଛାଡ଼,–ଏସବୁ ଶୁଣି ତମର କିଛି ଲାଭ ନାହିଁ-

 

ସୂର୍ଯ୍ୟ ଡୁବି ଗଲାଣି–ଘର ଭିତରେ ଅନ୍ଧାର ଘନ ହୋଇ ଆସିଗଲାଣି । କମଳ ଆଲୁଅ ଜାଳି ଟେବୁଲ ଉପରେ ରଖିଲା; କହିଲା–ତମେ ଟିକିଏ ମତେ ତାଙ୍କ ବସାକୁ ନେଇଯିବ ।

‘କ’ଣ କରିବେ ସେଠି ?’

‘ନିଜ ଆଖିରେ ଦେଖି ଆସିବି ଅବସ୍ଥା କେମିତି, ଯଦି ଦରକାର ମନେହୁଏ ତେବେ ରହିବି । ନ ହେଲେ ତମ ଉପରେ ଭାର ଦେଇ ନିଶ୍ଚିନ୍ତ ରହିବି । ଏଇଥିପାଇଁ ତମକୁ ଡାକି ପଠେଇଥିଲି । ତମ ଛଡ଼ା ଆଉ କେହି ଏ କାମ ପାରିବ ନାହିଁ । ତାଙ୍କ ପ୍ରତି ଲୋକଙ୍କର କିମିତି ବିତୃଷ୍ଣା, ତମେ ତ ଜାଣିଛ ।’

ରାଜେନ୍‍ କହିଲା–‘ବେଶ୍ ଚାଲନ୍ତୁ । ମୁଁ ଗୋଟାଏ ଗାଡ଼ି ଡାକି ଆଣେ ।’ କହି ସେ ବାହାରକୁ ଗଲା ।

ଗାଡ଼ି ଭିତରେ ରାଜେନ୍‍ କହିଲା–ଶିବନାଥର ସେବାର ଭାର ମୋ ଉପରେ ଦେଇ ଆପଣ ନିଶ୍ଚିନ୍ତ ହେବାକୁ ଚାହାଁନ୍ତି, ମୁଁ ମଧ୍ୟ ନେଇ ପାରିଥାନ୍ତି, କିନ୍ତୁ ମୁଁ ଏଠାରେ ରହିଲେ ଚଳିବନି; ମୋତେ ଏଠୁ ଶ୍ରୀଘ୍ର ଯିବାକୁ ପଡ଼ିବ । ଆପଣ ଅନ୍ୟ କୌଣସି ବ୍ୟବସ୍ଥା କରନ୍ତୁ ।

କମଳ ଉଦ୍‍ବିଗ୍ନ ହୋଇ ପଚାରିଲା–ପୁଲିସ୍‍ ବୋଧହୁଏ ପିଛା କରି କରି ଅତିଷ୍ଠ ହୋଇ ପଡ଼ିଛି ।

‘ସେମାନଙ୍କର ଆତ୍ମୀୟତା ଦେହସୁହା ହୋଇଗଲାଣି–ସେ ସକାଶେ ନୁହେଁ ।’

କମଳ ହରେନ୍ଦ୍ରର କଥା ସ୍ମରଣ କରି କହିଲା–ତେବେ ଆଶ୍ରମର ଏମାନେ ତୁମକୁ ଯିବାକୁ କହିଛନ୍ତି ନା ? କିନ୍ତୁ ପୁଲିସ୍‍ର ଭୟରେ ଯେଉଁମାନେ ଏଭଳି ଆତଙ୍କିତ, ବାଧ୍ୟ କରି ସେମାନଙ୍କୁ ଦେଶ କାମରେ ଲଗେଇବା ହିଁ ଅନୁଚିତ; କିନ୍ତୁ ତା’ବୋଲି ତୁମକୁ ଚାଲିଯିବାକୁ ପଡ଼ିବ କାହିଁକି ? ଏଇ ଆଗ୍ରା ସହରରେ ହିଁ ଲୋକ ଅଛନ୍ତି ଯେଉଁମାନେ କି ତୁମକୁ ନିର୍ଭୟରେ ସ୍ଥାନ ଦେଇ ପାରିବେ ।

ରାଜେନ୍‍ କହିଲା–ସେ ଲୋକ ବୋଧହୁଏ ଆପଣ ସ୍ୱୟଂ; ଆପଣଙ୍କର ଏ କଥା ସହଜେ ଭୁଲି ହେବନି; କିନ୍ତୁ ଏ ଯୋଉ ଦୌରାତ୍ମ୍ୟ ସେଥିରେ ଭୟ ନ ପାଇବା ଲୋକ ଭାରତବର୍ଷରେ ବିରଳ । ଥିଲେ ଦେଶର ସମସ୍ୟା ଏତେ ଜଟିଳ ହେଇ ନ ଥାନ୍ତା ।

ଟିକିଏ ରହି ପୁଣି କହିଲା–କିନ୍ତୁ ମୋର ଯିବା ସେ ସକାଶେ ନୁହେଁ । ଆଶ୍ରମକୁ ମଧ୍ୟ ଦୋଷ ଦିଆଯାଇ ପାରିବ ନାହିଁ । ଆଉ ଯାହା ହଉ ନା କାହିଁକି, ମୋତେ ଯିବାକୁ କହିବାକୁ ହରେନ୍ ଦା’ ମୁହଁରେ ସ୍ଫୁରିବନି ।

‘ତେବେ ଯାଉଛ କାହିଁକି ?’

ଯାଇଛି ନିଜ ସକାଶେ । ଦେଶର କାମ ଅବଶ୍ୟ, କିନ୍ତୁ ସେମାନଙ୍କ ସଙ୍ଗେ ମୋର ମତ ମିଳେନା; କାର୍ଯ୍ୟର ଧାରାରେ ମଧ୍ୟ କୌଣସି ସାମଞ୍ଜସ୍ୟ ନାହିଁ; ସେମାନଙ୍କ ସହିତ ମୋର ମିଳାମିଶା କେବଳ ଭଲପାଇବା ମଧ୍ୟ ଦେଇ । ହରେନ୍ ଦା’ର ମୁଁ ସହୋଦରଠାରୁ ଆହୁରି ପ୍ରିୟ, ତା’ଠାରୁ ଆହୁରି ଆତ୍ମୀୟ, କେବେହେଲେ ଆମର ବ୍ୟକ୍ତିଗତ ସମ୍ପର୍କରେ ବ୍ୟତିକ୍ରମ ଘଟିବନି ।

 

କମଳର ଦୁର୍ଭାବନା କଟିଗଲା । କହିଲା–ଏହାଠାରୁ ଆଉ ଅଧିକ କ’ଣ ଅଛି ରାଜେନ୍‍-? ମନ ଯୋଉଠି ମିଳୁଚି, ଥାଉନା ସେଠି ମତର ପାର୍ଥକ୍ୟ ହେଉନା ସେଠି କାର୍ଯ୍ୟର ଧାରା ବିଭିନ୍ନ; ଯାଏ ଆସେ କେତେ ସେଥିରେ ? ସମସ୍ତେ ଏକାଭଳି ଭାବିବେ, ଏକାଭଳି କାମ କରିବେ, ତେବେ ଯାଇ ଏକାସଙ୍ଗେ ରହିପାରିବେ ୟା’ର କିଛି ଗୋଟାଏ ମାନେ ଅଛି ? ପରର ମତକୁ ଶ୍ରଦ୍ଧା କରି ସୁଦ୍ଧା ତ ପୁଣି ରହି ପାରୁ ନାହାନ୍ତି । ମତ ଓ କର୍ମ ଏ ଦୁଇଟା ବାହାରର ଜିନିଷ ରାଜେନ୍‍, ମନଟା ହିଁ ସତ୍ୟ । ତଥାପି ଏସବୁକୁ ହିଁ ବଡ଼ କରି ଧରି ତୁମେ ଯଦି ଦୂରେଇ ଯାଅ, ତେବେ ତୁମମାନଙ୍କ ମଧ୍ୟରେ ଯେ ଭଲପାଇବାର ବ୍ୟତିକ୍ରମ ନାହିଁ ବୋଲି ତୁମେ ଯାହା କହୁଥିଲ ତାକୁ ହିଁ ଆସ୍ଵୀକାର କଲା ଭଳି ହେବ । ସେଇ ଯେ ବହିରେ ଲେଖା ଅଛି ଛାୟା ସକାଶେ କାୟା ତ୍ୟାଗ, ଏ ଠିକ୍ ସେଇଭଳି ହେବ ।

 

ରାଜେନ୍‍ କିଛି ନ କହି କେବଳ ହସିଲା ।

 

‘ହସିଲ ଯେ ?’

 

‘ହସିଲି ସେତେବେଳେ ହସି ନ ଥିଲି ବୋଲି । ଆପଣଙ୍କ ନିଜର ବିବାହ ବ୍ୟାପାରରେ ମନର ମିଳନଟାକୁ ଏକମାତ୍ର ସତ୍ୟ ବୋଲି ଧରିନେଇ ଆପଣ ଆଉ ସବୁ ବାହାର କାମରେ ଅମେଳଟାକୁ କିଛି ନୁହେଁ ବୋଲି କହି ଉଡେଇ ଦେଇଥିଲେ । ତାହା ଠିକ୍ ନୁହେଁ ବୋଲି ଆଜି ଆପଣମାନଙ୍କର ସବୁ କିଛି ଅସତ୍ୟରେ ପରିଣତ ହେଇଗଲା ।

 

‘ତା’ ମାନେ ?’

 

ରାଜେନ୍‍ କହିଲା–ମନର ମିଳନଟାକୁ ଅବଶ୍ୟ ମୁଁ ତୁଚ୍ଛ ମନେକରୁନି, କିନ୍ତୁ ତାକୁ ଅଦ୍ୱିତୀୟ ବୋଲି ଉଚ୍ଚ ସ୍ଵରରେ ଘୋଷଣା କରିବା ଆଜିକାଲି ଏକପ୍ରକାର ଅଭ୍ୟାସରେ ପରିଣତ ହେଇଗଲାଣି । ଏଥିରେ ଔଦାର୍ଯ୍ୟ ଓ ମହତ୍ୱ ପ୍ରକାଶ ପାଇପାରେ କିନ୍ତୁ ସତ୍ୟ ମିଳେନା । ଏମାନଙ୍କର ଧାରଣା, ସଂସାରରେ ଯେପରି ଖାଲି ମନଟା ବଡ଼ ଜିନିଷ ତା’ ବାହାରେ ଆଉ ସବୁ ମିଥ୍ୟା । ଏଇଟା କିନ୍ତୁ ସମ୍ପୂର୍ଣ୍ଣ ଭୁଲ୍‍ ।

 

ଟିକିଏ ଅଟକିଯାଇ ପୁଣି କହିଲା–ଆପଣ ବିଭିନ୍ନ ମତବାଦକୁ ଶ୍ରଦ୍ଧା କରିପାରିବାକୁ ସବୁଠୁ ବଡ଼ ଶିକ୍ଷା କହୁଥିଲେ–କିନ୍ତୁ ସମସ୍ତ ପ୍ରକାର ମତକୁ କିଏ ଶ୍ରଦ୍ଧା କରିପାରେ ଜାଣନ୍ତି ? ଯାହାର ନିଜ ମତ ବୋଲି କିଛି ନାହିଁ । ଶିକ୍ଷାଦ୍ୱାରା ବିରୁଦ୍ଧ ମତକୁ ଉପେକ୍ଷା କରାଯାଇପାରେ, ଶ୍ରଦ୍ଧା କରାଯାଏନା ।

 

କମଳ ଅତି ବିସ୍ମୟରେ ନିର୍ବାକ୍ ହୋଇ ରହିଲା । ରାଜେନ୍‍ କହିବାକୁ ଲାଗିଲା–ମୋର ସେ ନୀତି ନୁହେଁ–ମିଥ୍ୟା ଶ୍ରଦ୍ଧା ଦେଖାଇବା ମୁଁ ଶିଖିନି–ବନ୍ଧୁକୁ ବି ନୁହେଁ ।

 

କମଳ କହିଲା–ଏୟାକୁ ତମେ କାମ ବୋଲି କହୁଛ ?

 

ରାଜେନ୍‍ କହିଲା–ହଁ । ମତର ଅମେଳ ଯଦି ମୋର କର୍ମକୁ ପ୍ରତିହତ କରେ, ମନର ମିଳନରୁ ମୋତେ କ’ଣ ମିଳିବ ? ମୁଁ ଚାହେଁ ମତର ଐକ୍ୟ–କର୍ମର ଐକ୍ୟ–ଏ ରକମ କଳ୍ପନା ବିଳାସର ମୋ ନିକଟରେ କୌଣସି ମୂଲ୍ୟ ନାହିଁ । ଶିବାନୀ–

 

କମଳ ଆଶ୍ଚର୍ଯ୍ୟ ହୋଇ କହିଲା–ମୋର ଏ ନାଁଟା–ତମେ ଶୁଣିଛ ?

 

‘ଶୁଣିଛି । କର୍ମର ଜଗତରେ ମଣିଷର ବ୍ୟବହାରର ମିଳନଟା ବଡ଼, ହୃହୟଟା ନୁହେଁ । ହୃଦୟ ଆଉ, ଅନ୍ତରର ବିଚାର ଅନ୍ତର୍ଯ୍ୟାମୀ କରିବେ–ମୋର ବ୍ୟବହାରିକ ଐକ୍ୟ ନ ଥିଲେ ଚଳିବ ନାହିଁ । ସେଇ ମୋର କଷଟି ପଥର–ତା’ ସାହାଯ୍ୟରେ ମୁଁ ପରୀକ୍ଷା କରେ । ଦୁଇଜଣଙ୍କ ମନର ମେଳ ନେଇ ସଙ୍ଗୀତ ସୃଷ୍ଟି ହୁଏନା–ବାହାରେ ସେମାନଙ୍କ ସ୍ଵରରେ ମେଳ ନ ଥିଲେ ସେ ହୁଏ କୋହଳ । ରାଜାଙ୍କର ଯେ ସୈନ୍ୟ ବଳ ଯୁଦ୍ଧ କରନ୍ତି, ସେମାଙ୍କର ଦୈହିକ ଶକ୍ତି ହେଉଛି ରାଜାଙ୍କର ଶକ୍ତି–ହୃଦୟ ନେଇ ତାଙ୍କର କୌଣସି କାମ ନାହିଁ । ନିୟମର ଶାସନ ହେଉଛି ସଂଯମ–ଏହା ହିଁ ମୋର ନୀତି । ହୃଦୟର ମିଳନ ହେଉଛି ଉଚ୍ଛୃଙ୍ଖଳତାର ନାମାନ୍ତର । ଗଡ଼ୋୟାନ୍–ରଖ, ରଖ–ଶିବାନୀ, ଏଇ ତା’ର ବସା ।’

 

ସମ୍ମୁଖରେ ଜୀର୍ଣ୍ଣ ପ୍ରାଚୀନ ଗୃହ । ଉଭୟ ନିଃଶବ୍ଦରେ ଆସି ଘରେ ପହଞ୍ଚିଲେ । ପାଦ ଶବ୍ଦ ଶୁଣି ଶିବନାଥ ଆଖି ଖୋଲି ଚାହିଁଲା–କିନ୍ତୁ ମିଞ୍ଜି ମିଞ୍ଜି ଦୀପ ଆଲୁଅରେ ବୋଧହୁଏ ଚିହ୍ନି ପାରିଲା ନାହିଁ । ମୁହୂର୍ତ୍ତକ ପରେ ଆଖିବୁଜି ପୁଣି ତନ୍ଦ୍ରାଚ୍ଛନ୍ନ ହୋଇଗଲା ।

 

(ସତର)

 

ଘରର ଚାରିଆଡ଼କୁ ଚାହିଁ କମଳ ସ୍ତବ୍ଧ ହୋଇଗଲା । ଏଠି ଯେ ମଣିଷ ରହିପାରେ ଏ କଥା ବିଶ୍ୱାସ କରି ହୁଏନା । ସୋରଶବ୍ଦ ଶୁଣି ଷୋଳ ସତର ବର୍ଷର ଗୋଟିଏ ହିନ୍ଦୁସ୍ଥାନୀ ବାଳକ ଆସି ପହୁଞ୍ଚିଲା । ରାଜେନ୍‍ ତାକୁ ଦେଖାଇ କହିଲା–ଏଇଟି ଶିବନାଥ ବାବୁଙ୍କ ଚାକର । ପଥ୍ୟ ତିଆରି କରିବାଠାରୁ ଔଷଧ ଖୁଆଇବା ପର୍ଯ୍ୟନ୍ତ ୟା’ର ଡିଉଟୀ । ସୂର୍ଯ୍ୟାସ୍ତ ହେବା ମାତ୍ରେ ଶୋଇଥିଲା, ଆମ ପାଟି ଶୁଣି ଉଠି ଆସିଛି । ରୋଗୀ ସମ୍ୱନ୍ଧରେ ଯଦି କିଛି ଉପଦେଶ ଦେବାର ଥାଏ, ତା’ହେଲେ ୟାକୁ କହନ୍ତୁ । ବୁଝିପାରିବ ବୋଧହୁଏ । ନିହାତ୍ ବୋକା ନୁହେଁ । କାଲି ତା’ ନାଁଟା ପଚାରିଥିଲି, ଆଜି ପୁଣି ଭୁଲି ଗଲିଣି । ତୋ ନାଁ କଣଟିରେ ?

 

‘ଫଗୁଆ ।’

 

‘ଆଜି ଔଷଧ ଖୁଆଇଥିଲୁ ?’

 

ପିଲାଟି ବାଁ ହାତର ଦୁଇଟି ଆଙ୍ଗୁଠି ଟେକି କହିଲା–ଦୋ ଖୋରାକ୍ ଖିଲାୟା ।

 

‘ଆଉର୍ କୁଛ୍ ଖିଲାୟା ?’

 

‘ହାଁ–ଦୁଧ୍ ବି ପିଲାୟା ।’

 

‘ବହୁତ୍ ଆଚ୍ଛା କିୟା । ଉପରର ପଞ୍ଜାବୀ ବାବୁ କିଏ ଆସିଥିଲେ କି ?

 

ପିଲାଟି କିଛି ସମୟ ଚିନ୍ତା କରି କହିଲା–ଶାୟେଦ୍ ଦୋପହରମେ ଏକଠୋ ବାବୁ ଆୟା ରହା ।

 

‘ଶାୟେଦ୍ ? ସେତେବେଳେ ତୁ କ’ଣ କରୁଥିଲୁ, ଶୋଇଥିଲୁ ?’

 

କମଳ ପଚାରିଲା–ଫଗୁଆ, ଏଠି ଝାଡ଼ୁ ଅଛି ?

 

ଫଗୁଆ ମୁଣ୍ଡ ହଲାଇ ଝାଡ଼ୁ ଆଣିବାକୁ ଗଲା । ରାଜେନ୍‍ କହିଲା–ଝାଡ଼ୁ କ’ଣ କରିବେ-? ତାକୁ ପିଟିବେ ନା କ’ଣ ?

 

କମଳ ଗମ୍ଭୀର ହୋଇ କହିଲା–ଏଇଟା କ’ଣ ଥଟ୍ଟା ବେଳ ? ତମ ମନରେ କ’ଣ ମାୟାମମତା ବୋଲି କିଛି ନାହିଁ ?

 

‘ଆଗେ ଥିଲା, ଫ୍ଲଡ୍ ଓ ପ୍ୟାମିନ୍ ରିଲିଫରେ କାମ କରି ସେସବୁ ବିସର୍ଜନ କରିଦେଇଛି-।’

 

ଫଗୁଆ ଝାଡ଼ୁ ଆଣି ପହଞ୍ଚିଲା । ରାଜେନ୍‍ କହିଲା–ମୁଁ ଭୋକରେ ଆଉଟୁପାଉଟୁ ହୋଇଗଲିଣି, କୋଉଠୁ ଦି’ଟା ଖାଇଦେଇ ଆସେ । ସେ ପର୍ଯ୍ୟନ୍ତ ଝାଡ଼ୁ ଆଉ ପିଲାକୁ ନେଇ ଯାହା କରିବେ କରନ୍ତୁ; ଫେରିଆସିଲେ ଆପଣଙ୍କୁ ନେଇ ବସାରେ ପହଞ୍ଚେଇ ଦେଇ ଆସିବି । ଭୟ କରିବେ ନାହିଁ, ମୁଁ ଦୁଇଘଣ୍ଟା ଭିତରେ ଫେରିଆସିବି ।’ ଏହା କହି ସେ ଉତ୍ତରକୁ ଅପେକ୍ଷା ନ କରି ବାହାରି ଗଲା ।

 

କ୍ରମଶଃ ଚାରିଆଡ଼େ ନିଃଶବ୍ଦ ଓ ନିର୍ଜନ ହୋଇ ଉଠିଲା । ଉପରେ ରହୁଥିବା ଲୋକମାନଙ୍କର କଥାବାର୍ତ୍ତା କ୍ରମଶଃ ବନ୍ଦ ହୋଇ ଆସିଲା । ସେମାନେ ବୋଧହୁଏ ଶୋଇବାକୁ ଗଲେଣି । ଶିବନାଥର ଖବର ବୁଝିବା ପାଇଁ କେହି ଆସିଲେ ନାହିଁ । ବାହାରେ ଅନ୍ଧାର ରାତି–ଚଟାଣରେ କମ୍ବଳ ପକାଇ ଫଗୁଆ ବସି ଘୁମାଉଛି–ଏହି ସମୟରେ ରାସ୍ତାରେ ସାଇକେଲ ଘଣ୍ଟି ଶୁଣାଗଲା ଏବଂ ପର ମୁହୂର୍ତ୍ତରେ ଦ୍ୱାର ଖୋଲି ରାଜେନ୍‍ ପହଞ୍ଚିଲା । ଏଣେତେଣେ ଦୃଷ୍ଟିପାତ କରି ଏହି ଅଳ୍ପ ସମୟ ଭିତରେ ଘରର ବେଶ୍ ପରିବର୍ତ୍ତନ ଘଟିଥିବା ଦେଖିପାରିଲା; ହାତରେ ଧରିଥିବା ଗୋଟିଏ ପୁଟୁଳି ଛୋଟ ଟିପୟ ଉପରେ ରଖି କହିଲା–ମୁଁ ଆପଣଙ୍କୁ ଅନ୍ୟ ସ୍ତ୍ରୀଲୋକଙ୍କ ଭଳି ଭାବିଥିଲି–କିନ୍ତୁ ପ୍ରକୃତରେ ତା’ ନୁହେଁ । ଆପଣଙ୍କ ଉପରେ ନିର୍ଭର କରାଯାଇ ପାରିବ ।

 

କମଳ ଫେରି ଚାହିଁଲା । ରାଜେନ୍‍ କହିଲା–ଏ ଭିତରେ ବିଛଣାଟା ପର୍ଯ୍ୟନ୍ତ ବଦଳାଇ ଦେଇଛନ୍ତି । ତେବେ ଶିବନାଥ ବାବୁଙ୍କୁ ଟେକି ଶୁଆଇଲେ କିଭଳି ?

 

କମଳ ଆସ୍ତେ ଆସ୍ତେ କହିଲା–ଜାଣିଥିଲେ ଖୁବ୍ ଶକ୍ତ ନୁହେଁ ।

 

‘କିନ୍ତୁ ଜାଣିଲେ କିଭଳି ? ଜାଣିବା କଥା ତ ନୁହେଁ ।’

 

କମଳ କହିଲା–ଜାଣିବାଟା କ’ଣ କେବଳ ତମମାନଙ୍କର ଏକଚାଟିଆ ? ପିଲାଦିନେ ଚା’ ବଗିଚାରେ ଅନେକ ରୋଗୀ ସେବା କରିଛି ।

 

‘ସେଇକଥା କହନ୍ତୁ !’ ଏହା କହି ସେ ଆଉଥରେ ଚାରିଆଡ଼କୁ ଚାହିଁ କହିଲା–ଆସିଲାବେଳେ ସାଙ୍ଗରେ କିଛି ଖାଇବାକୁ ଆଣିଛି । ମାଠିଆରେ ପାଣି ଅଛି । ଖାଇ ନିଅନ୍ତୁ, ମୁଁ ବସିଛି ।

 

କମଳ ତା’ ମୁହଁକୁ ଚାହିଁ ହସିଲା ଓ କହିଲା–ଖାଇବା କଥା ତ ମୁଁ ତମକୁ କହି ନ ଥିଲି । ହଠାତ୍ ତମର ଏ ଖିଆଲ୍ ହେଲା କାହିଁକି ?

 

ରାଜେନ୍‍ କହିଲେ–‘ଖିଆଲ୍‍ଟା ହଠାତ୍ ହେଲା ନିଶ୍ଚୟ । ନିଜର ଯେତେବେଳେ ପେଟ ପୂରିଗଲା, ମନେହେଲା ହୁଏତ ଆପଣଙ୍କୁ ବି ଭୋକ ହେଉଥିବ । ଆସିଲା ବାଟରେ ଗୋଟାଏ ଦୋକାନରୁ କିଛି କିଣି ନେଇ ଆସିଲି । ଡେରି କରନ୍ତୁ ନାହିଁ । ବସିଯା’ନ୍ତୁ ।’ ଏହା କହି ସେ ନିଜେ ଯାଇ ମାଠିଆଟାକୁ ଟେକି ଆଣିଲା । ପାଖରେ ଗୋଟାଏ ଗିଲାସ ଥିଲା; କହିଲା–ଅପେକ୍ଷା କରନ୍ତୁ, ଏଇଟାକୁ ମାଜି ନେଇ ଆସେ । କେଉଁଠୁ ଟିକିଏ ସାବୁନ୍ ଆଣି କହିଲା–ବହୁତ ଘଣ୍ଟାଘଣ୍ଟି କଲେଣି, ସାବଧାନ ହେବା ଭଲ । ମୁଁ ପାଣି ଢାଳି ଦେଉଛି, ଖାଇବା ଆଗରୁ ହାତଟା ଧୋଇ ଦିଅନ୍ତୁ ।

 

କମଳର ତା’ ବାପାଙ୍କ କଥା ମନେପଡ଼ିଲା । ତାଙ୍କ କଥା ଭିତରେ ବିଶେଷ ଚତୁରୀ ନ ଥିଲେ ବି ଆନ୍ତରିକତା ଥିଲା ବହୁତ । କହିଲା–ହାତ ଧୋଇବାକୁ ଆପତ୍ତି ନାହିଁ, କିନ୍ତୁ କିଛି ଖାଇ ପାରିବି ନାହିଁ ଭାଇ । ତମେ ହୁଏତ ଜାଣନା ଯେ ମୁଁ ନିଜ ହାତରେ ରାନ୍ଧିଲେ ଖାଏ ପୁଣି ଏସବୁ ଦାମିକା ଜଳଖିଆ ଖାଇବାର ଅଭ୍ୟାସ ମୋର ନାହିଁ । ମୋ’ପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଅନ୍ୟାନ୍ୟ ଦିନ ପରି ବସାକୁ ଫେରିଲେ ଖାଇବି ।

 

‘ତା’ହେଲେ ଆଉ ରାତି ନ କରି ବସାକୁ ଚାଲନ୍ତୁ, ଆପଣଙ୍କୁ ଛାଡ଼ିଦେଇ ଆସିବି ।’

 

‘ତମେ ପୁଣି ଆଉଥରେ ଆସିବ ?’

 

‘ହଁ ।’

 

‘କେତେ ସମୟ ରହିବ ?’

 

‘ଅନ୍ତତଃ କାଲି ସକାଳ ପର୍ଯ୍ୟନ୍ତ । ଉପରର ପଞ୍ଜାବୀମାନଙ୍କ ହାତରେ କିଛି ଟଙ୍କା ଦେଇ ଯାଇଥିଲି, ଟିକିଏ ମୁକାବିଲା ନ କରି ଫେରିବି ନାହିଁ । ଟିକିଏ କ୍ଳାନ୍ତ ହୋଇଯାଇଛି, ସେ କିନ୍ତୁ କିଛି ନୁହେଁ । ଏତେ ଅଯତ୍ନ ସେମାନେ କରିବେ ବୋଲି ମୁଁ ଭାବି ନ ଥିଲି । ଚାଲନ୍ତୁ, ଏଆଡ଼େ ଗାଡ଼ି ମିଳିବ ନାହିଁ, ଚାଲିବାକୁ ହେବ । ଫେରିଲା ବେଳକୁ ମୋଚି ସାହି ବାଟେ ବୁଲି ଆସିବି । ଦୁଇଜଣଙ୍କର ମରିବାର ଥିଲା, ଦେଖିବା ସେମାନେ କ’ଣ କଲେ ?

 

କମଳର ପୁଣି ସେଇ କଥା ମନେପଡ଼ିଲା–ଏ ଲୋକଟାର ଅନୁଭୂତି ବୋଲି କିଛି ନାହିଁ I ଅନେକ ଗୁଣରେ ଯନ୍ତ୍ର ଭଳି ଗୋଟାଏ ଅଜ୍ଞାତ ପ୍ରେରଣା ତାକୁ ବାରମ୍ଵାର କର୍ମରେ ନିଯୁକ୍ତ କରେ ତେଣୁ ସେ କର୍ମ କରିଯାଏ । ନିଜ ପାଇଁ କିଛି କରେନା କାରଣ ନିଜର କିଛି ଆଶା ନାହିଁ । କର୍ମ ଏହାର ରକ୍ତ ମାଂସରେ ଜଳ ପରି ଅତି ସହଜ ଓ ଓତଃପ୍ରୋତ ଭାବରେ ମିଶ୍ରିତ ।

 

କମଳ ପରରିଲା–ଆଚ୍ଛା ରାଜେନ୍‍, ତମେ ତ ଜଣେ ଡାକ୍ତର ?

 

‘ଡାକ୍ତର ? ନା । ଡାକ୍ତରୀ ସ୍କୁଲରେ କିଛିଦିନ ଶିକ୍ଷାନବିଶ୍ ଥିଲି ମାତ୍ର ।’

 

‘ତା’ହେଲେ ଏ ରୋଗୀମାନଙ୍କୁ କିଏ ଦେଖୁଛି ?’

 

‘ଯମ ।’

 

‘ତମେ ତା’ହେଲେ କ’ଣ କରୁଛ ?’

 

‘ମୁଁ ତଦ୍‍ବିର୍‍ କରେ ମାତ୍ର । ତାଙ୍କର ମୁଁ ଗୁଣମୁଗ୍ଧ ପରମ ଭକ୍ତ ।’ ଏହା କହି ସେ କମଳର ବିସ୍ମାୟଭିଭୂତ ମୁହଁକୁ ଚାହିଁ ଟିକିଏ ହସିଲା । କହିଲା–ଯମ ତ ନୁହନ୍ତି–ଯମରାଜ । ଯେ ତାଙ୍କ ପ୍ରତିଭାକୁ ଚିହ୍ନି ପ୍ରଥମେ ତାଙ୍କୁ ରାଜା ବୋଲି ଅଭିବାଦନ କରିଥିଲେ, ତାଙ୍କୁ ଧନ୍ୟବାଦ ନ ଦେଇ ରହିହେବନି । ବିଶ୍ଵଜଗତରେ କେହି ଯଦି ସୃଷ୍ଟିକର୍ତ୍ତା ଥାଏ ତେବେ ସେ ତାଙ୍କର ଶ୍ରେଷ୍ଠ ସୃଷ୍ଟି-

 

କମଳ ଆସ୍ତେ ଆସ୍ତେ ପଚାରିଲା–ତୁମେ କ’ଣ ଥଟ୍ଟା କରୁଛ ରାଜେନ୍‍ ?

 

‘ଏକେବାରେ ନୁହେଁ । ଶୁଣି ସତୀଶ୍‍ ଦା’ ଗମ୍ଭୀର ହୋଇଯାନ୍ତି, ହରେନ୍ ଦା’ ରାଗିଯାନ୍ତି–କହନ୍ତି ମୁଁ ସିନିକ୍–ଆଶ୍ରମର ସମସ୍ତେ ମିଶି କୃଚ୍ଛ୍ରତା, ସଂଯମ, ତ୍ୟାଗ ଓ ନାନାବିଧ ଅଦ୍ଭୁତ କଠୋରତାର ଅସ୍ତ୍ରଶସ୍ତ୍ର ନେଇ ଯମରାଜଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରନ୍ତି । ତେଣୁ ସେମାନେ ମନେକରନ୍ତି–ମୁଁ ଥଟ୍ଟା କରୁଛି । କିନ୍ତୁ ମୁଁ ସତରେ ତା’ କରେନି । ଦୁଃଖୀ ରଙ୍କିଙ୍କ ସାଇକୁ ସେମାନେ ତ ଯାନ୍ତି ନାହିଁ–ଗଲେ ମୋର ଧାରଣା–ମୋ’ଭଳି ପରମ ରାଜଭକ୍ତ ହୋଇ ଯାନ୍ତେ । ଶ୍ରଦ୍ଧାବନତ ଭାବେ ମୃତ୍ୟୁରାଜାଙ୍କ ଗୁଣଗାନ କରନ୍ତେ ଏବଂ ଅକଲ୍ୟାଣ ମନେକରି ତାଙ୍କୁ ଆଉ ଗାଳି ଦିଅନ୍ତେ ନାହିଁ ।’

 

କମଳ କହିଲା–ତମର ମତ ଯଦି ଏୟା, ତମକୁ ସିନିକ୍ କହିବା କ’ଣ ଦୋଷ ?

 

‘ଦୋଷର ବିଚାର ପରେ ହେବ । ମୋ ସାଥିରେ ଥରେ ମୋଚି ସାହିକୁ ଯିବେ ? ଲୋକଗୁଡ଼ାକ ମରି ଗଡ଼ି ଯାଉଛନ୍ତି ଖାଲି–ଆଜିର ଇନ୍‍ଫ୍ଲୁଏଞ୍ଜା ପାଇଁ ନୁହେଁ–କଲେରା, ବସନ୍ତ, ପ୍ଲେଗ–ଯେକୌଣସି ଗୋଟାଏ ଉପଲକ୍ଷ ମିଳିଲେ ହେଲା । ଔଷଧ ନାହିଁ, ପଥ୍ୟ ନାହିଁ, ଶୋଇବା ପାଇଁ ଶେଯ ନାହିଁ, ଘୋଡ଼ାଇ ହେବାକୁ ଚାଦର ନାହିଁ, ମୁହଁରେ ଟିକେ ପାଣି ଦେବା ପାଇଁ ଲୋକ ନାହିଁ–ଦେଖିଲେ ହଠାତ୍ ଘବଡ଼ାଇ ଯିବେ ଯେ ଏମାନଙ୍କ ପାଇଁ ପନ୍ଥା କ’ଣ ? ସେଇ ସମୟରେ ବାଟ ଦିଶିଯାଏ । ମନକୁ ଆସେ–ଭୟ ନାଇଁ–ସମସ୍ୟା ଯେତେ ଗୁରୁତର ହେଉନା କାହିଁକି, ସମାଧାନ କରିବାର ଭାର ଯାହାଙ୍କ ଉପରେ, ସେ ଆସିଯିବେ ନିଶ୍ଚୟ । ଅନ୍ୟାନ୍ୟ ଦେଶରେ ଏଥିପାଇଁ ଅନ୍ୟ ବ୍ୟବସ୍ଥା ଅଛି, କିନ୍ତୁ ଏ ଦେବ ଭୂମିରେ ସମସ୍ତ ଭାର ଯମରାଜଙ୍କ ଉପରେ । ଗୋଟାଏ ହିସାବରେ ଅନ୍ତତଃ ଆମେ ଖୁବ୍ ବେଶୀ ଭାଗ୍ୟବାନ୍ । ଛାଡ଼ନ୍ତୁ, କେଉଁଠୁ ଆସି କେଉଁ କଥା ପଡ଼ିଲା । ଚାଲନ୍ତୁ, ରାତି ବେଶୀ ହେଇଗଲାଣି–ଅନେକ ବାଟ ଯିବାକୁ ପଡ଼ିବ ।’

 

‘କିନ୍ତୁ ତମକୁ ତ ପୁଣି ଏଇ ବାଟେ ଫେରିବାକୁ ପଡ଼ିବ ?’

 

‘ତା’ ତ ନିଶ୍ଚୟ ।’

 

‘ମୋଚି ସାଇ ଏଠୁ କେତେ ବାଟ ?’

 

‘ପାଖରେ, ଏଠୁ ମାଇଲିଏ ଦୁଇମାଇଲ ଭିତରେ ।’

 

‘ତା’ହେଲେ ତମେ ବୁଲିଆସ । ମୁଁ ଜଗି ବସିଛି ।’

 

ରାଜେନ୍‍ ବିସ୍ମିତ ହୋଇ କହିଲା–ଏ କି କଥା ! ଆପଣ ତ ଦୁଇଦିନ ହେଲା ଖାଇ ନାହାନ୍ତି ।

 

‘ତମକୁ ଏକଥା କିଏ କହିଲା ?’

 

‘ଏଇ ଯେ ଖିଆଲ୍‍ କଥା କହୁଥିଲେ । କିନ୍ତୁ ଖବରଟା ମୁଁ ନିଜେ ସଂଗ୍ରହ କରିଛି । ଆସିଲା ବେଳେ ଆପଣଙ୍କ ରନ୍ଧାଘରଟାକୁ ଦେଖି ଆସିଥିଲି–ହାଣ୍ଡିରେ ଭାତ ଖଣ୍ଡିଆ ହୋଇନି–ନିଶ୍ଚୟ ଗତ ରାତିରେ ରନ୍ଧା ହୋଇଥିଲା–ଅର୍ଥାତ୍ ଦୁଇଦିନ ହେଲା ନିଛକ ଉପବାସ । ଅତଏବ ହୁଏତ ଚାଲନ୍ତୁ କିମ୍ବା ଯାହା ଆଣିଛି ତା’ ଆହାର କରନ୍ତୁ । ଆଜି ସ୍ୱପାକ ବ୍ୟବସ୍ଥା ଅବୈଧ ।’

 

‘ଅବୈଧ ?’ କମଳ ଟିକିଏ ହସି କହିଲା–କିନ୍ତୁ ମୋ’ପାଇଁ ତମର ଏତେ ମୁଣ୍ଡବଥା କାହିଁକି ?

 

‘ତା ଜାଣେନା । କାରଣ ନିଜେ ଅନୁସନ୍ଧାନ କରୁଛି–ସମ୍ବାଦ ପାଇଲେ ଆପଣଙ୍କୁ ଜଣାଇବି ।’

 

କମଳ କିଛି ସମୟ ପର୍ଯ୍ୟନ୍ତ କ’ଣ ଭାବିଲା–ତା’ପରେ କହିଲା–ଜଣାଇବ ନିଶ୍ଚୟ–ଲଜ୍ଜା କରିବ ନାହିଁ ।’ ପୁଣି କିଛି ସମୟ ଚୁପ୍ ରହି କହିଲା–‘ରାଜେନ୍‍, ତମର ଆଶ୍ରମର ଅନ୍ୟମାନେ ତମର ବ୍ୟକ୍ତିତ୍ୱକୁ ଯଥେଷ୍ଟ ଚିହ୍ନିପାରି ନାହାନ୍ତି–ତେଣୁ ସେମାନେ ତମକୁ ଉପଦ୍ରବ ବୋଲି ମନେକରନ୍ତି । କିନ୍ତୁ ମୁଁ ତମକୁ ଚିହ୍ନେ । ତେଣୁ ମତେ ଚିହ୍ନି ରଖିବା ତମର ଦରକାର । ଅଥଚ ସେଥିପାଇଁ ସମୟ ଦରକାର । ସେ ପରିଚୟ ଯୁକ୍ତିତର୍କରେ ହେବନି ।’ ଟିକିଏ ସମୟ ରହି ପୁଣି କହିଲା–ମୁଁ ନିଜେ ରାନ୍ଧି ଖାଏ–ଦିନକେ ଥରେ ଖାଏ । ଅତି ଦରିଦ୍ରର ଯା’ ଆହାର–ଭାତ ଆଉ ଡାଲି । କିନ୍ତୁ ଏ ମୋର ବ୍ରତ ନୁହେଁ–ତେଣୁ ଭାଙ୍ଗି ପାରିବି । ତେବେ ଦି’ଦିନ ଖାଇନି ବୋଲି ନିୟମ ଲଙ୍ଘନ କରିପାରିବି ନାହିଁ । ତମର ସ୍ନେହ ଭୁଲି ପାରିବି ନାହିଁ–ତେବେ ତମ କଥା ରଖି ପାରିବି ନାହିଁ-। ସେଥିପାଇଁ ରାଗିବ ନାହିଁ ।’

 

‘ନା’ ।

 

‘କ’ଣ ଭାବୁଚ କହ ତ ?’

 

‘ଭାବୁଛି, ପରିଚୟ ପତ୍ରର ଭୂମିକାଟି ମନ୍ଦ ହେଲାନି, ସହଜରେ ଭୁଲି ହେବନି ନିଶ୍ଚୟ ।’

 

ଭୁଲିଲେ ବି ମୁଁ ଭୁଲିବାର ସୁଯୋଗ ଦେବି କାହିଁକି ? କହି କମଳ ହଠାତ୍ ହସି ପକାଇଲା । କହିଲା–ଆଉ ଡେରି କର ନାହିଁ, ଯାଅ । ଯେତେ ଶୀଘ୍ର ପାର, ଫେରିଆସ । ଏଇ ବଡ଼ ଆରାମ୍‍ ଚୌକିଟାରେ ଗୋଟାଏ କମ୍ବଳ ପକାଇଥିବି–ଦି’ ଚାରି ଘଣ୍ଟା ପରେ, ରାତି ପାଇଲେ ଆମେ ବସାକୁ ଚାଲିଯିବା ।

 

ରାଜେନ୍‍ ମୁଣ୍ଡ ହଲାଇ କହିଲା–ଆଚ୍ଛା । ଭାବିଥିଲି–ରାତିଟା ବୋଧହୁଏ ଆଉ ଶୋଇ ହେବ ନାହିଁ । ବର୍ତ୍ତମାନ ଛୁଟି ତ ମଞ୍ଜୁର ହୋଇଗଲା । ସ୍ୱାମୀଙ୍କ ଶୁଶ୍ରୂଷାର ଭାର ତ ଆପଣ ନିଜେ ନେଲେ । ଭଲକଥା; ଫେରିବାକୁ ଅବଶ୍ୟ ମୋର ଡେରି ହେବନି–କିନ୍ତୁ ଆପଣ ଏ ଭିତରେ ଶୋଇ ନ ପଡ଼ିଲେ ହେଲା ।

 

କମଳ କହିଲା–ନା–କିନ୍ତୁ ଏ ଲୋକଟି ଯେ ମୋର ସ୍ୱାମୀ, ଏ ଖବର ତମକୁ କିଏ ଦେଲା ? ଏଇଠାର ଭଦ୍ରଲୋକମାନେ ବୋଧହୁଏ ? ଯେ ଦେଇଥାନ୍ତୁ, ସେ ଥଟ୍ଟା କରି କହିଛନ୍ତି । ବିଶ୍ୱାସ ନ ହେଲେ ତାଙ୍କୁ ଦିନେ ପଚାରିବ; ସେ ନିଜେ କହିବେ ।

 

ରାଜେନ୍‍ କୌଣସି କଥା ନ କହି ନୀରବରେ ବାହାରିଗଲା । ଶିବନାଥ ଠିକ୍ ଯେପରି ଏଇ ମୁହୂର୍ତ୍ତଟି ପାଇଁ ଅପେକ୍ଷା କରିଥିଲା । କଡ଼ ଲେଉଟାଇ ଆଖି ଫିଟାଇ ଚାହିଁଲା । କହିଲା–ଏ ଲୋକଟି କିଏ ? ଶୁଣି କମଳ ଆଶ୍ଚର୍ଯ୍ୟ ହେଲା । କଣ୍ଠସ୍ଵର ସ୍ପଷ୍ଟ, ସାମାନ୍ୟ ଜଡ଼ତା ବି ନାହିଁ । ମୁହଁର ଚେହେରା ପ୍ରାୟ ସ୍ଵାଭାବିକ । ଅସମାପ୍ତ ନିଦ ଭାଙ୍ଗି ଉଠିଲେ ଯେମିତି ଟିକିଏ ଆଚ୍ଛନ୍ନ ଭାବ ଥାଏ, ତା’ଠାରୁ ଅଧିକ ନୁହେଁ । ଏତେ ବଡ଼ ରୋଗ ଯେ ଏତେ ସହଜରେ ଓ ଏତେ ଶୀଘ୍ର ଭଲ ହୋଇଗଲା, କମଳ ହଠାତ୍ ବିଶ୍ଵାସ କରିପାରିଲା ନାହିଁ । ଶିବନାଥ ପୁଣି ଥରେ ପ୍ରଶ୍ନ କଲା–ଏ ଲୋକଟି କିଏ ଶିବାନୀ ? ତମକୁ ସାଙ୍ଗରେ ଏଇ ଧରି ଆସିଛନ୍ତି ?

 

‘ହଁ । ମୋତେ ଏବେ ଧରି ଆସିଛନ୍ତି ଏବଂ କାଲି ତମକୁ ବି ଏଠି ଆଣି ଛାଡ଼ି ଦେଇ ଯାଇଥିଲେ ।’

 

‘ନାଁ କ’ଣ ?’

 

‘ରାଜେନ୍‍ ।’

 

‘ତମେ ଦୁଇଜଣ କ’ଣ ବର୍ତ୍ତମାନ ଗୋଟିଏ ଘରେ ରହୁଛ ?’

 

‘ସେଇ ଚେଷ୍ଟାରେ ତ ଅଛି । ଯଦି ରାଜି ହୁଅନ୍ତି, ତେବେ ମୋ ଭାଗ୍ୟ ।’

 

‘ତାଙ୍କୁ ଏଠିକି ଆଣିଛ କାହିଁକି ?’

 

କମଳ ଏ ପ୍ରଶ୍ନର କୌଣସି ଉତ୍ତର ଦେଲାନାହିଁ । ଶିବନାଥ ବି ଆଉ କୌଣସି କଥା ପଚାରିଲା ନାହିଁ, ଆଖି ବୁଜି ପଡ଼ି ରହିଲା । ବହୁ ସମୟ ଚୁପ୍‍ଚାପ୍‍ ପଡ଼ି ରହିଲା ପରେ ସେ କହିଲା–ମୋ ସହ ତମର କୌଣସି ସମ୍ବନ୍ଧ ନାହିଁ, ଏ କଥା ତମେ କାହାଠୁଁ ଶୁଣିଲ ? ମୁଁ କ’ଣ ଏ କଥା କେବେ କହିଛି ?

 

କମଳ ଏ କଥାରେ କୌଣସି ଉତ୍ତର ଦେଲା ନାହିଁ । ପଚାରିଲା–ମତେ ଯେ ତୁମେ ବିବାହ କରିନାହଁ, ଏ କଥା ମୁଁ ବିଶ୍ଵାସ ନ କଲେ ବି ତମେ ତ କରୁଥିଲ ? ଆସିଲାବେଳେ ଏ କଥା କହି ଆସିଲ ନାହିଁ କାହିଁକି ? ତମକୁ ଅଟକେଇ ରଖିବା ପାଇଁ ମୁଁ ମୁଣ୍ଡପିଟି କାନ୍ଦିବି, ଏଇକଥା କ’ଣ ତମେ ଭାବିଥିଲ ? ମୋର ସ୍ଵଭାବ ଯେ ଏହାର ବ୍ୟତିକ୍ରମ, ଏ କଥା ତ ତମେ ଜାଣ–ତେବେ କହି ଆସିଲନି କାହିଁକି ?

 

ଶିବନାଥ କିଛି ସମୟ ଚୁପ୍ ରହି କହିଲା–କାମଦାମ ପାଇଁ–ବ୍ୟବସାୟର ସୁବିଧା ପାଇଁ ଗୋଟାଏ ଅଲଗା ବସା ନେଲେ ତାକୁ କ’ଣ ପୂରା ଛାଡ଼ିଦେବା କୁହାଯାଏ ? ମୁଁ ତ ଭାବିଥିଲି–

 

ଶିବନାଥର କଥା ନ ସରୁଣୁ କମଳ କହିଲା–‘ଥାଉ, ଥାଉ–ସେ କଥା ତ ମୁଁ ଜାଣିବାକୁ ଚାହୁଁ ନ ଥିଲି’ କିନ୍ତୁ କହି ସାରିଲା ପରେ ସେ ନିଜେ ଲଜ୍ଜିତ ବୋଧକଲା । ନିଜକୁ ସ୍ଵାଭାବିକ ଓ ସଂଯତ କରି ସହଜ କଣ୍ଠରେ ପଚାରିଲା–ତମର କ’ଣ ସତରେ ଦେହ ଖରାପ ଥିଲା ?

 

‘ସତ ନୁହେଁ ତ ଆଉ କ’ଣ ?’

 

ତା’ହେଲେ ଆମ ବସାକୁ ନ ଯାଇ ଆଶୁ ବାବୁଙ୍କ ଘରକୁ ଯାଇଥିଲ କାହିଁକି ? ତମର ଗୋଟିଏ କାମ ମତେ ବ୍ୟଥିତ କରିଛି କିନ୍ତୁ ଅନ୍ୟଟି ମୋତେ ଚରମ ଅପମାନ ଦେଇଛି । ମୁଁ ଦୁଃଖ ପାଇଲି ଶୁଣିଲେ ହୁଏତ ତମେ ମନେମନେ ହସିବ–କିନ୍ତୁ ଏଇଟା ମୋର ସାନ୍ତ୍ଵନା । ତମେ ଏତେ ଛୋଟମନା ହୋଇଥିବାରୁ ମୁଁ ମୋର ଦୁଃଖ ସହିପାରିଲି, ନ ହେଲେ ପାରି ନ ଥା’ନ୍ତି ।

 

ଶିବନାଥ ଚୁପ୍ ରହିଲା । କମଳ ତା’ ମୁହଁକୁ ନିର୍ମିମେଷ ଆଖିରେ ଚାହିଁ କହିଲା–ଜାଣିଛ, ମୁଁ ସବୁ ସହିଲି, କିନ୍ତୁ ତମକୁ ସେମାନେ ଯେ ଘରୁ ବାହାର କରିଦେଲେ, ସେଟା ସହିପାରିଲି ନାହିଁ । ତେଣୁ ସେବା କରିବା ପାଇଁ ଆସିଥିଲି–ତମ ମନ ଭୁଲାଇବା ପାଇଁ ନୁହେଁ ।

 

ଶିବନାଥ ଧୀରେ ଧୀରେ କହିଲା–ତମର ଏଇ ଦୟା ପାଇଁ ମୁଁ କୃତଜ୍ଞ ଶିବାନୀ ।

 

କମଳ କହିଲା–ତମେ ମତେ ଆଉ ଶିବାନୀ ବୋଲି ଡାକ ନାହିଁ, କମଳ ବୋଲି ଡାକ ।

 

‘କାହିଁକି ?’

 

‘ଶୁଣିଲେ ମୋର ଘୃଣା ହୁଏ ।’

 

‘କିନ୍ତୁ ଏକଦା ତମେ ଏଇ ନାଁଟି ଖୁବ୍ ଭଲପାଉଥିଲ ।’ କହି ସେ ଧୀରେ ଧୀରେ କମଳର ହାତଟି ନିଜ ହାତମୁଠାରେ ଧରିଲା । କମଳ ଚୁପ୍ ରହିଲା । ନିଜ ହାତକୁ ଟଣାଟଣି କରିବାକୁ ବି ତା’ର କୁଣ୍ଠାବୋଧ ହେଲା ।

 

‘ଚୁପ୍ ରହିଲ ଯେ, ଉତ୍ତର ଦେଲନି ?’

 

କମଳ ସେଇପରି ନିର୍ବାକ୍ ବସି ରହିଲା ।

 

‘କ’ଣ ଭାବୁଛ ଶିବାନୀ ?’

 

‘ଭାବୁଛି, ମଣିଷ କେତେ ବଡ଼ ପାଷଣ୍ଡ ହେଲେ ଏକଥା ମନେପକାଇ ଦେଇପାରେ ।’

 

ଶିବନାଥର ଆଖି ଛଳଛଳ ହୋଇଗଲା । ସେ କହିଲା–ପାଷଣ୍ଡ ମୁଁ ନୁହେଁ ଶିବାନୀ । ଦିନେ ତମେ ନିଜର ଭୁଲ୍‍ ଜାଣିପାରିବ; ସେଦିନ ତମର ପରିତାପର ସୀମା ରହିବ ନାହିଁ । ମୁଁ ଯେ କାହିଁକି ଗୋଟାଏ ଅଲଗା ବସା ନେଇଛି–

 

‘କିନ୍ତୁ ଅଲଗା ବସା କଥା ତ ମୁଁ ଥରେ ବି ପଚାରିନି । ମୁଁ କେବଳ ଏତିକି ଜାଣିବାକୁ ଚାହୁଁଥିଲି, ମତେ ନ କହି ତମେ ଚାଲି ଆସିଲ କାହିଁକି ? ମୁଁ ତମକୁ ଦିନେ ପାଇଁ ବି ଅଟକାଇ ରଖି ନ ଥା’ନ୍ତି ।’

 

ଶିବନାଥର ଆଖିରୁ ପାଣି ଗଡ଼ି ଆସିଲା । ସେ କହିଲା–ଜଣାଇବା ପାଇଁ ମୋର ସାହସ ହେଲାନି ।

 

‘କିନ୍ତୁ କାହିଁକି ?’

 

ଶିବନାଥ ସାର୍ଟରେ ଆଖି ପୋଛି କହିଲା–ପ୍ରଥମତଃ ଟଙ୍କାପଇସା ନେଇ ଟଣାଟଣି, ତା’ପରେ ପ୍ରତିଦିନ ବାହାରକୁ ଯିବାକୁ ପଡ଼ିଲା–ପଥର କିଣିବା ପାଇଁ ବା ଚାଲାନ୍ ଦେବା ପାଇଁ ଷ୍ଟେସନ ପାଖରେ ଗୋଟାଏ–

 

କମଳ ବିଛଣାରୁ ଉଠିଆସି ଦୂରରେ ଗୋଟାଏ ଚୌକିରେ ବସି କହିଲା–ମୋର ନିଜ ପାଇଁ ଆଉ ଦୁଃଖ ନାହିଁ, ଦୁଃଖ ଆଉ ଜଣଙ୍କ ପାଇଁ; ଆଜି କିନ୍ତୁ ତମ ପାଇଁ ବି ଦୁଃଖ ଲାଗୁଛି ଶିବନାଥ ବାବୁ ।

 

ଅନେକ ଦିନ ପରେ ସେ ତାକୁ ଏଇ ନାଁ ଧରି ଡାକିଲା । କହିଲା–‘ଦେଖ, ନିଛକ ବଞ୍ଚନାକୁ ମୂଳଧନ କରି ସଂସାରରେ ବ୍ୟବସାୟ କରାଯାଏନା । ମୋ ସଙ୍ଗେ ହୁଏତ ତମର ଆଉ ଦେଖା ହେବନି କିନ୍ତୁ ମୋ କଥା ତମର ନିଶ୍ଚୟ ମନେପଡ଼ିବ । ଯା’ ହେବାର ହେଇଯାଇଛି, ସେ ଆଉ ଫେରିବ ନାହିଁ; କିନ୍ତୁ ଭବିଷ୍ୟତ ଜୀବନଟାକୁ ଆଉ ଗୋଟାଏ ଦିଗରୁ ଦେଖିବାକୁ ଚେଷ୍ଟା କର, ହୁଏତ ସୁଖୀ ହୋଇପାର । ତମର ଭଲ ହେଉ, ତମେ ଭଲ ରହ, ଏ କଥା ମୁଁ ଆଜି ଏକାନ୍ତ ଭାବେ କାମନା କରେ ।’ କମଳ ବହୁ କଷ୍ଟରେ ଅଶ୍ରୁ ସମ୍ଵରଣ କଲା । ଆଶୁ ବାବୁ ଯେ ତାକୁ କାହିଁକି ଘରୁ ତଡ଼ିଦେଲେ ସେ ବିଷୟ ଏତେ କଥା ପରେ ବି ସେ କରିପାରିଲା ନାହିଁ ।

 

ବାହାରେ ରିକ୍ସା ଘଣ୍ଟି ଶୁଭିଲା । ଶିବନାଥ କଡ଼ ଲେଉଟାଇ ଶୋଇଲା ।

 

ଘରେ ପଶି ରାଜେନ୍‍ ଚାପାଗଳାରେ ପଚାରିଲା–ସତରେ ତ ଚାହିଁଛନ୍ତି ଦେଖୁଛି–ରୋଗୀର ଅବସ୍ଥା କେମିତି ? ଆଉ ଔଷଧ ଖୁଆଇଛନ୍ତି ?

 

କମଳ କହିଲା–ନା ଆଉ କିଛି ଖୁଆଇ ନାହିଁ । ରାଜେନ୍‍ ଅଙ୍ଗୁଳି ସଙ୍କେତ ସହ କହିଲା–ଧୀରେ, ନିଦ ଭାଙ୍ଗି ଯାଇ ପାରେ–ସେଟା ଭଲ ନୁହେଁ ।

 

କମଳ କହିଲା–ତମ ମୋଚିଙ୍କ ଖବର କ’ଣ ?

 

‘ସେମାନେ ଖାଣ୍ଟି ଲୋକ, କଥା ରକ୍ଷା କରିଛନ୍ତି । ମୁଁ ଯିବା ପୂର୍ବରୁ ଯମରାଜଙ୍କ ମଇଁଷି ଆସି ଦୁଇଟା ଆତ୍ମା ନେଇଯାଇଛି, ସକାଳେ ଶବ ଦୁଇଟା ମ୍ୟୁନିସ୍‍ପାଲିଟି ମଇଁଷିର ଜିମା କରି ଦେଇ ପାରିଲେ କାମ ଶେଷ । ଆଉ ଦଶଜଣ ପଡ଼ିଛନ୍ତି, କାଲି ଆପଣଙ୍କୁ ନେଇ ଦେଖେଇ ଆଣିବି, ଯଥେଷ୍ଟ ଜ୍ଞାନ ଲାଭ ହେବ ଆପଣଙ୍କର । କିନ୍ତୁ ଆରାମ୍‍ ଚୌକି ଉପରେ ବିଛଣା କାଇଁ ? ଭୁଲିଯାଇଛନ୍ତି ନା ?’

 

କମଳ ବିଛଣା ପକାଇ ଦେଲା । ‘ଆଃ’ କହି ଦୀର୍ଘଶ୍ଵାସ ଛାଡ଼ି ରାଜେନ୍‍ ଆରାମ୍‍ ଚୌକି ଉପରେ ପଡ଼ିଗଲା । କହିଲା–ଦୌଡ଼ାଦୌଡ଼ି କରି ଝାଳ ବହୁଛି, ପଙ୍ଖା ଅଛି କି ?

 

କମଳ ପଙ୍ଖା ଧରି କହିଲା–ମୁଁ ବିଞ୍ଚୁଛି, ତମେ ଶୁଅ । ରୋଗୀ ପାଇଁ ଦୁଶ୍ଚିନ୍ତା କରିବାର କାରଣ ନାଇଁ–ସେ ଭଲ ଅଛନ୍ତି ।

 

‘ବାଃ, ଖୁବ୍ ଭଲ ଖବର’ କହି ରାଜେନ୍‍ ଆଖି ବୁଜିଲା ।

 

(ଅଠର)

 

ଇନ୍‍ଫ୍ଲୁଏଞ୍ଜା କିଛି ଗୋଟଏ ନୂଆ ରୋଗ ନୁହେଁ । ତେଣୁ ସମସ୍ତେ ଏ ରୋଗକୁ ଅବଜ୍ଞା ଓ ଉପହାସ କରନ୍ତି । ଦି’ ତିନି ଦିନ ଦୁଃଖ ଦେବା ଛଡ଼ା ଅନ୍ୟ କିଛି ଗଭୀର ଉଦ୍ଦେଶ୍ୟ ଏ ରୋଗର ଥାଇପାରେ, ଏ କଥା କେହି ଭାବନ୍ତି ନାହିଁ । କିନ୍ତୁ ହଠାତ୍ ଯେ ସେ ରୋଗ ଦୁର୍ନିବାର ମହାମାରୀ ରୂପେ ଦେଖା ଦେବ, କେହି ଆଶା କରିନଥିଲେ । ତେଣୁ ପ୍ରଥମେ ଲୋକେ କିଂକର୍ତ୍ତବ୍ୟବିମୂଢ଼ ହୋଇଗଲେ–ତା’ପରେ ଯେ ଯେଉଁଆଡ଼େ ପାରିଲେ ପଳାଇବାକୁ ଲାଗିଲେ । ରୋଗୀର ଶୁଶ୍ରୂଷା ଦୂରେ ଥାଉ ମଲାବେଳେ ମୁହଁରେ ଟିକିଏ ପାଣି ଦେବା ପାଇଁ ବି ଲୋକ ରହିଲେ ନାହିଁ । ଜନବହୁଳ ସମୃଦ୍ଧ ଆଗ୍ରା ନଗରୀର ମୂର୍ତ୍ତି ଯେପରି ବଦଳି ଗଲା । ସ୍କୁଲ କଲେଜ ବନ୍ଦ, ଦୋକାନ ବଜାର ବନ୍ଦ–ହିନ୍ଦୁ ଓ ମୁସଲମାନ ଶବବାହକମାନଙ୍କ ଶଙ୍କାକୁଳ, ତ୍ରସ୍ତ ପଦକ୍ଷେପ ବ୍ୟତୀତ ରାଜପଥ ସମ୍ପୂର୍ଣ୍ଣ ଜନଶୂନ୍ୟ । କାହାର ଭାଇ, କାହାର ପୁଅ ଝିଅ, କାହାର ବା ସ୍ତ୍ରୀ ଏ ଭିତରେ ମରିଯାଇଛି–ଯେଉଁମାନେ ବଞ୍ଚି ଅଛନ୍ତି–ସେମାନେ ଯେପରି ପରସ୍ପର ପରମାତ୍ମୀୟ–ବାଟରେ ଘାଟରେ କେଉଁଠି ଦେଖାହେଲେ, କେବଳ ଏଇ କଥା ଆଲୋଚନା ।

 

ମୋଚି ସାହିରେ ଆଉ ବେଶୀ ଲୋକ ନାହାନ୍ତି । ଯେତେ ମରିଛନ୍ତି ତା’ଠାରୁ ବେଶୀ ପଳେଇଛନ୍ତି । ଅବଶିଷ୍ଟଙ୍କ ପାଇଁ ରାଜେନ୍‍ ଯଥେଷ୍ଟ । ସହକାରିଣୀ ରୂପେ ଯୋଗ ଦେବା ପାଇଁ କମଳ ଆସିଥିଲା । ପିଲାଦିନେ ଚା’ ବଗିଚା କୁଲିମାନଙ୍କର ସେ ଅନେକ ଦିନ ସେବା କରିଛି–କିନ୍ତୁ ଦୁଇ ତିନି ଦିନ ଭିତରେ ସେ ବୁଝିଲା ଯେ ତା’ର ଯତ୍‍କିଞ୍ଚିତ୍ ଅଭିଜ୍ଞତା ଯଥେଷ୍ଟ ନୁହେଁ । ମୋଚିମାନଙ୍କର କି ଅବସ୍ଥା ! ଭାଷାରେ ବର୍ଣ୍ଣନା କରାଯାଇ ପାରେନା । ଘରେ ପାଦ ଦେଲା ମାତ୍ରେ ରୋଗ ଟାଙ୍କୁରି ଉଠେ; ବସିବାକୁ ବା ଏଭଳିକି ଠିଆ ହେବାକୁ ବି ଜାଗା ନାହିଁ–ଆବର୍ଜନା ଯେ କିପରି ଭୟାବହ ହୋଇପାରେ–ଏଠିକୁ ଆସିବା ପୂର୍ବରୁ କମଳ ତା’ ଜାଣି ନ ଥିଲା । ଅଥଚ ଏ ଭିତରେ ବରାବର ରହି, ନିଜେ ସାବଧାନ ହୋଇ ଯେ କିଭଳି ରୋଗୀ ସେବା କରାଯାଇ ପାରିବ–ସେ କଳ୍ପନା କରିପାରିଲା ନାହିଁ । ଅନେକ ସାହାସ କରି ସେ ରାଜେନ୍‍ ସାଙ୍ଗରେ ଆସିଥିଲା–ଦୁଃସାହସିକାତାରେ ସେ କାହାଠାରୁ କମ୍ ନୁହେଁ–ଜଗତରେ ସେ କାହାକୁ ଭୟ କରେନା–ମୃତ୍ୟୁକୁ ବି ନୁହେଁ, କିନ୍ତୁ ଏଠିକୁ ଆସି ବୁଝିଲା ଯେ ଦୁଃସାହସିକତାର ବି ସୀମା ଅଛି । ଦିନ କେତେଟାରେ ତା’ ଦେହରୁ ରକ୍ତ ଶୁଖିଗଲା । ତଥାପି ରାଜେନ୍‍ ତାକୁ ଆଶ୍ୱାସ ଦେବା ପାଇଁ କହିଲା–ଏଭଳି ନିର୍ଭୀକତା ମୁଁ ଜୀବନରେ ଦେଖିନି । ଅସଲ ସମୟରେ ତ ଆପଣ ତୁଲେଇ ଦେଲେ । ଏଥର ଆଉ ଦରକାର ନାହିଁ–ଆପଣ କେତେଦିନ ଯାଇ ବିଶ୍ରାମ କରନ୍ତୁ ।

 

‘ଆଉ ତମେ ?’

 

ରାଜେନ୍‍ କହିଲା–ଏଇ କେତେଟା ଯିଏ ଅଛନ୍ତି, ସେମାନଙ୍କ ବ୍ୟବସ୍ଥା କରିଦେଇ ଚାଲିଯିବି । ନ ହେଲେ କ’ଣ ଏଇଠି ପଡ଼ି ମରିବି ?

 

କମଳ ଧୀରେ ଧୀରେ ବାହାରି ଆସିଲା ।

 

ସ୍କୁଲ କଲେଜ ବନ୍ଦ ଥିବାରୁ ହରେନ୍ଦ୍ରର ବ୍ରହ୍ମଚର୍ଯ୍ୟାଶ୍ରମ ବନ୍ଦ ହୋଇଯାଇଛି । ବ୍ରହ୍ମଚାରୀମାନଙ୍କୁ ଗୋଟିଏ ନିରାପଦ ସ୍ଥାନରେ ରଖି ସେମାନଙ୍କ ତତ୍ୱାବଧାନ ଭାର ନେଇ ସତୀଶ୍‍ ଯାଇଛି । ଅବିନାଶଙ୍କ ଦେହ ଅସୁସ୍ଥ ଥିବାରୁ ହରେଦ୍ର ଯାଇ ପାରିଲା ନାହିଁ । ହଠାତ୍ ଦିନେ ଆସି କମଳ ବସାରେ ପହଞ୍ଚିଲା । ପଚାରିଲା–ପାଞ୍ଚ ଛଅ ଦିନ ହେଲା ଆସୁଛି, ଆପଣଙ୍କ ଦେଖା ପାଉନି-। କେଉଁଠି ଥିଲେ-?

 

କମଳ ମୋଚି ସାହି କଥା କହିବାରୁ ହରେଦ୍ର ବିସ୍ମିତ ହୋଇ କହିଲା–ମୋଚି ସାହିରେ-? ସେଠି ତ କ’ଣ ଲୋକେ ପୋକ ମାଛି ପରି ମରୁଛନ୍ତି ! ସେଠିକି ଯିବାକୁ ଆପଣଙ୍କୁ କିଏ କହିଲା ?

 

‘କାହିଁକି ?’

 

‘କାହିଁକି କ’ଣ ? ସେଠିକି ଯିବା ଅର୍ଥ ଆତ୍ମହତ୍ୟା କରିବା । ବରଂ ଆମେସବୁ ଭାବିଥିଲୁ ଯେ ଶିବନାଥ ବାବୁ ଆଗ୍ରା ଛାଡ଼ି ଚାଲିଗଲା ପରେ ଆପଣ ଅନ୍ୟ କେଉଁଠିକି ଚାଲିଯାଇଛନ୍ତି । ଅବଶ୍ୟ କେତେ ଦିନ ପାଇଁ–ନ ହେଲେ ବସା ରଖିଥାନ୍ତେ କାହିଁକି ? ଆଚ୍ଛା, ରାଜେନ୍‍ ଖବର କ’ଣ ଜାଣନ୍ତି ? ସେ କ’ଣ ସହରରେ ଅଛି ନା ଆଉ କୁଆଡ଼େ ଚାଲି ଯାଇଛି ? ହଠାତ୍ ଏବେ କେତେ ଦିନ ହେଲା ପତ୍ତା ନାହିଁ ତା’ର ।’

 

‘ଆପଣଙ୍କର କ’ଣ ଖୁବ୍ ବେଶୀ ଦରକାର ଅଛି ?’

 

‘ନା, ଦରକାର ସେମିତି କିଛି ନାହିଁ । ତେବେ, ମୁଁ ଯଦି ତାକୁ ନ ଖୋଜିବି ତା’ହେଲେ ପୋଲିସ୍‍ ଛଡ଼ା ତା’ର ଆଉ ଆତ୍ମୀୟ କେହି ନାହିଁ । ମୋର ବିଶ୍ୱାସ ଆପଣ ଜାଣନ୍ତି ସେ କେଉଁଠି ଅଛି ।’

 

କମଳ କହିଲା–ଜାଣେ, କିନ୍ତୁ ଆପଣଙ୍କୁ ଜଣେଇ କିଛି ଲାଭ ନାହିଁ । ଘରୁ ଯାହାକୁ ତଡ଼ି ଦେଇଛନ୍ତି, ସେ ଯାଇ କେଉଁଠି ଅଛି–ସେ ସନ୍ଧାନ ନେବା କେବଳ ଅନ୍ୟାୟ କୌତୂହଳ ।

 

ହରେଦ୍ର ଚୁପ୍ ରହି କହିଲା–ସେଟା ତ ମୋର ଘର ନୁହେଁ, ଆଶ୍ରମ । ସେଠି ତାକୁ ଜାଗା ଦେଇ ପାରିନି, କିନ୍ତୁ ସେ ନାଲିଶ୍ ମୁଁ ଆଉ ଜଣକ ମୁହଁରୁ ଶୁଣି ସହିପାରିବିନି । ବେଶ୍, ମୁଁ ଚାଲିଲି । ତାକୁ ଆଗରୁ ଅନେକ ଥର ଖୋଜି ବାହାର କରିଛି, ଏଥର ବି ବାହାର କରିପାରିବି । ଆପଣ ଲୁଚାଇ ରଖି ପାରିବେ ନାହିଁ ।

 

ତା’ କଥା ଶୁଣି କମଳ ହସିଲା; କହିଲା–ତାଙ୍କୁ କାହିଁକି ଲୁଚାଇ ରଖିବି ହରେନ୍ ବାବୁ; ସେଥିରେ କ’ଣ ମୋ ଦୁଃଖ ଘୁଞ୍ଚିଯିବ ?

 

ହରେଦ୍ର କ୍ଷୀଣ ହସି କହିଲା–ଏ ପ୍ରଶ୍ନର ଉତ୍ତର ଦେବାକୁ ମୋ ଛଡ଼ା ଆଗ୍ରାରେ ଅନେକ ଲୋକ ଅଛନ୍ତି । ସେମାନେ କ’ଣ କହନ୍ତି ଜାଣନ୍ତି ? ସେମାନେ କହନ୍ତି–ମଣିଷର ଦୁଃଖ ବହୁବିଧ,ସେଗୁଡ଼ିକ ବିଭିନ୍ନ ପ୍ରକୃତିର,ଏଣୁ ତା’ର ଘୁଞ୍ଚିବାର ବାଟ ବି ସ୍ଵତନ୍ତ୍ର । ସୁତରାଂ ସେମାନଙ୍କ ସହ ଦେଖାହେଲେ ଆଲୋଚନା କରିନେବେ । ଟିକିଏ ଅଟକି ସେ ପୁଣି କହିଲା–ତେବେ ଆପଣଙ୍କର ଏଟା ଭୁଲ୍ । ମୁଁ ସେ ଦଳର ନୁହେଁ । ଅଯଥା ଉତ୍ୟକ୍ତ କରିବା ପାଇଁ ମୁଁ ଆସିନି । କାରଣ, ସଂସାରରେ ଆପଣଙ୍କୁ ଯେଉଁମାନେ ଶ୍ରଦ୍ଧା କରନ୍ତି, ମୁଁ ସେମାନଙ୍କ ମଧ୍ୟରେ ଅନ୍ୟତମ ।

 

କମଳ ତା’ ମୁହଁକୁ ଚାହିଁ ଧୀରେ ଧୀରେ କହିଲା–ଆପଣ ମୋତେ କେଉଁ ଦୃଷ୍ଟିକୋଣରୁ ଶ୍ରଦ୍ଧା କରନ୍ତି ? ମୋର ମତ ବା ଆଚରଣ–କାହା ସହିତ ତ ଆପଣଙ୍କର ମେଳ ନାହିଁ ।

 

ହରେନ୍ଦ୍ର ତତ୍‍କ୍ଷଣାତ୍ ଉତ୍ତର ଦେଲା–ତଥାପି ବି ମୁଁ ଆପଣଙ୍କୁ ଗଭୀର ଶ୍ରଦ୍ଧା କରେ ଏବଂ ଏହି ଆଶ୍ଚର୍ଯ୍ୟ ବିଷୟଟି ବାରମ୍ଵାର ନିଜକୁ ପଚାରେ ।

 

‘କୌଣସି ଉତ୍ତର ପାଆନ୍ତି ନାହିଁ ?’

 

‘ନା, କିନ୍ତୁ ଭରସା ହୁଏ ଯେ ଦିନେ ନିଶ୍ଚୟ ପାଇବି ।’ ଟିକଏ ଅଟକି ଯାଇ ପୁଣି କହିଲା–‘ଆପଣଙ୍କ ଇତିହାସ କେତେଟା ଆପଣଙ୍କ ମୁହଁରୁ ଶୁଣିଛି, କେତେଟା ଅଜିତ୍‍ ବାବୁଙ୍କଠାରୁ ଶୁଣିଛି–ଭଲ କଥା, ଆପଣ ବୋଧହୁଏ ଜାଣନ୍ତି ଯେ ସେ ବର୍ତ୍ତମାନ ଆମ ଆଶ୍ରମରେ ଯାଇ ଅଛନ୍ତି-।’

 

କମଳ କହିଲା–ସେ ସମ୍ବାଦ ତ ଆଗରୁ ପାଇଛି ।

 

ହରେନ୍ଦ୍ର କହିଲା–ଆପଣଙ୍କର ଜୀବନ ଇତିହାସରେ ବିଚିତ୍ର ଅଧ୍ୟାୟଗୁଡ଼ିକ ଏଭଳି ଅକୁଣ୍ଠିତ ଋଜୁତା ସହ ସାମନାରେ ପହଞ୍ଚିଲା ଯେ, ତା’ ବିରୁଦ୍ଧରେ ମୋଟାମୋଟି ରାୟ ଦେବାକୁ ଭୟ ଲାଗେ । ଏତେ ଦିନ ଧରି ଯାହାକୁ ମନ୍ଦ ବୋଲି ଶୁଣି ଆସିଛି, ଆପଣଙ୍କ ଜୀବନଟା ଯେପରି ତା’ର ବିରୁଦ୍ଧରେ ଗୋଟାଏ ମକଦ୍ଦମା କରି ଆସିଛି । ଏହାର ବିଚାରକ କେଉଁଠି ମିଳିବ, କେବେ ମିଳିବ ବା ତା’ର ଫଳାଫଳ କ’ଣ ହେବ–ସେ କଥା ମୁଁ ଜାଣେନି–କିନ୍ତୁ ଯେ ଏଭଳି ନିର୍ଭୟ ଭାବେ ଅବଗୁଣ୍ଠନର ବିନା ପ୍ରୟୋଜନରେ ଏତେଦୂର ଆଗେଇ ଆସି ପାରିଲା–ତାକୁ ଶ୍ରଦ୍ଧା ନ କରି ଉପାୟ କ’ଣ ?

 

କମଳ କହିଲା–ନିର୍ଭୟ ଭାବେ ଆଗେଇ ଆସିବାରେ ଗୋଟାଏ ବାହାଦୁରି କ’ଣ ? ଆପଣ ଦେଖିନାହାନ୍ତି, ମୁଁ କିନ୍ତୁ ଚା’ ବିଗିଚାର ସାହେବମାନଙ୍କୁ ଦେଖିଛି । ସେମାନଙ୍କ ନିର୍ଭୟ, ନିଃସଙ୍କୋଚ ନିର୍ଲଜ୍ଜତା ଜଗତରେ ବିରଳ । ସେମାନଙ୍କର ଦୁଃସାହାସର ସୀମା ନାହିଁ, କିନ୍ତୁ ସେଟା କ’ଣ ଶ୍ରଦ୍ଧାର ବସ୍ତୁ ?

 

ହରେନ୍ଦ୍ର କମଳଠାରୁ ଏପରି ଉତ୍ତର ଆଶା କରିନଥିଲା । ହଠାତ୍ କିଛି ଭାବି ନ ପାରି କହିଲା–ନା, ନା, ସେ କଥା ଅଲଗା ।

 

କମଳ କହିଲା–ଅଲଗା ବୋଲି ଜାଣିଲେ କେମିତି ? ବାହାରୁ ଲୋକେ ମୋ ବାବାଙ୍କୁ ବି ସେଇମାନଙ୍କ ପରି ଭାବୁଥିଲେ । ଅଥଚ ମୁଁ ଜାଣେ–ସେ କଥା ସତ ନୁହେଁ । ତେବେ ସତ ବା ମିଛ–ଖାଲି ମୁଁ ଜାଣିବା ଉପରେ ତ ନିର୍ଭର କରେନା–ଜଗତ ପାଖରେ ତା’ର ପ୍ରମାଣ କାହିଁ ?

 

ହରେନ୍ଦ୍ର ଏ ପ୍ରଶ୍ନର ଉତ୍ତର ଦେଇ ନ ପାରି ଚୁପ୍ ରହିଲା ।

 

କମଳ କହିଲା–ମୋର ଜୀବନୀ ଆପଣମାନେ ଶୁଣିଛନ୍ତି । ଖୁବ୍ ସମ୍ଭବ ପରମାନନ୍ଦ ସହକାରେ ତାହା ଉପଭୋଗ କରିଛନ୍ତି । ମୁଁ ଯେଉଁ କାମ କରିଛି–ତା’ ଭଲ କି ମନ୍ଦ–ମୋର ଜୀବନ ପବିତ୍ର କି କଳୁଷିତ–ସେ ବିଷୟରେ ଆପଣ ଚୁପ୍, କିନ୍ତୁ ମୁଁ ଯେ ଲୁଚି ନ ଯାଇ ସମସ୍ତଙ୍କ ଗୃହିଣୀକୁ ଉପେକ୍ଷା କରି ଚାଲି ଆସିଛି–ସେଇଟା ମୋ ପ୍ରତି ଆପଣଙ୍କର ଶ୍ରଦ୍ଧା ଓ ଆକର୍ଷଣର ବସ୍ତୁ ହୋଇ ରହିଛି । ହରେନ୍ ବାବୁ–ପୃଥିବୀରେ ମୁଁ ଏତେ ବେଶୀ ଶ୍ରଦ୍ଧା ପାଇନି ଯେ ଆପଣଙ୍କ ଦାନକୁ ଗ୍ରହଣ ନ କରି ଅବହେଳା ବା ଅପମାନ କରିବି । ତେବେ ମୋ ସମ୍ପର୍କରେ ଅନେକ କଥା ଯେମିତି ଜାଣିଛନ୍ତି–ଏକଥା ବି ଜାଣି ରଖନ୍ତୁ ଯେ ଅକ୍ଷୟ ବାବୁଙ୍କ ଅଶ୍ରଦ୍ଧା ଅପେକ୍ଷା ଏ ଶ୍ରଦ୍ଧା ମୋତେ ଖୁବ୍ ବେଶୀ ପୀଡ଼ାଦାୟକ ! ସେ ତ ସହି ହେବ–ଏ ଯେ ଅସହ୍ୟ ।

 

ହରେନ୍ଦ୍ର ପୂର୍ବପରି ଚୁପ୍ ରହିଲା । କମଳର କହିବାର ଭଙ୍ଗୀ–ତା’ କଣ୍ଠରେ ଶୀତଳ କଠୋରତାରେ ସେ ଅପମାନ ବୋଧ କଲା । କିଛି ସମୟ ପରେ କହିଲା–ମତ ଓ ଆଚରଣର ଅନୈକ୍ୟ ସତ୍ତ୍ୱେ ଯେ ଶ୍ରଦ୍ଧା କରିହୁଏ, ଅନ୍ତତଃ ମୁଁ କରିପାରେ–ଏ ଆପଣଙ୍କର ବିଶ୍ୱାସ ହୁଏନା ?

 

କମଳ ଖୁବ୍ ସହଜ ଭାବରେ ଉତ୍ତର ଦେଲା–ବିଶ୍ଵାସ ଯେ ହୁଏନା–ଏ କଥା ତ ମୁଁ କହିନି, ହରେନ୍ ବାବୁ । ମୁଁ କହିଲି ଯେ ଏ ଶ୍ରଦ୍ଧା କଷ୍ଟଦାୟକ । ଏହା କହି ଟିକିଏ ରହି ପୁଣି ଆରମ୍ଭ କଲା–ମତ ଏବଂ ନୀତି ଦିଗରୁ ଦେଖିଲେ ଅକ୍ଷୟ ବାବୁ ଓ ଆପଣଙ୍କ ଭିତରେ କିଛି ପାର୍ଥକ୍ୟ ନାହିଁ । ତାଙ୍କର ବହୁ ସ୍ଥଳରେ ଅନାବଶ୍ୟକ ଅତ୍ୟଧିକ ରୂଢ଼ତା ବାଦ୍ ଦେଲେ ଆପଣ ସମସ୍ତେ ଏକ ଗୋଷ୍ଠୀର । କେବଳ ମୁଁ ଲଜ୍ଜା ଓ ସଂକୋଚରେ ଲୁଚି ନ ରହି ନିର୍ଭୟରେ ବାହାରକୁ ବାହାରି ପାରୁଛି, ମୋର ଏହି ସାହାସ ଆପଣଙ୍କ ପାଇଁ ଆଦରଣୀୟ । ତେବେ ୟା’ର ଦାମ୍ ବା କେତେ ? ବରଂ ଭାବିଲେ ବିତୃଷ୍ଣା ଆସୁଛି ଯେ କେବଳ ଏଇ ସାମାନ୍ୟ ଜିନିଷ ପାଇଁ ଆପଣ ଏତେ ଦିନ ମୋତେ ବାହାବା ଦେଇ ଆସୁଥିଲେ ।

 

ହରେନ୍ଦ୍ର କହିଲା–ବାହାବା ଦେବାଟା କ’ଣ ଅସଙ୍ଗତ ? ସାହସ ଜିନିଷର କ’ଣ କିଛି ମୂଲ୍ୟ ନାହିଁ ?

 

କମଳ କହିଲା–ଆପଣମାନେ ପ୍ରତ୍ୟେକ ପ୍ରଶ୍ନକୁ ଏପରି ଐକାନ୍ତିକ ଭାବେ ପଚାରନ୍ତି କାହିଁକି ? କିଛି ନୁହେଁ ବୋଲି କହିନାହିଁ ତ ? ମୁଁ କହୁଥିଲି ସାହସ ଏକ ଦୁର୍ଲଭ ବସ୍ତୁ ଏବଂ ଦୁର୍ଲଭ ବୋଲି ଶୀଘ୍ର ଆଖିରେ ପଡ଼େ । କିନ୍ତୁ ତା’ ଅପେକ୍ଷା ଯଥେଷ୍ଟ ବଡ଼ ଜିନିଷ ଅଛି–ବାହାରୁ ତା’ ସାହସର ଅଭାବ ପରି ଜଣାପଡ଼େ ।

 

ହରେନ୍ଦ୍ର ମୁଣ୍ଡ ହଲାଇ କହିଲା–ବୁଝିପାରିଲି ନାହିଁ । ଆପଣଙ୍କର ଅନେକ କଥା ଅନେକ ସମୟରେ ରହସ୍ୟାବୃତ ମନେହୁଏ–ତେବେ ଆଜିର କଥା ପୂରା ସୀମା ଟପିଗଲା । ମନେହେଉଛି ଯେମିତି ଆଜି ଆପଣ ଅତ୍ୟନ୍ତ ବିମନା । କେଉଁ ପ୍ରଶ୍ନର ଯେ କି ଉତ୍ତର ଦେଉଛନ୍ତି, ଆପଣ ନିଜେ ହୁଏତ ଜାଣନ୍ତି ନାହିଁ ।

 

କମଳ କହିଲା–ହୁଏତ ସେୟା, କିଛି ସମୟ ରହି କହିଲା–‘ପ୍ରକୃତ ଶ୍ରଦ୍ଧା ପାଇବା ଯେ କି ଜିନିଷ, ସେ କଥା ହୁଏତ ଆଜିଯାଏଁ ଜାଣି ନ ଥିଲି । ସେଦିନ ହଠାତ୍ ଯେମିତି ଚମକି ପଡ଼ିଲି । ହରେନ୍ ବାବୁ–ଆପଣ ଦୁଃଖ କରିବେ ନାହିଁ, କିନ୍ତୁ ତା’ ସଙ୍ଗେ ତୁଳନା କଲେ ଆଉ ସବୁ ଯେମିତି ଥଟ୍ଟା ପରି ମନେହୁଏ । କହୁ କହୁ ତା’ ଆଖି ସଜଳ ହୋଇଗଲା । ହରେନ୍ କମଳକୁ ଏପରି କେବେ ଦେଖି ନ ଥିଲା । ତା’ର ସ୍ପଷ୍ଟ ଧାରଣ ହେଲା ଯେ କମଳ ଏ ସମସ୍ତ କଥା ଅନ୍ୟ କାହା ଉଦ୍ଦେଶ୍ୟରେ କହୁଛି–ସେ କେବଳ ଉପଲକ୍ଷ ମାତ୍ର ।

 

କମଳ କହିଲା–ଆପଣ ଏହିକ୍ଷଣି ମୋର ଅସାଧାରଣ ସାହସିକତାର ପ୍ରଶଂସା କରୁଥିଲେ–ଶୁଣିଛନ୍ତି, ଶିବନାଥ ମୋତେ ଛାଡ଼ିଦେଇ ଚାଲି ଯାଇଛନ୍ତି ।

 

ହରେନ୍ଦ୍ର ଲଜ୍ଜିତ ହୋଇ କହିଲା–ହଁ, ଶୁଣିଛି ।

 

କମଳ କହିଲା–ମୋର ମନରେ ଗୋଟାଏ ସର୍ତ୍ତ ଥିଲା ଯେ ଯଦି କୌଣସି ଦିନ ଛାଡ଼ିବା ପାଇଁ ହୁଏ, ତେବେ ଆମେ ଯେମିତି ସହଜରେ ପରସ୍ପରକୁ ଛାଡ଼ି ଦେଇ ପାରିବୁ । କୌଣସି ଚୁକ୍ତିପତ୍ର ଲେଖା ହୋଇ ନ ଥିଲା ଅବଶ୍ୟ ।

 

ହରେନ୍ଦ୍ର କହିଲା–ବ୍ରୁଟ୍ ।

 

କମଳ କହିଲା–ବ୍ରୁଟ୍ ହେଉଛନ୍ତି ଆପଣଙ୍କ ବନ୍ଧୁ ଅକ୍ଷୟ ବାବୁ । ଶିବନାଥ ଗୁଣି ଲୋକ, ତାଙ୍କ ବିରୁଦ୍ଧରେ ମୋର ନିଜର ବି ସେମିତି କିଛି ନାଲିଶ୍ କରିବାର ନାହିଁ । ନାଲିଶ୍ କରି ବା ଲାଭ କ’ଣ ? ହୃଦୟର ଅଦାଲତରେ ଏକତରଫୀ ବିଚାର ହେଉଛି ଏକମାତ୍ର ବିଚାର, ତା’ ବିରୁଦ୍ଧରେ ତ ଅପିଲ୍ କରିବା ପାଇଁ କୋର୍ଟ ନାହିଁ ।

 

ହରେନ୍ଦ୍ର ପଚାରିଲା–ତା’ ମାନେ ଭଲପାଇବାଠାରୁ ଅଧିକ ଅନ୍ୟ କୌଣସି ବନ୍ଧନ ଆପଣ ସ୍ଵୀକାର କରନ୍ତି ନାହିଁ ?

 

କମଳ କହିଲା–ତା’ଠାରୁ ଆମର ତ ଆଉ କୌଣସି ବନ୍ଧନ ନ ଥିଲା । ଆଉ ଥିଲେ ବା ତାକୁ ସ୍ୱୀକାର କରି ଲାଭ କ’ଣ ? ଦେହର ଯେଉଁ ଅଙ୍ଗ ପକ୍ଷାଘାତ ରୋଗରେ ପଙ୍ଗୁ ହୋଇଯାଏ, ତା’ର ଅସ୍ତିତ୍ୱ ଗୋଟାଏ ମସ୍ତବଡ଼ ବୋଝ । ତାକୁ ନେଇ କାମ କଲେ ସବୁଠୁ ବେଶୀ ଆଘାତ ମିଳେ-। ଏହା କହି ଟିକିଏ ନୀରବ ରହି କହିଲା–‘ଆପଣ ଭାବୁଛନ୍ତି ଯେ ପ୍ରକୃତ ବିବାହ ହେଇନି ବୋଲି ଏ କଥା କହି ପାରୁଛି, ନ ହେଲେ ପାରନ୍ତି ନାହିଁ । ହେଲେ ଏମିତି କହିଥାନ୍ତି, କେବଳ ଏତେ ସହଜରେ ଏ ସମସ୍ୟାର ସମାଧାନ ହୋଇ ପାରନ୍ତା ନାହିଁ । ବିବଶ ଅଙ୍ଗଟା ଦେହ ସହ ସଂଲଗ୍ନ ରହିଥାନ୍ତା ଏବଂ ଅଧିକାଂଶ ସ୍ତ୍ରୀଲୋକଙ୍କର ଯେପରି ହୁଏ, ଆମରଣ ସେ ବୋଝ ବହି ଜୀବନ କଟାନ୍ତି-। ମୁଁ ବଞ୍ଚି ଯାଇଛି ହରେନ୍ ବାବୁ, ଦୈବାତ୍ ନିଷ୍କୃତିର ଦ୍ୱାର ଖୋଲା ଥିଲା ବୋଲି ମୁକ୍ତି ପାଇ ପାରିଲି-।’

 

ହରେନ୍ଦ୍ର କହିଲା–ଆପଣ ହୁଏତ ମୁକ୍ତି ପାଇଛନ୍ତି, କିନ୍ତୁ ଏଭଳି ମୁକ୍ତିର ଦ୍ୱାର ଯଦି ସମସ୍ତେ ଖୋଲି ରଖିବାକୁ ଚାହାନ୍ତେ, ତା’ହେଲେ ସମାଜ ବ୍ୟବସ୍ଥାର ମୂଳଦୁଆ ପର୍ଯ୍ୟନ୍ତ ଉପୁଡ଼ି ଯା’ନ୍ତା । ତା’ର ଭୟଙ୍କର ମୂର୍ତ୍ତି କଳ୍ପନା କରାଯାଇ ପାରେନା ।

 

କମଳ କହିଲା–ଭାବି ହୁଏ ଏବଂ ଭାବିବାକୁ ହେବ ଦିନେ । ତା’ର କାରଣ ମାନବ ଇତିହାସର ଶେଷ ଅଧ୍ୟାୟ ଏଯାଏଁ ଲେଖା ହେଇନି । ଦିନକର ଗୋଟାଏ ଅନୁଷ୍ଠାନର ଜୋରରେ ଯଦି ମଣିଷର ଅବ୍ୟାହତି ପଥ ସାରା ଜୀବନ ପାଇଁ ଅବରୁଦ୍ଧ ହୋଇଯାଏ, ତେବେ ତାକୁ ଶ୍ରେୟସ୍କର ବୋଲି ମାନିନେଇ ହେବନି । ପୃଥିବୀରେ ସମସ୍ତ ଭୁଲ୍‍ର ସଂଶୋଧନ ପାଇଁ ବିଧି ଅଛି, କେହି ତାହାକୁ ମନ୍ଦ ବୋଲି କହି ନାହିଁ । କିନ୍ତୁ ଯେଉଁଠି ଭ୍ରାନ୍ତିର ସମ୍ଭାବନା ସବୁଠାରୁ ବେଶୀ, ଆଉ ତା’ର ନିରାକରଣର ପ୍ରୟୋଜନ ସେଇଭଳି ସର୍ବାଧିକ, ସେଇଠି ମଣିଷର ଯଦି ସମସ୍ତ ଉପାୟ ବନ୍ଦ ଥାଏ, ତାକୁ ଭଲ ବୋଲି କିଭଳି ଗ୍ରହଣ କରି ହେବ, କହନ୍ତୁ ତ ?

 

ଏଇ ନାରୀର ନାନବିଧ ଦୁର୍ଦ୍ଦଶାରେ ହରେନ୍ଦ୍ର ଗଭୀର ସମବେଦନା ପ୍ରକାଶ କରିଛି ! କମଳ ବିରୁଦ୍ଧରେ କୌଣସି ଆଲୋଚନାରେ ସେ ସହଜରେ ଯୋଗ ଦିଏନା ଏବଂ ବିପକ୍ଷ ଦଳ ଯେତେବେଳେ ନାନା ସାକ୍ଷ୍ୟ ପ୍ରମାଣ ଯୋଗାଇ କମଳକୁ ହୀନ ପ୍ରତିପନ୍ନ କରିବା ପାଇଁ ଚେଷ୍ଟା କରନ୍ତି, ସେତେବେଳେ ସେ ପ୍ରତିବାଦ କରେ । ସେମାନେ ଯେତେବେଳେ କମଳର ପ୍ରକାଶ୍ୟ ଆଚରଣ ଓ ନିର୍ଲ୍ଲଜ ଉକ୍ତି ଉଦ୍ଧାର କରି ଧିକ୍କାର କରିବାକୁ ଆରମ୍ଭ କରନ୍ତି, ହରେନ୍ ତର୍କ ଯୁଦ୍ଧରେ ହାରିଗଲେ ବି ପ୍ରାଣପଣେ ବୁଝାଇବା ପାଇଁ ଚେଷ୍ଟା କରେ ସେ ଏସବୁ କମଳ ଜୀବନର ଅସଲ ସତ୍ୟ ନୁହେଁ । କେଉଁଠି ଏକ ନିଗୂଢ଼ ରହସ୍ୟ ଲୁକ୍କାୟିତ ଅଛି, ଦିନେ ନା ଦିନେ ତାହା ଉଦ୍‍ଘାଟିତ ହେବ । ସେମାନେ ବିଦ୍ରୂପ କରି କହନ୍ତି–ଦୟାକରି ଆପଣ ସେଇଟି ବ୍ୟକ୍ତ କରନ୍ତୁ, ଆମେ ଉପକୃତ ହେଉ । ଅକ୍ଷୟ ଉପସ୍ଥିତ ଥିଲେ ଉତ୍‍କ୍ଷିପ୍ତ ହୋଇ କହନ୍ତି–ଆପଣମାନେ ସମସ୍ତେ ସମାନ; ମୋ ପରି ଆପଣମାନଙ୍କର ନିଜ ମତ ଉପରେ ଗଭୀର ବିଶ୍ୱାସ ନାହିଁ । ଆପଣମାନେ କୌଣସି ଜିନିଷକୁ ଜୋର୍ କରି ଧରି ରଖି ପାରନ୍ତି ନାହିଁ ବା ଛାଡ଼ି ବି ପାରନ୍ତି ନାହିଁ । ଆଜିକାଲିକାର କେତେଗୁଡ଼ାଏ ବିଲାତି ସ୍ଳୋଗାନରେ ଆପଣମାନେ ଭୂତଗ୍ରସ୍ଥ ହୋଇ ପଡ଼ିଛନ୍ତି ।

 

ଅବିନାଶ କହନ୍ତି–ଏଇ ସ୍ଳୋଗାନ୍‍ଗୁଡ଼ାକ କମଳଠାରୁ ନୂଆ କରି ଶୁଣାଗଲାନି ଅକ୍ଷୟ, ଆଗରୁ ବି ଶୁଣିଛୁ । ଆଜିକାଲି ନୂଆ ନୂଆ ବାହାରିଥିବା ଖଣ୍ଡେ ଦି’ ଖଣ୍ଡ ଇଂରାଜୀ ବହି ତର୍ଜମା ହୋଇ ଗଲାଣିନା ! ତେଣୁ ଖାଲି ସ୍ଳୋଗାନ୍ ପାଇଁ ନୁହେଁ ।

 

ଅକ୍ଷୟ କଠିନ ହୋଇ ପ୍ରଶ୍ନ କରନ୍ତି–ତେବେ କାହିଁକି ? କମଳ ପାଇଁ ଏ ପକ୍ଷପାତ ତା’ର ରୂପ ପାଇଁ ? ଅବିନାଶ ବାବୁ–ହରେନ୍ ଅବିବାହିତ ଟୋକା–ତାକୁ ମାଫ୍ କରାଯାଇପାରେ, କିନ୍ତୁ ବୁଢ଼ାଦିନେ ଆପଣମାନଙ୍କ ଆଖିରେ ଯେ ରଙ୍ଗ ଲାଗିଛି, ସେଇଟାଇ ଆଶ୍ଚର୍ଯ୍ୟ ବିଷୟ । ଏହା କହି ସେ ଆଶୁ ବାବୁଙ୍କ ପ୍ରତି କଟାକ୍ଷ କରି କହନ୍ତି–କିନ୍ତୁ ଏ ଆଲୁଅ ଡାହାଣୀ ଆଲୁଅ ଆଶୁ ବାବୁ, ପଚା ପଙ୍କରୁ ୟା’ର ଜନ୍ମ । ଏ ଯେ ପଙ୍କ ଭିତରକୁ ଅନେକଙ୍କୁ ଟାଣି ନେବ, ଏଥିରେ ସନ୍ଦେହ ନାହିଁ । କେବଳ ଅକ୍ଷୟକୁ ଭୂଲେଇ ହେବନି–ସେ ଅସଲ ନକଲ ଚିହ୍ନିପାରେ ।

 

ଆଶୁ ବାବୁ ମୁରୁକି ହସନ୍ତି, କିନ୍ତୁ ଅବିନାଶ ବାବୁ ରାଗରେ ଜଳିଯାନ୍ତି । ହରେନ୍ଦ୍ର କହେ–ଆପଣ ବାହାଦୁର ଲୋକ ଅକ୍ଷୟ ବାବୁ, ଆପଣଙ୍କର ଜୟ ହେଉ । ଆମେସବୁ ଯେଉଁଦିନ ପଙ୍କରେ ପଡ଼ି ଅଣନିଶ୍ୱାସୀ ହେଇ ପଡ଼ୁଥିବୁ, ଆପଣ ସେଦିନ କୂଳରେ ଠିଆ ହେଇ ବାଜା ବଜେଇ ନାଚୁଥିବେ । ଆମେ କେହି ଆପଣଙ୍କର ନିନ୍ଦା କରିବୁନି ।

 

ଅକ୍ଷୟ ଜବାବ୍ ଦିଅନ୍ତି–ନିନ୍ଦା ପାଇଲା ଭଳି ମୁଁ ତ କେବେ କୌଣସି କାମ କରେନି ହରେନ୍ । ଗୃହସ୍ଥ ମଣିଷ, ସହଜ ସାଧାରଣ ବୁଦ୍ଧିରେ ସମାଜକୁ ମାନି ଚଳେ । ବିବାହର ନୂଆ ବ୍ୟାଖ୍ୟା ଦିଏ ନାହିଁ ବା ବିଶ୍ଵବ୍ରହ୍ମାଣ୍ଡ ବୁଲି ଦଳେ ଛୁଆ ଯୋଗାଡ଼ କରି ବ୍ରହ୍ମଚାରୀ ଗିରି କରେ ନାହିଁ । ଆଶ୍ରମରେ ପାଦ ଧୂଳିର ପରିମାଣ ଆଉ ଟିକିଏ ବଢ଼େଇ ଦେଲେ ଆଉ ସାଧନ ଭଜନ ପାଇଁ ଭାବିବାକୁ ହେବନି । ଦେଖୁ ଦେଖୁ ତମ ଆଶ୍ରମ ବିଶ୍ୱାମିତ୍ର ଋଷିଙ୍କ ତପୋବନ ହୋଇ ଉଠିବ ଏବଂ ହୁଏତ ଚିରଦିନ ତମର ଗୋଟାଏ କୀର୍ତ୍ତି ରହିଯିବ ।

 

ଅବିନାଶ ରାଗ ଭୁଲି ଉଚ୍ଚ ହାସ୍ୟ କରି ଉଠନ୍ତି ଏବଂ ଆଶୁ ବାବୁ ମୁରୁକି ହସି ଚୁପ୍ ରହନ୍ତି । ହରେନ୍ଦ୍ରର ଆଶ୍ରମ ପ୍ରତି କାହାର କେବେ ଆସ୍ଥା ନ ଥିଲା ଏବଂ ଏହାକୁ ଗୋଟାଏ ବ୍ୟକ୍ତିଗତ ଖିଆଲ୍‍ ବୋଲି ସେମାନେ ଧରି ନେଇଥିଲେ ।

 

ପ୍ରତ୍ୟୁତ୍ତରରେ ହରେନ୍ଦ୍ର କ୍ରୋଧରେ ଲାଲ୍ ପଡ଼ିଯାଏ ଏବଂ କହେ–ଜାନୁଆର୍ ସାଙ୍ଗରେ ତ ଆଉ ଯୁକ୍ତି ତର୍କ ଚଳେନା, ତା’ପାଇଁ ଅନ୍ୟ ବ୍ୟବସ୍ଥା ଦରକାର । କିନ୍ତୁ ସେ ବ୍ୟବସ୍ଥା ହେଇପାରୁନି ବୋଲି ଆପଣ ଯା’ ତା’ କହି ଯାଉଛନ୍ତି । ଏହା କହି ସେ ଅନ୍ୟ ଦୁଇଜଣଙ୍କୁ ଚାହିଁ କହେ–କିନ୍ତୁ ଆପଣମାନେ ପ୍ରଶ୍ରୟ ଦେଉଛନ୍ତି କିଭଳି ? ଏଭଳି ଗୋଟାଏ କୁତ୍ସିତ ଇଙ୍ଗିତ କ’ଣ ଥଟ୍ଟା ତାମ୍‍ସାର ଜିନିଷ !

 

ଅବିନାଶ ଅପ୍ରତିଭ ହୋଇ କହନ୍ତି–ନା, ନା ପ୍ରଶ୍ରୟ ଦେବୁ କାହିଁକି ? ତେବେ ତମେ ତ ଜାଣ–ଅକ୍ଷୟର କାଣ୍ଡଜ୍ଞାନ ନାହିଁ ।

 

ହରେନ୍ଦ୍ର କହେ–ଆପଣମାନଙ୍କର କାଣ୍ଡଜ୍ଞାନ ତାଙ୍କଠାରୁ ବି କମ୍ । ମଣିଷର ମନର ଅବସ୍ଥା ତ ସବୁବେଳେ ଧରାପଡ଼େନି ଦାଦା, ନ ହେଲେ ଆପଣମାନେ ଥଟ୍ଟା ତାମସା କରୁ ନ ଥାନ୍ତେ । ବିବାହର ଛଳନା କରି ଶିବନାଥ କମଳକୁ ଠକିଲା, କିନ୍ତୁ ମୋର ବିଶ୍ଵାସ–କମଳ ସେଇ ଠକିବାକୁ ସତ ବୋଲି ଧରିନେଇଥିଲା; ସେଇଥିପାଇଁ ଲାଭ କ୍ଷତି ବା ସାଂସାରିକ ଦେଣା-ପାଉଣାର ହିସାବ କରିବା ପାଇଁ ସେ ଚାହିଁଲା ନାହିଁ । ତେବେ କମଳ ନ ଚାହିଁଲେ ବି ଆପଣମାନେ ଛାଡ଼ିବେ କାହିଁକି ? ଶିବାନାଥ ଥିଲା ତା’ର ପ୍ରିୟବ୍ୟକ୍ତି, କିନ୍ତୁ ସେ ଆପଣଙ୍କର ବା କ’ଣ ? କ୍ଷମାର ଅପବ୍ୟବହାରରେ ଆପଣମାନଙ୍କର ଦେହ ସହିଲା ନାହିଁ । ଏଇତ ଆପଣଙ୍କର ଘୃଣାର ମୂଳଧନ, ତାକୁଇ ବିକି ଭାଙ୍ଗି ଯେତେଦିନ ଚଳେଇବେ ଚଳାନ୍ତୁ, ମୁଁ ବିଦାୟ ନେଉଛି । ଏଇକଥା କହି ହରେନ୍ଦ୍ର ସେଦିନ ରାଗକରି ଚାଲି ଆସିଥିଲା । ତା’ ମନରେ ଦୃଢ଼ ବିଶ୍ୱାସ ଥିଲା ଯେ କମଳ ମୁହଁରୁ ସେ ନିଶ୍ଚୟ ଶୁଣିବ ଯେ ଶୈବ ବିବାହକୁ ସତ୍ୟ ବୋଲି ଗ୍ରହଣ କରି ସେ ପ୍ରତାରିତ ହୋଇଛି; ସ୍ଵେଚ୍ଛାରେ ସମସ୍ତ କଥା ଜାଣି ଗଣିକା ପରି ଶିବନାଥକୁ ଆଶ୍ରୟ କରିନାହିଁ । ହରେନ୍ଦ୍ର, ଅକ୍ଷୟ ବା ଅବିନାଶଙ୍କ ପରି ନୁହେଁ । ନରନାରୀ ନିର୍ବିଶେଷରେ ସମସ୍ତଙ୍କ ପ୍ରତି ତା’ର ଗୋଟାଏ ବିସ୍ତୃତ ଓ ଗଭୀର ଉଦାରତା ଥିଲା–ଏଥିପାଇଁ ଦେଶ ଓ ଦଶର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ସକଳ ଅନୁଷ୍ଠାନ ସହ ଜଡ଼ିତ ଥିଲା । ତା’ର ଏହି ପ୍ରକୃତି ଯୋଗୁ ହିଁ ସେ ମୂଳରୁ କମଳ ପ୍ରତି ଶ୍ରଦ୍ଧାନ୍ଵିତ ଥିଲା–କିନ୍ତୁ କମଳ ଯେ ତା’ ମୁହଁ ଉପରେ ଏପରି ଜବାବ୍ ଦେଇପାରିବ, ସେ ଆଶା କରୁ ନ ଥିଲା । ଭାରତର ଧର୍ମ, ନୀତି, ଆଚାର ବ୍ୟବହାର, ସ୍ଵାତନ୍ତ୍ର୍ୟ ଓ ବୈଶିଷ୍ଟ୍ୟ–ଏସବୁ ପ୍ରତି ହରେନ୍‍ର ଅଚ୍ଛେଦ୍ୟ ସ୍ନେହ ଓ ଅପରିମେୟ ଭକ୍ତି ଥିଲା । ସୁଦୀର୍ଘ ପରାଧୀନତା ଓ ବ୍ୟକ୍ତିଗତ ଚାରିତ୍ରିକ ଦୁର୍ବଳତା ଯୋଗୁଁ ଏହାର ବ୍ୟତିକ୍ରମଗୁଡ଼ିକୁ ବି ସେ ଅସ୍ୱୀକାର କରେନା–କିନ୍ତୁ ଏପରି ସ୍ପର୍ଦ୍ଧିତ ଅବଜ୍ଞାରେ ଭାରତୀୟ ସଂସ୍କୃତିର ମୂଳସୂତ୍ରକୁ ଅସ୍ୱୀକାର କରିବା ହେତୁ ସେ ଅତିରିକ୍ତ ବ୍ୟଥିତ ହେଲା । କମଳର ପିତା ଇଉରୋପୀୟ, ମାତା କୁଳଟା–ତା’ର ଶିରାରେ ଶିରାରେ ବ୍ୟଭିଚାରର ଧାରା ପ୍ରବହମାନ–ଏକଥା ସ୍ମରଣ କରି ତା’ର ମନ ବିତୃଷ୍ଣାରେ ଭରିଗଲା । ଦୁଇ ତିନି ମିନିଟ୍ ନିଃଶବ୍ଦରେ ରହି କହିଲା–ଏବେ ତା’ହେଲେ ଯାଉଛି–

କମଳ ହରେନ୍ଦ୍ରର ମନର ଭାବଟା ଠିକ୍ ଅନୁମାନ କରିପାରିଲା ନାହିଁ । କେବଳ ସୁସ୍ପଷ୍ଟ ପରିବର୍ତ୍ତନ ଲକ୍ଷ୍ୟ କଲା । ଆସ୍ତେ ଆସ୍ତେ ପଚାରିଲା–କିନ୍ତୁ ଯାହା ପାଇଁ ଆସିଥିଲେ, କିଛି ତ ବୁଝିଲେ ନାହିଁ ?

ହରେନ୍ଦ୍ର କହିଲା–କାହା କଥା ?

କମଳ କହିଲା–ରାଜେନ୍‍ର ଖବର ଜାଣିବା ପାଇଁ ଆସିଥିଲେ କିନ୍ତୁ ନ ଜାଣି ଚାଲି ଯାଉଛନ୍ତି ଯେ । ସେ ଏଠି ଅଛି ବୋଲି ଆପଣଙ୍କର ସେ କ’ଣ ଖୁବ୍ କୁତ୍ସିତ ଆଲୋଚନା ହୁଏ ?

ହରେନ୍ଦ୍ର କହିଲା–ହେଉଥିବ, ମୁଁ କେବେ ଯୋଗ ଦିଏନା । ସେ ପୁଲିସ୍‍ ଜିମା ନ ରହିଲେ ଯଥେଷ୍ଟ । ମୁଁ ତାକୁ ଜାଣେ ।

‘କିନ୍ତୁ ମତେ ?’

କିନ୍ତୁ ଆପଣ ତ ସେ ସବୁ କିଛି ମାନନ୍ତି ନାହିଁ ।

‘ଅନେକଟା ସେଇଭଳି ଅବଶ୍ୟ ! ଅର୍ଥାତ୍ ମାନିବାକୁ ନିଶ୍ଚୟ ହେବ, ଏଭଳି କୌଣସି କଠିନ ଶପଥ ମୁଁ କରିନାହିଁ ।’

‘ତେବେ ଖାଲି ବନ୍ଧୁକୁ ଜାଣିଲେ ହେବନି ହରେନ୍ ବାବୁ, ଆଉ ଜଣକୁ ବି ଜାଣିବା ଆବଶ୍ୟକ ।’

‘ଅଧିକ କିଛି ଜାଣିବା ବାହୁଲ୍ୟ ମାତ୍ର । ବହୁଦିନ ବହୁ ଘଟଣାରେ ଯାହାକୁ ସ୍ପଷ୍ଟ ଭାବେ ଜାଣିଛି । ତା’ ସମ୍ପର୍କରେ ମୋର ଆଶଙ୍କା ନାହିଁ । ତା’ର ଯେଉଁଠି ଇଚ୍ଛା, ସେ ସେଇଠି ରହୁ, ମୁଁ ନିଶ୍ଚିନ୍ତ ।’

କମଳ ତା’ ମୁହଁକୁ ଟିକିଏ ଚାହିଁ କହିଲା–ମଣିଷକୁ ଅନେକ ପରୀକ୍ଷା ଦେବାକୁ ହୁଏ ହରେନ୍ ବାବୁ । ତା’ର ଗୋଟାଏ ଦିନର ପ୍ରଶ୍ନ ହୁଏତ ଅନ୍ୟ ଦିନର ଉତ୍ତର ସହ ମିଳେନା । କାହା ସମ୍ବନ୍ଧରେ ନିଷ୍ପତ୍ତିରେ ପହଞ୍ଚିଯିବା ଠିକ୍ ହେବନି–ଠକିଯିବେ ।

କମଳ ଯେ କଥାଗୁଡ଼ାକ କେବଳ ତାତ୍ତ୍ଵିକ ଆଲୋଚନା ପାଇଁ କହିନାହିଁ–ହୁଏତ ୟା ପଛରେ କିଛି ଗୋଟାଏ ଇଙ୍ଗିତ ଅଛି–ହରେନ୍ଦ୍ର ଅନୁମାନ କଲା । କିନ୍ତୁ ଆଉ ପଚାରି ତାକୁ ସ୍ପଷ୍ଟ କରିବାକୁ ତାହାର ସାହସ ହେଲା ନାହିଁ । କଥାର ଧାରା ବଦଳାଇବା ପାଇଁ କହିଲା–ଆମେସବୁ ସ୍ଥିର କରିଛୁ, ଶିବନାଥଙ୍କୁ ଏଥିପାଇଁ ସମୁଚିତ ଶାସ୍ତି ଦେବୁ ।

କମଳ ବିସ୍ମିତ ହୋଇ ପଚାରିଲା–‘ଆମେ’ ମାନେ କିଏ ?

ହରେନ୍ଦ୍ର କହିଲା–ଯେ ହୁଅନ୍ତୁ ନା କାହିଁକି, ମୁଁ ସେମାନଙ୍କ ମଧ୍ୟରୁ ଜଣେ । ଆଶୁ ବାବୁ ପୀଡ଼ିତ ଅଛନ୍ତି, ଭଲ ହେଲା ପରେ ସେ ମତେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

 

‘ଆଶୁ ବାବୁ ପୀଡ଼ିତ ?’

 

‘ହଁ, ସାତ ଆଠ ଦିନ ହେଲା । ଆଗରୁ ମନୋରମା ଚାଲି ଯାଇଛନ୍ତି । ଆଶୁ ବାବୁଙ୍କ କାକା କାଶୀରେ ରହନ୍ତି, ସେ ଆସି ନେଇ ଯାଇଛନ୍ତି ।’

 

ଏ କଥା ଶୁଣି କମଳ ଚୁପ୍ ରହିଲା । ହରେନ୍ଦ୍ର କହିଲା–ଶିବନାଥ ବାବୁ ଜାଣନ୍ତି, ଆଇନଦ୍ୱାରା ତାଙ୍କର କିଛି ହେବ ନାହିଁ । ଏଇ ଜୋରରେ ସେ ତାଙ୍କ ମୃତ ବନ୍ଧୁଙ୍କ ପତ୍ନୀଙ୍କୁ ସ୍ୱତ୍ୱରୁ ବଞ୍ଚିତ କରିଛନ୍ତି, ନିଜର ରୁଗ୍‍ଣା ସ୍ତ୍ରୀଙ୍କୁ ପରିତ୍ୟାଗ କରି ଆପଣଙ୍କର ସର୍ବନାଶ କରିଛନ୍ତି । ଆଇନ ସେ ଖୁବ୍ ଭଲ ଭାବରେ ଜାଣନ୍ତି–କେବଳ ଜାଣନ୍ତି ନାହିଁ ଯେ ଆଇନ ସବୁ ନୁହେଁ–ତା’ ବାହାରେ ବି ଅନେକ ଜିନିଷ ହୋଇପାରେ ।

 

କମଳ ହସି ହସି ପଚାରିଲା–କିନ୍ତୁ କି ଶାସ୍ତି ତାଙ୍କୁ ଦେବେ ? ଧରି ଆଣି ମୋ ସାଙ୍ଗେ ଯୋଡ଼ି ଦେବେ ?

 

କଥାଟା ହରେନ୍ଦ୍ରକୁ ବି ଏଭଳି ହାସ୍ୟକର ଶୁଣାଗଲା ଯେ ସେ ହସି ପକାଇଲା । କହିଲା–କିନ୍ତୁ ସେ ଯେ ଦାୟିତ୍ଵଟା ଏଭଳି ଏଡ଼େଇ ଦେଇ ନିର୍ବିଘ୍ନରେ ଯା’ ଇଚ୍ଛା ତା’ କରି ଯିବେ–ତା’ ବି ହେବନି । ତା’ପରେ–ଆପଣଙ୍କ ସଙ୍ଗେ ଯେ ଯୋଡ଼ି ଦେବାକୁ ହେବ–ସେମିତି କିଛି କଥା ନାହିଁ ।

 

କମଳ କହିଲା–ତା’ହେଲେ କ’ଣ ଆଉ କରିବେ ? କାନ ମୋଡ଼ି ମୋ’ପାଇଁ ପାଉଣା ଅସୁଲ କରିବେ ? ପ୍ରଥମେ–ଟଙ୍କା ମୁଁ ନେବିନି ଏବଂ ଟଙ୍କା ବି ତାଙ୍କର ନାହିଁ । ଶିବନାଥ ଯେ କେତେ ଗରିବ–ସେ କଥା ଆଉ କେହି ନ ଜାଣିଲେ ବି ମୁଁ ତ ଜାଣେ ।

 

‘ତେବେ କ’ଣ ଏତେ ବଡ଼ ଆପରାଧର କିଛି ଦଣ୍ଡ ନାହିଁ ? ଆଉ କିଛି ନ ହେଲେ ବି ବଜାରରେ ଯେ ଚାବୁକ୍ କିଣିବାକୁ ମିଳେ, ତାଙ୍କର ସେଇଟା ଜାଣିବା ଉଚିତ ।’

 

କମଳ ବ୍ୟାକୁଳ ହୋଇ କହିଲା–ନା, ନା, ସେ କଥା କରିବେ ନାହିଁ । ସେଥିରେ ମୋର ଏତେବଡ଼ ଅପମାନ ହେବ ଯେ ମୁଁ ତା’ ସହିପାରିବି ନାହିଁ । ଏତେ ଦିନ ମୋତେ କେବଳ ଏଇ କଥା ଲାଗୁଥିଲା–ଚୋର ପରି ଲୁଚି ଲୁଚି ରହିବାର କ’ଣ ଦରକାର ଥିଲା, କହିଥିଲେ କ’ଣ ମୁଁ ଅଟକାଇଥାନ୍ତି ? ସେତେବେଳେ ଏଇ କଥାଟା କେବଳ ମତେ ବଡ଼ ଅସମ୍ମାନକର ଜଣାପଡ଼ୁଥିଲା ।

 

ତା’ପରେ ହଠାତ୍ ଦିନେ ବସ୍ତିରୁ ଆହ୍ୱାନ ଆସିଲା । ସେଠି କେତେ ମୃତ୍ୟୁ ଯେ ଆଖି ଆଗରେ ଦେଖିଲି, ତା’ର ଇୟତ୍ତା ନାହିଁ । ଆଜି ତେଣୁ ମୋର ଭାବନା ଧାରା ଅନ୍ୟ ଦିଗରେ ପ୍ରବାହିତ । ଏବେ ଭାବୁଛି, ତାଙ୍କର ଯେ ମୋତେ କହି ଯିବାର ସାହସ ନଥିଲା, ତା’ ହେଉଛି ମୋର ସବୁଠୁ ବଡ଼ ସମ୍ମାନ । ତାଙ୍କର ସମସ୍ତ ମିଥ୍ୟାଚାର, ସମସ୍ତ ଛଳନା ଯେମିତି ମୋର ମର୍ଯ୍ୟାଦାକୁ ବହୁ ଗୁଣରେ ବଢ଼ାଇ ଦେଇଛି । ପାଇଲା ବେଳେ ମୋତେ ଫାଙ୍କି ଯାହା ପାଇଥିଲେ, ଗଲାବେଳକୁ ସୁଧମୂଳ ସହ ତା’ ଯେମିତି ଫେରାଇ ଦେବାକୁ ପଡ଼ିଲା ତାଙ୍କୁ । ତେଣୁ ମୋର ଆଉ ନାଲିଶ୍ କରିବାର କିଛି ନାହିଁ, ସବୁ ପାଉଣା ମୋର ଅସୁଲ ହୋଇଯାଇଛି । ଆଶୁ ବାବୁଙ୍କୁ ନମସ୍କାର ଜଣାଇ କହିବେ ଯେ ମୋର ଉପକାର କରିବା ପାଇଁ ଯାଇ ଯେମିତି କ୍ଷତି ନ କରନ୍ତି ।

 

ହରେନ୍ଦ୍ର କିଛି ବୁଝିପାରିଲା ନାହିଁ, ଅବାକ୍ ହୋଇ ଚାହିଁ ରହିଲା ।

 

କମଳ କହିଲା–‘ସବୁ କଥା ସମସ୍ତେ ବୁଝିପାରନ୍ତି ନାହିଁ, ହରେନ୍ଦ୍ର ବାବୁ, ଆପଣ କ୍ଷୁଣ୍ଣ ହେବେନି । ଛାଡ଼ନ୍ତୁ ମୋ କଥା ଏଥର । ଦୁନିଆରେ ତ ଖାଲି ଶିବନାଥ ବା କମଳ ନାହାନ୍ତି, ଆଉ ପାଞ୍ଚଜଣ ବି ଅଛନ୍ତି, ତାଙ୍କର ବି ସୁଖଦୁଃଖ ଅଛି ।’ ହଠାତ୍ ସେ ନିର୍ମଳ ପ୍ରଶାନ୍ତ ଭାବ ଫେରି ପାଇଲା ଯେମିତି । କହିଲା–ଆଉ କିଏ କେମିତି ଅଛନ୍ତି, କହନ୍ତୁ ।

 

ହରେନ୍ଦ୍ର କହିଲା–କାହା କଥା କହିବି, କହନ୍ତୁ ।

 

‘ବେଶ୍ ଆଗ କହନ୍ତୁ ଅବିନାଶ ବାବୁଙ୍କ କଥା । ସେ ଅସୁସ୍ଥ ଥିଲେ, ଭଲ ହେଲେଣି ତ-?’

 

‘ହଁ ସମ୍ପୂର୍ଣ୍ଣ ନ ହେଲେ ଅନେକଟା ଭଲ ହୋଇଗଲେଣି । ତାଙ୍କର ବଡ଼ଭାଇ ଲାହୋରରେ ଥା’ନ୍ତି, ପୁଅକୁ ନେଇ ସେଠିକି ଯାଇଛନ୍ତି ସ୍ୱାସ୍ଥ୍ୟଲାଭ ପାଇଁ । ଫେରିବାକୁ ବୋଧହୁଏ ମାସେ ଦି’ ମାସ ଡେରି ହେବ ।’

 

‘ଆଉ ନୀଳିମା ? ସେ କ’ଣ ସାଙ୍ଗରେ ଯାଇଛନ୍ତି ?’

 

ହରେନ୍ ପ୍ରଥମେ ଟିକିଏ ଇତସ୍ତତଃ ହୋଇ କହିଲା–ଭାଉଜଙ୍କ ଘଟଣାଟା ଟିକିଏ ଜଟିଳ ହୋଇ ଉଠିଥିଲା–ଭଗବାନ ରକ୍ଷା କରିଛନ୍ତି–ଆଶୁ ବାବୁଙ୍କ ଶୁଶ୍ରୂଷା ପାଇଁ ସେ ଏଠି ରହିଯାଇଛନ୍ତି ।

 

ଖବରଟା ଟିକିଏ ଖାପ୍‍ଛଡ଼ା–ତେଣୁ କମଳ ଆଉ ନ ପଚାରି ବିସ୍ତୃତ ଘଟଣାଟି ଶୁଣିବା ପାଇଁ ଚାହିଁ ରହିଲା । ହରେନ୍ଦ୍ର ଦ୍ୱିଧା ତ୍ୟାଗ କରି ଦୃଢ଼ କଣ୍ଠରେ କହିଲା–ବିଦେଶରେ ନିଜ ବସାରେ ଯା’ ମନ ତା’ କଲେ ବି ବିଧବା ଶାଳୀଙ୍କୁ ନେଇ ତ ବଡ଼ଭାଇଙ୍କ ବସାକୁ ଯାଇ ହେବନି ! ମତେ କହିଲେ–ହରେନ୍ । ତୁ ତ ଆତ୍ମୀୟ, ତୋ ବସାରେ ଯଦି ସୁବିଧା ହୁଅନ୍ତା–ମୁଁ କହିଲି–ପ୍ରଥମତଃ ମୁଁ ତମର ଦୂରସ୍ଥାନୀୟ ଆତ୍ମୀୟ କିନ୍ତୁ ତାଙ୍କର ତ କିଛି ନୁହେଁ । ଦ୍ୱିତୀୟତଃ ଏଇଟା ମୋର ବସା ନୁହେଁ, ଆମର ଆଶ୍ରମ, ଏଠି ତ ରଖିବାର ଉପାୟ ନାହିଁ । ତୃତୀୟତଃ–ବର୍ତ୍ତମାନ ଛାତ୍ରମାନେ କେହି ନାହାନ୍ତି–ମୁଁ ଏକୁଟିଆ ଅଛି । ଶୁଣି ତ ତାଙ୍କର ଭାବନାର ସୀମା ନାହିଁ–ଆଗ୍ରାରେ ରହି ହେବନି–ଲୋକ ଶହ ଶହ ମରୁଛନ୍ତି–ଏଣେ ଘରୁ ଘନ ଘନ ଚିଠି ଟେଲିଗ୍ରାମ୍ ଆସୁଛି–ସେତେବେଳେ ଯେ ତାଙ୍କର କି ବିପଦ ।

 

କମଳ ପଚାରିଲା–କିନ୍ତୁ ନୀଳିମାର ତ ବାପଘର ଅଛି ।

 

ହରେନ୍ଦ୍ର କହିଲା–ଅଛି, ଶ୍ୱଶୁର ଘର ବି ଅଛି । କିନ୍ତୁ ହଠାତ୍ ଦିନେ ଅଦ୍ଭୁତ ଭାବେ ସମସ୍ୟାର ସମାଧାନ ହୋଇଗଲା । ପ୍ରସ୍ତାବ କେଉଁଠୁ ଆସିଲା କେଜାଣି, ଭାଉଜ ପୀଡ଼ିତ ଆଶୁ ବାବୁଙ୍କୁ ସେବା କରିବାର ଦାୟିତ୍ଵ ଗ୍ରହଣ କଲେ ।

 

କମଳ ଚୁପ୍ ରହିଲା ।

 

ହରେନ୍ଦ୍ର ହସି ହସି କହିଲା–ତେବେ ଆଶା ଯେ ଭାଉଜଙ୍କର ଚାକିରିଟା ଯିବନି–ସେମାନେ ଫେରିଆସିଲେ ପୁଣି ଗୃହିଣୀତ୍ୱ ଗ୍ରହଣ କରିପାରନ୍ତି ।

 

କମଳ ଏଇ ବ୍ୟଙ୍ଗୋକ୍ତିର କୌଣସି ଉତ୍ତର ଦେଲା ନାହିଁ ।

 

ହରେନ୍ଦ୍ର କହିଲା–ମୁଁ ଜାଣେ, ଭାଉଜ ଯଥାର୍ଥରେ ସତ୍ । ଦାଦାଙ୍କ ଦାରୁଣ ଦୁର୍ଦ୍ଦିନରେ ତାଙ୍କୁ ଛାଡ଼ି ଦେଇ ଯାଇନାହାନ୍ତି, ସେଥିପାଇଁ ହୁଏତ ତାଙ୍କର ଚାରିଆଡ଼ୁ ବାଟ ବନ୍ଦ ହୋଇଯାଇଛି । ଅଥଚ ଏଣେ ବିପଦ ବେଳେ ରହିବାର ବାଟ ନାହିଁ । ତେଣୁ ଭାବେ–ଏ ଦେଶରେ ଝିଅମାନେ କେତେ ନିରୁପାୟ ।

 

କମଳ ସେମିତି ଚୁପ୍ ହୋଇ ବସି ରହିଲା ।

 

ହରେନ୍ଦ୍ର କହିଲା–ଏସବୁ ଶୁଣି ଆପଣ ବୋଧହୁଏ ମନେମନେ ହସୁଛନ୍ତି ?

 

କମଳ କହିଲା–ନା ।

 

ହରେନ୍ଦ୍ର କହିଲା–ମୁଁ ପ୍ରାୟ ସାରାଦିନ ଆଶୁ ବାବୁଙ୍କୁ ଦେଖିବା ପାଇଁ ଯାଏ । ସେମାନେ ଉଭୟେ ଆପଣଙ୍କ ଖବର ପଚାରନ୍ତି । ଭାଉଜଙ୍କର ତ ଆଗ୍ରହର ସୀମା ନାହିଁ–ଦିନେ ସେଆଡ଼େ ଯିବେ ?

 

କମଳ କହିଲା–ଆଜି ଚାଲନ୍ତୁନା ହରେନ୍ଦ୍ର ବାବୁ, ତାଙ୍କୁ ଦେଖି ଆସିବା ।

 

ଆଜି ଯିବେ, ଚାଲନ୍ତୁ । ମୁଁ ଗୋଟାଏ ଗାଡ଼ି ଡାକି ନେଇ ଆସେ–ଅବଶ୍ୟ ଯଦି ମିଳେ । ଏହା କହି ସେ ବାହାରୁଥିଲା ।

 

କମଳ କହିଲା–ଗାଡ଼ିରେ ଦୁଇଜଣ ଯଦି ଏକାଠି ଯିବା, ହୁଏତ ଆଶ୍ରମର ବନ୍ଧୁମାନେ ପସନ୍ଦ କରିବେ ନାହିଁ । ଚାଲନ୍ତୁ ଚାଲିକରି ଯିବା ।

 

ହରେନ୍ଦ୍ର କହିଲା–ଏ କଥାର ମାନେ ?

 

‘ନା, କିଛି ନୁହେଁ ।’

 

(ଉଣେଇଶ)

 

ଅପରାହ୍ନରେ ହରେନ୍ଦ୍ର ଓ କମଳ ଆସି ଆଶୁ ବାବୁଙ୍କ ଘରେ ପହଞ୍ଚିଲେ । ଶେଯରେ ଅର୍ଦ୍ଧଶାୟିତ ଅବସ୍ଥାରେ ବସି ଆଶୁ ବାବୁ ସେ ଦିନର ପାୟୋନିୟର କାଗଜଟା ପଢ଼ୁଥିଲେ । କେତେଦିନ ହେଲା ଜର ଛାଡ଼ିଲାଣି, ଅନ୍ୟାନ୍ୟ ଉପସର୍ଗ ବି କମିଲାଣି–କେବଳ ଦେହର ଦୁର୍ବଳତା କମି ନାହିଁ । ଏମାନେ ଘରେ ପଶିବାରୁ କାଗଜ ଛାଡ଼ି ଉଠି ବସିଲେ । ତାଙ୍କ ମନରେ ଭୟ ଥିଲା–କମଳ ହୁଏତ ଆଉ ଆସିବନି । ତେଣୁ ହାତ ବଢ଼ାଇ ତାକୁ ଟାଣି ନେଇ କହିଲେ–ଆସ ମା, ମୋ ପାଖରେ ବସ । କେମିତି ଅଛୁ କହ ତ ?

 

କମଳ ହସି ହସି କହିଲା–ଭଲ ଅଛି ।

 

ଆଶୁ ବାବୁ କହିଲେ–କେବଳ ଭଗବାନଙ୍କ ଆଶୀର୍ବାଦରୁ–ନ ହେଲେ ଏ ଦୁର୍ଦ୍ଦିନରେ କିଏ ଭଲ ଅଛି, କହି ହେବ ନାହିଁ । ଏତେ ଦିନ ହେଲା କେଉଁଠି ଥିଲୁ କହ ତ ? ହରେନ୍ଦ୍ରକୁ ନିତି ପଚାରେ–ସେ ପ୍ରତିଦିନ କହେ–ବସାରେ ତାଲା ପଡ଼ିଛି, ସନ୍ଧାନ ନାହିଁ । ନୀଳିମା ସନ୍ଦେହ କରୁଥିଲେ ଯେ ବୋଧହୁଏ ତୁ ବି କେତେଦିନ ପାଇଁ କୁଆଡ଼େ ଚାଲି ଯାଇଛୁ ବୋଧହୁଏ ।

 

ହରେନ୍ଦ୍ର କହିଲା–ଆଉ କୁଆଡ଼େ ? ଏଇ ଆଗ୍ରାର ମୋଚି ପଡ଼ାରେ ସେବା କରୁଥିଲେ । ଆଜି ଦେଖା ପାଇ ଧରି ଆଣିଛି ।

 

ଆଶୁ ବାବୁ ଉଦ୍‍ବିଗ୍ନ ହୋଇ କହିଲେ–ମୋଚି ପଡ଼ାରେ ? କିନ୍ତୁ କାଗଜରେ ତ ବାହାରିଛି–ପଡ଼ାଟା ଖାଲି ହେଇଯିବା ଉପରେ । ଏତେ ଦିନ ହେଲା ସେଇଠି ଥିଲୁ ? ଏକା ?

 

କମଳ କହିଲା–ନା, ଏକା ନୁହେଁ–ରାଜେନ୍‍ ସାଙ୍ଗରେ ଥିଲେ ।

 

ଏ କଥା ଶୁଣି ହରେନ୍ଦ୍ର କମଳ ମୁହଁକୁ ଚାହିଁଲା, କିଛି ଅବଶ୍ୟ କହିଲା ନାହିଁ । ଚାହିଁବାର ତାତ୍ପର୍ଯ୍ୟ ଯେ ତମେ ନ କହିଲେ ବି ମୁଁ ସେଇ କଥା ଅନୁମାନ କରିଥିଲି ।

 

ଆଶୁ ବାବୁ କହିଲେ–ରାଜେନ୍‍ ଗୋଟାଏ ଅଦ୍ଭୁତ ପିଲା । ତାକୁ ଅବଶ୍ୟ ମାତ୍ର ଦୁଇ ତିନି ଥର ଦେଖିଛି–ତେବେ ମନେହୁଏ ଯେମିତି ଗୋଟାଏ ସୃଷ୍ଟିଛଡ଼ା ପିଲା । ତାକୁ ଆଣିଲନି କାହିଁକି ? ପୂରା ଘଟଣା ଶୁଣିଥାନ୍ତେ । ଖବରକାଗଜରୁ ତ ସବୁ ଜାଣି ହୁଏନା ।

 

କମଳ କହିଲା–ନା, କିନ୍ତୁ ତା’ର ଫେରିବାକୁ ଡେରି ଅଛି ।

 

‘କାହିଁକି ?’

 

‘ପଡ଼ାଟା ଏପର୍ଯ୍ୟନ୍ତ ପରା ଶେଷ ହୋଇନି । ଆଉ ଯେ କେତେ ଜଣ ଅଛନ୍ତି, ସେମାନେ ରମାନା ନ ହେଲା ପର୍ଯ୍ୟନ୍ତ ସେ ଆସିବେନି ବୋଲି ପଣ କରିଛନ୍ତି ।’

 

ଆଶୁ ବାବୁ ତା’ ମୁହଁକୁ ଚାହିଁ କହିଲେ–ତେବେ ତୁ ଆସିଲୁ କେମିତି ? ପୁଣି କ’ଣ ସେଠିକି ଯିବାକୁ ହେବ ? ଅବଶ୍ୟ ମନା କରୁନି–କିନ୍ତୁ ବଡ଼ ଭାବନାର କଥା ।

 

କମଳ ମୁଣ୍ଡ ହଲାଇ କହିଲା–ଭାବନାପାଇଁ ନୁହେଁ ଆଶୁ ବାବୁ–ଭାବନା ବା ନାହିଁ କେଉଁଠି ? କିନ୍ତୁ ମୋ ଘଡିରେ ଯେତେକ ଦମ୍ ଥିଲା, ସବୁ ଶେଷ କରି ଦେଇ ଆସିଛି । ସେଠିକି ଆଉ ଫେରିଯିବାର ଉପାୟ ମୋର ନାହିଁ । ରାଜେନ୍‍ କେବଳ ରହିଗଲେ । ଜଣ ଜଣକର ଦେହ ଯନ୍ତ୍ରରେ ପ୍ରକୃତି ଏଭଳି ଅଫୁରନ୍ତ ଶକ୍ତି ଦେଇ ପୃଥିବୀକୁ ପଠାଇଥାଏ ଯେ ସେ ଶକ୍ତି କେବେ ଶେଷ ହୁଏନା ବା ସେ ଯନ୍ତ୍ର କେବେ ବିଗିଡ଼େ ନାହିଁ । ଏଇ ଲୋକଟି ତା’ ମଧ୍ୟରୁ ଜଣେ । ପ୍ରଥମେ ପ୍ରଥମେ ମନେହେଲା ଏ ଭୟାନକ ଅବସ୍ଥା ଭିତରେ ଏ ଲୋକ ବଞ୍ଚିବ କେମିତି ? କେତେ ଦିନ ବା ବଞ୍ଚିବ ? ସେଠାରୁ ଯେଉଁ ଦିନ ଏକୁଟିଆ ଫେରିଆସିଲି, ସେ ପର୍ଯ୍ୟନ୍ତ ମୋର ସେ ଭାବନା ଥିଲା । କିନ୍ତୁ ବର୍ତ୍ତମାନ ଆଉ ଭୟ ନାହିଁ । ବର୍ତ୍ତମାନ ନିଶ୍ଚିତ ବୁଝିପାରିଛି ଯେ ପ୍ରକୃତି ନିଜ ଦରକାର ପାଇଁ ଏମାନଙ୍କୁ ବଞ୍ଚାଇ ରଖେ । ନ ହେଲେ ଦୁଃଖୀର କୁଟୀର ଭିତରେ ବନ୍ୟାଭଳି ଯେତେବେଳେ ମୃତ୍ୟୁ ପହଞ୍ଚେ, ସେତେବେଳେ ସେଇ ଧ୍ଵଂସଲୀଳାର କିଏ ବା ସାକ୍ଷୀ ରହିବ ? ଆଜି ହରେନ୍ଦ୍ର ବାବୁଙ୍କ ସାଙ୍ଗରେ ଏଇ କଥା ପଡ଼ିଥିଲା । ଶିବନାଥ ବାବୁଙ୍କ ଘରୁ ଯେଉଁଦିନ ଲଜ୍ଜାରେ ମୁଣ୍ଡ ପୋତି ବାହାରି ଆସିଲି–

 

ଆଶୁ ବାବୁ କହିଲେ–ଲଜ୍ଜା କାହିଁକି କମଳ ? ଶୁଣିଲି ଯେ ତାଙ୍କର ସେବା କରିବା ପାଇଁ ତୁ ସ୍ୱେଚ୍ଛାରେ ତା’ ଘରେ ଯାଇ ପହଞ୍ଚିଥିଲୁ–

 

କମଳ କହିଲା–ଲଜ୍ଜା ସେଥିପାଇଁ ନୁହେଁ, ଆଶୁ ବାବୁ । ଯେତେବେଳେ ଦେଖିଲି ଯେ ରୋଗ ମୋଟେ ନାହିଁ–ସମସ୍ତ ଛଳନା–କୌଣସି ଉପାୟରେ ଆପଣମାନଙ୍କର ଦୟା ପାଇବା ତାଙ୍କର ଉଦ୍ଦେଶ୍ୟ–ସେ ବି ସଫଳ ହେଲାନି, ଆପଣ ଘରୁ ବାହାର କରିଦେଲେ–ସେତେବେଳେ ମୋର ଯେ ମନ କ’ଣ ହୋଇଗଲା, ଆପଣଙ୍କୁ ବୁଝାଇ ପାରିବି ନାହିଁ । ଯେ ସାଥିରେ ଯାଇଥିଲେ, ତାଙ୍କୁ ବି ସେକଥା କହିପାରିଲି ନାହିଁ–କେବଳ ରାତିର ଅନ୍ଧକାର ଭିତରେ ନିଃଶବ୍ଦରେ ବାହାରି ଆସିଲି । ବାଟରେ ବାରମ୍ବାର ମନକୁ ଆସିଲା–ଏଇ ଅତି କ୍ଷୁଦ୍ରମନା କାଙ୍ଗାଳ ଲୋକଟି ଉପରେ ରାଗି ଶାସ୍ତି ଦେବାରେ ଧର୍ମ ବା ସମ୍ମାନ ଥାଇ ପାରେନା ।

 

ଆଶୁ ବାବୁ ବିସ୍ମିତ ହୋଇ କହିଲେ–କ’ଣ କହୁଛ କମଳ, ଶିବନାଥ ଖାଲି ଛଳନା କରୁଥିଲା ? ରୋଗ କିଛି ନ ଥିଲା ?

 

ଜବାବ୍ ଦେବା ପୂର୍ବରୁ ଦ୍ଵାର ଆଡ଼କୁ ଚାହିଁ କମଳ ଦେଖିଲା ନୀଳିମା ଆସୁଛି । ହାତରେ ଦୁଧ ଗିନା । କମଳ ହାତଟେକି ନମସ୍କାର କଲା । ନୀଳିମା ଗିନାଟା ଶେଯ ପାଖରେ ଥୋଇ ପ୍ରତିନମସ୍କାର କଲା ଏବଂ କଥା ମଝିରେ ବାଧା ହେଲା ଭାବି ଟିକିଏ ଦୂରରେ ଯାଇ ବସିଲା ।

 

ଆଶୁ ବାବୁ କହିଲେ–କିନ୍ତୁ ଏ ଯେ ଦୁର୍ବଳତା କମଳ; ଏ ତ ତୁମ ପ୍ରକୃତିବହିର୍ଗତ ! ମୁଁ ବରାବର ଭାବେ ଯେ ଯାହା ଅନ୍ୟାୟ ବା ମିଥ୍ୟାଚାର, ତମେ ତାକୁ କ୍ଷମା କରନା ।

 

ହରେନ୍ଦ୍ର କହିଲ–ତାଙ୍କ ସ୍ଵଭାବ କ’ଣ ଥିଲା କେଜାଣି, ମୋଚି ପଡ଼ା ମୃତ୍ୟୁର ତାଣ୍ଡବ ଲୀଳା ଦେଖି ତାଙ୍କର ଧାରଣା ବଦଳିଛି ବୋଲି ଏଇଲେ କହୁଥିଲେ । ଆଗେ ମନରେ ଯାହା ଧାରଣା ଥାଉନା କାହିଁକି ବର୍ତ୍ତମାନ ସେ କାହା ବିରୁଦ୍ଧରେ ନାଲିଶ୍ କରିବା ପାଇଁ ନାରାଜ ।

 

ଆଶୁ ବାବୁ କହିଲେ–କିନ୍ତୁ ଯେ ତମ ପ୍ରତି ଏତେ ବଡ଼ ଅନ୍ୟାୟ କଲା, ତା’ର ପ୍ରତି ଆଉ ହେଲା କ’ଣ ?

 

କମଳ ମୁହଁ ଟେକି ଦେଖିଲା, ନୀଳିମା ଏକ ଦୃଷ୍ଟିରେ ଚାହିଁଛି । ଜବାବ୍‍ଟା ଶୁଣିବା ପାଇଁ ସେ ସବୁଠାରୁ ବେଶୀ ଉତ୍ସୁକ । କହିଲା–‘ଏ ପ୍ରଶ୍ନ ବର୍ତ୍ତମାନ ମୋତେ ଅସଂଲଗ୍ନ ବୋଧ ହେଉଛି । ଯାହା ନାଇଁ, ତା’ କାହିଁକି ନାଇଁ ବୋଲି ଆଖିରୁ ପାଣି ଗଡ଼ାଇବା ପାଇଁ ଭୀଷଣ ଲଜ୍ଜା ଲାଗୁଛି । ଯାହା ସେ କରିପାରିଛନ୍ତି, ତା’ଠାରୁ ଅଧିକ କାହିଁକି ଦେଇପାରିଲେନି ବୋଲି କଳିତକରାଳ କରିବାକୁ ମୋର ଇଚ୍ଛା ନାହିଁ । ଆପଣଙ୍କ ପାଖରେ କେବଳ ଏଇ ପ୍ରାର୍ଥନା ଯେ ମୋର ଦୁର୍ଭାଗ୍ୟ ପାଇଁ ତାଙ୍କୁ ଆଉ ଟଣାଟଣି କରନ୍ତୁ ନାହିଁ ।’ ଏହା କହି ସେ ହଠାତ୍ ଶ୍ରାନ୍ତ ହୋଇ ଚଉକିରେ ଆଉଜି ବସି ପଡ଼ିଲା ।

 

ଘରର ନୀରବତା ନୀଳିମା ଭଙ୍ଗ କଲା । କହିଲା–ଦୁଧଟା ପୂରା ଥଣ୍ଡା ହୋଇଗଲା । ଦେଖନ୍ତୁ, ଖାଇ ପାରିବେ ନା ଆଉଥରେ ଗରମ କରି ଆଣିବି ?

 

ଆଶୁ ବାବୁ ଗିନାଟା ମୁହଁ ପାଖକୁ ନେଇ କିଛି ଖାଇ ରଖିଦେଲେ । ନୀଳିମା ଦେଖି କହିଲା–ପଡ଼ି ରହିଲେ ଚଳିବ ନାହିଁ, ଡାକ୍ତରଙ୍କ ବ୍ୟବସ୍ଥା ମୁଁ ଭାଙ୍ଗିଦେଇପାରିବି ନାହିଁ ।

 

ଆଶୁ ବାବୁ ତକିଆ ଉପରେ ଆଉଜି କହିଲେ–ଡାକ୍ତରଙ୍କ ଅପେକ୍ଷା ଦେହ ଖୁବ୍ ବଡ଼ ବ୍ୟବସ୍ଥାପକ । ଏ କଥା ତମର ଭୁଲିଯିବା ଉଚିତ ନୁହେଁ ।

 

‘ମୁଁ ଭୁଲିନି, ଭୁଲିଯାନ୍ତି ଆପଣ ନିଜେ l’

 

‘ଏଇଟା ବୟସର ଦୋଷ ନୀଳିମା–ମୋର ନୁହେଁ ।’

 

ନୀଳିମା ହସି ହସି କହିଲା–ସତେ ! ଦୋଷ ଲୁଚାଇଲା ପରି ବୟସ ହେବା ଆପଣଙ୍କର ଅନେକ ଡେରି । ଆଚ୍ଛା, କମଳ ଓ ମୁଁ ସେ ପାଖ ଘରେ ଟିକିଏ କଥାବାର୍ତ୍ତା ହେଉଛୁ–ଆପଣ ଆଖିବୁଜି ବିଶ୍ରାମ କରନ୍ତୁ ।

 

ଆଶୁ ବାବୁଙ୍କର ବୋଧହୁଏ ଏ ଇଚ୍ଛା ନ ଥିଲା । ତଥାପି ସମ୍ମତି ଦେଇ କହିଲେ–ତୁମେ କିନ୍ତୁ ବହୁତ ଦୂରକୁ ଯାଅନି, ଡାକିଲେ ଶୁଣିବ ଯେମିତି ।

 

‘ଆଚ୍ଛା, ଚାଲ ହରେନ୍, ଆମେ ଯାଇ ଆରପାଖ ଘରେ ବସିବା’ କହି ସମସ୍ତଙ୍କୁ ଧରି ଚାଲିଗଲା । ନୀଳିମାର କଣ୍ଠ ସ୍ୱଭାବତଃ ମଧୁର, କହିବାର ଭଙ୍ଗୀରେ ଏପରି ଏକ ବୈଶିଷ୍ଟ୍ୟ ଅଛି, ଯାହା ଆଖିରେ ପଡ଼ିବ ନିଶ୍ଚୟ । କିନ୍ତୁ ତା’ର ଆଜିର କଥା ସେ ସବୁର ସୀମା ଡେଇଁଗଲା ଯେପରି-। ହରେନ୍ଦ୍ର ଲକ୍ଷ୍ୟ କରିପାରିଲା ନାହିଁ, ଲକ୍ଷ୍ୟ କଲା କମଳ । ପୁରୁଷ ଚକ୍ଷୁରେ ଯାହା ଧରା ପଡ଼ିଲା ନାହିଁ, ନାରୀ ଦୃଷ୍ଟିରେ ତାହା ଜଣା ପଡ଼ିଗଲା । ନୀଳିମା ଶୁଶ୍ରୂଷା କରିବାକୁ ଆସିଥିଲା–ଏଇ ପୀଡ଼ିତ ବ୍ୟକ୍ତିଟି ପ୍ରତି ତେଣୁ ସାବଧାନତାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ–ସାଧାରଣଙ୍କ ପକ୍ଷରେ ଏହା କୁହାଯାଇପାରେ କିନ୍ତୁ କମଳ ଅସାଧାରଣ । ନୀଳିମାର ଏକାନ୍ତ ସତର୍କତା ସହ ବି ଏକ ଅପରୂପ ସ୍ନିଗ୍ଧତାର ସେ ସାକ୍ଷାତ୍‍ଲାଭ କଲା । ବିସ୍ମୟ କେବଳ ଏକ ଦିଗରୁ ନୁହେଁ, ବହୁଦିଗରୁ । ଏହି ବିଧବା ନାରୀଟିକୁ ଯେ ସମ୍ପଦର ମୋହ ମୁଗ୍ଧ କରିପାରେ, ଏ ଧାରଣା କମଳର ନାହିଁ । ନୀଳିମାର ସେତିକି ପରିଚୟ ଅନ୍ତତଃ ସେ ପାଇଛି । ଆଶୁ ବାବୁଙ୍କ ଯୌବନ ବା ରୂପର ପ୍ରଶ୍ନ କେବଳ ଅସଙ୍ଗତ ନୁହେଁ, ହାସ୍ୟକର ମଧ୍ୟ । ତେବେ ଏ ଆକର୍ଷଣର ଭିତ୍ତି କେଉଁଠି, କମଳ ଖୋଜିବାକୁ ଲାଗିଲା । ଏହାଛଡ଼ା ଆଉ ଗୋଟିଏ ଦିଗ ବି ଅଛି । ତାହା ହେଲା ଆଶୁ ବାବୁଙ୍କ ନିଜସ୍ୱ । ଏଇ ସରଳ ଓ ସଦାଶିବ ମଣିଷଟିର ମନର ଗଭୀର ପ୍ରଦେଶରେ ପତ୍ନୀପ୍ରେମର ଯେ ଆଦର୍ଶ ଅଚଞ୍ଚଳ ନିଷ୍ଠାରେ ନିତ୍ୟ ପୂଜିତ ସେଥିରେ କୌଣସି ପ୍ରଲୋଭନ ଦାଗ ଲଗାଇ ପରେନା । ମନୋରମାର ମା ମଲାବେଳକୁ ଆଶୁ ବାବୁଙ୍କର ବୟସ ବେଶୀ ନୁହେଁ–ସେ ପର୍ଯ୍ୟନ୍ତ ଯୌବନ ଅତିକ୍ରାନ୍ତ ହୋଇ ନାହିଁ । କିନ୍ତୁ ସେଦିନଠାରୁ ପତ୍ନୀସ୍ମୃତି ଉନ୍ମୂଳିତ କରି ନୂତନ ପ୍ରତିଷ୍ଠା ପାଇଁ ଆତ୍ମୀୟ ଅନାତ୍ମୀୟ ଦଳଙ୍କ ବହୁ ଉଦ୍ୟମ ଆଗରେ ସେ ହାର ମାନିନାହାନ୍ତି । ଏସବୁ କଥା କମଳ ଅନେକଙ୍କ ଠାରୁ ଶୁଣିଛି । ଏ ପାଖ ଘରକୁ ଆସି ସେ ନୀରବରେ ବସି ଭାବିବାକୁ ଲାଗିଲା–ନୀଳିମାର ମନୋଭାବର ଲେଶମାତ୍ର ଆଭାସ ଆଶୁ ବାବୁଙ୍କ ଆଖିରେ ପଡ଼ିଛି କି ନାହିଁ । ଯଦି ବା ପଡ଼ିଥାଏ–ତେବେ ଅତ୍ୟଜ୍ୟ ଧର୍ମ ଭଳି ଦାମ୍ପତ୍ୟର ଯେ ସ୍ମୃତି ସେ ଆଜୀବନ ରକ୍ଷା କରି ଆସିଥଲେ, ଆସକ୍ତିର ଏଇ ନବଜାଗ୍ରତ ଚେତନାରେ ତାହା ବିକ୍ଷୁବ୍ଧ ହୋଇଛି କି ନାହିଁ ।

 

ଚାକର ରୁଟି ଫଳ ଓ ଚା’ ଦେଇଗଲା । ଅତିଥିମାନଙ୍କୁ ସେ ସମସ୍ତ ବଢ଼ାଇ ଦେଇ ନୀଳିମା ନାନା କଥା କହିବାକୁ ଲାଗିଲା । ଆଶୁ ବାବୁଙ୍କ ଅସୁସ୍ଥତା, ତାଙ୍କର ଭଦ୍ରତା ଓ ଶିଶୁବତ୍ ସରଳତାର ଛୋଟ ଛୋଟ ଦୃଷ୍ଟାନ୍ତ–ଯାହା ଏ କେତେ ଦିନ ଧରି ସେ ଦେଖି ଆସିଛି–ସେ ସବୁ କଥା କହିଲା । ଶ୍ରୋତା ହିସାବରେ ହରେନ୍ଦ୍ର ସ୍ତ୍ରୀଲୋକମାନଙ୍କ ପାଇଁ ଲୋଭନୀୟ, ତେଣୁ ତା’ର ସାଗ୍ରହ ପ୍ରଶ୍ନର ଉତ୍ତରରେ ନୀଳିମା ଉଚ୍ଛ୍ୱସିତ ଭାବେ କହିବାକୁ ଲାଗିଲା । କହିବାର ଆନ୍ତରିକତାରେ ମୁଗ୍ଧ ହରେନ୍ଦ୍ର ଲକ୍ଷ୍ୟ କରିପାରିଲା ନାହିଁ ଯେ–ଯେଉଁ ଭାଉଜଙ୍କୁ ସେ ଏତେଦିନ ଧରି ଅବିନାଶଙ୍କ ଘରେ ଦେଖି ଆସିଥିଲା, ଏ ସେହି ବ୍ୟକ୍ତି ନୁହେଁ । ପରିଣତ ବୟସର ସ୍ନିଗ୍ଧ ଗାମ୍ଭୀର୍ଯ୍ୟ, କୌତୁକରସୋଜ୍ଵଳ ପରିମିତ ପରିହାସ, ବୈଧବ୍ୟର ସୀମାବଦ୍ଧ ସଂଯତ ଆଳାପ, ସେଇ ସୁପରିଚିତ ସମସ୍ତ ସ୍ଵଭାବ ଏଇ କେତେଦିନ ଭିତରେ ନୀଳିମା ଯେ ବିସର୍ଜନ କରି ଆକସ୍ମିକ ବାଚାଳତାରେ ବାଳିକା ତୁଲ୍ୟ ପ୍ରଗଳ୍‍ଭ ହୋଇଯାଇଛି–ଏ କଥା ସେ ଦେଖି ପାରିଲା ନାହିଁ ।

 

କହୁ କହୁ ହଠାତ୍ ନୀଳିମାର ଦୃଷ୍ଟି ପଡ଼ିଲା–ଚା’ କପ୍‍ରୁ ଥରେ ଦୁଇଥର ପିଇବା ଛଡ଼ା କମଳ ଅନ୍ୟାନ୍ୟ ଜିନିଷ କିଛି ଖାଉନାହିଁ । କ୍ଷୁଣ୍ଣ ହୋଇ ଅନୁରୋଧ କରିବାରୁ କମଳ କହିଲା–ଏ ଭିତରେ ଭୁଲିଗଲେଣି ବୋଧହୁଏ ।

 

‘ଭୁଳିଗଲିଣି ? ମାନେ–’

 

‘ମାନେ ମୋ ଖାଇବା ସମ୍ପର୍କରେ ଆପଣଙ୍କର ଆଉ କିଛି ମନେ ନାହିଁ । ମୁଁ ଅସମୟରେ କିଛି ଖାଏନା ।’

 

‘ଏବଂ ସହସ୍ର ଅନୁରୋଧ ସତ୍ତ୍ୱେ ତହିଁରେ ବ୍ୟତିକ୍ରମ ହୋଇପାରେନା’ ହରେନ୍ଦ୍ର ଯୋଡ଼ିଦେଲା ।

 

କମଳ ହସି ହସି କହିଲା–ଅର୍ଥାତ୍ ଜିଦ୍ଦିଖୋର ପଣିଆର ପରିବର୍ତ୍ତନ ହେଇନି । ନା, ହରେନ୍ଦ୍ର ବାବୁ, ଏଭଳି ଗର୍ବ ମୋର ନାହିଁ, ତେବେ ଏଇ ନିୟମଟା ଅଭ୍ୟାସରେ ପଡ଼ିଗଲାଣି ।

 

ଆଶୁ ବାବୁଙ୍କ ଘରୁ ବାହାରି ଆସି କମଳ କହିଲା–ବର୍ତ୍ତମାନ କୁଆଡ଼େ ଯିବେ ହରେନ୍ ବାବୁ ?

 

ହରେନ୍ଦ୍ର କହିଲା–ଭୟ ନାହିଁ, ଆପଣଙ୍କ ଘର ଭିତରକୁ ଯିବି ନାହିଁ । କିନ୍ତୁ ଯେଉଁଠୁ ଆଣିଛି ସେଠି ପହଞ୍ଚାଇ ନ ଦେଲେ ଅନ୍ୟାୟ ହେବ ।

 

ସେତେବେଳକୁ ରାତି ହେଲାଣି–ରାସ୍ତାରେ ଲୋକ ଚଳାଚଳ ପ୍ରାୟ ବନ୍ଦ–ହଠାତ୍ ଅତି ଘନିଷ୍ଠତା ସହ କମଳ ହରେନ୍ଦ୍ରର ହାତଟାକୁ ଧରି ପକାଇ କହିଲା–ଚାଲନ୍ତୁ ମୋ ସାଙ୍ଗେ–ନ୍ୟାୟ ଅନ୍ୟାୟର ବିଚାର ବୋଧ ଆପଣଙ୍କର କେତେ ସୂକ୍ଷ୍ମ, ତା’ର ପରିଚୟ ଦେବେ ।

 

ହରେନ୍ଦ୍ର ସଙ୍କୋଚରେ ଅସ୍ତବ୍ୟସ୍ତ ହୋଇ ଉଠିଲା । ଏଇଟା ଯେ ଭଲ ନୁହେଁ, ଏଭଳି ଚାଲିବାରେ ବହୁ ବିପଦ ଅଛି ଏବଂ ପରିଚିତ କେହି ଦେଖିଲେ ଲଜ୍ଜାରେ ମୁଣ୍ଡ ଟେକି ହେବନି–ଏ କଥା ସେ ଜାଣିପାରିଲେ ମଧ୍ୟ ହାତ ଛଡ଼ାଇ ନେଲାଭଳି ରୂଢ଼ ଅଶୋଭନୀୟ ବ୍ୟବହାର ସେ କରିପାରିଲା ନାହିଁ । ଏଇଭଳି ସଂକଟାପନ୍ନ ଅବସ୍ଥାରେ ସେ କମଳର ଘର ପର୍ଯ୍ୟନ୍ତ ଆସିଲା । ବିଦାୟ ନେଲା ବେଳକୁ କମଳ କହିଲା–ଏତେ ଜଲ୍‍ଦି କାହିଁକି ? ଆଶ୍ରମରେ ତ ଅଜିତ୍‍ ବାବୁଙ୍କ ଛଡ଼ା ଆଉ କେହି ନାହିଁ ।

 

ହରେନ୍ଦ୍ର କହିଲା–ନା, ସେ ବି ଆଜି ନାହାନ୍ତି । ସକାଳ ଗାଡ଼ିରେ ଦିଲ୍ଲୀ ଯାଇଛନ୍ତି, ସମ୍ଭବତଃ କାଲି ଫେରିବେ ।

 

କମଳ ପଚାରିଲା–ତା’ହେଲେ ଯାଇ ଖାଇବେ କ’ଣ ? ଆଶ୍ରମରେ ତ ପୂଜାରୀ ରଖିବାର ବ୍ୟବସ୍ଥା ନାହିଁ ।

 

ହରେନ୍ଦ୍ର କହିଲା–ନାଇଁ, ଆମେ ନିଜେ ହାତରେ ରାନ୍ଧୁ ।

 

‘ଅର୍ଥାତ୍ ଆପଣ ଓ ଅଜିତ୍‍ ବାବୁ ?’

 

‘ହଁ, କିନ୍ତୁ ହସୁଛନ୍ତି କାହିଁକି ? ଆମେ ନିତାନ୍ତ ମନ୍ଦ ରାନ୍ଧୁନି ତ ।’

 

‘ତା’ ଜାଣେ’ କମଳ ଗମ୍ଭୀର ହୋଇ କହିଲା–‘ଅଜିତ୍‍ ବାବୁ ନାହାନ୍ତି, ସୁତରାଂ ଫେରିଯାଇ ନିଜେ ରାନ୍ଧି ଖାଇବେ ।’ ମୋ ହାତରେ ଖାଇବାକୁ ଯଦି ଘୃଣା ନ ହୁଏ, ମୋର ଭାରି ଇଚ୍ଛା ଆପଣ ଏଠି ଖାଆନ୍ତେ । ଆପଣ ଖାଇବେ ମୋ ହାତରେ ?

 

‘ହରେନ୍ଦ୍ର ଅତ୍ୟନ୍ତ କ୍ଷୁଣ୍ଣ ହୋଇ କହିଲା–ଏ ବଡ଼ ଅନ୍ୟାୟ । ଆପଣ କ’ଣ ସତରେ ମନ କରନ୍ତି ଯେ ମୁଁ ଘୃଣାରେ ଅସ୍ୱୀକାର କରିପାରେ ?’ ଏହା କହି ସେ ଟିକିଏ ଚୁପ୍ ରହି କହିଲା–‘ଆପଣଙ୍କର ଜାଣିବା ଉଚିତ ଯେ ଆପଣଙ୍କୁ ଯେ କେତେ ଜଣ ବାସ୍ତବିକ ଶ୍ରଦ୍ଧା କରନ୍ତି ମୁଁ ସେମାନଙ୍କ ମଧ୍ୟରୁ ଅନ୍ୟତମ । ମୋର କେବଳ ଆପତ୍ତି–ଅସମୟରେ ଆପଣଙ୍କୁ ହଇରାଣ କରିବାକୁ ମୁଁ ଚାହେଁନି ।’

 

କମଳ କହିଲା–ଆପଣ ନିଜେ ଦେଖିବେ–ମୋର ହଇରାଣ ହେଲାଭଳି କିଛି ନାହିଁ, ଆସନ୍ତୁ l

 

ରାନ୍ଧିବାକୁ ବସି କହିଲା–ମୋର ଆୟୋଜନ ସାମାନ୍ୟ, କିନ୍ତୁ ଆଶ୍ରମରେ ଆପଣମାନେ ଯାହା ଖାଆନ୍ତି, ତାକୁ ବି ପ୍ରଚୁର କୁହାଯାଇ ପାରିବ ନାହିଁ । ସୁତରାଂ ଏଠି ଯଦି ଆପଣଙ୍କର ଖାଇବାରେ ଅସୁବିଧା ହୁଏ, ଅନ୍ତତଃ ଅନ୍ୟ କାହାଭଳି ଆପଣଙ୍କର ଯେ ଅସହ୍ୟ ହେବନି,ସେ ବିଶ୍ୱାସ ମୋର ଅଛି ।

 

ହରେନ୍ଦ୍ର ଖୁସି ହୋଇ କହିଲା–ଆପଣ ଆଶ୍ରମରେ ଯାହା ଦେଖି ଆସିଛନ୍ତି, ପ୍ରକୃତରେ ତା’ ଅତି ସାମାନ୍ୟ । ସତରେ ଆମେ ଖୁବ୍ କଷ୍ଟରେ ଚଳୁ ।

 

‘କିନ୍ତୁ କାହିଁକି ? ଅଜିତ୍‍ ବାବୁ ବଡ଼ ଲୋକ, ଆପଣଙ୍କର ନିଜ ଅବସ୍ଥା ବି ଅସ୍ୱଚ୍ଛଳ ନୁହେଁ–କଷ୍ଟ ପାଇବାର କୌଣସି କାରଣ ତ ନାହିଁ ।’

 

ହରେନ୍ଦ୍ର କହିଲା–କାରଣ ଥାଉ ବା ନ ଥାଉ ପ୍ରୟୋଜନ ଅଛି । ମୋର ବିଶ୍ୱାସ ଆପଣ ବି ସେଇକଥା ଭାବି ନିଜେ ଏଭଳି ଚଳନ୍ତି । ଅଥଚ କେହି ଯଦି ଏଥିପାଇଁ ଆପଣଙ୍କୁ ପ୍ରଶ୍ନ କରେ, ତା’ର ଯଥାର୍ଥ ଉତ୍ତର ଦେଇପାରିବେ କି ?

 

କମଳ କହିଲା–ଆଉ କାହାକୁ ଦିଏ ବା ନ ଦିଏ ଆପଣଙ୍କୁ ଦେଇପାରିବି । ମୁଁ ପ୍ରକୃତରେ ଅତି ଦରିଦ୍ର, ନିଜର ଭରଣପୋଷଣର ଯାହା ଶକ୍ତି ଅଛି, ତହିଁରେ ଏଥିରୁ ବେଶୀ ଚଳିବନି । ବାବା ମୋତେ ଆଉ କିଛି ନ ଦେଲେ ବି ପରର ଅନୁଗ୍ରହରୁ ମୁକ୍ତି ପାଇବାର ଏଇ ବୀଜମନ୍ତ୍ର ଦେଇ ଯାଇଛନ୍ତି ।

 

ହରେନ୍ଦ୍ର କିଛି ନ କହି ତା’ ମୁହଁକୁ ଚାହିଁ ରହିଲା । ଏଇ ବିଦେଶ ଜାଗାରେ କମଳ କିପରି ନିରୁପାୟ ଓ ନିଃସମ୍ବଳ ତା’ ଜାଣେ । କେବଳ ଅର୍ଥ ପାଇଁ ନୁହେଁ–ସମାଜ, ସମ୍ମାନ, ସହାନୁଭୂତି–କୌଣସି ଦିଗରୁ କିଛି ନାହିଁ । କିନ୍ତୁ ଏ କଥା ବି ସେ ଭୁଲି ନ ଥିଲା ଯେ ଏ ସମସ୍ତ ସହାୟତା କମଳକୁ ତିଳେ ବି ଦୁର୍ବଳ କରି ନାହିଁ । ଆଜି ବି ସେ ଭିକ୍ଷା ଚାହେଁନା–ଭିକ୍ଷା ଦିଏ । ଯେଉଁ ଶିବନାଥ ତାହାର ଦୁର୍ଗତିର ମୂଳ କାରଣ, ତାକୁ ବି ଦାନ ଦେବା ପାଇଁ ସେ ପଛାଇ ଯାଇନି । ତେଣୁ ସାହସ ଓ ସାନ୍ତ୍ୱନା ଦେବା ଉଦ୍ଦେଶ୍ୟରେ ସେ କହିଲା–ମୁଁ ଆପଣଙ୍କ ସଙ୍ଗେ ତର୍କ କରୁନି, କିନ୍ତୁ ମୋର ଧାରଣା ଯେ ଆମମାନଙ୍କ ପରି ଆପଣଙ୍କ ଦାରିଦ୍ର୍ୟ ମଧ୍ୟ ପ୍ରକୃତ ନୁହେଁ–ଥରେ ଇଚ୍ଛା କଲେ ଏ ଦୁଃଖ ମରୀଚିକା ପରି ମିଳେଇ ଯିବ । କିନ୍ତୁ ସେ ଇଚ୍ଛା ଆପଣଙ୍କର ନାହିଁ–କାରଣ ଆପଣ ନିଶ୍ଚୟ ଜାଣନ୍ତି ଯେ ସ୍ୱେଚ୍ଛାରେ ଗ୍ରହଣ କରିଥିବା ଦୁଃଖକୁ ସୁଖପରି ଉପଭୋଗ କରାଯାଇପାରେ ।

 

କମଳ କହିଲା–‘ହୁଏତ ଉପଭୋଗ କରାଯାଇପାରେ, କିନ୍ତୁ କାହିଁକି ଜାଣନ୍ତି ? ଏଟା ଅପ୍ରୟୋଜନୀୟ ଦୁଃଖ–ଦୁଃଖର ଅଭିନୟ ବରଂ । ସବୁ ଅଭିନୟ ଭିତରେ କିଛି ଆନନ୍ଦ ଥାଏ, ତାକୁ ଉପଭୋଗ କରିବାରେ ବାଧା ନାହିଁ ।’ କହି ସେ ହସିବାକୁ ଲାଗିଲା ।

 

ହରେନ୍ କିଛି ସମୟ ଚୁପ୍ ରହି କହିଲା–କିନ୍ତୁ ଏ କଥା ତ ମାନିବେ ଯେ ପ୍ରାଚୁର୍ଯ୍ୟ ଭିତରେ ଜୀବନ ତୁଚ୍ଛ ହୋଇଯାଏ–ଅଥଚ ଦୁଃଖ ଦୈନ୍ୟ ଭିତରେ ମଣିଷର ଜୀବନ ମହତ୍ ଓ ସତ୍ ହୋଇ ଗଢ଼ିହୁଏ ?

 

କମଳ ଷ୍ଟୋଭ୍ ଉପରୁ କଡ଼େଇଟା ଓହ୍ଲାଇ ରଖିଲା ଏବଂ ଆଉ ଗୋଟିଏ ପାତ୍ର ବସେଇ ଦେଇ କହିଲା–‘ସତ୍ ହୋଇ ଗଢ଼ି ହେବା ପାଇଁ ଭିତରେ ବି କିଛି ସତ୍ୟଥିବା ଆବଶ୍ୟକ ହରେନ୍ ବାବୁ । ଆପଣ ବଡ଼ଲୋକ, ପ୍ରକୃତରେ ଅଭାବ ନାହିଁ–ତେବେ ବି ଛଦ୍ମଅଭାବର ଆୟୋଜନରେ ବ୍ୟସ୍ତ । ପୁଣି ଯୋଗ ଦେଇଛନ୍ତି ଅଜିତ୍‍ ବାବୁ । ଆପଣଙ୍କ ଆଶ୍ରମର ଫିଲସଫି କ’ଣ ମୁଁ ଜାଣେନା–ତେବେ ଏ କଥା ଜାଣେ ଯେ ଦୈନ୍ୟ ଭୋଗର ବିଡ଼ମ୍ୱନାରେ କେବେ ମହତ୍ୱ ମିଳେନା; ମିଳେ କେବଳ କିଛି ଦମ୍ଭ ଓ ଅହମିକା । ସଂସ୍କାରରେ ଅନ୍ଧ ନ ହୋଇ ଟିକିଏ ତଳେଇ ଦେଖିଲେ ଜାଣିପାରିବେ–ଦୃଷ୍ଟାନ୍ତ ପାଇଁ ଭାରତ ପରିଭ୍ରମଣ କରିବା ଦରକାର ପଡ଼ିବ ନାହିଁ । କିନ୍ତୁ ତର୍କ ଥାଉ, ରନ୍ଧା ହୋଇଗଲାଣି–ଏଥର ଖାଇ ବସନ୍ତୁ ।

 

ହରେନ୍ଦ୍ର ହତାଶ ହୋଇ କହିଲା–ମୁସ୍କିଲ ଏଇ ଯେ ଭାରତ ବର୍ଷର ଫିଲସଫି ବୁଝିବା ଆପଣଙ୍କ ପରେ ସହଜ ସାଧ୍ୟ ନୁହେଁ । ଆପଣଙ୍କ ଶିରାରେ ଶିରାରେ ମ୍ଳେଚ୍ଛରକ୍ତର ଢେଉ ବହିଯାଉଛି–ହିନ୍ଦୁର ଆଦର୍ଶ ଏ ଆଖିରେ ତାମସା ଭଳି ଦେଖାଯିବ । ଦିଅନ୍ତୁ, କ’ଣ ରାନ୍ଧିଛନ୍ତି ।

 

‘ଆସନ୍ତୁ’ କହି, କମଳ ଆସନ ପକାଇ ଦେଲା, ଟିକିଏ ବି ରାଗିଲା ନାହିଁ ।

 

ହରେନ୍ଦ୍ର ତାକୁ ଚାହିଁ ହଠାତ୍ କହିଉଠିଲା–ଆଚ୍ଛା, ଧରନ୍ତୁ କେହି ଯଦି ପ୍ରକୃତରେ ସମସ୍ତ ତ୍ୟାଗ କରି ପ୍ରକୃତ ଅଭାବ ଓ ଦୈନ୍ୟ ଭିତରକୁ ଓହ୍ଲାଇ ଆସେ–ତା’ହେଲେ ତ ଅଭିନୟ ବୋଲି ତାକୁ ଥଟ୍ଟା କରାଯାଇ ପାରିବ ନାହିଁ । ସେତେବେଳେ ତ–

Unknown

 

କମଳ ବାଧା ଦେଇ କହିଲା–ସେତେବେଳେ ଆଉ ଥଟ୍ଟା କରିବାର ବେଳ ନ ଥିବ, ପାଗଳ ହୋଇଗଲା ବୋଲି ମୁଣ୍ଡ ପିଟି କାନ୍ଦିବାକୁ ହେବ । ହରେନ୍ଦ୍ର ବାବୁ, କିଛି ଆଗରୁ ମୁଁ ବି ଆପଣଙ୍କ ପରି ଭାବୁଥିଲି–ଉପବାସ ନିଶା ମତେ ବି ମଝିରେ ଆଚ୍ଛନ୍ନ କରିଛି–କିନ୍ତୁ ବର୍ତ୍ତମାନ ସେ ନିଶା ମୋର କଟିଯାଇଛି । ଦୈନ୍ୟ ଏବଂ ଅଭାବ ଇଚ୍ଛାରେ ଆସୁ ବା ଇଚ୍ଛା ବିରୁଦ୍ଧରେ ଆସୁ–ତାକୁ ନେଇ ଦର୍ପ କରିବାର କାରଣ ନାହିଁ । ତା’ ଭିତରେ ଅଛି ଶୂନ୍ୟତା, ତା’ ଭିତରେ ଅଛି ଦୁର୍ବଳତା, ସେଥିରେ ଅଛି ପାପ–ଅଭାବ ଯେ ମଣିଷକୁ କେତେ ହୀନ, କେତେ ଛୋଟ କରିଦିଏ, ତା’ ମୁଁ ଦେଖିଛି ମହାମାରୀ ଭିତରେ–ମୋଚି ପଡ଼ାରେ ଆଉ ଜଣେ ଦେଖିଛନ୍ତି–ସେ ହେଉଛନ୍ତି ଆପଣଙ୍କ ବନ୍ଧୁ ରାଜେନ୍‍ । କିନ୍ତୁ ତାଙ୍କଠାରୁ ତ କିଛି ଆଶା କରାଯାଏନା, ଆସାମର ଗଭୀର ଅରଣ୍ୟ ପରି ତାଙ୍କ ଭିତରେ ଯେ କ’ଣ ଲୁକ୍କାୟିତ ଅଛି, ତା’ କେହି କହିପାରିବନି । ମୁଁ ତ ଭାବେ, ଆପଣମାନେ ଯେ ତାଙ୍କୁ ବିଦାୟ କରିଦେଲେ–ସେଇ ଯେ କଥାରେ କହନ୍ତି–‘ମୋତିଛାଡ଼ି କରେ ଗୁଞ୍ଜାରେ ଆଦର’–ଆପଣ କ’ଣ ଠିକ୍ ସେପରି କଲେ ! ଆଶ୍ଚର୍ଯ୍ୟ !

 

ହରେନ୍ଦ୍ର ଉତ୍ତର ଦେଲାନି, ଚୁପ୍ ରହିଲା ।

 

ଆୟୋଜନ ଅତି ଅଳ୍ପ, ତଥାପି କମଳ ଯତ୍ନରେ ଖୁଆଇଲା । ଖାଏ ବସି ହରେନ୍ଦ୍ରର ବାରମ୍ବାର ନୀଳିମା କଥା ମନେପଡ଼ିଲା । ନାରୀତ୍ୱର ଶାନ୍ତ ମାଧୁରୀ ଓ ଶୁଚିତାର ଆଦର୍ଶରେ ନୀଳିମାଠାରୁ ସେ ଆଉ କାହାକୁ ବଡ଼ ଭାବେନା । ମନେମନେ କହିଲା–ଶିକ୍ଷା, ସଂସ୍କାର, ରୁଚି ଓ ପ୍ରବୃତ୍ତିର ପ୍ରଭେଦ ଏମାନଙ୍କ ଭିତରେ ଯେତେ ଥାଉନା କାହିଁକି ସେବା ଓ ମମତାରେ ଉଭୟେ ଏକ-। ଏସବୁ ବାହାରର ଜିନିଷ ବୋଲି ବୈଷମ୍ୟର ସୀମା ନାହିଁ, ତର୍କର ବି ଶେଷ ନାହିଁ । କିନ୍ତୁ ନାରୀର ଯାହା ନିଜସ୍ଵ, ସବୁପ୍ରକାର ମତାମତର ଏକାନ୍ତ ବହିର୍ଭୂତ, ସେଇ ଗୂଢ଼ ଅନ୍ତରସ୍ଥ ରୂପ ଦେଖିଲେ ମନ ମୁଗ୍ଧ ହୋଇଯାଏ । ନାନା କାରଣ ବଶତଃ ହରେନ୍ଦ୍ରର କ୍ଷୁଧା ନ ଥିଲା, କେବଳ କମଳକୁ ଖୁସୀ କରିବା ପାଇଁ ସେ ଅତିରିକ୍ତ ଭୋଜନ କଲା । ଗୋଟାଏ ତରକାରୀ ଭଲ ଲାଗୁଛି କହି ସବୁତକ ଖାଇଦେଲା । କହିଲା–ଅନେକ ଦିନ ଅସମୟରେ ପହଞ୍ଚି ଭାଉଜଙ୍କୁ ଏମିତି ଜବତ୍ କରିଛି-

 

‘କାହାକୁ, ନୀଳିମାଙ୍କୁ ?’

 

‘ହଁ ।’

 

‘ସେ କ’ଣ ଜବତ୍ ହୁଅନ୍ତି ।’

 

‘ନିଶ୍ଚୟ, କିନ୍ତୁ ସ୍ଵୀକାର କରନ୍ତି ନାହିଁ ।’

 

କମଳ ହସି କହିଲା–କେବଳ ଆପଣ ନୁହନ୍ତି, ସମସ୍ତ ପୁରୁଷ ଜାତିର ଏଇଭଳି ମୋଟାବୁଦ୍ଧି ।

 

ହରେନ୍ଦ୍ର କହିଲା–ମୁଁ ତ ଜବତ୍ ହେବା ଆଖିରେ ଦେଖିଲି ।

 

କମଳ କହିଲା–ତା’ ତ ଜାଣେ, ଏଇ ଆଖିରେ ଦେଖିବାର ଅହଙ୍କାରରେ ଆପଣମାନେ ସରିଗଲେ ।

 

ହରେନ୍ଦ୍ର କହିଲା–ଅହଙ୍କାର ଆପଣଙ୍କ ବି ତ କମ୍ ନୁହେଁ । ସେ ଓଳି ଭାଉଜଙ୍କର ଖାଇବା ହୁଏନା–ଉପବାସ କରନ୍ତି, କିନ୍ତୁ ହାର ମାରନ୍ତି ନାହିଁ ।

 

କମଳ ଚୁପ୍ ହୋଇ ତା’ ମୁହଁକୁ ଚାହିଁ ରହିଲା ।

 

ହରେନ୍ଦ୍ର କହିଲା–ଆପଣମାନଙ୍କ ଆଶୀର୍ବାଦରେ ଆମର ଏଇ ମୋଟାବୁଦ୍ଧି ଅକ୍ଷୟ ହେଉ–ଏଥିରେ ଲାଭ ବେଶୀ ଆପଣଙ୍କ ସୂକ୍ଷ୍ମବୁଦ୍ଧିର ଅଭିମାନରେ ଆମେ ଉପବାସରେ ମରିବା ପାଇଁ ନାରାଜ ।

 

କମଳ କିଛି କହିଲା ନାହିଁ ।

 

ହରେନ୍ଦ୍ର କହିଲା–ବର୍ତ୍ତମାନଠାରୁ ଆପଣଙ୍କ ସୂକ୍ଷ୍ମବୁଦ୍ଧିକୁ ମଝିରେ ମଝିରେ ପରୀକ୍ଷା କରି ଦେଖିବି ।

 

କମଳ କହିଲା–ସେ କଥା ଆପଣ କରିପାରିବେ ନାହିଁ, ଗରିବ ବୋଲି ଆପଣଙ୍କର ଦୟା ହେବ ।

 

ଏ କଥା ଶୁଣି ହରେନ୍ଦ୍ର ପ୍ରଥମେ ଅପ୍ରତିଭ ହୋଇଗଲା, ପରେ କହିଲା–ଦେଖନ୍ତୁ, ଏ କଥାର ଜବାବ୍ ଦେଲାବେଳେ କଷ୍ଟଲାଗେ । କାହିଁକି ଜାଣନ୍ତି, ମନେହୁଏ ରାଜରାଣୀ ହେବା ଯାହାକୁ ସାଜେ, କାଙ୍ଗାଳତ୍ଵ ତାକୁ ସାଜେନା । ମନେହୁଏ ଯେପରି ଆପଣଙ୍କ ଦାରିଦ୍ର୍ୟ ପୃଥିବୀର ବହୁ ବଡ଼ଲୋକଙ୍କ କନ୍ୟାଙ୍କୁ ଉପହାସ କରେ ।

 

ହରେନ୍ଦ୍ର ପୁଣି କ’ଣ କହିବାକୁ ଯାଉଥିଲା–କମଳ ବାଧା ଦେଇ କହିଲା–ଆପଣଙ୍କ ଖଇବା ତ ହୋଇଗଲା, ଏଥର ଉଠନ୍ତୁ । ସେ ଘରେ ବସି ରାତିସାରା ଗଳ୍ପ ଶୁଣିବି । ଏ ଘରର କାମଟା ସେ ଭିତରେ ସାରିଦିଏ ।

 

କିଛି ସମୟ ପରେ ଶୋଇବା ଘରକୁ ଆସି କମଳ କହିଲା–ଆଜି ଆପଣଙ୍କ ଭାଉଜଙ୍କ କଥା ସବୁ ନ ଶୁଣି ଆପଣଙ୍କୁ ଛାଡ଼ିବି ନାହିଁ–ଯେତେ ରାତି ହେଉନା କାହିଁକି ।

 

ହରେନ୍ଦ୍ର ବିପଦରେ ପଡ଼ିଲା; କହିଲା–ଭାଉଜଙ୍କ ବିଷୟରେ ମୁଁ ବି ତ ସବୁ କଥା ଜାଣେନା । ତାଙ୍କ ସଙ୍ଗେ ମୋର ପ୍ରଥମ ପରିଚୟ ଏଇ ଆଗ୍ରାରେ ହେଲା–ଅବିନାଶ ବାବୁଙ୍କ ଘରେ-। ତାଙ୍କ ବିଷୟରେ ମୁଁ କିଛି ଜାଣେନି କହିଲେ ଚଳେ । ଯାହା ଏଠାରେ ସମସ୍ତେ ଜାଣନ୍ତି, ମୁଁ ତାହା ହିଁ ଜାଣେ । କେବଳ ଗୋଟାଏ କଥା ବୋଧହୁଏ ସଂସାରର ଅନ୍ୟମାନଙ୍କ ଠାରୁ ବେଶୀ ଜାଣେ–ତା’ ହେଲା ତାଙ୍କର ଅକଳଙ୍କ ଶୁଭ୍ରତା । ସ୍ୱାମୀ ଯେତେବେଳେ ମରିଗଲେ, ସେତେବେଳେ ତାଙ୍କ ବୟସ ଊଣିଶି–କୋଡ଼ିଏ ମାତ୍ର । ସ୍ୱାମୀଙ୍କୁ ସମସ୍ତ ହୃଦୟ ଦେଇ ଭଲପାଇଥିଲେ । ସେ ସ୍ମୃତି ତାଙ୍କ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ଅକ୍ଷୟ ରହିବ । ପୁରୁଷମାନଙ୍କ ଭିତରେ ଆଶୁ ବାବୁଙ୍କ କଥା ଯେତେବେଳେ ଉଠେ, ତାଙ୍କ ନିଷ୍ଠା ବି ଅନନ୍ୟ ସାଧାରଣ–ମୁଁ ଅସ୍ୱୀକାର କରେନି–କିନ୍ତୁ–

 

ବାଧାଦେଇ କମଳ କହିଲା–ହରେନ୍ ବାବୁ, ରାତି ଅନେକ ହେଲା, ଏକ୍ଷଣି ତ ଆଉ ବସାକୁ ଯାଇପାରିବେ ନାହିଁ । ଏଇ ଘରେ ଗୋଟାଏ ବିଛଣା କରିଦିଏ ।

 

ହରେନ୍ଦ୍ର ବିସ୍ମିତ ହୋଇ କହିଲା–ଏଇ ଘରେ ? ଆପଣ କେଉଁଠି ଶୋଇବେ ?

 

କମଳ କହିଲା–ମୁଁ ବି ଏଇ ଘରେ ଶୋଇବି–ଆଉ ତ ଘର ନାହିଁ ।

 

ହରେନ୍ଦ୍ର ଲଜ୍ଜାରେ କଳା ପଡ଼ିଗଲା । କମଳ କହିଲା–ଆପଣ ତ ବ୍ରହ୍ମଚାରୀ । ଆପଣଙ୍କର କୌଣସି ଭୟର କାରଣ ଅଛି କି ?

 

ହରେନ୍ଦ୍ର କାବା ହୋଇ ଚାହିଁ ରହିଲା । ଏ ଯେ କି ପ୍ରସ୍ତାବ ସେ କଳ୍ପନା କରିପାରିଲା ନାହିଁ । ସ୍ତ୍ରୀଲୋକ ହୋଇ କମଳ ଏ କଥା ଉଚ୍ଚାରଣ କଲା କିପରି ?

 

ତା’ର ଅପରିସୀମ ବିସ୍ମୟ କମଳକୁ ଆଘାତ ଦେଲା । ସେ କିଛି ସମୟ ସ୍ଥିର ରହି କହିଲା–ମୋର ଭୁଲ୍ ହୋଇଛି ହରେନ୍ ବାବୁ, ଆପଣ ବସାକୁ ଯା’ନ୍ତୁ । ଏଇଥିପାଇଁ ଆପଣଙ୍କ ଅଶେଷ ଶ୍ରଦ୍ଧାର ପାତ୍ରୀ ନୀଳିମାଙ୍କୁ ଆଶ୍ରୟ ମିଳିଲା ନାହିଁ ଆଶ୍ରମରେ–ମିଳିଲା ଆଶୁ ବାବୁଙ୍କ ଘରେ-। ନିର୍ଜନ ଘରେ ଅନାତ୍ମୀୟ ନରନାରୀଙ୍କର ଗୋଟିଏ ମାତ୍ର ସମ୍ବନ୍ଧ ଆପଣ ଜାଣନ୍ତି । ପୁରୁଷ ପାଖରେ ନାରୀ କେବଳ ନାରୀ ମାତ୍ର–ଏହା ଛଡ଼ା ଆପଣ ଆଉ ବିଶେଷ କିଛି ଜାଣନ୍ତି ନାହିଁ । ଯା’ନ୍ତୁ, ଆଶ୍ରମକୁ ଯା’ନ୍ତୁ-।'

 

ହରେନ୍ଦ୍ର ଧୀରେ ଧୀରେ ଘରୁ ବାହାରି ଆସିଲା ।

 

(କୋଡ଼ିଏ)

 

ପ୍ରାୟ ମାସେ ଚାଲିଗଲାଣି । ଆଗ୍ରାରେ ଇନ୍‍ଫ୍ଲୁଏଞା ଅନେକ ପରିମାଣରେ କମିଯାଇଛି-। ସ୍ଥାନେ ସ୍ଥାନେ କାଁ ଭାଁ ନୂତନ ଆକ୍ରମଣ କଥା ଶୁଣାଯାଉଛି, ତେବେ ସେତେ ମାରାତ୍ମକ ନୁହେଁ-। କମଳ ଘରେ ବସି ନିବିଷ୍ଟ ଚିତ୍ତରେ ସିଲେଇ କରୁଥିଲା, ହରେନ୍ଦ୍ର ପ୍ରବେଶ କଲା-। ତା’ ହାତରେ ଗୋଟାଏ ପୁଟୁଳା, ପାଖ ବେଞ୍ଚ ଉପରେ ରଖିଦେଇ କହିଲା–ଯେମିତି ଖାଟୁଛନ୍ତି ଆପଣ, ସେଥିରେ ତାଗିଦା କରିବା ପାଇଁ ଲଜ୍ଜା ଲାଗୁଛି । ମୁଁ କିନ୍ତୁ ସ୍ପଷ୍ଟ ଜବାବ୍ ଦେଇ ଆସିଛି ଯେ ପାଇବାକୁ ଡେରି ହେବ । ଜରୁରୀ ଯଦି କିଛି ଅଛି, ତେବେ ଫେରେଇ ଦେଇ ଆସିବି । କିନ୍ତୁ ମଜା କଥା ଏଇ ଯେ ଆପଣଙ୍କ ହାତ ତିଆରି ଜିନିଷ ଯେ ବ୍ୟବହାର କରିଛନ୍ତି ସେ ଆଉ କେଉଁଠିକୁ ଯିବାକୁ ରାଜି ନୁହନ୍ତି । ଏଇ ଦେଖନ୍ତୁନା–ଲାଲାଙ୍କ ଘରୁ ପୁଣି ଅର୍ଡ଼ର, ଏଇ ନମୁନା ଜାମାଟା ଦେଇଗଲା–

 

କମଳ ସିଲାଇରୁ ମୁହଁଟେକି ପଚାରିଲା–ନେଲେ କାହିଁକି ?

 

‘ନେଲି କ’ଣ ଖୁସିରେ ? କହିଲି, ଛ’ ମାସ ଆଗରୁ ଦେଇପାରିବନି–ସେଥିରେ ବି ରାଜି-। କହିଲା–ଛ’ ମାସ ପରେ ହେଲେ ବି ଚଳିବ । ଏଇ ଦେଖନ୍ତୁନା, ମଜୁରୀ ଟଙ୍କାଟା ହାତରେ ଗୁଞ୍ଜି ଦେଇଗଲା ।’ କହି ସେ ପକେଟ୍‍ରୁ ଟଙ୍କା ବାହାର କରି ଥୋଇଲା ।

 

କମଳ କହିଲା ଅର୍ଡ଼ର ଏତେ ଲେଖାଏଁ ଆସିଲେ ତ ମୋତେ ଲୋକ ରଖିବାକୁ ହେବ । ଏହା କହି ସେ ପୁଟୁଳାଟା ଖୋଲି ପୁରୁଣା ପଞ୍ଜାବିଟାକୁ ଏପାଖ ସେପାଖ ଦେଖି କହିଲା–କେଉଁ ବଡ଼ ଦୋକାନର ବଡ଼ ମିସ୍ତ୍ରୀ ହାତ ତିଆରି ଜିନିଷ–ମୋ ଦ୍ଵାରା ଏ କାମ ହେବନି । ଦାମୀ ଲୁଗାଟା ବୃଥା ନଷ୍ଟ ହୋଇଯିବ–ତାଙ୍କୁ ଫେରାଇ ଦେବେ ନିଅନ୍ତୁ ।

 

ହରେନ୍ଦ୍ର ବିସ୍ମିତ ହୋଇ କହିଲା–ଆପଣଙ୍କଠାରୁ ଏଠି ଆଉ ବଡ଼ କାରିଗର କିଏ ଅଛି ?

 

‘ଏଠି ନ ଥିଲେ ବି କଲିକତାରେ ଅଛନ୍ତି । ସେଇଠିକି ପଠାଇ ଦେବେ ।’

 

‘ନା, ନା, ସେ କଥା କେମିତି ହେବ ? ଆପଣ ଯାହା ପାରିବେ, ତା’ କରିଦେବେ ।’

 

‘ମୋ’ଦ୍ଵାରା ହେବନି ହରେନ୍ଦ୍ର ବାବୁ, କହିଦେଲି ।’ ଏହା କହି ସେ ହଠାତ୍ ହସି ପକାଇ କହିଲା–ଅଜିତ୍‍ ବାବୁ ବଡ଼ଲୋକ–ସୌଖୀନ ମଣିଷ । ଯାହା ତାହା ତିଆରି କରିଦେଲେ ସେ ପିନ୍ଧିବେ କାହିଁକି ? ଲୁଗାଟା ବୃଥା ନଷ୍ଟ କରି ଲାଭ କ’ଣ–ଆପଣ ଫେରେଇ ନେଇଯା’ନ୍ତୁ ।

 

ହରେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ କହିଲା–ଆପଣ କେମିତି ଜାଣିଲେ ଯେ ଏଇଟା ଅଜିତ୍‍ ବାବୁଙ୍କର ?

 

କମଳ କହିଲା–ମୁଁ ହାତ ଦେଖି ପାରେ । ସିଲ୍‍କକନା–ଆଗତୁରା ମଜୁରୀ ପୁଣି ଛ’ ମାସ ବିଳମ୍ବ ହେଲେ ଚଳିବ–ହିନ୍ଦୁସ୍ଥାନୀ ଲାଲାମାନେ ଏଡ଼େ ନିର୍ବୋଧ ନୁହନ୍ତି । ଅଜିତ୍‍ ବାବୁଙ୍କୁ କହିବେ, ତାଙ୍କ ଜାମା ତିଆରି କରିବାର ଯୋଗ୍ୟତା ମୋର ନାହିଁ । ମୁଁ କେବଳ ଗରିବ ଲୋକଙ୍କ ପାଇଁ ଶସ୍ତା ଜାମା ତିଆରି କରିପାରେ । ଏ ଲୁଗା କରିପାରିବିନି ।

 

ହରେନ୍ଦ୍ର ବିପଦରେ ପଡ଼ିଲା, କହିଲା–ଏଇଟା ତାଙ୍କର ଖୁବ୍ ଇଚ୍ଛା । କିନ୍ତୁ କାଳେ ଆପଣ ମନା କରିବେ, କାଳେ ଆପଣ ମନେକରିବେ ଯେ ଆମେ କୌଣସି ଉପାୟରେ ଆପଣଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ–ସେଇଥିପାଇଁ ମୁଁ ଅନେକ ଦିନ ରାଜି ହେଲିନି । ତାଙ୍କୁ କହିଲି କମ୍ ଦାମ୍‍ର ଗୋଟାଏ କନା କିଣି ଦେବା ପାଇଁ । ସେ କିନ୍ତୁ କହିଲେ–ଏତ ମୋର ନିତି ବ୍ୟବହାର କରିବା ଲୁଗା ନୁହେଁ–ଏ କମଳ ହାତ ତିଆରି–କେବଳ ବିଶେଷ ଉପଲକ୍ଷରେ ପିନ୍ଧିବା କଥା । ଏ ଜଗତରେ ବୋଧହୁଏ ତାଙ୍କଠାରୁ ଆଉ କେହି ଆପଣଙ୍କୁ ଏତେ ଶ୍ରଦ୍ଧା କରେନା ।

 

କମଳ କହିଲା–କିଛିଦିନ ପୂର୍ବେ ତାଙ୍କ ମୁହଁରୁ ଠିକ୍‍ ଏହାର ଓଲ୍‍ଟା କଥା ଶୁଣା ଯାଉଥିଲା । ନୁହେଁ କି ? ଟିକିଏ ଚେଷ୍ଟା କଲେ ଆପଣଙ୍କର ବି ହୁଏତ ମନେପଡ଼ିବ । ମନେକରନ୍ତୁ ତ ?

 

ହରେନ୍ଦ୍ରର ସବୁ ମନେଥିଲା । ଟିକିଏ ଲଜ୍ଜିତ ହୋଇ କହିଲା–ମିଛ ନୁହେଁ, କିନ୍ତୁ ଏ ଧାରଣା ତ ଅନେକଙ୍କର ଥିଲା । ବୋଧହୁଏ କେବଳ ନ ଥିଲା ଆଶୁ ବାବୁଙ୍କର । କିନ୍ତୁ ତାଙ୍କୁ ତ ବି ବିଚଳିତ ହେବାର ଦେଖିଛି । ମୋର ନିଜକଥା ଧରନ୍ତୁନା–ଆଜି ତ ଆଉ ପ୍ରମାଣ ଦେବା ଦରକାର ନାହିଁ ।

 

କମଳ ପଚାରିଲା–ରାଜେନ୍‍ଙ୍କର ଖୋଜଖବର କିଛି ପାଇଲେ ?

 

ହରେନ୍ଦ୍ର ବୁଝିଲା–କମଳ ନିଜ ସମ୍ପର୍କରେ ଆଉ ଆଲୋଚନାକୁ ପ୍ରଶ୍ରୟ ଦେବାକୁ ରାଜି ନୁହେଁ । କହିଲା–ନା, ଏପର୍ଯ୍ୟନ୍ତ ରାଜେନ୍‍ର କିଛି ଖବର ପାଇନି । ତେବେ ଭରସା ଅଛି, ଏଠିକି ଆସିଲେ ସେ ନିଶ୍ଚୟ ମୋ ପାଖରେ ପହଞ୍ଚିବ ।

 

କମଳ କହିଲା–ସେ କଥା ମୁଁ ପଚାରୁନି । ପୁଲିସ୍ ଜିମାରେ ଅଛନ୍ତି କି ନା ତାହାହିଁ ଜାଣିବାକୁ ଚାହିଁଥିଲି ।

 

ହରେନ୍ଦ୍ର କହିଲା–ସେ ଖବର ନେଇଛି । ଅପାତତଃ ସେମାନଙ୍କ ଆଶ୍ରୟରେ ନାହିଁ ।

 

ଶୁଣି କମଳ ସ୍ଵସ୍ତି ବୋଧ କଲା । ପଚାରିଲା–ସେ କୁଆଡ଼େ ଯାଇଛନ୍ତି ବା କେବେ ଯାଇଛନ୍ତି–ସେ କଥା ମୋଚି ପଡ଼ାରେ ଖବର ନେଲେ ଜଣାପଡ଼ନ୍ତା ନାହିଁ ? ହରେନ୍ ବାବୁ–ମୁଁ ଜାଣେ ଆପଣ ମୋ ଅପେକ୍ଷା ତାଙ୍କୁ ଅନେକ ବେଶୀ ଭଲପାଆନ୍ତି–ମୋର ଏ ପ୍ରଶ୍ନ ବୋଧହୁଏ ଆପଣଙ୍କୁ ବାହୁଲ୍ୟ ମନେହେବ–କିନ୍ତୁ ଗତ କେତେଦିନ ହେଲା ଏହା ଛଡ଼ା ମୁଁ ଆଉ କିଛି ଭାବି ପାରୁନି । ଏହା କହି ସେ ଏତେ ବ୍ୟାକୁଳ ହୋଇ ପଡ଼ିଲା ଯେ ହରେନ୍ ବିସ୍ମିତ ହେଲା । କିନ୍ତୁ କିଛି ସମୟ ପରେ କମଳ ପୁଣି ସିଲେଇ କରିବାରେ ମନ ଦେଲା । ହରେନ୍ଦ୍ର ନିଃଶବ୍ଦରେ ଠିଆହୋଇ ରହିଲା । ପାଞ୍ଚ ସାତ ମିନିଟ୍ ପରେ କମଳ ସିଲେଇ କଳଟା ଆଡ଼େଇ ଦେଇ କହିଲା–‘ଥାଉ, ଆଉ ଆଜି ହେବନି ।’ ତା’ପରେ ଆଶ୍ଚର୍ଯ୍ୟ ହୋଇ କହିଲା–ଆରେ, ଆପଣ ଠିଆହୋଇ ରହିଛନ୍ତି ଯେ ! ଗୋଟିଏ ଚୌକି ଟାଣିନେଇ ବସି ପଡ଼ିଲେ ନାହିଁ ।

 

‘ଆପଣ ତ ବସିବା ପାଇଁ କହି ନାହାନ୍ତି ।’

 

‘ବସିବାକୁ କହିନି ବୋଲି ବସିବେନି ନା କ’ଣ !’

 

‘ନା । ନ କହିଲେ ବସିବା ଉଚିତ ନୁହେଁ ।’

 

‘କିନ୍ତୁ ଠିଆହୋଇ ରହିବାକୁ ବି ତ କହିନି–ଠିଆ ହୋଇଛନ୍ତି କାହିଁକି ?’

 

‘ତା’ ଯଦି କହନ୍ତି, ତା’ହେଲେ ମୋର ଠିଆ ନ ହେବା ବୋଧହୁଏ ଉଚିତ ଥିଲା । ତ୍ରୁଟି ସ୍ଵୀକାର କରୁଛି ।’

 

ଶୁଣି କମଳ ହସିଲା । କହିଲା–ତା’ହେଲେ ମୁଁ ବି ଦୋଷ ସ୍ୱୀକାର କରୁଛି । ଏତେ ସମୟ ଅନ୍ୟମନସ୍କ ରହିବା ମୋର ଅପରାଧ । ବର୍ତ୍ତମାନ ବସନ୍ତୁ ।

 

ହରେନ୍ଦ୍ର ଚୌକି ଟାଣି ନେଇ ବସିଲା । କମଳ ଟିକିଏ ଗମ୍ଭୀର ହୋଇ କ’ଣ ଚିନ୍ତା କଲା ଓ କହିଲା–ଦେଖନ୍ତୁ ହରେନ୍ ବାବୁ, ପ୍ରକୃତରେ ୟା’ଭିତରେ ଯେ କିଛି ନାହିଁ ତା’ ମୁଁ ଜାଣେ, ଆପଣ ବି ଜାଣନ୍ତି । ତେବେ କାହିଁକି କେଜାଣି ଖୁବ୍ କଷ୍ଟ ଲାଗେ । ଏଇ ଯେ ଆପଣଙ୍କୁ ବସିବାକୁ କହିବା ପାଇଁ ଭୁଲି ଯାଇଛି–ଅତିଥିକୁ ଯେ ଆଦର କରିବା ଉଚିତ ଥିଲା ତା’ କରିନି–ହଜାର ଘନିଷ୍ଠତା ଭିତରେ ମଧ୍ୟ ସେ ତ୍ରୁଟି ଆପଣଙ୍କ ଆଖିରେ ପଡ଼ିଛି । ନା, ଆପଣ ରାଗିଲେ ବୋଲି ମୁଁ କହୁନି, କିନ୍ତୁ ମନରେ କେମିତି ଟିକିଏ କଷ୍ଟ ଲାଗିଛି ନିଶ୍ଚୟ । ଏ ସଂସ୍କାର ମଣିଷ ଛାଡ଼ିବାକୁ ଚାହିଁଲେ ବି ଯାଏନା–କେଉଁଠି କେଉଁଠି ଟିକିଏ ରହିଯାଏ–ଠିକ୍ ନା ?

 

ହରେନ୍ଦ୍ର ଏ କଥାର ତାତ୍ପର୍ଯ୍ୟ ବୁଝି ନ ପାରି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା ।

 

କମଳ କହିଲା–ଏଇ ଟିକେ କଥା ପାଇଁ ସଂସାରରେ କେତେ ଅନର୍ଥ ହୋଇଯାଏ–ଅଥଚ ମଣିଷ ଏଇ କଥାଟି ସବୁଠୁ ବେଶୀ ଭୁଲେ । ନା ?

 

ହରେନ୍ଦ୍ର କହିଲା–ଏସବୁ କଥା ଆପଣ ମତେ କହୁଛନ୍ତି ନା ନିଜକୁ ନିଜେ କହୁଛନ୍ତି ? ଯଦି ମତେ କହୁଥାନ୍ତି, ତେବେ ଆଉ ଟିକିଏ ଖୋଲି କରି କହନ୍ତୁ । ଏସବୁ ପ୍ରହେଳିକା ମୋ ମୁଣ୍ଡରେ ପଶୁନି ।

 

କମଳ କହିଲା–ପଶିବନି ବୋଧହୁଏ । ସହଜ ସରଳ ରାସ୍ତା, ମନେହୁଏନା ଯେ ବିପଦ ରକ୍ତଚକ୍ଷୁରେ ଚାହିଁ ରହିଛି । ଚାଲୁ ଚାଲୁ ଝୁଣ୍ଟିପଡ଼ି ଆଙ୍ଗୁଠି ଫାଟି ଯେତେବେଳେ ରକ୍ତ ବହେ–ସେତେବେଳେ ମନେହୁଏ ଯେ ଆଉ ଟିକିଏ ଆଖି ଖୋଲି ଚାଲିବା ଉଚିତ ଥିଲା । ନା ?

 

ହରେନ୍ଦ୍ର କହିଲା–ବାଟ ସମ୍ପର୍କରେ ଆପଣଙ୍କ ମତାମତ ସମ୍ପୂର୍ଣ୍ଣ ଠିକ୍ । ଅନ୍ତତଃ ଅଗ୍ରାର ରାସ୍ତାଘାଟରେ ଟିକିଏ ହୋସ୍ ରଖି ଚଳିବା ଭଲ । କିନ୍ତୁ ଆପଣଙ୍କ ପ୍ରହେଳିକା ତ ପ୍ରହେଳିକା ହୋଇ ରହିଗଲା–ମର୍ମ୍ମାର୍ଥ ଉପଲବ୍ଧି କରିହେଲାନି ।

 

କମଳ କହିଲା–ସେଥିପାଇଁ ଉପାୟ ନାହିଁ ହରେନ୍ ବାବୁ । କହିଲେ ସବୁ କଥାର ଅର୍ଥ ବୁଝାଯାଏନା । ଦେଖନ୍ତୁ, ମତେ ତ କେହି କହି ଦେଇନି, ମୁଁ ତ ବେଶ୍ ଅର୍ଥ ବୁଝିପାରୁଛି ।

 

ହରେନ୍ଦ୍ର କହିଲା–ତା’ ମାନେ ଆପଣ ଭାଗ୍ୟବତୀ, ମୁଁ ଦୁର୍ଭାଗା । ହୁଏତ ସାଧାରଣ ମନୁଷ୍ୟର ବୋଧଗମ୍ୟ ଭାଷାରେ କହନ୍ତୁ, ନା ତ ବନ୍ଦ କରନ୍ତୁ । ଚୀନାକୁହୁକ ପରି ଯେତିକି ଚାବି ଖୋଲୁଚି–ସେତିକି ଦୁର୍ଭେଦ୍ୟ ହୋଇଉଠୁଛି । ଅଜ୍ଞାତ ବା ଅଜ୍ଞେୟ ବାଧାରୁ ଆସି ଏ କେଉଁଠି ପହଞ୍ଚିଲାଣି–ତା’ର କୂଳକିନାରା ମୁଁ ପାଇ ପାରୁନି । ଏସବୁ କଥା ଆପଣ କ’ଣ ରାଜେନ୍‍ ସମ୍ପର୍କରେ କହୁଛନ୍ତି ? ମୁଁ ତ ତାକୁ ଜାଣେ, ସହଜ ଭାଷାରେ କହିଲେ କିଛି କିଛି ବୁଝିପାରିବି । ନ ହେଲେ ଏଭଳି ଘୁମନ୍ତ-ମନୁଷ୍ୟର ବକ୍ତୃତା ଶୁଣିଗଲେ ଆଉ ବୁଦ୍ଧି ଉପରେ ଆସ୍ଥା ରହିବ ନାହିଁ ।

 

କମଳ କହିଲା–କାହା ବୁଦ୍ଧି ଉପରେ ? ଆପଣଙ୍କର ନା ମୋର ?

 

‘ଦୁଇଜଣଙ୍କର ।’

 

କମଳ କହିଲା–କେବଳ ରାଜେନ୍‍ ନୁହେଁ–ଆଜି ସକାଳୁ ମୋର ସମସ୍ତଙ୍କ କଥା ମନେପଡ଼ୁଛି । ଆଶୁ ବାବୁ, ମନୋରମା, ଅକ୍ଷୟ, ଅବିନାଶ, ନୀଳିମା, ଶିବନାଥ–ଏମିତି କି ମୋ ନିଜ ବାପା–

 

ହରେନ୍ଦ୍ର ବାଧା ଦେଇ କହିଲା–ସେ କଥା ଚଳିବ ନାହିଁ–ଆପଣ ପୁଣି ଗମ୍ଭୀର ହୋଇଗଲେ । ଆପଣଙ୍କ ବାପା ମା ସ୍ୱର୍ଗକୁ ଗଲେଣି–ତାଙ୍କୁ କାହିଁକି ଟାଣୁଛନ୍ତି ? ବରଂ ଯେଉଁମାନେ ବଞ୍ଚିଛନ୍ତି ସେମାନଙ୍କ କଥା କହନ୍ତୁ । ଆପଣ ରାଜେନ୍‍ କଥା ପଚାରୁଥିଲେ–କହନ୍ତୁ–ମୁଁ ଶୁଣିବାକୁ ରାଜି ଅଛି । ସେ ମୋର ବନ୍ଧୁ–ତାକୁ ଜାଣେ ଓ ଭଲପାଏ–ମୋତେ ବିଶ୍ୱାସ କରନ୍ତୁ–ମୁଁ ଆଶ୍ରମ କରେ ବା ଯାହା କରେ–ଆପଣଙ୍କୁ ଠକାଇବି ନାହିଁ–ସଂସାରର ଅନ୍ୟ ପାଞ୍ଚଜଣଙ୍କ ଭଲପାଇବାର ଗଳ୍ପ ଶୁଣିବାକୁ ମତେ ବି ଭଲ ଲାଗେ ।

 

କମଳର ଗାମ୍ଭୀର୍ଯ୍ୟ ହଠାତ୍ ଚାଲିଗଲା–ସେ ହସି ହସି କହିଲା–କେବଳ ତା’ର କଥା ଶୁଣିବାକୁ ଭଲପାନ୍ତି–ତା’ଠାରୁ ଆଉ ବେଶୀ ଲୋଭ ନାହିଁ ।

 

ହରେନ୍ଦ୍ର କହିଲା–ନା । ମୁଁ ବ୍ରହ୍ମଚାରୀ ଦଳର ବଡ଼ ପଣ୍ଡା–ଅକ୍ଷୟ ଏ କଥା ଶୁଣିଲେ’ଇ ମତେ ଖାଇଯିବ ।

 

ଶୁଣି କମଳ ପୁଣି ହସି କହିଲା–ନା, ସେ ଖାଇ ପାରିବେ ନାହିଁ । ମୁଁ ତା’ର ବ୍ୟବସ୍ଥା କରିଦେବି ।

 

ହରେନ୍ଦ୍ର ମୁଣ୍ଡ ହଲାଇ କହିଲା–କିଛି କରିପାରିବେ ନାହିଁ । ଆଶ୍ରମ ଭାଙ୍ଗି ପଳେଇ ଗଲେ ବି ତା’ଠୁ ନିସ୍ତାର ନାହିଁ । ଅକ୍ଷୟ ଯେତେବେଳେ ମତେ ଥରେ ଚିହ୍ନିଛି, ମୁଁ ଯୁଆଡ଼େ ଗଲେ ବି ସେ ନିଶ୍ଚୟ ମତେ ସତ୍ ପଥରେ ରଖିବ । ବରଂ ଆପଣ ନିଜ କଥା କହନ୍ତୁ । ‘ରାଜେନ୍‍କୁ ଯେ ଭୁଲି ପାରିବି ନାହିଁ’ ସେଇଠୁ ଆରମ୍ଭ କରନ୍ତୁ । କିପରି ଆପଣ ସେ ଲକ୍ଷ୍ମୀଛଡ଼ା ଟୋକାଟାକୁ ଏତେ ଭଲ ପାଇଲେ–ମୋର ଶୁଣିବାକୁ ଖୁବ୍ ଇଚ୍ଛା ହୁଏ ।

 

କମଳ କହିଲା–ଠିକ୍ ଏଇ ପ୍ରଶ୍ନ ମୁଁ ବାରମ୍ବାର ନିଜକୁ ପଚାରୁଛି ।

 

‘କିଛି ଉତ୍ତର ପାଇଲେଣି ?’

 

‘ପାଇବାର କଥା ନୁହେଁ ଏବଂ ସତ ବୋଲି ମୋର ବିଶ୍ୱାସ ବି ହେଉନାହିଁ ।’

 

‘କାହିଁକି ବିଶ୍ଵାସ ହେଉନାହିଁ ?’

 

‘ସେ କଥା ଛାଡ଼ନ୍ତୁ–ବୋଧହୁଏ ଆପଣଙ୍କୁ ଆଗରୁ ଏ କଥା କହିଛି–ତେବେ ଅନେକ ଭଲ କ୍ୟାଣ୍ଡିଡେଟ୍ ଅଛନ୍ତି । ମୀମାଂସା ଚୂଡ଼ାନ୍ତ କରିବା ପୂର୍ବରୁ ସେମାନଙ୍କ କେସ୍‍ଗୁଡ଼ା ଟିକିଏ ନଜର ଦେବେ । ଏଇମାତ୍ର ନିବେଦନ ।’

 

‘କିନ୍ତୁ କେସ୍ ତ ଅନୁମାନ ଉପରେ ନିର୍ଭର କରି ବିଚାର କରାଯାଏନା ହରେନ୍ ବାବୁ–ରୀତିମତ ସାକ୍ଷ୍ୟ ପ୍ରମାଣ ହାଜର କରିବାକୁ ହେବ । ସେ କଥା କିଏ କରିବ ?’

 

‘ସେଇମାନେ ନିଜେ କରିବେ । ସାକ୍ଷ୍ୟ ପ୍ରମାଣ ପ୍ରସ୍ତୁତ ଅଛି–ଡାକ ପଡ଼ିଲେ ହାଜର କରିବେ ।’

 

କମଳ କିଛି ଉତ୍ତର ନ ଦେଇ ସାମାନ୍ୟ ହସିଲା ମାତ୍ର । ତା’ପରେ ସମାପ୍ତ ଓ ଅସମାପ୍ତ ସିଲାଇ କାମଗୁଡ଼ାକ ଭାଙ୍ଗି ଗୋଟିଏ ବେତର ଟୋକେଇରେ ରଖି ଠିଆହେଲା । କହିଲା–ଆପଣଙ୍କର ବୋଧହୁଏ ଚା’ ଖାଇବାର ବେଳେ ହେଇଗଲାଣି ହରେନ୍ ବାବୁ, ଟିକିଏ ଚା’ ତିଆରି କରି ଆଣେ । ବସନ୍ତୁ ।

 

ହରେନ୍ କହିଲା ବସିଛି ତ, ତେବେ ଚା’ ଖାଇବା ପାଇଁ ମୋର ସମୟ ଅସମୟ ନାହିଁ । ପାଇଲେ ଖାଏ–ନ ପାଇଲେ ଖାଏନା । ସେଥିପାଇଁ କଷ୍ଟ କରିବାର ପ୍ରୟୋଜନ ନାହିଁ । ଗୋଟାଏ କଥା କହିବି ?

 

‘ସ୍ୱଚ୍ଛନ୍ଦରେ କହନ୍ତୁ ।’

 

ଅନେକ ଦିନ ହେଲା ଆପଣ କୁଆଡ଼େ ଯାଉନାହାନ୍ତି । ଏଇଟା କ’ଣ ଇଚ୍ଛା କରି ବନ୍ଦ କରିଛନ୍ତି ?

 

କମଳ ଆଶ୍ଚର୍ଯ୍ୟ ହୋଇ କହିଲା–ନା, ମୋର ମନକୁ ଆସିନି ।

 

‘ତା’ହେଲେ ଚାଲନ୍ତୁ, ଆଜି ଟିକିଏ ଆଶୁ ବାବୁଙ୍କ ଘରୁ ବୁଲି ଆସିବା । ସେ ସତରେ ଖୁବ୍ ଖୁସି ହେବେ । ତାଙ୍କ ଦେହ ଖରାପ ଥିଲାବେଳେ ଥରେ ଯାଇଥିଲେ–ଏବେ ସେ ଭଲ ହେଇଗଲେଣି । କେବଳ ଡାକ୍ତର ମନା କରିଥିବାରୁ ପଦାକୁ ବାହାରୁ ନାହାନ୍ତି ନ ହେଲେ ନିଜେ ଆସି ପହଞ୍ଚନ୍ତେଣି ।

 

କମଳ କହିଲା–ତାଙ୍କ ପକ୍ଷରେ ଆଶ୍ଚର୍ଯ୍ୟ ନୁହେଁ । ମୋର ଆଗରୁ ଯିବା ଉଚିତ ଥିଲା, କାମ ଝଂଝଟ ଭିତରେ ଯାଇ ପାରିନି । ଅନ୍ୟାୟ ନିଶ୍ଚୟ ।

 

‘ତା’ହେଲେ ଆଜି ଚାଲନ୍ତୁ ।’

 

‘ଚାଲନ୍ତୁ, କିନ୍ତୁ ସନ୍ଧ୍ୟା ହେଉ । ଆପଣ ବସନ୍ତୁ, ମୁଁ ଚଟ୍ କରି ଚା’ ନେଇ ଆସେ’ କହି ସେ ବାହାରି ଗଲା ।

 

ସନ୍ଧ୍ୟା ହେଲା ପରେ ଉଭୟେ ବାହାରିଲେ । ହରେନ୍ଦ୍ର ଯାଉ ଯାଉ କହିଲା–ଟିକିଏ ବେଳଥାଇ ବାହାରିଥିଲେ ଭଲ ହେଇଥାନ୍ତା ।

 

କମଳ କହିଲା–ଭଲ ହେଇ ନ ଥାନ୍ତା । ଚିହ୍ନାଲୋକ ହୁଏତ କିଏ ଦେଖିଥାନ୍ତେ ।

 

‘ଦେଖିଲେ ବା କ’ଣ ହୋଇଥାନ୍ତା–ଏସବୁ ମୁଁ ଆଉ ଗ୍ରାହ୍ୟ କରେନା ।’

 

‘କିନ୍ତୁ ମୁଁ ତ ଏବେ ଗ୍ରାହ୍ୟ କରେ ।’

 

ହରେନ୍ଦ୍ର ମନେକଲା ଯେ ଏଇଟା ବୋଧହୁଏ ଥଟ୍ଟା କଥା–କହିଲା–କିନ୍ତୁ ଏଇ ଚିହ୍ନା ଲୋକମାନେ ଯଦି ଶୁଣନ୍ତି ଯେ ମୋ ସାଥିରେ ଏକୁଟିଆ କୁଆଡ଼େ ଯିବା ପାଇଁ ଆପଣ ଏବେ ସଙ୍କୋଚ କରୁଛନ୍ତି, ସେମାନେ କ’ଣ ଭାବିବେ ?

 

‘ହୁଏତ ବିଶ୍ଵାସ କରିବେ ନାହିଁ ।’

 

‘କିନ୍ତୁ ଆପଣଙ୍କୁ ଯେଉଁମାନେ ଚିହ୍ନନ୍ତି–ସେମାନେ କ’ଣ ଅନ୍ୟ କିଛି ଭାବିବେ ? କହନ୍ତୁ-?’

 

ଏଥର କମଳ ଚୁପ୍ ରହିଲା ।

 

ଜବାବ୍ ନ ପାଇ ହରେନ୍ଦ୍ର କହିଲା ଆଜି ଆପଣଙ୍କର ଯେ କ’ଣ ହୋଇଛି–ମୁଁ ଜାଣି ପାରୁନି । ସମସ୍ତ ଦୁର୍ବୋଧ୍ୟ ମନେହେଉଛି ।

 

କମଳ କହିଲା–ଯାହା ବୁଝିବାର କଥା ନୁହେଁ ତାହା ନ ବୁଝିବାର ଭଲ । ରାଜେନ୍‍ଙ୍କୁ ଯେ ମୁଁ ଭୁଲି ପାରିନି–ସେ କଥା ଆପଣ ଆସିଲେ ମୁଁ ଟେର୍ ପାଏ । ତାଙ୍କୁ ଆଶ୍ରମରେ ସ୍ଥାନ ମିଳିଲା ନାହିଁ–କିନ୍ତୁ ଗଛତଳ ହେଲେ ତାଙ୍କର ଚଳିଯାନ୍ତା–କେବଳ ମୁଁ ବାଧ୍ୟ କରି ଘରକୁ ନେଇ ଆସିଲି । ମୋ ଘରକୁ ଆସିଲେ–କିନ୍ତୁ କେଉଁଠି ତାଙ୍କର ମନ ଲାଗିଲା ନାହିଁ । ପୁରୁଷ ଚରିତ୍ରର ଏକ ନୂତନ ପରିଚୟ ପାଇଲି I ଭଲ କି ମନ୍ଦ–ପରୀକ୍ଷା କରି ଦେଖିବାର ସମୟ ପାଇନି ହୁଏତ ବୁଝିବାକୁ ଡେରି ହେବ ।

 

ହରେନ୍ଦ୍ର କହିଲା–ଏ ଗୋଟାଏ ବିରାଟ ସାନ୍ତ୍ୱନା ।

 

‘ସାନ୍ତ୍ୱନା ? କାହିଁକି ?’

 

‘ତା’ ଜାଣେନା ।’

 

ଆଉ କେହି କଥାବାର୍ତ୍ତା ହେଲେ ନାହିଁ–ଉଭୟେ ଚୁପ୍ ହୋଇ ଆଗେଇ ଗଲେ । ହରେନ୍ଦ୍ର ଇଚ୍ଛା କରି ଟିକିଏ ବୁଲାବାଟରେ ଆସିଥିଲେ–ଆଶୁ ବାବୁଙ୍କ ଘରେ ପହଞ୍ଚିଲା ବେଳକୁ ବେଶ୍ ରାତି ହୋଇଗଲାଣି । ଖବର ଦେଇ ଘରଭିତରକୁ ଯିବାର ପ୍ରୟୋଜନ ନ ଥିଲା କିନ୍ତୁ ପାଞ୍ଚ ଛ’ ଦିନ ହରେନ୍ଦ୍ର ଆସି ନ ଥିଲା–ବେହେରାକୁ ଦେଖି ପଚାରିଲା ବାବୁ ଭଲ ଅଛନ୍ତି ?

 

ସେ ପ୍ରଣାମ କରି କହିଲା–ହଁ, ଭଲ ଅଛନ୍ତି ।

 

‘ତାଙ୍କ ଘରେ ଅଛନ୍ତି ।’

 

‘ନା, ଉପରେ ବସି ସମସ୍ତେ ଗପ କରୁଛନ୍ତି ।’

 

ସିଡ଼ିରେ ଉଠୁ ଉଠୁ କମଳ ପଚାରିଲା–ସମସ୍ତେ ମାନେ କିଏ କିଏ ?

 

ହରେନ୍ଦ୍ର କହିଲା ଭାଉଜ ତ ଅଛନ୍ତି–ଆଉ ବୋଧହୁଏ କିଏ ଥିବେ ।

 

ପର୍ଦ୍ଦା ଉଠାଇ ଉଭୟେ ଆଶ୍ଚର୍ଯ୍ୟ ହୋଇଗଲେ । ଏସେନ୍‍ସ ଓ ଚୁରୁଟ୍‍ର କଡ଼ାଗନ୍ଧ ଘର ଭିତରେ ଭରି ରହିଛି । ନୀଳିମା ନାହିଁ, ଆଶୁ ବାବୁ ଆରାମ୍‍ ଚେୟୋରର ହାତ ଉପରେ ଗୋଡ଼ ରଖି ଚୁରୁଟ୍ ଟାଣୁଛନ୍ତି I ଅଦୂରେ ସୋଫା ଉପରେ ବସିଛନ୍ତି ଜଣେ ଅପରିଚିତା ମହିଳା I ହରେନ୍ଦ୍ର ଓ କମଳ ପହଞ୍ଚିଲା ବେଳକୁ ସେ ଅନର୍ଗଳ ଇଂରାଜୀ କହି ଚାଲିଛନ୍ତି ।

 

ଆଶୁ ବାବୁ ମୁହଁ ଟେକି ଚାହିଁଲେ । କମଳ ଉପରେ ଆଖି ପଡ଼ିଲାକ୍ଷଣି ତାଙ୍କ ମୁହଁ ଆନନ୍ଦରେ ଉଜ୍ଜ୍ୱଳ ହୋଇଗଲା । ଉଠିବାକୁ ଚେଷ୍ଟା କଲେ । କିନ୍ତୁ ହଠାତ୍ ଉଠିପାରିଲେ ନାହିଁ । ମୁହଁର ଚୁରୁଟ୍‍ଟା ଫିଙ୍ଗିଦେଇ କହିଲେ–‘ଆସ କମଳ ଆସ । ଅପରିଚିତା ରମଣୀଙ୍କ ପ୍ରତି ନିର୍ଦ୍ଦେଶ କରି କହିଲେ–ସେ ମୋର ଜଣେ ଆତ୍ମୀୟା । ପରଦିନ ଆସିଛନ୍ତି, ଖୁବ୍ ସମ୍ଭବ ଏଠି କିଛିଦିନ ରହିବେ ।’ ଟିକିଏ ଅଟକି ପୁଣି କହିଲେ–ବେଳା, ଏ ହେଉଛି କମଳ–ମୋର କନ୍ୟାସ୍ଥାନୀୟା ।

 

ଉଭୟେ ଉଭୟଙ୍କୁ ହାତଟେକି ନମସ୍କାର କଲେ ।

 

ହରେନ୍ଦ୍ର କହିଲା–ଆଉ ମୁଁ ? ଆଶୁ ବାବୁ କହିଲେ–ଆରେ–ହଁ–ଏ ହେଉଛନ୍ତି ହରେନ୍ଦ୍ର–ଅଧ୍ୟାପକ ଅକ୍ଷୟଙ୍କ ପରମବନ୍ଧୁ I ବାକି ପରିଚୟ ଯଥା ସମୟରେ ହେବ I କମଳକୁ ପାଖକୁ ଡାକି କହିଲେ–ପାଖକୁ ଆସ କମଳ । କମଳ ହସି ଆଶୁ ବାବୁଙ୍କ ପାଖରେ ବସିଲା ଓ ତାଙ୍କ ମୋଟା ହାତଟିକୁ ତା’ର ଦୁଇହାତରେ ଧରି ଧୀରେ ଧୀରେ ଆଉଁଷିଲା ।

 

ଆଶୁ ବାବୁ ପଚାରିଲେ–ଖାଇକରି ଆସିଛୁ ତ ମା ? କମଳ କହିଲା–ନା

 

ଆଶୁ ବାବୁ ନିଃଶ୍ଵାସ ପକାଇ କହିଲେ ଜାଣି ବା ଲାଭ କ’ଣ ? ଏ ଘରେ ତ ଖାଇବ ନାହିଁ ।

 

କମଳ ଚୁପ୍ ରହିଲା ।

 

(ଏକୋଇଶ)

 

ବେଳା ଆଡ଼କୁ ଚାହିଁ ଆଶୁ ବାବୁ ଟିକିଏ ହସିଲେ । କହିଲେ–କ’ଣ, ମୁଁ ଯେଉଁ ବର୍ଣ୍ଣନା ଦେଇଥିଲି, ଠିକ୍ ନା ନୁହେଁ ? ‘ବୁଢ଼ା ଦିନର extravagance ନୁହେଁ ତ ?’

 

ମହିଳା ଜଣକ ନିର୍ବାକ୍ ହୋଇ ରହିଲେ । ଆଶୁ ବାବୁ କମଳର ହାତକୁ ଧରି କହିଲେ–କମଳର ବାହାର ଦେଖିବାକୁ ଯେଭଳି ଆଶ୍ଚର୍ଯ୍ୟକର, ଭିତରଟା ସେଇଭଳି ବିସ୍ମୟୋଦ୍ଦୀପକ । କ’ଣ ହରେନ୍ଦ୍ର, ଠିକ୍ ନୁହେଁ ?

 

ହରେନ୍ଦ୍ର ଚୁପ୍ ରହିଲା । କମଳ କହିଲା ଏ କଥା ଠିକ୍ କି ନୁହେଁ–ସନ୍ଦେହ ଅଛି । କିନ୍ତୁ ଆପଣଙ୍କୁ ଯଦି କିଏ extravagant ବୋଲି କହନ୍ତି, ତେବେ ତା’ ଯେ ବେଠିକ୍ ନୁହେଁ, ତହିଁରେ ସନ୍ଦେହ ନାହିଁ । ଆପଣଙ୍କର ମାତ୍ରାଜ୍ଞାନ ଏ ସଂସାରରେ ଅଚଳ ।

 

‘ଇସ୍, ସତରେ ନା କ’ଣ ?’ କହି ଆଶୁ ବାବୁ ଗଭୀର ସ୍ନେହ ସହ କହିଲେ–ଏ ଘରେ ତୁମେ ଯେ ଖାଇବ ନାହିଁ, ସେ କଥା ଜାଣେ, ତେବେ ଘରେ ଆଜି କ’ଣ ଖାଇଛ ?’

 

‘ନିତି ଯାହା ଖାଏ, ସେଇ ଜିନିଷ ।’

 

‘କ’ଣ କୁହନା ? ବେଳା ଭାବୁଥିବେ ଯେ ମୁଁ ବଢ଼େଇ କରି କହୁଛି ।’

 

କମଳ କହିଲା–ଅର୍ଥାତ୍ ମୋ ଅନୁପସ୍ଥିତିରେ ମୋ ସମ୍ପର୍କରେ ଅନେକ ଆଲୋଚନା ହେଇଯାଇଛି ।

 

‘ତା’ ଠିକ୍, ସେ କଥା ଅସ୍ୱୀକାର କରିବି ନାହିଁ ।’

 

ରୌପ୍ୟ ପାତ୍ରରେ ବେହେରା ଗୋଟିଏ କାର୍ଡ଼ ଧରି ପ୍ରବେଶ କଲା । ଲେଖାଟା ସମସ୍ତେ ଦେଖିଲେ ଓ ଆଶ୍ଚର୍ଯ୍ୟ ହେଲେ । ଅଜିତ୍‍ ଏଇ ଘରେ ଦିନେ ଘରର ଲୋକ ଭଳି ଚଳୁଥିଲା–କିନ୍ତୁ ଆଗ୍ରାରେ ଥାଇ ବି ଆଉ ଆସେନି । ହୁଏତ ଏଇଟା’ଇ ସ୍ଵାଭାବିକ । ତଥାପି ଏଇ ନ ଆସିବା ଫଳରେ ଓ ଲଜ୍ଜା ଓ ସଙ୍କୋଚ ହେତୁ ଉଭୟପକ୍ଷ ମଧ୍ୟରେ ଏଭଳି ଗୋଟାଏ ବ୍ୟବଧାନ ସୃଷ୍ଟି ହୋଇଯାଇଛି ଯେ ତା’ର ଅପ୍ରତ୍ୟାଶିତ ଆଗମନରେ ଖାଲି ଆଶୁ ବାବୁ ନୁହନ୍ତି–ଅନ୍ୟମାନେ ବି ଟିକିଏ ଆଶ୍ଚର୍ଯ୍ୟ ହୋଇଗଲେ । ଆଶୁ ବାବୁ ଗମ୍ଭୀର ହୋଇ କହିଲେ–ତାଙ୍କୁ ଏଇ ଘରକୁ ନେଇଆସ ।

 

କିଛି ସମୟ ପରେ ଅଜିତ୍‍ ଆସି ପହଞ୍ଚିଲା । ସେ ଏତେ ପରିଚିତ ଓ ଅପରିଚିତ ଲୋକଙ୍କ ଉପସ୍ଥିତି ଆଶା କରିନଥିଲା । ଆଶୁ ବାବୁ କହିଲେ–ବସ ଅଜିତ୍‍, ଭଲ ଅଛ ତ ?

 

ଅଜିତ୍‍ କହିଲା–ଆଜ୍ଞା ହଁ–ଆପଣଙ୍କ ଦେହ କେମିତି ଅଛି ? ଭଲ ଲାଗିଲାଣି ତ ?

 

ଆଶୁ ବାବୁ କହିଲେ–ରୋଗଟା କମିଯାଇଛି ମାତ୍ର ।

 

ପରସ୍ପରର କୁଶଳ ପ୍ରଶ୍ନୋତ୍ତର ଏଇଠି ସରିଗଲା । କମଳ ନ ଥିଲେ ହୁଏତ ଆଉ ଗୋଟାଏ ଦୁଇଟା ପ୍ରଶ୍ନ ଉତ୍ତର ହୋଇଥାନ୍ତା–କିନ୍ତୁ କମଳ ସାଥିରେ କାଳେ ମୁହାଁମୁହିଁ ହେଇଯିବ, ଏଇ ଭୟରେ ଅଜିତ୍‍ ମୁହଁ ପୋତି ବସି ରହିଲା । କିଛି କାଳ ସମସ୍ତେ ଚୁପ୍ ରହିବା ପରେ ହରେନ୍ଦ୍ର ପଚାରିଲା–ଆପଣ କ’ଣ ସିଧା ବସାରୁ ଏଠିକି ଆସିଲେ ?

 

କ’ଣ ଗୋଟାଏ କହିବାକୁ ଯାଇ ଅଜିତ୍‍ ବଞ୍ଚିଗଲା । କହିଲା–ନା, ଠିକ୍ ସିଧା ଆସି ନାହିଁ–ଆପଣଙ୍କୁ ଖୋଜି ଖୋଜି ଏଠି ଆସି ପହଞ୍ଚିଲି ।

 

‘ମୋତେ ଖୋଜି ? କାହିଁକି ?’

 

ପ୍ରୟୋଜନ ମୋର ନୁହେଁ–ଆଉ ଜଣଙ୍କର । ସେ ରାଜେନ୍‍କୁ ଖୋଜିବା ପାଇଁ ଖରାବେଳଠାରୁ ବୋଧହୁଏ ଚାରିଥର ବୁଲି ଗଲେଣି । ବସିବାକୁ କହିଲି–ରାଜି ହେଲେ ନାହିଁ । ସ୍ଥିର ହୋଇ ବସି ରହିବା ବୋଧହୁଏ ତାଙ୍କ ଧାତୁରେ ନାହିଁ ।

 

ହରେନ୍ଦ୍ର ଶଙ୍କିତ ହୋଇ କହିଲା–ଲୋକଟି କିଏ ? ଦେଖିବାକୁ କିଭଳି ? କହିଲେନି ସେ ଏଠି ନାହିଁ ?

 

ଅଜିତ୍‍ କହିଲା–କହିଲି ତ–ବୋଧହୁଏ ବିଶ୍ୱାସ କଲେନି ।

 

ହରେନ୍ଦ୍ର ଉଦ୍‍ବିଗ୍ନ ହୋଇ ଠିଆହେଲା ଓ କମଳକୁ ବସାରେ ପହଞ୍ଚାଇ ଦେବାର ବ୍ୟବସ୍ଥା କରିବା ପାଇଁ ଆଶୁ ବାବୁଙ୍କୁ ଅନୁରୋଧ କରି ତରତର ହୋଇ ବାହାରିଗଲା । ସେ ଚାଲିଯିବା ପରେ ଆଶୁ ବାବୁ କହିଲେ–କମଳ, ଏଇ ରାଜେନ୍‍କୁ ମୁଁ ଦୁଇ ତିନି ଥରରୁ ବେଶୀ ଦେଖିନି–ବିପଦରେ ନ ପଡ଼ିଲେ ତା’ର ସାକ୍ଷାତ୍ ମିଳେନା–କିନ୍ତୁ ମନେହୁଏ ମୁଁ ଯେମିତି ତାକୁ ଖୁବ୍ ବେଶୀ ଭଲପାଏ । ହରେନ୍ଦ୍ର ମୁହଁରୁ ଅବଶ୍ୟ ଶୁଣିଛି–ସେ ଖୁବ୍ ୱାଇଲ୍‍ଡ–ପୁଲିସ୍‍ ତାକୁ ସନ୍ଦେହ କରେ । ମୋର ମନେହେଉଛି–ସେ କିଛି ଗୋଟାଏ ବିଭ୍ରାଟ ଘଟେଇବ–ହୁଏତ ଖବର ବି ମିଳିବନି–ଏଇ ଦେଖ୍–କୁଆଡ଼େ ଅଦୃଶ୍ୟ ହେଇଯାଇଛି–ପତ୍ତା ନାହିଁ ।

 

କମଳ ପଚାରିଲା–ହଠାତ୍ ଯଦି ଖବର ପାଇବେ ଯେ ସେ ବିପଦରେ ପଡ଼ିଛନ୍ତି–ତେବେ ଆପଣ କ’ଣ କରିବେ ?

 

ଆଶୁ ବାବୁ କହିଲେ–କ’ଣ କରିବି, ସେ କଥା ସେତିକିବେଳେ କହିହେବ–ଏବେ ନୁହେଁ-। ଦେହ ଖରାପ ବେଳେ ନୀଳିମା ଓ ମୁଁ ତା’ ସମ୍ପର୍କରେ ବହୁତ କଥା ହରେନ୍ଦ୍ରଠାରୁ ଶୁଣିଛୁ । ପର ପାଇଁ ନିଜକୁ ମାଟିରେ ମିଶାଇ ଦେବା ଯାହା କହନ୍ତି–ସେ ତା’ର ଗୋଟାଏ ମୂର୍ତ୍ତିମାନ ରୂପ-। ଭଗବାନଙ୍କ ପାଖେ ପ୍ରାର୍ଥନା ଏଇ ଯେ ତା’ର ଯେପରି କିଛି ବିପଦ ନ ପଡ଼େ ।

 

କମଳ ପଚାରିଲା–ନୀଳିମା କାହାନ୍ତି କି ? ଆଜି ଦେଖାନାଇଁ ଏଯାଏଁ ? କ’ଣ କାମରେ ବ୍ୟସ୍ତ ?

 

ଆଶୁ ବାବୁ କହିଲେ–କାମିକା ଲୋକ–କାମରେ ଅବଶ୍ୟ ସବୁବେଳେ ବ୍ୟସ୍ତ ଥା’ନ୍ତି–କିନ୍ତୁ ଆଜି ଶୁଣିଲି ଯେ ମୁଣ୍ଡ ବଥଉଛି–ସେଇଥିପାଇଁ ଶୋଇଛନ୍ତି । ଦେହ ବୋଧହୁଏ ବେଶୀ କିଛି ଖରାପ ଅଛି–ନ ହେଲେ ଏଟା ତ ତାଙ୍କ ସ୍ଵଭାବ ନୁହେଁ । କୌଣସି ମଣିଷ ଯେ ଏଭଳି ଅବିଶ୍ରାନ୍ତ ସେବା କରିପାରେ–ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନି ।

 

କିଛି ସମୟ ଚୁପ୍ ରହି ପୁଣି କହିଲେ–ଅବିନାଶଙ୍କ ସାଙ୍ଗରେ ଆଗ୍ରାରେ ପରିଚୟ–ମଝିରେ ମଝିରେ ଅବଶ୍ୟ ତାଙ୍କ ଘରକୁ ଯାଏ–ତେବେ ସେ ଆଉ ଏମିତି ବେଶୀ କ’ଣ–ଅଥଚ ଆଜି ମୁଁ ବୁଝିପାରୁଛି ଯେ ସଂସାରରେ ଆପଣାର ଓ ପର କଥାଟା କେଡ଼େ ଅର୍ଥହୀନ । ଦୁନିଆରେ ଆପଣା ପର କେହି ନାହିଁ କମଳ, ସ୍ରୋତର ଆକର୍ଷଣରେ କିଏ କେତେବେଳେ ପାଖକୁ ଆସେ–କିଏ ବା ଦୂରକୁ ଚାଲିଯାଏ । ତା’ର କୌଣସି ହିସାବ ନାହିଁ ।

ଏ କଥା କାହା ଉଦ୍ଦେଶ୍ୟରେ କୁହାଗଲା, ତା’ କେବଳ ଅପରିଚିତା ବେଳାଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ବୁଝିଲେ ।

ଆଶୁ ବାବୁ କହିବାକୁ ଲାଗିଲେ–ଏଇ ରୋଗରୁ ଭଲ ହେଇ ଉଠିଲା ପରଠାରୁ ସଂସାରର ଅନେକ ଜିନିଷ ମତେ ଅଲଗା ଦେଖାଯାଉଛି । ମନେହେଉଛି–କ’ଣ ପାଇଁ ଏତେ ଟଣା ଓଟରା, ଏତେ ଭଲ ମନ୍ଦର ବାଛବିଚାର ? ମଣିଷ ନିଜ ଚାରିପାଖରେ ଅନେକ ଭୁଲ୍, ଅନେକ ଫାଙ୍କି ଜମା କରି ସ୍ଵେଚ୍ଛାକୃତ ଭାବେ ଜଡ଼ ପାଲଟି ଯାଇଛି । ଆଜି ବି ତାକୁ ବହୁ ଯୁଗ ଧରି ଅନେକ ଅଜଣା ସତ୍ୟ ଆବିଷ୍କାର କରିବାକୁ ପଡ଼ିବ–ତା’ପରେ ସେ ଯଥାର୍ଥ ମଣିଷ ହେଇପାରିବ । ଆନନ୍ଦ ତ ନୁହେଁ–ନିରାନନ୍ଦ ତା’ର ସଭ୍ୟତା ଓ ଭଦ୍ରତାର ଚରମ ଲକ୍ଷ୍ୟ ହୋଇ ଉଠିଛି ।

କମଳ ବିସ୍ମୟରେ ଚାହିଁ ରହିଲା ।

ଆଶୁ ବାବୁ ନିଜେ ଅଟକି ଗଲେ–ବୋଧହୁଏ କମଳର ବିସ୍ମିତ ଦୃଷ୍ଟି ତାଙ୍କୁ ସଚେତନ କରିଦେଲା । ସେ କହିଲେ–ତମ ସାଙ୍ଗେ ମୋର ଅନେକ କଥାବାର୍ତ୍ତା କରିବାର ଅଛି କମଳ–ଆଉ ଦିନେ ଆସିବ ।

‘ଆସିବି–ଆଜି ଉଠେ ।’

‘ଅଚ୍ଛା–ଗାଡ଼ି ତଳେ ଅଛି–ଅଜିତ୍‍ ତମେ ତ କମଳକୁ ଛାଡ଼ି ଦେଇ ଆଶ୍ରମକୁ ଚାଲିଯାଇ ପାରିବ ?’

ଉଭୟେ ଆଶୁ ବାବୁଙ୍କୁ ପ୍ରଣାମ କରି ବାହାରିଗଲେ ।

ବେଳା ତାଙ୍କ ସାଙ୍ଗରେ ଉଠି କମଳକୁ କହିଲା–ଆପଣଙ୍କ ସଙ୍ଗେ ଆଜି କଥାବାର୍ତ୍ତା କରିପାରିଲିନି–ଆଉ ଯେଉଁଦିନ ଆସିବେ, ସେ ଦିନ ଛାଡ଼ିବିନି ।

କମଳ ହସି କହିଲା–ସେଟା ମୋର ଭାଗ୍ୟ–କିନ୍ତୁ ଭୟ ହେଉଛି ଯେ ମୋର ପରିଚୟ ପାଇଲେ ବୋଧହୁଏ ଆପଣଙ୍କର ମତ ବଦଳିଯିବ ।

ଗାଡ଼ି ଭିତରେ ପଛ ସିଟରେ ଉଭୟେ ବସିଲେ । ରାସ୍ତା ବାଙ୍କ ବୁଲିଲା ପରେ କମଳ କହିଲା–ସେ ଦିନ ରାତିରେ ବି ଏମିତି ଅନ୍ଧାରିଆ ହେଇଥିଲା–ମନେପଡ଼ୁଛି ?

ଅଜିତ୍‍ କହିଲା–ହଁ ।

‘ସେ ଦିନର ପାଗଳାମୀ ?’

‘ତା’ ବି ମନେପଡ଼ୁଛି ।’

 

‘ମୁଁ ରାଜି ହେଇଥିଲି–ସେ କଥା ମନେଅଛି ?’

 

ଅଜିତ୍‍ ହସି କହିଲା–ନା, କିନ୍ତୁ ଆପଣ ମତେ ଥଟ୍ଟା କରିଥିଲେ, ସେ କଥା ମନେଅଛି ।

 

କମଳ ବିସ୍ମିତ ହୋଇ କହିଲା–ଥଟ୍ଟା କରିଥିଲି ? କାଇଁ ନାଇଁ ତ–

 

‘ନିଶ୍ଚୟ କରିଥିଲେ ।’

 

କମଳ କହିଲା–ତା’ହେଲେ ଆପଣ ମୋତେ ଭୁଲ୍ ବୁଝିଲେ ସେଦିନ ! ଛାଡ଼ନ୍ତୁ–ଆଜି ତ ଆଉ ଥଟ୍ଟା କରୁନି–ଚାଲନ୍ତୁ ନା–ଦୁଇଜଣ ମିଶି ଚାଲିଯିବା ।

 

‘ଧୁତ୍–ଆପଣ ଭାରି ଦୁଷ୍ଟ ।’

 

କମଳ ହସି ପକାଇଲା । କହିଲା–ଦୁଷ୍ଟ କାହିଁକି ? ମୋ ପରି ଶାନ୍ତ ସୁବୋଧ କିଏ ଆଉ ଅଛି କହନ୍ତୁ ତ । ଆପଣ ହୁକୁମ୍ କଲେ–କମଳ, ଚାଲ ଯିବା–ସେଇକ୍ଷଣି ରାଜି ହୋଇ ମୁଁ କହିଲି ଚାଲନ୍ତୁ ।

 

‘କିନ୍ତୁ ସେ ତ ଖାଲି ଥଟ୍ଟାରେ’–

 

କମଳ କହିଲା–ସେ କଥା ଅବା ଥଟ୍ଟା ହେଲା,–କିନ୍ତୁ ଆପଣଙ୍କର କ’ଣ ଏମିତି ଅପରାଧ କରିଛି ଯେ ନାଁ ଧରି ଏପର୍ଯ୍ୟନ୍ତ ଡାକୁଥିଲେ–ଆଜି ହଠାତ୍ ଆପଣ ବୋଲି କହୁଛନ୍ତି । କେତେ ଦୁଃଖକଷ୍ଟରେ ଚଳେ–ଆପଣମାନଙ୍କ ଲୁଗାପଟା ସିଲେଇ କରି କୌଣସି ମତେ ଗୁଜରାଣ ଚଳାଏ–ଅଥଚ ଆପଣଙ୍କ ଟଙ୍କାର ସୀମା ନାଇଁ । ଦିନେ ବି ଖବର ନେଲେନି ? ମନୋରମା ଏ ଦୁଃଖରେ ପଡ଼ିଥିଲେ ଆପଣ କ’ଣ ସହିଥାନ୍ତେ ? ଦିନ ରାତି ଖାଟି ଖାଟି କେତେ ଦୁର୍ବଳ ହେଇଗଲିଣି, ଦିଶୁନି ?’ ଏହା କହି ସେ ନିଜ ବାଁ ହାତଟି ଅଜିତ୍‍ ହାତରେ ରଖିବାରୁ ଅଜିତ୍‍ର ସମସ୍ତ ଶରୀର ହଠାତ୍ ଶିହରି ଉଠିଲା । କମଳ ହାତ ଫେରାଇ ନେଇ ଡ୍ରାଇଭରକୁ କହିଲା–ଡ୍ରାଇଭର, ରଖ । ଏତେ ବାଟ ଚାଲି ଆସିଲେଣି–ଅନ୍ଧାରରେ ଦେଖାଯାଉନି ।

 

ଅଜିତ୍‍ କହିଲା–ହଁ, ଦୋଷ ଅନ୍ଧାରର । ସହସ୍ର ଅବିଚାରର ପ୍ରତିବାଦ କରିବାର ଅଧିକାରରୁ ସେ ବଞ୍ଚିତ । ଏହା କହି ସେ ଟିକିଏ ହସିଲା । ଶୁଣି କମଳ କହିଲା–ସତରେ ? କିନ୍ତୁ ବିଚାର ଜିନିଷଟା ତ ସଂସାରରେ ସବୁ ନୁହେଁ ଏଠି ଅବିଚାର ଅଛି ବୋଲି ସଂସାର ଚାଲିଛି–ନ ହେଲେ କେଉଁ କାଳରୁ ଅଟକି ଯାଆନ୍ତାଣି । ଡ୍ରାଇଭର–ଗାଡ଼ି ରଖ ।

 

ଅଜିତ୍‍ ଦ୍ୱାର ଖୋଲି ଦେଲା ପରେ କମଳ ତଳକୁ ଓହ୍ଲାଇ କହିଲା–ଅନ୍ଧକାରର ୟା’ଠାରୁ ବି ଅଧିକ ଅପରାଧ ଅଛି ଅଜିତ୍‍ ବାବୁ–ଏକୁଟିଆ ଯିବାକୁ ଭୟ ଲାଗେ ।

 

ଏଇ କଥା ଶୁଣି ଅଜିତ୍‍ ଓହ୍ଲାଇ ପଡ଼ିବାରୁ କମଳ ଡ୍ରାଇଭରକୁ କହିଲା–ଏଥର ତମେ ଘରକୁ ଯାଅ–ଅଜିତ୍‍ ବାବୁଙ୍କର ଫେରିବାକୁ ଡେରି ହେବ ।

 

ଅଜିତ୍‍ କହିଲା–ଏତେ ରାତିରେ ଏ ଅଞ୍ଚଳରେ ମୁଁ ଗାଡ଼ି ପାଇବି କେଉଁଠୁ ?

 

‘ଉପାୟ ମୁଁ କରିବି–ଆପଣ ଆସନ୍ତୁ ।’

 

ଗାଡ଼ି ଚାଲିଗଲା । ଅଜିତ୍‍ କହିଲା–କୌଣସି ଉପାୟ ନାଇଁ–ମୁଁ ଠିକ୍ ଜାଣେ–ଅନ୍ଧାରରେ ତିନି ଚାରି ମାଇଲ ଚାଲିକରି ଯିବାକୁ ହେବ । ଅଥଚ ଆପଣଙ୍କୁ ଛାଡ଼ି ଦେଇ ମୁଁ ଅନାୟାସରେ ବସାକୁ ଯାଇ ପାରିଥାନ୍ତି ।

 

‘ପାରି ନ ଥାନ୍ତେ–କାରଣ ଆପଣଙ୍କୁ ମୁଁ ଉପାସରେ ଆଶ୍ରମକୁ ଛାଡ଼ି ଦେଇ ନ ଥା’ନ୍ତି–ଆସନ୍ତୁ ।’

 

ବସାରେ ଚାକରାଣୀ ଆଲୁଅ ଜାଳି ଅପେକ୍ଷା କରିଥିଲା, ଡାକିବାରୁ ଦ୍ଵାର ଖୋଲି ଦେଲା-। ଘରକୁ ଯାଇ କମଳ ସେଇ ସୁନ୍ଦର ଆସନଟି ପକାଇ ଅଜିତ୍‍କୁ ଖାଇବାକୁ ବାଢ଼ିଲା-। ସବୁ ବ୍ୟବସ୍ଥା ହୋଇଥିଲା, କେବଳ ଷ୍ଟୋଭ୍ ଲଗାଇ ରନ୍ଧା ବସାଇ ଦେଇ ଅଳ୍ପଦୂରରେ ବସିଲା କମଳ-। ପଚାରିଲା–ଏମିତି ଆଉ ଦିନକର କଥା ମନେପଡ଼ୁଛି ?

 

‘ନିଶ୍ଚୟ ।’

 

‘ଆଚ୍ଛା ସେ ଦିନ ଓ ଆଜି ଭିତରେ ପାର୍ଥକ୍ୟ କ’ଣ କହନ୍ତୁ ତ ଦେଖି ।’

 

ଅଜିତ୍‍ ଇତସ୍ତତଃ ହୋଇ ଘରେ କ’ଣ ଥିଲା ଓ କ’ଣ ନାହିଁ, ଖୋଜିବାକୁ ଲାଗିଲା ।

 

କମଳ ହସି ହସି କହିଲା–ଏମିତି ରାତିସାରା ଖୋଜିଲେ ବି ପାଇବେନି । ଆଉ ଗୋଟାଏ ଦିଗ ଦେଖିବାକୁ ହେବ ।

 

‘କୋଉ ଆଡ଼େ କହନ୍ତୁ ତ ?’

 

‘ମୋ ଆଡ଼େ ।’

 

ଅଜିତ୍‍ ହଠାତ୍ ଲଜ୍ଜାରେ ସଂକୁଚିତ ହୋଇ ପଡ଼ିଲା । ଆସ୍ତେ ଆସ୍ତେ କହିଲା–କୌଣସି ଦିନ ଆପଣଙ୍କ ମୁହଁକୁ ମୁଁ ସିଧା ଚାହିଁ ପାରେନି । ଅନ୍ୟ ସମସ୍ତେ ବେଶ୍ ଅବଲୀଳା କ୍ରମେ ଚାହିଁ କଥାବାର୍ତ୍ତା କରନ୍ତି, ମୁଁ କେବଳ ପାରେନି ।

 

କମଳ କହିଲା–ଅନ୍ୟ ସହ ଆପଣଙ୍କ ପାର୍ଥକ୍ୟ ଏଇଠି ସେମାନେ ଯେ ପାରନ୍ତି ତା’ର କାରଣ ସେମାଙ୍କର ମୋ ପ୍ରତି ସଂଭ୍ରମ ବୋଧ ନାହିଁ ।

 

ଅଜିତ୍‍ ଚୁପ୍ କରି ରହିଲା । କମଳ କହିବାକୁ ଲାଗିଲା–ମୁଁ ସ୍ଥିର କରିଥିଲି ଯେ ଯେ ଯେକୌଣସି ପ୍ରକାରେ ହେଉ ଆପଣଙ୍କୁ ଖୋଜି ବାହାର କରିବି । ଆଶୁ ବାବୁଙ୍କ ଘରେ ଯେ ଦେଖା ହେବ, ଏ ଆଶା ମୋର ନ ଥିଲା । କିନ୍ତୁ ଦୈବାତ୍ ଯେତେବେଳେ ଦେଖା ହୋଇଗଲା–ସେତେବେଳେ ଭାବିଲି ନିଶ୍ଚୟ ଧରି ଆଣିବି । ଖାଇବା କଥାଟା ଗୋଟାଏ ଛୋଟ ଉପଲକ୍ଷ୍ୟ ମାତ୍ର–ତେଣୁ ଖାଇ ସାରିଲେ ବି ଆପଣ ଛୁଟି ପାଇବେନି–ଆଜି ରାତିରେ ଆପଣଙ୍କୁ ମୁଁ କୁଆଡ଼େ ଛାଡ଼ିବିନି । ଏଇ ଘର ଭିତରେ ବନ୍ଦ କରି ରଖିବି ।

 

‘କିନ୍ତୁ ସେଥିରେ ଆପଣଙ୍କର ବା ଲାଭ କ’ଣ ?’

 

କମଳ କହିଲା–ଲାଭ କଥା ପରେ କହିବି–କିନ୍ତୁ ମୋତେ ‘ଆପଣ’ ବୋଲି କହିଲେ ମୋତେ ସତରେ ଖୁବ୍ କଷ୍ଟ ଲାଗେ । ଯେଉଁଦିନ ତୁମେ ବୋଲି ଡାକୁଥିଲେ–ସେ ଦିନ ମୁଁ ବାଧ୍ୟ କରିନଥିଲି; ଆପଣ ନିଜ ଇଚ୍ଛାରେ ଡାକିଥିଲେ । ଆଜି ସେଇଟା ବଦଳାଇବା ପାଇଁ କୌଣସି ଅପରାଧ କରିନି । ଅଭିମାନ କରି ଯଦି ନ ଶୁଣେ, ତେବେ ଆପଣ ନିଜେ କଷ୍ଟ ପାଇବେ ।

 

ଅଜିତ୍‍ କହିଲା–ବୋଧହୁଏ ପାଇବି ।

 

କମଳ କହିଲା–ବୋଧହୁଏ ନୁହେଁ–ନିଶ୍ଚୟ ପାଇବେ । ଆପଣ ଆଗ୍ରାକୁ ଆସିଥିଲେ ମନୋରମା ପାଇଁ–କିନ୍ତୁ ସେ ଯେତେବେଳେ ଚାଲିଗଲେ, ସମସ୍ତେ ଭାବିଥିଲେ ଯେ ଆପଣ ଆଉ ଘଡ଼ିଏ ବି ରହିବେନି । କେବଳ ମୁଁ ଜାଣିଥିଲି ଯେ ଆପଣ ଯାଇ ପାରିବେ ନାହିଁ । ଆଚ୍ଛା, ମୁଁ ଯେ ଆପଣଙ୍କୁ ଭଲପାଏ ଏ କଥା ଆପଣ ବିଶ୍ୱାସ କରନ୍ତି ?

 

‘ନା,କରେନା ।’

 

‘ନିଶ୍ଚୟ କରନ୍ତି । ତେଣୁ ଆପଣଙ୍କ ବିରୁଦ୍ଧରେ ମୋର ଅନେକ ଆପତ୍ତି ଅଛି ।’

 

ଅଜିତ୍‍ କୌତୂହଳୀ ହୋଇ ପଚାରିଲା–ଅନେକ ଆପତ୍ତି ? ଗୋଟାଏ ଶୁଣେ ।

 

କମଳ କହିଲା–କହିବି ବୋଲି ତ ଛାଡ଼ି ଦେଲିନି । ପ୍ରଥମେ ନିଜ କଥା କହେ । ଉପାୟ ନାହିଁ ବୋଲି ଦୁଃଖୀ ଲୋକଙ୍କ ଲୁଗାପଟା ସିଲେଇ କରି ନିଜର ଖାଇବା ପିଇବା ଚଳାଏ–କିନ୍ତୁ ଅସୁବିଧାରେ ପଡ଼ିଛି ବୋଲି ଆପଣଙ୍କ ଜାମା ସିଲେଇ କରି ଦାମ୍ ନେବି–ଏ କଥା ହେବ କେମିତି-?

 

‘କିନ୍ତୁ ତୁମେ ତ କାହାର ଦାନ ଗ୍ରହଣ କରନି ।’

 

‘ନା, ଦାନ ମୁଁ କାହାର ନିଏନା–ଏମିତି କି ଆପଣଙ୍କର ବି ନୁହେଁ । କିନ୍ତୁ ଦାନ କରିବା ଛଡ଼ା ଦେବା ପାଇଁ କ’ଣ ସଂସାରରେ ଆଉ କୌଣସି ଉପାୟ ନାହିଁ ? କାହିଁକି–ଆସି ଜୋର୍‍ କରି କହିଲେନି–କମଳ, ମୁଁ ତୁମକୁ ଏ କାମ କରେଇ ଦେବିନି । ତା’ହେଲେ ମୁଁ କ’ଣ କରିଥାନ୍ତି ? ଆଜି ଯଦି କୌଣସି ଦୁର୍ବିପାକରେ ପଡ଼ି ମୋର ପରିଶ୍ରମ କରି ଚାଳିବାର ଉପାୟ ରହିବନି, ତା’ହେଲେ କ’ଣ ଆପଣ ଥାଉ ଥାଉ ମୁଁ ରାସ୍ତାରେ ଭିଖ ମାଗି ଖାଇବି ? କହୁ କହୁ କମଳର ଆଖି ଛଳ ଛଳ ହୋଇଗଲା ।

 

ଅଜିତ୍‍ କହିଲା–ସେମିତି ହେବନି କମଳ, ମୁଁ ବଞ୍ଚି ଥାଉ ଥାଉ ଏ କଥା ଅସମ୍ଭବ । ତମ ସମ୍ପର୍କରେ ଦିନେ ବି ମୁଁ ଏଭଳି ଭାବିନି । ବର୍ତ୍ତମାନ ବିଶ୍ୱାସ ହୁଏନା ଯେ ଯେଉଁ କମଳକୁ ଆମେ ସମସ୍ତେ ଜାଣୁ–ତମେ ଯେମିତି ସେ ନୁହଁ ।

 

କମଳ କହିଲା–ସମସ୍ତେ ଯାହା ମନ ତା’ ଭାବିଲେ ବି–ଆପଣ କ’ଣ କେବଳ ସେମାନଙ୍କ ଭିତରେ ଜଣେ ? ତା’ଠୁ ବେଶୀ ନୁହନ୍ତି ?

 

ଅଜିତ୍‍ ଏ ପ୍ରଶ୍ନର ଉତ୍ତର ଦେଇ ପାରିଲା ନାହିଁ–କେବଳ ମୁଣ୍ଡ ପୋତି ବସି ରହିଲା ।

 

ରନ୍ଧା ଶେଷ ହେବାକୁ ବେଶୀ ସମୟ ଲାଗିଲାନି, ଖାଇ ବସି ଅଜିତ୍‍ ଗମ୍ଭୀର ହୋଇ କହିଲା–ମଜାକଥା ଏଇ ଯେ, ଯାହାର ଯେତେ ବେଶୀ ଟଙ୍କା ପଇସା ଥିଲେ ବି ତମ ଉପାର୍ଜନର ଅନ୍ନ ନ ଖାଇ ତା’ର ପରିତ୍ରାଣ ନାହିଁ–ଅଥଚ ତମେ ନିଜେ କାହାଠାରୁ ନେବ ନାହିଁ–ଖାଇବ ବି ନାହିଁ-। ମୁଣ୍ଡ ପିଟି ଦେଲେ ବି ନୁହେଁ ।

 

କମଳ ହସି ହସି କହିଲା–ଆପଣମାନେ ଖାଉଛନ୍ତି କାହିଁକି ? ତା’ଛଡ଼ା ଆପଣ ମୁଣ୍ଡ ପିଟିବାର ତ ମୁଁ ଜାଣେନା ।

 

ଅଜିତ୍‍ କହିଲା–ମୁଣ୍ଡ ପିଟିବାର ଇଚ୍ଛା ତ ସବୁବେଳେ ହୁଏ । ଆଉ ତମଠାରୁ ଖାଇବାକୁ ହେବ, କାରଣ ତମ ସାଙ୍ଗେ ଜବରଦସ୍ତିରେ ପାରି ହେବନି ବୋଲି । ଆଜି ଯଦି ମୁଁ କହେ–କମଳ, ଆଜିଠାରୁ ମୁଁ ତମର ସମସ୍ତଭାର ଗ୍ରହଣ କରିନେଲି–ଉଞ୍ଛବୃତ୍ତି ଆଉ କରନି–ତେବେ ତମେ ହୁଏତ ଏମିତି ଗୋଟାଏ କଡ଼ା କଥା କହିବ ଯେ ମୋ ମୁହଁ ବନ୍ଦ ହୋଇଯିବ ।

 

କମଳ କହିଲା–ଏ କଥା କେଉଁଦିନ କହିଛନ୍ତି ?

 

‘ମନେହେଉଛି ତ କହିଲା ଭଳି ।’

 

‘ମୁଁ କ’ଣ ସେ କଥା ଶୁଣିଲିନି ?’

 

‘ନା’

 

‘ତା’ହେଲେ ଶୁଣିଲାଭଳି କହି ନାହାନ୍ତି–ହୁଏତ ମନ ଭିତରେ ରହିଯାଇଛି–ପ୍ରକାଶ ହୋଇପାରିନି ।’

 

‘ଆଚ୍ଛା ଧର ଯଦି ଆଜି କହେ?’

 

‘ତା’ହେଲେ ମୁଁ ଯଦି କହେ–ନା ?’

 

ଅଜିତ୍‍ ହାତ ବନ୍ଦ କରିଦେଇ କହିଲା–ଏଇତ–ଗୋଟାଏ ଦିନ ବି ମୁଁ ତୁମକୁ ବୁଝିପାରିଲି ନାହିଁ । ଯୋଦିନ ତାଜମହଲ ଆଗରେ ଦେଖିଥିଲି–ସେଦିନ ଭଳି ଆଜି ବି ତମେ ପ୍ରହେଳିକା ହୋଇ ଅଛ । ଏଇ ଟିକିଏ ଆଗରୁ କହିଲ–ମୋ ଭାର ଗ୍ରହଣ କରିନିଅନ୍ତୁ–ଅଥଚ ବର୍ତ୍ତମାନ କହିଲ–ନା ?

 

କମଳ କହିଲା–ଏମିତି ବରାବର ଆପଣ ‘ନା’ କହିପାରିବେ ? କହନ୍ତୁ–ଯାହା ଖାଇଛନ୍ତି ଆଉ ଖାଇବେନି–ଦେଖିବା କେମିତି ଆପଣଙ୍କ କଥା ରହିବ ।

 

ଅଜିତ୍‍ କହିଲା–ରହିବ କେମିତି ? ନ ଖୁଆଇ ତମେ ତ ଛାଡ଼ି ଦେବନି ।

 

କିନ୍ତୁ କ୍ରମଶଃ କମଳ ଗମ୍ଭୀର ହୋଇଗଲା । ଶାନ୍ତ ସ୍ଵରରେ କହିଲା–ମୋ ଦାୟିତ୍ଵ ଗ୍ରହଣ କରିବାର ସମୟ ଆପଣଙ୍କର ଏପର୍ଯ୍ୟନ୍ତ ଆସିନି । ଯେଉଁଦିନ ଆସିବ, ସେଦିନ ମୋ ମୁହଁରୁ ‘ନା’ ଶୁଣିବେନି । ଆଚ୍ଛା, ରାତି ବହୁତ ହେଲାଣି, ଆପଣ ଶୀଘ୍ର ଖାଆନ୍ତୁ ।

 

‘ଆଚ୍ଛା, ଖାଉଛି । କିନ୍ତୁ ସେଦିନ ଆସିବ କି ନାହିଁ, କହିପାରିବ ?’

 

କମଳ କହିଲା–ସେ କଥା ମୁଁ କହିପାରିବିନି । ଆପଣଙ୍କୁ ନିଜେ ଉତ୍ତର ଖୋଜିବାକୁ ପଡ଼ିବ ।

 

‘ସେ ଶକ୍ତି ମୋର ନାହିଁ । ଦିନେ ଅନେକ ଖୋଜିଛି–ପାଇନାହିଁ । ଜବାବ୍ ତମଠୁ ପାଇବି ବୋଲି ଆଜିଠାରୁ ହାତ ପତେଇ ରହିବି ।’ କହି ଅଜିତ୍‍ ଖାଇବାକୁ ଲାଗଲା ।

 

ଟିକିଏ ସମୟ ପରେ କମଳ ପଚାରିଲା–ଏତେ ଜାଗା ଥାଉ ଥାଉ ଆପଣ ହରେନ୍ଦ୍ରଙ୍କ ଆଶ୍ରମରେ ଯାଇ ପହଞ୍ଚିଲେ କାହିଁକି ?

 

ଅଜିତ୍‍ କହିଲା–କୋଉଠି ତ ରହିବାକୁ ହେବ–ତୁମେ ନିଜେ ଜାଣ ଯେ ଆଗ୍ରା ଛାଡ଼ି ଯିବାର ଉପାୟ ନ ଥିଲା ମୋର ।

 

‘ଜାଣେ ତା’ହେଲେ ?’

 

‘ହଁ, ଜାଣ ନିଶ୍ଚୟ ।’

 

‘ସେ କଥା ସତ ହେଲେ ତେବେ ସିଧା ମୋ ପାଖକୁ ଚାଲି ଆସିଲେନି କାହିଁକି ?’

 

‘ଯଦି ଆସିଥାନ୍ତି, ତା’ହେଲେ କ’ଣ ଜାଗା ଦେଇଥାନ୍ତ ?’

 

‘ସତରେ ତ ଆସିନାହାନ୍ତି–ସେ ଯାହାହେଉ, କିନ୍ତୁ ହରେନ୍ଦ୍ରର ଆଶ୍ରମରେ ତ କଷ୍ଟର ସୀମା ନାହିଁ–ଆପଣ ଏତେ କଷ୍ଟ ସହି ପାରିଲେ କିପରି ?’

 

‘ସେ କଥା ଜାଣେନି–ତେବେ ଆଜି ଆଉ ମୋତେ ସେ ସବୁ ଅସୁବିଧା ଲାଗେନି । ବର୍ତ୍ତମାନ ମୁଁ ସେମାନଙ୍କ ଭିତରୁ ଜଣେ । ହୁଏତ ଏଇ ମୋର ସମସ୍ତ ଭବିଷ୍ୟତ । ଏତେଦିନ ଚୁପ୍ ରହିନି । ଲୋକ ପଠେଇ ବିଭିନ୍ନ ସ୍ଥାନରେ ଆଶ୍ରମ ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କରୁଛି–ତିନି ଚାରୋଟି ଜାଗାରେ ଆଶ୍ରମ କରିବା ପାଇଁ ସବୁ ବନ୍ଦୋବସ୍ତ କରି ସାରିଲିଣି–ଇଚ୍ଛା ହେଉଛି–ନିଜେ ଏଥର ଯାଇ ସବୁ ବ୍ୟବସ୍ଥା କରିବି ।’

 

‘ଏ ପରାମର୍ଶ ଆପଣଙ୍କୁ କିଏ ଦେଲା ? ହରେନ୍ଦ୍ର ବୋଧହୁଏ ?’

 

ଅଜିତ୍‍ କହିଲା–ଯଦି ଦେଇଥାନ୍ତି, ତେବେ ଅତି ନିଷ୍ପାପ ମନରେ ଦେଇଛନ୍ତି । ଦେଶର ସର୍ବନାଶ ଯେଉଁମାନେ ଆଖିରେ ଦେଖୁଛନ୍ତି–‘ଦାରିଦ୍ର୍ୟର ନିଷ୍ଠୁର ଦୁଃଖ, ଧର୍ମହୀନତାର ଗଭୀର ଗ୍ଳାନି–ଦୌର୍ବଲ୍ୟର ଭୀରୁତା ।’–

 

କମଳ ବାଧା ଦେଇ କହିଲା–ହରେନ୍ଦ୍ର ଏସବୁ ଦେଖିଛନ୍ତି ନିଶ୍ଚୟ–କିନ୍ତୁ ଆପଣ ତ କେବଳ ଶୁଣିଛନ୍ତି । ନିଜ ଆଖିରେ କିଛି ଦେଖିବାର ସୁଯୋଗ ତ ଆପଣଙ୍କର କେବେ ବି ଆସିନି ।

 

‘ତଥାପି ତ ଏ ସତ୍ୟ ?’

 

‘ସତ ନୁହେଁ ବୋଲି କହୁନି–କିନ୍ତୁ ତା’ର ପ୍ରତିକାରର ଉପାୟ କ’ଣ ଆଶ୍ରମ ପ୍ରତିଷ୍ଠା ?’

 

‘କାହିଁକି ନୁହେଁ ? ଭାରତବର୍ଷ କହିଲେ ତ କେବଳ ଉତ୍ତରରେ ହିମାଳୟ ଏବଂ ଅପର ତିନି ଦିଗରେ ସମୁଦ୍ର ଘେରା କିଛି ଭୂଖଣ୍ଡ ନୁହେଁ–ଏହାର ପ୍ରାଚୀନ ସଭ୍ୟତା, ଧର୍ମର ବୈଶିଷ୍ଟ୍ୟ, ନୀତିର ପବିତ୍ରତା ଏବଂ ନ୍ୟାୟ ନିଷ୍ଠାର ମହିମା–ଏଇତ ଭାରତ; ଏଇଥିପାଇଁ ଏ ଦେଶର ନାମ ଦେବଭୂମି । ଏଇ ଦେଶକୁ ନିରତିଶୟ ହୀନତାରୁ ବଞ୍ଚାଇବା ପାଇଁ ତପସ୍ୟା ଛଡ଼ା ଆଉ କି ବାଟ ବା ଅଛି ? ବ୍ରହ୍ମଚାରୀ ନିଷ୍କଳୁଷ ବାଳକମାନଙ୍କର ଜୀବନ ସାର୍ଥକ ହେବାପାଇଁ–ଧନ୍ୟ ହେବାପାଇଁ–’

 

କମଳ ବାଧା ଦେଇ କହିଲା–ଆପଣ ତ ଖାଇ ସାରିଲେଣି–ହାତ ମୁହଁ ଧୋଇ ଘରକୁ ଚାଲନ୍ତୁ–ଆଉ ନୁହେଁ ।

 

‘ତୁମେ ଖାଇବନି ?’

 

‘ମୁଁ କ’ଣ କେଉଁଦିନ ଦୁଇବେଳା ଖାଏ ଯେ ଆଜି ଖାଇବି ? ଉଠନ୍ତୁ ।’

 

‘କିନ୍ତୁ ମତେ ତ ଆଶ୍ରମକୁ ଫେରିଯିବାକୁ ହେବ ।’

 

‘ନା ହେବ ନା–ସେ ଘରକୁ ଚାଲନ୍ତୁ । ଅନେକ କଥା ମୋର ଶୁଣିବାର ଅଛି ।’

 

‘ଆଚ୍ଛା ଚାଲ କିନ୍ତୁ ବାହାରେ ରାତ୍ରିଯାପନ ତ ଆମର ବିଧି ନୁହେଁ–ଯେତେ ରାତି ହେଉନା କାହିଁକି, ମୋତେ ଆଶ୍ରମକୁ ଫେରିବାକୁ ପଡ଼ିବ ।’

 

କମଳ କହିଲା–ସେ ବିଧି ଦୀକ୍ଷାପ୍ରାପ୍ତ ଆଶ୍ରମବାସୀମାନଙ୍କ ପାଇଁ–ଆପଣଙ୍କ ପାଇଁ ନୁହେଁ ।

 

‘କିନ୍ତୁ ଲୋକେ କ’ଣ କହିବେ ?’

 

ଲୋକଙ୍କ ନାମୋଚ୍ଚାରଣ କଲେ କମଳର ଧୈର୍ଯ୍ୟ ରହେନା–ସ କହିଲା–ଲୋକେ ଆପଣଙ୍କୁ କେବଳ ନିନ୍ଦା କରିପାରିବେ–ରକ୍ଷା କରିପାରିବେ ନାହିଁ । ଯେ ପାରିବ ତା’ ପାଖରେ ଆପଣଙ୍କର କୌଣସି ଭୟ ନାହିଁ–ତା’ଠାରୁ ମୁଁ ଢେର୍ ବେଶୀ ଆପଣାର । ସେ ଦିନ ସାଙ୍ଗରେ ଯିବା ପାଇଁ ଡାକିଥିଲେ–କିନ୍ତୁ ପାରି ନ ଥିଲି, ଆଜି ଆଉ ନ ପାରିଲେ ଚଳିବ ନାହିଁ । ସେ ଘରକୁ ଚାଲନ୍ତୁ । କୌଣସି ଭୟ କରିବାର ନାହିଁ–ପୁରୁଷର ସଙ୍ଗ ଭୋଗ କରିବା ଯେଉଁମାନଙ୍କର ଏକମାତ୍ର ବିଳାସ–ମୁଁ ସେ ଜାତିର ନୁହେଁ । ଉଠନ୍ତୁ ।’

 

ଅନ୍ୟ ଘରକୁ ଆସି କମଳ ସମ୍ପୂର୍ଣ୍ଣ ନୂଆ ବିଛଣା ପକାଇ ଦେଲା ଏବଂ ତଳେ ତା’ପାଇଁ କେବଳ ଖଣ୍ଡେ ମଶିଣା ପକାଇ କହିଲା–ଆସୁଛି । ଦଶମିନିଟ୍‍ରୁ ବେଶୀ ଡେରି ହେବନି–ଶୋଇପଡ଼ିବେ ନାହିଁ ।

 

‘ନା ।’

 

‘ଶୋଇଥିଲେ କିନ୍ତୁ ଜବରଦସ୍ତି ଉଠାଇଦେବି ।’

 

‘ତା’ର ଦରକାର ନାହିଁ–ନିଦ ମୋ ଆଖିରୁ ଚାଲିଗଲାଣି ।’

 

‘ଆଚ୍ଛା, ଦେଖାଯାଉ’ କହି କମଳ ସେ ଘରୁ ବାହାରିଗଲା । ରନ୍ଧା ବାସନଗୁଡ଼ିକ ଟେକି ଦେଇ ଓ ବାହାର ଦୁଆର ବନ୍ଦ କରି ସାରିଲେ ଯାଇ ତା’ର ଦିନର କାମ ଶେଷ ।

 

କମଳର ତିଆରି ଶୁଭ୍ର ସୁନ୍ଦର ଶେଯ ଉପରେ ଏକୁଟିଆ ବସି ଭାବୁ ଭାବୁ ଅଜିତ୍‍ ଦୀର୍ଘଶ୍ଵାସ ପକାଇଲା । ମନ ଭିତରଟା ତୃପ୍ତିରେ ତା’ର ଭରି ଉଠିଲା । ଆଗ୍ରହ ଉତ୍ତାପ ନାହିଁ–କେବଳ ଶାନ୍ତ ଆନନ୍ଦର ମଧୁର ସ୍ପର୍ଶ ଯେପରି ନିଃଶବ୍ଦରେ ତା’ର ସର୍ବ ଶରୀରକୁ ଘେରି ରହିଛି ।

 

ଅଜିତ୍‍ ଧନୀ ଘରର ସନ୍ତାନ–ଆଜନ୍ମ ବିଳାସ ମଧ୍ୟରେ ପ୍ରତିପାଳିତ । କିନ୍ତୁ ହରେନ୍ଦ୍ରର ବ୍ରହ୍ମଚର୍ଯ୍ୟାଶ୍ରମରେ ଭର୍ତ୍ତି ହେଲା ଦିନଠାରୁ ଦୈନ୍ୟ ଓ ଆତ୍ମନିଗ୍ରହର ଦୁର୍ଗମ ପଥରେ–ଭାରତୀୟ ବୈଶିଷ୍ଟ୍ୟର ମର୍ମୋପଲବ୍ଧି ପାଇଁ ଏକାଗ୍ର ସାଧନା ଭିତରେ–ଏ ଦିଗରୁ ତା’ର ଦୃଷ୍ଟି ଅପସାରିତ ହୋଇ ଯାଇଥିଲା । ହଠାତ୍ ଆଖିରେ ପଡ଼ିଲା–ହଳଦିଆ ରଙ୍ଗ ସୂତାରେ ତିଆରି ତକିଆର ଚାରିଧାରରେ ଚନ୍ଦ୍ରମଲ୍ଲିକା ପୁଷ୍ପଗୁଚ୍ଛ । ବିଛଣା ଚାଦରର ଯେ ପାଖଟି ଝୁଲିପଡ଼ିଛି–ସେଥିରେ ସାଦା ରେଶମୀ ସୂତାରେ ବୁଣା କୌଣସି ଏକ ଲତାର ଛବି । ଏଇ ସାମାନ୍ୟ ଶିଳ୍ପ କର୍ମ–ଅତି ତୁଚ୍ଛ ଘଟଣା-। କେତେ ଲୋକଙ୍କ ଘରେ ହୁଏତ ଅଛି । ଅବସର ପାଇବା ଭିତରେ କମଳ ବୁଣିଛି । ଅଜିତ୍‍ ମୁଗ୍ଧ ହେଲା । ହାତରେ ସେଇଟି ଓଲଟାଇ ଦେଖୁଛି–କମଳ ବାହାର କାମ ସାରି ଘର ଭିତରକୁ ପଶି ଆସିଲା । ତାକୁ ଚାହିଁ ଅଜିତ୍‍ କହିଲା–ବାଃ, ବେଶ୍ ତ ।

 

କମଳ ଆଶ୍ଚର୍ଯ୍ୟ ହୋଇ କହିଲା–କ’ଣ ବେଶ୍ ? ଏଇ ସାମାନ୍ୟ ଲତାଟି ?

 

‘ହଁ, ଆଉ ଏଇ ହଳଦିଆ ରଙ୍ଗର ଫୁଲଗୁଡ଼ିକ–ତମେ ନିଜେ କରିଛ ନା ?’

 

କମଳ ହସି କହିଲା–ଚମତ୍କାର ପ୍ରଶ୍ନ । ଆଉ କ’ଣ କାରିଗର ଡାକି ତିଆରି କରେଇଛି ? ଆପଣଙ୍କର ଏସବୁ ଦରକାର ?

 

‘ନା, ନା–ମୋର ଦରକାର ନାହିଁ । ମୁଁ ନେଇ କ’ଣ କରିବି ?’

 

ତା’ର ଏଇ ବ୍ୟାକୁଳ ଓ ସଲ୍ଲଜ ପ୍ରତ୍ୟାଖ୍ୟାନରେ କମଳ ହସି କହିଲା–ଆଶ୍ରମକୁ ନେଇ ଶୋଇବେ । କିଏ ପଚାରିଲେ କହିବେ–କମଳ ରାତି ଅନିଦ୍ରା ରହି ମୋ’ପାଇଁ ତିଆରି କରିଛି ।

 

‘ଧୁତ୍’–

 

ଧୁତ୍ କାହିଁକି ? ନିଜ ପାଇଁ କେହି ଏସବୁ ଜିନିଷ ତିଆରି କରେନା–କରେ ଆଉ ଜଣକ ପାଇଁ । କଷ୍ଟ କରି ଏଗୁଡ଼ିକ ଯେ ତିଆରି କରିଥିଲି, ତା’ କ’ଣ ଆପଣଙ୍କ ପାଇଁ ? ଦିନେ ଜଣେ ନିଶ୍ଚୟ ଆସିବ–କେବଳ ତା’ପାଇଁ ଏସବୁ ଥିଲା । ସକାଳେ ଯେତେବେଳେ ଯିବେ–ସବୁ ଆପଣଙ୍କ ସାଙ୍ଗରେ ପଠେଇ ଦେବି ।

 

ଏଥର ଅଜିତ୍‍ ହସିଲା । କହିଲା–ଆଚ୍ଛା କମଳ, ମୁଁ କ’ଣ ଏତେ ବୋକା ?

 

‘କାହିଁକି ?’

 

‘ତମେ ମୋ କଥା ଭାବି ଏସବୁ ତିଆରି କରିଥିଲ ବୋଲି ମୁଁ କେମିତି ବିଶ୍ୱାସ କରିବି ?’

 

‘କାହିଁକି କରିବେନି ?’

 

‘କରିବିନି କାରଣ ତା’ ସତ୍ୟ ନୁହେଁ ।’

 

‘କିନ୍ତୁ ମୁଁ ଯଦି କହେ ସତ ବୋଲି–ତା’ହେଲେ କ’ଣ ବିଶ୍ୱାସ କରିବେ ?’

 

‘ନିଶ୍ଚୟ ବିଶ୍ୱାସ କରିବି । ତମେ ଖୁବ୍ ବେଶୀ ଥଟ୍ଟା କରିପାର–କିନ୍ତୁ ତା’ କାଟେନା । ସେ ଦିନର ସେଇ ମୋଟରରେ ଯିବା କଥା ମନରେ ଭାବିଲେ ମୋର ଲଜ୍ଜାର ସୀମା ରହେନି–ତା’ ଅବଶ୍ୟ ଅଲଗା । କିନ୍ତୁ ଯାହା ଥଟ୍ଟା ନୁହେଁ–ସେ ବିଷୟରେ ତମେ ଯେ କେବେ ମିଛ କହିବନି, ସେ କଥା ମୁଁ ଠିକ୍ ଜାଣେ ।’

 

‘ତା’ହେଲେ ଯଦି କହିବି ଯେ ମୁଁ ଥଟ୍ଟା କରିନି–ସତ କଥା କହୁଛି–ତା’ହେଲେ ବିଶ୍ଵାସ କରିବେ ?’

 

‘ନିଶ୍ଚୟ କରିବି ।’

 

କମଳ କହିଲା–ତା’ ଯଦି ବିଶ୍ୱାସ କରନ୍ତି ତେବେ ଅପଣଙ୍କୁ ସତ କଥା କହୁଛି । ସେତେବେଳକୁ ରାଜେନ୍‍ ଅବଶ୍ୟ ଆସି ନ ଥିଲା ଅର୍ଥାତ୍ ଆଶ୍ରମରେ ସ୍ଥାନ ନ ପାଇ ସେ ମୋ ଘରେ ଆଶ୍ରୟ ନେବା ପୂର୍ବର କଥା । ମୋର ବି ସେଇ ଦଶା । ଆପଣମାନେ ସମସ୍ତେ ଯେତେବେଳେ ଘୃଣାରେ ମତେ ତଡ଼ିଦେଲେ–ଏଇ ବିଦେଶରେ କାହା ପାଖରେ ଯାଇ ଠିଆ ହେବାର ଆଶା ଭରସା ବି ରହିଲାନି–ସେଇ ଗଭୀର ଦୁଃଖ ଦିନରେ ୟାକୁ ବୁଣିଥିଲି । ସେଦିନ ଯେ କାହାକୁ ସ୍ମରଣ କରି କରିଥିଲି–ସେ କଥା ନୁହେଁ । ପ୍ରାୟ ଭୁଲି ଯାଇଥିଲି; କିନ୍ତୁ ଆଜି ଆପଣଙ୍କ ପାଇଁ ବିଛଣା କଲାବେଳକୁ ହଠାତ୍ ମନେହେଲା–ନା, ସେ ବିଛଣାରେ ଅନ୍ୟମାନେ ଶୋଇଛନ୍ତି, ସେ ବିଛଣା ମୁଁ ଆପଣଙ୍କୁ ବ୍ୟବହାର କରିବାକୁ ଦେଇପାରିବି ନାହିଁ ।

 

‘କାହିଁକି ନୁହେଁ ?’

 

‘କେଜାଣି–ମତେ କିଏ ଯେମିତି ଧକ୍କା ମାରି ଏକଥା କହିଦେଲା । ତା’ପରେ କିଛି ସମୟ ମୌନ ରହି ସେ କହିଲା–ହଠାତ୍ ମନେପଡ଼ିଲା–ଏଇଲାଗେ ଚାଲି ଆସିବେ । ତେଣୁ ଜଲଦି ଟ୍ରଙ୍କ୍ ଖୋଲି ଆଣି ପକାଇଲା ବେଳେ ମନେହେଲା ଯେ ସେ ଦିନ ଯାହା ପାଇଁ ରାତି ଜାଗିରହି ଫୁଲ ଓ ଲତା ଆଙ୍କିଥିଲି–ସେ ଆପଣ ।’

 

ଅଜିତ୍‍ କଥା କହି ପାରିଲା ନାହିଁ । କେବଳ ତା’ ମୁହଁ ଲାଲ୍ ପଡ଼ିଗଲା ।

 

କମଳ କିଛି ସମୟ ଚୁପ୍ ରହି କହିଲା–କ’ଣ ଭାବୁଛନ୍ତି ?

 

ଅଜିତ୍‍ କହିଲା–କେବଳ ଚୁପ୍‍କରି ରହିଛି–କିଛି ଭାବି ପାରୁନି ।

 

‘କାହିଁକି ?’

 

‘କାହିଁକି ? ତମ କଥା ଶୁଣି ମୋ ବୁକୁ ଭିତରେ ଗୋଟାଏ ଝଡ଼ ବହିଗଲା–କେବଳ ଝଡ଼–ନା ଆସିଲା ଆନନ୍ଦ, ନା ରହିଲା ଆଶା ।’

 

କମଳ ନିଃଶବ୍ଦରେ ଚାହିଁ ରହିଲା । ଅଜିତ୍‍ ଧୀରେ ଧୀରେ କହିବାକୁ ଲାଗିଲା–କମଳ, ଗୋଟାଏ ଗଳ୍ପ କହୁଛି, ଶୁଣ । ମୋ ମା’ଙ୍କୁ ଥରେ ଆମର ଗୃହଦେବତା ରାଧାବଲ୍ଲଭ ଜୀଉ ପୂଜାଘରେ ଜୀବନ୍ତ ଭାବେ ଦେଖା ଦେଇଥିଲେ–ତା’ ହାତରୁ ପୂଜା ନେଇ ଖାଇ ବସିଲେ–ଏ ମୋ ମା’ର ନିଜ ଆଖିଦେଖା । ସମସ୍ତେ ବୁଝିଲେ ଏଇଟା ମା’ର ସ୍ଵପ୍ନ–କିନ୍ତୁ ଏଇ ଅବିଶ୍ୱାସ ପାଇଁ ଦୁଃଖ ତା’ର ମଲା ଯାଏଁ ଯାଇନି । ଆଜି ତମ କଥା ଶୁଣି ମୋର ସେଇ କଥା ମନେପଡ଼ିଛି । ତମେ ଥଟ୍ଟା କରିନ ମୁଁ ବୁଝୁଛି–କିନ୍ତୁ ମୋ ମା’ଙ୍କ ଭଳି ତମର କୌଣସି ଗୋଟାଏ ଜାଗାରେ ମସ୍ତବଡ଼ ଭୁଲ୍ ହେଇଛି । ମଣିଷ ଜୀବନରେ ଏଭଳି ଅନେକ ସମୟରେ ଘଟେ–ନିଜ ସମ୍ପର୍କରେ ସେ ଅନ୍ଧାରରେ ଥାଏ । ହୁଏତ ହଠାତ୍ ତା’ର ଦିନେ ଆଖି ଖୋଲେ । ମୋର ବି ସେଇଭଳି । ପୃଥିବୀର ବହୁଜାଗା ଘୂରୁଥିଲି–କେବଳ ଏଇ ଆଗ୍ରାକୁ ଆସିଲା ପରେ ନିଜକୁ ଦେଖି ପାରିଲି । ମୋ ନିଜ ଅସ୍ତିତ୍ଵ ମାନେ ଅଛି କେବଳ କିଛି ଟଙ୍କା–ତା’ଛଡ଼ା ମୋ ନିଜ ଅଜ୍ଞାତସାରରେ ମୋର ଏଭଳି କିଛି ସମ୍ପଦ ନାହିଁ, ଯା’ ପାଇଁ ତୁମେ ମୋତେ ଭଲପାଇ ପାରିବ ।

 

କମଳ କହିଲା–ଟଙ୍କା ପାଇଁ ଭାବନା ନାହିଁ–ଆଶ୍ରମବାସୀମାନେ ଯେତେବେଳେ ଆପଣଙ୍କ ଟଙ୍କାର ସନ୍ଧାନ ପାଇଛନ୍ତି–ସେମାନେ ତା’ ବ୍ୟବସ୍ଥା କରିବେ ନିଶ୍ଚୟ । ଏହା କହି ସେ ହସି ହସି କହିଲା–କିନ୍ତୁ ଅନ୍ୟ ସବୁ ଦିଗରୁ ଯେ ଆପଣ ଏତେ ବେଶୀ ନିଃସ୍ୱ, ଏ ଖବର ମୁଁ କ’ଣ ଆଗରୁ ପାଇଥିଲି ? ତା’ହେଲେ କ’ଣ ଭଲପାଇଥାନ୍ତି ? ତା’ଛଡ଼ା, ଆପଣଙ୍କ ସ୍ୱଭାବର ଭଲମନ୍ଦ ଦିଗ ଜାଣିବା ପାଇଁ ମୁଁ ବା ସମୟ କେତେବେଳେ ପାଇଲି ? ମନ ଭିତରେ ଗୋଟାଏ ସନ୍ଦେହ ଥିଲା–ତା’ର ଠିକଣା ପାଇ ନଥିଲି–କେବଳ ମାତ୍ର ଏଇ ଦଶମିନିଟ୍ ତଳେ ଏକଲା ଏଇ ବିଛଣା ପକାଇବାକୁ ଗଲାବେଳେ କିଏ ଯେମିତି ମୋ କାନରେ ଆସି କହିଗଲା ।

 

ଅଜିତ୍‍ ଗଭୀର ବିସ୍ମୟ ସହ କହିଲା–ସତ କହୁଛ–ମାତ୍ର ଦଶମିନିଟ୍ ହେଲା ? କିନ୍ତୁ ତା’ହେଲେ ଏ ବିଶୁଦ୍ଧ ପାଗଳାମୀ ।

 

କମଳ କହିଲା–ପାଗଳାମୀ ତ । ସେଥିପାଇଁ ଆପଣଙ୍କୁ କହୁଛି ମୋତେ କୁଆଡ଼େ ନେଇ ଚାଲନ୍ତୁ–ବିବାହ କରି ଘରସଂସାର କରିବାର ଭିକ୍ଷା ତ ମୁଁ ମାଗିନି ।

 

ଅଜିତ୍‍ ଅତ୍ୟନ୍ତ କୁଣ୍ଠିତ ହୋଇ କହିଲା–ଭିକ୍ଷା ବୋଲି କାହିଁକି କହୁଛ କମଳ ? ଏ ତ ତମର ଭଲପାଇବାର ଅଧିକାର । କିନ୍ତୁ ଅଧିକାରର ତମେ ଦାବି କଲନାହିଁ–ଅଥଚ ଯାହା ଚାହୁଁଛ ତା’ ବୁଦ୍‍ବୁଦ୍‍ ପରି ସ୍ୱଳ୍ପାୟୁ ଓ ସେଇ ଭଳି ମିଥ୍ୟା ।

 

କମଳ କହିଲା–ହୁଏତ ୟା’ର ପରମାୟୁ ଅତି କମ୍ କିନ୍ତୁ ତା’ବୋଲି ମିଥ୍ୟା ହେବ କାହିଁକି-? ଆୟୁର ଦୀର୍ଘତାକୁ ଯେଉଁମାନେ ସତ୍ୟ ବୋଲି ଜାପ୍‍ଟି ଧରନ୍ତି, ମୁଁ ସେମାନଙ୍କ ପରି ନୁହେଁ-

 

‘କିନ୍ତୁ ଏ ଆନନ୍ଦର ଯେ ସ୍ଥାୟୀତ୍ଵ ନାହିଁ କମଳ ?’

 

‘ନ ଥାଉ–କିନ୍ତୁ ଗଛର ଫୁଲ ଶୁଖିଯିବ ବୋଲି ସୋଲ ଫୁଲ ତୋଡ଼ା ବାନ୍ଧି ଯେଉଁମାନେ ଫୁଲଦାନୀରେ ରଖନ୍ତି–ସେମାନଙ୍କ ସଙ୍ଗେ ମୋର ମତ ମିଳିବ ନାହିଁ । ଆପଣଙ୍କୁ ଆଉଥରେ ଠିକ୍ ଏଇ କଥା କହିଥିଲି ଯେ କେଉଁ ଆନନ୍ଦର ସ୍ଥାୟୀତ୍ଵ ନାହିଁ–ଅଛି କେବଳ ତା’ର କ୍ଷଣସ୍ଥାୟୀ ଦିନଗୁଡ଼ିକ, ସେଇ ତ ମଣିଷ ଜୀବନର ଚରମ ସଞ୍ଚୟ । ତାକୁ ଅଟକାଇ ରଖିବାକୁ ଚେଷ୍ଟା କଲେ ଆନନ୍ଦର ମୃତ୍ୟୁ ହୁଏ । ତେଣୁ ବିବାହରେ ସ୍ଥାୟୀତ୍ଵ ଅଛି–କିନ୍ତୁ ଆନନ୍ଦ ନାହିଁ । ଦୁଃସହ ସ୍ଥାୟୀତ୍ଵର ମୋଟା ଦଉଡ଼ିରେ ଆନନ୍ଦ ସେଇଠି ଆତ୍ମହତ୍ୟା କରେ ମାତ୍ର ।’

 

ଅଜିତ୍‍ର ମନେପଡ଼ିଲା–ଠିକ୍ ଏଇ କଥା ସେ କମଳଠାରୁ ଆଗେ ଶୁଣିଛି । ଏ କଥା ଖାଲି ତା’ର ମୁହଁରେ ନୁହେଁ, ଅନ୍ତରର ବିଶ୍ୱାସ । ଶିବନାଥ ତାକୁ ବିବାହ କରିନି, ଫାଙ୍କି ହେଇଛି–କିନ୍ତୁ ସେଥିପାଇଁ କମଳ ଦିନେ ବି ଅଭିଯୋଗ କରିନି । କାହିଁକି କରିନି ? ଆଜି ପ୍ରଥମଥର ପାଇଁ ଅଜିତ୍‍ ବୁଝିଲା, ଏ ଫାଙ୍କିରେ ତା’ ନିଜର ବି ମତ ଥିଲା । ପୃଥିବୀ ବ୍ୟାପ୍ତ ସମସ୍ତ ମାନବ-ଜାତିର ଏଇ ପ୍ରାଚୀନ ଓ ପବିତ୍ର ଅନୁଷ୍ଠାନ ପ୍ରତି ଏ ଅବଜ୍ଞା ଦେଖି ଅଜିତ୍‍ର ମନ ଘୃଣାରେ ଭରିଗଲା ।

 

କିଛି ସମୟ ଚୁପ୍ ରହି ଅଜିତ୍‍ କହିଲା–ତମ ପାଖରେ ଗର୍ବ କରିବାକୁ ମୋତେ ସାଜେନା, କିନ୍ତୁ ତମ ପାଖରେ ଆଜି କିଛି ଗୋପନ ରଖିବି ନାହିଁ । ମହାବାକ୍ୟ କହେ–କାମିନୀ କାଞ୍ଚନ ତ୍ୟାଗ କରିବା ପୁରୁଷପାଇଁ ଶ୍ରେଷ୍ଠ ପୁରୁଷାର୍ଥ । ବିଚାରବୁଦ୍ଧି ଦିଗରୁ ଏ କଥା ମୁଁ ବିଶ୍ୱାସ କରେ ଏବଂ ଏ ସାଧନାରେ ସିଦ୍ଧିଲାଭଠାରୁ ମହତ୍ତର ଆଉ କିଛି ନାହିଁ–ଏ ବିଷୟରେ ବି ମୁଁ ନିଃସନ୍ଦେହ । କାଞ୍ଚନ ମୋର ଯଥେଷ୍ଟ ଅଛି–ସେଥିପ୍ରତି ଲୋଭ ନାହିଁ–କିନ୍ତୁ ସମସ୍ତ ଜୀବନରେ ଭଲପାଇବାର ବ୍ୟକ୍ତି କେହି ନାହିଁ–କେହି କେତେବେଳେ ରହିବ ନାହିଁ, ଏକଥା ଭାବିଲେ ବେଳେ ବେଳେ ଛାତି ଭିତରଟା ଶୁଖିଯାଏ । ଭୟ ହୁଏ, ଅନ୍ତରର ଏ ଦୁର୍ବଳତା ମୁଁ ବୋଧହୁଏ ମୃତ୍ୟୁ ପର୍ଯ୍ୟନ୍ତ ଜୟ କରିପାରିବି ନାହିଁ । ତେଣୁ ଭାଗ୍ୟରେ ସେ କଥା ଯଦି କେବେ ଆସେ, ଆଶ୍ରମ ତ୍ୟାଗ କରି ମୁଁ ଚାଲିଯିବି । କିନ୍ତୁ ତମର ଆହ୍ଵାନ ତା’ଠାରୁ ବି ମିଥ୍ୟା । ଏ ଆହ୍ୱାନକୁ ମୁଁ ଗ୍ରହଣ କରିପାରିବି ନାହିଁ ।

 

‘କିନ୍ତୁ ତାକୁ ମିଥ୍ୟ କହୁଛନ୍ତି କାହିଁକି ?’

 

ମିଥ୍ୟା ତ ନିଶ୍ଚୟ । ମନୋରମା ଯେ ମୋତେ କେବେ ଭଲପାଇ ନ ଥିଲା–ସେ କଥା ତା’ର ଆଚରଣରୁ ଜଣାଯାଇଛି; କିନ୍ତୁ ଶିବନାଥ ପ୍ରତି ଶିବାନୀର ଭଲପାଇବା ମୁଁ ମୋ ନିଜ ଆଖିରେ ଦେଖିଛି । ସେ ଦିନ ତା’ ଥିଲା ଅସୀମ, ଆଜି କିନ୍ତୁ ତା’ର ଚିହ୍ନ ବି ନାହିଁ ?’

 

କମଳ କହିଲା–ଆଜି ଯଦି ତା’ ଚାଲିଯାଇଥାଏ, ତେବେ ସେଦିନ କ’ଣ ଆପଣ ମୋର କେବଳ ଛଳନା ଦେଖିଥିଲେ ।

 

ଅଜିତ୍‍ କହିଲା–ସେ କଥା ତମେ ଜାଣିଥିବ, କିନ୍ତୁ ମୋର ମନେହୁଏ ଯେ ନାରୀଜୀବନରେ ୟାଠାରୁ ବଳି ମିଥ୍ୟା ଆଉ ନାହିଁ ।

 

କମଳର ଦୃଷ୍ଟି ପ୍ରଖର ହୋଇଗଲା ସେ କହିଲା–‘ନାରୀ ଜୀବନର ସତ୍ୟାସତ୍ୟ ନିର୍ଦ୍ଦେଶର ଭାର ନାରୀ ଉପରେହିଁ ଥାଏ । ସେ ବିଚାରର ଦାୟିତ୍ଵ ପୁରୁଷର ନେବା ଦରକାର ନାହିଁ–ମନୋରମାର ନୁହେଁ, କମଳର ବି ନୁହେଁ । ଏଇପରି ସଂସାରରେ ଚିରଦିନ ନ୍ୟାୟ ବିଡ଼ମ୍ବିତ, ନାରୀ ଅସମ୍ମାନିତ ଓ ପୁରୁଷର ଚିତ୍ତ ସଂକୀର୍ଣ୍ଣ ଓ କଳୁଷିତ ହୋଇଯାଇଛି । ତେଣୁ ଏଇ ମିଥ୍ୟା ମାମଲାର ନିଷ୍ପତ୍ତି ହୋଇ ପାରୁନି । ଅବିଚାର କେବଳ ଏକ ପକ୍ଷର କ୍ଷତି କରେନା ଅଜିତ୍‍ ବାବୁ, ଦୁଇପକ୍ଷର ସର୍ବନାଶ ହୁଏ । ସେଦିନ ଶିବନାଥ ଯା’ ପାଇଥିଲେ, ଦୁନିଆର ଖୁବ୍ କମ୍ ପୁରୁଷଙ୍କ ଭାଗ୍ୟରେ ତା’ ଜୁଟେ; କିନ୍ତୁ ଆଜି ତା’ ନାଇଁ । କାହିଁକି ନାହିଁ ବୋଲି ତର୍କ ଉଠାଇ ମୋଟା ଦଣ୍ଡ ହଲାଇ ଶାସନ କରାଯାଇପାରେ, କିନ୍ତୁ ତା’ ଫେରସ୍ତ ମିଳିବ ନାହିଁ । ସେଦିନ ଥିବାଟା ଯେଉଁଭଳି ସତ୍ୟ ଥିଲା, ଆଜିର ନ ଥିବାଟା ବି ଠିକ୍ ସେଇଭଳି ସତ୍ୟ । ଏହାକୁ ଶଠତାର ଛିଣ୍ଡାକନ୍ଥା ଘୋଡ଼ାଇ ଲୁଚାଇବାକୁ ଲଜ୍ଜା କରୁଛି ବୋଲି କ’ଣ ଏଇଟା ନାରୀଜୀବନର ସବୁଠୁ ବଡ଼ ମିଥ୍ୟା ହେଇଗଲା ? ଏଇ ସୁବିଚାରର ଆଶା ନେଇ ଆମେ ଆପଣଙ୍କୁ ଚାହିଁରହିବୁ ?

 

ଅଜିତ୍‍ କହିଲା–କିନ୍ତୁ ଆଉ ଉପାୟ କ’ଣ ? ଯା’ ଏଭଳି କ୍ଷଣସ୍ଥାୟୀ, ଏଭଳି ଭଙ୍ଗୁର–ତାକୁ ଏହାଠାରୁ ଅଧିକ ସମ୍ମାନ ମଣିଷ ଦେବ କାହିଁକି ?

 

କମଳ କହିଲା–ଦେବେନି ମୁଁ ଠିକ୍ ଜାଣେ । ମୋ ରନ୍ଧାଘର ପାଖେ ଯେଉଁ ଫୁଲ ଫୁଟେ, ତା’ର ଜୀବନ ଓଳିକରୁ ବେଶୀ ନୁହେଁ । ତା’ଠାରୁ ଏଇ ରୁଟି ବେଲିବା ବେଲଣା କାଠିଟା ଢେର୍ ଦୃଢ଼, ଢେର୍ ଦୀର୍ଘ ସ୍ଥାୟୀ । ସତ୍ୟ ପରୀକ୍ଷା କରିବା ପାଇଁ ଏହାଠାରୁ ଅଧିକ ମଜ୍‍ବୁତ୍‍ ମାନଦଣ୍ଡ ଆପଣ ପାଇବେ କେଉଁଠୁ ?

 

‘କମଳ, ଏହା ଯୁକ୍ତି ନୁହେଁ–ଏହା କେବଳ ତୁମର ରାଗର କଥା ।’

 

‘ରାଗିବି କାହିଁକି ଅଜିତ୍‍ ବାବୁ ? କେବଳ ସ୍ଥାୟିତ୍ଵ ନେଇ ଯେଉଁମାନଙ୍କର କାରବାର ସେମାନେ ଏଇଭଳି ମୂଲ୍ୟ ଧାର୍ଯ୍ୟ କରନ୍ତି । ମୋର ଆହ୍ଵାନର ଯେ ଆପଣ ଜବାବ୍‍ ଦେଇ ପାରି ନାହାନ୍ତି, ତା’ ମୂଳରେ ଏଇ ସଂଶୟ ରହିଛି । ଚିରଦିନ ଦସ୍ତଖତ କରି ଯେ ବନ୍ଧନ ଗ୍ରହଣ କରିବ ନାହିଁ, ଆପଣ ତାକୁ ବିଶ୍ୱାସ କରିବେ କିପରି ? ଫୁଲ ଯେ ବୁଝେନା ତା’ଠାରୁ ଏଇ କାଠର ବାଡ଼ିଟା ଯଥେଷ୍ଟ ବେଶୀ ସ୍ଥାୟୀ ତେଣୁ ସତ୍ୟ–ଶୁଖି ନଷ୍ଟ ହେଇ ଯିବାର ଆଶଙ୍କା ନାହିଁ–ତା’ର ଆୟୁଷ ଗୋଟାଏ ଓଳି ପାଇଁ ନୁହେଁ, ବହୁକାଳ ପାଇଁ–ରନ୍ଧାଘରେ ପ୍ରୟୋଜନ ବେଳେ ଏ ଚିରଦିନ ରୁଟି ବେଲି ପାରିବ–ଖାଇବା ପାଇଁ ଅପରିହାର୍ଯ୍ୟ ରୁଟିର ଏ ହେଲା ପ୍ରଧାନ ଉପକରଣ–ତେଣୁ ତା’ ଉପରେ ନିର୍ଭୟ କରାଯାଇପାରେ–ନ ଥିଲେ ସଂସାର ବିସ୍ଵାଦ ହୋଇ ଉଠିବ ।

 

ଅଜିତ୍‍ କହିଲା–ଏ ବିଦ୍ରୂପର ଅର୍ଥ କ’ଣ, କମଳ ?

 

କମଳ ବୋଧହୁଏ ଶୁଣି ପାରିଲା ନାହିଁ–ମନକୁ ମନ କହିବାକୁ ଲାଗିଲା–ମଣିଷ ବୁଝିପାରେନା ହୃଦୟ ବସ୍ତୁଟା କାଠରେ ତିଆରି ନୁହେଁ–ବେଲଣା କାଠି ପରି ତା’ ଉପରେ ନିଶ୍ଚିନ୍ତ ନିର୍ଭୟ ଭାବେ ନିର୍ଭର କରି ହେବନି । ସେଥିପାଇଁ ଯେ ଦୁଃଖ ମିଳେନି ତା’ ନୁହେଁ–କିନ୍ତୁ ଏଇ ତା’ର ଧର୍ମ, ଏଇ ତା’ପାଇଁ ସତ୍ୟ । ଅଥଚ ଏକଥା କୁହାଯାଇ ପାରିବନି, ସ୍ଵୀକାର କରାଯିବନି, ୟାଠୁ ବଳି ଦୁର୍ନୀତି ସଂସାରରେ ଆଉ କ’ଣ ଅଛି ? ସେଥିପାଇଁ କେହି ଭାବି ପାରିଲେ ନାହିଁ ଯେ ଶିବନାଥଙ୍କୁ ମୁଁ ଶେଷରେ କିପରି କ୍ଷମା ଦେଲି । କାନ୍ଦି କାନ୍ଦି ବାୟାଣୀ ହୋଇ ଯାଇଥିଲେ ସେମାନଙ୍କ ପକ୍ଷରେ ବୁଝିବା ସମ୍ଭବ ହୋଇଥାନ୍ତା, କିନ୍ତୁ ଏ କଥା ହୋଇପାରିଲା ନାହିଁ । ଅରୁଚି ଓ ଅବହେଳାରେ ସେମାନଙ୍କ ମନ ତିକ୍ତ ହୋଇ ଉଠିଲା । ଗଛର ପତ୍ର ଶୁଖିଗଲେ ଝରିପଡ଼େ–ସେ କ୍ଷତ ନୂତନ ପତ୍ରରେ ପୂର୍ଣ୍ଣ ହୋଇଯାଏ । ଏଇଟା ସେମାନଙ୍କ ପାଇଁ ମିଥ୍ୟା ଆଉ ଶୁଖିଲା ଲତା ଗଛର ସର୍ବାଙ୍ଗ ଘେରି ପଡ଼ି ରହିବା ସେମାନଙ୍କ ପାଇଁ ସତ୍ୟ ।

 

ଅଜିତ୍‍ ଏକାଗ୍ର ଭାବେ ଶୁଣୁଥିଲା–ଶେଷ ହେବାରୁ ସହସା ଦୀର୍ଘଶ୍ୱାସ ତ୍ୟାଗ କରି କହିଲା–ଗୋଟାଏ କଥା ଆମେ ଭୁଲିଯାଉ କମଳ ଯେ ପ୍ରକୃତରେ ତମେ ଆମ ଭିତରର ଲୋକ ନୁହଁ । ତମର ରକ୍ତ, ତମର ସଂସ୍କାର, ତମର ସମସ୍ତ ଶିକ୍ଷା ବିଦେଶର । ତା’ର ପ୍ରଚଣ୍ଡ ସଂଘାତ କାଟି ଉଠିବା ତମ ପକ୍ଷରେ ସହଜ ନୁହେଁ–ଏବଂ ଏଇ ଜାଗାରେ ତମ ସଙ୍ଗେ ଆମମାନଙ୍କର ଅହରହ ଧକ୍କା ହୁଏ । ରାତି ଅନେକ ହେଲା କମଳ, ଏ ନିଛକ କଳି ବନ୍ଦ କରିବା–ଏ ଆଦର୍ଶ ତମ ପାଇଁ ନୁହେଁ ।

 

‘କେଉଁ ଆଦର୍ଶ ? ଆପଣଙ୍କ ବ୍ରହ୍ମଚାରୀ ଆଶ୍ରମର ?’

 

ଅଜିତ୍‍ ହଠାତ୍ ରାଗି ଉଠି କହିଲା–ହଁ, ଏ ଗୂଢ଼ତତ୍ତ୍ୱ ବିଦେଶୀମାନଙ୍କ ପାଇଁ ନୁହେଁ–ତେଣୁ ତୁମେ ବୁଝିପାରିବ ନାହିଁ ।

 

‘ଆଚ୍ଛା, ଆପଣଙ୍କ ସେଠି ମାତାଜୀ ହୋଇ ରହିଲେ ବୁଝିପାରିବି ନାଇଁ ?’

 

‘ନା ।’

 

ଏଥର କମଳ ହସି ଉଠିଲା । କହିଲା–କହନ୍ତୁ ତ, କିଭଳି ଏ ସାଧୁଙ୍କ ଆଡ୍‍ଡାରୁ ଆପଣଙ୍କ ନାଁ କାଟି ଆଣି ପାରିବି ? ବାସ୍ତବିକ୍, ଏଇ ଆଶ୍ରମଟା ମୋର ଚକ୍ଷୁଶୂଳ ହୋଇଛି ।

 

ଅଜିତ୍‍ ବିଛଣାରେ ଶୋଇପଡ଼ି କହିଲା–ରାଜେନ୍‍କୁ ଡାକି ଆଣି ଅନାୟାସରେ ଆଶ୍ରୟ ଦେଲ–ତମର କିଛି ମନେହେଲାନି, ନା ?

 

‘କ’ଣ ପୁଣି ମନେହେବ ?’

 

‘ଏସବୁ ବୋଧହୁଏ ତମେ ମନରେ ଧରନି ?’

 

‘କ’ଣ ଧରେନି, ଆପଣମାନଙ୍କର ମତାମତ ? ନା ।’

 

‘ନିଜ ସମ୍ପର୍କରେ ବୋଧହୁଏ ଭୟ ହୁଏନି, ନା ?’

 

‘କେତେବେଳେ ଯେ ଭୟ ହୁଏନା, ତା’ କହିପାରିବିନି, ତେବେ ବ୍ରହ୍ମଚାରୀକୁ ଭୟ କ’ଣ-?’

 

‘ହୁଁ’ କହି ଅଜିତ୍‍ ଆଖି ବୁଜି ପଡ଼ିରହିଲା । କିଛି ସମୟ ପରେ ମନକୁ ମନ କହିଲା–କେଞ୍ଚୁଆ ମାଟି ତଳେ ଅନ୍ଧାରରେ ଥାଏ–ସେ ଜାଣେ ବାହାରର ଆଲୁଅକୁ ବାହାରିଲେ ତା’ର ରକ୍ଷା ନାହିଁ–ତାକୁ ଗିଳିବା ପାଇଁ ଯେମିତି କିଏ ଆଁ କରି ରହିଛି । ଲୁଚି ରହିବା ଛଡ଼ା ଆତ୍ମରକ୍ଷାର ଅନ୍ୟ କୌଣସି ଉପାୟ ସେ ଜାଣେନା । ତମେ ଜାଣ, ମଣିଷ କେଞ୍ଚୁଆ ନୁହେଁ–ନାରୀ ହେଲେ ବି ନୁହେଁ । ଶାସ୍ତ୍ରରେ ଅଛି ନିଜର ସ୍ୱରୂପ ଜାଣିପାରିବା ମଣିଷର ପରମଶକ୍ତି–ଏଇ ଜାଣିବା ହିଁ ତମର ଅସଲ ଶକ୍ତି, ନୁହେଁ କମଳ ?

 

କମଳ କିଛି ନ କହି ଚାହିଁ ରହିଲା ।

 

ଅଜିତ୍‍ କହିଲା–ସ୍ତ୍ରୀମାନେ ଯେଉଁ ଜିନିଷଟିକୁ ସେମାନଙ୍କର ଇହଜୀବନର ଯଥାସର୍ବସ୍ଵ ବୋଲି ମନେକରନ୍ତି–ସେଇ ଜାଗାରେ ତମର ଏପରି ଏକ ସହଜ ଔଦାସୀନ୍ୟ ବିଦ୍ୟମାନ ଯେ ଯେତେ ନିନ୍ଦା କଲେ ବି ସେଇ ତମକୁ ଅଗ୍ନିବେଷ୍ଟନୀ ପରି ତମ ଚାରିପାଖରେ ଘେରି ରହିଛି; ଦେହକୁ ଛୁଇଁବା ପୂର୍ବରୁ ଯା’ କିଛି ହେଲେ ବି ପୋଡ଼ିଯିବ । ଏଇକ୍ଷଣି କହୁଥିଲ ଯେ ଯେଉଁମାନେ ପୁରୁଷର ଭୋଗର ବସ୍ତୁ ତୁମେ ସେ ଭିତରେ ନାହଁ । ଆଜି ରାତିରେ ଏଇଠି ମୁହାଁମୁହିଁ ବସି ଏ କଥାଟାର ଅର୍ଥ ମୁଁ ସ୍ପଷ୍ଟ ବୁଝିପାରୁଛି । ଆମର ନିନ୍ଦାଖ୍ୟାତିକୁ ଅବଜ୍ଞା କରିବାର ଶକ୍ତି ଯେ ତୁମେ କେଉଁଠୁ ପାଅ, ତା’ ବି ବୁଝିପାରୁଛି ।

 

କମଳ କୃତ୍ରିମ ବିସ୍ମୟରେ ମୁହଁଟେକି କହିଲା–ବ୍ୟାପାର କ’ଣ ଅଜିତ୍‍ ବାବୁ, କଥାଗୁଡ଼ାକ ଯେ ଅନେକ ଜ୍ଞାନପୂର୍ଣ୍ଣ ପରି ମନେହେଲା ?

 

ଅଜିତ୍‍ କହିଲା–ଆଚ୍ଛା କମଳ, ସତ କହିଲ, ମୋର ମତ କ’ଣ ତମ ପାଖରେ ଅନ୍ୟମାନଙ୍କ ପରି ତୁଚ୍ଛ ?

 

‘କିନ୍ତୁ ଏ କଥା ଜାଣି ଆପଣଙ୍କର ଲାଭ କ’ଣ ହେବ ?’

 

‘କମଳ, ନିଜକୁ ଶକ୍ତିମାନ ବୋଲି ମୁଁ ତମ ପାଖେ କୌଣସି ଦିନ ଅହଙ୍କାର କରିନି । ବାସ୍ତବିକ୍ ମୁଁ ଯେପରି ଦୁର୍ବଳ, ସେହିପରି ଅସହାୟ । କୌଣସି ଜିନିଷ ଜୋର କରି କରିବାର ସାମର୍ଥ୍ୟ ମୋର ନାହିଁ ।

 

କମଳ ହସି କହିଲା–ସେ କଥା ମୁଁ ଆପଣଙ୍କଠାରୁ ନିଜେ ବେଶୀ ଜାଣେ ।

 

ଅଜିତ୍‍ କହିଲା–ମୋର କ’ଣ ମନେହୁଏ ଜାଣ ? ମନେହୁଏ ତମକୁ ପାଇବା ମୋ’ପାଇଁ ଯେପରି ସହଜ–ହରେଇବା ବି ଠିକ୍ ସେଇଭଳି ସହଜ ।

 

କମଳ କହିଲା–ତା’ ବି ମୁଁ ଜାଣେ ।

 

ଅଜିତ୍‍ କହିଲା–ସେଇ ତ ମୋର ଭୟ । ତୁମକୁ ଆଜି ପାଇବା ତ ଖାଲି ନୁହେଁ, ଦିନେ ଯଦି ଏଇଭଳି ହରେଇ ବସିବି ତେବେ କ’ଣ ହେବ ?

 

କମଳ ଶାନ୍ତ କଣ୍ଠରେ କହିଲା–କିଛି ହେବନି–ସେଦିନର ହରେଇବା ବି ଏଇଭଳି ସହଜ ହେଇଯିବ । ଯେତେଦିନ ତମ ପାଖେ ଥିବି, ସେଇ ବିଦ୍ୟା ଦେଇଯିବି ।

 

ଅଜିତ୍‍ ଚମକି ଉଠିଲା । କହିଲା–ବିଲାତରେ ଦେଖିଛି ସେମାନେ କେତେ ସହଜରେ, କେତେ ସାମାନ୍ୟ କାରଣରେ ଚିରଦିନ ପାଇଁ ବିଚ୍ଛିନ୍ନ ହୋଇ ଯାଇ ପାରନ୍ତି । ମନରେ ଭାବେ, ସତରେ କ’ଣ କିଛି ଲାଗୁ ନ ଥିବ ? ଆଉ ଏଇ ଯଦି ଭଲପାଇବାର ପରିଚୟ, ତେବେ ସେମାନେ ତାଙ୍କ ସଭ୍ୟତା ପାଇଁ ଗର୍ବ କରନ୍ତି କାହିଁକି ?

 

କମଳ କହିଲା–ଅଜିତ୍‍ ବାବୁ, ବାହାରୁ ଖବରକାଗଜରୁ ଯେତେ ସହଜ ଦେଖୁଛନ୍ତି, ଜିନିଷଟା ହୁଏତ ସେତେ ସହଜ ନୁହେଁ । କିନ୍ତୁ ତଥାପି ମୁଁ ସର୍ବାନ୍ତଃକରଣରେ କାମନା କରେ ଯେ ନରନାରୀର ଏଇ ସମ୍ପର୍କ ଯେପରି ଆଲୋକ ଓ ପବନ ପରି ସହଜ ହୋଇଯାଏ ।

 

ଅଜିତ୍‍ ନିଃଶବ୍ଦରେ ତା’ ମୁହଁକୁ ଚାହିଁ ରହିଲା, କଥା କହିଲା ନାହିଁ । ତା’ପରେ ଧୀରେ ଧୀରେ ଅନ୍ୟଦିଗକୁ ମୁହଁ ବୁଲାଇ ଆଖି ବୁଜି ପଡ଼ି ରହିଲା । ତା’ ଆଖିରୁ ଧାର ଧାର ଲୁହ ବୋହିବାକୁ ଲାଗିଲା ।

 

ହୁଏତ କମଳ ବୁଝିପାରିଲା । ଉଠିଆସି ଶେଯ ଉପରେ ବସି ଧୀରେ ଧୀରେ ତା’ ମୁଣ୍ଡରେ ହାତ ବୁଲାଇଲା, କିନ୍ତୁ କିଛି କହିଲା ନାହିଁ ।

 

ମୁଣ୍ଡ ଉପରର ଖୋଲା ଝରକା ବାଟେ ଦେଖାଗଲା ଯେ କ୍ରମଶଃ ପୂର୍ବ ଦିଗ ଆକାଶ ଆଲୋକିତ ହୋଇ ଆସୁଛି ।

 

କମଳ କହିଲା–ଅଜିତ୍‍, ଆଉ ବୋଧହୁଏ ଶୋଇବାକୁ ସମୟ ନାହିଁ ।

 

ଅଜିତ୍‍ କହିଲା–ନା, ଏଥର ଉଠେ ।

 

(ବାଇଶ)

 

ସଂସାରରେ ଜଣେ ସାଧାରଣ ବ୍ୟକ୍ତିରୂପେ ବଞ୍ଚିବା ଛଡ଼ା ବୋଧହୁଏ ଆଶୁ ବାବୁ ସୃଷ୍ଟିକର୍ତ୍ତାଙ୍କଠାରେ ଅଧିକ ବେଶୀ ଦାବି କରନ୍ତି ନାହିଁ । ବିପୁଳ ପୈତୃକ ସମ୍ପତ୍ତି ସେ ଯେପରି ଶାନ୍ତ ମନରେ ଗ୍ରହଣ କରିଥିଲେ, ଠିକ୍ ସେହିଭଳି ବିରାଟ ଦେହଭାର ଓ ଆନୁସଙ୍ଗିକ ବାତରୋଗ ସାଧାରଣ ଦୁଃଖ ଭଳି ଗ୍ରହଣକରି ନେଇଥିଲେ । ବିଧାତା ଯେ ପୃଥିବୀର ସୁଖ ଦୁଃଖ କେବଳ ତାଙ୍କ ପାଇଁ ତିଆରି କରି ନାହାନ୍ତି, ସେ ସବୁ ନିଜ ନିୟମରେ ଚଳେ–ଏ ସତ୍ୟ ସେ ସହଜାତ ସଂସ୍କାର ପରି ପାଇଥିଲେ । ଏକଦା ଆକସ୍ମିକ ସ୍ତ୍ରୀ ବିୟୋଗ ପରି ଦୁର୍ଘଟଣାରେ ଯେତେବେଳେ ସମଗ୍ର ପୃଥିବୀ ତାଙ୍କୁ ଅନ୍ଧାର ଦେଖାଗଲା–ସେତେବେଳେ ବି ସେ ବିଧାତାଙ୍କୁ ଧିକ୍କାର କରିନାହାନ୍ତି । ଯେଉଁଦିନ ଅତ୍ୟନ୍ତ ସ୍ନେହର କନ୍ୟା ମନୋରମା ତାଙ୍କର ସମସ୍ତ ଆଶା ଭରସାକୁ ଧୂଳିସାତ୍ କରିଦେଇ ଚାଲିଗଲା, ସେଦିନ ବି ସେ ମୁଣ୍ଡପିଟି କାନ୍ଦି ନାହାନ୍ତି । କ୍ଷୋଭ ଓ ଦୁଃସହ ନୈରାଶ୍ୟର ମଝିରେ ତାଙ୍କ ମନ ଭିତରୁ କିଏ ଯେମିତି ଅତି ପରିଚିତ କଣ୍ଠରେ କହୁଥିଲା ଯେ ଏମିତି ସାଧାରଣତଃ ହୁଏ । ଏପରି ଦୁଃଖ ବହୁବ୍ୟକ୍ତିଙ୍କ ଭାଗ୍ୟରେ ବହୁବାର ଆସିଛି–ଏହାହିଁ ସଂସାରର ସ୍ୱାଭାବିକ ରୀତି । ଏଥିରେ ନୂତନତ୍ୱ ନାହିଁ । ଏହା ସୃଷ୍ଟି ପରି ଅତି ପ୍ରାଚୀନ–ଉଚ୍ଛ୍ଵସିତ ଶୋକର ତରଙ୍ଗ ତୋଳି ଏହାକୁ ସଂସାରରେ ପରିବ୍ୟାପ୍ତ କରିବାରେ ପୌରୁଷ ନାହିଁ ବା ପ୍ରୟୋଜନ ନାହିଁ । ତେଣୁ ସର୍ବବିଧ ଦୁଃଖ ଶାନ୍ତ ଓ ସମାହିତ ହୋଇ ତାଙ୍କ ନିକଟରେ ଏପରି ଏକ ସ୍ନିଗ୍ଧ ବେଷ୍ଟନୀ ସୃଷ୍ଟି କରେ ଯେ ଯେକୌଣସି ବ୍ୟକ୍ତି ତାଙ୍କ ପାଖକୁ ଆସିଲେ ତା’ର ଦୁଃଖର ବୋଝ ଆପେ ଆପେ ଲାଘବ ହୋଇଯାଏ ।

 

ଏଇଭଳି ଆଶୁ ବାବୁଙ୍କର ଏପର୍ଯ୍ୟନ୍ତ କଟିଥିଲା । ଆଗ୍ରାକୁ ଆସିଲାପରେ ବି ନାନା ବିପର୍ଯ୍ୟୟ ଭିତରେ ଏଥିରେ ବ୍ୟତ୍ୟୟ ଘଟିନାହିଁ–ଅଥଚ ଏଇ ବ୍ୟତିକ୍ରମ ଆଜିକାଲି ଖୁବ୍ ବେଶୀ ଆଖିରେ ପଡ଼େ । ହଠାତ୍ ଏବେ ଦେଖାଯାଉଛି ଯେ ତାଙ୍କର ଧୈର୍ଯ୍ୟର ଅଭାବ ଘଟୁଛି । ମନେହେଉଛି ଅକାରଣ ଆଳାପ ଆଲୋଚନାରେ ରୂଢ଼ତା ପ୍ରକାଶ ପାଉଛି–ତୀକ୍ଷ୍ଣ ମନ୍ତବ୍ୟ ଚାକରବାକରମାନଙ୍କୁ ଅଦ୍ଭୁତ ଲାଗୁଛି–କିନ୍ତୁ କାହିଁକି ଏମିତି ଘଟୁଛି, ତା’ର କାରଣ ଜାଣିବା ଦୁଷ୍କର । ରୋଗ ବଢ଼ିଲାବେଳେ ବି ଏ ବିକୃତି ଅବିଶ୍ୱାସ ମନେ ହୁଅନ୍ତା–କିନ୍ତୁ ବର୍ତ୍ତମାନ ତ ସେ ଭଲ ହୋଇଗଲେଣି । କିନ୍ତୁ କାରଣ ଯାହାହେଉନା କାହିଁକି, ମନେହେଉଛି ଭିତରେ ଭିତରେ ଯେମିତି ନିଆଁ ଜଳୁଛି । ତା’ର ଅଗ୍ନି ସ୍ପୁଲିଙ୍ଗ ମଝିରେ ମଝିରେ ବାହାରି ପଡ଼େ । ମନେହେଉଛି ଯେମିତି ସେ ଆଗ୍ରା ଛାଡ଼ି ଚାଲି ଯିବା ପାଇଁ ପ୍ରସ୍ତୁତ ହୋଇଗଲେଣି–ଅବଶ୍ୟ ସେ କଥା କେବେ ପ୍ରକାଶ କରିନାହାନ୍ତି । ହୁଏତ ଆଉ ଟିକିଏ ସୁସ୍ଥ ହେବା ଯାଏଁ ଅପେକ୍ଷା । ଯେମିତି ଦିନେ ହଠାତ୍ ଆସି ପହଞ୍ଚିଥିଲେ, ସେମିତି ହଠାତ୍ ଚାଲିଯିବେ ।

 

ଉପର ବେଳା ଆଜିକାଲି ଅନେକ ସ୍ଥାନୀୟ ପଦସ୍ଥ ବ୍ୟକ୍ତି ଦେଖା କରିବାକୁ ଆସନ୍ତି । ସପତ୍ନୀକ ମାଜିଷ୍ଟ୍ରେଟ୍ ସାହେବ, ରାୟବାହାଦୁର, କଲେଜର ଅଧ୍ୟାପକ ନାନା କାରଣରୁ ସ୍ଥାନ ତ୍ୟାଗ କରିବାର ସୁଯୋଗ ଯେଉଁମାନେ ପାଇନାହାନ୍ତି–ହରେନ୍ଦ୍ର, ଅଜିତ୍‍ ଏବଂ ଅନ୍ୟାନ୍ୟ ଯେଉଁମାନେ ପଲଉ ମାଂସ ଭୂରିଭୋଜନ କରିଛନ୍ତି–ସେମାନେ ସମସ୍ତେ ଆସନ୍ତି । କେବଳ ଏଠି ନ ଥିବା ହେତୁରୁ ଅକ୍ଷୟ ଆସି ନାହିଁ ଏପର୍ଯ୍ୟନ୍ତ । ଇନ୍‍ଫ୍ଲୁଏଞ୍ଜା ହେଲା ଦିନଠାରୁ ସସ୍ତ୍ରୀକ ଘରକୁ ଚାଲିଯାଇଛି–ବୋଧହୁଏ ଅବସ୍ଥା ପୂରା ଶାନ୍ତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବ । ଆଉ ଆସିନାହିଁ କମଳ–ସେଇ ଯେ ଆସିଥିଲା ତା’ ପରଠୁ ।

 

Unknown

ଆଶୁ ବାବୁ ମଉଜ ମଜ୍‍ଲିସର ଲୋକ–ତଥାପି ଆଜିକାଲି ଆଉ ସେଥିରେ ଯୋଗ ଦେଇ ପାରନ୍ତି ନାହିଁ । ତାଙ୍କର ଦେହ ଖରାପ ଥିବାରୁ କେହି କିଛି ମନେକରନ୍ତି ନାହିଁ । ଏକଦା ମନୋରମା ଯେ ସମସ୍ତ କାମ କରୁଥିଲା, ବର୍ତ୍ତମାନ ବେଳା ଯେ ସମସ୍ତ କରେ । ଆତିଥେୟତାରେ କୌଣସି ଠାରେ ତ୍ରୁଟି ରହେନା–ବାହାରର ଲୋକମାନେ ଯଥାରୀତି ଉପଭୋଗ କରନ୍ତି । କେହି କେହି ଆଶ୍ଚର୍ଯ୍ୟ ହୁଅନ୍ତି, ଆଶୁ ବାବୁଙ୍କ ଅସୁସ୍ଥ ଅବସ୍ଥାରେ ବି ଏସବୁ କେମିତି ସୁଚାରୁରୂପେ ବ୍ୟବସ୍ଥା କରାଯାଇ ପାରୁଛି ।

 

ବ୍ୟବସ୍ଥା କିପରି ହୁଏ–ସେ କଥା ଗୋପନ ରହେ । ନୀଳିମା ସମସ୍ତଙ୍କ ଆଗକୁ ଆସେ ନାହିଁ–ତା’ର ସେ ଅଭ୍ୟାସ ନାହିଁ–ଭଲ ବି ଲାଗେନି ତାକୁ । କିନ୍ତୁ ଅନ୍ତରାଳରୁ ସବୁ ଘଟଣା ଉପରେ ତା’ର ନଜର ଥାଏ । ତା’ ଯେମିତି ନିଗୂଢ଼, ସେଇପରି ନୀରବ । ଶିରାରେ ସଂଚାରିତ ରକ୍ତଧାରା ପରି ଏଇ ନିଃଶବ୍ଦ ପ୍ରବାହ ଆଶୁ ବାବୁଙ୍କ ବ୍ୟତୀତ ଆଉ କାହା ଆଖିରେ ପଡ଼େନା ।

 

ଶୀତ ଋତୁର ଅଧା ବିତିଗଲା, ତଥାପି ଏ ବର୍ଷ ସେମିତି ଜୋର୍ ଶୀତ ପଡ଼ି ନାହିଁ । ସକାଳୁ ସାମାନ୍ୟ ବର୍ଷା ହେଉଥିଲା, ଉପର ବେଳା ଆକାଶରେ ମେଘ ଘୋଡ଼ାଇ ଦେଲା । ବାହାରକୁ ଯାଇ ପାରିବାର ସମ୍ଭାବନା ନାହିଁ । ଘରର ଝରକାଗୁଡ଼ିକ ବନ୍ଦ ହେଇଛି–ଆଶୁ ବାବୁ ଆରାମ୍‍ ଚଉକିରେ ବସି କ’ଣ ଗୋଟିଏ ବହି ପଢ଼ୁଛନ୍ତି । ବେଳା ଟିକିଏ ବିରକ୍ତ ହୋଇ ଆସି କହିଲା–ଏ ପୋଡ଼ା ଦେଶରେ ସବୁ ଅଦ୍ଭୁତ । କିଛିଦିନ ଆଗେ–ବୋଧହୁଏ ଜୁନ୍ ବା ଜୁଲାଇ ମାସ ହେବ–ଟୋପାଏ ବି ବର୍ଷାର ଦେଖା ନ ଥିଲା । ଭାବୁଛି, ଏ କଠିନ ଦେଶରେ କିଏ ତାଜମହଲ ଗଢ଼ିଥିଲା କେଉଁ ବିବେଚନାରେ ?

 

ନୀଳିମା ଟିକିଏ ଦୂରରେ ବସି କ’ଣ ଗୋଟାଏ ସିଲେଇ କରୁଥିଲା; ମୁହଁ ନ ଟେକି କହିଲା–ତା’ର କାରଣ ସମସ୍ତେ ଜାଣିପାରିବେ ? ପାରିବେନି ।

 

ବେଳା ପଚାରିଲା–କାହିଁକି ?

 

ନୀଳିମା କହିଲା–ସବୁ ବଡ଼ ଜିନିଷ ମଣିଷର ହାହାକାର ଭିତରେ ଜନ୍ମଲାଭ କରେ–ପୃଥିବୀର ଆମୋଦ ପ୍ରମୋଦରେ ଯେଉଁମାନେ ମଗ୍ନ–ସେମାନଙ୍କ ଆଖିରେ ତା’ ଧରା ପଡ଼ିବ କେମିତି ?

 

ଉତ୍ତରଟା ଏଭଳି ରୁକ୍ଷ ଶୁଣାଗଲା ଯେ କେବଳ ବେଳା ନୁହେଁ, ଆଶୁ ବାବୁ ପର୍ଯ୍ୟନ୍ତ ବି ବିସ୍ମିତ ହୋଇଗଲେ । ବହିରୁ ମୁହଁ ଉଠାଇ ଆଶୁ ବାବୁ ଦେଖିଲେ ଯେ ନୀଳିମା ସେଇପରି ଏକ ମନରେ ସିଲେଇ କରୁଛି ଯେପରି ଏ କଥା ତା’ ମୁହଁରୁ ବାହାରି ନାହିଁ ।

 

ବେଳା କଳି କରେନା ଏବଂ ସୁଶିକ୍ଷିତା । ଦେଖିଛି ଓ ଶୁଣିଛି ଅନେକ; ବୟସ ବୋଧହୁଏ ପଞ୍ଚତିରିଶି ଉପରକୁ ହେବ । ସଯତ୍ନ ସତର୍କତା ହେତୁ ବୟସ ମନେହୁଏ ଯେ ଯୌବନର ଲାବାଣ୍ୟ ଅକ୍ଷୁଣ୍ଣ ରହିଛି । ଉଜ୍ଜ୍ୱଳ ରଙ୍ଗ, ମୁହଁ ଉପରେ ସାମାନ୍ୟ ରୁକ୍ଷତା ଅତି ସୂକ୍ଷ୍ମ ଭାବେ ଲକ୍ଷ୍ୟ ନ କଲେ ଜଣାଯାଏନା । ସଦା ଚପଳ ଓ ଚଞ୍ଚଳ–ନିରନ୍ତର ଭାସି ବୁଲିବା ତା’ର କାମ ଆନନ୍ଦ ଉତ୍ସବ ତାକୁ ମାନେ ।

 

ବେଳାର ମୁହଁ କ୍ଷଣକ ପାଇଁ କ୍ରୋଧରେ ରକ୍ତିମ ହୋଇ ଉଠିଲା–ରାଗି ଝଗଡ଼ା କରିବା ତା’ର ଶିକ୍ଷା ଓ ସୌଜନ୍ୟର ବାହାରେ । ସେ ନିଜକୁ ସମ୍ୱରଣ କରି କହିଲା–ମୋତେ କଟାକ୍ଷ କରିବାରେ କୌଣସି ଲାଭ ନାହିଁ । କେବଳ ଅନଧିକାର ଚର୍ଚ୍ଚା ବୋଲି ନୁହେଁ, ହାହାକାର କରି ବୁଲିବା ଯେତେ ବଡ଼ ଜିନିଷ ହେଲେ ବି, ମୁଁ ତା’ ପାରେନି । ସେଥିରୁ କିଛି ଅଭିଜ୍ଞତା ସଞ୍ଚୟ କରିବା ପାଇଁ ମୁଁ ଅକ୍ଷମ । ମୋର ଆତ୍ମସମ୍ମାନ ବୋଧ ବଜାୟ ରହିଲେ ଯଥେଷ୍ଟ । ତା’ଠାରୁ ବେଶୀ କିଛି ମୁଁ ଚାହେଁନା ।

 

ନୀଳିମା ମୁହଁ ପୋତି ସିଲେଇ କରିଗଲା, କିଛି ଜବାବ୍ ଦେଲାନାହିଁ । ଆଶୁ ବାବୁ ମନେମନେ କ୍ଷୁଣ୍ଣ ହେଲେ–କିନ୍ତୁ ଆଉ ନ ବଢ଼ିବା ପାଇଁ କହିଲେ–ନା, ତମକୁ କଟାକ୍ଷ କରି ନୁହେଁ ବେଳା, କଥାଟା ନିଶ୍ଚୟ ସେ ସାଧାରଣ ଭାବେ କହିଛନ୍ତି । ନୀଳିମାଙ୍କ ସ୍ୱଭାବ ମୁଁ ଜାଣେ–ଏଭଳି ହେଇପାରେନା ।

 

ବେଳା ସଂପେକ୍ଷରେ କହିଲା–ନ ହେଲେ ଭଲ । ଏତେ ଦିନ ଏକାଠି ଅଛି, ଏ କଥା ତ ମୁଁ ଭାବିପାରିଲି ନାହିଁ ।

 

ନୀଳିମା ହଁ, ନାହିଁ, କିଛି ନ କହି କାମ କରିବାକୁ ଲାଗିଲା ।

 

ବେଳାର ଜୀବନ ଇତିହାସ ଏଇଠି କିଛି କହିବା ଆବଶ୍ୟକ । ତା’ର ପିତା ଥିଲେ ଓକିଲ, କିନ୍ତୁ ବ୍ୟବସାୟର ଯଶ ବା ଅର୍ଥ କୌଣସିଟା ତାଙ୍କୁ ସ୍ପର୍ଶ କରି ପାରିନି । ତାଙ୍କର କୌଣସି ନିର୍ଦ୍ଦିଷ୍ଟ ଧର୍ମମତ ନ ଥିଲା; ସମାଜ ଦିଗରୁ ହିନ୍ଦୁ, ବ୍ରାହ୍ମ ବା ଖ୍ରୀଷ୍ଟାନ୍ କୌଣସି ସମାଜର ନିୟମ ସେ ମାନୁ ନ ଥିଲେ । ଝିଅକୁ ସେ ଖୁବ୍ ବେଶୀ ଭଲପାଉଥିଲେ ଏବଂ ସାମର୍ଥ୍ୟର ଅତିରିକ୍ତ ଖର୍ଚ୍ଚ କରି ଶିକ୍ଷା ଦେଇଥିଲେ । ସେ ଚେଷ୍ଟା ଯେ ତାଙ୍କର ସମ୍ପୂର୍ଣ୍ଣ ନିଷ୍ଫଳ ହୋଇନି କହିବା ବାହୁଲ୍ୟ ମାତ୍ର । ସମାଜ ନ ମାନିଲେ ବି ତାଙ୍କର ଗୋଟିଏ ଗୋଷ୍ଠୀ ଥିଲା । ସେଇ ଗୋଷ୍ଠୀ ଭିତରେ ଅବସ୍ଥାକ୍ରମେ ବେଳା ସୁନ୍ଦରୀ ଓ ଶିକ୍ଷିତା ବୋଲି ପ୍ରଚାର ହେଲା ପରେ ଧନୀ ପାତ୍ର ଜୁଟିବାରେ ବିଳମ୍ବ ହେଲା ନାହିଁ ।

 

ବରପାତ୍ର ବି କମ୍ ନୁହନ୍ତି–ସେ ବିଲାତରୁ ବାରିଷ୍ଟରୀ ପାସ୍‍ କରି ଆସିଥିଲେ । କେତେଦିନ ଦେଖାଶୁଣା ହେବା ପରେ ଆଇନମତେ ରେଜିଷ୍ଟ୍ରୀ ବିବାହ ହେଲା । ଆଇନ ପ୍ରତି ଗଭୀର ଅନୁରାଗର ପ୍ରଥମ ଅଙ୍କ ପରେ ଦ୍ଵିତୀୟ ଅଙ୍କରେ ଏକତ୍ର ଦେଶ ଭ୍ରମଣ, ବାୟୁ ପରିବର୍ତ୍ତନ ଓ ଅନେକ କିଛି ହେବାକୁ ଲାଗିଲା । ଉଭୟ ପକ୍ଷ ସମ୍ପର୍କରେ ନାନା ଜନରବ ଶୁଣାଗଲା । ଅବଶ୍ୟ ସେ ଆଲୋଚନା ଅପ୍ରାସଙ୍ଗିକ–କିନ୍ତୁ ଅଳ୍ପ ଦିନ ପରେ ଜଣାପଡ଼ିଲା ଯେ ବରପକ୍ଷ ହାତେ ହାତେ ଧରା ପଡ଼ିଛନ୍ତି । ତା’ପରେ କନ୍ୟାପକ୍ଷ ବିବାହ ବିଚ୍ଛେଦର ମକଦ୍ଦମା କଲେ । ବନ୍ଧୁମାନଙ୍କଦ୍ୱାରା ଆପୋଷ ମିଳାମିଶା ପାଇଁ ଚେଷ୍ଟା କରାହେଲା–କିନ୍ତୁ ଶିକ୍ଷିତା ବେଳା ନରନାରୀ ସମାନାଧିକାର ତତ୍ତ୍ୱରେ ଅଗ୍ରଣୀ । ଏଇ ଅସମ୍ମାନକର ପ୍ରସ୍ତାବରେ ସେ ରାଜି ହେଲା ନାହିଁ । ସ୍ୱାମୀ ବିଚାରା ଚରିତ୍ର ଦିଗରୁ ଯାହାହେଉନା କାହିଁକି, ମଣିଷ ହିସାବରେ ମନ୍ଦ ଲୋକ ନୁହେଁ । ସ୍ତ୍ରୀକୁ ସେ ଶକ୍ତି ଓ ସାଧ୍ୟମତେ ଭଲପାଉଥିଲା । ଅପରାଧ ସ୍ୱୀକାର କରି ଅଦାଲତର ଦୁର୍ଗତିରୁ ନିଷ୍କୃତି ପାଇବା ପାଇଁ ହାତଯୋଡ଼ି ବାରମ୍ବାର ପ୍ରାର୍ଥନା କଲା–କିନ୍ତୁ ସ୍ତ୍ରୀ କ୍ଷମା କଲା ନାହିଁ । ଶେଷରେ ବହୁ ଘଣ୍ଟାଚକଟା ପରେ ଗୋଟାଏ ନିଷ୍ପତ୍ତି ହେଲା । ସ୍ତ୍ରୀର ଭରଣପୋଷଣ ପାଇଁ ବହୁ ଅର୍ଥ ଦେବାକୁ ରାଜି ହୋଇ ସେ ମକଦ୍ଦମାରୁ ରକ୍ଷା ପାଇଲା । ଦାମ୍ପତ୍ୟ ଯୁଦ୍ଧରେ ଜୟଲାଭ କରି ବେଳା ଭଗ୍ନ ସ୍ୱାସ୍ଥ୍ୟ ଉନ୍ନତି ପାଇଁ ସିମଳା, ମସୌରୀ ଓ ନୈନିତାଳ ପ୍ରଭୃତି ବୁଲିବାରେ ଲାଗିଲା । ସେ ଆଜିକୁ ପ୍ରାୟ ଛ’ ସାତ ବରଷର କଥା । ଏହାର ଅଳ୍ପ ସମୟ ପରେ ତା’ର ପିତାଙ୍କର ମୃତ୍ୟୁ ହେଲା । ଏଇ ଘଟଣାରେ ତାଙ୍କର ସମ୍ମତି ନ ଥିଲା–ବରଂ ଅତ୍ୟନ୍ତ ମାନସିକ ଅସ୍ଵସ୍ତି ଭୋଗ କରୁଥିଲେ । ଆଶୁ ବାବୁଙ୍କ ପରୋଲୋକଗତ ପତ୍ନୀଙ୍କ ସହ ତାଙ୍କର କ’ଣ ଗୋଟାଏ ସମ୍ପର୍କ ଥିଲା–ସେ ସମ୍ବନ୍ଧରୁ ବେଳା ତାଙ୍କର ଅତ୍ମୀୟା । ତା’ର ବିବାହ ବେଳେ ସେ ଉପସ୍ଥିତ ଥିଲେ ଓ ତା’ ସ୍ଵାମୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ତେଣୁ ଆତ୍ମୀୟତା-ସୂତ୍ରରୁ ନିଜ ଲୋକ ଭାବେ ବେଳା ଆଗ୍ରା ଆସି ତାଙ୍କ ପାଖେ ଥିଲା–ନିତାନ୍ତ ପରଲୋକ ବା ନିରାଶ୍ରୟ ହୋଇ ଆସିନାହିଁ । ଏଇଠି ତା’ର ନୀଳିମାଠାରୁ ପାର୍ଥକ୍ୟ ।

 

ଅଥଚ ବାସ୍ତବ କ୍ଷେତ୍ରରେ ଅବସ୍ଥା ଅନ୍ୟ ରକମର ହୋଇଗଲା । ଏ ଘରେ କାହାର ସ୍ଥାନ କେଉଁଠି, ସେ ସମ୍ପର୍କରେ ଚାକରବାକର ବା ଅତିଥି କାହାର ସନ୍ଦେହ ନ ଥିଲା । ଏଇ କର୍ତ୍ତୃତ୍ଵ କାରଣ ଅବଶ୍ୟ ଅଜ୍ଞାତ ଥିଲା ।

 

କେତେ ସମୟ ମୌନ ରହିବା ପରେ ବେଳା ପ୍ରଥମେ କଥା କହିଲା । କହିଲା–ସ୍ପଷ୍ଟ ନ ହେଲେ ବି ମୋତେ ଦେଖେଇ ନୀଳିମା ଯେ ଏ କଥା କହିଛନ୍ତି, ଏଥିରେ ସନ୍ଦେହ ନାହିଁ ।

 

ଆଶୁ ବାବୁଙ୍କ ମନରେ ବି ସନ୍ଦେହ ନ ଥିଲା । ତଥାପି ବିସ୍ମୟ ସହ ସେ ପଚାରିଲେ–ତମକୁ ଦେଖେଇ ? କାହିଁକି ବେଳା ?

 

ବେଳା କହିଲା–ଆପଣ ତ ସବୁ କଥା ଜାଣନ୍ତି । ନିନ୍ଦା କରିବା ପାଇଁ ସେତେବେଳ ବି ଲୋକ ଥିଲେ, ଏବେ ବି ଅଛନ୍ତି । କିନ୍ତୁ ନିଜର ସମ୍ମାନ, ସମସ୍ତ ନାରୀ ଜାତିର ସମ୍ମାନ ରକ୍ଷା ପାଇଁ ସେଦିନ ନିନ୍ଦାକୁ ଡରି ନ ଥିଲି, ଆଜି ବି ଡରିବିନି । ଆତ୍ମମର୍ଯ୍ୟାଦା ନଷ୍ଟ କରି ସ୍ଵାମୀ ପାଖକୁ ଫେରିଗଲିନି ବୋଲି ସେଦିନ ସ୍ତ୍ରୀମାନେ ହିଁ ମୋତେ ସବୁଠାରୁ ବେଶୀ ନିନ୍ଦା କରିଥିଲେ–ଆଜି ବି ସେଇମାନଙ୍କ ପାଖରୁ ରକ୍ଷା ପାଇବା ମୋ ପକ୍ଷରେ କଠିନ । କିନ୍ତୁ ଅନ୍ୟାୟ ତ କରିନି, ତେଣୁ ଡରିବି କାହିଁକି ? ନିଜର ବିବେକ ବୁଦ୍ଧି ମତରେ ମୁଁ ଉଚିତ କର୍ତ୍ତବ୍ୟ କରିଛି ।

 

ନୀଳିମା ସିଲେଇରୁ ମୁହଁ ନ ଉଠାଇ କହିଲା–ଦିନେ କମଳ କହୁଥିଲେ ଯେ ବିବେକବୁଦ୍ଧି ସଂସାରରେ ସବୁଠାରୁ ବଡ଼ ବସ୍ତୁ ନୁହେଁ । ବିବେକର ଦୁଆ ଦେଇ ନ୍ୟାୟ ଅନ୍ୟାୟ ସବୁ କଥାର ବିଚାର କରାଯାଇ ପାରିବ ନାହଁ ?

 

ଆଶୁ ବାବୁ କହିଲେ–କମଳ ଏକଥା କହୁଥିଲା ?

 

ନୀଳିମା କହିଲା–ହଁ, କହୁଥିଲେ ଯେ ଏଇଟା ଖାଲି ନିର୍ବୋଧ ବ୍ୟକ୍ତିର ଅସ୍ତ୍ର–ଆଗପଛ ଉଭୟ ଦିଗକୁ କାଟେ–ତା’ର କିଛି ଠିକ୍‍ଠିକଣା ନାହିଁ ।

 

ଆଶୁ ବାବୁ କହିଲେ–ସେ କହିଲେ କହୁ ପଛେ ତମେ ଏକଥା ମୁହଁରେ ଆଣନି ନୀଳିମା-

 

ବେଳା କହିଲା–ଏଭଳି ଦୁଃଶାହସିକ କଥା ତ କେବେ କେଉଁଠି ଶୁଣିନି !

 

ଆଶୁ ବାବୁ ସାମାନ୍ୟ ନୀରବ ରହି କହିଲେ–ଦୁଃସାହସ ନିଶ୍ଚୟ । ତା’ର ସାହସର ସୀମା ନାହିଁ ବେଳା । ସେ ନିଜ ନିୟମରେ ଚଳେ ।ତା’ର ସବୁ କଥା ବୁଝି ହେବନି, ମାନି ବି ଚଳି ହେବନି ।

 

ବେଳା କହିଲା–ମୁଁ ବି ମୋ ନିଜ ନିୟମରେ ଚଳେ । ତେଣୁ ବାପାଙ୍କ ମନା ମାନି ନାହିଁ–ସ୍ଵାମୀ ପରିତ୍ୟାଗ କଲି, କିନ୍ତୁ ମୁଣ୍ଡ ନୁଆଁଇ ନାହିଁ ।

 

ଆଶୁ ବାବୁ କହିଲେ–ଅବଶ୍ୟ ଅତି ଦୁଃଖର କଥା, କିନ୍ତୁ ତମ ବାପା ମତ ନ ଦେଲେ ବି ମୁଁ ନ ଦେଇ ରହି ପାରିଲିନି ।

 

ବେଳା କହିଲା–ଥ୍ୟାଙ୍କସ୍‍, ସେ କଥା ମୋର ମନେଅଛି, ଆଶୁ ବାବୁ ।

 

ଆଶୁ ବାବୁ କହିଲେ–ତା’ର କାରଣ, ସ୍ତ୍ରୀ ପୁରୁଷର ସମାନ ଦାୟିତ୍ଵ ଓ ସମାନ ଅଧିକାରରେ ମୁଁ ସମ୍ପୂର୍ଣ୍ଣ ବିଶ୍ୱାସ କରେ । ଆମ ହିନ୍ଦୁ ସମାଜର ଏଇ ଗୋଟାଏ ମସ୍ତବଡ଼ ଦୋଷ ଯେ ଶତ ଅପରାଧ ସତ୍ତ୍ୱେ ସ୍ଵାମୀର ବିଚାରର ଭୟ ନାହିଁ, କିନ୍ତୁ ତୁଚ୍ଛ ଦୋଷ ପାଇଁ ସ୍ତ୍ରୀକୁ ଶାସ୍ତି ଦେବାକୁ ସହସ୍ର ପଥ ଖୋଲା । ଏ ନିୟମକୁ ମୁଁ କୌଣସି ଦିନ ନ୍ୟାଯ୍ୟ ବୋଲି ମାନି ନେଇ ପାରିନି । ତେଣୁ ବେଳାର ପିତା ଯେତେବେଳେ ମୋର ମତାମତ ଲୋଡ଼ି ପତ୍ର ଲେଖିଥିଲେ, ସେତେବେଳେ ମୁଁ ଲେଖିଥିଲି ଯେ ଯେତେ ଅଶୋଭନୀୟ ଓ ଦୁଃଖଦ ହେଲେ ବି ବେଳା ଯଦି ପ୍ରକୃତରେ ତା’ର ଅସଚ୍ଚରିତ୍ର ସ୍ଵାମୀକୁ ତ୍ୟାଗ କରିବାକୁ ଚାହୁଁଥାଏ, ତେବେ ତାକୁ ଅନ୍ୟାୟ ବୋଲି ମୁଁ ନିଷେଧ କରିପାରିବି ନାହିଁ ।

 

ନୀଳିମା ଅକୃତ୍ରିମ ବିସ୍ମୟରେ ମୁହଁ ଟେକି ପଚାରିଲା–ଆପଣ ପ୍ରକୃତରେ ଏକଥା ଲେଖିଥିଲେ ?

 

‘ନିଶ୍ଚୟ’

 

ନୀଳିମା ସ୍ତବ୍ଧ ହୋଇ ବସି ରହିଲା ।

 

ତା’ର ସେଇ ସ୍ତବ୍ଧତା ଦେଖି ଆଶୁ ବାବୁ କିପରି ଆଶ୍ୱସ୍ତି ବୋଧ କଲେ । କହିଲେ–ଏଥିରେ ତ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ନୀଳିମା, ବରଂ ନ ଲେଖିଥିଲେ ମୋ ପକ୍ଷରେ ଅନ୍ୟାୟ ହୋଇଥାନ୍ତା । ଟିକିଏ ରହି ସେ କହିଲେ–ତମେ ତ କମଳର ଜଣେ ଖୁବ୍ ବଡ଼ ଭକ୍ତ, କୁହତ ସେ ଏ କ୍ଷେତ୍ରରେ କ’ଣ କରିଥାନ୍ତା ? କି ଜବାବ୍ ଦେଇଥାନ୍ତା ? ସେଥିପାଇଁ ତ ଏ ଦୁଇଜଣଙ୍କର ସେଦିନ ପରିଚୟ କରେଇ ଦେଲି । ସେତେବେଳେ ଏଇ କଥା କେବଳ ଜୋର୍ ଦେଇ କହିଥିଲି କମଳ, ତମ ପରି ଭାବିବା, ତମ ପରି ସାହସର ପରିଚୟ ମୁଁ କେବଳ ଗୋଟିଏ ଝିଅ ପାଖରେ ଦେଖିଛି; ସେ ହେଉଛି ଏଇ ବେଳା ।

 

ନୀଳିମା ବ୍ୟଥାଭରା କଣ୍ଠରେ କହିଲା–ସେ ବିଚାରା ଆପଣଙ୍କ ଭଦ୍ର ସମାଜର ବାହାରେ ପଡ଼ିଛି–ତାକୁ ଆପଣମାନଙ୍କ ଭିତରକୁ ଟାଣିବାର ଉଦ୍ଦେଶ୍ୟ କ’ଣ ?

 

ଆଶୁ ବାବୁ ବ୍ୟସ୍ତ ହୋଇ କହିଲେ–ନା, ଟାଣିବା କଥା ନୁହେଁ ନୀଳିମା–ଏ କେବଳ ଗୋଟାଏ ଉଦାହରଣ ।

 

ନୀଳିମା କହିଲା ଏଇତ ଟଣାଟଣି । ଏଇକ୍ଷଣି କହୁଥିଲେ–ତା’ର ସବୁ କଥା ବୁଝାଯାଏନି ବା ମାନି ହୁଏନି । କିଛି ଚଳେ ତା’ ସମ୍ପର୍କରେ–କେବଳ ଉଦାହରଣ ଦେବା କ’ଣ ଚଳେ?

 

ତାଙ୍କ କଥା ଭିତରେ କ’ଣ ଦୋଷ ଅଛି ଆଶୁ ବାବୁ ବୁଝିପାରିଲେ ନାହିଁ । କ୍ଷୁଣ୍ଣ ହୋଇ କହିଲେ–ଯାହାହେଉ ପଛେ, ଆଜି ତମ ମନ ବୋଧହୁଏ ଖୁବ୍ ଖରାପ ଅଛି । ଏ ସମୟରେ ଆଲୋଚନା କରିବା ଉଚିତ ନୁହେଁ ।

 

ନୀଳିମା କିଛି ନ ଶୁଣି କହିଲା–ସେ ଦିନ ଆପଣ ସେମାନଙ୍କର ବିବାହ ବିଚ୍ଛେଦ ପାଇଁ ମତ ଦେଇଥିଲେ ଏବଂ ଆଜି ଅସଙ୍କୋଚରେ କମଳର ଦୃଷ୍ଟାନ୍ତ ଦେଲେ । ତାଙ୍କ ଅବସ୍ଥାରେ ଥିଲେ କମଳ କ’ଣ କରିଥାନ୍ତା, ସେ କଥା ସେ ଜାଣେ । କିନ୍ତୁ ତାଙ୍କ ଉଦାହରଣ ଅନୁସରଣ କରିବାକୁ ଯାଇଥିଲେ ଆଜି ସେ କୁଲି ମଜୁରିଆଙ୍କ ଜାମା ସିଲେଇ କରି ବଞ୍ଚୁ ନ ଥାନ୍ତା–ତା’ ବି ହୁଏତ ସବୁଦିନ ଜୁଟୁନାହିଁ । କମଳ ଆଉ ଯାହା କରୁ, ଯେଉଁ ସ୍ୱାମୀକୁ ସେ ଘୃଣାରେ ତ୍ୟାଗ କରିଛି, ତା’ ପଇସାରେ ଆରାମରେ ଚଳିବା ତା’ଦ୍ଵାରା ସମ୍ଭବ ହେଇ ନ ଥାନ୍ତା । ନିଜକୁ ଏତେ ଛୋଟ କରିବା ପୂର୍ବରୁ ସେ ଆତ୍ମହତ୍ୟା କରି ମରିଥାନ୍ତା ।

 

ଆଶୁ ବାବୁ କ’ଣ ଜବାବ୍ ଦେବେ–ଅଭିଭୂତ ହୋଇପଡ଼ିଲେ ଓ ବେଳା ବଜ୍ରାହତ ପରି ନିଶ୍ଚଳ ହୋଇ ବସି ରହିଲା ।

 

ନୀଳିମା ହସ କୌତୁକରେ ଦିନ ନିଏ–ସେ ଯେ ହଠାତ୍ ଏପରି ନିର୍ମମ କଥା କହିପାରେ, ଏ କଥା ସେମାନେ ଜାଣି ନ ଥିଲେ ।

 

ନୀଳିମା କିଛି ସମୟ ସ୍ଥିର ରହି କହିଲା–ମୁଁ ଆପଣଙ୍କ ମଜ୍‍ଲିସରେ ଭାଗ ନିଏନା–କିନ୍ତୁ ଯେଉଁମାନଙ୍କ ସମ୍ପର୍କରେ ଯାହା ସବୁ ଆଲୋଚନା ଆସେ, ତା’ ମୋ କାନରେ ପଡ଼େ । ନ ହେଲେ ହୁଏତ ମୁଁ ଏସବୁ କଥା କହି ନ ଥା’ନ୍ତି । କମଳ ଦିନକ ପାଇଁ ଶିବନାଥଙ୍କର ନିନ୍ଦା କରିନି, ଜଣେ ଲୋକପାଖେ ବି ତ ଦୁଃଖ ଜଣାଇନି–କାହିଁକି ଜାଣନ୍ତି ?

 

ଆଶୁ ବାବୁ ବିମୂଢ଼ ହୋଇ ପଚାରିଲେ–କାହିଁକି ?

 

ନୀଳିମା କହିଲା–‘କାରଣ, ତା’ କହିବା ବୃଥା । ଆପଣ ବୁଝିପାରିବେନି ।’ ଟିକିଏ ରହି କହିଲା–ଆଶୁ ବାବୁ, ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଗୋଟାଏ ଅତି ସ୍ଥୂଳ କଥା; କିନ୍ତୁ ତା’ବୋଲି ଭାବିବେନି ଯେ ମୁଁ ଜଣେ ନାରୀ ହୋଇ ନାରୀ ଦାବିର ପ୍ରତିବାଦ କରୁଛି ।

 

ପ୍ରତିବାଦ ମୁଁ କରେନା–ମୁଁ ଜାଣେ ଏକଥା ଅନେକାଂଶରେ ସତ୍ୟ; କିନ୍ତୁ ଏକଥା ବି ଜାଣେ ଯେ ସତ୍ୟବିଳାସୀ ଦଳେ ଅବୁଝା ନରନାରୀଙ୍କ ମୁହଁର କଥା ଚାତୁରୀରେ ଓ ଆନ୍ଦୋଳନର ଯୁକ୍ତି ଫଳରେ ଏ ସତ୍ୟ ଏପରି ଘୋଡ଼େଇ ହୋଇଯାଇଛି ଯେ ଆଜି ତା’ ମିଥ୍ୟାରେ ପରିଣତ ହୋଇଗଲାଣି । ଆପଣଙ୍କ ପାଖେ ହାତ ଯୋଡ଼ି କହୁଛି–ଦୟାକରି ସମସ୍ତଙ୍କ ସଙ୍ଗେ କମଳକୁ ଯୋଡ଼ି ଆଲୋଚନା କରିବେ ନାହିଁ ।

 

ଆଶୁ ବାବୁ ଉତ୍ତର ଦେବାକୁ ଯାଉଥିଲେ କିନ୍ତୁ କିଛି କହିବା ପୂର୍ବରୁ ସେ ସିଲେଇ ଜିନିଷ ସବୁ ନେଇ ସେ ଘରୁ ଚାଲିଗଲା ।

 

ସେ କ୍ଷୁଣ୍ଣ ହୋଇ ନିଃଶ୍ୱାସ ପକାଇ କହିଲେ–ସେ କେବେ କାହାଠାରୁ କ’ଣ ଶୁଣିଛି, କିନ୍ତୁ ମୋ ସମ୍ପର୍କରେ ଏ ଅଯଥା ଦୋଷାରୋପ ।

 

ବାହାରେ କିଛି ସମୟ ହେଲା ବର୍ଷା କମିଯାଇଥିଲା–କିନ୍ତୁ ଆକାଶ ମେଘାଚ୍ଛନ୍ନ ଥିବାରୁ ଅସମୟରେ ଘର ଭିତର ଅନ୍ଧାର ହୋଇ ଯାଇଥିଲା । ଚାକର ଆଲୁଅ ଦେଇ ଯିବା ପରେ ସେ ପୁଣି ଥରେ ଖୋଲା ବହିଟାକୁ ପଢ଼ିବା ପାଇଁ ଚେଷ୍ଟା କଲେ । ବହି ପଢ଼ି ହେଲାନି–ଅଥଚ ବେଳା ସଙ୍ଗେ ଆଉ କଥାବାର୍ତ୍ତା କରିବା ସମ୍ଭବପର ହେଲାନି ।

 

ଭଗବାନ ଦୟାକଲେ ଯେପରି–ଗୋଟାଏ ଛତା ଧରି ଉଭୟ କୃଚ୍ଛ୍ରବ୍ରତଧାରୀ–ହରେନ୍ଦ୍ର ଓ ଅଜିତ୍‍ ଆସି ଘରେ ପହଞ୍ଚିଲେ । ଦୁଇଜଣ ଯାକ ଅଧାଅଧି ଓଦା ହୋଇଯାଇଛନ୍ତି । ହରେନ୍ଦ୍ର କହିଲା–ଭାଉଜ କାହାନ୍ତି ?

 

ଆଶୁ ବାବୁ ଖୁସୀ ହୋଇଗଲେ । ଏପରି ବର୍ଷାରେ କିଏ ଯେ ଆସି ପହଞ୍ଚିବେ ଏ ଆଶା ତାଙ୍କର ନ ଥିଲା । ଆଗ୍ରହ ସହକାରେ ଉଠି କହିଲେ–ଆସ ଅଜିତ୍‍–ବସ ହରେନ୍ଦ୍ର ।

 

‘ବସୁଛି–ଭାଉଜ କୁଆଡ଼େ ଗଲେ ?’

 

‘ଇସ୍, ଦୁଇଜଣ ଯାକ ବୁଡ଼ିଯାଇଛ ଦେଖୁଛି ।’

 

‘ଆଜ୍ଞା ହଁ–ସେ କୁଆଡ଼େ ଗଲେ ?’

 

‘ଡାକି ପଠାଉଛି’ କହି ଆଶୁ ବାବୁ ଉଦ୍ୟୋଗ କରିବା ବେଳକୁ ନୀଳିମା ଆସି ପହଞ୍ଚିଗଲା । ତା’ ହାତରେ ଦୁଇଖଣ୍ଡ ଶୁଖିଲା ଜାମା ଓ ଲୁଗା ।

 

ହରେନ୍ଦ୍ର କହିଲା–ଏ କ’ଣ ? ଆପଣ ଖଡ଼ି ପକାଇ ପାରନ୍ତି କି ?

 

ନୀଳିମା କହିଲା–ଖଡ଼ି ପକାଇବାର ଆବଶ୍ୟକ ନାହିଁ ହରେନ୍, ଝରକା ବାଟେ ଦେଖିଛି-। ଗୋଟାଏ ଭଙ୍ଗା ଛତା ଭିତରେ ଉଭୟେ ଯେପରି ପରସ୍ପର ପ୍ରତି ଦରଦ ଦେଖାଇ ବାଟ ଚାଲୁଥିଲ, ସେ କଥା କେବଳ ମୁଁ କାହିଁକି–ଦେଶସାରା ଲୋକ ଦେଖିଛନ୍ତି ।

 

ଆଶୁ ବାବୁ କହିଲେ–‘ଗୋଟାଏ ଛତା ଭିତରେ ଦୁଇଜଣ ? ସେଥିପାଇଁ ଦୁଇଜଣଯାକ ଭିଜି ଯାଇଛନ୍ତି ।’ ଏହା କହି ସେ ହସିଲେ ।

ନୀଳିମା କହିଲା–‘କାରଣ ସେମାନେ ସମାନାଧିକାର ତତ୍ତ୍ଵରେ ବିଶ୍ୱାସୀ । ଅନ୍ୟାୟ କରିବେ ନାହିଁ–ତେଣୁ ଛତାକୁ ଭାଗ ବାଣ୍ଟି ଚାଲୁଥିଲେ । ନିଅ ହରେନ୍, ଲୁଗା ବଦଳାଅ ।’ ଏହା କହି ସେ ଜାମାଲୁଗା ହରେନ୍ଦ୍ର ହାତରେ ଦେଲା ।

ଆଶୁ ବାବୁ ଚୁପ୍ ରହିଲେ । ହରେନ୍ କହିଲା–ଲୁଗା ତ ଦୁଇଟା ଦେଲେ, ଜାମା ଯେ ଗୋଟାଏ ।

‘ଜାମାଟା ମସ୍ତବଡ଼–ଗୋଟାଏରେ ଚଳିବ’ କହି ନୀଳିମା ଗମ୍ଭୀର ହୋଇ ପାଖ ଚୌକିରେ ବସିଲା ।

ହରେନ୍ଦ୍ର କହିଲା–ଜାମାଟା ଆଶୁ ବାବୁଙ୍କର–ସୁତାରଂ ଦୁଇଜଣଙ୍କୁ କାହିଁକି ଆଉ ଚାରିଜଣଙ୍କୁ ବି ହୋଇପାରେ । କିନ୍ତୁ ତା’ହେଲେ ମଶାରି କରି ବାନ୍ଧିବାକୁ ହେବ–ଲଗେଇ ହେବନି ।

ବେଳା ଏଯାଏଁ ଶୁଷ୍କ ଓ ବିଷଣ୍ଣ ମୁହଁରେ ବସିଥିଲା । ହସ ବନ୍ଦ ନ କରି ପାରି ଉଠିଗଲା-! ନୀଳିମା ବି ଝରକା ବାଟେ ବାହାରକୁ ଚାହିଁ ରହିଲା ।

ଆଶୁ ବାବୁ ଛଦ୍ମ ଗାମ୍ଭୀର୍ଯ୍ୟ ସହ କହିଲେ–ରୋଗରେ ପଡ଼ି ଅଧା ହେଇଗଲିଣି–ଆଉ ଖୁଣ୍ଟା ଦିଅନା । ଦେଖୁନା, ଏମାନେ କିପରି ସହି ପାରିଲେନି । ଜଣେ ସହି ନ ପାରି ଉଠିଗଲେ–ଆଉ ଜଣେ ରାଗରେ ମୁହଁ ଫେରାଇ ରହିଛନ୍ତି ।

ହରେନ୍ଦ୍ର କହିଲା–ଖୁଣ୍ଟା ଦେଉନି ତ–ବିରାଟର ମହିମା କୀର୍ତ୍ତନ କରୁଛି । ଖୁଣ୍ଟା ଦେବା ଭଳି ସାଧାରଣ କଥା ଆମଭଳି ନରନାରୀଙ୍କୁ ବିପନ୍ନ କରିପାରେ ଆପଣମାନଙ୍କୁ ସ୍ପର୍ଶ କରିପାରେନା-। ଅତଏବ ଚିରସ୍ଥୂୟମାନ ହିମାଚଳ ପରି ସେ ଦେହ ଅକ୍ଷୟ ହେଉ ଏବଂ ଝଡ଼ବର୍ଷା ପାଇଁ ଆମମାନଙ୍କର ଦୈନନ୍ଦିନ ମିଷ୍ଟାନ୍ନରେ ଯେପରି ବିନ୍ଦୁମାତ୍ର ନ୍ୟୂନତା ନ ହୁଏ ।

ନୀଳିମା ମୁହଁ ଟେକି କହିଲା–ବଡ଼ମାନଙ୍କର ସ୍ତୁତିବାଦ ତ ଚିରକାଳ ଚଳି ଆସିଛି ହରେନ୍ଦ୍ର–ସେଇଟା ନିର୍ଦ୍ଦିଷ୍ଟ ଧାରା ଏବଂ ତମେ ସେଥିରେ ସିଦ୍ଧହସ୍ତ । ଆଜି କିନ୍ତୁ ଛୋଟର ଖୋସାମତ ନ କଲେ ମିଷ୍ଟାନ୍ନ ଭାଗ ତମ ପାଇଁ ପୂରା ଶୂନ୍ ।

ବେଳା ବାରଣ୍ଡାରୁ ଫେରିଆସି ଘର ଭିତରେ ବସିଲା ।

ହରେନ୍ଦ୍ର ପଚାରିଲା–କାହିଁକି ଭାଉଜ ?

ଗଭୀର ସ୍ନେହରେ ନୀଳିମାର ଆଖି ସଜଳ ହୋଇ ଉଠିଲା । କହିଲା–କାରଣ ଏପରି ମିଠା କଥା ଅନେକ ଦିନ ହେଲା ଶୁଣିନି ତ–ତେଣୁ ଶୁଣିବାକୁ ଟିକେ ଲୋଭ ହେଉଛି ।

‘ତେବେ ଆରମ୍ଭ କରିବି କି ?’

‘ଆଚ୍ଛା ବର୍ତ୍ତମାନ ଥାଉ । ତମେ ସେ ଘରେ ଯାଇ ଲୁଗା ବଦଳାଅ–ମୁଁ ଜାମା ପଠାଇ ଦେଉଛି ।’

 

‘କିନ୍ତୁ ଲୁଗା ବଦଳାଇ ସାରିବା ପରେ’–

 

ନୀଳିମା ହସି ହସି କହିଲା–ତା’ପରେ ଚେଷ୍ଟା କରି ଦେଖିବି ତମ ଭାଗ୍ୟରେ କିଛି ଅଛି କି ନାହିଁ–

 

ହରେନ୍ଦ୍ର କହିଲା–କଷ୍ଟ କରି ଚେଷ୍ଟା କରିବାକୁ ପଡ଼ିବ ନାହିଁ ଭାଉଜ, ଥରେ ଖାଲି ଆଖି ପକେଇ ଦେବେ । ଆପଣଙ୍କ ଅନ୍ନପୂର୍ଣ୍ଣା ଦୃଷ୍ଟି ଯେଉଁଠି ପଡ଼ିବ, ସେଇଠି ଭଣ୍ଡାର ଉଛୁଳି ପଡ଼ିବ । ଚାଲ ଅଜିତ୍‍, ଆଉ ଭାବନା ନାହିଁ–ଶୀଘ୍ର ଲୁଗା ବଦଳାଇବା ଦରକାର । କହି ସେ ଅଜିତ୍‍କୁ ଟାଣି ନେଇ ପାଖ ଘରକୁ ଚାଲିଗଲା ।

 

(ତେଇଶି)

 

ଅଜିତ୍‍ କହିଲା–ବର୍ଷା କମିବାର ତ କୌଣସି ଲକ୍ଷଣ ଦେଖା ଯାଉନାହିଁ ।

 

ହରେନ୍ଦ୍ର କହିଲା–ନା, ଅତଏବ ପୁଣି ଦୁଇଜଣଯାକ ସେଇ ଭଙ୍ଗା ଛତା ଭିତରେ ମୁଣ୍ଡ ଗୁଞ୍ଜି ସମାନାଧିକାର ତତ୍ତ୍ଵର ସତ୍ୟତା ପ୍ରତିପାଦିତ କରୁ କରୁ ଅନ୍ଧାରରେ ଯାଇ ଆଶ୍ରମରେ ପହଞ୍ଚିବାକୁ ହେବ । ଅବଶ୍ୟ ତା’ପରେ ଆଉ ଭାବନା ନାହିଁ, ଏଠି ତ ସେ ବ୍ୟବସ୍ଥା ଛିଣ୍ଡିଗଲା । ତେଣୁ ପୁଣିଥରେ ଓଦା ଲୁଗା ପାଲଟି ପକାଇ ଶୋଇ ପଡ଼ିବା ।

 

ଆଶୁ ବାବୁ ବ୍ୟଗ୍ର ହୋଇ କହିଲେ–ତା’ହେଲେ ତମେ ଦୁଇଜଣ ପେଟ ପୂରେଇ ଖାଇନେଲନି କାହିଁକି ?

 

ହରେନ୍ଦ୍ର କହିଲା–ନା, ନା, ଥାଉ–ସେଥିରେ କ’ଣ ଅଛି ଆଶୁ ବାବୁ–ଆପଣ କାହିଁକି ସେଥିପାଇଁ ବ୍ୟସ୍ତ ହେଉଛନ୍ତି ।

 

ନୀଳିମା ଖିଲ୍‍ଖିଲ୍‍ ହୋଇ ହସି ଉଠିଲା; ତା’ପରେ କହିଲା–‘ହରେନ୍ଦ୍ର, ବୃଥା ତାଙ୍କୁ କାହିଁକି ଏଣୁତେଣୁ କହୁଛ କହିଲ ?’ ଆଶୁ ବାବୁଙ୍କୁ କହିଲା–ସେ ସନ୍ନ୍ୟାସୀ ମଣିଷ, ବୈରାଗ୍ୟଗିରିରେ ପୋଖତ ହୋଇଗଲେଣି–ସୁତରାଂ ଖାଇବା ଦିଗରୁ ତାଙ୍କର ଦୋଷ ଦେଖି ପାରିବେ ନାହିଁ । ଭାବନା କେବଳ ଅଜିତ୍‍ ବାବୁଙ୍କ ପାଇଁ । ଏଭଳି ସଂସର୍ଗ ପାଇ ମଧ୍ୟ ସେ ଏଯାଏଁ ପୋଖତ ହୋଇନାହାନ୍ତି–ତାହାହିଁ ଧରାପଡ଼ି ଯାଉଛି ।

 

ହରେନ୍ଦ୍ର କହିଲା–କାରଣ ମନ ଭିତରେ ପାପ ରହି ଯାଇଛି । ଦିନେ ଧରା ପଡ଼ିବ ।

 

ଅଜିତ୍‍ ଲଜ୍ଜାରେ ଲାଲ ପଡ଼ିଯାଇ କହିଲା–ଆପଣ ଯେ କ’ଣ କହନ୍ତି, ହରେନ୍ଦ୍ର ବାବୁ ।

 

ନୀଳିମା କିଛି ସମୟ ଅଜିତ୍‍କୁ ଚାହିଁ କହିଲା–ତମ କଥା ସତ ହେଉ ହରେନ୍ଦ୍ର, ଠାକୁରେ କରନ୍ତୁ, ତାଙ୍କ ମନରେ ପାପ ରହୁ । ସେ ଯେଉଁଦିନ ଧରାପଡ଼ିବେ, ସେ ଦିନ ମୁଁ ଯାଇ କାଳୀଘାଟରେ ପୂଜା ଦେଇ ଆସିବି ।

 

‘ତା’ହେଲେ ଶୀଘ୍ର ଯୋଗାଡ଼ କରନ୍ତୁ–ଆଉ ବେଶୀ ଡେରି ନାହିଁ ।’

 

ଅଜିତ୍‍ ବିରକ୍ତ ହୋଇ କହିଲା–ଆପଣ କ’ଣ ସବୁ ବାଜେ କଥା କହିଯାଉଛନ୍ତି, ହରେନ୍ଦ୍ର ବାବୁ । ଅତି ଖରାପ ଲାଗୁଛି ।

 

ହରେନ୍ଦ୍ର ଆଉ କିଛି କହିଲା ନାହିଁ, ନୀଳିମା କୌତୂହଳ ସହ ଅଜିତ୍‍କୁ କିଛି ସମୟ ଚାହିଁଲା, କିନ୍ତୁ ସେ ବି ଚୁପ୍ ରହିଲା । ହରେନ୍ଦ୍ର ନୀଳିମାକୁ ଲକ୍ଷ୍ୟ କରି କହିଲା–ଆମ ଆଶ୍ରମ ଉପରେ କମଳର ଖୁବ୍ ରାଗ । ଆପଣଙ୍କର ବୋଧହୁଏ ମନେଅଛି ଭାଉଜ ?

 

ନୀଳିମା କହିଲା–ହଁ–ଏବେ ବି କ’ଣ ସେଇଭଳି ?

 

ହରେନ୍ଦ୍ର କହିଲା–ଠିକ୍ ସେଇଭଳି ନୁହେଁ–ଟିକିଏ ବଢ଼ିଛି । କେବଳ ଆମ ଉପରେ ନୁହେଁ–ସର୍ବବିଧ ଧର୍ମ ଅନୁଷ୍ଠାନ ପ୍ରତି ଅତ୍ୟନ୍ତ ତାଙ୍କର ଅନୁରାଗ । ବ୍ରହ୍ମଚର୍ଯ୍ୟ କହନ୍ତୁ ବା ବୈରାଗ୍ୟ କହନ୍ତୁ ବା ଈଶ୍ୱର ସମ୍ପର୍କରେ ଆଲୋଚନା ହେଉ–ଶୁଣିବା ମାତ୍ରେ ଅହେତୁକ ଭକ୍ତି ଓ ପ୍ରୀତିର ପ୍ରାବଲ୍ୟରେ ଅଗ୍ନିବତ୍ ହୋଇ ଉଠନ୍ତି । ମିଜାକ୍ ଭଲଥିଲେ ଥଟ୍ଟା ତାମସା ବି କରନ୍ତି । ଚମତ୍କାର !

 

ବେଳା ଚୁପ୍ ହୋଇ ଶୁଣୁଥିଲା–କହିଲା–ଈଶ୍ୱର ବି ତା’ ପାଖରେ ଥଟ୍ଟା ତାମସାର ବିଷୟ । ଆଶୁ ବାବୁ ଏଇଭଳି ଲୋକ ସଙ୍ଗେ ମୋର ତୁଳନା କରୁଥିଲେ । ଏହା କହି ସେ ପର୍ଯ୍ୟାୟ କ୍ରମେ ସମସ୍ତଙ୍କ ମୁହଁକୁ ଚାହିଁଲା–କିନ୍ତୁ ଅଧିକ କିଛି କହିବା ପାଇଁ କାହାଠାରୁ ଉତ୍ସାହ ପାଇଲା ନାହିଁ-। ତା’ର ରୁକ୍ଷ ତାଚ୍ଛଲ୍ୟ କେହି ଶୁଣିପାରିଲେ କି ନା ସନ୍ଦେହ ।

 

ହରେନ୍ଦ୍ର କହିବାକୁ ଲାଗିଲା–ଅଥଚ ନିଜ ଭିତରେ ଏପରି ଏକ ନିର୍ଦ୍ୱନ୍ଦ୍ୱ ସଂଯମ ନୀରବ ମିତାଚାର ଓ ନିର୍ବିଶଙ୍କ ତିତିକ୍ଷା ରହିଛି ଦେଖିଲେ ବିସ୍ମିତ ହେବାକୁ ହୁଏ । ଆପଣଙ୍କର ତ ଶିବନାଥ କଥା ମନେଥିବ ଆଶୁ ବାବୁ ? କମଳ ମୋର କିଏ, ଅଥଚ ଏତେ ବଡ଼ ଅନ୍ୟାୟ ଯେ ମୁଁ ବି ସହିପାରିଲି ନାହିଁ । ଦଣ୍ଡ ଦେବା ପାଇଁ ମନ ଭିତରେ ଭିତରେ କୁହୁଳି ଉଠିଲା, କିନ୍ତୁ କମଳ କହିଲା–‘ନା । ତା’ର ସେଦିନର କଥା ମୋର ମନେଅଛି । ସେ ନାସ୍ତି ଭିତରେ ବିଦ୍ୱେଷ ନ ଥିଲା, ଜ୍ୱାଳା ନ ଥିଲା କିମ୍ବା ଦାନ କରିବାର ଶ୍ଳାଘା ବା କ୍ଷମାର ଦମ୍ଭ ନ ଥିଲା–ଯେଭଳି ଅବିକୃତ କରୁଣାଭରା ଦାକ୍ଷିଣ୍ୟ । ଶିବନାଥ ଯେତେ ଅନ୍ୟାୟ କରିଥିଲେ ବି ମୋ ପ୍ରସ୍ତାବ ଶୁଣିବା ମାତ୍ରେ ସେ କହିଲା–‘ନା, ଛି ଛି–ସେ କଥା ହୋଇପାରେନା’ । ଅର୍ଥାତ୍ ଯାହାକୁ ସେ ଦିନେ ଭଲ ପାଇଥିଲା–ତା’ ପ୍ରତି ନିର୍ମମତା ବା ହୀନତା ସେ କଳ୍ପନା କରିପାରିଲା ନାହିଁ । ସକଳ ଚକ୍ଷୁ ଅନ୍ତରାଳରେ ସେ ତା’ର ସମସ୍ତ ଦୋଷ ନିଃଶେଷ କରି ପୋଛି ଦେଇ ପାରିଲା । ଚେଷ୍ଟା, ଚଞ୍ଚଳତା, ଶୋକାଚ୍ଛନ୍ନ ହା-ହୁତାଶ କରି ନୁହେଁ–ଯେପରି ପାହାଡ଼ରୁ ଅବଲୀଳା କ୍ରମେ ଜଳଧାରା ଗଢ଼ି ଆସିଲା ।

 

ଆଶୁ ବାବୁ ନିଃଶ୍ୱାସ ପକାଇ କହିଲେ–ସତ କଥା ।

 

ହରେନ୍ଦ୍ର କହିବାକୁ ଲାଗିଲା–ମୋର କିନ୍ତୁ ସବୁଠୁ ବେଶୀ ରାଗ ହୁଏ ଏଇଥିପାଇଁ–ସେ ଖାଲି ମୋ ଆଇଡିଆଲଟାକୁ ନୁହେଁ–ଆମ ଧର୍ମ, ଐତିହ୍ୟ, ରୀତି, ନୈତିକ ଅନୁଶାସନ–ସବୁ କିଛି ସେ ହସି ଉଡ଼େଇଦିଏ । ଅବଶ୍ୟ ତା’ ଦେହ ଓ ମନରେ ଉତ୍କଟ ବିଦେଶୀ ରକ୍ତ ଓ ଉଗ୍ର ପରଧର୍ମର ସ୍ରୋତ ବିଦ୍ୟମାନ; ତଥାପି ତା’ ସାମନାରେ ଠିଆହୋଇ ଜବାବ୍ ଦେଇ ହୁଏନା । ତା’ କହିବା ଭିତରେ ଗୋଟାଏ ସୁନିଶ୍ଚିତ ଜୋରରେ ଦୀପ୍ତି ଏପରି ପ୍ରକାଶ ପାଏ ଯେ ମନେହୁଏ ଯେପରି ଜୀବନର ପ୍ରକୃତ ‘ମାନେ’ ସେ ବୁଝିପାରିଛି । ଶିକ୍ଷାଦ୍ଵାରା ନୁହେଁ, ଅନୁଭବ ଉପଲବ୍ଧି ଦ୍ଵାରା ନୁହେଁ–ଯେପରି ଆଖି ଖୋଲି ଅର୍ଥଟା ସିଧା ସେ ଦେଖିପାରେ ।

 

ଆଶୁ ବାବୁ ଖୁସି ହୋଇ କହିଲେ–‘ଠିକ୍ ଏଇ କଥା ମୋର ଅନେକ ଥର ମନେ ହେଇଛି–ତା’ର କଥା ଯାହା କାମରେ ଠିକ୍ ସେଇଆ । ସେ ଯଦି ମିଛ ବୁଝି ଥାଏ, ତେବେ ସେ ମିଥ୍ୟାରେ ଗୌରବ ଅଛି ।’ ଟିକିଏ ଅଟକି କହିଲେ–‘ଦେଖ ହରେନ୍ଦ୍ର, ସେ ପାଷଣ୍ଡ ଯେ ଚାଲି ଯାଇଛି, ସେ ଭଲ ହେଇଛି । ତାକୁ ସବୁଦିନେ ଆଚ୍ଛନ୍ନ କରି ରଖିଥିଲେ ନ୍ୟାୟର ମର୍ଯ୍ୟାଦା ରହି ନ ଥାନ୍ତା । ଘୁଷୁରି ବେକରେ ମୁକ୍ତାମାଳା ପରି ହୋଇଥାନ୍ତା ।

 

ହରେନ୍ଦ୍ର କହିଲା–ଅନ୍ୟ ଦିଗରୁ ଏଭଳି ମାୟାମମତା ଯେ କେବଳ ଭାଉଜଙ୍କୁ ଛାଡ଼ି ଦେଲେ ତା’ର ସମକକ୍ଷ କେହି ନାହିଁ । ସେବାରେ ଯେମିତି ଲକ୍ଷ୍ମୀ ! ହୁଏତ ପୁରୁଷଙ୍କଠାରୁ ଅନେକ ଦିଗରେ ବଡ଼ ବୋଲି ସେ ନିଜକୁ ସାମାନ୍ୟ କରି ଏପରି ଅକୃତ୍ରିମ ସେବା କରିପାରେ । ତା’ ଦେଖିଲେ ମନ ତରଳି ଯିବ ।

 

ନୀଳିମା ହସି ହସି କହିଲା–ହରେନ୍ଦ୍ର, ତମେ ବୋଧହୁଏ ପୂର୍ବ ଜନ୍ମରେ କୌଣସି ରାଜରାଣୀର ସ୍ତାବକ ଥିଲ, ଏ ଜନ୍ମରେ ସେ ସଂସ୍କାର ଏଯାଏଁ କଟିନି । ପାଠ ପଢ଼ାଇବା ଛଡ଼ା ଏ ବ୍ୟବସାୟ ଧରିଲେ ବେଶ୍ ଚଳନ୍ତା ।

 

ହରେନ୍ଦ୍ର କହିଲା–କ’ଣ କରିବି ଭାଉଜ–ମୁଁ ସିଧା ସରଳ ମଣିଷ–ଯାହା ମନକୁ ଆସେ, କହିଦିଏ । କିନ୍ତୁ ଅଜିତ୍‍ ବାବୁଙ୍କୁ ପଚାରନ୍ତୁ–ଅବଶ୍ୟ ସେ ଏଇଲେ ମତେ ମାରିବାକୁ ଗୋଡ଼େଇ ଆସିବେ । ତା’ହେଲେ ବି ବଞ୍ଚିଥିଲେ ଦିନେ ଦେଖିବେ ନିଶ୍ଚୟ ।

 

ଅଜିତ୍‍ ରାଗିଯାଇ କହିଲା–ଆଃ, କ’ଣ ଆପଣ ଏମିତି କହି ଯାଉଛନ୍ତି ହରେନ୍ ବାବୁ ! ଯାହା ଦେଖା ଯାଉଛି ମତେ ଆଶ୍ରମ ଛାଡ଼ିବାକୁ ପଡ଼ିବ ।

 

ହରେନ୍ଦ୍ର କହିଲା–ଦିନେ ଯେ ଛାଡ଼ିବାକୁ ପଡ଼ିବ, ସେ କଥା ମୁଁ ଜାଣେ । କିନ୍ତୁ ଏ ଭିତରେ କେତେଟା ଦିନ ସମ୍ଭାଳି ଯାଆନ୍ତୁ ।

 

‘ତା’ହେଲେ କହନ୍ତୁ ଆପଣଙ୍କର ଯା’ ଇଚ୍ଛା–ମୁଁ ଯାଉଛି ।’

 

ନୀଳିମା ଅଜିତ୍‍କୁ ଅଟକାଇ କହିଲା–ହରେନ୍ଦ୍ର, ତମ ବ୍ରହ୍ମଚର୍ଯ୍ୟ ଆଶ୍ରମଟା ଉଠାଇ ଦିଅନା; ତମେ ବଞ୍ଚିବ, ପିଲାଗୁଡ଼ାକ ବି ବଞ୍ଚିଯିବେ ।’

 

ହରେନ୍ଦ୍ର କହିଲା–ପିଲାମାନେ ବଞ୍ଚିଯିବେ ଠିକ୍–କିନ୍ତୁ ମୋର ବଞ୍ଚିବାର ଆଶା ନାହିଁ । ଅନ୍ତତଃ ଅକ୍ଷୟ ବଞ୍ଚି ଥାଉ ଥାଉ ନୁହେଁ । ସେ ମତେ ଯମଘର ପଠେଇ ଛାଡ଼ିବ ।

 

ଆଶୁ ବାବୁ କହିଲେ–ମୁଁ ଦେଖୁଛି–ତମେମାନେ ତା’ହେଲେ ଅକ୍ଷୟକୁ ଭୟ କର ।

 

‘ଆଜ୍ଞା ହଁ, ଭୟ କରୁ । ବିଷ ଖାଇବା ସହଜ, କିନ୍ତୁ ବିଷର ଜ୍ୱାଳା ସହିବା ଅସାଧ୍ୟ । ଇନ୍‍ଫ୍ଲୁଏଞ୍ଜାରେ ଏତେ ଲୋକ ମଲେ, କିନ୍ତୁ ସେ ତ ମଲା ନାହିଁ ! ବେଶ୍ ଖସି ଚାଲିଗଲା ।’

 

ସମସ୍ତେ ହସିଲେ । ନୀଳିମା କହିଲା–ଅକ୍ଷୟ ବାବୁଙ୍କୁ ଅବଶ୍ୟ ମୁଁ କଥା କହେନା–କିନ୍ତୁ ଏଥର ତମ ପାଇଁ ତାଙ୍କଠୁ ନିଶ୍ଚୟ କ୍ଷମା ମାଗିନେବି । ଭିତରେ ଭିତରେ ତମେ ରାଗରେ ଜଳି କଳା କାଠ ହେଇଗଲଣି ।

 

ହରେନ୍ଦ୍ର କହିଲା–ଆମେ କେବଳ ଧରା ପଡ଼ିଯାଇଛୁ ଭାଉଜ, ଆପଣମାନେ ତ ଜଳାପୋଡ଼ା ଉପରେ । ବିଧାତା କେବଳ ଆମ ପାଇଁ ନିଆଁ ସୃଷ୍ଟି କରିଥିଲେ–ଆପଣମାନେ ସେ ଇଲାକାର ବାହାରେ ।

 

ନୀଳିମା ଲାଜରେ ଲାଲ୍ ପଡ଼ି କହିଲା–ତା’ ନୁହେଁ ଆଉ କ’ଣ !

 

ବେଳା କହିଲା–ସତରେ ତ ।

 

କିଛି ସମୟ ନୀରବରେ କଟିଗଲା । ଅଜିତ୍‍ କହିଲା–‘ସେ ଦିନ ଠିକ୍ ଏଇ ଘଟଣା ନେଇ ଗୋଟିଏ ଚମତ୍କାର ଗଳ୍ପ ପଢ଼ିଛି ।’ ଆଶୁ ବାବୁଙ୍କ ଆଡ଼କୁ ଚାହିଁ କହିଲା–ଆପଣ ପଢ଼ି ନାହାନ୍ତି ?

 

‘କାହିଁ, ମନେ ହେଉନି ତ ?’

 

‘ଯେ ମାସିକ ପତ୍ରିକାଗୁଡ଼ିକ ଆପଣଙ୍କର ବିଲାତରୁ ଆସେ, ସେଇଥିରୁ ଗୋଟାକରେ ପଢ଼ିଥିଲି । ଫରାସୀ ଗଳ୍ପର ଅନୁବାଦ, ସ୍ତ୍ରୀଲୋକ ଜଣେ ଲେଖିଛନ୍ତି । ବୋଧହୁଏ ଡାକ୍ତର । ନିଜ ପରିଚୟ ଦେବାକୁ ଯାଇ ମାତ୍ର ଏତିକି କହିଛନ୍ତି ଯେ ସେ ଯୌବନ ପାର ହୋଇ ପୌଢ଼ତ୍ଵରେ ପାଦ ଦେଇଛନ୍ତି ମାତ୍ର । ଏଇତ, ସେଲଫରେ ଅଛି’, ଏହା କହି ସେ ବହିଟି ବାହାର କରି ଆଣିଲା ।

 

ଆଶୁ ବାବୁ ପଚାରିଲେ–ଗଳ୍ପର ନାଁ କ’ଣ ?

 

ଅଜିତ୍‍ କହିଲା–ନାଁଟା ବଡ଼ ଅଦ୍ଭୁତ–‘ମୁଁ ଯେତେବେଳେ ନାରୀ ଥିଲି ।’

 

ବେଳା କହିଲା–ତା’ ମାନେ ? ଲେଖିକା କ’ଣ ବର୍ତ୍ତମାନ ପୁରୁଷଙ୍କ ଦଳରେ ମିଶିଗଲେ ନା କ’ଣ ?

 

ଅଜିତ୍‍ କହିଲା–ଲେଖିକା ହୁଏତ ନିଜ କଥା କହି ଯାଇଛନ୍ତି । ହୁଏତ ଡାକ୍ତର ବୋଲି ନାରୀ ଦେହର କ୍ରମବିବର୍ତ୍ତନର ଯେ ଛବି ଦେଇଛନ୍ତି, ତା’ ସ୍ଥାନେ ସ୍ଥାନେ ରୁଚିକୁ ଆଘାତ ଦିଏ; ଯଥା–

 

ନୀଳିମା ହଠାତ୍ ବାଧା ଦେଇ କହିଲା–ଯଥାର କୌଣସି କାରଣ ନାହିଁ ଅଜିତ୍‍ ବାବୁ, ସେ କଥା ଥାଉ ।

 

ଅଜିତ୍‍ କହିଲା–ଆଚ୍ଛା ଥାଉ, କିନ୍ତୁ ନାରୀ ହୃଦୟର ଯେ ଛବି ସେ ଆଙ୍କିଛନ୍ତି, ତା’ ମଧୁର ନ ହେଲେ ବି ବିସ୍ମୟକର ।

 

ଆଶୁ ବାବୁ କୌତୂହଳୀ ହୋଇ ଉଠିଲେ; କହିଲେ–ସେ ସବୁ ବାଦଦେଇ ପଢ଼ନା ଅଜିତ୍‍–ବର୍ଷା ତ କମିନି; ତା’ପରେ ରାତି ବି ତ ବେଶୀ ହେଇନି ।

 

ଅଜିତ୍‍ କହିଲା–ଗଳ୍ପଟା ବେଶ୍ ବଡ଼, ଇଚ୍ଛା ହେଲେ ସବୁଟା ପରେ ପଢ଼ିପାରିବେ ।

 

ବେଳା କହିଲା–ପଢ଼ନ୍ତୁନା ଶୁଣିବା–ଅନ୍ତତଃ ସମୟଟା ତ କଟିବ ।

 

ନୀଳିମାର ଇଚ୍ଛା ହେଉଥିଲା ସେ ଉଠିଯିବ ବୋଲି–କିନ୍ତୁ କୌଣସି କାରଣ ନ ଥିବାରୁ ସଙ୍କୋଚ ସହ ବସିରହିଲା । ଆଲୁଅ ପାଖେ ବସି ଅଜିତ୍‍ ବହିଟା ଖୋଲି କହିଲା–ମୂଳରୁ ଟିକିଏ ଭୂମିକା ଦେବା ଆବଶ୍ୟକ । ଏ ଜୀବନୀ ଯାହାଙ୍କର ସେ ସୁନ୍ଦରୀ, ସୁଶିକ୍ଷିତା ଓ ବଡ଼ ଘରର ଝିଅ । ଚରିତ୍ର ନିଷ୍କଳଙ୍କ କି ନୁହେଁ–ତା’ର କୌଣସି ସୂଚନା ଗଳ୍ପରେ ନାହିଁ–ତେବେ ଯଦି କେଉଁଠି ଦାଗ ଲାଗିଥିବ, ତେବେ ତା’ ବହୁଦିନ ଆଗରୁ; ଯୌବନ ଆରମ୍ଭରେ ।

 

ସେତେବେଳେ ତାଙ୍କୁ ବହୁତ ଲୋକ ଭଲପାଉଥିଲେ । ଜଣେ ଆତ୍ମହତ୍ୟା କଲା, ଆଉ ଜଣେ ସେଇ ଦୁଃଖରେ ଚାଲିଗଲା ସାଗର ପାର ହେଇ କାନାଡ଼ାକୁ । ଗଲା ସିନା, ଆଶା ଛାଡ଼ି ପାରିଲା ନାହିଁ । ଦୂରରୁ କାକୁତି ମିନତି କରି ସେ ଏତେ ଚିଠି ଲେଖିଛି ଯେ ଜମାକରି ରଖିଲେ ଗୋଟାଏ ଜାହାଜ ବୋଝେଇ କରି ହେବ । ଜବାବ୍ ପାଇନି କି ଆଶା ବି କରିନି । ତା’ପରେ ପନ୍ଦର ବର୍ଷ ପରେ ଦେଖା । ଦେଖା ହେଲା ପରେ ସେ ଯେମିତି ହଠାତ୍ ଚମକି ଉଠିଲା । ଏ ଭିତରେ ଯେ ପନ୍ଦର ବର୍ଷ ବିତିଗଲାଣି–ଯାହାକୁ ସେ ପଚିଶ ବର୍ଷର ଯୁବତୀ ରୂପେ ଦେଖିଥିଲା, ତା’ର ବୟସ ଚାଳିଶି ହେଇ ଗଲାଣି–ଏ ଧାରଣା ତା’ର ନ ଥିଲା । ସୁଖ ଦୁଃଖର ପ୍ରଶ୍ନୋତ୍ତର ହେଲା, ଅଭିଯୋଗ ଅନୁଯୋଗ ବି ହେଲା–କିନ୍ତୁ ସେତେବେଳେ ଦେଖାହେଲା ମାତ୍ରେ ଯାହା ଆଖିକୋଣରୁ ଲାଳସାର ଅଗ୍ନି ବାହାରି ଆସୁଥିଲା, ଉନ୍ମତ୍ତ କାମନାର ଝଞ୍ଜାବର୍ତ୍ତ ଇନ୍ଦ୍ରିୟର ଅବରୁଦ୍ଧ ଦ୍ୱାର ଭାଙ୍ଗି ବାହାରୁଥିଲା, ତା’ର ଚିହ୍ନ କେଉଁଠି ନାହିଁ । ସେ ସବୁ ଯେପରି ବହୁଦିନ ତଳର ସ୍ଵପ୍ନ । ସ୍ତ୍ରୀଲୋକମାନଙ୍କୁ ସବୁ କିଛି ହୁଏତ ଠକି ହେବ, କିନ୍ତୁ ଏ କଥା ଠକି ହେବନି । ଏଇଠୁ ଗଳ୍ପର ଆରମ୍ଭ । ଏହା କହି ଅଜିତ୍‍ ପୃଷ୍ଠା ଖୋଲି ବସିଲା ।

 

ଆଶୁ ବାବୁ କହିଲେ–ନା ଅଜିତ୍‍, ଆଉ ଇଂରେଜୀ ଗପଟା ପଢ଼ିବ କାହିଁକି ? ତମ ମୁହଁରେ ମାତୃଭାଷାରେ ଏ ସ୍ପଷ୍ଟ ପରିବେଷଣ, ବେଶ୍ ଭଲଲାଗିଲା । ତମେ ଏମିତି ବାକିତକ କହିଯାଅ ।

 

‘ମୁଁ କ’ଣ ପାରିବି ?’

 

‘ପାରିବ, ପାରିବ–ଯେମିତି କହିଗଲ, ସେମିତି କହି ଯାଅ ।’

 

ଅଜିତ୍‍ କହିଲା–ହରେନ୍ଦ୍ର ବାବୁଙ୍କ ଭଳି ମୋର ଗଭୀର ଭାଷାଜ୍ଞାନ ନାହିଁ । କହିବା ଦୋଷରୁ ଯଦି ବାକିତକ ଖରାପ ଲାଗେ, ତା’ହେଲେ ଦୋଷ ଦେବେନି । ଏହା କହି ସେ କେତେବେଳେ ବହିକୁ ଚାହିଁ, କେତେବେଳେ ବା ନ ଚାହିଁ କହିଲା–

 

‘ସେ ଦିନ ସେ ଘରକୁ ଫେରିଆସିଲା । ଏ ଲୋକକୁ ସେ ଯେ କେବେ ଭଲ ପାଇଥିଲା ବା ଚାହିଁଥିଲା, ତା’ ନୁହେଁ । ବରଂ ବହୁଦିନ ଭଗବାନଙ୍କ ଠାରେ ପ୍ରାର୍ଥନା କରିଛି ଯେ ଈଶ୍ୱର ଯେପରି ତାକୁ ମୋହ ମୁକ୍ତ କରନ୍ତୁ, ଏଇ ନିଷ୍ଫଳ ପ୍ରଣୟର ଯନ୍ତ୍ରଣାରୁ ଅବ୍ୟାହତି ଦିଅନ୍ତୁ; ଅସମ୍ଭବ ବସ୍ତୁର ଲୁବ୍ଧ କଳ୍ପନାରେ ସେ ଯେପରି କଷ୍ଟ ନ ପାଏ । ଦେଖାଗଲା ଯେ ଯାହାହେଉ ଏତେ ଦିନ ପରେ ଭଗବାନ ସେ ପ୍ରାର୍ଥନା ମଞ୍ଜୁର କରିଛନ୍ତି । କୌଣସି ଅଧିକ କଥାବାର୍ତ୍ତା ଆଉ ହେଲା ନାହିଁ । ତେବେ ଝିଅଟି ଜାଣିଲା ଯେ ସେ କାନାଡ଼ା ଯାଉ ବା ଆଉ କୁଆଡ଼େ ଯାଉ, ଆଉ କାତର ପ୍ରଣୟଭିକ୍ଷା କରି ସେ ଦୁଃଖ ପାଇବ ନାହିଁ, ଏଇ ଦୁଃସାଧ୍ୟ ସମସ୍ୟାର ସହଜ ମୀମାଂସା ଏଇଠି ହେଇଗଲା–ଚିରଦିନ ‘ନା’ କହି ସେ ଅସ୍ୱୀକାର କରି ଆସିଛି–କିନ୍ତୁ ଆଜି ସେଇ ‘ନା’ ଆସିଲା ଅନ୍ୟ ଦିଗରୁ । ଏ ଦୁଇଟା ‘ନା’ ଭିତରେ ଯେ ଏତେ ବଡ଼ ପ୍ରଭେଦ, ତା’ ସେ ଜାଣି ନ ଥିଲା । ପୁରୁଷର ଲୋଲୁପ ଦୃଷ୍ଟି ସବୁବେଳେ ତାକୁ ବିବ୍ରତ କରିଛି, ଲଜ୍ଜିତ କରିଛି; ଆଜି ଯଦି ଠିକ୍ ସେଇ ଦିଗରୁ ତାକୁ ମୁକ୍ତି ମିଳେ, ଶରୀରଧର୍ମ ଅନୁଯାୟୀ ତା’ର ଅବସିତପ୍ରାୟ ଯୌବନ ଯଦି ପୁରୁଷର ଉଦ୍ଦୀପ୍ତ କାମନା, ଉନ୍ମତ୍ତ ଆସକ୍ତିର ଗତିରୋଧ କରିଥାଏ–ତେବେ ଅଭିଯୋଗ କରିବାର ବା କ’ଣ ଅଛି ? ଅଥଚ ଘରକୁ ଫେରିଲା ବେଳକୁ ସମସ୍ତ ବିଶ୍ୱସଂସାର ତାକୁ ଅପରିଚିତ ବୋଧ ହେଲା । ଭଲପାଇବା ନୁହେଁ–ଆତ୍ମାର ଏକାନ୍ତ ମିଳନ ପାଇଁ ବ୍ୟାକୁଳତା ନୁହେଁ–ଏସବୁ ଅନ୍ୟ କଥା । କିନ୍ତୁ ଯାହା ପ୍ରଧାନ ନୁହେଁ ବୋଲି ତା’ର ଧାରଣା ଥିଲା–ଯାହା ରୂପଜ, ଯାହା ଅଶୁଭ, ଅସୁନ୍ଦର–ଯା’ ଅତ୍ୟନ୍ତ କ୍ଷଣସ୍ଥାୟୀ–ସେଇ କୁତ୍ସିତ ବସ୍ତୁ ପାଇଁ ଯେ ନାରୀର ଆଭିଜାତ୍ୟସମ୍ପନ୍ନ ମନ ତଳେ ଏକ ବିରାଟ ଆସନ ଥିଲା–ପୁରୁଷର ବିମୁଖତା ଯେ ତାକୁ ଏପରି ନିର୍ମମ ଅପମାନ ଦେଇ ପାରେ–ଏଇ ଦିନ ପୂର୍ବରୁ ସେ କ’ଣ ତା’ ଜାଣିଥିଲା ?’

 

ହରେନ୍ଦ୍ର କହିଲା–ଅଜିତ୍‍ ତ ବେଶ୍ ସୁନ୍ଦର ଭାବେ କହି ପାରୁଛନ୍ତି । ଗଳ୍ପଟା ଖୁବ୍ ମନ ଦେଇ ପଢ଼ିଛନ୍ତି ନିଶ୍ଚୟ ।

 

ଆଶୁ ବାବୁ କହିଲେ–ହଁ, ତା’ପରେ ଅଜିତ୍‍ ?

 

ଅଜିତ୍‍ କହିବାକୁ ଲାଗିଲା–ଭଦ୍ରମହିଳାଙ୍କର ହଠାତ୍ ମନେହେଲା ଯେ କେବଳ ଏଇ ଲୋକଟି ନୁହେଁ, ବହୁ ବ୍ୟକ୍ତି ବହୁ ଦିନ ଧରି ତାକୁ ଭଲ ପାଇଛନ୍ତି–ପ୍ରାର୍ଥନା କରିଛନ୍ତି–ତା’ର ଟିକିଏ କଥା, ଟିକିଏ ହସ ପାଇଁ ସେମାନଙ୍କ ବ୍ୟାକୁଳତାର ସୀମା ନ ଥିଲା । ପ୍ରତିଦିନ ଶହ ଶହ ଲୋକ, କେଉଁଠୁ ଯେ ଆସନ୍ତି ତା’ର ହିସାବ ନାହିଁ । ସେମାନେ ସବୁ ଆଜି ଗଲେ କୁଆଡ଼େ ? କୁଆଡ଼େ ତ ଯାଇ ନାହାନ୍ତି, ଏବେ ବି ମଝିରେ କେଉଁଠି କାହା ସାଥିରେ ଦେଖା ହୁଏ । ତେବେ କ’ଣ ତା’ ନିଜର କଣ୍ଠସ୍ୱର ଆଜି ବଦଳି ଯାଇଛି ? ଏଇତ ମାତ୍ର ଦଶ ପନ୍ଦର ବର୍ଷର ବ୍ୟବଧାନ–ୟା’ଭିତରେ ସେ କ’ଣ ସବୁ ହରାଇ ବସିଲାଣି ?

 

ଆଶୁ ବାବୁ ହଠାତ୍ କହିଲେ କିଛି ହରେଇନି ଅଜିତ୍‍, ହୁଏତ ତା’ର ଯୌବନ ଚାଲି ଯାଇଛି–ମା ହେବାର ଶକ୍ତି ନଷ୍ଟ ହେଇଯାଇଛି ।

 

ଅଜିତ୍‍ ତାଙ୍କ ପ୍ରତି ଚାହିଁ କହିଲା ଠିକ୍ କଥା, ଗଳ୍ପଟା ତା’ହେଲେ ଆପଣ ପଢ଼ିଛନ୍ତି ?

 

‘ନା ।’

 

‘ନ ହେଲେ ଏ କଥା ଜାଣିଲେ କେମିତି ?’

 

ଆଶୁ ବାବୁ ଟିକିଏ ହସି କହିଲେ ତା’ପରେ କ’ଣ ହେଲା କୁହ ।

 

ଅଜିତ୍‍ କହିଲା–ତା’ପରେ ଶୋଇବା ଘର ବଡ଼ ଦର୍ପଣ ସାମନାରେ ଆଲୁଅ ଜାଳି ସେ ଠିଆହେଲା । ବାହାରର ଲୁଗା ବଦଳି ଶୋଇବା ପୋଷାକ ପିନ୍ଧୁ ପିନ୍ଧୁ ନିଜ ଚେହେରାର ପ୍ରତିବିମ୍ବ ଦର୍ପଣରେ ଦେଖି ତା’ର ଧାରଣା ବଦଳିଗଲା । ଏମିତି ଧକ୍କା ନ ଖାଇଥିଲେ ହୁଏତ ତା’ର ଆଖିରେ ପଡ଼ି ନ ଥାନ୍ତା ଯେ ନାରୀର ଯାହା ସବୁଠାରୁ ବଡ଼ ସମ୍ପଦ–ଆପଣ ଯାହାକୁ କହିଥିଲେ ତା’ର ମା ହେବାର ଶକ୍ତି–ସେ ଶକ୍ତି ଆଜି ନିସ୍ତେଜ, ମ୍ଳାନ; ତା’ ଆଜି ସୁନିଶ୍ଚିତ ଭାବେ ମୃତ୍ୟୁ ଆଡ଼କୁ ପାଦ ବଢ଼େଇଲାଣି । ଏ ଜୀବନରେ ଆଉ ତାକୁ ଫେରାଇ ଆଣି ହେବନି । ତା’ ଦେହ ଉପରେ ଅବିଚ୍ଛିନ୍ନ ଜଳଧାରା ପରି ସେ ସମ୍ପଦ ପ୍ରତିଦିନ ବ୍ୟର୍ଥତାରେ କ୍ଷୟ ହୋଇଯାଇଛି । ଏତେ ବଡ଼ ଐଶ୍ୱର୍ଯ୍ୟ ଯେ ଏପରି ସ୍ଵଳ୍ପାୟୁ, ଏ ନିଷ୍ଠୁର ସମ୍ବାଦ ସେ ଶେଷରେ ପାଇଲା ।

 

ଆଶୁ ବାବୁ ନିଃଶ୍ଵାସ ପକାଇ କହିଲେ–ସବୁ ଜିନିଷ ଏଇଭଳି ନଷ୍ଟ ହୋଇଯାଏ ଅଜିତ୍‍, ଜୀବନର ଅନେକ ବଡ଼ ଜିନିଷର ମହତ୍ୱ ନଷ୍ଟ ହୋଇଗଲା ପରେ ଜଣାଯାଏ । ତା’ପରେ ?

 

ଅଜିତ୍‍ କହିଲା–ତା’ପରେ ସେ ଦର୍ପଣ ଆଗରେ ଠିଆହୋଇ ଯୌବନାନ୍ତ ଦେହର ସୂକ୍ଷ୍ମାତିସୂକ୍ଷ୍ମ ବିଶ୍ଳେଷଣ କରିଛି । ଦିନେ କ’ଣ ଥିଲା ଓ ସେ ଆଜି କ’ଣ ହୋଇଛି; କିନ୍ତୁ ସେ ବିବରଣୀ ତ ମୁଁ କହିପାରିବିନି ।

 

ନୀଳିମା ପୂର୍ବ ପରି ବାଧା ଦେଇ କହିଲା–ସେ ସବୁ ଥାଉ ଅଜିତ୍‍ ବାବୁ, ତାକୁ ବାଦ୍ ଦେଇ ଆପଣ କହନ୍ତୁ ।

 

ଅଜିତ୍‍ କହିଲା–ବିଶ୍ଳେଷଣ ଶେଷରେ ଭଦ୍ର ମହିଳା କହିଛନ୍ତି–ଦୈହିକ ସୌନ୍ଦର୍ଯ୍ୟ ପରି ସୁନ୍ଦର ଜିନିଷ ଯେପରି ସଂସାରରେ ନାହିଁ, ତା’ର ବିକୃତି ପରି ଅସୁନ୍ଦର ବସ୍ତୁ ହୁଏତ ସଂସାରରେ ଅଦ୍ଵିତୀୟ ।

 

ଆଶୁ ବାବୁ କହିଲେ–ଏଇଟା କିନ୍ତୁ ଅତିଶୟୋକ୍ତି ।

 

ନୀଳିମା କହିଲା–ନା, ଅତିଶୟୋକ୍ତି ନୁହେଁ, ଖାଣ୍ଟି ସତ କଥା ।

 

ଆଶୁ ବାବୁ କହିଲେ–କିନ୍ତୁ ଝିଅଟିର ଯାହା ବୟସ, ସେଥିରେ ତ ବିକୃତିର ପ୍ରଶ୍ନ ଉଠେ, ନୀଳିମା ।

 

ନୀଳିମା କହିଲା–ନିଶ୍ଚୟ, କାରଣ କେବଳ ବୟସ ଗଣି ସ୍ତ୍ରୀଲୋକର ବଞ୍ଚିବାର ହିସାବ କରାଯାଏନା–ତା’ର ଆୟୁଷ ଅତ୍ୟନ୍ତ କମ୍‍–ଏକଥା ଆଉ ଯେ କେହି ଭୁଲିଲେ ବି ସ୍ତ୍ରୀଲୋକମାନେ ଭୁଲିଲେ ଚଳିବନି ।

 

ଅଜିତ୍‍ ଖୁସି ହୋଇ କହିଲା–ଠିକ୍ ଏଇ କଥାଟି ଭଦ୍ରମହିଳା କହିଛନ୍ତି । ସେ କହିଛନ୍ତି–‘ଆଜିଠାରୁ ସମାପ୍ତିର ପ୍ରତୀକ୍ଷା କରି ରହିବା ଅବଶିଷ୍ଟ ଜୀବନ ପାଇଁ ଏକମାତ୍ର ସତ୍ୟ ହୋଇ ରହିବ । ଏଥିରେ ସାନ୍ତ୍ୱନା ନାହିଁ, ଆନନ୍ଦ ନାହିଁ, ଆଶା ନାହିଁ–କେବଳ ଉପହାସ ଓ ଲଜ୍ଜା ନେଇ ବଞ୍ଚି ରହିବା କଥା । ଐଶ୍ୱର୍ଯ୍ୟର ଏ ଭଗ୍ନସ୍ତୂପ ହୁଏତ ଆଜି ବି କୌଣସି ଦୁର୍ଭାଗାର ମନୋହରଣ କରିପାରେ, କିନ୍ତୁ ସେ ମୁଗ୍ଧତା ତା’ ପକ୍ଷେ ଯେପରି ବିଡ଼ମ୍ବନା, ମୋ ନିଜ ପାଇଁ ବି ସେପରି ମିଥ୍ୟା । ଯେ ରୂପର ପ୍ରକୃତ ପ୍ରୟୋଜନ ଶେଷ ହୋଇଯାଇଛି, ତାକୁ ନାନା ଭାବରେ ନାନା ସଜ୍ଜାରେ ସଜାଇ ‘ଶେଷ ହୋଇନି’ ବୋଲି ଠକେଇ ବୁଲିବା ମୋ’ଦ୍ୱାରା ହୋଇପାରିବନି ।’

 

ଆଉ କେହି କିଛି କହିଲେ ନାହିଁ । ନୀଳିମା କହିଲା–ଏ କଥାଟି ମୋତେ ଖୁବ୍ ସୁନ୍ଦର ଲାଗିଲା ଅଜିତ୍‍ ବାବୁ ।

 

ହରେନ୍ଦ୍ର ଏକ ମନରେ ବସି ଶୁଣୁଥିଲା । ସେ ଏ ମନ୍ତବ୍ୟରେ ଖୁସି ହୋଇପାରିଲା ନାହିଁ-। କହିଲା–ଏ କେବଳ ତମର ଭାବାତିଶଯ୍ୟର ଉଚ୍ଛ୍ୱାସ ଭାଉଜ, ଉଞ୍ଚ ଡାଳରେ ଶିମୁଳି ଫୁଲ ସୁନ୍ଦର ଦିଶେ, ତେଣୁ ଫୁଲ ଦରବାରରେ ତା’ର ନିମନ୍ତ୍ରଣ ପହଞ୍ଚେ ନାହିଁ । ସ୍ତ୍ରୀଲୋକର ଦେହ କ’ଣ ଏଭଳି ତୁଚ୍ଛ ଜିନିଷ ଯେ, ଏହାଛଡ଼ା ତା’ର ଆଉ କୌଣସି ପ୍ରୟୋଜନ ନାହିଁ ?

 

ନୀଳିମା କହିଲା–‘ସେ କଥା ତ ଲେଖିକା କହି ନାହାନ୍ତି । ମଣିଷ ଜୀବନରେ ପ୍ରୟୋଜନ ଯେ ସହଜରେ ମେଣ୍ଟିଯାଏନି, ଏ ଆଶଙ୍କା ତାଙ୍କର ରହିଛି ।’ ଟିକିଏ ହସି କହିଲା–ଉଚ୍ଛ୍ୱାସ କଥା କହୁଥିଲ ହରେନ୍ଦ୍ର, ଭାଗ୍ୟବଶତଃ ଅକ୍ଷୟ ବାବୁ ନାହାନ୍ତି, ସେ ଥିଲେ ବୁଝିଥାନ୍ତେ ଆଜିକାଲି ଉଚ୍ଛ୍ୱାସ କେଉଁଠି ବେଶୀ ।

 

ହରେନ୍ଦ୍ର କହିଲା–ସେ ଗାଳିଦେଲେ ମୁଁ କ’ଣ ପୋଚା ହୋଇଯିବି ?

 

ଶୁଣି ଆଶୁ ବାବୁ ଟିକିଏ ହସି କହିଲେ–ବାସ୍ତବିକ୍ ହରେନ୍ଦ୍ର ମୋର ବି ମନେହୁଏ ଯେ ଲେଖିକା ସ୍ତ୍ରୀଲୋକମାନଙ୍କର ରୂପର ପ୍ରକୃତ ପ୍ରୟୋଜନ ସମ୍ପର୍କରେ ଇଙ୍ଗିତ କରିଛନ୍ତି ।

 

‘କିନ୍ତୁ ସେଇଟା କ’ଣ ଠିକ୍ ?’

 

‘ଠିକ୍ ନୁହେଁ ବୋଲି ତ କହି ହେବନି ।’

 

ହରେନ୍ଦ୍ର ଉତ୍ତେଜିତ ହୋଇ କହିଲା–ଆପଣ ଯାହା କହନ୍ତୁନା କାହିଁକି, ମୋ ପକ୍ଷରେ ଏ କଥା ସ୍ୱୀକାର କରିବା ସମ୍ଭବ ନୁହେଁ । ମଣିଷର ପ୍ରୟୋଜନ ସାଧାରଣ ଜୈବିକ ପ୍ରୟୋଜନକୁ ଅତିକ୍ରମ କରି ବହୁଦୂର ଆଗେଇ ଯାଇଛି–ତେଣୁ ଏ ସମସ୍ୟା ଏପରି ବିଚିତ୍ର, ଏପରି ଦୁରୂହ । ଏହାକୁ ଚାଲୁଣିରେ ଚଲେଇ ଫିଙ୍ଗିଦେଇ ହେବନି ବୋଲି ତ ୟା’ର ମର୍ଯ୍ୟାଦା ଅଛି ।

 

‘ସେ ବି ଗୋଟାଏ ଦିଗ–ଆଚ୍ଛା ତା’ପରେ କ’ଣ ହେଲା କହ ଅଜିତ୍‍ ।’

 

ହରେନ୍ଦ୍ର କ୍ଷୁଣ୍ଣ ହୋଇ କହିଲା–ସେ କଥା ହୋଇପାରିବନି । ମୋ କଥାର ଉତ୍ତର ଆପଣ ଏଡ଼ିଦେଇ ପାରିବେନି–ହୁଏତ ମୋ କଥା ସ୍ୱୀକାର କରନ୍ତୁ ବା ଭୁଲ୍‍ଟା ଦେଖେଇ ଦିଅନ୍ତୁ । ଆପଣ ଅନେକ ଜିନିଷ ଦେଖିଛନ୍ତି–ଅନେକ ବହି ପଢ଼ିଛନ୍ତି–ଅତି ପଣ୍ଡିତ ବ୍ୟକ୍ତି, ଆପଣଙ୍କର ଏ ଅନିର୍ଦ୍ଦିଷ୍ଟ ବାକ୍‍ଚାତୁରୀରେ ଭାଉଜ ଜିତିଯିବେ–ସେ କଥା ମୁଁ କରେଇ ଦେବି ନାହିଁ ।

 

ଆଶୁ ବାବୁ ହସି ହସି କହିଲେ–ତମେ ତ ବ୍ରହ୍ମଚାରୀ ହରେନ୍ଦ୍ର, ରୂପର ହିସାବ କରିବାରେ ତମେ ହାରିଯିବାରେ ତ ତମପକ୍ଷେ ଲଜ୍ଜାକଥା ନୁହେଁ ।

 

ହରେନ୍ଦ୍ର କହିଲା–ନା, ସେ କଥା ହେବନି ।

 

ଆଶୁ ବାବୁ କିଛି ସମୟ ମୌନ ରହି କହିଲେ–‘ତମ କଥା ଅପ୍ରମାଣ କରିବା ପାଇଁ ତର୍କ କରିବାକୁ ଗଲେ ଲଜ୍ଜିତ ହେବାକୁ ପଡ଼େ । ବସ୍ତୁତଃ ନାରୀରୂପ ସମ୍ପର୍କୀୟ ନିଗୂଢ଼ ଅର୍ଥ ଅପରିସ୍ଫୁଟ ରହିବା ଭଲ ।’ ପୁଣି ଟିକିଏ ଚୁପ୍ ରହି କହିଲେ–ଅଜିତ୍‍ର ଗଳ୍ପ ଶୁଣି ମୋର ବହୁକାଳ ପୂର୍ବର ଗୋଟିଏ କଥା ମନେ ପଡ଼ିଗଲା । ପାଠ ପଢ଼ିଲା ବେଳେ ମୋର ଜଣେ ଇଂରେଜ ବନ୍ଧୁ ଥିଲେ; ସେ ଜଣେ ପୋଲାଣ୍ଡ ଦେଶୀୟ ମହିଳାଙ୍କୁ ଭଲପାଉଥିଲେ । ଝିଅଟି ଥିଲା ଅପରୂପ ସୁନ୍ଦରୀ; ଛାତ୍ରୀମାନଙ୍କୁ ପିୟାନୋ ବଜାଇବା ଶିଖାଉଥିଲେ । କେବଳ ରୂପରେ ନୁହେଁ, ନାନା ଗୁଣରେ ଗୁଣବତୀ; ଆମେ ସମସ୍ତେ ସେ ଦୁଇଜଣଙ୍କର ଶୁଭକାମନା କରୁଥିଲୁ । ନିଶ୍ଚିତ ଭାବେ ଜାଣିଥିଲୁ ଯେ ଉଭୟେ ଖୁବ୍ ଶୀଘ୍ର ବିବାହ କରିବେ ।

 

ଅଜିତ୍‍ କହିଲା–ତା’ହେଲେ ଅସୁବିଧା ଆଉ ହେଲା କ’ଣ ?

 

ଆଶୁ ବାବୁ କହିଲେ–କେବଳ ବୟସ ଦିଗରୁ । ପୋଲାଣ୍ଡରୁ ସେ ଝିଅଟିର ମା ଦିନେ ଆସି ପହଞ୍ଚିଲେ–ତାଙ୍କ ମୁହଁରୁ ଶୁଣାଗଲା ଯେ କନ୍ୟାର ବୟସ ପଞ୍ଚଚାଳିଶ ପାର ହୋଇଯାଇଛି ।

 

ଶୁଣି ସମସ୍ତେ ଚମକି ଉଠିଲେ । ଅଜିତ୍‍ କହିଲା–ସେ କ’ଣ ତାଙ୍କ ବୟସ ଲୁଚେଇ ଥିଲେ ?

 

ଆଶୁ ବାବୁ କହିଲେ–ନା । ମୋର ବିଶ୍ୱାସ, ପଚାରିଥିଲେ ସେ ବୋଧହୁଏ ଲୁଚେଇ ନ ଥାନ୍ତେ । ସେ ପ୍ରକୃତି ତାଙ୍କର ନଥିଲା । କିନ୍ତୁ ପଚାରିବା ପାଇଁ କାହା ମନକୁ ଆସିନି । ତାଙ୍କର ଗଠନ, ମୁହଁର ସୁକୁମାର ଶ୍ରୀ, ମଧୁର କଣ୍ଠସ୍ଵର ଏଭଳି ଯେ କାହାର ମନେ ହେଇନି ତାଙ୍କର ବୟସ ତିରିଶି ପାର ହୋଇଗଲାଣି ।

 

ବେଳା କହିଲା–ଆଶ୍ଚର୍ଯ୍ୟ ! ଆପଣମାନଙ୍କର କ’ଣ ଆଖି ନ ଥିଲା ?

 

‘ନିଶ୍ଚୟ, କିନ୍ତୁ ଜଗତର ସବୁ ଆଶ୍ଚର୍ଯ୍ୟ ବସ୍ତୁ ଆଖିରେ ଧରାପଡ଼େନା । ଏ ତା’ର ଗୋଟାଏ ଦୃଷ୍ଟାନ୍ତ ।’

 

‘କିନ୍ତୁ ପାତ୍ରର ବୟସ କେତେ ?’

 

‘ସେ ମୋର ସମବୟସ୍କ–ସେତେବେଳକୁ ବୋଧହୁଏ ଅଠେଇଶ ବା ଊଣତ୍ରିଶ ହେବ ।

 

‘ତା’ପରେ ?’

 

ଆଶୁ ବାବୁ କହିଲେ–ତା’ପରେ ଘଟଣା ଅତି ସଂକ୍ଷିପ୍ତ । ତା’ର ମନ ନିମିଷରେ ଏଇ ପୌଢ଼ା ରମଣୀଙ୍କ ପ୍ରତି ନିଷ୍ଠୁର ହୋଇଗଲା । କେତେ ଦିନର କେତେ କଥା, ଆଜି ବି ମନେ ପଡ଼ିଲେ କଷ୍ଟ ଲାଗେ । କେତେ ଆଖିପାଣି, କେତେ ହା-ହୁତାଶ, କେତେ ଯିବା-ଆସିବା–କିନ୍ତୁ ଏସବୁ ତାକୁ ପରିବର୍ତ୍ତନ କରିପାରିଲା ନାହିଁ ।

 

କିଛି ସମୟ ପାଇଁ ସମସ୍ତେ ନୀରବ ରହିଲେ । ନୀଳିମା କହିଲା–ବୋଧହୁଏ ଓଲଟା ଦିଗରୁ ଏଇ ଅସୁବିଧାଟା ହୋଇଥିଲେ ଅସମ୍ଭବ ହୋଇ ନ ଥାନ୍ତା ।

 

‘ବୋଧହୁଏ ହୋଇ ନ ଥାନ୍ତା ।’

 

‘କିନ୍ତୁ ଏ ରକମର ବିବାହ କ’ଣ ସେ ଦେଶରେ ହୁଏନା ?’

 

‘ହୁଏ । ସେ ରକମର ପୁରୁଷ ସେ ଦେଶରେ ବିରଳ ନୁହନ୍ତି । ଅଜିତ୍‍ ଯେ ଗଳ୍ପଟି ପଢ଼ିଲା, ତା’ର ଲେଖିକା ବୋଧହୁଏ ସେଇମାନଙ୍କ ସମ୍ପର୍କରେ ଶେଷ ମନ୍ତବ୍ୟଟା ଦେଇଛନ୍ତି । କିନ୍ତୁ ରାତି ତ ଅନେକ ହେଲା ଅଜିତ୍‍, ଶେଷଟା କ’ଣ ?’

 

ଅଜିତ୍‍ କହିଲା–ମୁଁ ଆପଣଙ୍କ ଗଳ୍ପ କଥା ଭାବୁଥିଲି । ଏତେ ଭଲପାଇ ଯେ ଯୁବକଟି କାହିଁକି ତାକୁ ଗ୍ରହଣ କରିପାରିଲା ନାହିଁ, ଏତେ ବଡ଼ ସତ୍ୟ ନିମିଷକରେ କିଭଳି ମିଥ୍ୟାରେ ପରିଣତ ହେଲା ? ସାରାଜୀବନ ହୁଏତ ସେ ଭଦ୍ରମହିଳା ଭାବୁଥିବେ–ଦିନେ ଯେତେବେଳେ ନାରୀ ଥିଲି ? ନାରୀତ୍ଵର ଅବସାନ ଯେ ନାରୀର ଅଜ୍ଞାତସାରରେ ଘଟେ, ଏ କଥା ବୋଧହୁଏ ସେଇ ବିଗତଯୌବନା ନାରୀ ଚିନ୍ତା ବି କରି ନ ଥିବେ ।

 

‘କିନ୍ତୁ ତମ ଗପର ଉପସଂହାରରେ କ’ଣ ହେଲା ?’

 

ଅଜିତ୍‍ କହିଲା–ଆଜି ଥାଉ । ଯୌବନର ଏଇ ଶେଷ ପାଦରେ–ନିଜ ଓ ପର ନିକଟରେ ନାରୀର କରୁଣ କାହାଣୀର ବର୍ଣ୍ଣନା ଦେଇ ଗଳ୍ପଟି ଶେଷ ହୋଇଛି । ସେ କଥା ବରଂ ଆଉ ଦିନେ କହିବି ।

 

ନୀଳିମା କହିଲା–ଦରକାର ନାହିଁ–ବରଂ ସେ ଏହିପରି ଅସମାପ୍ତ ଥାଉ ।

 

ଆଶୁ ବାବୁ କହିଲେ–ବାସ୍ତବିକ ଏଇ ସମୟଟା ନାରୀପକ୍ଷରେ ସବୁଠାରୁ ଦୁଃସମୟ । ସବୁ ଦେଶରେ ଲୋକେ ଏଇ ଅବିବାହିତ ପୌଢ଼ା ନାରୀମାନଙ୍କୁ ଏଡ଼ି ଚଳନ୍ତି ।

 

ନୀଳିମା କହିଲା–ସବୁ ସ୍ତ୍ରୀଙ୍କୁ ନୁହେଁ ଆଶୁ ବାବୁ–କହନ୍ତୁ–ବରଂ ତମପରି ପତି ପୁତ୍ରହୀନା ଦୁର୍ଭାଗା ସ୍ତ୍ରୀମାନଙ୍କୁ–

 

ଆଶୁ ବାବୁ କହିଲେ–ଅଥଚ ସ୍ଵାମୀ ପୁତ୍ର ନେଇ ସୌଭାଗ୍ୟବତୀ ଯେମାନେ–ସେମାନେ ସ୍ନେହ, ପ୍ରେମ, ସୌନ୍ଦର୍ଯ୍ୟ ଓ ମାଧୁରୀରେ ଏପରି ପରିପୂର୍ଣ୍ଣ ଯେ ଜୀବନର ଏତେବଡ଼ ସଙ୍କଟ କେବେ କିପରି ଅତିବାହିତ ହୁଏ, ସେମାନେ ତା’ର ଖବର ପାଆନ୍ତି ନାହିଁ ।

 

ନୀଳିମା କହିଲା–ଭାଗ୍ୟବତୀମାନଙ୍କୁ ଈର୍ଷା କରୁନି ଆଶୁ ବାବୁ, କିନ୍ତୁ ଭାଗ୍ୟଦୋଷରେ ଯେଉଁମାନେ ଆମମାନଙ୍କ ପରି ଭବିଷ୍ୟତର ସମସ୍ତ ଆଶାରେ ଜଳାଞ୍ଜଳି ଦେଇଛନ୍ତି, ସେମାନଙ୍କ ପାଇଁ ବାଟ କ’ଣ–କହିଦେଇ ପାରିବେ କି ?

 

ଆଶୁ ବାବୁ କିଛି ସମୟ ସ୍ତବ୍ଧ ହୋଇ ବସିରହିଲେ–ତା’ପରେ କହିଲେ–ଏ କଥାର ଉତ୍ତର ଦେବାକୁ ଯାଇ ମୁଁ କେବଳ ମହାପୁରୁଷମାନଙ୍କ କଥାର ପ୍ରତିଧ୍ଵନି କରିପାରେ ନୀଳିମା, ତା’ଠୁ ବେଶୀ କିଛି ନୁହେଁ । ସେମାନେ କହନ୍ତି–ପରପାଇଁ ନିଜକୁ ଉତ୍ସର୍ଗ କରି ଦେବାକୁ । ସଂସାରରେ ଦୁଃଖର ଅଭାବ ନାହିଁ, ଆତ୍ମନିବେଦନର ଦୃଷ୍ଟାନ୍ତ ବି ଅଭାବ ନାହିଁ । ଏସବୁ ମୁଁ ଜାଣେ–କିନ୍ତୁ ଏ ଭିତରେ ନାରୀର କଲ୍ୟାଣମୟ ଆନନ୍ଦ ଅଛି କି ନା, ତା’ ନିଃସନ୍ଦେହ ରୂପେ ଜାଣି ପାରିନି ।

 

ହରେନ୍ଦ୍ର ପଚାରିଲା–ଏ ସନ୍ଦେହ କ’ଣ ଆପଣଙ୍କର ସବୁବେଳେ ଥିଲା ?

 

ଆଶୁ ବାବୁ ମନେମନେ କୁଣ୍ଠିତ ହୋଇ କହିଲେ–ଠିକ୍ ସ୍ମରଣ କରିପାରୁନି ହରେନ୍ଦ୍ର । ଗୋଟିଏ ଦିନର କଥା କହୁଛି–ସେତେବେଳେ ମନୋରମା ଦୁଇ ତିନିଦିନ ପୂର୍ବରୁ ଚାଲି ଯାଇଥାଏ; ଏଇ ଚୌକିଟାରେ ଚୁପ୍‍ଚାପ୍‍ ପଡ଼ି ରହିଥାଏ–ହଠାତ୍ କମଳ ଆସି ପହଞ୍ଚିଲା । ଡାକି ଆଣି ପାଖରେ ବସାଇଲି । ସେ ସେ ଦୁଃଖ ବିଷୟରେ କିଛି ଆଲୋଚନା ନ କରି କଥାବାର୍ତ୍ତା କରି ଯାଉଥିଲା । କଥା ହେଉ ହେଉ କ’ଣ ଗୋଟାଏ ପ୍ରସଙ୍ଗ ପଡ଼ିଲା–ସେ ଆଉ ସମ୍ଭାଳି ପାରିଲା ନାହିଁ । ତମେ ସବୁ ତ ତାକୁ ଜାଣ; ପ୍ରାଚୀନ ଯା’ କିଛି ଅଛି, ତା’ ପ୍ରତି ତା’ର ପ୍ରବଳ ବିତୃଷ୍ଣା । ଚୁର୍‍ମାର୍‍ କରି ପୁରାତନକୁ ଭାଙ୍ଗିଦେବାର ଜିଙ୍ଘାସା–ମନ ରାଜି ହୋଇପାରେନା, ବହୁଦିନର ସଂସ୍କାର, ତେବେ ଉତ୍ତର ଦେଇ ହୁଏନା, ପରାଜିତ ହେବାକୁ ହୁଏ । ମନେଅଛି–ସେଦିନ ତା’ ପାଖରେ ନାରୀର ଆତ୍ମୋତ୍ସର୍ଗ କଥା କହିଥିଲି । କମଳ ସ୍ଵୀକାର କଲାନାହିଁ–କହିଲା–ସେମାନଙ୍କ କଥା ମୁଁ ଆପଣଙ୍କଠାରୁ ଖୁବ୍ ବେଶୀ ଜାଣେ । ଏ ପ୍ରବୃତ୍ତି ପୂର୍ଣ୍ଣତାରୁ ଆସେନା–ଆସେ ଶୂନ୍ୟତାରୁ । ଏତ ସ୍ୱଭାବ ନୁହେଁ–ଅଭାବ । ଅଭାବର ଆତ୍ମୋତ୍ସର୍ଗ ଉପରେ ମୋର ବିଶ୍ଵାସ ନାହିଁ । କ’ଣ ଉତ୍ତର ଦେବି ଖୋଜି ପାଇଲି ନାହିଁ–ତେବେ କହିଲି–କମଳ, ହିନ୍ଦୁ ସଭ୍ୟତାର ମର୍ମବସ୍ତୁ ସହ ପରିଚୟ ଥିଲେ ହୁଏତ ବୁଝେଇ ଦେଇପାରିଥାନ୍ତି ଯେ ତ୍ୟାଗ ଓ ବିସର୍ଜନର ଦୀକ୍ଷା ସଫଳତା ଅର୍ଜନ କରିବା ଆମପାଇଁ ସିଦ୍ଧିଲାଭ ଏବଂ ଏଇ ବାଟଧରି ବହୁ ବିଧବା ଜୀବନର ସର୍ବୋତ୍ତମ ସାର୍ଥକତା ଉପଲବ୍ଧି କରିଛନ୍ତି ।

 

କମଳ ହସି କହିଲା–‘କରିଛନ୍ତି ? ଗୋଟାଏ ନାଁ କହନ୍ତୁ ତ ?’ ସେ ଏ ରକମ ପ୍ରଶ୍ନ କରିବ ଭାବି ନଥିଲି–ବରଂ ଭାବିଥିଲି ସେ ହୁଏତ ମାନି ନେବ । କଥାର ମୋଡ଼ ବଦଳି ଗଲା–

 

ନୀଳିମା କହିଲା–ଆପଣ ମୋ ନାଁ କହିଲେନି ? ମନେ ପଡ଼ିଲାନି ?

 

କି ନିଷ୍ଠୁର ପରିହାସ ! ହରେନ୍ଦ୍ର ଓ ଅଜିତ୍‍ ମୁଣ୍ଡପୋତି ବସି ରହିଲେ ।

 

ଆଶୁ ବାବୁ ଅପ୍ରତିଭ ହୋଇ କହିଲେ–ନା, ମନେ ପଡ଼ିଲାନି । ଆଖି ଆଗରେ ଥିଲେ ଜିନିଷ ସମ୍ପର୍କରେ ଯେମିତି ଧାରଣା ରହେନି–ତମ ନାଁଟା କହିଲେ ହୁଏତ ତା’ କଥାର ଯଥାର୍ଥ ଜବାବ୍ ହୋଇଥାନ୍ତା; କିନ୍ତୁ ଯେତେବେଳେ କିଛି କହି ପାରିଲିନି, କମଳ କହିଲା–ମୋ ସମ୍ପର୍କରେ ଯାହା କହିଲେ, ତା’ କ’ଣ ଆପଣଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ? ସାର୍ଥକତାର ଯେ ଧାରଣା ପିଲାଦିନରୁ ଝିଅମାନଙ୍କ ମୁଣ୍ଡରେ ଭର୍ତ୍ତି କରିଛନ୍ତି, ସେଇ ମୁଖସ୍ଥ କଥାଗୁଡ଼ାକ ସେମାନେ ସଦର୍ପ ଆବୃତି କରି ଭାବନ୍ତି, ଏଇ ବୋଧହୁଏ ପରମ ସତ୍ୟ । ଆପଣମାନଙ୍କୁ ତ ଠକନ୍ତି, ଆତ୍ମପ୍ରସାଦ ଓ ବୃଥା ଅଭିମାନରେ ସେମାନେ ବି ଠକିଯାନ୍ତି । ତା’ପରେ କହିଲା–‘ସହମରଣ କଥା ତ ଆପଣଙ୍କର ମନେପଡ଼ିବା ଉଚିତ । ଯେଉଁମାନେ ପୋଡ଼ି ମରୁଥିଲେ ଓ ତାଙ୍କୁ ଯେଉଁମାନେ ପୃଷ୍ଟପୋଷକତା କରୁଥିଲେ, ଉଭୟପକ୍ଷର ସେଦିନ ଆକାଶଚୁମ୍ବୀ ଦମ୍ଭଥିଲା ଯେ ବୋଧହୁଏ ବୈଧବ୍ୟ ଜୀବନରେ ଏହାଠାରୁ ବଳି ଆଉ ଆଦର୍ଶର ଦୃଷ୍ଟାନ୍ତ ପୃଥିବୀରେ ନାହିଁ । ଏହାର ବି ମୁଁ ଉତ୍ତର ଦେଇ ପାରିଲି ନାହିଁ । କିନ୍ତୁ କମଳ ଅପେକ୍ଷା ନ କରି କହିଲା–ଉତ୍ତର ତ ନାହିଁ, ଦେବେ କ’ଣ ? ପ୍ରାୟ ସବୁ ଦେଶରେ ଏଇ ଆତ୍ମୋତ୍ସର୍ଗ କଥାଟାର ଗୋଟାଏ ବହୁବ୍ୟାପ୍ତ ଓ ବହୁପ୍ରାଚୀନ ପାରମାର୍ଥିକ ମୋହ ରହିଛି, ସେଥିରେ ନିଶା ଲାଗେ–ପରଲୋକର ଅସାମାନ୍ୟ ଅବସ୍ତୁ ଇହଲୋକର ସଂକୀର୍ଣ୍ଣ ସାମାନ୍ୟ ବସ୍ତୁକୁ ସମାଚ୍ଛନ୍ନ କରିଦିଏ–ଭାବିବାକୁ ଦିଏନା, ଏଥିରେ କିଛି ଶ୍ରେୟସ୍କର ଅଛି କି ନା । ସଂସ୍କାରବୁଦ୍ଧି ସ୍ୱତଃସିଦ୍ଧ ସତ୍ୟ ପରି କାନ ଧରି ସ୍ଵୀକାର କରେଇ ନିଏ–ଅନେକଟା ଏଇ ସହମରଣ ପରି ।

 

ମୁଁ କହିଲି–କମଳ, ପ୍ରଚଳିତ ନୀତି ଓ ପ୍ରତିଷ୍ଠିତ ସତ୍ୟକୁ ଅବଜ୍ଞାରେ ଚୁର୍‍ମାର୍‍ କରିଦେବା ତମର ବ୍ରତ ଯେପରି । ଏ ଶିକ୍ଷା ତମକୁ ଯେ ଦେଇଛନ୍ତି, ସେ ଜଗତର କଲ୍ୟାଣ କରି ନାହାନ୍ତି । କମଳ କହିଲା–‘ମୋ ବାବା ଦେଇଛନ୍ତି ।’ ମୁଁ କହିଲି–ତମ ମୁହଁରୁ ଶୁଣିଛି ଯେ ସେ ଜ୍ଞାନୀ ଓ ପଣ୍ଡିତ ଲୋକ ଥିଲେ । ଏ କଥା କ’ଣ ତୁମକୁ ସେ କହିନାହାନ୍ତି ଯେ ନିଃସ୍ଵ ହୋଇ ଦାନ କରିପାରିଲେହିଁ ମଣିଷ ଯଥାର୍ଥ ରୂପେ ଆତ୍ମଜ୍ଞାନ ପାଏ ? ସ୍ଵେଚ୍ଛାରେ ଦୁଃଖ ବରଣ ଭିତରେ ଅଛି ଆତ୍ମାର ଯଥାର୍ଥ ପ୍ରତିଷ୍ଠା । କମଳ କହିଲା–ମୋ ବାବା କହନ୍ତି ଯେ ମଣିଷକୁ ନିଃସ୍ଵ କରି ଶୋଷି ନେବାର ଦୁରଭିସନ୍ଧି ଯେଉଁମାନଙ୍କର ଥାଏ, ସେମାନେ ଦୁଃଖବରଣର ମହିମାରେ ପଞ୍ଚମୁଖ ହୋଇ ଉଠନ୍ତି । ଜଗତର ଦୁର୍ଲ୍ଲଙ୍ଘ୍ୟ ଶାସନର ଦୁଃଖ ତ ଏ ନୁହେଁ–ତାକୁ ଯେପରି ନିଜ ଇଚ୍ଛାରେ ଘରକୁ ଡାକିଆଣିବା । ଅର୍ଥହୀନ ସୌଖୀନ ଜିନିଷପରି ଏ ଗୋଟିଏ ଖେଳ, ତା’ଠୁ ବଡ଼ ନୁହେଁ ।

 

ମୁଁ ବିସ୍ମୟରେ ନିର୍ବାକ୍ ହୋଇଗଲି । କହିଲି–କମଳ, ତମ ବାବା କ’ଣ ତମକୁ କେବଳ ଭୋଗର ମନ୍ତ୍ର ଦେଇଛନ୍ତି, ଏବଂ ଜଗତର ଯାହା କିଛି ମହତ୍ ଅଛି, ତାକୁ ଅଶ୍ରଦ୍ଧା ଓ ତାଚ୍ଛଲ୍ୟ କରିବା ପାଇଁ ଶିଖେଇଛନ୍ତି ? କମଳ ଏ କଥା ଆଶା କରିନଥିଲା । କ୍ଷୁଣ୍ଣ ହୋଇ କହିଲା–ଏ କେବଳ ଆପଣଙ୍କର ଅସହିଷ୍ଣୁତାର ପରିଚୟ ଆଶୁ ବାବୁ । ଆପଣ ନିଶ୍ଚୟ ଜାଣନ୍ତି କୌଣସି ବାପ ତା’ ଝିଅକୁ ଏପରି ମନ୍ତ୍ର ଦେଇ ପାରିବନି । ମୋ ପିତାଙ୍କ ପ୍ରତି ଆପଣ ଅନ୍ୟାୟ ବିଚାର କରୁଛନ୍ତି । ସେ ସାଧୁ ଲୋକ ଥିଲେ । କହିଲି–ତମେ ଯାହା କହୁଛ, ପ୍ରକୃତରେ ସେ ଯଦି ଏଇ ଶିକ୍ଷା ଦେଇଥାନ୍ତି, ତେବେ ତାଙ୍କ ପ୍ରତି ନ୍ୟାୟ ବିଚାର କରିବା କଠିନ । ମନୋରମାର ମା ମରିଗଲା ପରେ ମୁଁ ଯେ ଅନ୍ୟ କୌଣସି ସ୍ତ୍ରୀଲୋକକୁ ଭଲପାଇ ପାରିଲି ନାହିଁ, ସେ କଥା ଶୁଣି ତମେ କହିଲ–ମନର ଅକ୍ଷମତା, ଏ ଅକ୍ଷମତାକୁ ନେଇ ଗୌରବ କରିବାର କିଛି ନାହିଁ । ମୃତ ପତ୍ନୀର ସ୍ମୃତି ସମ୍ମାନକୁ ତୁମେ ନିଷ୍ଫଳ ଆତ୍ମନିଗ୍ରହ ବୋଲି ଉପେକ୍ଷା କରିଥିଲ–ସଂଯମର କୌଣସି ଅର୍ଥ ତୁମେ ପାଇନାହଁ । କମଳ କହିଲା–ଆଜି ବି ପାଇନି ଆଶୁ ବାବୁ, ସଂଯମ ଯେଉଁଠି ଉଦ୍ୟତ ଅସ୍ଫାଳନ କରି ଜୀବନର ଆନନ୍ଦକୁ ମ୍ଳାନ କରିଦିଏ, ସେଠି ସଂଯମର କୌଣସି ଅର୍ଥ ନାହିଁ । ସଂଯମ ଗୋଟାଏ ବସ୍ତୁ ନୁହେଁ–ତା’ ଗୋଟାଏ ମନର ଲୀଳା–ତାକୁ ବାନ୍ଧିବା ଦରକାର । ସୀମା ମାନି ଚଳିବା ତ ସଂଯମ–ଶକ୍ତିର ସୁଦ୍ଧା ସଂଯମର ସୀମା ଡେଇଁଯିବା ସମ୍ଭବ । ସେତେବେଳେ ତାକୁ ମର୍ଯ୍ୟାଦା ଦେବାର କୌଣସି ଅର୍ଥ ହୁଏନା । ଅତି ସଂଯମ ଯେ ଅନ୍ୟ ଏକ ରକମର ଅସଂଯମ, ଏକଥା କ’ଣ ଆପଣ କେବେ ଭାବି ଦେଖିନାହାନ୍ତି ।

 

ପ୍ରକୃତରେ କେବେ ଭାବି ଦେଖି ନ ଥିଲି । ତେଣୁ ଚିରଦିନ ଭାବି ଆସିଥିବା କଥାଟା ହଠାତ୍ ମନେପଡ଼ିଲା । କହିଲି–କମଳ, ଏ କେବଳ ତମର କଥାର ଚାଲ–କେବଳ ଭୋଗର ଓକିଲାତିରେ ପରିପୂର୍ଣ୍ଣ । ମଣିଷ ଯେତେ ଜାବୁଡ଼ି ଧରି ଭୋଗ କରିବା ପାଇଁ ଚେଷ୍ଟା କରେ, ସେତିକି ସେ ହରାଏ । ତା’ର ଭୋଗର କ୍ଷୁଧା ତ ମେଣ୍ଟିପାରେନା, ଅତୃପ୍ତି ନିରନ୍ତର ବଢ଼ିଚାଲେ । ତେଣୁ ଆମ ଶାସ୍ତ୍ରକାରମାନେ କହିଛନ୍ତି–ଏ ପଥରେ ଶାନ୍ତି ନାହିଁ, ତୃପ୍ତି ନାହିଁ, ମୁକ୍ତିର ଆଶା ବୃଥା ।

 

କୁହାଯାଉଛି–ନ ଜାତୁ କାମଃ କାମନାମୁପଭୋଗେନ ଶାମ୍ୟତି ।

 

ହବିଷା କୃଷ୍ଣବର୍ତ୍ମେନ ଭୂୟ ଏବାଭିବର୍ଦ୍ଧତେ ।

 

ଅଗ୍ନିରେ ଘିଅ ଦେଲେ ଯେପରି ବେଶୀ ଜଳି ଉଠେ, ସେପରି, ଉପଭୋଗଦ୍ଵାରା କାମନା ବଢ଼େ ସିନା କୌଣସି ଦିନେ କମେନା ।

 

ହରେନ୍ଦ୍ର ଉଦ୍‍ବିଗ୍ନ ହୋଇ କହିଲା ତା’ ପାଖରେ ଶାସ୍ତ୍ରବାକ୍ୟ ଉଦ୍ଧାର କରୁଥିଲେ କାହିଁକି-? ତା’ପରେ–

 

ଆଶୁ ବାବୁ କହିଲେ–ଠିକ୍ କହିଛ । ଶୁଣି ହସି କହିଲା–ଶାସ୍ତ୍ରରେ ଏପରି ଅଛି କି ? ଥିବ ତ ନିଶ୍ଚୟ । ସେମାନେ ଜାଣିଥିଲେ–ଜ୍ଞାନର ଚର୍ଚ୍ଚା କଲେ ଜ୍ଞାନ ବଢ଼େ, ଧର୍ମର ସାଧନାରେ ଧର୍ମର ପିପାସା ଉତ୍ତରୋତ୍ତର ବୃଦ୍ଧି ପାଏ–ପୁଣ୍ୟର ଅନୁଶୀଳନରେ ପୁଣ୍ୟଲାଭ କ୍ରମଶଃ ଉଗ୍ର ହୋଇ ଉଠେ-। ମନେହୁଏ ଯେପରି ଆଉରି ବାକି ଅଛି–ଏ ବି ସେଇପରି । ଶାମ୍ୟତି ନାହିଁ ବୋଲି ଏ କ୍ଷେତ୍ରରେ ସେମାନେ ଆକ୍ଷେପ କରି ନାହାନ୍ତି । ସେମାନଙ୍କର ବିବେଚନା ଥିଲା ।

 

ହରେନ୍ଦ୍ର, ଅଜିତ୍‍, ବେଳା ଓ ନୀଳିମା ସମସ୍ତେ ହସି ଉଠିଲେ ।

 

ଆଶୁ ବାବୁ କହିଲେ–ହସର କଥା ନୁହେଁ । ତା’ର ଉପହାସ ଓ ବିଦ୍ରୂପରେ ମୁଁ ହତବାକ୍ ହୋଇଗଲି । ସମ୍ଭାଳି ନେଇ କହିଲି–ନା, ନା, ଏଟା ସେମାନଙ୍କର ଅଭିପ୍ରାୟ ନ ଥିଲା–ଭୋଗ ଭିତରେ ଯେ ତୃପ୍ତି ନାହିଁ, କାମନାର ନିବୃତ୍ତି ହୋଇପାରେନା–ଏଇ କଥା ସେମାନେ ଇଙ୍ଗିତ କରିଯାଇଛନ୍ତି ।

 

କମଳ କହିଲା–କେଜାଣି, ସେମାନେ ଏଭଳି ଇଙ୍ଗିତ କାହିଁକି କରିଗଲେ । ଏ କ’ଣ ହାଟ ମଝିରେ ବସି ପାଲା ଶୁଣିବା ନା ପଡ଼ୋଶୀ ଘରେ ଗ୍ରାମ୍ଫୋନ ବଜାଇବା ହୋଇଛି ଯେ ମଝିରେ ହଠାତ୍ ମନେହେବ–ଥାଉ, ଯଥେଷ୍ଟ ତୃପ୍ତିଲାଭ ହେଲା–ଆଉ ନାହିଁ । ଏହାର ଅସଲ ସତ୍ତା ତ ବାହାରର ଭୋଗ ଭିତରେ ନାହିଁ, ଏହାର ଉତ୍ସ ଜୀବନର ମୂଳ ସତ୍ତା–ସେଇଠୁ ସବୁଦିନେ ଜୀବନର ଆଶା, ଆନନ୍ଦ ଓ ରସ ମିଳେ । ଶାସ୍ତ୍ରର ଧିକ୍କାର ବ୍ୟର୍ଥ ହୋଇ ଦୁଆରେ ପଡ଼ି ରହିବ ସିନା, ତାକୁ ସ୍ପର୍ଶ କରିପାରିବ ନାହିଁ ।

 

କହିଲି–ହେଲେ ବି, ଏ ତ ରିପୁ, ଶତ୍ରୁ–ତାକୁ ତ ଜିଣିବା ଦରକାର ?

 

କମଳ କହିଲା–କିନ୍ତୁ ରିପୁ ବୋଲି ଗାଳି ଦେଲେ ତ ସେ ଛୋଟ ହୋଇଯିବ ନାହିଁ । ପ୍ରକୃତରେ ପକ୍କା ଦଲିଲ ଅନୁସାରେ ଯେ ଦଖଲ ଦାର–ତା’ର କେଉଁ ସତ୍ତା କିଏ କେତେବେଳେ ବିଦ୍ରୋହ କରି ସଂସାରରୁ ଉଡ଼େଇ ଦେବ ? ଦୁଃଖ ଜ୍ଵାଳାରେ ଆତ୍ମହତ୍ୟା କରିବା ତ ଦୁଃଖକୁ ଜୟ କରିବା ନୁହେଁ ? ଅଥଚ ଏଇ ଧରଣର ଯୁକ୍ତି କରି କେତେ ମଣିଷ ଅକଲ୍ୟାଣ ବରଣ କରି ନିଅନ୍ତି । ଶାନ୍ତି ମିଳେନା ।

 

ଶୁଣି ମନେହେଲା ସେ ଯେପରି ମତେ ଲକ୍ଷ୍ୟକରି କହିଲା । ଏହା କହି କିଛି ସମୟ ଚୁପ୍ ରହି କହିଲେ–ହଠାତ୍ କେମିତି ମୁହଁରୁ ବାହାରିଗଲା କମଳ, ତୁମ ନିଜ ଜୀବନ ବିଷୟରେ ଭାବି ଦେଖ ତ ? କଥାଟା କହିସାରିଲା ପରେ କିନ୍ତୁ ନିଜକୁ ବାଧିଲା–କାରଣ କମଳ ନିଜେ ଆଶ୍ଚର୍ଯ୍ୟ ହେଲା ବୋଧହୁଏ । କିନ୍ତୁ ରାଗ ବା ଅଭିମାନ ନ କରି ଶାନ୍ତ ସ୍ୱରରେ କହିଲା–ମୁଁ ପ୍ରତଦିନ ଭାବି ଦେଖେ ଆଶୁ ବାବୁ । ଦୁଃଖ ଯେ ପାଇନି ତା’ ନୁହେଁ–କିନ୍ତୁ ତାକୁ ଜୀବନର ଶେଷ ସତ୍ୟ ବୋଲି ଗ୍ରହଣ କରି ପାରିନି । ଶିବନାଥଙ୍କର ଯାହା ଦେବାର ଥିଲା, ତା’ ସେ ଦେଇଛନ୍ତି; ମୋର ଯାହା ପାଇବାର ଥିଲା, ମୁଁ ତା’ ପାଇଛି–ଆନନ୍ଦର ସେଇ କ୍ଷୁଦ୍ର ମୁହୂର୍ତ୍ତଗୁଡ଼ିକ ମୋ ଜୀବନରେ ମଣିମାଣିକ୍ୟ ପରି ସଞ୍ଚିତ ହୋଇ ରହିଛି । ନିଷ୍ଫଳ ଚିତ୍ତ ଦାହରେ ତାକୁ ପୋଡ଼ି ପାଉଁଶ କରି ଦେଇନି ବା ଶୁଷ୍କ ଝରଣା ତଳେ ଠିଆହୋଇ ‘ପାଣି ଦିଅ’ ବୋଲି ଶୂନ୍ୟ ହାତ ମେଲି ଠିଆହୋଇନି । ତାଙ୍କର ଭଲପାଇବା ଯେତେବେଳେ ଶେଷ ହୋଇଗଲା, ସେଦିନ ତାଙ୍କୁ ଶାନ୍ତ ମନରେ ବିଦାୟ ଦେଇଛି–ଆକ୍ଷେପ ଓ ଅଭିଯୋଗର ଧୂଆଁରେ ଗଗନ ପବନ ମଥିତ କରିବା ପାଇଁ ମୋର ପ୍ରବୃତ୍ତି ହେଲାନି । ତେଣୁ ତାଙ୍କ ସମ୍ପର୍କରେ ମୋର ଏ ବ୍ୟବହାର ଆପଣଙ୍କୁ ଅଦ୍ଭୁତ ଲାଗିଥିଲା । ଆପଣମାନେ ଭାବିଲେ–ଏତେ ବଡ଼ ଅପରାଧ ମୁଁ କ୍ଷମା କଲି କିପରି ? କିନ୍ତୁ ସେ ଦିନ ମୋ ମନକୁ ତାଙ୍କ ଅପରାଧ ଅପେକ୍ଷା ମୋ ନିଜ ଦୁର୍ଭାଗ୍ୟ କଥା ବେଶୀ ଆଘାତ ଦେଇଥିଲା ।

 

ମନେହେଲା ଯେପରି ତା’ ଆଖିରେ ଲୁହ ଦେଖାଗଲା–ହୁଏତ ଠିକ୍, ହୁଏତ ମୋର ଭୁଲ୍–ବୁକୁ ଭିତରଟା ମୋର ଦୁଃଖରେ ଘାଣ୍ଟି ହୋଇଗଲା–ୟା ସାଙ୍ଗେ ତୁଳନା କଲେ ମୋର ବା ବ୍ୟଥା କ’ଣ ? କହିଲି–କମଳ, ସେପରି ମଣିମାଣିକ୍ୟର ସଞ୍ଚୟ ମୋର ବି ଅଛି–ଆଉ ମୁଁ କାହିଁକି ଅଧିକ ଲୋଭ କରିବାକୁ ଯିବି ? ସେ ଚୁପ୍ ରହିଲା । ମୁଁ ପଚାରିଲି–କମଳ, ତମେ କ’ଣ ଏ ଜୀବନରେ ଆଉ କାହାକୁ ଭଲପାଇ ପାରିବ ? ଏଇଭଳି ଦେହ ମନ ସମସ୍ତ ସମର୍ପଣ କରି ?

 

ସେ ଅବିଚଳିତ କଣ୍ଠରେ କହିଲା–ଅନ୍ତତଃ ସେଇ ଆଶା ନେଇ ତ ବଞ୍ଚି ରହିଛି । ଅସମୟରେ ଆଜି ମେଘ ଆଢ଼ୁଆଳରେ ସୂର୍ଯ୍ୟ ଲୁଚି ଯାଇଛି ବୋଲି ସେଇ ଅନ୍ଧକାରଟା ସତ୍ୟ ହେବ, ଆଉ କାଲି ପ୍ରଭାତର ଆଲୋକରେ ଆକାଶ ଛାଇ ଗଲେ ମୁଁ ଦୁଇ ଆଖି ବୁଜି କହିବି–ଏ ସତ୍ୟ ନୁହେଁ, ମିଥ୍ୟା ? ଜୀବନଟାକୁ ଏଇଭଳି ନିରର୍ଥକ କରିଦେବି କାହିଁକି ?

 

କହିଲି କମଳ, ରାତ୍ରି ତ କେବଳ ଗୋଟିଏ ନୁହେଁ–ପ୍ରଭାତର ଆଲୋକ ଶେଷ ହେଲା ପରେ ସେ ତ ପୁଣି ଫେରିଆସି ପାରେ ?

 

ସେ କହିଲା–ଆସୁନା । ସେତେବେଳ ବି ସକାଳର ବିଶ୍ୱାସ ନେଇ ପୁଣି ରାତ୍ରିଯାପନ କରିବି ।

 

ମୁଁ ବିସ୍ମୟାଚ୍ଛନ୍ନ ହୋଇ ବସି ରହିଲି–କମଳ ଚାଲିଗଲା ।

 

ନିରର୍ଥକ ଜୀବନ ! ମନେହେଲା ଶେଷବେଳକୁ ଆମ ଉଭୟଙ୍କର ଭାବଧାରା ବୋଧହୁଏ ଗୋଟିଏ ସ୍ରୋତରେ ମିଶି ଯାଇଛି । ଦେଖିଲି ତା’ ନୁହେଁ, ଆକାଶପାତାଳ ପ୍ରଭେଦ । ଜୀବନର ଅର୍ଥ ତା’ପାଇଁ ସ୍ୱତନ୍ତ୍ର–ମୋ ସଙ୍ଗେ ତା’ର କୌଣସି କ୍ଷେତ୍ରରେ ବି ମେଳ ନାହିଁ । ଅଦୃଷ୍ଟ ମାନେନା, ଅତୀତର ସ୍ମୃତି ତା’ର ପ୍ରଗତି ପଥରୋଧ କରି ଠିଆହୋଇ ପାରେନା । ସେ ଅନାଗତ–ଯା ଏପର୍ଯ୍ୟନ୍ତ ମଣିଷ ସମାଜକୁ ସ୍ପର୍ଶ କରି ନାହିଁ । ତେଣୁ ତା’ର ଆଶା ଯେପରି ଦୁର୍ବାର–ଆନନ୍ଦ ସେଇପରି ଅପରାଜେୟ । ଆଉ କିଏ ଜଣେ ତା’ ଜୀବନକୁ ଫାଙ୍କି ଦେଇଛି ବୋଲି ସେ ନିଜ ଜୀବନକୁ ଫାଙ୍କି ଦେବାପାଇଁ ପ୍ରସ୍ତୁତ ନୁହେଁ ।

 

ସମସ୍ତେ ଚୁପ୍ ରହିଲେ ।

 

ଉଦ୍‍ଗତ ଦୀର୍ଘଶ୍ଵାସ ଚାପି ନେଇ ଆଶୁ ବାବୁ କହିଲେ–ଆଶ୍ଚର୍ଯ୍ୟ ! ସେଦିନ ବିରକ୍ତି ଓ ଆକ୍ଷେପର ସୀମା ରହିଲାନି–କିନ୍ତୁ ଏ କଥା ସ୍ଵୀକାର ନ କରି ରହି ପାରିଲିନି ଯେ କେବଳ ବାପର ଶିକ୍ଷା କଥା ସେ କହି ଯାଉନି । ଯାହା ଶିଖିଛି, ଏକାନ୍ତଭାବେ ପୂର୍ଣ୍ଣ ପ୍ରାଣରେ ଶିଖିଛି । କେତେ ଅଳ୍ପ ବୟସ–କିନ୍ତୁ ନିଜ ମନକୁ ଯେପରି ଏଇ ବୟସରେ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରି ପାରିଛି ।

 

ଟିକିଏ ଅଟକି କହିଲେ–ପ୍ରକୃତ କଥା ତ ! ଜୀବନଟା ତ ଖେଳଘର ନୁହଁ । ଭଗବାନଙ୍କର ଏତେବଡ଼ ଦାନ ନିରର୍ଥକ ଆସିନି । ଆଉ କାହାର ଜୀବନ କାହା ପାଇଁ ବିଫଳ ହେଲା ବୋଲି ସେଇ ଶୂନ୍ୟତାର ଯେ ଚିରଦିନ ଜୟଘୋଷଣା କରିବାକୁ ହେବ–ତା’ ତ ନୁହେଁ !

 

ବେଳା ଆସ୍ତେ ଆସ୍ତେ କହିଲା–ଠିକ୍ କଥା ।

 

ହରେନ୍ଦ୍ର ଉଠି ଠିଆହେଲା–କହିଲା–ରାତି ଅନେକ ହେଲାଣି, ବର୍ଷା କମିଛି–ଯାଉଛୁ ।

 

ଅଜିତ୍‍ କିଛି କହିଲା ନାହିଁ–ଉଭୟେ ନମସ୍କାର କରି ବାହାରି ଗଲେ ।

 

ବେଳା ଶୋଇବାକୁ ଗଲା । ନୀଳିମାର ଦୁଇଚାରିଟା କ’ଣ କାମ ବାକି ଥିଲା–କିନ୍ତୁ ଆଜି ସେ ସବୁ ବାକି ରହିଲା । ସେ ବି ନୀରବରେ ବାହାରି ଗଲା ।

 

ଚାକରକୁ ଅପେକ୍ଷା କରି ଆଶୁ ବାବୁ ଚଉକି ଉପରେ ଶୋଇ ରହିଲେ ।

 

ପ୍ରକାଣ୍ଡ ଅଟ୍ଟାଳିକା । ବେଳା ଓ ନୀଳିମାଙ୍କ ଶୋଇବା ଘର ପରସ୍ପରର ବିପରୀତ ଦିଗରେ । ଘରେ ଆଲୁଅ ଜଳୁଥିଲା–ଏତେ କଥା ଓ ଆଲୋଚନା ପରେ ସବୁ ନିର୍ଜନ ହୋଇଯାଇଛି-। ନିଃସଙ୍ଗ ଘର ଭିତରେ ଉଭୟଙ୍କୁ ଅସହାୟ ଲାଗୁଥିଲା । ଅଥଚ ଶୋଇବା ପୂର୍ବରୁ ଉଭୟେ ଦର୍ପଣ ସମ୍ମୁଖରେ ଠିଆହୋଇ ନିଜକୁ ନିରୀକ୍ଷଣ କରୁଥିଲେ–ଏକ ସମୟରେ ଉଭୟେ ଭାବୁଥିଲେ–‘ମୁଁ ଯେତେବେଳେ ନାରୀ ଥିଲି ।’

 

(ଚବିଶି)

 

ଦଶ ବାର ଦିନ ହେଲା କମଳ ଆଗ୍ରା ଛାଡ଼ି କୁଆଡ଼େ ଚାଲିଯାଇଛି । ଅଥଚ ଆଶୁ ବାବୁଙ୍କର ତା’ଠାରେ ଅତ୍ୟନ୍ତ ପ୍ରୟୋଜନ । କମ୍ ବେଶୀ ସମସ୍ତେ କମଳକୁ ଜାଣନ୍ତି, କିନ୍ତୁ ଉଦବେଗରେ ଅତ୍ୟଧିକ ଚାପ ହରେନ୍ଦ୍ରର ବ୍ରହ୍ମଚର୍ଯ୍ୟାଶ୍ରମ ଉପରେ ପଡ଼ିଲା । ବ୍ରହ୍ମଚାରୀ ହରେନ୍ଦ୍ର ଓ ଅଜିତ୍‍ ଉତ୍କଣ୍ଠାରେ ଏଭଳି ବ୍ୟତିବ୍ୟସ୍ତ ହୋଇ ପଡ଼ିଲି ଯେ କଳ୍ପନା କରି ହେବନି । ଅବଶେଷରେ ସେମାନେ ଖୋଜି ଖୋଜି ଦିନେ କମଳକୁ ଆବିଷ୍କାର କଲେ । ଘଟଣାଟା ଅବଶ୍ୟ ଅତି ସାମାନ୍ୟ । କମଳର ଚାହା ବଗିଚାର ପରିଚିତ ଜଣେ ଫିରିଙ୍ଗୀ ଭଦ୍ରଲୋକ ଚା’ ବଗିଚା କାମ ଛାଡ଼ି ଟୁଣ୍ଡ୍‍ଲାରେ ରେଳ କମ୍ପାନୀରେ ଚାକିରି କରୁଥିଲେ; ତାଙ୍କର ସ୍ତ୍ରୀ ନାହାନ୍ତି, ଦୁଇ ବର୍ଷର ଗୋଟିଏ ଛୋଟ ଝିଅ । ଅତି ବିବ୍ରତ ହୋଇ ସେ କେତେଦିନ ଘର ଚଳେଇବା ପାଇଁ କମଳକୁ ନେଇ ଯାଇଥିଲେ । ଆଜି ସକାଳେ ସେ ବସାକୁ ଫେରିଆସିଛି–ଅପରାହ୍ନରେ ମୋଟର ପଠାଇ ଆଶୁ ବାବୁ ତାକୁ ଘରକୁ ଡକାଇ ଅପେକ୍ଷା କରିଛନ୍ତି ।

 

ବେଳାର ମାଜିଷ୍ଟ୍ରେଟ୍‍ଙ୍କ ଘରେ ନିମନ୍ତ୍ରଣ–ଲୁଗାପଟା ପିନ୍ଧି ସେ ବି ମୋଟର ଆସିଲେ ଯିବ ବୋଲି ଅପେକ୍ଷା କରିଛି ।

 

ସିଲାଇ କରୁ କରୁ ନୀଳିମା କହି ଉଠିଲା–ସେ ଲୋକଟାର ପରିବାରରେ କେହି ନାହାନ୍ତି, ଗୋଟାଏ ଛୋଟ ଝିଅ ଛଡ଼ା ଘରେ ଆଉ କେହି ନାହିଁ–ଅଥଚ କମଳ ଯାଇ ତା’ ବସାରେ ଦଶ ବାର ଦିନ କାଟି ଦେଇ ଆସିଲା ।

 

ଆଶୁ ବାବୁ ତା’ ଆଡ଼େ ଚାହିଁ ରହିଲେ–ଏ ମନ୍ତବ୍ୟର ତାତ୍ପର୍ଯ୍ୟ ବୁଝିପାରିଲେ ନାହିଁ ।

 

ନୀଳିମା ମନକୁ ମନ କହିଲା–ସେ ଯେମିତି ନଈର ମାଛ, ପାଣିରେ ଓଦା ହେବା ପ୍ରଶ୍ନ ଉଠେନା । ଖାଇବା ପିଇବାର ଚିନ୍ତା ନାହିଁ, ଶାସନ କରିବା ପାଇଁ ଅଭିଭାବକ ନାହାନ୍ତି, ଆଖି ଲାଲ କରିବା ପାଇଁ ସମାଜର ଭୟ ନାହିଁ–ସମ୍ପୂର୍ଣ୍ଣ ସ୍ଵାଧୀନ ।’

 

ଆଶୁ ବାବୁ ଧୀରେ କହିଲେ–ପ୍ରାୟ ସେଇଆ କହିଲେ ଚଳେ ।

 

‘କମଳର ଅସୀମ ରୂପଯୌବନ–ବୁଦ୍ଧି ବି ସେପରି ଅଫୁରନ୍ତ । ସେଇ ରାଜେନ୍ଦ୍ର ସାଙ୍ଗରେ ବା କେତେ ଦିନର ଜଣାଶୁଣା–କିନ୍ତୁ ଯେତେବେଳେ ଆଉ କେଉଁଠି ଜାଗା ହେଲାନି–ସେତେବେଳେ ବିନା ସଂକୋଚରେ ତାକୁ ଘରକୁ ଡାକିନେଲା । କାହାର ମତାମତ ତା’ କର୍ତ୍ତବ୍ୟ ବୁଦ୍ଧିକୁ ବାଧା ଦେଇ ପାରେନା । କେହି ବା ଯାହା ପାରିଲେ ନାହିଁ; ସେ ତା’ ପାରିଲା । ଶୁଣି ମନେହେଲା, ସମସ୍ତେ ଯେପରି ତା’ ତୁଳନାରେ କ୍ଷୁଦ୍ର–ଅଥଚ ସ୍ତ୍ରୀଲୋକମାନଙ୍କୁ ତ କେତେ କଥା ଭାବିବାକୁ ପଡ଼େ !’

 

ଆଶୁ ବାବୁ କହିଲେ–ଭାବିବା ତ ଉଚିତ ନୀଳିମା ।

 

ଳା କହିଲା–ଇଚ୍ଛା କଲେ ଆମେ ବି ସେପରି ବେପରୁଆ ସ୍ଵାଧୀନ ହୋଇ ପାରିବା ।

 

ନୀଳିମା କହିଲା–ନା, ପାରିବାନି । ଇଚ୍ଛା କଲେ ଅନ୍ତତଃ ମୁଁ ପାରିବିନି, କାରଣ ସଂସାର ସେଥିପାଇଁ ଯେଉଁ କଳଙ୍କର କାଳି ବୋଳିଦେବ, ତାକୁ ଲିଭେଇ ପାରିବାର ଶକ୍ତି ମୋର ନାହିଁ ।

 

ଟିକିଏ ଅଟକି କହିଲା–ଏ ଇଚ୍ଛା ମୋର ବି ଏକଦା ହୋଇଥିଲା ତେଣୁ ଅନେକ ଦିନରୁ ଏ ସମ୍ପର୍କରେ ଭାବି ଦେଖିଛି । ପୁରୁଷଙ୍କ ତିଆରି ସମାଜର ଅବିଚାରରେ ଜଳି ଜଳି ମରିଛି–କେତେ ଯେ ଜଳିଛି ତା’ର ସୀମା ନାହିଁ । କେବଳ ଜଳିବାଟାଇ ସାର ହୋଇଛି–କିନ୍ତୁ କମଳକୁ ଦେଖିବା ପୂର୍ବରୁ ମୁକ୍ତିର ଅସଲ ରୂପ ଦେଖି ନଥିଲି । ନାରୀ କଲ୍ୟାଣ, ନାରୀ ସ୍ଵାଧୀନତା ସମ୍ପର୍କରେ ତ ଆଜିକାଲି ସମସ୍ତେ କହୁଛନ୍ତି–କିନ୍ତୁ ସେଇ କଥାରୁ ପାଦେ ବି ଆଗେଇ ନାହାନ୍ତି ! କାହିଁକି ଜାଣନ୍ତି ? ବର୍ତ୍ତମାନ ଦେଖୁଛି ଯେ ସ୍ଵାଧୀନତା ତତ୍ତ୍ୱ ବିଚାରରେ ମିଳେନା–ନ୍ୟାୟ ଧର୍ମର ଦୁଆ ଉଠାଇଲେ ମିଳେନା–ସଭାରେ ଠିଆହୋଇ ପୁରୁଷମାନଙ୍କ ସହ କଳି କରି ହାସଲ କରି ହେବନି । ସ୍ଵାଧୀନତା କେହି କାହାକୁ ଦେଇ ପାରେନା । ଏ ଦେବା ନେବାର ବସ୍ତୁ ନୁହେଁ । କମଳକୁ ଦେଖିଲେ ଜଣାପଡ଼େ ଯେ ଏ ଜିନିଷ ନିଜର ପୂର୍ଣ୍ଣତାରେ ହାସଲ କରାଯାଏ । ବାହାରେ ଥିବା ଡିମ୍ବର ଖୋଳକୁ ଭାଙ୍ଗିଦେଲେ ଭିତରର ଜୀବ ମୁକ୍ତି ପାଏନା–ସେ ମରିଯାଏ । ଆମ ସାଙ୍ଗରେ ତା’ର ତଫାତ୍ ଏଇଠି-

 

ବେଳା ଉଦ୍ଦେଶ୍ୟରେ କହିଲା–ଏଇ ଯେ ଦଶ ବାର ଦିନ ଚାଲିଗଲା–ସମସ୍ତେ ଉତ୍କଣ୍ଠିତ ହୋଇ ଉଠିଲେ । କିନ୍ତୁ ସ୍ୱପ୍ନରେ ବି କେହି ଭାବିନି ଯେ କମଳ ଏପରି କିଛି କରିପାରେ ଯାହା ଫଳରେ କି ତା’ର ସମ୍ମାନ ବା ମର୍ଯ୍ୟାଦା ହାନି ହେବ । କହନ୍ତୁ ତ ଆମ ପକ୍ଷରେ ଏତେ ବିଶ୍ୱାସର ଜୋର ଆସନ୍ତା କୁଆଡ଼ୁ ? ସେ ଗୌରବ ଆମକୁ ଦିଅନ୍ତା କିଏ ?

 

ଆଶୁ ବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ–ବାସ୍ତବିକ୍ ସତ କଥା ନୀଳିମା, ସେ କଥା ତ କାହା ମନକୁ ଛୁଇଁନି ।

 

ବେଳା କହିଲା–କିନ୍ତୁ ତା’ ସ୍ୱାମୀ ଥିଲେ ସେ କ’ଣ କରିଥାନ୍ତା ?

 

ନୀଳିମା କହିଲା–ତା’ର ସେବା କରନ୍ତା, ରାନ୍ଧନ୍ତା, ବାଢ଼ନ୍ତା–ଛୁଆପିଲା ହେଲେ ମଣିଷ କରନ୍ତା । ତା’ପରେ ଏକୁଟିଆ ମଣିଷ, ଅବସ୍ଥା ବି ସ୍ୱଚ୍ଛନ୍ଦ ନୁହେଁ, ତେଣୁ ଆମମାନଙ୍କ ସଙ୍ଗେ ଦେଖା କରି ପାରନ୍ତା କି ନା ସନ୍ଦେହ ।

 

ବେଳା କହିଲା–ତେବେ ?

 

ନୀଳିମା କହିଲା–‘ତେବେ ଆଉ କ’ଣ ?’ କହି ହସିପକାଇ କହିଲା–କାମଦାମ କରିବନି, ଘରକଥା ବୁଝିବନି–ହରଦମ୍ ବୁଲୁଥିବ–ଏଇ କ’ଣ ନାରୀ ସ୍ଵାଧୀନତାର ମାନଦଣ୍ଡ ? ସ୍ଵୟଂ ବିଧାତାଙ୍କର ତ କାମର ସୀମା ନାହିଁ–କିନ୍ତୁ ତାଙ୍କୁ କ’ଣ କିଏ ପରାଧୀନ ବୋଲି ଭାବେ ? ଏ ସଂସାରରେ ମୋର କ’ଣ ଖାଟୁଣି କମ୍ ?

 

ଆଶୁ ବାବୁ ଗଭୀର ବିସ୍ମୟରେ ତା’ ଆଡ଼କୁ ଚାହିଁ ରହିଲେ । ଏଭଳି କଥା ତା’ ମୁହଁରୁ ସେ କେବେ ଶୁଣି ନାହାନ୍ତି ।

 

ନୀଳିମା କହିଲା କମଳ ଘରେ ବସି ରହେନି–ତେଣୁ ସେତେବେଳେ ବି ସେ ସ୍ୱାମୀପୁତ୍ର ନେଇ ସେ ସାଂସାରିକ କର୍ମ ଭିତରେ ବୁଡ଼ି ଯାଆନ୍ତା । ଆନନ୍ଦର ଧାରାପରି ସଂସାର ତାକୁ ସ୍ପର୍ଶ କରି ବହିଯାନ୍ତା, ସେ ଟେର ପାଆନ୍ତା ନାହିଁ । କିନ୍ତୁ ଯେ ଦିନ ବୁଝନ୍ତା ଯେ ସ୍ୱାମୀର କାମ ତା’ ମୁଣ୍ଡ ଉପରେ ଅନର୍ଥକ ବୋଝ ପରି ମାଡ଼ି ବସିଛି, ମୁଁ ହଲପ୍ କରି କହିପାରେ–ସେଦିନ ତାକୁ କେହି ମୁହୂର୍ତ୍ତେ ଅଟକେଇ ରଖି ପାରନ୍ତା ନାହିଁ ।

 

ଆଶୁ ବାବୁ କହିଲେ–ପ୍ରକୃତରେ ସତ କଥା ।

 

ମୋଟରର ହର୍ଣ୍ଣ ଶୁଣାଗଲା । ବେଳା ଝରକା ବାଟେ ମୁହଁ ବଢ଼ାଇ କହିଲା–ଆମ ଗାଡ଼ି ଆସିଲାଣି ।

 

କିଛି ସମୟ ପରେ ଚାକର ଆସି ଆଲୁଅ ଥୋଇଦେଇ ଗଲା ଓ କମଳ ଆସିବାର ସମ୍ବାଦ ଦେଲା ।

 

କେତେଦିନ ଧରି ଆଶୁ ବାବୁ କମଳକୁ ଅପେକ୍ଷା କରିଥିଲେ । ଅଥଚ ସେ ଆସିଲାଣି ଶୁଣି ତାଙ୍କ ମୁହଁ ମ୍ଳାନ ଓ ଗମ୍ଭୀର ହୋଇଗଲା ।

 

ଘରେ ପହଞ୍ଚି କମଳ ସମସ୍ତଙ୍କୁ ନମସ୍କାର କଲା ଏବଂ ଆଶୁ ବାବୁଙ୍କ ପାଖେ ଚୌକିରେ ବସିପଡ଼ି କହିଲା–ଶୁଣିଲି ଆପଣ ମୋ’ପାଇଁ ଖୁବ୍ ବ୍ୟସ୍ତ ହୋଇ ପଡ଼ିଛନ୍ତି । କିଏ ଜାଣିଥିଲା ଯେ ଆପଣମାନେ ମୋତେ ଏତେ ଭଲପାଆନ୍ତି–ତାହା ହେଲେ ଯିବା ପୂର୍ବରୁ ନିଶ୍ଚୟ ଖବର ଦେଇ ଯାଇଥାନ୍ତି ।

 

ଆଶୁ ବାବୁ ଅନ୍ୟ ଦିଗକୁ ମୁହଁ ଫେରାଇ ବସିଥିଲେ; ସେଇପରି ବସି ରହିଲେ । କମଳକୁ କିଛି ଉତ୍ତର ଦେଲେ ନାହିଁ ।

 

କମଳ ମନେକଲା ଯେ ସେ ଖବର ନ ଦେଇ ଯାଇଥିବାରୁ ଆଶୁ ବାବୁ ଅଭିମାନ କରିଛନ୍ତି । ତେଣୁ ତାଙ୍କ ମୋଟା ଆଙ୍ଗୁଳିଗୁଡ଼ାକ ଆସ୍ତେଆସ୍ତେ ଦାବିଦେଇ କହିଲା–‘ମୁଁ କହୁଛି, ମୋର ଦୋଷ ହୋଇଛି ।’ କିନ୍ତୁ ଏହାର ଉତ୍ତରରେ ବି ଆଶୁ ବାବୁ କିଛି କହିଲେ ନାହିଁ । ସେ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା ।

ବେଳା ଯିବାପାଇଁ ବାହାରି ଥିଲା–ଟିକିଏ ଠିଆହୋଇ କହିଲା–ଆପଣ ଆସିବେ ବୋଲି ଜାଣିଥିଲେ ଆଜି ମାଳିନୀକୁ ନାହିଁ କରି ଦେଇଥାନ୍ତି କିନ୍ତୁ ଏବେ ନ ଗଲେ ସୁନ୍ଦର ହେବ ନାହିଁ ।

କମଳ ପଚାରିଲା–ମାଳିନୀ କିଏ ?

ନୀଳିମା କହିଲା–ଏଠା ମାଜିଷ୍ଟ୍ରେଟ୍‍ଙ୍କ ସ୍ତ୍ରୀ–ତାଙ୍କ ନାଁ ବୋଧହୁଏ ତମର ମନେ ନାହିଁ । ତା’ପରେ ବେଳାକୁ କହିଲା–ସତରେ ଆପଣଙ୍କର ଯିବା ଉଚିତ । ନ ଗଲେ ତାଙ୍କର ଗୀତର ଆସରଟା ମାଟି ହୋଇଯିବ ।

‘ନା, ନା, ମାଟି ହେବନି ଯେ–ତେବେ ସେମାନେ କ୍ଷୁଣ୍ଣ ହେବେ; ଶୁଣିଛି, ଆଉ ଜଣେ ଦି’ଜଣଙ୍କୁ ଆହ୍ୱାନ କରିଛନ୍ତି । ଆଚ୍ଛା, ଆଜି ତା’ହେଲେ ଆସେ–ଆଉ ଦିନେ କଥାବାର୍ତ୍ତା ହେବା, ନମସ୍କାର ।’ ଏହା କହି ସେ ବ୍ୟଗ୍ର ହେଇ ବାହାରି ଗଲା ।

ନୀଳିମା କହିଲା–ଭଲ ହେଇଛି ଯେ ଆଜି ତା’ର ବାହାରେ ନିମନ୍ତ୍ରଣ ଥିଲା । ନ ହେଲେ ସବୁ କଥା ତା’ ଆଗରେ କହିବାକୁ କଷ୍ଟ ହୁଅନ୍ତା । ହଁ କମଳ, ତମକୁ ମୁଁ ଆପଣ କହୁଥିଲି ନା ତୁମେ ବୋଲି କହୁଥିଲି ?

କମଳ କହିଲା–ତୁମେ ବୋଲି–କିନ୍ତୁ ଏମିତି ତ ମୁଁ ନିର୍ବାସନରେ ଯାଇ ନ ଥିଲି ଯେ ଏ ଭିତରେ ଭୁଲିଗଲେ ।

‘ନା ଭୁଲିନି, ଟିକିଏ କେମିତି ଖଟ୍‍କା ଲାଗିଲା । ଛାଡ଼, ସାତ ଆଠ ଦିନ ହେଲା ଆମେ ତମକୁ ଖୋଜୁଥିଲୁ । ଠିକ୍ ଖୋଜିବା ନୁହେଁ, ଯେମିତି ତମକୁ ପାଇବା ପାଇଁ ତପସ୍ୟା କରୁଥିଲୁ ।’

ତପସ୍ୟାର ଗାମ୍ଭୀର୍ଯ୍ୟ ଦେଖି ନ ପାରି କମଳ କହିଲା–ଏ ସୌଭାଗ୍ୟର କାରଣ ? ମୁଁ ତ ସମସ୍ତଙ୍କର ପରିତ୍ୟକ୍ତ ଭଉଣୀ, ଭଦ୍ରସମାଜରେ ତ ମୋତେ କେହି ଖୋଜନ୍ତି ନାହିଁ ।

ଏଇ କଥାଟା ଆକସ୍ମିକ–ନୀଳିମାର ଆଖି ଦୁଇଟା ଛଳଛଳ ହୋଇଗଲା । ସେ ଚୁପ୍ କରି ରହିଲା ।

ଆଶୁ ବାବୁ ଆଉ ଚୁପ୍ ରହିପାରିଲେ ନାହିଁ । କହିଲେ–ଭଦ୍ରସମାଜ ତମକୁ ଡାକିଲେ ତାଙ୍କୁ ଏ କଥା ଜବାବ୍‍ ଦେବ, କିନ୍ତୁ ମୁଁ ଜାଣେ ଯେ ଜୀବନରେ କେହି ଯଦି ତମକୁ ସତରେ ଭଲପାଏ ତା’ହେଲେ ସେ ନୀଳିମା । ଏତେ ଶ୍ରଦ୍ଧା ତମେ ଆଉ କାହାଠାରୁ ପାଇବନି କମଳ ।

କମଳ କହିଲା–ସେ କଥା ମୁଁ ଭଲଭାବେ ଜାଣେ ।

ନୀଳିମା ଠିଆହେଲା । ବ୍ୟକ୍ତିଗତ ଆଲୋଚନା ତା’ ସମ୍ପର୍କରେ ହେଲେ ସେ ଅସ୍ଥିର ହୋଇପଡ଼େ । ଏଥିପାଇଁ ବହୁତ ଲୋକ ତାକୁ ଭୁଲ୍ ବୁଝନ୍ତି । କଥାଟାର ମୋଡ଼ ବଦଳାଇବା ପାଇଁ ସେ କହିଲା–କମଳ, ତମକୁ ଆମର ଦୁଇଟା ଖବର ଦେବାର ଅଛି ।

 

କମଳ ହସି କହିଲା–ବେଶ୍ ତ, ଖବର ଦେବାର ଥିଲେ ଦିଅନ୍ତୁ ।

 

ନୀଳିମା ଆଶୁ ବାବୁଙ୍କୁ ଦେଖାଇ କହିଲା–ସେ ଲଜ୍ଜାରେ ତମ ପାଖେ କହିପାରୁ ନାହାଁନ୍ତି, ତେଣୁ ମୁଁ କହୁଛି । ମନୋରମା ସହ ଶିବନାଥର ବିବାହ ସ୍ଥିର ହୋଇଯାଇଛି–ପିତା ଏବଂ ଭାବି ଶ୍ୱଶୁରଙ୍କ ଆଶୀର୍ବାଦ ଭିକ୍ଷା କରି ଉଭୟେ ପତ୍ର ଲେଖିଛନ୍ତି ।

 

ଶୁଣି କମଳର ମୁହଁ ଶେତା ପଡ଼ିଗଲା–ତେବେ ସେ ଆତ୍ମସମ୍ବରଣ କରି ପଚାରିଲା–ଏଥିରେ ଲଜ୍ଜା କରିବାର କ’ଣ ଅଛି ?

 

ନୀଳିମା କହିଲା–କାରଣ ମନୋରମା ତାଙ୍କର ଝିଅ । ଚିଠି ପାଇଲା ପରଠାରୁ ବାରମ୍ବାର କହୁଛନ୍ତି–ଆଗ୍ରାରେ ଏତେ ଲୋକ ମଲେ, ଭଗବାନ ତାଙ୍କୁ ଦୟା କଲେ ନାହିଁ କାହିଁକି ? ଜ୍ଞାନତଃ କୌଣସି ଦିନ ସେ ଅନ୍ୟାୟ କରି ନାହାନ୍ତି, ତେଣୁ ତାଙ୍କର ଧାରଣା ଯେ ଭଗବାନ ତାଙ୍କ ପ୍ରତି ସଦୟ । ସେଇ ବ୍ୟଥା ତାଙ୍କ ପକ୍ଷରେ ଦୁର୍ବିସହ ହୋଇ ଉଠିଛି । ମୋ ଛଡ଼ା ଆଉ କାହାକୁ ଏ କଥା କହିନାହାନ୍ତି ଏବଂ ରାତିଦିନ କେବଳ ତମକୁ ଖୋଜୁଛନ୍ତି । ବୋଧହୁଏ ତାଙ୍କର ଧାରଣା ଯେ ତମେ ଏଥିରୁ ଉଦ୍ଧାର ହେବାର ଉପାୟ କରିଦେବ ।

 

କମଳ ଚାହିଁ ଦେଖିଲା ଯେ ଆଶୁ ବାବୁ ମୁଦ୍ରିତ ନୟନରେ ଆରାମ୍‍ ଚେୟାରରେ ପଡ଼ିରହିଛନ୍ତି–ତାଙ୍କ ଆଖିରୁ ଲୁହ ବହିଯାଉଛି । ସେ ଲୁହ ପୋଛି ଦେଇ ପଚାରିଲା–ଏ ତ ଗଲା ଗୋଟିଏ ଖବର, ଆଉ ଗୋଟିଏ କ’ଣ ?

 

ନୀଳିମା ଟିକିଏ ଅଟକି କହିଲା ‘ସେଟା ସେମିତି ଗୁରୁତର ବ୍ୟାପାର ନୁହେଁ । ଆମ ଅବିନାଶ ବାବୁଙ୍କର ସ୍ୱାସ୍ଥ୍ୟ ଖରାପ ଥିଲା–ସେଥିପାଇଁ ସମସ୍ତେ ଚିନ୍ତିତ ଥିଲେ । ସେ ସୁସ୍ଥ ହୋଇଯାଇଛନ୍ତି ଓ ତାଙ୍କ ଭାଇ ଓ ଭାଉଜ ତାଙ୍କର ସମ୍ପୂର୍ଣ୍ଣ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ଜବରଦସ୍ତି ଆଉ ଗୋଟିଏ ବିବାହ କରେଇ ଦେଇଛନ୍ତି । ଏଇ ଖବରଟି ସେ ଆଶୁ ବାବୁଙ୍କୁ କେବଳ ପତ୍ରରେ ଜଣେଇ ଦେଇଛନ୍ତି ।’ ଏହା କହି ସେ ହସିବାକୁ ଲାଗିଲା ।

 

ସେ ହସରେ ସୁଖ ନାହିଁ, ଆନନ୍ଦ ନାହିଁ । କମଳ ତା’ ଆଡ଼କୁ ଚାହିଁ କହିଲା–ଏ ଦୁଇଟା ବିବାହ ସମ୍ବାଦ । ଗୋଟିଏ ହୋଇ ଗଲାଣି, ଆଉ ଗୋଟାଏ ହେବାର ଅଛି । କିନ୍ତୁ ମତେ ଖୋଜୁଥିଲ କାହିଁକି ? ଏଥିରୁ କୌଣସିଟା ତ ମୁଁ ସମାଧାନ କରିପାରି ନ ଥା’ନ୍ତି ।

 

ନୀଳିମା କହିଲା ‘ଅଥଚ ସମାଧାନ କରିପାରିବ ବୋଲି ସେ ବୋଧହୁଏ ତମକୁ ଖୋଜୁଥିଲେ । କିନ୍ତୁ ମୁଁ ତ ସେଥିପାଇଁ ଖୋଜୁ ନ ଥିଲି । କେବଳ ଖୋଜୁଥିଲି ସେମିତି ଦେଖାହେଲେ ତମର ଦୟା ଲାଭ କରିପାରିବି । ଭାରତବର୍ଷରେ ଜନ୍ମ ହୋଇ ଅଦୃଷ୍ଟକୁ ଦୋଷ ନ ଦେଇ ଉପାୟ ନାହିଁ, ମାତ୍ର ଲାଭ କ’ଣ ? ବୁଦ୍ଧି ଦୋଷରୁ ବାପଘର ଶାଶୁଘର ଦୁଇଟା ଯାକ ରାହା ହରେଇଛି–ତା’ପରେ ଏପରି ଲୋକସାନ ଯାହା ହୋଇଛି ସେ କଥା ଆଉ କହି ହେବ ନାହିଁ । ଏଥର ଭିଣୋଇଙ୍କ ଆଶ୍ରୟଟା ବି ଘୁଞ୍ଚିଲା ।’ ଆଶୁ ବାବୁଙ୍କୁ ଦେଖାଇ କହିଲା–‘ୟାଙ୍କର ଦୟାଦାକ୍ଷିଣ୍ୟର ସୀମା ନାହିଁ–ଯେ କେତେ ଦିନ ଏଠି ଅଛନ୍ତି ଏଇଠି ଅବା ରହିଯିବି–କିନ୍ତୁ ତା’ପରେ ତ ଚାରିଆଡ଼ ଅନ୍ଧାର । ଭାବୁଛି, ଏଥର ତମକୁ କହିବି ଆଶ୍ରା ଦେବା ପାଇଁ–ନ ହେଲେ ମରିବା ଛଡ଼ା ଆଉ କ’ଣ ବାଟ ଅଛି ? ପୁରୁଷର କୃପାଭିକ୍ଷା କରି ଆଉ ସୁଅ ମୁହଁର କାଠି କୁଟାପରି ବାର ତୋଠ ବୁଲି ବୁଲି ଜୀବନ କାଟି ପାରିବିନି ।’ କହୁ କହୁ ତା’ ସ୍ୱର ଭାରି ହୋଇ ଉଠିଲା, କିନ୍ତୁ ଆଖିରୁ ଲୁହ ଜବରଦସ୍ତି ଚାପି ରଖିଲା ।

 

କମଳ ତା’ ମୁହଁକୁ ଚାହିଁ ଟିକିଏ ହସିଲା ମାତ୍ର ।

 

‘ହସିଲ ଯେ ?’

 

‘କାରଣ ହସିବାଟା ଉତ୍ତର ଦେବା ଅପେକ୍ଷା ସହଜ ।’

 

ନୀଳିମା କହିଲା–ସେ କଥା ଜାଣେ; ଖାଲି ଭୟ ଏତିକି ଯେ ମଝିରେ ମଝିରେ କୁଆଡ଼େ ଅଦୃଶ୍ୟ ହେଇଯାଉଛ–ମୁଁ ହୁଏତ ଖୋଜିଲା ବେଳେ ପାଇବି ନାହିଁ ।

 

କମଳ କହିଲା–ଅଦୃଶ୍ୟ ହେଲେ କ’ଣ ହେଲା–ଦରକାରବେଳେ ତମକୁ ଖୋଜିବାକୁ ପଡ଼ିବନି । ମୁଁ ପୃଥିବୀ ସାରା ଖୋଜି ତମକୁ ବାହାର କରିବି । ଏ ସମ୍ବନ୍ଧରେ ନିଶ୍ଚିନ୍ତ ରହନ୍ତୁ ।

 

ଆଶୁ ବାବୁ କହିଲେ–ଏଥର ମତେ ସେଇଭଳି ଅଭୟ ଦିଅ କମଳ, ମୁଁ ଯେମିତି ତମ ସାହାଯ୍ୟ ପାଇବି ବୋଲି ନିଃସଂଶୟ ହୋଇପାରିବି ।

 

‘କହନ୍ତୁ ମୁଁ କି ପ୍ରକାର ସାହାଯ୍ୟ କରିପାରିବି ?’

 

‘ତମକୁ କିଛି କରିବାକୁ ହେବନି କମଳ, ଯାହା କରିବାର କଥା ମୁଁ କରିବି । ମତେ କେବଳ ଏତିକି ଉପଦେଶ ଦିଅ–ମୁଁ ଯେମିତି ପିତାର କର୍ତ୍ତବ୍ୟ କରିବାରୁ ପଛେଇ ନ ଯିବି । ଏ ବିବାହରେ ଯେ କେବଳ ମୁଁ ମତ ଦେଇ ପାରୁନି ତା’ ନୁହେଁ–ଏ ବିବାହ କେବେ କରେଇ ଦେବିନି ।’

 

କମଳ କହିଲା–ମତ ଦେବା ନ ଦେବା ଆପଣଙ୍କର ଅଧିକାର ବା ଇଚ୍ଛା ଭିତରେ, ନ ଦେଇ ପାରନ୍ତି । କିନ୍ତୁ ବିବାହ କରେଇ ନ ଦେବେ ବା କେମିତି ? ଆପଣଙ୍କ କନ୍ୟା ତ ସାବାଳିକା ।

 

ଆଶୁ ବାବୁ କହିଲେ–ସେ କଥା ଜାଣେ, କିନ୍ତୁ ଝିଅର ବି ଜାଣିବା ଉଚିତ ଯେ ସେ ବାପଠାରୁ ବଡ଼ ହୋଇପାରିବ ନାହିଁ । କେବଳ ମତଟା ମୋର ନୁହେଁ, ସମ୍ପତ୍ତିଟା ବି ମୋର । ମୋର ଦୁର୍ବଳତା ସହ ପରିଚିତ ହୋଇ ଲୋକଙ୍କର ମୋ ସମ୍ପର୍କରେ ଏକ ଅଭ୍ୟସ୍ତ ଧାରଣା ହୋଇଯାଇଛି–କିନ୍ତୁ ମୋ ଚରିତ୍ରର ଯେ ଅନ୍ୟ ଗୋଟାଏ ଦିଗ ଥାଇ ପାରେ, ଏ କଥା ସେମାନେ ଭୁଲି ଯାଇଛନ୍ତି ।

 

କମଳ ତାଙ୍କ ଆଡ଼କୁ ଚାହିଁ କୋମଳ କଣ୍ଠରେ କହିଲା–ଆପଣଙ୍କର ଅନ୍ୟ ଦିଗଟା ଲୋକେ ସେମିତି ଭୁଲିଥାଆନ୍ତୁ ଆଶୁ ବାବୁ; କିନ୍ତୁ ତା’ ନ ହୁଏ–ତା’ହେଲେ ଆପଣଙ୍କ ସବଳତାର ପରିଚୟ କ’ଣ ପ୍ରଥମେ ନିଜ ଝିଅଠାରେ ଦେଖାହେବ ?

 

‘ହଁ, ଅବାଧ୍ୟ ଝିଅ ପାଖରେ ।’ ଏହା କହି ସେ ଟିକିଏ ନୀରବ ରହି କହିଲେ–‘ମା ମରିଯିବା ପରେ ଏଇ ଏକମାତ୍ର ସନ୍ତାନକୁ ମୁଁ ଯେ କେମିତି ମଣିଷ କରିଛି, ସେ କଥା ସୃଷ୍ଟିକର୍ତ୍ତା ଜାଣନ୍ତି କେବଳ । କିନ୍ତୁ ପିତାର ଏକମାତ୍ର ସ୍ନେହ କରିବା କଥା ନୁହେଁ–ତା’ର ତ ପୁଣି କର୍ତ୍ତବ୍ୟ ଅଛି-? ଶିବନାଥକୁ ମୁଁ ଚିହ୍ନି ପାରିଛି । ତା’ର ସର୍ବନାସୀ ଆକର୍ଷଣରୁ ଝିଅକୁ ରକ୍ଷା କରିବା ପାଇଁ ଏହା ବ୍ୟତୀତ ଅନ୍ୟ କୌଣସି ବାଟ ମୋ’ପାଇଁ ନାହିଁ । କାଲି ଚିଠି ଲେଖି ଜଣାଇବି ଯେ ଏହାପରେ ମଣି ଯେପରି ମୋ’ଠାରୁ ଗୋଟିଏ ପଇସା ବି ଆଶା ନ କରେ ।’

 

‘କିନ୍ତୁ ଏ ଚିଠି ଯଦି ସେମାନେ ବିଶ୍ୱାସ କରିବେନି ?’ ଯଦି ଭାବିବେ ଯେ ବାବାଙ୍କର ରାଗ ବେଶୀ ଦିନ ରହିବା ନାହିଁ–ତା’ହେଲେ ?’

 

‘ତା’ହେଲେ ସେମାନେ ତା’ ଫଳ ଭୋଗ କରିବେ–ଲେଖିବାର ଦାୟିତ୍ଵ ମୋର କିନ୍ତୁ ବିଶ୍ୱାସ କରିବାର ଦାୟିତ୍ଵ ସେମାନଙ୍କର ।’

 

‘ଏୟା କ’ଣ ଆପଣ ସ୍ଥିର କରିଛନ୍ତି ?’

 

‘ହଁ ।’

 

କମଳ ନୀରବରେ ବସି ରହିଲା ।

 

ଉଦ୍‍ଗ୍ରୀବ ଅପେକ୍ଷାରେ କିଛି ସମୟ ବସି ରହିଲା ପରେ ବ୍ୟାକୁଳ ହୋଇ ଆଶୁ ବାବୁ ପଚାରିଲେ–କିଛି କହୁନ ଯେ କମଳ ?

 

କମଳ କହିଲା–ଆପଣ ତ କିଛି ପଚାରି ନାହାନ୍ତି ? ସଂସାରରେ ଜଣକ ସଙ୍ଗରେ ଆଉ ଜଣଙ୍କର ମତ ମିଳେନା । ଯେ ସବଳ ସେ ସେଥିପାଇଁ ଦୁର୍ବଳକୁ ଦଣ୍ଡ ଦିଏ । ଏ ବ୍ୟବସ୍ଥା ତ ପ୍ରାଚୀନ କାଳରୁ ଚଳି ଆସିଛି । ଏଥିରେ କହିବାର କ’ଣ ଅଛି ?

 

ଆଶୁ ବାବୁଙ୍କ ଦୁଃଖର ସୀମା ରହିଲାନି । ସେ କହିଲେ–ଏ ତୁମେ କ’ଣ କହୁଛ କମଳ-? ସନ୍ତାନ ସହ ପିତାର ବଳ କସିବାର ସମ୍ପର୍କ ନୁହେଁ ଯେ ମୁଁ ତାକୁ ଦୁର୍ବଳ ବୋଲି ଶାସ୍ତି ଦେବାକୁ ବସିଛି । ନିଷ୍ଠୁର ହେବା ଯେ କେତେ କଠିନ ତା’ ପ୍ରତ୍ୟେକ ଜନ୍ମଦାତା ଜାଣେ, ତେବେ ବି ତ ମୁଁ ଏତେ ବଡ଼ ସଂକଳ୍ପ କେବଳ ତାକୁ ଭୁଲ୍‍ ବାଟରୁ ଫେରାଇ ଆଣିବା ପାଇଁ ? ତମେ କ’ଣ ଏ କଥା ବୁଝି ପାରୁନ ?

 

କମଳ କହିଲା–‘ବୁଝିପାରିଲି, ଆପଣଙ୍କ କଥା ନ ଶୁଣି ଭୁଲ୍‍ କଲେ ସେ ଦୁଃଖ ପାଇବ । କିନ୍ତୁ ଦୁଃଖ ନିବାରଣ କରି ନ ପାରିବାରୁ ରାଗି ତା’ର ଦୁଃଖର ବୋଝ ହଜାରଗୁଣ ବଢ଼େଇ ଦେବେ ?’ ଟିକିଏ ରହି କହିଲା–ଆପଣ ତାଙ୍କର ପରମ ଆତ୍ମୀୟ–ଯେ ଲୋକଟା ମନ୍ଦ ବୋଲି ଜାଣିଛନ୍ତି, ତା’ ହାତରେ ନିଜ ଝିଅକୁ ଚିରଦିନ ପାଇଁ ନିଃସ୍ୱ ନିରୁପାୟ କରି ଠେଲି ଦେବେ–ଫେରିବାର ବାଟ ବି ଖୋଲା ରଖିବେ ନାହିଁ ?

 

ଆଶୁ ବାବୁ ବିହ୍ଵଳ ଦୃଷ୍ଟିରେ ଚାହିଁରହିଲେ । ତାଙ୍କ ପାଟିକୁ କଥା ଆସିଲାନି–ଦେଖୁ ଦେଖୁ ତାଙ୍କ ଆଖି ଲୁହରେ ଭରିଗଲା । କିଛି ସମୟ ଏପରି ଗଲାପରେ ଜାମାରେ ଆଖି ପୋଛି ଗଳା ପରିଷ୍କାର କରି କହିଲେ–ଫେରିବାର ବାଟ ଏବେ ଖୋଲା ଅଛି କମଳ, ପରେ ନାହିଁ । ସ୍ୱାମୀ ତ୍ୟାଗ କଲା ପରେ ଫେରିବା–ଜଗଦୀଶ୍ଵର କରନ୍ତୁ–ତା’ ଯେପରି ମୋତେ ଆଖିରେ ଦେଖିବାକୁ ନ ହୁଏ ।

 

କମଳ କହିଲା–ଏ ଅତି ଅନ୍ୟାୟ କଥା । ବରଂ ମୁଁ କାମନା କରେ ଯେ ଭୁଲ୍‍ ଯଦି କେବେ ତା’ ଆଖିରେ ଧରାପଡ଼େ, ସେ ଦିନ ଯେପରି ସଂଶୋଧନ କରିବାର ବାଟ ବନ୍ଦ ନ ଥାଏ । ଏଇପରି ନିଜକୁ ଶୁଧାରି ଶୁଧାରି ମଣିଷ ଆଜି ମନୁଷ୍ୟତ୍ଵ ଲାଭ କରି ପାରିଛି । ଭୁଲ୍‍କୁ ତ ଭୟ କରିବାର କିଛି ନାହିଁ ଆଶୁ ବାବୁ, ଯେ ପର୍ଯ୍ୟନ୍ତ ଅନ୍ୟ ପଥ ଖୋଲାଅଛି । ସେଇ ବାଟଟା ଆଖି ଆଗରେ ବନ୍ଦ ଜଣା ପଡ଼ୁଛି ବୋଲି ଆଜି ଆପଣଙ୍କର ଏତେ ଆଶଙ୍କା ।

 

ନିଜ କନ୍ୟା କଥା ନ ହୋଇ ଅନ୍ୟ କେଉଁଠି ହୋଇଥିଲେ ଆଶୁ ବାବୁ ଏ କଥା ବୁଝିପାରିଥାନ୍ତେ, କିନ୍ତୁ ଏକମାତ୍ର କନ୍ୟାର ଦାରୁଣ ଭବିଷ୍ୟତର ଆଶଙ୍କା ନିକଟରେ କମଳର ଯୁକ୍ତି ବିଫଳ ହୋଇଗଲା । ସେ ଅସଂଲଗ୍ନ ମିନତିଭରା କଣ୍ଠରେ କହିଲେ–ନା କମଳ, ଏ ବିବାହ ବନ୍ଦ କରିବା ବ୍ୟତୀତ ଅନ୍ୟ କୌଣସି ବାଟ ମୁଁ ଦେଖିପାରୁନି । ତୁମେ କୌଣସି ଉପାୟ କହି ପାରିବ ନାହିଁ ?

 

‘ମୁଁ ?’ କଥାର ଗୂଢ଼ ଇଙ୍ଗିତ କମଳ ଏତେ ସମୟ ପରେ ବୁଝିପାରିଲା ଓ ତେଣୁ ମୁହୂର୍ତ୍ତକ ପାଇଁ ତା’ ମୁହଁ ଗମ୍ଭୀର ହୋଇଗଲା । ତା’ପରେ ନୀଳିମା ପ୍ରତି ଚାହିଁ ସେ ସହଜ କଣ୍ଠରେ କହିଲା–ନା, ଏ ଘଟଣାରେ ମୁଁ ଆପଣଙ୍କୁ କୌଣସି ପ୍ରକାର ସାହାଯ୍ୟ କରିପାରିବି ନାହିଁ । ଉତ୍ତରାଧିକାରରୁ ବଞ୍ଚିତ କରିବା ସମ୍ପର୍କରେ ଭୟ ଦେଖାଇଲେ ସେ ଭୟ କରିବ କି ନାହିଁ, ମୁଁ ଜାଣିନି–ତେବେ ଯଦି ଭୟ କରେ ତେବେ ବୁଝିବି ଯେ ଖୁଆଇ ପିଆଇ ସ୍କୁଲ କଲେଜରେ ବହି ମୁଖସ୍ତ କରେଇ ଝିଅକୁ ବଡ଼ କରେଇଛନ୍ତି, କିନ୍ତୁ ମଣିଷ କରିପାରି ନାହାନ୍ତି । ସେଇ ଅଭାବ ପୂର୍ଣ୍ଣ ହେବାର ସୁଯୋଗ ଯଦି ତା’ର ଆସି ପହଞ୍ଚେ, ତେବେ ମୁଁ ବାଧା ଦେବି କାହିଁକି ?

 

କଥାଟା ଆଶୁ ବାବୁଙ୍କୁ ଭଲଲାଗିଲା ନାହିଁ–କହିଲେ–ତୁମେ ତା’ହେଲେ କହୁଛ ଯେ ବାଧା ଦେବା ମୋର କର୍ତ୍ତବ୍ୟ ନୁହେଁ ?

 

କମଳ କହିଲା–ଭୟ ଦେଖେଇ ବାଧା ଦେବା ଅନ୍ୟାୟ, ଏଇଆ ମୁଁ କହୁଛି । ମୁଁ ଆପଣଙ୍କର ଝିଅ ହେଇଥିଲେ ହୁଏତ ବାଧା ପାଇଥାନ୍ତି, କିନ୍ତୁ ଏ ଜୀବନରେ ଆପଣଙ୍କୁ କେବେ ଶ୍ରଦ୍ଧା କରିପାରନ୍ତି ନାହିଁ । ମୋ ବାପା ମୋତେ ଏଇଭଳି ଗଢ଼ିଥିଲେ ।

 

ଆଶୁ ବାବୁ କହିଲେ–ଅସମ୍ଭବ ନୁହେଁ କମଳ, ହୁଏତ ତମର କଲ୍ୟାଣ ପାଇଁ ସେ ସେଇ ବାଟ ଦେଖି ପାରିଥିଲେ । ମୁଁ ତ ପାରୁନି । ତେବେ ବି ମୁଁ ବାପ । ମୁଁ ସ୍ପଷ୍ଟ ଜାଣେ ଯେ ଶିବନାଥକୁ କିଏ ଯଥାର୍ଥ ଭଲପାଇ ପାରେନା । ଏ କେବଳ ମୋହ ମିଥ୍ୟା । ଏ କ୍ଷଣସ୍ଥାୟୀ ନିଶା ଯେଉଁ ଦିନ କଟିଯିବ, ସେ ଦିନ ମଣିର ଦୁଃଖର ସୀମା ରହିବ ନାହିଁ । ସେତେବେଳେ ସେ କ’ଣ ନେଇ ବଞ୍ଚିରହିବ ?

 

କମଳ କହିଲା–ନିଶାରେ ବରଂ ଭାବନା ଅଛି, କିନ୍ତୁ ସେ ଭାବ କଟିଗଲା ପରେ ଯେତେବେଳେ ସେ ସୁସ୍ଥ ହୋଇ ଉଠିବ, ସେତେବେଳେ ଆଉ ଭାବନା ନାହିଁ ।

 

ଆଶୁ ବାବୁ ଅସ୍ଵୀକାର କରି କହିଲେ–ଏସବୁ କେବେଳ କଥାର ମାରପେଞ୍ଚ କମଳ, ସତ୍ୟଠାରୁ ଅନେକ ଦୂରରେ । ଭୁଲ୍‍ର ଦଣ୍ଡ ତାକୁ ଖୁବ୍ ବଡ଼ ଭାବରେ ପାଇବାକୁ ହେବ କମଳ, ଓକିଲାତିର ଜୋରରେ ସେ ସେଥିରୁ ଅବ୍ୟାହତ ପାଇ ପାରିବ ନାହିଁ ।

 

କମଳ କହିଲା–ଅବ୍ୟାହତିର ଇଙ୍ଗିତ ମୁଁ କରୁନି ଆଶୁ ବାବୁ । ଭୁଲ୍‍ର ଦଣ୍ଡ ପାଇବାକୁ ହୁଏ–ଏ କଥା ମୁଁ ଜାଣେ । ସେଥିରେ ଦୁଃଖ ଅଛି–କିନ୍ତୁ ଲଜ୍ଜା ନାହିଁ । ମଣି କାହାକୁ ଠକି ନାହିଁ, ଭୁଲ୍ ଭାଙ୍ଗି ସେ ଯଦି ଫେରିଆସେ, ତେବେ ସେଥିପାଇଁ ତାକୁ ମୁଣ୍ଡ ପୋତିବାକୁ ପଡ଼ିବ ନାହିଁ–ଏଇ କଥା କେବଳ କହୁଥିଲି ।

 

‘ତେବେ ବି ତ ମୁଁ ଭରସା ପାଉନି କମଳ । ଭୁଲ୍‍ ଯେ ତା’ର ଦିନେ ନା ଦିନେ ଭାଙ୍ଗିବ, ସେ କଥା ମୁଁ ଜାଣେ । କିନ୍ତୁ ତା’ପରେ ଯେ ଦୀର୍ଘ ଦିନ ବଞ୍ଚିରହିବାକୁ ହେବ । ସେତେବେଳେ ସେ କ’ଣ ନେଇ ବଞ୍ଚିରହିବ ?’

 

‘ଏଭଳି କଥା ଆପଣ କହିବେନି । ମଣିଷର ଦୁଃଖକୁ ଯଦି ଦୁଃଖ ପାଇବାର ଶେଷ ବୋଲି ଗ୍ରହଣ କରାଯିବ, ତା’ହେଲେ ତା’ର ମୂଲ୍ୟ କିଛି ନାହିଁ । ସେ କେବଳ ଏକ ଦିଗର କ୍ଷତିକୁ ଅନ୍ୟ ଦିଗରେ ସଞ୍ଚୟରେ ପରିଣତ କରେ–ନ ହେଲେ ମୁଁ ବା ବଞ୍ଚିଥାଆନ୍ତି କେମିତି ? ବରଂ ଆଶୀର୍ବାଦ କରନ୍ତୁ, ଭୁଲ୍ ଯଦି ଭାଙ୍ଗେ–ତେବେ ସେ ଯେପରି ନିଜକୁ ମୁକ୍ତ କରି ଆସେ–ସେତେବେଳେ ଯେଭଳି କୌଣସି ଭୟ ବା ଲୋଭ ତାକୁ ଆକୃଷ୍ଟ କରି ନ ରଖେ ।’

 

ଆଶୁ ବାବୁ ଚୁପ୍ ରହିଲେ–ସତ ହେଲେ ବି ସ୍ୱୀକାର କରି ହେଲା ନାହିଁ । ବହୁ ସମୟ ପରେ କହିଲେ–ବାପ ହିସାବରେ ମୁଁ ମଣିର ଭବିଷ୍ୟତରେ କେବଳ ଅନ୍ଧାର ଦେଖୁଛି । ତଥାପି କ’ଣ ତୁମେ କହୁଛ ଯେ, ମୋର ବାଧା ଦେବା ଉଚିତ ନୁହେଁ–ନୀରବରେ ମାନି ନେବା ଉଚିତ ?

 

‘ମୁଁ ମା ହୋଇଥିଲେ ମାନି ନେଇଥାନ୍ତି । ତା’ର ଭବିଷ୍ୟତ ଆଶଙ୍କାରେ ହୁଏତ ଆପଣଙ୍କ ପରି କଷ୍ଟ ପାଆନ୍ତି–ତେବେ ଏ ଉପାୟରେ ବାଧା ଦେବାର ବ୍ୟବସ୍ଥା କରନ୍ତି ନାହିଁ । ମନେମନେ କହନ୍ତି, ଏ ଜୀବନରେ ଯେ ରହସ୍ୟ ଆଗରେ ସେ ଆସି ଠିଆହୋଇଛି, ସେ ରହସ୍ୟ ମୋର ସମସ୍ତ ଦୁଶ୍ଚିନ୍ତାଠାରୁ ବୃହତ୍ତର । ତାକୁ ସ୍ୱୀକାର କରିବାକୁ ହେବ ।’

 

ଆଶୁ ବାବୁ କହିଲେ–ତେବେ ବି ବୁଝିପାରିଲିନି କମଳ । ଶିବନାଥର ଚରିତ୍ର–ତା’ର ସମସ୍ତ ଦୁଷ୍କର୍ମର ବିବରଣୀ ମଣି ଜାଣେ । ଦିନେ ତାକୁ ଏ ଘରକୁ ଆଣିବା ପାଇଁ ସେ ଆପତ୍ତି କରୁଥିଲା, କିନ୍ତୁ ଆଜି କି ଏକ ସମ୍ମୋହନରେ ତା’ର ହିତାହିତ ବୋଧ, ସମସ୍ତ ନୈତିକ ବୁଦ୍ଧି ଆଚ୍ଛନ୍ନ ହୋଇଯାଇଛି । ସେ ତ ଯଥାର୍ଥ ଭଲପାଇବା ନୁହେଁ, ସେ ମୋହ l ଏ ମୋହ ଯେପରି ହେଉ ନିବାରଣ କରିବାକୁ ହେବ ।

 

ଏଥର କମଳ ସ୍ତବ୍ଧ ହୋଇ ଚାହିଁ ରହିଲା । ଏତେ ସମୟ ପରେ ଉଭୟଙ୍କ ଚିନ୍ତାର ପ୍ରକୃତିଗତ ପାର୍ଥକ୍ୟ ତା’ ଆଖିରେ ପଡ଼ିଲା । କମଳ ବୁଝିଲା ଯେ ତା’ର ଧାରଣା ଓ ତା’ର ଦୃଷ୍ଟିଭଙ୍ଗୀ ସହ ଆଶୁ ବାବୁଙ୍କ ବିଚାରର କୌଣସି ସୌସାଦୃଶ୍ୟ ନାହିଁ । ସେ ବୁଦ୍ଧିର ପରୀକ୍ଷା, ସେ ହିତାହିତବୋଧ, ଭଲମନ୍ଦ ସୁଖ ଦୁଃଖର ଅତି ସତର୍କ ହିସାବ ଓ ମଜ୍‍ବୁତ ମୂଳଦୁଆ ପକାଇବା ପାଇଁ ସାମାଜିକ ଇଞ୍ଜିନିୟରିଂ ତା’ ପାଖରେ ସମ୍ପୂର୍ଣ୍ଣ ଅପରିଚିତ । ଏମାନେ ଅଙ୍କ କଷି ଭଲପାଇବାର ଫଳ ବାହାର କରିବାକୁ ଚାହାଁନ୍ତି । ନିଜ ଜୀବନରେ ଆଶୁ ବାବୁ ସ୍ତ୍ରୀଙ୍କୁ ଅତି ଭଲପାଉଥିଲେ l ବହୁଦିନ ହେଲା ସେ ପରଲୋକଗତା–ତଥାପି ଆଜି ବି ତାହାର ମୂଳ ଶିଥିଳ ହୋଇନାହିଁ । ସଂସାରରେ ଏହାର ତୁଳନା ନାହିଁ–ଏ ଏକ ଧରଣର ସତ୍ୟ ଯାହା ସହିତ କମଳର ସମ୍ପର୍କ ନାହିଁ । ଏଠି ଭଲପାଇବା ବା ଭଲ ନ ପାଇବାର ପ୍ରଶ୍ନ ଉଠାଇବା ବୃଥା । ଦୀମ୍ପତ୍ୟ ଜୀବନରେ ଦିନକ ପାଇଁ ବି ଆଶୁ ବାବୁଙ୍କର ପତ୍ନୀଙ୍କ ସହ ମତଭେଦ ହୋଇ ନାହିଁ, ମନୋମାଳିନ୍ୟ ଘଟିନି । ନିର୍ବିଘ୍ନ ଶାନ୍ତି ଓ ଅବିଚ୍ଛିନ୍ନ ସ୍ଵାଚ୍ଛନ୍ଦ୍ୟ ଭିତରେ ଯେଉଁମାନଙ୍କର ଦୀର୍ଘ ଦାମ୍ପତ୍ୟ ଜୀବନ କଟିଛି, ସେ ଗୌରବକୁ କ୍ଷୁଣ୍ଣ କରି ହେବ କିଭଳି ? ସାମାଜ ମୁଗ୍ଧ ଚିତ୍ତରେ ଏମାନଙ୍କର ସ୍ତବଗାନ କରିଛି, ଏଭଳି ଦୁର୍ଲଭ କାହାଣୀକୁ ଲିପିବଦ୍ଧ କରି ବହୁ କବି ଅମର ହୋଇଛନ୍ତି ସ୍ୱକୀୟ ଜୀବନରେ ଏହି ଶାନ୍ତିଲାଭ କରିବାର ବ୍ୟାକୁଳ ବାସନାରେ ବହୁ ମଣିଷଙ୍କର ଲୋଭର ସୀମା ନାହିଁ । ଯାହାର ନିଃସନ୍ଦିଗ୍ଧ ମହିମା ସ୍ଵତଃସିଦ୍ଧ ପ୍ରତିଷ୍ଠାରେ ଚିରଦିନ ଅବିଚଳିତ ରହିଛି, ତାକୁ କେଉଁ ସ୍ପର୍ଦ୍ଧାରେ ସେ ଆଘାତ କରିବ ? କିନ୍ତୁ ମଣି ? ଯେ ଦୁଃଶୀଳ, ଦୁର୍ଭାଗ୍ୟର ହାତରେ ସେ ନିଜକୁ ବିସର୍ଜନ ଦେବା ପାଇଁ ଉଦ୍ୟତ ତା’ ସମ୍ପର୍କରେ ସବୁ କିଛି ଜାଣିବାର ବାହାରେ ପାଦ ବଢ଼ାଇବା ପାଇଁ ତା’ର ଭୟ ନାହିଁ । ଦୁଃଖମୟ ପରିଣାମ ଚିନ୍ତାରେ ପିତା ଶଙ୍କିତ, ବନ୍ଧୁଗଣ ବିଷଣ୍ଣ–କେବଳ ଏକା ସେ ଶଙ୍କାଶୂନ୍ୟ l ଆଶୁ ବାବୁ ଜାଣନ୍ତି–ଏ ବିବାହରେ ସମ୍ମାନ ନାହିଁ, ଶୁଭ ନାହିଁ, ବଞ୍ଚନା ଏହାର ଭିତ୍ତି, ଏ ସ୍ୱଳ୍ପକାଳସ୍ଥାୟୀ ମୋହ ଯେଉଁଦିନ ତୁଟିଯିବ, ସେ ଦିନ ଆଜୀବନ ଦୁଃଖ ଓ ଲଜ୍ଜାରେ ବଞ୍ଚିବା ପାଇଁ ସ୍ଥାନ ମିଳିବ ନାହିଁ ହୁଏତ ଏସବୁ ସତ୍ୟ, କିନ୍ତୁ ସବୁ ଗଲେ ବି ଏଇ ପ୍ରବଞ୍ଚିତ ରମଣୀଟିର ଯେ ଦୁର୍ଲଭ ବସ୍ତୁ ବାକି ରହିବ, ତା’ ଯେ ପିତାର ଶାନ୍ତି, ସୁଖମୟ ଦାମ୍ପତ୍ୟ ଜୀବନଠାରୁ ଯଥେଷ୍ଟ ବଡ଼, ଏକଥା କମଳ କିଭଳ ଆଶୁ ବାବୁଙ୍କୁ ବୁଝାଇବ ? ପରିଣାମ କେବଳ ଯାହା ପାଖରେ ମୂଲ୍ୟ ନିରୂପଣର ଏକମାତ୍ର ମାନଦଣ୍ଡ ତା’ ସଙ୍ଗେ ଆଲୋଚନା ହେବ କିଭଳି ? କମଳର ଇଚ୍ଛା ହେଲା କହିବା ପାଇଁ–ମୋହ ମାତ୍ରକେ ମିଥ୍ୟା ନୁହେଁ, କନ୍ୟାର ଚିତ୍ତାକାଶରେ ଉଦ୍ଭାସିତ ମୁହୂର୍ତ୍ତକର ତଡ଼ିତ୍ ରେଖା ହୁଏତ ପିତାର ଅନିର୍ବାପିତ ଦୀପଶିଖାକୁ ଦୀପ୍ତିର ପରିମାଣରେ ଅତିକ୍ରମ କରିଯାଇପାରେ–କିନ୍ତୁ ସେ କିଛି ନ କହି ଚୁପ୍ ରହିଲା ।

 

ପିତାର କର୍ତ୍ତବ୍ୟ ସମ୍ପର୍କରେ ଅତ୍ୟନ୍ତ ସ୍ପଷ୍ଟ ଅଭିମତ ପ୍ରକାଶ କରି ଆଶୁ ବାବୁ ଉତ୍ତର ଅପେକ୍ଷାରେ ବସିରହିଲେ, କିନ୍ତୁ କମଳ ନିରୁତ୍ତର ହୋଇ ନତମୁଖରେ ବସିଲା–ବୁଝାଗଲା ଯେ ଏ ସମ୍ପର୍କରେ ସେ ଆଉ ବାଦାନୁବାଦ କରିବା ପାଇଁ ଚାହେଁନା । ଆଉ କଥା ନାହିଁ ବୋଲି ନୁହେଁ ପ୍ରୟୋଜନ ନାହିଁ ବୋଲି–କିନ୍ତୁ ଏମିତି ମୌନ ହୋଇ ବସି ରହିବାରୁ ଆଶୁ ବାବୁଙ୍କ ମନ ଶାନ୍ତ ହେଲା ନାହିଁ । ବସ୍ତୁତଃ ଏଇ ପ୍ରୌଢ଼ ବ୍ୟକ୍ତିଟିର ଅନ୍ତରରେ ସତ୍ୟାନୁସନ୍ଧାନ ପାଇଁ ପ୍ରକୃତ ନିଷ୍ଠା ରହିଛି–କିନ୍ତୁ ଏକମାତ୍ର ସନ୍ତାନର ଦୁର୍ଦ୍ଦିନ ଆଶଙ୍କାରେ ସେ ଶଙ୍କିତ ଉଦ୍‍ଭ୍ରାନ୍ତ । ଜୋର୍ ଅଛି ବୋଲି ଉଦ୍ଧତ ସ୍ପର୍ଦ୍ଧାର ଜୋର୍ ଖଟାଇବା ପ୍ରତି ତାଙ୍କର ଗଭୀର ବିତୃଷ୍ଣା । ଅଥଚ କମଳ ତାଙ୍କ ସମ୍ପର୍କରେ ଠିକ୍ ସେଇ କଥା କହିଲା । କମଳକୁ ସେ ଯେତେ ଦେଖୁଛନ୍ତି, ତା’ ପ୍ରତି ତାଙ୍କର ବିସ୍ମୟ ଓ ଶ୍ରଦ୍ଧା ସେ ପରିମାଣରେ ବଢ଼ିଯାଉଛି । ଲୋକଚକ୍ଷୁରେ ସେ ହେୟ, ନିନ୍ଦିତ, ଭଦ୍ରସମାଜରେ ପରିତ୍ୟକ୍ତା–ଅଥଚ ତା’ର ନିଃଶବ୍ଦ ଅବଜ୍ଞାକୁ ସେ ସବୁଠୁ ବେଶୀ ଭୟ କରନ୍ତି ।

 

ଆଶୁ ବାବୁ କହିଲେ କମଳ, ତମ ପିତା ୟୁରୋପିଆନ, ତେବେ ତମେ ସେ ଦେଶକୁ କେବେ ଯାଇନା । କିନ୍ତୁ ସେମାନଙ୍କ ଭିତରେ ମୋର ବହୁକାଳ କଟିଛି, ସେମାନଙ୍କର ଅନେକ ଆଚାର ବ୍ୟବହାର ମୁଁ ଅଙ୍ଗେ ନିଭେଇଛି । ଅନେକ ଭଲପାଇବାର ବିବାହ ଉତ୍ସବରେ ଯେତେବେଳେ ନିମନ୍ତ୍ରଣ ଆସିଛି, ଆନନ୍ଦରେ ଯୋଗ ଦେଇଛି । ଅଥଚ ସେ ବିବାହ ଯେତେବେଳେ ଅନାଦର ଉପେକ୍ଷାରେ ଭାଙ୍ଗିଯାଇଛି, ସେତେବେଳେ ଆଖିରୁ ଲୁହ ପୋଛିଛି । ତୁମେ ଗଲେ ଠିକ୍ ଏଇ କଥା ଦେଖିବ ।

 

କମଳ କହିଲା–ନ ଯାଇ ବି ମୁଁ ଦେଖିପାରେ ଆଶୁ ବାବୁ । ଭାଙ୍ଗିବାର ନଜିର୍ ସେ ଦେଶରେ ପୁଞ୍ଜିଭୂତ ହୋଇ ଉଠୁଛି, ଉଠିବାର କଥା–ଏ ଯେଭଳି ସତ୍ୟ, ସେଥିରୁ ତା’ର ସ୍ୱରୂପ ନିରୂପଣ କରିବା ବି ସେଇଭଳି ଭୁଲ୍ । ଏଟା ବିଚାରର ପଦ୍ଧତି ନୁହେଁ, ଆଶୁ ବାବୁ ।

 

ଆଶୁ ବାବୁ ନିଜର ଭ୍ରମ ବୁଝିପାରିଲେ–କହିଲେ–କିନ୍ତୁ ସେ ଯାହାହେଉ, ଆମ ନିଜ ଦେଶକୁ ଥରେ ଭଲ କରି ଦେଖ ତ ? ଯେ ପ୍ରଥା ଆବହମାନ କାଳରୁ ଚଳି ଆସିଛି ତା’ର ସୃଷ୍ଟିକର୍ତ୍ତାମାନଙ୍କର ଦୂରଦର୍ଶିତା ବଳରୁ କେବଳ । ଏଠାରେ ବର ବା କନ୍ୟା ବାଛିବାର ଦାୟିତ୍ଵ ପାତ୍ର ପାତ୍ରୀମାନଙ୍କ ଉପରେ ନାହିଁ–ଅଛି ସେମାନଙ୍କର ବାପ-ମା’ ଗୁରୁଜନମାନଙ୍କ ଉପରେ । ତେଣୁ ବିଚାରବୁଦ୍ଧି ଏଠାରେ ଅସଂଯମରେ ବୁଡ଼ିଯାଏନା, ଏକ ଶାନ୍ତ ଅବିଚଳିତ ମଙ୍ଗଳ ସେମାନଙ୍କର ଚିରଜୀବନ ସଙ୍ଗୀ ହୋଇ ରହିଯାଏ ।

 

କମଳ କହିଲା–କିନ୍ତୁ ମଣି ତ ମଙ୍ଗଳର ହିସାବ କରିନି ଆଶୁ ବାବୁ, ସେ ଚାହିଁଛି ଭଲପାଇବା । ଗୋଟାକର ହିସାବ ଗୁରୁଜନମାନଙ୍କ ସୁଯୁକ୍ତିଦ୍ଵାରା ମିଳେ, ଅନ୍ୟଟିର ହିସାବ ନିଜ ହୃଦୟଛଡ଼ା ଆଉ କେହି ଜାଣେନା । କିନ୍ତୁ ତର୍କ କରି ମୁଁ ବୃଥା ଆପଣଙ୍କୁ ଉତ୍ତ୍ୟକ୍ତ କରୁଛି; ଯାହାଘରର ପଶ୍ଚିମ ଦିଗର ଝରକା ଛଡ଼ା ଆଉ ସବୁ ବନ୍ଦ, ସେ ପ୍ରତ୍ୟୁଷରେ ସୂର୍ଯ୍ୟୋଦୟ ଦେଖିପାରେନା, ଦେଖେ କେବଳ ପ୍ରଦୋଷରେ ସୂର୍ଯ୍ୟର ଅବସାନ । କିନ୍ତୁ ଚେହେରା ଓ ରଙ୍ଗର ସାଦୃଶ୍ୟ ତୁଳନା କରି ତର୍କ କଲେ କେବଳ କଥା ବଢ଼ିବ, ମୀମାଂସା ହୋଇପାରିବ ନାହିଁ । ରାତି ବହୁତ ହେଲାଣି, ମୁଁ ଏଥର ଉଠେ ।

 

ନୀଳିମା ଏପର୍ଯ୍ୟନ୍ତ ଚୁପ୍ ହୋଇ ବସିଥିଲା–ଏପର୍ଯ୍ୟନ୍ତ ପଦେ ବି କିଛି କହିନି–ବର୍ତ୍ତମାନ କହିଲା–ମୁଁ ବି ତମ କଥା ସ୍ପଷ୍ଟ ଏଯାଏଁ ବୁଝିନି କମଳ, କିନ୍ତୁ ଅନୁଭବ କରୁଛି ଯେ ଘରର ଅନ୍ୟ ଝରକାଗୁଡ଼ାକ ଖୋଲି ଦେବା ଉଚିତ । ଏ ତ ଆଖିର ଦୋଷ ନୁହେଁ–ଦୋଷ ବନ୍ଦ ଝରକାର । ଯେ ଦିଗର ଝରକାଟା ଖୋଲା ଅଛି, ସେ ଆଡ଼କୁ ଆଜୀବନ ଚାହିଁ ରହିଲେ ବି ସୂର୍ଯ୍ୟାସ୍ତ ଛଡ଼ା ସୂର୍ଯ୍ୟୋଦୟ କସ୍ମିନ୍‍କାଳେ ଆଖିରେ ପଡ଼ିବନି ।

 

କମଳ ଉଠି ଠିଆ ହେବାରୁ ଆଶୁ ବାବୁ କହିଲେ–ତମେ ଯାଅନି କମଳ, ଆଉ ଟିକିଏ ବସ । ଖିଆପିଆ ନାହିଁ–ଆଖିକୁ ନିଦ ଆସୁନି–ଅବିଶ୍ରାମ ଛାତି ଭିତରଟା ଜଳିଗଲା ପରି ଲାଗୁଛି । ତେବେ ବି ଚେଷ୍ଟା କରୁଛି ଯଦି ତମ କଥା ବୁଝିପାରିବି । ତମେ କ’ଣ ଭାବୁଛ ଯେ ମୁଁ ଚୁପ୍ କରିଥିବି, ଆଉ ଏଇ ବିଭତ୍ସ ଘଟଣାଟା ନିର୍ବିଘ୍ନରେ ଘଟିଯିବ ?

 

କମଳ କହିଲା–ମଣି ଯଦି ତାଙ୍କୁ ଭଲ ପାଇଥାଏ, ତେବେ ତ ମୁଁ ବିଭତ୍ସ ବୋଲି କହିପାରିବିନି ଆଶୁ ବାବୁ ।

 

କିନ୍ତୁ ମୁଁ ତ ତମକୁ ଶହେ ଥର କହିଲିଣି କମଳ, ଏ ମୋହ, ଏ ଭଲପାଇବା ନୁହେଁ–ଏ ଭୁଲ୍‍ ତା’ର ଭାଙ୍ଗିବ ।

 

କମଳ କହିଲା–କେବଳ ମୋହ ଯେ ଭାଙ୍ଗେ ତା’ ନୁହେଁ ଆଶୁ ବାବୁ, ଯଥାର୍ଥ ଭଲପାଇବା ବି ଭାଙ୍ଗିଯାଏ । ତେଣୁ ଭଲ ପାଇଲା ପରେ ବି ଅନେକ ବିବାହ କ୍ଷଣସ୍ଥାୟୀ ହୁଏ । ସେଥିପାଇଁ ତ ସେ ଦେଶର ଏତେ ଦୁର୍ନାମ, ଏତେ ବିବାହ-ବିଚ୍ଛେଦ ମାମଲା ।

 

ଶୁଣି ଆଶୁ ବାବୁ ହଠାତ୍ ଯେମିତି ଆଲୋକ ଦେଖିବାକୁ ପାଇଲେ–ଉଚ୍ଛ୍ଵସିତ ଆଗ୍ରହରେ କହିଲେ–ସେଇ କଥା କହ କମଳ–ଏଇ ଘଟଣା ତ ଶହ ଶହ ମୁଁ ଆଖିରେ ଦେଖି ଆସିଛି ।

 

ନୀଳିମା ଅବାକ୍ ହୋଇ ଚାହିଁ ରହିଲା ।

 

ଆଶୁ ବାବୁ ପଚାରିଲେ–କିନ୍ତୁ ଆମ ଦେଶର ବିବାହ-ପ୍ରଣାଳୀ ? ତାକୁ ତୁମେ କ’ଣ କହିବ ? ସେ ଯେ ସମସ୍ତ ଜୀବନ ଧରି ଭାଙ୍ଗେନା ।

 

କମଳ କହିଲା–ଭାଙ୍ଗିବାର କଥା ତ ନୁହେଁ ଆଶୁ ବାବୁ । ସେ ତ ଅନଭିଜ୍ଞ ଯୌବନର ଚପଳତା ନୁହେଁ, ବହୁଦର୍ଶୀ ଗୁରୁଜନମାନଙ୍କର ହିସାବର କାରବାର । ସ୍ୱପ୍ନର ମୂଳଧନ ଉପରେ ପ୍ରତିଷ୍ଠିତ ନୁହେଁ–ଦେଖି ଚାହିଁ, ପକ୍କା ବ୍ୟବସାୟୀଙ୍କର ପରୀକ୍ଷା ଭିତର ଦେଇ ବଛା ହୋଇଥିବା ଖାଣ୍ଟି ଜିନିଷ । ଅଙ୍କ କଷିବାରେ ମାରାତ୍ମକ ଗଲତି ନ ଥିଲେ ସେଥିରେ ସହଜରେ ଫାଟ ଧରେନା । ଏ ଦେଶ ସେ ଦେଶ ସବୁ ଦେଶରେ ଏ ଜିନିଷ ଖୁବ୍ ମଜ୍‍ବୁତ୍‍–ସାରା ଜୀବନ ବଜ୍ର ପରି ସ୍ଥାୟୀ ।

 

ଆଶୁ ବାବୁ ନିଃଶ୍ୱାସ ପକାଇ ଚାହିଁ ରହିଲେ–କ’ଣ କହିବେ ଉତ୍ତର ମିଳିଲା ନାହିଁ ।

 

ନୀଳିମା ଧୀରେ ପଚାରିଲା–କମଳ, ତମ କଥା ଯଦି ସତ ହୁଏ, ଯଥାର୍ଥ ଭଲପାଇବା ଯଦି ଭୁଲ୍ ପରି ସହଜରେ ଭାଙ୍ଗିପଡ଼େ, ମଣିଷ ତା’ହେଲେ ବଞ୍ଚିବ କ’ଣ ନେଇ ? ତା’ର ଭବିଷ୍ୟତର ଆଶା ରହିବ କାହିଁକି ?

 

କମଳ କହିଲା–ଯେ ସ୍ୱର୍ଗୀୟ ଆନନ୍ଦ ମିଆଦ ପୂରିଗଲା–ତା’ର ଏକାନ୍ତ ମଧୁର ସ୍ମୃତି ଓ ପାଖେ ପାଖେ ବ୍ୟଥାର ସମୁଦ୍ର ବାକି ରହିବ । ଆଶୁ ବାବୁଙ୍କ ଶାନ୍ତି ଓ ସୁଖର ସୀମା ନ ଥିଲା, କିନ୍ତୁ ତା’ଠାରୁ ଅଧିକ ପୁଞ୍ଜି ତାଙ୍କର ନାହିଁ । ଭାଗ୍ୟ ଯାହାଙ୍କୁ ଏତିକି ମାତ୍ର ଦେଇଛି, ତାଙ୍କୁ କ୍ଷମା କରିବା ଛଡ଼ା କ’ଣ ଉପାୟ ଥାଇପାରେ ?

 

ଟିକିଏ ଅଟକି କହିଲା–ଲୋକେ ବାହାରୁ ଭାବନ୍ତି, ବୋଧହୁଏ ସବୁ ନଷ୍ଟ ହୋଇଗଲା । ବନ୍ଧୁମାନଙ୍କ ଭୟର ଅନ୍ତ ରହେନା, ଦୁଇ ହାତରେ ବାଟ ଆଗୁଳିବାକୁ ଚାହାଁନ୍ତି–ସେମାନେ ଭାବନ୍ତି ଯେ ସେମାନଙ୍କ ଭାବନା ଓ ଚିନ୍ତାର ବାହାରେ ସବୁ ଶୂନ୍ୟ । ଶୂନ୍ୟ ନୁହେଁ ଭଉଣୀ । ସବୁ ଯାଇ ଯାହା ରହିଯାଏ, ତା’ ମଣିମାଣିକ୍ୟଠାରୁ ବି ଅଧିକ ମୂଲ୍ୟବାନ । ବସ୍ତୁ ବାହୁଲ୍ୟ ହେତୁ ଲାଇନ୍ ଲଗେଇ ତାକୁ ନେଇ ଶୋଭାଯାତ୍ରା କରାଯାଇ ପାରେନା ବୋଲି ଦର୍ଶକଦଳ ହତାଶ ହୋଇ ଘରକୁ ଫେରିଆସନ୍ତି–କହନ୍ତି, ସର୍ବନାଶ ହୋଇଗଲା ।

 

ନୀଳିମା କହିଲା–କହିବାର କାରଣ ଅଛି କମଳ । ମଣିମାଣିକ୍ୟ ସମସ୍ତଙ୍କ ପାଇଁ ନୁହେଁ, ସାଧାରଣଙ୍କ ପାଇଁ ନୁହେଁ । ଆପାଦମସ୍ତକ ସୁନା ରୂପାର ଗହଣା ଛାଇ ନ ହେଲେ ଯେଉଁମାନଙ୍କର ମନ ମାନେନା, ସେମାନେ ତମର ଏଇ ଖଣ୍ଡିଏ ହୀରାର ଦାମ୍ ବୁଝିବେ ନାହିଁ । ଯେଉଁମାନଙ୍କର ଅନେକ ବେଶୀ ଦରକାର, ସେମାନେ ପୁଟ ଉପରେ ପୁଟ ଦେଇ ନିଶ୍ଚିନ୍ତ ହୋଇ ପାରିବେ । ଅନେକ ଆଡ଼ମ୍ବର, ଅନେକ ଆୟୋଜନ, ଅନେକ ଜାଗା ମାଡ଼ି ବସିଲେ ଦାମ୍‍ର ଅନ୍ଦାଜ ସେମାନଙ୍କ ପାଇଁ ହୁଏ । ପଶ୍ଚିମ ଦରଜା ଖୋଲି ସୂର୍ଯ୍ୟୋଦୟ ଦେଖିବାର ଚେଷ୍ଟା ବୃଥା କମଳ, ଏ ଆଲୋଚନା ବନ୍ଦ ହେଉ ।

 

ଆଶୁ ବାବୁଙ୍କ ମୁହଁରୁ ଦୀର୍ଘଶ୍ୱାସ ବାହାରି ଆସିଲା–ଆସ୍ତେ ଆସ୍ତେ କହିଲେ ବୃଥା କାହିଁକି ହେବ ନୀଳିମା ? ବେଶ୍, ତମମାନଙ୍କୁ ଭଲ ନ ଲାଗିଲେ ମୁଁ ଚୁପ୍ ରହୁଛି ।

 

ନୀଳିମା କହିଲା–ନା, ସେ କଥା ଆପଣ କରିବେନି । ଏ କଥା କ’ଣ କେବଳ କମଳ ବୁଝିପାରୁଛନ୍ତି, ଆପଣ ବୁଝିପାରୁ ନାହାନ୍ତି ? ଏମିତି ହୋଇପାରେନା । ତା’ ପକ୍ଷରେ ଯାହା ସତ୍ୟ, ମଣିଷ ପକ୍ଷରେ ତା’ ସତ୍ୟ ନୁହେଁ । ସ୍ତ୍ରୀର ଦୁଶ୍ଚରିତ୍ର ସ୍ଵାମୀ ପରିତ୍ୟାଗ କରିବା ଭିତରେ ସତ୍ୟ ଥାଇପାରେ–କିନ୍ତୁ ବେଳା କ୍ଷେତ୍ରରେ ସ୍ଵାମୀ ତ୍ୟାଗ ଭିତରେ ବିନ୍ଦୁଏ ବି ସତ୍ୟ ନାହିଁ, ଏ କଥା ମୁଁ ଜୋର୍‍ କରି କହିପାରେ, ସତ୍ୟ ସ୍ୱାମୀକୁ ତ୍ୟାଗ କରିବା ଭିତରେ ନାହିଁ, ସ୍ୱାମୀର ଦାସୀବୃତ୍ତି କରିବାରେ ବି ନାହିଁ । ଏ ଦୁଇଟା କେବଳ ଡାହାଣ-ବାଁ ବାଟ–ଗନ୍ତବ୍ୟ ସ୍ଥାନ ନିଜକୁ ଖୋଜି ନେବାରେ ଥାଏ–ତର୍କ କରି ତାକୁ କୌଣସି ଦିଗରୁ ଠିକଣା କରି ହୁଏନା ।

 

କମଳ ନୀରବରେ ଚାହିଁ ରହିଲା ।

 

ନୀଳିମା କହିବାକୁ ଲାଗିଲା–ସୂର୍ଯ୍ୟର ଉଦୟ ତା’ର କେବଳ ଯଥାର୍ଥ୍ୟ ନୁହେଁ–ତା’ର ଅସ୍ତ ବି ସେଇଭଳି ମୂଲ୍ୟବାନ । ରୂପଯୌବନର ଆକର୍ଷଣ ଯଦି ଭଲପାଇବାର ସର୍ବସ୍ଵ ହୁଅନ୍ତା, ଝିଅ ସମ୍ପର୍କରେ ତେବେ ବାପ ମନରେ ଆଶଙ୍କାର ପ୍ରଶ୍ନ ଉଠନ୍ତା ନାହିଁ–କିନ୍ତୁ ତା’ ନୁହେଁ । ମୁଁ ବହି ପଢ଼ିନି, ଜ୍ଞାନ ତ ସହଜେ ଊଣା–ଯୁକ୍ତି କରି ତମକୁ ବୁଝେଇ ପାରିବି ନାହିଁ । କିନ୍ତୁ ମନେହୁଏ ଯେ ଅସଲ ଜିନିଷର ସନ୍ଧାନ ତମେ ଏଯାଏଁ ପାଇନ ଭଉଣୀ । ଶ୍ରଦ୍ଧା, ଭକ୍ତି, ସ୍ନେହ, ବିଶ୍ୱାସ–ଜବରଦସ୍ତି କରି ଏସବୁ ଅସୁଲ କରାଯାଇ ପାରେନା–ଅନେକ ଦୁଃଖ, ଅନେକ ବିଳମ୍ବରେ ଏ ସବୁର ଦେଖା ମିଳେ । ଯେତେବେଳେ ମିଳେ, ସେତେବେଳେ ରୂପଯୌବନର ପ୍ରଶ୍ନ ଯେ କେଉଁଠି ମୁହଁ ଲୁଚେଇ ଛପିଯାଏ, ତାକୁ ଠଉରେଇବା ସହଜ ହୁଏନା ।

 

ତୀକ୍ଷ୍ଣଧୀ କମଳ ବୁଝିଲା ଯେ ଉପସ୍ଥିତି ଆଲୋଚନାରେ ଯୁକ୍ତିର ପ୍ରଶ୍ନ ଉଠେନା । ପ୍ରତିବାଦ ବା ସମର୍ଥନର ଆବଶ୍ୟକତା ନାହିଁ, ଏ ସମସ୍ତ ନୀଳିମାର ନିଜସ୍ଵ କଥା । ଚାହିଁ ଦେଖିଲା–ଉଜ୍ଜ୍ୱଳ ଦୀପାଲୋକରେ ନୀଳିମାର ଆଲୁଳାୟିତ ଘନକୃଷ୍ଣ କେଶରାଶିର ଛାୟାରେ ତା’ର ସୁନ୍ଦର ମୁହଁ ଏକ ଅଭୂତପୂର୍ବ ଶ୍ରୀ ଧାରଣ କରିଛି ଏବଂ ପ୍ରଶାନ୍ତ ଚକ୍ଷୁର ସଜଳ ଦୃଷ୍ଟି ସକରୁଣ ସ୍ନିଗ୍‍ଧତାରେ ଉତ୍‍କୂଳ ହୋଇ ଉଠିଛି । କମଳ ମନେମନେ ଭାବିଲା–ଏହା ନବୀନ ସୂର୍ଯ୍ୟାଦୟ ବା ଶ୍ରାନ୍ତରବିର ଅସ୍ତଗମନ, ଏ ଜିଜ୍ଞାସା ବୃଥା; ଆରକ୍ତ ଆଭାରେ ଆକାଶର ଯେଉଁ ଦିଗ ଆଜି ଆରକ୍ତ ହୋଇ ଉଠିଛି–ପୂର୍ବ ପଶ୍ଚିମ ଦିଗ ବିଚାର ନ କରି ସେ ତା’ ଉଦ୍ଦେଶ୍ୟରେ ସଶ୍ରଦ୍ଧ ନମସ୍କାର ଜଣାଇଲା ।

 

ଦୁଇ ତିନି ମିନିଟ୍ ପରେ ଆଶୁ ବାବୁ ସ୍ଵପ୍ନୋତ୍‍ଥିତ ପରି କହିଲେ–ତମ କଥା ମୁଁ ଆଉଥରେ ଭାବି ଦେଖିବି କମଳ, କିନ୍ତୁ ତମେ ମୋ କଥାକୁ ଏଭଳି ଅବଜ୍ଞାରେ ଫିଙ୍ଗି ଦିଅନା । ବହୁ ମନୀଷୀ ଏହାକୁ ସତ୍ୟ ବୋଲି ଗ୍ରହଣ କରିଛନ୍ତି–ମିଥ୍ୟା କଥାରେ ଏତେ ଲୋକଙ୍କୁ ଭୁଲେଇ ହେବନି-

 

Unknown

କମଳ ଅନ୍ୟମନସ୍କ ଭାବେ ସମାନ୍ୟ ହସି ସମ୍ମତି ଜଣାଇଲା, କିନ୍ତୁ ଉତ୍ତର ଦେଲା ନୀଳିମାକୁ ଚାହିଁ । କହିଲା–ଯାହା ଦେଇ ଗୋଟିଏ ଶିଶୁକୁ ଭୁଲାଯାଇପାରେ, ତା’ ଦେଇ ଲକ୍ଷ ଶିଶୁକୁ ବି ଭୁଲାଯାଇପାରେ । ସଂଖ୍ୟା ବଢ଼େଇବାଟା ବୌଦ୍ଧିକ ବିକାଶର ଲକ୍ଷଣ ନୁହେଁ । ଦିନେ ଯେଉଁମାନେ କହିଥିଲେ ଯେ ନରନାରୀଙ୍କ ଭଲପାଇବାର ଇତିହାସ ହେଉଛି ମାନବ ସଭ୍ୟତାର ସର୍ବଶ୍ରେଷ୍ଠ ଇତିହାସ–ସେମାନେ ସର୍ବପେକ୍ଷା ସତ୍ୟର ଯଥାର୍ଥ ସନ୍ଧାନ କରିପାରିଥିଲେ, କିନ୍ତୁ ଯେଉଁମାନେ ଘୋଷଣା କରିଥିଲେ ଯେ ପୁତ୍ରପାଇଁ ଭାର୍ଯ୍ୟାର ପ୍ରୟୋଜନ–ସେମାନେ କେବଳ ନାରୀର ଅପମାନ କରି କ୍ଷାନ୍ତ ହୋଇ ନ ଥିଲେ, ନିଜର ବଡ଼ ହେବାର ବାଟ ବି ବନ୍ଦ କରି ଦେଇଥିଲେ । ଏହି ଅସତ୍ୟ ଉପରେ ଭିତ୍ତି କରି ସେମାନେ ସଭ୍ୟତା ଗଢ଼ିଥିଲେ ବୋଲି ଆଜି ଦୁଃଖର ସୀମା ନାହିଁ ।

 

‘କିନ୍ତୁ ଏ କଥା ମତେ କାହିଁକି କହୁଛ କମଳ ?’

 

‘କାରଣ ଆପଣ ଜାଣିବା ସବୁଠୁ ବେଶୀ ପ୍ରୟୋଜନ ଯେ ଚାଟୁବାକ୍ୟର ନାନା ଅଳଙ୍କାର ଆମ ଦେହରେ ଖଞ୍ଜି ଯେଉଁମାନେ ପ୍ରଚାର କରିଥିଲେ ଯେ ମାତୃତ୍ଵ ନାରୀର ଚରମ ସାର୍ଥକତା, ସେମାନେ ସମସ୍ତ ନାରୀଜାତିକୁ ବଞ୍ଚିତ କରିଥିଲେ । ଜୀବନରେ ଯେକୌଣସି ଅବସ୍ଥା ସ୍ୱୀକାର କରନ୍ତୁ ନା କାହିଁକି ଭଉଣୀ, ଏଇ ମିଥ୍ୟା ନୀତିଟାକୁ କେବେ ଗ୍ରହଣ କରି ନେବେନି । ଏଇ ମୋର ଶେଷ ଅନୁରୋଧ–କିନ୍ତୁ ଆଉ ତର୍କ ନୁହେଁ; ମୁଁ ଏଥର ଯାଏ ।’

 

ଆଶୁ ବାବୁ ଶ୍ରାନ୍ତ କଣ୍ଠରେ କହିଲେ–ଆଚ୍ଛା, ତଳେ ତମ ପାଇଁ ଗାଡ଼ି ଅପେକ୍ଷା କରିଛି ।

 

କମଳ ଦୁଃଖ ଜଡ଼ିତ କଣ୍ଠରେ କହିଲା–ଆପଣ ମୋତେ ଏତେ ସ୍ନେହ କରନ୍ତି, ଅଥଚ କେଉଁଠି ଆମ ଦୁହିଁଙ୍କର ମତରେ ସାମଞ୍ଜସ୍ୟ ନାହିଁ ।

 

ନୀଳିମା କହିଲା–ଅଛି ନିଶ୍ଚୟ କମଳ, କିନ୍ତୁ ସେ ତ ମଣିଷ ହାତଗଢ଼ା କାଟଛାଣ୍ଟ କରି ମନ ମାନିଲା ଭଳି ସାମଞ୍ଜସ୍ୟ ନୁହେଁ; ବିଧାତା ସୃଷ୍ଟିର ସାମ୍ୟ । ଚେହେରା ଅଲଗା, କିନ୍ତୁ ରକ୍ତ ଏକ, ଆଖିରେ ପଡ଼େନା–କିନ୍ତୁ ଶିରାରେ ଶିରାରେ ଅଲକ୍ଷରେ ବହିଯାଏ । ତେଣୁ ବାହ୍ୟ ଅନୈକ୍ୟରେ ଯେ ଗଣ୍ଡଗୋଳ ହେଉନା କାହିଁକି, ଭିତରର ପ୍ରଚଣ୍ଡ ଆକର୍ଷଣ ସେହିପରି ସ୍ଥାୟୀ ରହେ ।

 

କମଳ ପାଖକୁ ଆସି ଆଶୁ ବାବୁଙ୍କ କାନ୍ଧ ଉପରେ ହାତ ରଖି କହିଲା–ଝିଅ ବଦଳରେ କିନ୍ତୁ ମୋ ଉପରେ ରାଗ କରିବେନି ।

 

ଆଶୁ ବାବୁ କିଛି କହିଲେନି, ସ୍ତବ୍ଧ ହୋଇ ବସି ରହିଲେ ।

 

କମଳ କହିଲା–ଇଂରାଜୀରେ ଏମାନ୍‍ସିପେସନ୍ ବୋଲି ଗୋଟିଏ କଥା ଅଛି; ଆପଣ ତ ଜାଣନ୍ତି ପୁରାକାଳରେ ପିତାର କଠିନ ଅଧୀନତାରୁ ସନ୍ତାନକୁ ମୁକ୍ତି ଦେବା ତା’ର ଗୋଟାଏ ବଡ଼ ଅର୍ଥ ଥିଲା । ସେଦିନର ପୁତ୍ରକନ୍ୟା କିନ୍ତୁ ଏ ଶବ୍ଦଟା ତିଆରି କରିନଥିଲେ, କରିଥିଲେ ଆପଣଙ୍କ ପରି ଯେଉଁମାନେ ପିତା–ନିଜର ବନ୍ଧନ ଦଉଡ଼ି ଛିନ୍ନ କରି ଯେଉଁମାନେ ନିଜର ପୁତ୍ର କନ୍ୟାଙ୍କୁ ମୁକ୍ତି ଦେଇଥିଲେ, ସେମାନେ । ଆଜିକାଲି ଝିଅମାନେ ଏଇ ଏମନ୍‍ସିପେସନ୍ ପାଇଁ ଯେତେ କଳି କରନ୍ତୁ ନା କାହିଁକି, ଦେବାର ଅସଲ ମାଲିକ ଯେ ପୁରୁଷମାନେ ଏ ସତ୍ୟ ମୁଁ ଦିନକ ପାଇଁ ବି ଭୁଲିନି । ମୋ ବାବା କହୁଥିଲେ ଯେ ପୃଥିବୀର କ୍ରୀତଦାଶମାନଙ୍କୁ ସ୍ଵାଧୀନତା ଦେଇଥିଲେ ସେମାନଙ୍କର ମାଲିକ୍‍ଗଣ–ସେମାନଙ୍କ ପାଇଁ ଲଢ଼େଇ ହୋଇଥିଲା ସେଇ ମାଲିକ୍‍ମାନଙ୍କ ଭିତରେ–ନ ହେଲେ ଦାସଗଣ କଳି କରି ବା ଯୁକ୍ତି ଜୋରରେ ନିଜର ମୁକ୍ତି ଅସୁଲ କରିନାହାନ୍ତି । ବିଶ୍ଵର ଏଇଭଳି ନିୟମ, ଶକ୍ତିର ବନ୍ଧନରୁ ଶକ୍ତିମାନ କେବଳ ଦୁର୍ବଳକୁ ଉଦ୍ଧାର କରେ । ସେଇଭଳି ନାରୀର ମୁକ୍ତି ଆଜି କେବଳ ପୁରୁଷମାନେ ଦେଇପାରିବେ । ଦାୟିତ୍ଵ ସେମାନଙ୍କର । ମନୋରମାଙ୍କୁ ମୁକ୍ତିଦେବାର ଭାର ଆପଣଙ୍କ ହାତରେ–ସେ ବିଦ୍ରୋହ କରିପାରେ, କିନ୍ତୁ ପିତାର ଅଭିଶାପ ଭିତରେ ତ ସନ୍ତାନର ମୁକ୍ତି ନାହିଁ, ଅଛି ତା’ର ଅକୁଣ୍ଠ ଆଶୀର୍ବାଦ ଭିତରେ ।

 

ଆଶୁ ବାବୁ କିଛି କଥା କହି ପାରିଲେ ନାହିଁ । ଏଇ ଉତ୍ସୃଙ୍ଖଳ ପ୍ରକୃତିର କମଳ ସଂସାରରେ ଯାବତୀୟ ଅସମ୍ମାନ ଓ ଅମର୍ଯ୍ୟାଦା ଭିତରେ ଜନ୍ମ ହୋଇଛି–କିନ୍ତୁ ଜନ୍ମର ସେ ଲଜ୍ଜାକର ଦୁର୍ଗତିକୁ ସମ୍ପୂର୍ଣ୍ଣ ଭୁଲିଯାଇ ଲୋକାନ୍ତରିତ ପିତା ପ୍ରତି ତା’ର ମନ ଅସୀସ ଶ୍ରଦ୍ଧା ଓ ଭକ୍ତିରେ ଭାରିଯାଇଛି ।

 

ଯେ ଲୋକଟି ତା’ର ପିତା, ଆଶୁ ବାବୁ ତାଙ୍କୁ ଦେଖି ନାହାନ୍ତି–ନିଜର ସଂସ୍କାର ଓ ପ୍ରକୃତି ଅନୁସାରେ ତାଙ୍କୁ ଶ୍ରଦ୍ଧା କରିବା ବି ତାଙ୍କ ପକ୍ଷରେ କଠିନ–ଅଥଚ ତାଙ୍କ ପ୍ରତି ଅକୁଣ୍ଠ ସମ୍ମାନରେ ତାଙ୍କ ହୃଦୟ ପୂରିଗଲା । ନିଜ ଝିଅର ବିଚ୍ଛେଦ ଓ ବିରୁଦ୍ଧତା ତାଙ୍କ ଛାତିରେ ଶେଳ ଭଳି ଯନ୍ତ୍ରଣା ଦେଉଛି–ଅଥଚ ସମସ୍ତ ବନ୍ଧନ କାଟିଦେଇ ଯେ କିଭଳି ମଣିଷକୁ ସବୁଦିନ ପାଇଁ ବାନ୍ଧି ରଖିହୁଏ, କମଳ ମୁହଁକୁ ଚାହିଁ ସେ ଏ କଥା ବୁଝିପାରିଲେ ।

 

କମଳ କହିଲା–ଏଥର ମୁଁ ଯାଏ ।

 

ଆଶୁ ବାବୁ କହିଲେ–ଆଚ୍ଛା । ଏହାଠାରୁ ଅଧିକ କିଛି ତାଙ୍କ ପାଟିରୁ ବାହାରିଲା ନାହିଁ ।

 

(ପଚିଶ)

 

ଶୀତଦିନ, ସୂର୍ଯ୍ୟାସ୍ତ ହୋଇ ଗଲାଣି । ସାୟାହ୍ନ ଛାୟାରେ ଘର ଭିତରଟା ଅନ୍ଧାରିଆ ଦିଶୁଛି । ଗୋଟାଏ କ’ଣ ସିଲେଇ କାମଧରି କମଳ ସିଲେଇ ମେସିନ୍ ପାଖରେ ବସିଛି । ଅଳ୍ପ ଦୂରରେ ଚୌକିରେ ବସିଛି ଅଜିତ୍‍ । କ’ଣ ଗୋଟାଏ କହିଥିଲା, ତା’ର ଉତ୍ତର ଆଶାରେ ଅପେକ୍ଷା କରି ରହିଛି ।

 

ମନୋରମା ଓ ଶିବନାଥଙ୍କ ବିବାହ କଥା ରାଷ୍ଟ୍ର ହୋଇଯାଇଛି । ଆଜିର କଥାବାର୍ତ୍ତା ସେଇଠାରୁ ଆରମ୍ଭ । ଅଜିତ୍‍ର ବକ୍ତବ୍ୟ ହେଉଛି ଯେ ଏଇପରି କିଛି ଗୋଟାଏ ହେବ ବୋଲି ସେ ଆଗ୍ରାକୁ ଆସିଲା ଦିନରୁ ସନ୍ଦେହ କରିଥିଲା । କିନ୍ତୁ ସନ୍ଦେହର କାରଣ ସମ୍ପର୍କରେ କମଳ ଔସ୍ତୁକ୍ୟ ପ୍ରକାଶ କଲାନାହିଁ । ତା’ପରେ ଅନର୍ଗଳ ବକ୍ତୃତା ଦେଇ ଅଜିତ୍‍ ଏପରି ଏକ ଜାଗାରେ ଆସି ପହଞ୍ଚିଛି ଯେ ଅପର ପକ୍ଷରୁ କିଛି ମନ୍ତବ୍ୟ ନ ମିଳିଲେ ଆଉ ଅଗ୍ରସର ହେବା ତା’ ପକ୍ଷରେ ସମ୍ଭବ ନୁହେଁ । କମଳ କିନ୍ତୁ ମନୋଯୋଗ ସହ ସିଲେଇ କରି ଲାଗିଲା, ମୁଣ୍ଡ ଟେକି ଚାହିଁଲା ବି ନାହିଁ ।

 

ଦୁଇ ତିନି ମିନିଟ୍‍ ନିଃଶବ୍ଦରେ କଟିଲା । ଅଜିତ୍‍ ପୁନରାୟ ଚେଷ୍ଟା କଲା–କହିଲା–ଅଥଚ ଆଶ୍ଚର୍ଯ୍ୟ କଥା ଏଇ ଯେ ଶିବନାଥର ଏହି ପ୍ରକୃତି ତମେ ଧରିପାରିଲ ନାହିଁ ।

 

କମଳ ମୁଣ୍ଡ ନ ଟେକି ଅଳ୍ପରେ କହିଲା–ନା ।

 

‘ଅର୍ଥାତ୍ ତମେ ଏତେ ସାଦାସିଧା ଯେ କୌଣସି ସନ୍ଦେହ କଲନାହିଁ–ଏ କଥା କ’ଣ ବିଶ୍ୱାସଯୋଗ୍ୟ ?’

 

‘ବିଶ୍ୱାସଯୋଗ୍ୟ କି ନା, ମୁଁ ଜଣେ ନାହିଁ । କିନ୍ତୁ ଆପଣ କ’ଣ ବିଶ୍ୱାସ କରିବେ ନାହିଁ ?’

 

ଅଜିତ୍‍ କହିଲା–ହୁଏତ ବିଶ୍ୱାସ କରିପାରେ, ତେବେ ତମ ମୁହଁକୁ ଚାହିଁ–ଏମିତି କରି ହେବନି ।

 

ଏଥର କମଳ ମୁଣ୍ଡ ଟେକି ହସିଲା, କହିଲା–ତା’ହେଲେ ଚାହିଁ ଦେଖନ୍ତୁ, କହନ୍ତୁ ପାରିବେ କି ନା ।

 

ଅଜିତ୍‍ କ୍ରୁଦ୍ଧ ହୋଇ ଉଠିଲା–କହିଲା–ତମ କଥା ସତ; ତାକୁ ଅବିଶ୍ଵାସ କରିନ ବୋଲି ଏଇ ଫଳ ହେଲା ।

 

‘ଫଳ ହେଲା ଠିକ୍, ତେବେ ଆପଣଙ୍କ ତରଫରୁ ସନ୍ଦେହ କରିବାର ସୁଫଳଟା କ’ଣ ହେଲା କହନ୍ତୁ ।’ ଏହା କହି ସେ ପୁଣି କାମରେ ମନ ଦେଲା ।

 

ଏହାପରେ ଅଜିତ୍‍ ଅସଂଲଗ୍ନ ଭାବରେ ପ୍ରାୟ ପନ୍ଦର ମିନିଟ୍ ପର୍ଯ୍ୟନ୍ତ ଅବିଚ୍ଛିନ୍ନ ବକ୍ତୃତା କରି ଶାନ୍ତ ହୋଇ କହିଲା–କେତେବେଳେ ହଁ କେତେବେଳେ ବା ନା । ପ୍ରହେଳିକା ବ୍ୟତୀତ ତମେ କ’ଣ କଥା କହି ପାରନି ?

 

କମଳ କହିଲା–ଝିଅମାନେ ପ୍ରହେଳିକା ଭଲପାଆନ୍ତି, ସେଟା ଜାତିଗତ ସ୍ଵଭାବ ।

 

‘ତା’ହେଲେ ମୁଁ ସେ ସ୍ଵଭାବର ପ୍ରଶଂସା କରିପାରୁନି । ସ୍ପଷ୍ଟ କହି ଶିଖ, ନ ହେଲେ ସାଂସାରିକ କାମ ଚଳିବନି ।’

 

‘ଆପଣ ବି ଟିକିଏ ପ୍ରହେଳିକା ଶିଖନ୍ତୁ–ନ ହେଲେ ଏ ପକ୍ଷରୁ ଅସୁବିଧା ହେବ ।’ କହି କମଳ ଲୁଗାଟିକୁ ଭାଙ୍ଗି ରଖିସାରି କହିଲା–‘ସ୍ପଷ୍ଟ କରିବାର ଲୋଭ ଯେଉଁମାନଙ୍କର ବେଶୀ–ବକ୍ତା ହେଲେ ସେମାନଙ୍କର ବକ୍ତୃତା ଖବରକାଗଜରେ ଛାପାଯାଏ–ଲେଖକ ହେଲେ ନିଜ ଗ୍ରନ୍ଥର ଭୂମିକା ସେମାନେ ଲେଖନ୍ତି ଓ ନାଟ୍ୟକାର ହେଲେ ସେମାନେ ହୁଅନ୍ତି ନିଜ ନାଟକର ନାୟକ । ସେମାନେ ଭଲପାଆନ୍ତି କେମିତି ମୁଁ ଜାଣେନା । ଭାବନ୍ତି–ଅକ୍ଷରରେ ଯାହା ପ୍ରକାଶ ପାଇ ପାରିନାହିଁ, ହାତ ପାଦ କାଚାଡ଼ି ତାକୁ ବ୍ୟକ୍ତ କରିବା ଦରକାର । ଆଚ୍ଛା, ଆପଣ ବସନ୍ତୁ, ମୁଁ ଟିକିଏ ଆଲୁଅଟା ଲଗେଇ ନେଇ ଆସେ ।’ କହି ସେ ଉଠି ଚାଲିଗଲା ।

 

ପାଞ୍ଚ ଛ ମିନିଟ୍ ପରେ ସେ ଆଲୁଅଟା ଲଗାଇ ଆଣି ଟେବୁଲ୍ ଉପରେ ଥୋଇଲା ଓ ତଳେ ପଟି ଉପରେ ବସିଲା ।

 

ଅଜିତ୍‍ କହିଲା–ବକ୍ତା ବା ଲେଖକ ବା ନାଟ୍ୟକାର–ମୁଁ କୌଣସିଟା ନୁହେଁ । ତେଣୁ ସେମାନଙ୍କ ତରଫରୁ କୈଫିୟତ୍ ଦେଇପାରିବି ନାହିଁ, ତେବେ ସ୍ପଷ୍ଟବକ୍ତାମାନେ କେମିତି ଭଲପାଆନ୍ତି ମୁଁ ଜାଣେ । ସେମାନେ ଶୈବବିବାହର ଫନ୍ଦି କରନ୍ତି ନାହିଁ–ସ୍ଫଷ୍ଟ ପରିଚିତ ରାସ୍ତାରେ ପାଦପକାଇ ଚାଲନ୍ତି । ସେମାନଙ୍କର ଅନୁପସ୍ଥିତିରେ କାହାର ଖାଇବା ପିଇବାର କଷ୍ଟ ହେବା–ଆଶ୍ରୟ ପାଇଁ ଘରବାଲାର ଆଶ୍ରୟ ପ୍ରାର୍ଥୀ ହେବା, ଅସମ୍ମାନର ଆଘାତରୁ–

 

କମଳ ମଝିରେ ଅଟକେଇ କହିଲା–ବୁଝିଲି, ବୁଝିଲି । ଅର୍ଥାତ୍ ସେମାନଙ୍କ ଇମାରତ୍‍ର ମୂଳଦୁଆ ଏତେ ମଜ୍‍ବୁତ୍‍ ଯେ ସେଥିରେ ମଡ଼ାର କବର ଛଡ଼ା ଜୀବନ୍ତ ମନୁଷ୍ୟ ପାଇଁ ଦମ୍ ମାରିବାକୁ ବି ଫାଙ୍କ ନ ଥାଏ । ସେମାନେ ସାଧୁପୁରୁଷ ।

 

ହଠାତ୍ ଦ୍ଵାରପାଖରୁ ଶୁଣାଗଲା–ଆମେ ଭିତରକୁ ଆସି ପାରୁ କି ?

 

କଣ୍ଠସ୍ଵର ହରେନ୍ଦ୍ରର, ‘ଆସନ୍ତୁ, ଆସନ୍ତୁ’ କହି କମଳ ଦ୍ଵାରପାଖରେ ଯାଇ ଠିଆହେଲା । ଘର ଭିତରକୁ ଆସିଲେ ହରେନ୍ଦ୍ର ଏବଂ ଆଉ ଗୋଟିଏ ଯୁବକ । ହରେନ୍ଦ୍ର କହିଲା–ସତୀଶ୍‍କୁ ଆମ ଆଶ୍ରମରେ ତମେ ଥରେ ମାତ୍ର ଦେଖିଛ, ବୋଧହୁଏ ଭୁଲିଯାଇନ ?

 

କମଳ କହିଲା–ନା, ସେଦିନ ପିନ୍ଧାଲୁଗାର ବର୍ଣ୍ଣଥିଲା ଧଳା, ଆଜି ଗେରୁଆ ।

 

ହରେନ୍ଦ୍ର କହିଲା–ଏହା ଉଚ୍ଚତର ଭୂମିରେ ଆରୋହଣ କରିବାର ବାହ୍ୟିକ ଘୋଷଣା ମାତ୍ର, ଆଉ କିଛି ନୁହେଁ । ସେ ସଦ୍ୟ ପୁଣ୍ୟ କାଶୀଭୂମିରୁ ପ୍ରତ୍ୟାଗତ, ଦୁଇଘଣ୍ଟାରୁ ବେଶୀ ନୁହେଁ । କ୍ଳାନ୍ତ ପୁଣି ତୁମ ପ୍ରତି ଅପ୍ରସନ୍ନ, ଅଥଚ ମୁଁ ଆସୁଛି ଶୁଣି ସେ ଆବେଗ ସମ୍ବରଣ କରିପାରିଲା ନାହିଁ । ଏଇଟା ଆମ ବ୍ରହ୍ମଚାରୀ ମନର ଔଦାର୍ଯ୍ୟ, ଆଉ କିଛି ନୁହେଁ ।’ ଏହା କହି ସେ ଘର ଭିତରକୁ ଉଙ୍କିମାରି କହିଲା–ଏଇ ଯେ, ଆଉ ଜଣେ ନୈଷ୍ଠିକ ବ୍ରହ୍ମଚାରୀ ପୂର୍ବାହ୍ନରେ ସମୁପସ୍ଥିତ । ଯା’ହେଉ, ଆଉ ଆଶଙ୍କାର କାରଣ ନାହିଁ, ମୋ ଆଶ୍ରମଟି ଭାଙ୍ଗିଗଲା; କିନ୍ତୁ ଆଉ ଗୋଟାଏ ଗଢ଼ି ଉଠିବାର ଉପକ୍ରମ ହେଲାଣି ।’ ଏହା କହି ସେ ଘର ଭିତରକୁ ପ୍ରବେଶ କରି ଏବଂ ଦ୍ୱିତୀୟ ଚୌକିଟା ସତୀଶ୍‍କୁ ଦେଖାଇ ଦେଇ କହିଲା–ବସ ଏବଂ ନିଜେ ଖଟ ଉପରେ ବସିଲା । କମଳ ଠିଆ ହେଇଛି, ଘରେ ଆଉ ତୃତୀୟ ଆସନ ନାହିଁ, ତେଣୁ ସତୀଶ୍‍ ବସିବାକୁ ଦ୍ୱିଧା କଲା; ସେ କଥା ବୁଝି ମଧ୍ୟ ଥଟ୍ଟା କରି ହରେନ୍ଦ୍ର ହସି ହସି କହିଲା–ବସ ସତୀଶ୍‍, ଜାତି ଯିବନି । କାଶୀରୁ ଫେରି ଯେତେ ଉଚ୍ଚରେ ଥିଲେ ବି ତା’ଠାରୁ ଢେର୍ ଉଚ୍ଚ ଜାଗା ସଂସାରରେ ଅଛି, ଏ କଥା ଭୁଲନାହିଁ ।

 

‘ନା, ନା, ସେଥିପାଇଁ ନୁହେଁ’ କହି ସତୀଶ୍‍ ବ୍ୟସ୍ତ ହୋଇ ବସି ପଡ଼ିଲା ।’

 

ତା’ ମୁହଁକୁ ଚାହିଁ କମଳ ହସିଲା–କହିଲା–ହରେନ୍ଦ୍ର ବାବୁ, ଏ କଥାଟା ଆପଣଙ୍କ ମୁହଁରେ ସାଜେନି । ଆପଣ ଆଶ୍ରମର ପ୍ରତିଷ୍ଠାତା–ମହନ୍ତ ମହାରାଜ । ସେମାନେ ଆପଣଙ୍କଠାରୁ ବୟସରେ ଛୋଟ, ପଣ୍ଡା ଗିରିରେ ବି ନ୍ୟୂନ । ସେମାନଙ୍କ କାମ କେବଳ ଆପଣଙ୍କ ଉପଦେଶ ଓ ଆଦେଶ ମାନି ଚଳିବା । ସୁତରାଂ–

 

ହରେନ୍ଦ୍ର କହିଲା–ସୁତରାଂଟା ଅନାବଶ୍ୟକ । ଆଶ୍ରମର ପ୍ରତିଷ୍ଠାତା ହୁଏତ ମୁଁ, କିନ୍ତୁ ମହନ୍ତ ଓ ମହାରାଜ ହେଉଛନ୍ତି ଦୁଇବନ୍ଧୁ ସତୀଶ୍‍ ଓ ରାଜେନ୍‍ । ଜଣଙ୍କର କାମ ମୋତେ ଉପଦେଶ ଦେବା ଓ ଅନ୍ୟ ଜଣଙ୍କର କାମ ହେଲା ସାଧ୍ୟମତେ ମୋତେ ନ ମାନି ଚଳିବା । ଜଣଙ୍କର ତ ପତ୍ତା ନାହିଁ, ଅନ୍ୟ ଜଣକ ଫେରିଆସିଲେ ଢେର ବେଶୀ ତତ୍ତ୍ୱ ସଂଗ୍ରହ କରି, ଭୟ ହେଉଛି ଯେ ତା’ ସଙ୍ଗେ ସମାନ ତାଳରେ ପାଦ ପକେଇ ଚାଲିବାରେ ମୁଁ ହୁଏତ ଆଉ ପାରି ଉଠିବି ନାହିଁ । ବର୍ତ୍ତମାନ ଚିନ୍ତା କେବଳ ଏଇ ଅର୍ଦ୍ଧ ଅଭୁକ୍ତ ଶିଶୁଗୁଡ଼ାକୁ ନେଇ । କାଶୀ କାଞ୍ଚୀ ଘୂରେଇ ସେମାନଙ୍କୁ ବି ନେଇ ଆସିଛି । ଇତି ମଧ୍ୟରେ ଆଗର ନିଷ୍ଠାରେ ଯେ ଲେଶମାତ୍ର ତ୍ରୁଟି ହୋଇନି ସେ କଥା ତାଙ୍କୁ ଦେଖି ବୁଝିପାରିଛି, କେବଳ ଦୁଃଖ ଏତିକି ଯେ ଆଉ ଟିକିଏ ଜୋରରେ ତପସ୍ୟା କରାଇ ପାରିଥିଲେ ଫେରିଆସିବାର ଗାଡ଼ି ଭଡ଼ାଟା ପଡ଼ି ନ ଥାନ୍ତା ।’

 

କମଳ ବ୍ୟଥିତ ହୋଇ ପଚାରିଲା–ପିଲାଗୁଡ଼ାକ କ’ଣ ଖୁବ୍ ଦୁର୍ବଳ ହୋଇଯାଇଛନ୍ତି ?

 

ହରେନ୍ଦ୍ର କହିଲା–ଦୁର୍ବଳ ? ଆଶ୍ରମ ପରିଭାଷାରେ ତା’ର ବୋଧହୁଏ କ’ଣ ଗୋଟାଏ ସଂଜ୍ଞା ଅଛି–ସତୀଶ୍‍ ହୁଏତ ଜାଣିଥିବ, କିନ୍ତୁ କୌଣସି ଆଧୁନିକ ଶିଳ୍ପୀ ଚିତ୍ରିତ ଶୁକ୍ରାଚାର୍ଯ୍ୟଙ୍କ ଆଶ୍ରମରେ କଚର ଛବି ଦେଖିଛ ? ଦେଖିନା ? ତା’ହେଲେ ଠିକ୍ ଉପଲବ୍ଧି କରିପାରିବ ନାହିଁ । ଦୋତାଲା ଉପରୁ ଦେଖିଲା ମାତ୍ରେ ମୋର ମନେହେଲା ଯେ ବୋଧହୁଏ ଧାଡ଼ିଏ କଚ ସ୍ଵର୍ଗରୁ ଆସି ଆମ ଆଶ୍ରମରେ ପ୍ରବେଶ କରୁଛନ୍ତି । ଭରସା ପାଇଲି ଯେ ଆମ ଆଶ୍ରମଟା ଭାଙ୍ଗିଗଲେ ବି ସେମାନେ ଖାଇବାକୁ ନ ପାଇ ମରିଯିବେ ନାହିଁ, ଦେଶର କୌଣସି ଗୋଟାଏ କଳା ଭବନରେ ଯାଇ ମଡେଲ୍ କାମ କରିପାରିବେ ।’

 

କମଳ କହିଲା–ଲୋକେ କହୁଛନ୍ତି ଯେ ଆପଣ ଆଶ୍ରମ ଭାଙ୍ଗି ଦେଉଛନ୍ତି, ଏ କ’ଣ ସତ କଥା ?

 

‘ସତ, ତମର ବାକ୍ୟବାଣ ଆଉ ସହି ହେଲାନି । ସତୀଶ୍‍ର ଏଠିକୁ ଆସିବାର ସେ ଅନ୍ୟତମ କାରଣ । ତା’ର ଧାରଣା ଯେ ତୁମେ ପ୍ରକୃତରେ ଭାରତୀୟ ନୁହଁ, ସେଥିପାଇଁ ଭାରତର ନିଗୂଢ଼ ସତ୍ୟକୁ ତମେ ଚିହ୍ନିପାରି ନାହଁ । ସେ ତମକୁ ସେଇ କଥା ବୁଝେଇ ଦେବାକୁ ଚାହେଁ । ବୁଝିବ କି ନାହିଁ ସେ କଥା ତୁମେ ଜାଣ । ମୁଁ ଅବଶ୍ୟ ତାକୁ ଆଶ୍ୱାସନା ଦେଇଛି ଯେ ମୁଁ ଯାହାକରେ ତା’ର ସେଥିରେ ଭୟ କରିବାର କୌଣସି କାରଣ ନାହିଁ । କାରଣ ଚତୁର୍ବିଧ ଆଶ୍ରମରୁ କେଉଁ ଆଶ୍ରମ ଅଜିତ୍‍କୁମାର ନିଜେ ଗ୍ରହଣ କରିବେ ସେ ସମ୍ପର୍କରେ ସଠିକ୍ ସମ୍ବାଦ ନ ପାଇଥିଲେ ବି, ପରସ୍ପର କଥାବାର୍ତ୍ତାରୁ ଏତିକି ବୁଝିଛି ଯେ ସେ ବହୁ ଅର୍ଥବ୍ୟୟରେ ଏପରି ଦଶ କୋଡ଼ିଏଟା ଆଶ୍ରମ ଭାରତର ବିଭିନ୍ନ ସ୍ଥାନରେ ଖୋଲିଦେବେ । ତାଙ୍କର ଅର୍ଥ ଅଛି, ସାମର୍ଥ୍ୟ ବି ଅଛି, ତା’ର ଗୋଟାକର ନାୟକତ୍ୱ ସତୀଶ୍‍କୁ ମିଳିବ ନିଶ୍ଚୟ ।’

 

କମଳ ସାମାନ୍ୟ ହସି କହିଲା–ଦାନଶୀଳତା ପରି ଦୁଷ୍କୃତି ଚାପି ରଖିବାର ଅମୋଘ ଅସ୍ତ୍ର ଆଉ ନାହିଁ । କିନ୍ତୁ ଭାରତର ସତ୍ୟ ବସ୍ତୁ ମୋତେ ବୁଝେଇ ସତୀଶ୍‍ ବାବୁଙ୍କର ଲାଭ କ’ଣ ? ଆଶ୍ରମ ଉଠେଇ ଦେବା ପାଇଁ ମୁଁ ହରେନ୍ଦ୍ର ବାବୁଙ୍କୁ ପ୍ରବର୍ତ୍ତାଇ ନାହିଁ ବା ଟଙ୍କା ଜୋରରେ ଭାରତବର୍ଷସାରା ଆଶ୍ରମ ଖୋଲିବା ବେଳେ ମୁଁ ଅଜିତ୍‍ ବାବୁଙ୍କୁ ନିଷେଧ କରିବି ନାହିଁ । ମୋର ଆପତ୍ତି କେବଳ ଏଇଟାକୁ ସତ୍ୟ ବୋଲି ମାନି ନେବାରେ; ତେବେ ସେଇଟା ମୋର ବ୍ୟକ୍ତିଗତ ମତ । ସେଥିରେ କାହାର କ୍ଷତି କ’ଣ ?

 

ସତୀଶ୍‍ ବିନୀତ କଣ୍ଠରେ କହିଲା–କ୍ଷତିର ପରିମାଣଟା ବାହାରୁ ଦେଖାଯିବନି; କିନ୍ତୁ ଯୁକ୍ତି ପାଇଁ ନୁହେଁ, ଜଣେ ଶିକ୍ଷାର୍ଥୀ ହିସାବରେ ମୁଁ ଯଦି କେତେଟା ପ୍ରଶ୍ନ ପଚାରେ, ତା’ର କ’ଣ ଉତ୍ତର ପାଇ ପାରିବିନି ?

 

‘ମୁଁ ଆଜି ବଡ଼ ଶ୍ରାନ୍ତ ସତୀଶ୍‍ ବାବୁ ।’

 

ସତୀଶ୍‍ ଏ ଆପତ୍ତି ନ ଶୁଣି କହିଲା–ହରେନ୍ ଦା’ ଏଇକ୍ଷଣି କହିଲେ ଯେ ମୁଁ କାଶୀରୁ ଫେରି ଯେତେ ଉଚ୍ଚରେ ଥିଲେ ବି ତା’ଠାରୁ ଉଚ୍ଚ ଜାଗା ସଂସାରରେ ଅଛି, ସେ ଏଇ ଘର । ମୁଁ ଜାଣେ, ଆପଣଙ୍କ ପ୍ରତି ତାଙ୍କର ଶ୍ରଦ୍ଧାର ସୀମା ନାହିଁ; ଆଶ୍ରମ ଭାଙ୍ଗିଲେ କୌଣସି କ୍ଷତି ହେବନି, କିନ୍ତୁ ଆପଣଙ୍କ କଥାରେ ତାଙ୍କ ମନ ଭାଙ୍ଗିଲେ ସେ ଲୋକସାନ୍ ପୂର୍ଣ୍ଣ ହେବା କଠିନ ।

 

କମଳ ଚୁପ୍ ହୋଇ ରହିଲା । ସତୀଶ୍‍ କହିବାକୁ ଲାଗିଲା–ରାଜେନ୍‍କୁ ଆପଣ ଭଲ ଭାବରେ ଜାଣନ୍ତି, ସେ ମୋର ପିଲାଦିନର ବନ୍ଧୁ । ମୂଳ ବିଷୟରେ ମତର ମେଳ ନ ଥିଲେ ଆମର ବନ୍ଧୁତ୍ୱ ହୋଇ ପାରି ନ ଥାନ୍ତା । ତା’ ପରି ଭାରତର ସର୍ବାଙ୍ଗୀନ ମୁକ୍ତି ମଧ୍ୟଦେଇ ସ୍ୱଜାତିର କଲ୍ୟାଣ ସାଧନ ମୋର ବି କାମ୍ୟ । ଏଇ ଆଶାରେ ପିଲାମାନଙ୍କୁ ସଂଘବଦ୍ଧ କରି ଗଢ଼ିବା ପାଇଁ ଚାହେଁ । ନ ହେଲେ ମୃତ୍ୟୁ ପରେ ଆକଳ୍ପ ବୈକୁଣ୍ଠ ଲାଭର ଲୋଭ ମୋର ନାହିଁ । କିନ୍ତୁ ନିୟମର କଠୋର ବନ୍ଧନ ବ୍ୟତୀତ ସଂଘ ସୃଷ୍ଟି ହୋଇପାରେନା । ଆଉ କେବଳ ପିଲାମାନେ ନୁହନ୍ତି, ସେ ବନ୍ଧନ ଆମେ ସମସ୍ତେ ଗ୍ରହଣ କରିଛୁ । କଷ୍ଟ ଏଥିରେ ଅଛି–ରହିବ ନିଶ୍ଚୟ । ବହୁଶ୍ରମ କରି ବୃହତ୍ ବସ୍ତୁ ଲାଭ କରିବା ସ୍ଥାନକୁ ତ ଆଶ୍ରମ କୁହାଯାଏ । ସେଥିରେ ଉପହାସ କରିବାର କିଛି ନାହିଁ ।

 

ଉତ୍ତର ନ ପାଇ ସତୀଶ୍‍ କହିଲା–ହରେନ୍ ଦା’ର ଆଶ୍ରମ ଯା’ ହେଉନା କାହିଁକି–ସେ ସମ୍ବନ୍ଧରେ ମୁଁ ଆଲୋଚନା କରିବି ନାହିଁ, କାରଣ ସେଟା ବ୍ୟକ୍ତିଗତ ହୋଇ ପଡ଼ିବାର ସମ୍ଭାବନା ରହିଛି । କିନ୍ତୁ ଭାରତୀୟ ଆଶ୍ରମ ମଧ୍ୟରେ ଯେ ଭାରତର ଅତୀତ ପ୍ରତି ନିଷ୍ଠା ଓ ପରମ ଶ୍ରଦ୍ଧା ଅଛି, ଏ କଥା ତ ଅସ୍ଵୀକାର କରାଯାଇ ପାରେନା । ତ୍ୟାଗ, ବ୍ରହ୍ମଚର୍ଯ୍ୟ, ସଂଯମ–ଏସବୁ ଅକ୍ଷମର ଧର୍ମ ନୁହେଁ । ଜାତି ଗଠନ ପାଇଁ ପ୍ରାଣ ଓ ଉପାଦାନ ସେ ଦିନ ଏହାର ଭିତରେ ନିହିତ ଥିଲା, ଆଜି ଏ ଯୁଗରେ ବି ସେ ଉପାଦାନ ଅବହେଳାର ସାମଗ୍ରୀ ନୁହେଁ । ମରଣୋନ୍ମୁଖ ଭାରତକୁ କେବଳ ଏଇ ପଥରେ ବଞ୍ଚେଇ ହେବ । ଆଶ୍ରମର ଆଚାର ଅନୁଷ୍ଠାନ ମଧ୍ୟ ଦେଇ ଆମେ ଏଇ ବିଶ୍ୱାସ, ଏଇ ଶ୍ରଦ୍ଧାକୁ ଜାଗ୍ରତ କରି ରଖିବାକୁ ଚାହୁଁ । ଦିନେ ମନ୍ତ୍ର ମୁଖରିତ, ହୋମାଗ୍ନି ପ୍ରଜ୍ୱଳିତ, ତପସ୍ୟା କଠୋର ଭାରତର ଏଇ ଆଶ୍ରମ ଜାତୀୟ ଜୀବନର ମୌଳିକ କଲ୍ୟାଣ ପାଇଁ ଉଦ୍‍ଭୁତ ହୋଇଥିଲା; ସେ ପ୍ରୟୋଜନ ଯେ ଆଜି ବି ବିଲୁପ୍ତ ହୋଇ ଯାଇନି, ଏ କଥା କେଉଁ ମୂର୍ଖ ଅସ୍ଵୀକାର କରିବ ?

 

ସତୀଶ୍‍ର ବକ୍ତୃତାରେ ଆନ୍ତରିକତାର ଜୋର୍‍ ଥିଲା । ନିରନ୍ତର ଏଇ କଥା କହି କହି ତା’ର ଏକରକମ ମୁଖସ୍ଥ ହୋଇଯାଇଛି । ଶେଷ ଆଡ଼କୁ ତା’ ସ୍ଵର ସତେଜ ଓ ଉଦ୍ଦୀପନାରେ ମୁହଁ ଲାଲ ହୋଇଗଲା । ସେଇ ଆଡ଼କୁ ନିଷ୍ପଲକ ନେତ୍ରରେ ଚାହିଁରହି ଭାବାବେଗରେ ଅଜିତ୍‍ର ଆପାଦ ମସ୍ତକ ରୋମାଞ୍ଚିତ ହୋଇ ଉଠିଲା ଏବଂ ହରେନ୍ଦ୍ର ତା’ ଆଶ୍ରମ ବିରୁଦ୍ଧରେ ଏହା ପୂର୍ବରୁ ଯେତେ ମୌଖିକ ଆସ୍ଫାଳନ କରିଥିଲେ ବି, ଆଶ୍ରମର ବିଗତ ଗୌରବର ବିବରଣୀ ଶୁଣି ବିଶ୍ୱାସ ଓ ଅବିଶ୍ୱାସ ମଝିରେ ଦୋଦୁଲ୍ୟମାନ ହେବାକୁ ଲାଗିଲା । ତା’ ମୁହଁକୁ ଚାହିଁ ସତୀଶ୍‍ କହିଲା–ହରେନ୍ ଦା’, ଆମେ ମୃତ, କିନ୍ତୁ ଏଇ ଆଶ୍ରମ ଭିତରେ ଯେ ଆମର ନବ ଜନ୍ମର ବିଜ୍ଞାନ ରହିଛି, ଏ ସତ୍ୟ ଆପଣ କେଉଁ ଯୁକ୍ତିରେ ଭୁଲୁଛନ୍ତି ? ଆପଣ ଭାଙ୍ଗି ଦେବାକୁ ଚାହୁଁଛନ୍ତି ? କିନ୍ତୁ ଭାଙ୍ଗିବାଟା କ’ଣ ବଡ଼ ଜିନିଷ ? ଗଢ଼ିବା କ’ଣ ତା’ଠାରୁ ବଡ଼ ନୁହେଁ ? ଆପଣ କହନ୍ତୁନା ?

 

କମଳ ମୁହଁକୁ ଚାହିଁ ସତୀଶ୍‍ କହିଲା–ଜୀବନରେ କେତେଟା ଆଶ୍ରମ ଆପଣ ଦେଖିଛନ୍ତି-? କେତେଟା ଆଶ୍ରମ ସହ ଆପଣଙ୍କର ସମ୍ପର୍କ ଅଛି ?

 

କଠିନ ପ୍ରଶ୍ନ । କମଳ କହିଲା–ବାସ୍ତବିକ ଗୋଟାଏ ବି ଦେଖିନି ଏବଂ ଆପଣଙ୍କ ଆଶ୍ରମ ଛଡ଼ା ଅନ୍ୟ କୌଣସି ଆଶ୍ରମ ସହ ପରିଚୟ ବି ନାହିଁ ।

 

‘ତେବେ ?’

 

କମଳ ହସି ହସି କହିଲା–ସବୁ ଜିନିଷ କ’ଣ ଆଖିରେ ଦେଖାଯାଏ । ଆପଣଙ୍କ ଆଶ୍ରମରେ ଶ୍ରମ କରିବା ତ ଦେଖି ଆସିଲି, କିନ୍ତୁ ବୃହତ୍ ବସ୍ତୁଲାଭ ପ୍ରଣାଳୀଟା ଆଢ଼ୁଆଳରେ ରହିଗଲା ।

 

ସତୀଶ୍‍ କହିଲା–ଆପଣ ଥଟ୍ଟା କରୁଛନ୍ତି ।

 

ତାହାର କ୍ରୁଦ୍ଧ ମୁଖକୁ ଚାହିଁ ହରେନ୍ଦ୍ର ଧୀର ସ୍ଵରରେ କହିଲା–ନା, ନା, ସତୀଶ୍‍, ସେ କୌତୁକ କରୁଛନ୍ତି ମାତ୍ର, ସେଇଟା ତାଙ୍କର ସ୍ଵଭାବ ।

 

ସତୀଶ୍ କହିଲା–ସ୍ଵଭାବ । ସ୍ଵଭାବ କହିଲେ ତ କୈଫିୟତ ହୁଏନା ହରେନ୍ ଦା’ । ଭାରତର ଅତୀତ ଦିନର ଯାହା ନିତ୍ୟପୂଜନୀୟ, ନିତ୍ୟ ଆଚରଣୀୟ ବିଧି, ତା’ ପ୍ରତି ଅବମାନନା, ଅଶ୍ରଦ୍ଧା ! ଏହାକୁ ତ ଉପେକ୍ଷା କରି ହେବନି !

 

ହରେନ୍ଦ୍ର କମଳକୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲା–ଏ ସମ୍ପର୍କରେ ତାଙ୍କ ସହ ବହୁବାର ଯୁକ୍ତିତର୍କ ହୋଇଛି । ସେ କହନ୍ତି, ଅତୀତର କୌଣସି ଦାମ୍ ନାହିଁ । ବସ୍ତୁ ଅତୀତ ହୁଏ କାଳଧର୍ମ ବଶତଃ, କିନ୍ତୁ ତାକୁ ଭଲ ହେବାକୁ ହୁଏ ନିଜଗୁଣରେ । କେବଳ ପ୍ରାଚୀନ ବୋଲି କୌଣସି ନିୟମ ବା ରୀତି ପୂଜା ହୋଇପାରେନା । ଯେ ବର୍ବର ଜାତି ସେମାନଙ୍କର ବୁଢ଼ାବାପ-ମା’ଙ୍କୁ ଜିଅନ୍ତା ପୋତି ଦେଉଥିଲେ ଆଜି ଯଦି ପ୍ରାଚୀନ ଅନୁଷ୍ଠାନର ଦ୍ଵାହି ଦେଇ ସେମାନେ ସେ କାମ କରିବେ, ତାଙ୍କୁ କ’ଣ କୁହାଯିବ ?

 

ସତୀଶ୍ କ୍ରୁଦ୍ଧ ହୋଇ ଉଚ୍ଚକଣ୍ଠରେ କହିଲା–ପ୍ରାଚୀନ ଭାରତୀୟ ମାନଙ୍କ ସହ ବର୍ବରମାନଙ୍କର ତ ତୁଳନା ହୋଇପାରେନା, ହରେନ ଦା’ ।

 

ହରେନ୍ଦ୍ର କହିଲା–ତା’ ମୁଁ ଜାଣେ, କିନ୍ତୁ ସେଟା ତ ଯୁକ୍ତି ନୁହେଁ, କଣ୍ଠର ଜୋରରେ ବକ୍ତବ୍ୟକୁ ଜାହିର କରିବାର ଉପାୟ ।

 

ସତୀଶ୍ ଉତ୍ତେଜିତ ହୋଇ କହିଲା–ହରେନ୍ ଦା’–ମୁଁ ଭାବି ନ ଥିଲି ଯେ ଆପଣ ବି ଦିନେ ନାସ୍ତିକତାର ଫାନ୍ଦରେ ପଡ଼ିବେ ।

 

ହରେନ୍ଦ୍ର କହିଲା–ତୁମେ ଜାଣ ମୁଁ ନାସ୍ତିକ ନୁହେଁ । କିନ୍ତୁ ଗାଳି ଦେଇ କେବଳ ଅପମାନ କରାଯାଏ ସତୀଶ୍, ମତର ପ୍ରତିଷ୍ଠା କରାଯାଏନା । ଜୋରରେ ଯାହା କୁହାଯାଏ ସେଇଟା ସବୁଠୁ ଦୁର୍ବଳ ବିଷୟ ।

 

ସତୀଶ୍ ଲଜ୍ଜିତ ହୋଇ କହିଲା–ମୁଁ ଆପଣଙ୍କୁ ଅପମାନ ଦେବା ପାଇଁ କହି ନ ଥିଲି । ଆପଣ ତ ଜାଣନ୍ତି, ଆପଣଙ୍କୁ ଆମେସବୁ କେତେ ଭକ୍ତି କରୁ । କିନ୍ତୁ କଷ୍ଟ ଲାଗୁଛି ଯେତେବଳେ ଆପଣ ବି ଭାରତର ଶାଶ୍ଵତ ପ୍ରତିଭାକୁ ଅବିଶ୍ଵାସ କରୁଛନ୍ତି । ଦିନେ ଯେଉଁ ଉପାଦାନ; ଯେଉଁ ସାଧନା ସାହାଯ୍ୟରେ ସେମାନେ ଭାରତର ଏଇ ବିରାଟ ଜାତି, ବିରାଟ ସଭ୍ୟତା ଗଢ଼ିଥିଲେ, ସେ ସତ୍ୟ କେତେବେଳେ ହେଲେ ଲୋପ ହେବନି । ମୁଁ ସ୍ପଷ୍ଟ ଦେଖି ପାରୁଛି ଯେ ତାହାହିଁ ଭାରତର ମଜ୍ଜାଗତ ଧର୍ମ, ସେଇ ଆମର ନିଜସ୍ଵ । ଏଇ ଧ୍ୱଂସୋନ୍ମୁଖ ବିରାଟ ଜାତିଟାକୁ ଆଉଥରେ କେବଳ ସେଇ ଉପାଦାନ ସାହାଯ୍ୟରେ ଗଢ଼ାଯାଇ ପାରେ, ଅନ୍ୟ କୌଣସି ବାଟ ନାହିଁ ।

 

ହରେନ୍ଦ୍ର କହିଲା–ସତୀଶ୍, ଏସବୁ ତମର ବିସ୍ଵାସ ଓ ୟା’ର ଦାମ୍ କେବଳ ତମ ପାଖରେ-। ଦିନେ ଠିକ୍ ଏଇ କଥାର ଉତ୍ତର ଦେବାକୁ ଯାଇ କମଳ କହିଥିଲେ, ଜଗତର ଆଦିମ ସୃଷ୍ଟି ବେଳେ ବିରାଟ ଦେହ, ବିରାଟ ଅସ୍ଥି, ବିରାଟ କ୍ଷୁଧା ନେଇ ଗୋଟିଏ ବିରାଟ ଜୀବ ସୃଷ୍ଟି ହୋଇଥିଲା–ସେ ପୃଥିବୀ ବିଚରଣ କରୁଥିଲା ତା’ର ବିରାଟତ୍ଵର ପ୍ରମାଣ ନେଇ, ସେଦିନ ତା’ ଥିଲା ତା’ର ସତ୍ୟ ଉପାଦାନ, କିନ୍ତୁ ଆଉ ଦିନେ ସେଇ ଦେହ, ସେହି କ୍ଷୁଧା ତା’ର ମୃତ୍ୟୁର କାରଣ ହେଲା-। ଦିନକର ସତ୍ୟ ଆଉ ଦିନେ ମିଥ୍ୟା ହୋଇ ତାକୁ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ କରିଦେଲା-। ସେ ଅସ୍ଥି ଆଜି ପଥରରେ ପରିଣତ ହୋଇ ପ୍ରତ୍ନତାତ୍ତ୍ୱିକର ଗବେଷଣା ବସ୍ତୁ ହୋଇ ପଡ଼ିଛି ।

 

ସତୀଶ୍ କୌଣସି ଉତ୍ତର ଦେଇ ନ ପାରି କହିଲା–ତେବେ କ’ଣ ଆମ ପୂର୍ବପୁରୁଷମାନଙ୍କ ଆଦର୍ଶ ଭ୍ରାନ୍ତ ? ତାଙ୍କ ପାଖରେ ତତ୍ତ୍ଵ ନିରୂପଣ କରିବାର ତଥ୍ୟ ନ ଥିଲା ?

 

ହରେନ୍ଦ୍ର କହିଲା–ହୁଏତ ସେଦିନ ଥିଲା । କିନ୍ତୁ ଆଜି ଯେ ତା’ ଯୁଗୋପଯୋଗୀ ହୋଇପାରିବ, ତା’ର କୌଣସି ଅର୍ଥ ନାହିଁ । ସେଦିନର ସ୍ଵର୍ଗର ପଥ ଆଜି ଯଦି ଯମଦ୍ଵାରରେ ନେଇ ପହଞ୍ଚେଇ ଦିଏ, ସେଥିପାଇଁ କ୍ଷୋଭ ପ୍ରକାଶ କରିବାର କୌଣସି କାରଣ ନାହିଁ ।’

 

ସତୀଶ୍ ପ୍ରାଣପଣେ ରାଗ ଚାପି କହିଲା–ଏସବୁ କେବଳ ଆପଣଙ୍କ ଆଧୁନିକ ଶିକ୍ଷାର ଫଳ, ଅନ୍ୟ କିଛି ନୁହେଁ ।

 

ହରେନ୍ଦ୍ର କହିଲା–ଅସମ୍ଭବ ନୁହେଁ । କିନ୍ତୁ ଆଧୁନିକ ଶିକ୍ଷା ଯଦି ଆଧୁନିକ କାଳ ପାଇଁ କଲ୍ୟାଣର ପଥ ଦେଖାଇବ, ସେଥିରେ ଲଜ୍ଜିତ ହେବାର କାରଣ ନାହିଁ ।

 

ସତୀଶ୍ ବହୁ ସମୟ ନିର୍ବାକ୍ ରହି ଧୀରେ ଧୀରେ କହିଲା–ଲଜ୍ଜାର ଯଥେଷ୍ଟ କାରଣ ଅଛି । ଭାରତର ଜ୍ଞାନ ଓ ଭାରତର ପ୍ରାଚୀନ ତତ୍ତ୍ୱ ଏଇ ଭାରତର ବିଶେଷତ୍ତ୍ୱ–ଭାରତର ପ୍ରାଣ । ସେଇ ଧାରଣା, ସେଇ ତତ୍ତ୍ଵ ବିସର୍ଜନ କରି ଦେଶକୁ ଯଦି ସ୍ଵାଧୀନତା ଅର୍ଜନ କରିବାକୁ ହୁଏ, ତେବେ ସେ ସ୍ଵାଧୀନତାରେ ଭାରତର ଜୟ ହେବ ନା, ଜୟ ହେବ ପାଶ୍ଚାତ୍ୟ ନୀତି ଓ ପାଶ୍ଚାତ୍ୟ ସଭ୍ୟତାର । ତା’ ହେବ ପରାଜୟର ନାମାନ୍ତର । ତା’ ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର ।

 

ସତୀଶ୍ ଯେ ମର୍ମ୍ମାହତ ହୋଇଛି, ଏକଥା ବୁଝି ହରେନ୍ଦ୍ର ଚୁପ୍ ରହିଲା । କିନ୍ତୁ ଉତ୍ତର ଦେଲା କମଳ । ସଂଯତ ଓ ମୃଦୁ କଣ୍ଠରେ କହିଲା–ସତୀଶ୍ ବାବୁ, ନିଜେ ଯେପରି ନିଜ ଜୀବନକୁ ବିସର୍ଜନ କରିଛନ୍ତି, ସଂସ୍କାରକୁ ଯଦି ସେଇଭଳି ବିସର୍ଜନ ଦେଇପାରିଥାନ୍ତେ, ତା’ହେଲେ ଆପଣ ବୁଝି ପାରନ୍ତେ ସେ ଧାରଣା ପାଇଁ, ବିଶେଷତ୍ତ୍ୱ ପାଇଁ ମଣିଷ ଜନ୍ମ ହୋଇନି–ମନୁଷ୍ୟତ୍ୱ ପାଇଁ ତା’ର ଆଦର, ମନୁଷ୍ୟତ୍ୱହିଁ ତା’ର ଯଥାର୍ଥ ମୂଲ୍ୟ । ମଣିଷ ଯଦି ପଛକୁ ପଡ଼ିଯାଏ, କ’ଣ ଲାଭ ହେବ ତତ୍ତ୍ଵର ମହିମା ପ୍ରତିଷ୍ଠାରେ ? ଭାରତୀୟ ମତର ଜୟ ନ ହେଉ, ମଣିଷର ତ ଜୟ ହେବ ? ସେତେବେଳେ ମୁକ୍ତି ପାଇ ଅଗଣିତ ନରନାରୀ ଧନୀ ହୋଇଯିବେ । ଚାହାନ୍ତୁ ତ ନବୀନ ତୁର୍କୀ ପ୍ରତି–ଯେତେ ଦିନ ସେ ତା’ର ପ୍ରାଚୀନ ରୀତି ନୀତି, ଆଚାର ଅନୁଷ୍ଠାନ, ପରମ୍ପରାଗତ ପୁରୁଣା ବାଟକୁ ଜାବୁଡ଼ି ଧରିଥିଲା, ସେ ପର୍ଯ୍ୟନ୍ତ ତା’ର ହେଇଛି ବାରମ୍ବାର ପରାଜୟ । ଆଜି ବିପ୍ଳବର ପଥ ଦେଇ ସେ ସତ୍ୟକୁ ପାଇଛି–ତା’ର ଶତାବ୍ଦୀ ସଞ୍ଚିତ ସମସ୍ତ ଆବର୍ଜନା ଧୋଇ ହୋଇଯାଇଛି । ଅଥଚ ସେଇ ପ୍ରାଚୀନ ମତ ଓ ପନ୍ଥା ତାକୁ ଦିନେ ଆଣି ଦେଇଥିଲା ବିଜୟ, ଐଶ୍ୱର୍ଯ୍ୟ, କଲ୍ୟାଣ ଏବଂ ସର୍ବୋପରି ମନୁଷ୍ୟତ୍ଵ । ତୁର୍କୀବାସୀ ଭାବିଥିଲେ ସେଇ ବୋଧହୁଏ ଚିରନ୍ତନ ସତ୍ୟ । ଭାବିଥିଲେ ଯେ ତାକୁ ପ୍ରାଣପଣେ ଧରି ରଖିଲେ ଆଉଥରେ ବିଗତ ଗୌରବକୁ ଫେରାଇ ଆଣି ପାରିବେ । ମନେକରିନଥିଲେ ଯେ ସେ ପନ୍ଥା ଓ ମତର ବି ବିବର୍ତ୍ତନ ଦରକାର । ଆଜି ସେ ମୋହ ମରିଗଲା, କିନ୍ତୁ ମଣିଷଗୁଡ଼ିକ ବଞ୍ଚିଗଲେ । ଏଭଳି ଦୃଷ୍ଟାନ୍ତ ଅନେକ ଅଛି, ଅନେକ ହେବ । ସତୀଶ୍ ବାବୁ, ଆତ୍ମ ଅହଙ୍କାର ଓ ଆତ୍ମବିଶ୍ଵାସ ଏକା ଜିନିଷ ନୁହେଁ ।’

 

ସତୀଶ୍ କହିଲା–ଜାଣେ, କିନ୍ତୁ ପାଶ୍ଚାତ୍ୟ ଲୋକେ ଯେ ମଣିଷର ପ୍ରଶ୍ନର ଶେଷ ଜବାବ୍ ଦେଇଛନ୍ତି, ୟା ବି ତ ଠିକ୍ ନ ହେଇ ପାରେ ? ସେମାନଙ୍କ ସଭ୍ୟତା ଯେ ଦିନେ ଧ୍ଵଂସ ହୋଇଯିବ–ସମ୍ଭବ ନୁହେଁ କି ?

 

କମଳ କହିଲା–ହଁ, ସମ୍ଭବ ଏବଂ ମୋର ବିଶ୍ୱାସ ହେବ ନିଶ୍ଚୟ ।

 

‘ତେବେ ।’

 

ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ସତୀଶ୍ ବାବୁ, ମନ୍ଦ ତ ଭଲର ଶତ୍ରୁ ନୁହେଁ–ଭଲର ଶତ୍ରୁ ଯେ ତା’ଠାରୁ ଆଉରି ଭଲ–ସେ । ସେଇ ଅପେକ୍ଷାକୃତ ଭଲ ଯେଉଁ ଦିନ ଉପସ୍ଥିତ ହୋଇ ପ୍ରଶ୍ନର ଜବାବ୍ ଦାବି କରିବ, ସେଦିନ ତା’ ହାତରେ ରାଜଦଣ୍ଡ ଟେକି ଦେଇ ଆଜିର ପାଶ୍ଚାତ୍ୟ ସଭ୍ୟତା ଘୁଞ୍ଚିଯିବ । ଦିନେ ଶକ, ହୁଣ, ତାତାର ଦଳ ଦଳ ହୋଇ ଭାରତବର୍ଷକୁ ଆକ୍ରମଣ କରିଥିଲେ, କିନ୍ତୁ ତା’ର ସଭ୍ୟତାକୁ ଧ୍ଵଂସ କରିପାରିନାହାନ୍ତି–ସେମାନେ ନିଜେ ନିଃଶେଷ ହୋଇଯାଇଛନ୍ତି । ତା’ର କାରଣ କ’ଣ ଜାଣନ୍ତି ? ଅସଲ କାରଣ ସେମାନଙ୍କ ସଭ୍ୟତାର ପୁଞ୍ଜି ଥିଲା ଅଳ୍ପ; ଅବଶ୍ୟ ମୋଗଲ ପଠାଣ ସଭ୍ୟତାର ପରୀକ୍ଷା ବାକି ରହିଗଲା–ଇଂରେଜ ଓ ଫରାସୀ ଆସି ପହଞ୍ଚିଗଲେ ବୋଲି ସେମାନଙ୍କର ସଭ୍ୟତାର ମିଆଦ ଏପର୍ଯ୍ୟନ୍ତ ପୂରିନି । ଭାରତରେ ସେମାନଙ୍କୁ ଦିନେ ଶେଷ ଉତ୍ତର ଦେବାକୁ ପଡ଼ିବ । ସେ ପ୍ରଶ୍ନ ଥାଉ, କିନ୍ତୁ ପଶ୍ଚିମର ଜ୍ଞାନ ବିଜ୍ଞାନ ସମନ୍ୱିତ ସଭ୍ୟତା ପାଖରେ ଆଜି ଯଦି ଭାରତ ଧରାଦିଏ ତେବେ ହୁଏତ ଆତ୍ମଦମ୍ଭରେ ଆଘାତ ଲାଗିବ–କିନ୍ତୁ ଜାତୀୟ କଲ୍ୟାଣ ଆଘାତ ପ୍ରାପ୍ତ ହେବନି–ଏକଥା ଠିକ୍ ।’

 

ସତୀଶ୍ କହିଲା–ନା, ନା–ଯେଉଁମାନଙ୍କର ଆସ୍ଥାନାହିଁ–ଶ୍ରଦ୍ଧା ନାହିଁ ଯାହାର ବିଶ୍ଵାସର ଭିତ୍ତି ବାଲି ଉପରେ–ସେମାନଙ୍କ ସମ୍ପର୍କରେ ଏଇଭଳି କହିଲେ ସର୍ବନାଶ ହେବ ନିଶ୍ଚୟ । ତା’ପରେ ହରେନ୍ଦ୍ର ଆଡ଼କୁ ଚାହିଁ କହିଲା–‘ଠିକ୍ ଏଇଭାବରେ ବଙ୍ଗଦେଶରେ–ବେଶୀଦିନ କଥା ନୁହେଁ–ବିଦେଶର ବିଜ୍ଞାନ, ବିଦେଶୀ ଦର୍ଶନ, ବିଦେଶୀ ସଭ୍ୟତାକୁ ଶ୍ରେୟ ମନେକରି, କେତେକ ସତ୍ୟଭ୍ରଷ୍ଟ, ଆଦର୍ଶ ଭ୍ରଷ୍ଟ ବ୍ୟକ୍ତି ବିଦେଶୀୟ ସ୍ପର୍ଦ୍ଧାରେ ସ୍ୱଦେଶର ଯାହା କିଛି ସତ୍ୟ–ତାକୁ ତୁଚ୍ଛ କରି ଦେଶକୁ ବିକ୍ଷିପ୍ତ, ଅସଦାଚାରୀ କରି ଦେଉଥିଲେ; କିନ୍ତୁ ଏତେ ବଡ଼ ଅକଲ୍ୟାଣ ବିଧାତା ସହିପାରିଲେ ନାହିଁ । ପ୍ରତିକ୍ରିୟାରେ ବିବେକ ଫେରିଆସିଲା । ଭୁଲ୍ ଧରା ପଡ଼ିଲା । ସେଇ ବିଷମ ଦୁର୍ଦ୍ଦିନରେ ଯେଉଁ ମନସ୍ଵୀଗଣ ସ୍ଵଜାତିର କେନ୍ଦ୍ରବିମୁଖ ଉଦ୍‍ଭ୍ରାନ୍ତ-ଚିତ୍ତ ଜନସାଧାରଣଙ୍କୁ ଗୃହାଭିମୁଖୀ କରାଇଲେ, ସେମାନେ ସମଗ୍ର ଭାରତର ନମସ୍ୟ ।’ ଏହା କହି ସେ ଦୁଇହାତ ଯୋଡ଼ି ମୁଣ୍ଡରେ ଲଗାଇଲା ।

କଥାଟା ସତ ବୋଲି ସେମାନେ ସମସ୍ତେ ଜାଣନ୍ତି । ସୁତରାଂ ହରେନ୍ଦ୍ର ଓ ଅଜିତ୍‍ ଉଭୟେ ତା’ର ଅନୁସରଣ କରି ନମସ୍କାର କଲେ ।

ଅଜିତ୍‍ ଧୀରେ କହିଲା–‘ନ ହେଲେ ଅନେକ ଲୋକ ଖ୍ରୀଷ୍ଟିଆନ୍ ହୋଇଯାଇଥାନ୍ତେ ।’ କଥାଟା କହି ସେ କମଳକୁ ଚାହିଁଲା–ଦେଖିଲା ତା’ ଆଖିରେ ତିରସ୍କାର ସୁସ୍ପଷ୍ଟ; ଅଥଚ ଚୁପ୍ କରି ରହିଛି । ହୁଏତ ଜବାବ୍ ଦେବାର ଇଚ୍ଛା ତା’ର ନ ଥିଲା । ଅଜିତ୍‍କୁ ସେ ଚିହ୍ନେ–କିନ୍ତୁ ହରେନ୍ଦ୍ର ଯେତେବେଳେ ଏଇ କଥାର ଅସ୍ଫୁଟ ପ୍ରତିଧ୍ଵନି କଲା ସେତେବେଳେ ତା’ର ପୂର୍ବକଥାବାର୍ତ୍ତା ସହ ଏହି ସସଙ୍କୋଚ ସମ୍ମତି ଏଭଳି ଅସଙ୍ଗତ ଜଣାଗଲା ଯେ କମଳ ନୀରବ ରହିପାରିଲା ନାହିଁ । ସେ କହିଲା–ହରେନ୍ଦ୍ର ବାବୁ, ପୃଥିବୀରେ ଗୋଟାଏ ଧରଣର ଲୋକ ଅଛନ୍ତି, ଯେଉଁମାନେ ଭୂତ ମାନନ୍ତି ନାହିଁ, ଅଥଚ ଭୂତକୁ ଭୟ କରନ୍ତି । ଆପଣ ସେଇ ଧରଣର । ଏ ଦେଶରେ ଆଶ୍ରମ ପାଇଁ କୌଣସି ଦିନ ଟଙ୍କାର ଅଭାବ ହେବନାହିଁ ବା ଶିଷ୍ୟ-ଦୁର୍ଭିକ୍ଷ ପଡ଼ିବ ନାହିଁ । ଏଣୁ ଆପଣଙ୍କୁ ଛାଡ଼ି ସତୀଶ୍‍ ବାବୁ ଚାଲିଯିବେ; କିନ୍ତୁ ତାଙ୍କୁ ପରିତ୍ୟାଗ କରିବା ମିଥ୍ୟାଚାର ଆପଣଙ୍କୁ ଚିରଦିନ ଦୁଃଖ ଦେବ ।

ଟିକିଏ ରହି କହିଲା–ମୋ ବାବା ଖ୍ରୀଷ୍ଟିଆନ୍ ଥିଲେ । କିନ୍ତୁ ମୁଁ କ’ଣ, ସେ ଖବର ସେ ନେଇ ନାହାନ୍ତି ବା ମୁଁ ବି ନେଇନି । ତା’ର ପ୍ରୟୋଜନ ନାହିଁ–ମୋର ବି କେବେ ମନକୁ ଆସିନି । କାମନା କରୁଛି, ଧର୍ମକୁ ଏଇଭଳି ଚିରଜୀବନ ମୁଁ ଯେମିତି ଭୁଲିଯାଏ । କିନ୍ତୁ ଉଚ୍ଛୃଙ୍ଖଳ ଅନାଚାରୀ ବୋଲି ଯେଉଁମାନଙ୍କୁ ଏଇଲେ ଗାଳି ଦେଉଥିଲେ, ଏବଂ ନମସ୍ୟ ବୋଲି ଯାହାକୁ ନମସ୍କାର କରୁଥିଲେ, ଦେଶର ସର୍ବନାଶ ପାଇଁ କିଏ ବେଶୀ ଦାୟୀ, ଏକଥା ପଚାରିବା ପାଇଁ ଲୋକେ ଭୁଲିବେ ନାହିଁ ।

ସତୀଶ୍‍କୁ କିଏ ଚାବୁକ୍ ମାରିଲା ଯେମିତି–ତୀବ୍ର ଯନ୍ତ୍ରଣା ସହ ସେ ଠିଆହୋଇ ପଡ଼ିଲା ଓ ପଚାରିଲା–ଆପଣ ଜାଣନ୍ତି ସେମାନଙ୍କ ନାଁ ? କାହାଠୁ କେବେ ଶୁଣିଛନ୍ତି ?

କମଳ କହିଲା–ନା ।

‘ତା’ହେଲେ ସେଇଟା ଜାଣି ନିଅନ୍ତୁ ।’

କମଳ ହସି କହିଲା–ଆଚ୍ଛା, କିନ୍ତୁ ତମର ମୋହ ମୋର ନାହିଁ । ନାଁ ଜାଣିବାଟା ଜାଣିବାର ଶେଷ ସୀମା ବୋଲି ମୁଁ ବିଚାର କରେନା ।

ସତୀଶ୍‍ର ଦୁଇ ଆଖିରୁ ଅବଜ୍ଞା ଓ ଘୃଣା ବର୍ଷା ହେବାକୁ ଲାଗିଲା–ସେ କିଛି ନ କହି ଝଡ଼ ବେଗରେ ବାହାରି ଗଲା ।

 

ଏଇ ଅପ୍ରୀତିକର ଘଟଣାକୁ ହାଲୁକା କରିଦେବା ପାଇଁ ହରେନ୍ଦ୍ର ମୁହଁରେ ସାମାନ୍ୟ ହସ ଫୁଟାଇ କହିଲା–କମଳଙ୍କ ଆକୃତିଟା ପ୍ରାଚ୍ୟର କିନ୍ତୁ ପ୍ରକୃତିଟା ପ୍ରତୀଚ୍ୟର । ଗୋଟାଏ ଆଖିରେ ପଡ଼େ, ଅନ୍ୟଟା କିନ୍ତୁ ଥାଏ ସମ୍ପୂର୍ଣ୍ଣ ଆଢ଼ୁଆଳରେ । ଏଇଠି ମଣିଷର ଭୁଲ୍ ହୁଏ । ତାଙ୍କ ପରିବେଷିତ ଖାଦ୍ୟ ଖିଆଯାଏ, କିନ୍ତୁ ତଣ୍ଟିରେ ଅଟକିଯାଏ । ଆମର ପ୍ରାଚୀନ କୌଣସି ପ୍ରଥା ପ୍ରତି ତାଙ୍କର ଦରଦ ନାହିଁ ବା ବିଶ୍ୱାସ ନାହିଁ । ଅକାମୀ ବୋଲି ବାତିଲ୍ କରି ଦେବା ପାଇଁ ତାଙ୍କୁ ବାଧେନା-। କିନ୍ତୁ ସୂକ୍ଷ୍ମ ନିକିତି ଧରିଲେ ଯେ ସୂକ୍ଷ୍ମ ଓଜନ କରାଯାଏନା–ଏଇ କଥାଟା ସେ ବୁଝିପାରନ୍ତି ନାହିଁ-

 

କମଳ କହିଲା–ବୁଝିପାରେ ହରେନ୍ଦ୍ର ବାବୁ, କେବଳ ଦାନ ବେଳେ ଗୋଟାଏ ବଦଳେଇ ଅନ୍ୟଟାରେ ଓଜନ କରିପାରେନି । ମୋର ଆପତ୍ତି ସେଇଠି ।

 

ହରେନ୍ଦ୍ର କହିଲା–ଆଶ୍ରମଟା ଉଠେଇ ଦେବି ବୋଲି ମୁଁ ସ୍ଥିର କରିଛି । ଏ ଶିକ୍ଷାରେ ମଣିଷ ହୋଇ ପିଲାମାନେ ଦେଶର କଲ୍ୟାଣ ଓ ମୁକ୍ତିକୁ ଲାଭ କରିପାରିବେ କି ନା, ମୋର ସନ୍ଦେହ ହୁଏ । କିନ୍ତୁ ଗରିବ ଘରର ଯେ ପିଲାଗୁଡ଼ିକୁ ସତୀଶ୍ ଘରୁ ଯାଇ ଆଣିଛି, ସେମାନଙ୍କୁ ନେଇ ମୁଁ କ’ଣ କରିବି ଭାବି ପାରୁନି । ସତୀଶ୍ ହାତରେ ବି ସେମାନଙ୍କୁ ଟେକି ଦେଇ ପାରିବିନି ।

 

କମଳ କହିଲା–ଦରକାର ନାହିଁ; କିନ୍ତୁ ଏମାନଙ୍କଦ୍ଵାରା କିଛି ଗୋଟାଏ ଅସାଧାରଣ, ଅଲୌକିକ କରିବା ପାଇଁ ଚେଷ୍ଟା କରିବେନି । ସବୁ ଦେଶରେ ଗରିବ ଘରର ପିଲା ଅଛନ୍ତି, ସେମାନେ ଯେମିତି ମଣିଷ ହୁଅନ୍ତି, ଏମାନଙ୍କୁ ସେମିତି ଗଢ଼ନ୍ତୁ ।

 

ହରେନ୍ଦ୍ର କହିଲା–ଏଇ ବିଷୟରେ ତ ମୁଁ ନିଃସଂଶୟ ହୋଇ ପାରୁନି । ମାଷ୍ଟର ପଣ୍ଡିତ ଲଗେଇ ହୁଏତ ସେମାନଙ୍କୁ ଲେଖାପଢ଼ା ଶିଖେଇ ଦେବି, କିନ୍ତୁ ଯେ ସଂଯମ ଓ ତ୍ୟାଗର ଶିକ୍ଷା ନେଇ ସେମାନେ ଆରମ୍ଭ କରିଥିଲେ ସେଥିରୁ ବିଚ୍ଛିନ୍ନ କରି ସେମାନଙ୍କୁ ମଣିଷ କରି ହେବ କି ନା ସନ୍ଦେହ ।

 

କମଳ କହିଲା–ହରେନ୍ଦ୍ର ବାବୁ, ସବୁ ଘଟଣାକୁ ଏମିତି ଏକାନ୍ତ ରୂପେ ଆପଣମାନେ ଭାବନ୍ତି ବୋଲି କୌଣସି ପ୍ରଶ୍ନର ସିଧା ଉତ୍ତର ପାଇ ପାରନ୍ତି ନାହିଁ । ସନ୍ଦେହ ହୁଏ–ହୁଏତ ଏମାନେ ଦେବତା ହେବେ ବା ଉତ୍ସୃଙ୍ଖଳ ଅସଂଯତ ପଶୁରେ ପରିଣତ ହେବେ । ଜଗତର ସହଜ, ସରଳ ସ୍ଵାଭାବିକ ଶ୍ରୀ ଆଉ ଆଖି ଆଗରେ ରହେନା । ପରାୟତ୍ତ, ମନଗଢ଼ା ଅନ୍ୟାୟ ବୋଧ ଦ୍ଵାରା ଆପଣମାନଙ୍କ ମନ ମଳିନ ଓ ଶଙ୍କାଗ୍ରସ୍ତ ହୋଇ ଉଠେ । ସେଦିନ ଆପଣଙ୍କ ଆଶ୍ରମରେ ଯାହା ଦେଖି ଆସିଲି–ସେଇଟା କ’ଣ ସଂଯମ ଓ ତ୍ୟାଗର ଶିକ୍ଷା ? ସେମାନେ ପାଇଛନ୍ତି କ’ଣ ? ପାଇଛନ୍ତି ଅନ୍ୟର ଦେଇଥିବା ଦୁଃଖବୋଝ, ଅନଧିକକାର ଓ ପ୍ରବଞ୍ଚିତର କ୍ଷୁଧା । ଚୀନ୍ ଦେଶରେ ଝିଅମାନଙ୍କର ପାଦକୁ ଛୋଟ କରାଯାଏ । ପୁରୁଷମାନେ ତାକୁ ସୁନ୍ଦର କହିଲେ ସହି ହୁଏ–କିନ୍ତୁ ଝିଅମାନେ ନିଜେ ଯେତେବେଳେ ସେଇ ପଙ୍ଗୁ, ବିକୃତ ପାଦରେ ମୁଗ୍ଧ ହୋଇ ପଡ଼ନ୍ତି, ସେତେବେଳେ ଆଉ କିଛି ଆଶା କରିବାର ନାହିଁ । ଆପଣମାନେ ନିଜ କୃତିତ୍ଵରେ ମଗ୍ନ–ମୁଁ ଯେତେବେଳେ ପଚାରିଲି–ବାପା, କେମିତି ଅଛ କହ ତ ? ପିଲାମାନେ ସମସ୍ଵରରେ କହିଲେ–ଖୁବ୍ ଭଲ ଅଛୁ । ଟିକିଏ ବି ଭାବିଲେ ନାହିଁ । ଭାବିବାଟା ସେମାନଙ୍କର ଶେଷ ହୋଇଯାଇଛି । ନୀଳିମା ମୋ ଆଡ଼କୁ ଚାହିଁ କିଛି ଉତ୍ତର ଆଶା କରୁଥିଲେ, କିନ୍ତୁ ମୁଁ କିଛି ଉତ୍ତର ଖୋଜି ପାଇଲି ନାହିଁ । ମନେମନେ ଭାବିଲି–ଭବିଷ୍ୟତରେ ଏଇମାନେ ଆଣିବେ ଦେଶର ସ୍ଵାଧୀନତା !

 

ହରେନ୍ଦ୍ର କହିଲା–ପିଲାମାନଙ୍କ କଥା ଥାଉ । କିନ୍ତୁ ରାଜେନ୍‍, ସତୀଶ୍–ଏମାନେ ତ ଯୁବକ ? ଏମାନେ ବି ତ ସର୍ବତ୍ୟାଗୀ ।

 

କମଳ କହିଲା–ରାଜେନ୍‍କୁ ତ ଆପଣ ଚିହ୍ନନ୍ତି ନାହିଁ–ସୁତରାଂ ତା’ କଥା ଥାଉ । କିନ୍ତୁ ବୈରାଗ୍ୟ ତ ଯୌବନକୁ ବେଶୀ ଆକର୍ଷଣ କରେ । ଯେଉଁଠି ଶକ୍ତି, ସେଠି ବିରୁଦ୍ଧ ଶକ୍ତି ଛଡ଼ା ତାକୁ ବଶ କିଏ କରିବ ?

 

ହରେନ୍ଦ୍ର କହିଲା–ରାଗିବନି କମଳ, କିନ୍ତୁ ତୁମ ରକ୍ତରେ ତ ବୈରାଗ୍ୟ ନାହିଁ । ତମ ବାବା ୟୁରୋପୀୟାନ୍, ତାଙ୍କ ହାତରେ ତମର ଶୈଶବ; ମା ଏ ଦେଶର, ତେବେ ତାଙ୍କ କଥା ନ ଉଠାଇବା ଭଲ । ଦେହରେ ରୂପ ଛଡ଼ା ବୋଧହୁଏ ସେ ଦିଗରୁ ତମେ ବେଶୀ କିଛି ପାଇ ନାହଁ । ତେଣୁ ପାଶ୍ଚାତ୍ୟ ଶିକ୍ଷାର ଭୋଗଟାକୁ ବଡ଼ ବୋଲି ଜାଣିଛ ।

 

କମଳ କହିଲା–ରାଗ କରିବାର କ’ଣ ଅଛି ହରେନ୍ଦ୍ର ବାବୁ ? କିନ୍ତୁ ଏମିତି କଥା କହିବେନି । କେବଳ ମାତ୍ର ଭୋଗକୁ ଜୀବନରେ ବଡ଼ କରି ଗ୍ରହଣ କରି କୌଣସି ଜାତି କେତେବେଳେ ବଡ଼ ହୋଇପାରେନା । ମୁସଲମାନମାନେ ଯେତେବେଳେ ଏଇ ଭୁଲ୍ କଲେ, ସେତେବେଳେ ସେମାନଙ୍କର ତ୍ୟାଗ ଗଲା, ଭୋଗ ବି ଗଲା । ସେଇ ଭୁଲ୍ କଲେ ସେମାନେ ବି ମରିବେ । ପାଶ୍ଚାତ୍ୟ ଦେଶ ତ ଆଉ ପୃଥିବୀ ଛଡ଼ା ନୁହେଁ–ତେଣୁ ସେ ନୀତି ଉପେକ୍ଷା କଲେ ସେମାନଙ୍କର ବଞ୍ଚିବାର ଉପାୟ ନାହିଁ । ସେତେବେଳେ କିନ୍ତୁ ଆପଣମାନଙ୍କୁ କହିବାର ସୁବିଧା ମିଳିବ–କ’ଣ କହିଥିଲୁ ? ଦିନ କେତୁଟାର ନାଚ କୁଦ ଏମାନଙ୍କର ଯେ ଶୀଘ୍ର ଶେଷ ହେବ, ଆମେ ଜାଣିଥିଲୁ; କିନ୍ତୁ ଦେଖ, ଆମେ ସମ୍ଭାଳିଗଲୁ ।’ କହି ସେ ହସି ଉଠିଲା ।

 

ହରେନ୍ଦ୍ର କହିଲା–ସେ ଦିନ ଯେମିତି ଶୀଘ୍ର ଆସେ ।

 

କମଳ କହିଲା–ସେମିତି କହି ହେବନି ହରେନ୍ ବାବୁ । ଏତେ ବଡ଼ ସଭ୍ୟତା ଯଦି ମୁଣ୍ଡ ପୋତି ତଳେ ପଡ଼ିଯାଏ, ତେବେ ସେଇ ଧୂଳିରେ ପୃଥିବୀର ବହୁ ଆଲୋକ ମ୍ଳାନ ହୋଇଯିବ ।

 

ହରେନ୍ଦ୍ର ଉଠି ଠିଆହେଲା । କହିଲା–ସେଥିପାଇଁ ଅନେକ ଡେରି ଅଛି, ତେବେ ନିଜ ଦେଶର ଦୁର୍ଦ୍ଦିନ ପାଖେଇ ଗଲାଣି । ଅନେକ ଆଲୋକ ଲିଭି ଲିଭି ଆସିଲାଣି । ପିତାଙ୍କଠାରୁ କେବଳ ଲିଭେଇବାର କୌଶଳଟା ଶିଖିଛ କମଳ, ଜାଳିବା ବିଦ୍ୟା ଶିଖିନାହିଁ । ଅଚ୍ଛା, ଯାଉଛି ।

 

କମଳ କହିଲା–ହରେନ୍ଦ୍ର ବାବୁ, ଆଲୁଅ ବାଟରେ ନ ପଡ଼ି ଆଖିରେ ପଡ଼ିଲେ ଖଣାରେ ପଡ଼ିବାକୁ ହୁଏ । ସେ ଆଲୁଅ ଯେ ଲିଭାଏ, ତାକୁ ବନ୍ଧୁ ବୋଲି ଭାବିବେ ।

 

ହରେନ୍ଦ୍ର ନିଃଶ୍ୱାସ ପକାଇ କହିଲା–ଅନେକ ସମୟରେ ମନେହୁଏ, ତମ ସାଙ୍ଗରେ କୁକ୍ଷଣରେ ସାକ୍ଷାତ ହୋଇଥିଲା । ମୋର ଅବଶ୍ୟ ଆତ୍ମ ପ୍ରତ୍ୟୟର ଜୋର୍ ନାହିଁ, ତେବେ ଜାଣିଥାଅ–ସେମାନେ ବିଦ୍ୟା, ବୁଦ୍ଧି ଓ ପୁରୁଷକାରର ଯେତେ ହଟଚମଟ ଦେଖେଇଲେ ବି ଭାରତ ନିକଟରେ ତାହା ଅକିଞ୍ଚିତ୍‍କର ।

 

କମଳ କହିଲା–ଏ କଥା ତ ଠିକ୍ ପ୍ରମୋଶନ ନ ପାଇଥିବା ପିଲା ଏମ୍‍.ଏ ପରୀକ୍ଷାକୁ ନିନ୍ଦା କଲାଭଳି ହେଲା । ହରେନ୍ଦ୍ର ବାବୁ, ଆତ୍ମମର୍ଯ୍ୟାଦା ବୋଧ ବୋଲି ଯେଭଳି ଗୋଟିଏ କଥା ଅଛି, ବଡ଼େଇ କରି କହିବା ବି ତା’ର ଅନ୍ୟ ଦିଗ ।

 

ହରେନ୍ଦ୍ର ରାଗିଯାଇ କହିଲା–କଥାତ ଅନେକ ଅଛି; କିନ୍ତୁ ଏଇ ଭାରତ ଦିନେ ସବୁ ଦିଗରୁ ଜଗତର ଗୁରୁଥିଲା, ସେତେବେଳେ ଅନ୍ୟମାନଙ୍କର ପୂର୍ବପୁରୁଷମାନେ ହୁଏତ ଗଛ ଡାଳରେ ଚଢ଼ି ବୁଲୁଥିଲେ । ପୁଣି ଏଇ ଭାରତବର୍ଷ ଦିନେ ଜଗତର ଶିକ୍ଷକର ସ୍ଥାନ ଅଧିକାର କରିବ, ନିଶ୍ଚୟ କରିବ ।

 

କମଳ ରାଗିଲା ନାହିଁ, ହସିଲା; କହିଲା–ଆଜି ସେମାନେ ଡାଳ ଛାଡ଼ି ମାଟିକୁ ଓହ୍ଲେଇ ଆସିଲେଣି । କିନ୍ତୁ କେଉଁ ମହା ଅତୀତରେ କାହାର ପୂର୍ବପୁରୁଷ ଜଗତର ଗୁରୁଥିଲେ ଏବଂ କେଉଁ ମହା ଭବିଷ୍ୟତରେ ପୁଣି ସେମାନଙ୍କର ବଂଶଧର ତାଙ୍କ ପୈତୃକ ପେଶା ଫେରି ପାଇବେ, ଏ ଆଲୋଚନାରୁ ଆନନ୍ଦ ପାଇବାକୁ ହେଲେ ଅଜିତ୍‍ ବାବୁଙ୍କୁ ଧରନ୍ତୁ । ମୋର ଅନେକ କାମ ।

 

ହରେନ୍ଦ୍ର କହିଲା–‘ଆଚ୍ଛା ନମସ୍କାର ।’ ତା’ପରେ ସେ ବିଷଣ୍ଣ ଗମ୍ଭୀର ହୋଇ ଧୀରେ ଧୀରେ ବାହାରିଲା ।

 

(ଛବିଶ)

 

ଆଠ ଦଶ ଦିନ ପରେ କମଳ ଆଶୁ ବାବୁଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଆସିଲା । ତାଙ୍କ ଜୀବନରେ ଯେପରି ଏ କେତେଦିନ ଭିତରେ ବିପର୍ଯ୍ୟୟ ଘଟିଯାଇଛି । କେତେଦିନ ହେଲା ଆକାଶରେ ଛୋଟ ଛୋଟ ମେଘ ଭାସି ବୁଲୁଥିଲା–ତେଣୁ ଏ ଝଡ଼ ଆକସ୍ମିକ ବା ଅପ୍ରତ୍ୟାଶିତ ନୁହେଁ ।

 

ଫାଟକରେ ଦରୱାନ୍ ନାହିଁ । ତଳ ବାରଣ୍ଡାରେ କେହି ବସନ୍ତି ନାହିଁ, ତଥାପି କେତେ ଖଣ୍ଡ ଚଉକି ପଡ଼ିଥାଏ–ତଳ ପ୍ରବେଶ ଗୃହର କାନ୍ଥରେ କେତେଜଣ ବିଶିଷ୍ଟ ଲୋକଙ୍କର କେତେଟା ଛବି ଟଙ୍ଗା ହୋଇଥାଏ–ଆଜି ସେ ସବୁ ଅନ୍ତର୍ହିତ । ଘରେ ସ୍ଥାନେ ସ୍ଥାନେ ଆବର୍ଜନା ଜିମିଛି, ସଫା କରିବାର ବୋଧହୁଏ ଆବଶ୍ୟକତା ନାହିଁ । ଘରଟା ଶ୍ରୀହୀନ ଦେଖାଯାଉଛି; ଗୃହସ୍ୱାମୀ ଯେ ପଳାୟନୋନ୍ମୁଖ, ଦେଖିଲେ ଜଣା ପଡୁଛି । କମଳ ଉପରକୁ ଉଠି ଆଶୁ ବାବୁଙ୍କ ବସିବା ଘରେ ପ୍ରବେଶ କଲା । ସେ ଆଗଭଳି ଗୋଡ଼ ଲମ୍ବେଇ ଆରାମ୍‍ ଚେୟାରରେ ଶୋଇଥିଲେ–ପର୍ଦ୍ଦା ଆଡ଼େଇବା ଶବ୍ଦରେ ଉଠି ବସିଲେ । କମଳକୁ ଦେଖିବାକୁ ସେ ଆଶାକରି ନ ଥିଲେ; ବେଶୀ ଖୁସି ହୋଇ କହିଲେ, ଆରେ କମଳ ଯେ, ଆସ ଆସ ।

 

ତାଙ୍କ ମୁହଁକୁ ଚାହିଁ କମଳ ଚମକି ପଡ଼ିଲା । କହିଲା–ଏ କ’ଣ, ଆପଣ ଯେ ଏଇ କେତେଟା ଦିନ ଭିତରେ ଯଥେଷ୍ଟ ବୁଢ଼ା ହୋଇଗଲେ !

 

ଆଶୁ ବାବୁ ହସିଲେ । କହିଲେ–ବୁଢ଼ା ! ସେ ତ ଭଗବାନଙ୍କ ଆଶୀର୍ବାଦ କମଳ । ଭିତରେ ଯେତେବେଳେ ବୟସ ବଢ଼େ, ବାହାରେ ବୁଢ଼ା ଭଳି ଦେଖା ନ ଯିବାଠାରୁ ଦୁର୍ଯୋଗ ଆଉ କିଛି ନାହିଁ । ପିଲାଦିନେ ଚନ୍ଦା ହୋଇଯିବା ଭଳି କରୁଣ ।

 

‘କିନ୍ତୁ ଆପଣଙ୍କ ଦେହ ଭଲ ଦେଖାଯାଉ ନାହିଁ ?’

 

‘ନା’ । ଆଶୁ ବାବୁ ଆଉ ଏ ସମ୍ପର୍କରେ ଆଲୋଚନା ନ ବଢ଼ାଇ କହିଲେ–ତମେ କେମିତି ଅଛ କମଳ ?

 

‘ଭଲ ଅଛି । ମୋର ତ କେବେ ଦେହ ଖରାପ ହୁଏନା ।’

 

‘ତା’ ଜାଣେ । ଦେହ ବା ମନ କୌଣସିଟା ନୁହେଁ । ତା’ର କାରଣ ତୁମର କୌଣସିଟା ପ୍ରତି ଲୋଭ ନାହିଁ । କିଛି ଚାହଁନି ବୋଲି ଭଗବାନ ଦୁଇହାତରେ ଢାଳି ଦିଅନ୍ତି ।’

 

‘ମୋତେ ଭଗବାନ କ’ଣ ଦେଇଛନ୍ତି କହନ୍ତୁ ତ ?’

 

ଆଶୁ ବାବୁ କହିଲେ–ଏ ତ ଅଦାଲତ ନୁହେଁ ଯେ ଧମକ ଦେଇ ମକଦ୍ଦମା ଜିଣିବ ? ତେବେ ସେ ଯାହା ହେଉ–ମୁଁ ବି ଏ ଦୁନିଆରେ କମ୍ ପାଇନି । ତେଣୁ ଆଜି ସକାଳେ ବସି ହିସାବ କସୁଥିଲି । ଦେଖିଲି ଶୂନଗୁଡ଼ାକ ତହବିଲରେ ଭରି ରହିଛି । ଅନ୍ତଃସାରହୀନ ଥଳିଟାର ମୋଟା ଚେହେରା ବହୁ ମଣିଷଙ୍କୁ ଠକିଛି–ଭିତରେ କୌଣସି ଅସଲ ମସଲା ନାହିଁ । ଲୋକ ଭୁଲ୍ କରେ ମା, ଭାବେ ସେ ଗଣିତ ଶାସ୍ତ୍ରର ନିର୍ଦ୍ଦେଶ ଅନୁଯାୟୀ ଶୂନର ଦାମ୍ ଅଛି । ମୁଁ ତ କିଛି ହେଖି ପାରୁନି-। ଏକର ଡାହାଣ ଦିଗରେ ଧାଡ଼ିବାନ୍ଧି ଶୂନ ରଖିଲେ ଏକ ହିଁ ଏକ କୋଟିରେ ପରିଣତ ହୁଏ–ଖାଲି ଶୂନଗୁଡ଼ା ରଖିଲେ ତ କୋଟି ହୋଇପାରିବ ନାହିଁ । ପଦାର୍ଥ ଯେଉଁଠି ନାହିଁ, ଏଗୁଡ଼ା ସେଠି ଖାଲି ମାୟା । ମୋର ପାଇବାଟା ଠିକ୍ ସେଇଭଳି ।

 

କମଳ ଯୁକ୍ତି କଲାନି–ତାଙ୍କ ପାଖରେ ଯାଇ ଚୌକି ଟାଣି ବସିଲା । ସେ ତାଙ୍କ ଡାହାଣ ହାତଟା କମଳର କାନ୍ଧ ଉପରେ ରଖି କହିଲେ–‘ମା, ଏଥର ପ୍ରକୃତରେ ଯିବା ସମୟ ହୋଇଗଲା । ବୁଢ଼ା ହେଲିଣି–କେବେ ଯେ ଆଉ ଦେଖା ହେବ, ଭାବି ପାରୁନି । ଏତିକି ଭରସା ଯେ ତମେ ମୋତେ ଭୁଲିଯିବନି ।’

 

କମଳ କହିଲା–ନା, ଦେଖା ବି ପୁଣି ହେବ । ଆପଣଙ୍କ ଥଳିଟା ଶୂନ୍ୟ ଲାଗୁଛି ବୋଲି ମୋ ଥଳିଟା ଶୂନ୍ୟରେ ଭରିନି, କାକା ବାବୁ । ସେଥିରେ ଖାଣ୍ଟି ଜିନିଷ ଅଛି–ମାୟା ନୁହେଁ ।

 

ଆଶୁ ବାବୁ ଏ କଥାର ଜବାବ୍ ଦେଲେ ନାହିଁ । କିନ୍ତୁ ମନେମନେ ବୁଝିଲେ ଯେ କମଳ ମିଛ କହୁନାହିଁ ।

 

କମଳ କହିଲା–ଆପଣ ଏଇଠି ଅଛନ୍ତି ସିନା, ଆପଣଙ୍କ ମନ ଯେ ଏ ଦେଶରୁ ବିଦାୟ ନେଲାଣି, ତା’ ମୁଁ ଘର ଭିତରକୁ ଆସି ବୁଝିପାରିଛି । ଏଠି ଆଉ ଆପଣଙ୍କୁ ଧରି ରଖି ହେବନି । କୁଆଡ଼େ ଯିବେ ? କଲିକତା ?

 

ଆଶୁ ବାବୁ ଧୀରେ ଧୀରେ କହିଲେ–ନା, ସେଠିକୁ ନୁହେଁ । ଏଥର ଦୂରକୁ ଯିବି ବୋଲି କଳ୍ପନା କରିଛି । ପୁରୁଣା ବନ୍ଧୁମାନଙ୍କୁ କହିଥିଲି, ଯଦି ବଞ୍ଚିଥାଏ, ଆଉଥରେ ଦେଖାକରି ଯିବି । ଏଠିତ ତମର କୌଣସି କାମ ନାହିଁ କମଳ, ମୋ ସାଙ୍ଗରେ ବିଲାତ ଯିବ ? ଆଉ ଯଦି ଫେରି ନ ପାରେ, ତମ ମୁହଁରୁ ଶୁଣି କେହି କେହି ଖବରଟା ଅନ୍ତତଃ ପାଇ ପାରିବେ ।

 

ଏଇ ଅନୁଦ୍ଧିଷ୍ଟ ‘କେହି କେହି’ ଯେ କେଉଁମାନେ, ତା’ ବୁଝିବାକୁ କମଳକୁ ଅସୁବିଧା ହେଲା ନାହିଁ । କିନ୍ତୁ ଏଇ ଅସ୍ପଷ୍ଟ ବିଷୟକୁ ସ୍ପଷ୍ଟ କରିବା ନିଷ୍ପ୍ରୟୋଜନ ।

 

ଆଶୁ ବାବୁ କହିଲେ–ଭୟ ନାହିଁ ମା, ବୁଢ଼ାକୁ ସେବା କରିବାକୁ ପଡ଼ିବ ନାହିଁ । ଏଇ ଅକର୍ମଣ୍ୟ ଦେହଟାର ଓଜନ ଖୁବ୍ ବେଶୀ, ଏଇଟାକୁ ବହନ କରି ବୁଲିବା ଆଳରେ ଆଉ ବହୁ ମଣିଷଙ୍କ ପାଖେ ଋଣୀ ହୋଇପାରିବିନି । କିନ୍ତୁ କିଏ ଜାଣିଥିଲା କମଳ, ଏଇ ମାଂସ ପିଣ୍ଡଟାକୁ ନେଇ ଜଟିଳ ପ୍ରଶ୍ନ ଉଠିପାରେ । ମନେହେଉଛି ଯେମିତି ଲାଜରେ ମାଟିରେ ମିଶିଯାଆନ୍ତି । ଏତେ ବଡ଼ ବିସ୍ମୟ ଯେ ଘଟିପାରେ, ଏ କଥା କିଏ ଭାବିପାରିବ ?

 

କମଳ ସନ୍ଦେହରେ ଚମକି ଉଠି କହିଲା–ନୀଳିମା କାହାନ୍ତି ? ତାଙ୍କୁ ଦେଖିନି ଯେ–ସେ କେଉଁଠି ?

 

ଆଶୁ ବାବୁ କହିଲେ–ବୋଧହୁଏ ତାଙ୍କ ଘରେ ଅଛନ୍ତି । କାଲି ସକାଳଠାରୁ ଆଉ ଦେଖିନି । ଶୁଣିଲି ହରେନ୍ଦ୍ର ଆସି ତାଙ୍କୁ ତା’ ବସାକୁ ନେଇଯିବ ।

 

‘ତାଙ୍କ ଆଶ୍ରମକୁ ?’

 

‘ଆଶ୍ରମ ଆଉ ନାହିଁ । ସତୀଶ୍ ଚାଲିଯାଇଛି, ସାଙ୍ଗରେ କେତୋଟି ପିଲାଙ୍କୁ ବି ନେଇଯାଇଛି । କେବଳ ଚାରି ପାଞ୍ଚଜଣ ପିଲାଙ୍କୁ ହରେନ୍ଦ୍ର ଛାଡ଼ି ଦେଇନି–ସେମାନେ ଅଛନ୍ତି । ଏମାନଙ୍କର ବାପ-ମା’, ଆତ୍ମୀୟସ୍ୱଜନ କେହି କେଉଁଠି ନାହିଁ–ଏମାନଙ୍କୁ ନିଜ ଆଇଡିଆ ଅନୁଯାୟୀ ନୂଆ କରି ଗଢ଼ିବ ବୋଲି ତା’ର କଳ୍ପନା । ତୁମେ ଶୁଣିନା ବୋଧହୁଏ ? ଆଉ କାହାଠୁ ବା ଶୁଣିବ ?

 

ଟିକିଏ ରହି କହିଲେ–ପରଦିନ ସନ୍ଧ୍ୟାବେଳେ ଭଦ୍ରଲୋକମାନେ ଚାଲିଗଲା ପରେ ଅସମାପ୍ତ ଚିଠିଖଣ୍ଡେ ଶେଷ କରି ନୀଳିମାଙ୍କୁ ପଢ଼ି ଶୁଣେଇଲି । କେତେଦିନ ହେଲା ସେ ଖୁବ୍ ଅନ୍ୟମନସ୍କ ଥିଲେ, ବିଶେଷ ଦେଖାହୁଏନି । ଚିଠିଟା ଥିଲା ମୋର କଲିକତାର କର୍ମଚାରୀମାନଙ୍କ ପ୍ରତି–ମୋର ବିଲାତ ଯିବାର ସବୁ ବ୍ୟବସ୍ଥା ଠିକ୍ ରଖିବା ପାଇଁ ଗୋଟାଏ ନୂତନ ଉଇଲ୍‍ର ବ୍ୟବସ୍ଥା କରିଥିଲି–ହୁଏତ ଏଇଟା ମୋର ଶେଷ ଉଇଲ୍–ଆଟର୍ଣ୍ଣିକୁ ଦେଖାଇ ଏଟା ଫେରେଇ ଦେବାକୁ ଲେଖିଥିଲି । ଅନ୍ୟାନ୍ୟ ଆଦେଶ ବି ଥିଲା । ନୀଳିମା କ’ଣ ଗୋଟାଏ ସିଲେଇ କରୁଥିଲା–କିଛି ସମୟ ପରେ ଉତ୍ତର ନ ପାଇ ଚାହିଁଲି । ଦେଖିଲି ତା’ ହାତରୁ ସିଲେଇ ଜିନିଷଟା ଖସି ପଡ଼ିଛି; ମୁଣ୍ଡଟା ଚୌକି ବାହୁ ଉପରେ ଝୁଲି ପଡ଼ିଛି–ମୁହଁ ନେଳି ପଡ଼ିଯାଇଛି । କ’ଣ ହେଲା ଭାବିପାରିଲି ନାହିଁ । ହଠାତ୍ ଉଠେଇ ନେଇ ଶେଯରେ ଶୁଆଇ ଦେଲି, ଗ୍ଲାସରେ ପାଣି ଆଣି ମୁହଁରେ ମାଇଲି–ଖବରକାଗଜଟା ପଡ଼ିଥିଲା–ସେଥିରେ ବସି ପଙ୍ଖା କଲି । ଚାକରକୁ ଡାକିବି ବୋଲି ଚେଷ୍ଟା କଲେ ବି ତଣ୍ଟିରୁ କଥା ବାହାରିଲା ନାହିଁ । ବୋଧହୁଏ ଦୁଇ ତିନି ମିନିଟ୍‍ରୁ ବେଶୀ ହେବନି–ଆଖି ଖୋଲି ସେ ଅସ୍ତବ୍ୟସ୍ତ ହୋଇ ଉଠିଲା । ଦେହଟା ସାରା ତା’ର ଥରୁଥାଏ–ତା’ପରେ ଉଠିଆସି ମୋ କୋଳରେ ମୁଣ୍ଡ ଗୁଞ୍ଜି କାନ୍ଦିବାକୁ ଲାଗିଲା । ଅନେକ ସମୟ ପରେ ଉଠେଇ ବସେଇଲି–କେତେ ଦିନର କେତେ ସବୁ ଛୋଟ ଛୋଟ କଥା ମନେପଡ଼ିଲା । ମୋର ବୁଝିବାପାଇଁ ବାକି ରହିଲାନି ।

 

କମଳ କିଛି ନ କହି ତାଙ୍କ ମୁହଁକୁ ଚାହିଁ ରହିଲା ।

 

ଆଶୁ ବାବୁ ନିଜକୁ ସମ୍ଭାଳି ନେଇ ପୁଣି କହିଲେ–ଏ ଅବସ୍ଥାରେ ତାକୁ କ’ଣ କହିବି, ଭାବୁଛି–ସେ ସିଧା ହୋଇ ଉଠି ଠିଆହେଲା–ଥରେ ବି ମୋ ଆଡ଼କୁ ନ ଚାହିଁ ଘରୁ ବାହାରି ଚାଲିଗଲା । ସେ କିଛି କହିଲାନି, ମୁଁ ବି କିଛି କହିପାରିଲିନି । ତା’ପରେ ଆଉ ଏପର୍ଯ୍ୟନ୍ତ ଦେଖା ହେଇନି ।

 

କମଳ ପଚାରିଲା–ଆପଣ କ’ଣ ଆଗରୁ ବୁଝିପାରି ନ ଥିଲେ ?

 

ଆଶୁ ବାବୁ କହିଲେ–ନା, ସ୍ୱପ୍ନରେ ବି ଭାବିନି । ଆଉ କିଏ ହୋଇଥିଲେ ଭାବିଥାନ୍ତି ଯେ ଏ କେବଳ ଛଳନା, ସ୍ୱାର୍ଥ । କିନ୍ତୁ ନୀଳିମା ସମ୍ପର୍କରେ ଏଭଳି ଭାବିବା ବି ଅପରାଧ । ନାରୀର ମନ କି ଅବୋଧ୍ୟ । ଏଇ ରୋଗାତୁର ଜୀର୍ଣ୍ଣ ଦେହ, ଏଇ ଅକ୍ଷମ ଅବସନ୍ନ ମନ–ଜୀବନର ଅପରାହ୍ନରେ ଯାହାର ଦାମ୍ କଣା କଉଡ଼ିଟାଏ ବି ନୁହେଁ–ତା’ ପ୍ରତି ଯେ ଜଣେ ସୁନ୍ଦରୀ ଯୁବତୀ ଆକୃଷ୍ଟ ହୋଇପାରେ–ୟାଠୁ ବଳି ବିସ୍ମୟର କଥା ଜଗତରେ ଆଉ କ’ଣ ଅଛି ? ଅଥଚ ଏ ସତ୍ୟ, ଟିକିଏ ବି ମିଛ ନାହିଁ । ଆଶୁ ବାବୁ କ୍ଷୋଭ, ଯନ୍ତ୍ରଣା ଓ ଲଜ୍ଜାରେ ନିଃଶ୍ୱାସ ପକାଇ ନୀରବ ରହିଲେ । କିଛି ସମୟ ଏହିପରି ରହି ପୁଣି କହିଲେ–ମୁଁ ନିଶ୍ଚୟ ଜାଣେ, ନୀଳିମା ବୁଦ୍ଧିମତୀ; ସେ ମୋ’ଠାରୁ କିଛି ଆଶା କରେନା । ସେ କେବଳ ଚାହେଁ ମୋତେ ସେବା କରିବା ପାଇଁ–କେବଳ ଚାହେଁ ଯେପରି ସେବା ଅଭାବରେ ଜୀବନର ଏ କେତେଟା ନିଃସଙ୍ଗ ଦିନ ଯେପରି ଦୁଃଖରେ ଶେଷ ନ ହୁଏ । କେବଳ ଅକୃତ୍ରିମ ଦୟା ଓ କରୁଣା ! କମଳ ଚୁପ୍ ରହିଛି ଦେଖି ସେ କହିବାକୁ ଲାଗିଲେ–‘ବେଳା ବିବାହ ବିଚ୍ଛେଦ ପାଇଁ ମକଦ୍ଦମା କଲାବେଳେ ମୁଁ ସମ୍ମତି ଦେଇଥିଲି । କଥାପ୍ରସଙ୍ଗରେ ସେ ଦିନ ଉଠିବାରୁ ନୀଳିମା ରାଗିଗଲା । ତା’ ପରଠାରୁ ସେ ବେଳାର ଉପସ୍ଥିତି ସହ୍ୟ କରିପାରିଲା ନାହିଁ । ନିଜ ସ୍ୱାମୀକୁ ସର୍ବସାଧାରଣରେ ଏଭଳି ଲଜ୍ଜିତ ଓ ଅପଦସ୍ଥ କରି ପ୍ରତିହିଂସା ସାଧିବାକୁ ନୀଳିମା ମାନି ନେଇ ପାରିଲା ନାହିଁ । ସେ କହେ–ତାକୁ ତ୍ୟାଗ କରିବାଟା ବଡ଼ କଥା ନୁହେଁ, ଫେରିପାଇବା ପାଇଁ ସାଧନା କରିବା ସ୍ତ୍ରୀତ୍ୱର ପରମ ସାର୍ଥକତା । ଅପମାନର ପ୍ରତିଶୋଧ ନେଲେ ସ୍ତ୍ରୀର ଯଥାର୍ଥ ମର୍ଯ୍ୟାଦା ନଷ୍ଟ ହୁଏ–ନ ହେଲେ ଏତ ଭଲପାଇବାର ମୁଲ୍ୟଧାର୍ଯ୍ୟ କରିବାପାଇଁ କଷଟି ପଥରପରି ହୋଇଥାନ୍ତା । ଏ ବି କି ଆତ୍ମମର୍ଯ୍ୟାଦା ? ଯାହାକୁ ଅସମ୍ମାନ କରି ତଡ଼ି ଦେଇଛି, ତା’ଠାରୁ ଖାଇବା ପିନ୍ଧିବା ଦାମ୍ ଅସୁଲ କରିବ ? କାହିଁକି, ଆତ୍ମହତ୍ୟା କରିବା ପାଇଁ ଦଉଡ଼ି ମିଳିଲା ନାହିଁ ? ସେ ଦିନ ଏ କଥା ଶୁଣି ମୁଁ ଭାବୁଥିଲି ନୀଳିମାର ଏ ଅନ୍ୟାୟ ଯୁକ୍ତି; କିନ୍ତୁ ଆଜି ଭାବୁଛି–ଭଲ ପାଇଲେ କ’ଣ କରି ନ ହୁଏ ? ରୂପ, ଯୌବନ, ସମ୍ମାନ, ସମ୍ପଦ–ଏସବୁ କିଛି ନୁହେଁ । କ୍ଷମା କରିବାର ଶକ୍ତି ହେଉଛି ଭଲପାଇବାର ସାର୍ଥକତା । କ୍ଷମା ଯେଉଁଠି ନାହିଁ–ସେଠି କେବଳ ବିଡ଼ମ୍ବନା ଅଛି ମାତ୍ର । ସେଇଠି ରୂପଯୌବନର ବିଚାର ଉଠେ–ସେଇଠି ଆତ୍ମସମ୍ମାନ ବୋଧ ଟଗ୍-ଅଫ୍-ୱାର !’

 

କମଳ ତାଙ୍କ ମୁହଁକୁ ଚାହିଁ ରହିଲା ।

 

ଆଶୁ ବାବୁ କହିଲେ–ତମେ ତା’ର ଆଦର୍ଶ । କିଛି ଚନ୍ଦ୍ରର ଜ୍ୟୋତ୍ସ୍ନା ସୂର୍ଯ୍ୟ କିରଣଠାରୁ ବଳିଗଲା । ତମଠୁ ସେ ଯାହା ଶିଖିଛି–ଅନ୍ତରର ରସର ସ୍ନିଗ୍ଧ ମାଧୁରୀରେ ରସାଣିତ କରି ଶିକ୍ଷାଠାରୁ ଯଥେଷ୍ଟ ଆଗେଇ ଯାଇଛି । ଏଇ ଦୁଇ ଦିନ ଭିତରେ ମୁଁ ଦୁଇ ଶହ ବର୍ଷର ଭାବନା ଭାବିଲିଣି କମଳ, ସ୍ତ୍ରୀର ପ୍ରୀତି ମୁଁ ପାଇଥିଲି । ତା’ର ସ୍ଵାଦ ଚିହ୍ନେ–ସ୍ଵରୂପ ଜାଣେ । କିନ୍ତୁ ଏହା ଯେ ନାରୀର ଭଲପାଇବାର ଗୋଟିଏ ଦିଗ ମାତ୍ର–ତା’ ମୁଁ ଏବେ ଜାଣିଲି । ଏଇ ନୂତନ ତତ୍ତ୍ୱ ମୋତେ ଦୁଇ ଦିନ ହେଲା ଆଚ୍ଛନ୍ନ କରି ରଖିଛି । ଏଥିରେ କେତେ ବାଧା, କେତେ ବ୍ୟଥା, ନିଜକୁ ବିସର୍ଜନ ଦେବାର କେତେ ଅଜଣା ଆୟୋଜନ ! ହାତ ପତେଇ ଗ୍ରହଣ କରିପାରିଲିନି ସିନା, କିନ୍ତୁ କିଭଳି ଏହାକୁ ସମ୍ମାନ ଦେବି ବୁଝିପାରୁନି ମା !’

କମଳ ବୁଝିଲା–ପତ୍ନୀ ପ୍ରେମର ଯେ ସୁଦୀର୍ଘ ଛାୟା ଏତେ ଦିନ ହେଲା ଅନ୍ଧାର କରି ରଖିଥିଲା, ତା’ ଆଜି ଧୀରେ ଧୀରେ ସ୍ଵଚ୍ଛ ହୋଇ ଆସୁଛି ।

ଆଶୁ ବାବୁ କହିଲେ–ହଁ, ଆଉ ଗୋଟିଏ କଥା । ମଣିକୁ ମୁଁ କ୍ଷମା କରିଛି । ପିତୃ ଅଭିମାନର ଆରକ୍ତ ଚକ୍ଷୁ ଆଉ ତାକୁ ପୀଡ଼ା ଦେବନି । ଜାଣେ ସେ ଦୁଃଖ ପାଇବ, ଜଗତର ବିଧିବଦ୍ଧ ନୀତି ତାକୁ ଅବ୍ୟାହତି ଦେବ ନାହିଁ । ଅନୁମତି ଦେଇପାରିବି ନାହିଁ–କିନ୍ତୁ ଯିବା ପୂର୍ବରୁ ଏଇ ଆଶୀର୍ବାଦ ଦେଇଯିବି ଯେ ସେ ଯେଭଳି ଦୁଃଖ ଭିତରେ ନିଜକୁ ଖୋଜି ପାଇବ । ତା’ର ଭୁଲ୍‍ ଓ ଭଲପାଇବା–ସବୁ ଯେପରି ଭଗବାନଙ୍କ ଦୟାରୁ ନିର୍ମଳ ହୋଇଯିବ ।

କହୁ କହୁ ଆଶୁ ବାବୁଙ୍କ କଣ୍ଠ ବାଷ୍ପାକୁଳ ହୋଇଉଠିଲା ।

ଏମିତି ଅନେକ ସମୟ କଟିଗଲା । କମଳ ଆଶୁ ବାବୁଙ୍କ ମୋଟା ହାତଟାକୁ ଧୀରେ ଧୀରେ ଆଉଁଷୁଥିଲା । ଅନେକ ସମୟ ପରେ ସେ ଧୀର କଣ୍ଠରେ କହିଲା–କାକା ବାବୁ, ନୀଳିମା ସମ୍ପର୍କରେ କ’ଣ ସ୍ଥିର କଲେ ?

ଆଶୁ ବାବୁ ଅକସ୍ମାତ ସିଧା ହୋଇ ଉଠି ବସିଲେ । କହିଲେ–ଦେଖ ମା, ଏ ସମ୍ପର୍କରେ ତମକୁ ଆଗେ କେବେ ବୁଝାଇ ପାରିନି, ଏବେ ବି ବୁଝାଇ ପାରିବିନି । ହୁଏତ ଆଜି ଆଉ ସାମର୍ଥ୍ୟ ବି ନାହିଁ । କିନ୍ତୁ ଦିନେହେଲେ ବି ମୋର ସନ୍ଦେହ ହୋଇନି ଯେ ଏକନିଷ୍ଟ ପ୍ରେମର ଆଦର୍ଶ ମନୁଷ୍ୟ ପାଇଁ ସତ୍ ଆଦର୍ଶ ନୁହେଁ । ନୀଳିମାର ଭଲପାଇବାକୁ ମୁଁ ସନ୍ଦେହ କରିନି, କିନ୍ତୁ ସେ ବି ଯେଭଳି ସତ୍ୟ, ମୋର ପ୍ରତ୍ୟାଖ୍ୟାନ କରିବା ବି ସେଭଳି ସତ୍ୟ । କୌଣସିମତେ ଏହାକୁ ନିଷ୍ଫଳ ଆତ୍ମପ୍ରବଞ୍ଚନା ବୋଲି କହିପାରିବି ନାହିଁ । ଏହା ତର୍କରେ ମୀମାଂସା କରି ହେବନି, କିନ୍ତୁ ଏଇ ନିଷ୍ଫଳତା ଭିତରେ ମଣିଷ ଆଗେଇ ଯିବ । କେଉଁଠିକୁ ଯିବ କହିପାରିବିନି କିନ୍ତୁ ଯିବ ନିଶ୍ଚୟ । ସେ ମୋର କଳ୍ପନାର ଅତୀତ, କିନ୍ତୁ ଏତେ ବଡ଼ ବ୍ୟଥାର ଦାନ ସେ ନିଶ୍ଚୟ ପାଇବ । ତା’ ନ ହେଲେ ଜଗତ୍ ମିଥ୍ୟା, ସୃଷ୍ଟି ମିଥ୍ୟା । ସେ କହିବାକୁ ଲାଗିଲେ–ଏଇ ଯେ ନୀଳିମା, ଯେକୌଣସି ମଣିଷ ପାଇଁ ସେ ଅମୂଲ୍ୟ ସମ୍ପଦ । ଅଥଚ କୌଣସି ଠାରେ ତା’ର ଆଜି ଠିଆ ହେବାର ସ୍ଥାନ ନାହିଁ । ତା’ର ବ୍ୟର୍ଥତା ମୋର ବାକିଦିନ ପାଇଁ ଗଭୀର ଯନ୍ତ୍ରଣା ହୋଇ ରହିବ । ଭାବୁଛି ସେ ଯଦି ଆଉ କାହାକୁ ଭଲ ପାଇଥାନ୍ତା ! ଏ ତା’ର କି ଭୁଲ୍‍ !

କମଳ କହିଲା ଭୁଲ୍‍ ସଂଶୋଧନର ଦିନ ତ ଶେଷ ହୋଇ ଯାଇନି’ କାକା ବାବୁ ।

‘କେମିତି ? ତୁମେ କ’ଣ ମନେ କରୁଛ ଯେ ସେ ଆଉ କାହାକୁ ଭଲପାଇ ପାରେ ?’

‘ଅନ୍ତତଃ ଅସମ୍ଭବ ତ ନୁହେଁ । ଆପଣଙ୍କ ଜୀବନରେ ଯେ ଏପରି ଘଟିବ, ଆପଣ କ’ଣ କେବେ ସମ୍ଭବ ବୋଲି ଭାବିଥିଲେ ?’

‘କିନ୍ତୁ ନୀଳିମା ? ତା’ ପରି ଲୋକ ?’

କମଳ କହିଲା–ତା’ ଜାଣିନି, କିନ୍ତୁ ଯାହାକୁ ପାଇ ହେବନି, ପାଇ ପାରିଲା ନାହିଁ–ତାକୁ ସ୍ମରଣ କରି ସାରା ଜୀବନ ବ୍ୟର୍ଥ ନିରାଶାରେ ତା’ର କଟୁ, ଏଇ କ’ଣ ତା’ପାଇଁ ଆପଣ କାମନା କରନ୍ତି ?

 

ଆଶୁ ବାବୁଙ୍କ ମୁହଁର ଦୀପ୍ତି ଅନେକାଂଶରେ ମଳିନ ହୋଇଗଲା । କହିଲେ– ‘ନା, ସେ କଥା କାମନା କରୁନି ।’ କିଛି ସମୟ ସ୍ତବ୍ଧ ହୋଇ ରହି କହିଲେ–କିନ୍ତୁ ମୋ କଥା ତ ତୁମେ ବୁଝିବନି କମଳ । ମୁଁ ଯାହା କରିପାରେ, ତୁମେ ତା’ ପାରିବନି । ସତ୍ୟର ମୂଳଗତ ସଂସ୍କାର ତମର ଓ ମୋ ଜୀବନର ସମାନ ନୁହେଁ, ପୃଥକ୍ । ଏଇ ଜୀବନକୁ ଯେଉଁମାନେ ମାନବାତ୍ମାର ଚରମ ପ୍ରାପ୍ତି ବୋଲି ଜାଣିଛନ୍ତି, ସେମାନଙ୍କୁ ଉପେକ୍ଷା କରାଯାଇ ପାରିବନି । ତୃଷ୍ଣାର ଶେଷବିନ୍ଦୁ ଜଳ ସେମାନେ ଏ ଜୀବନରେ ପାନ କରିନେବେ ନିଶ୍ଚୟ । କିନ୍ତୁ ଆମେ ଜନ୍ମାନ୍ତରରେ ବିଶ୍ୱାସ କରୁ, ପ୍ରତୀକ୍ଷା କରିବାର ସମୟ ଆମର ଅନନ୍ତ–ପଡ଼ିଉଠି ଶୋଇ ଗାଇବାର ପ୍ରୟୋଜନ ହୁଏନା ।’

 

କମଳ ଶାନ୍ତକଣ୍ଠରେ କହିଲା ସେ କଥା ମାନୁଛି । କିନ୍ତୁ ତା’ବୋଲି ତ ଆପଣଙ୍କ ସଂସ୍କାରକୁ ଯୁକ୍ତି ବୋଲି ମାନି ନେଇ ପାରିବନି । ଆକାଶକୁସୁମ ଆଶାରେ ବିଧାତାଙ୍କ ଦ୍ଵାରରେ ହାତପାତି ଜନ୍ମାନ୍ତର କାଳ ପର୍ଯ୍ୟନ୍ତ ଅପେକ୍ଷା କରିବାର ଧୈର୍ଯ୍ୟ ମୋର ନାହିଁ । ଯେ ଜୀବନ ସମସ୍ତଙ୍କ ଭିତରେ ସହଜ ବୁଦ୍ଧିରେ ପାଇଛି, ତାହାହିଁ ମୋର ପାଇଁ ସତ୍ । ଫୁଲ ଫଳ ଶୋଭା ସମ୍ପଦରେ ମୋର ଏଇ ଜୀବନ ଯେପରି ଭରି ଉଠିବ–ପରକାଳର ବୃହତ୍ତର ଲାଭ ଆଶାରେ ମୁଁ ମୋର ଇହଲୋକକୁ ଯେପରି ଅବହେଳା କରି ଅପମାନ ନ କରେ । କାକା ବାବୁ, ଏଇଭଳି ଆପଣମାନେ ସ୍ଵେଚ୍ଛାରେ ଜୀବନର ଆନନ୍ଦରୁ ଓ ସୌଭାଗ୍ୟରୁ ବଞ୍ଚିତ । ଇହକାଳକୁ ତୁଚ୍ଛ କରିଛନ୍ତି ବୋଲି ଇହକାଳ ବି ଆପଣଙ୍କୁ ଜଗତର ସମସ୍ତ ଆନନ୍ଦରୁ ବଞ୍ଚିତ କରି ରଖିଛି । ନୀଳିମାଙ୍କର ଦେଖା ପାଇବି କି ନାହିଁ–କିନ୍ତୁ କେବେ ଦେଖା ହେଲେ ଏଇ କଥା ଜଣେଇ ଦେବି ।

 

କମଳ ଉଠି ଠିଆହେଲା । ଆଶୁ ବାବୁ ହଠାତ୍ ତା’ର ହାତଟା ଧରି ପକାଇ କହିଲେ–ଯାଉଛ ମା– କିନ୍ତୁ ତମେ ଯିବ ବୋଲି ଭାବିଲେ ଦୁଃଖ ଲାଗେ ।

 

କମଳ ବସି ପଡ଼ିଲା । କହିଲା–ମୁଁ ତ କିନ୍ତୁ ଆପଣଙ୍କୁ କୌଣସି ଦିଗରୁ ସାହାଯ୍ୟ ଦେଇପାରିବି ନାହିଁ । ଦେହ ଓ ମନ ଆପଣଙ୍କର ପୀଡ଼ିତ, ସାନ୍ତ୍ଵନା ଦେବା ବର୍ତ୍ତମାନ ସବୁଠୁ ବେଶୀ ପ୍ରୟୋଜନ–ଅଥଚ ସବୁ ଦିଗରୁ ମୁଁ ଆପଣଙ୍କୁ କେବଳ ଆଘାତ କରିଛି । ତେବେ ବି ମୁଁ ଅନ୍ୟମାନଙ୍କ ଅପେକ୍ଷା ଆପଣଙ୍କୁ କମ ଭଲପାଏନା କାକା ବାବୁ ।

 

ଆଶୁ ବାବୁ ନୀରବରେ ସ୍ଵୀକାର କଲେ । ଧୀରେ ଧୀରେ କହିଲେ–ନୀଳିମା କଥା ଭାବିଲେ ମୁଁ ସ୍ତବ୍ଧ ହୋଇଯାଏ କମଳ ! କିନ୍ତୁ ଏହାର କାରଣ କ’ଣ ଜାଣ ?

 

କମଳ ସ୍ମିତମୁଖରେ କହିଲା–ବୋଧହୁଏ ଆପଣଙ୍କ ଭିତରେ ଖାଦ ନାହିଁ ବୋଲି । ଚୋରାବାଲି ନିଜ ଦେହର ଭାର ସହିପାରେନା, କିନ୍ତୁ ନିରାଟ ମାଟି ଲୁହା ପଥର ବୋଝ ସହିପାରେ; ତା’ ଉପରେ କୋଠା ତିଆରି କରି ହୁଏ । ନୀଳିମାକୁ ସମସ୍ତେ ବୁଝିପାରିବେ ନାହିଁ, କିନ୍ତୁ ଯେଉଁମାନଙ୍କର ନିଜକୁ ନେଇ ଖେଳିବାର ସମୟ ଚାଲିଯାଇଛି–ମୁଣ୍ଡଉପରର ଭାର ଓହ୍ଲାଇ ଦେଇ ଯେଉଁମାନେ ସହଜରେ ନିଃଶ୍ୱାସ ମାରି ବଞ୍ଚିବାକୁ ଚାହାଁନ୍ତି, ସେମାନେ ବୁଝିପାରିବେ ।

 

‘ହଁ’ ବୋଲି କହି ଆଶୁ ବାବୁ ନିଜେ ନିଃଶ୍ୱାସ ପକାଇଲେ । କିଛି ସମୟ ପରେ କହିଲେ ‘ଆଚ୍ଛା ଶିବନାଥ ?’

 

କମଳ କହିଲା–ଯେଉଁଦିନଠାରୁ ତାଙ୍କୁ ଠିକ୍ ରୂପେ ବୁଝିଛି, ସେଇ ଦିନଠାରୁ ମୋର କ୍ଷୋଭ, ଅପମାନ ପୋଛି ହୋଇଯାଇଛି । ଶିବନାଥ ଗୁଣି, ଶିଳ୍ପୀ–ଶିବନାଥ କବି । ଚିରସ୍ଥାୟୀ ପ୍ରେମ ସେମାନଙ୍କ ବାଟର ବାଧା–ସୃଷ୍ଟିର ଅନ୍ତରାୟ, ସ୍ଵଭାବର ବିଘ୍ନ । ଏଇ କଥା ସେଦିନ ତାଜ୍ ଆଗରେ ଠିଆହୋଇ କହିବାକୁ ଚାହୁଁଥିଲି । ନାରୀ ଏମାନଙ୍କ ପାଇଁ ଉପଲକ୍ଷ, ନ ହେଲେ ଏମାନେ ପ୍ରକୃତରେ ନିଜକୁ ଭଲପାଆନ୍ତି । ନିଜର ମନକୁ ଦୁଇଭାଗ କରି ଏମାନଙ୍କର କିଛିଦିନ ଖେଳଚାଲେ–ତା’ପରେ ସେଟା ସରିଯାଏ ବୋଲି ଏମାନଙ୍କ କଣ୍ଠସ୍ୱର ଏମିତି ବିଚିତ୍ର ହୋଇ ବାଜେ–ନ ହେଲେ ବାଜନ୍ତା ନାହିଁ, ଶୁଖି ଜମାଟ ହୋଇ ଯାଆନ୍ତା । ମୁଁ ତ ଜାଣେ–ଶିବନାଥ ତାଙ୍କୁ ଠକି ନାହାନ୍ତି–ମଣି ନିଜେ ଭୁଲିଛି । ସୂର୍ଯ୍ୟାସ୍ତ ବେଳେ ମେଘ ଦେହରେ ଇନ୍ଦ୍ରଧନୁର ଯେ ରଙ୍ଗଫୁଟେ କାକା ବାବୁ, ସେ ତା’ର ନିଜ ରଙ୍ଗ ନୁହେଁ ବା ସ୍ଥାୟୀ ନୁହେଁ । କିନ୍ତୁ ତା’ବୋଲି ସେ ତ ମିଥ୍ୟା ନୁହେଁ-?

 

ଆଶୁ ବାବୁ କହିଲେ–ସେ କଥା ଜାଣେ, କିନ୍ତୁ ରଙ୍ଗ ନେଇ ତ ମଣିଷର ଚିରଦିନ ଚଳେ ନି ମା, ଉପମା ଦେଲେ ବି ସେ ଦୁଃଖ ଘୁଞ୍ଚିଯାଏନା । ସେତେବେଳେ କ’ଣ ହେବ ?

 

କମଳର ମୁହଁ କ୍ଳାନ୍ତିରେ ମଳିନ ହୋଇଗଲା । କହିଲା–ସେଇ ଗୋଟିଏ ପ୍ରଶ୍ନ ତ ବାରମ୍ଵାର ଆସୁଛି–ଶେଷ ହେଉନି । ସେ ସମ୍ପର୍କରେ ଆପଣଙ୍କର ଓ ମୋର ସମ୍ପୂର୍ଣ୍ଣ ଦ୍ଵିମତ । ତେବେ ଯିବା ବେଳେ ଏତିକି ଆଶୀର୍ବାଦ କରନ୍ତୁ ଯେ ମଣି ଯେପରି ଦୁଃଖ ଭିତରେ ନିଜକୁ ଖୋଜି ପାଇବ । ଯାହା ଝଡ଼ିପଡ଼ିବାର କଥା ତା’ ପଡ଼ିଗଲା ପରେ ସେ ଯେପରି ଆପଣଙ୍କୁ ନିଃସଂଶୟ ଭାବେ ଚିହ୍ନି ପାରିବ । ଆଉ ଆପଣଙ୍କୁ ଗୋଟାଏ କଥା କହୁଛି–ସଂସାରରେ ଅନେକ ଘଟଣା ଭିତରେ ବିବାହ ଗୋଟାଏ ଘଟଣା ମାତ୍ର, ତା’ଠାରୁ ବେଶୀ ନୁହେଁ । ଏଇଟାକୁ ନାରୀର ସର୍ବସ୍ୱ ବୋଲି ଯେତେଦିନ ମାନି ନେଇଥିବେ, ସେ ଦିନ ପର୍ଯ୍ୟନ୍ତ ନାରୀ ଜୀବନର ଚରମ ଟ୍ରାଜେଡ଼ି ରହିବ-। ଦେଶାନ୍ତରକୁ ଯିବା ପୂର୍ବରୁ ନିଜମନର ଏଇ ମିଥ୍ୟା ବନ୍ଧନରୁ ନିଜ ଝିଅକୁ ମୁକ୍ତି ଦେଇ ଯାଆନ୍ତୁ, ଏତିକି ପ୍ରାର୍ଥନା ।

 

ହଠାତ୍ ଦ୍ଵାର ପାଖରେ ପାଦଶବ୍ଦ ଶୁଣି ଉଭୟେ ସେ ଆଡକୁ ଚାହିଁଲେ । ହରେନ୍ଦ୍ର ପ୍ରବେଶ କରି କହିଲା–ଭାଉଜଙ୍କୁ ନେବା ପାଇଁ ଆସିଛି ଆଶୁ ବାବୁ, ସେ ପ୍ରସ୍ତୁତ ହେଲେଣି; ମୁଁ ଗାଡ଼ି ପାଇଁ ପଠେଇଛି ।

 

ଆଶୁ ବାବୁଙ୍କ ମୁହଁ କଳା ପଡ଼ିଗଲା । କହିଲେ–‘ଏଇକ୍ଷଣି ? କିନ୍ତୁ ବେଳ ତ ଆଉ ନାହିଁ-?’

 

ହରେନ୍ଦ୍ର କହିଲା–‘ଦଶ କୋଡ଼ିଏ କୋଶ ତ ନୁହେଁ, ପାଞ୍ଚମିନିଟ୍ ଭିତରେ ପହଞ୍ଚିଯିବେ ।’ ତା’ ମୁହଁ ଯେପରି ଗମ୍ଭୀର, କଥା ସେଭଳି ନୀରସ ।

 

ଆଶୁ ବାବୁ ଆସ୍ତେ ଆସ୍ତେ କହିଲେ–ସେ କଥା ଅବଶ୍ୟ ଠିକ୍ । ତେବେ ସନ୍ଧ୍ୟା ହେଲାଣି–ଆଜି ନ ଗଲେ କ’ଣ ଚଳିବନି ।

 

ହରେନ୍ଦ୍ର ପକେଟରୁ ଖଣ୍ଡେ କାଗଜ ବାହାର କରି ଦେଲା ଓ କହିଲା–ଆପଣ ବିଚାର କରି କହନ୍ତୁ ।

 

ଆଶୁ ବାବୁ ପଢ଼ିଲେ, ଲେଖା ହୋଇଛି–

 

‘ହରେନ୍ଦ୍ର, ଏଠାରୁ ମୋତେ ନେଇ ଯିବାର ଉପାୟ କରି ନ ପାରିଲେ ମୋତେ କହିବ; କିନ୍ତୁ କାଲି କହିବନି ଯେ ତମକୁ କାହିଁକି ଜଣେଇ ନ ଥିଲି–ନୀଳିମା ।’

 

ଆଶୁ ବାବୁ ସ୍ତବ୍ଧ ହୋଇ ରହିଲେ ।

 

ହରେନ୍ଦ୍ର କହିଲା–ମୁଁ ନିକଟ ଆତ୍ମୀୟ ନୁହେଁ ତେବେ ଆପଣ ତ ତାଙ୍କୁ ଜାଣନ୍ତି–ୟା’ପରେ ଆଉ ବିଳମ୍ବ କରିବାକୁ ସାହସ ହେଉନି ।

 

‘ତମ ବସାରେ ରହିବେ ତ ?’

 

‘ହଁ, ଅନ୍ତତଃ ଏହାଠାରୁ ସୁବ୍ୟବସ୍ଥା ନ ହେଲା ଯାଏଁ । ଭାବିଲି–ଏ ଘରେ ଯଦି ତାଙ୍କର ଏତେ ଦିନ କଟି ପାରିଲା ସେ ଘରେ ବି ଦୋଷ ହେବନି ।’

 

ଆଶୁ ବାବୁ ଚୁପ୍ ହୋଇ ରହିଲେ । କହିଲେନି ଯେ ଏତେ ଦିନ ହରେନ୍ଦ୍ରର ଏ ସଦ୍‍ବୁଦ୍ଧି କେଉଁଠି ଥିଲା ।

 

ବେହେରା ଆସି କହିଲା–ମେମ୍ ସାହେବଙ୍କ ଜିନିଷପତ୍ର ନେବା ପାଇଁ ମାଜିଷ୍ଟ୍ରେଟ୍‍ଙ୍କ କୋଠିରୁ ଲୋକ ଆସିଛି ।

 

ଆଶୁ ବାବୁ କହିଲେ–‘ତାକୁ ଦେଖେଇ ଦେ କେଉଁଠି ଅଛି ।’ କମଳକୁ ଚାହିଁ କହିଲେ–କାଲି ସକାଳେ ବେଳା ଏ ଘରୁ ଚାଲିଗଲା । ମାଜିଷ୍ଟ୍ରେଟ୍‍ଙ୍କ ସ୍ତ୍ରୀ ତା’ର ବାନ୍ଧବୀ । ଗୋଟାଏ ସୁଖବର ତମକୁ ଦେବା ପାଇଁ ଭୁଲି ଯାଇଛି କମଳ–ବେଳାର ସ୍ୱାମୀ ତାକୁ ନେବା ପାଇଁ ଆସିଛନ୍ତି । ବୋଧହୁଏ ସେମାନଙ୍କର କିଛି ଗୋଟାଏ ମୀମାଂସା ହେଲା ।’

 

କମଳ ବିସ୍ମିତ ନ ହୋଇ ପଚାରିଲା–କିନ୍ତୁ ଏଠିକି ଆସିଲେ ନାହିଁ କାହିଁକି ?

 

ଆଶୁ ବାବୁ କହିଲେ–ବୋଧହୁଏ ଆତ୍ମମର୍ଯ୍ୟାଦାରେ ଆଘାତ ଆସିଲା । ଯେତେବେଳେ ସେମାନଙ୍କର ଡାଇଭୋର୍ସ ମକଦ୍ଦମା କଥା ହେଲା । ମୁଁ ସେତେବେଳେ ବେଳାର ବାପାଙ୍କ ଚିଠିର ଉତ୍ତରରେ ସମ୍ମତି ଦେଇଥିଲି । ତା’ ସ୍ଵାମୀ ସେଇଟା ଭୁଲିପାରି ନାହାନ୍ତି ।

 

କମଳ ଆଶ୍ଚର୍ଯ୍ୟ ହୋଇ କହିଲା–ଆପଣ ମତ ଦେଇଥିଲେ ?

 

ଆଶୁ ବାବୁ କହିଲେ–ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ଚରିତ୍ର ଦୋଷରେ ଯେ ସ୍ୱାମୀ ଅପରାଧୀ, ତାକୁ ତ୍ୟାଗ କରିବାରେ ଅନ୍ୟାୟ କ’ଣ ? ଏ ଅଧିକାର କ’ଣ କେବଳ ସ୍ୱାମୀର ଅଛି, ସ୍ତ୍ରୀର ନାହିଁ ?

 

ନୀଳିମା ହଠାତ୍ ଦ୍ୱାର ପାଖକୁ ଆସି ନମସ୍କାର ହୋଇ ଚାଲିଗଲା । ଘର ଭିତରକୁ ଆସିଲାନି ବା କିଏ ଅଛି ଚାହିଁ ଦେଖିଲାନି ।

 

ଉଭୟେ ବହୁ ସମୟ ଚୁପ୍ ହୋଇ ବସି ରହିଲେ ।

 

ଯିବା ପୂର୍ବରୁ ପଚାରିଲା–କେବଳ ଯଦୁ ଛଡ଼ା ଏ ଘରେ ଆଉ ପୁରୁଣା ଲୋକ କେହି ରହିଲେ ନାହିଁ ।

 

‘ଯଦୁ ?’

 

‘ହଁ, ଆପଣଙ୍କ ପୁରୁଣା ଚାକର ।’

 

‘କିନ୍ତୁ ସେ ତ ନାହିଁ–ତା’ ପିଲାର କ’ଣ ଦେହ ଖରାପ ହୋଇଛି–ସେଥିପାଇଁ ପାଞ୍ଚ ଦିନ ହେଲା ଛୁଟି ନେଇ ଯାଇଛି ।’

 

ପୁଣି ଉଭୟେ ନୀରବ ରହିଲେ ।

 

ଆଶୁ ବାବୁ ହଠାତ୍ ପଚାରିଲେ–ସେଇ ରାଜେନ୍‍ର କିଛି ଖବର ପାଇଛ, କମଳ ?

 

‘ନା, କାକା ବାବୁ ।’

 

‘ଯିବା ପୂର୍ବରୁ ତାକୁ ଥରେ ଦେଖିବାକୁ ଇଚ୍ଛା ହୁଏ । ତମେ ଦୁଇଜଣ ଯେମିତି ଭାଇ ଭଉଣୀ–ଗୋଟିଏ ବୃନ୍ତରେ ଦୁଇଟି ଫୁଲ । ତମ ଉଭୟଙ୍କର ଚରିତ୍ର ମହାଦେବଙ୍କ ଦାରିଦ୍ର୍ୟ ପରି । ଟଙ୍କା ପଇସା ଐଶ୍ୱର୍ଯ୍ୟ ସମ୍ପଦ ଅପରିସୀମ, କିନ୍ତୁ ଅନ୍ୟମନସ୍କ ପରି ସବୁ ଫିଙ୍ଗି ଆସିଛ ଯେମିତି । ଖୋଜି ଦେଖିବାର ଗରଜ ନାହିଁ, ଏମିତି କ୍ଷୁଦ୍ର ସେ ସବୁ ।’

 

କମଳ ହସି ହସି କହିଲା–ଏ କଥା କ’ଣ କହୁଛନ୍ତି ? ରାଜେନ୍‍ କଥା ଜଣେନି–କିନ୍ତୁ ମୁଁ ତ ଦୁଇ ପଇସା ପାଇବା ପାଇଁ ଦିନ ରାତି ଖାଟେ ।

 

ଆଶୁ ବାବୁ କହିଲେ–ସେଇ କଥା ମୁଁ ସମୟେ ସମୟେ ଭାବେ ।

 

ସେ ଦିନ ଘରକୁ ଫେରିବାକୁ କମଳର ବହୁତ ଡେରି ହେଲା । ଆସିଲା ବେଳକୁ ଆଶୁ ବାବୁ କହିଲେ–‘ସେ ମତେ କେବେ ଛାଡ଼ିନି, ଆଜି ବି ଛାଡ଼ିବନି । ନିରୁପାୟର ସେ ନିଶ୍ଚୟ ଉପାୟ କରିଦେବ ।’ ଏହା କହି କାନ୍ଥରେ ପତ୍ନୀଙ୍କ ଛବିଟା ଦେଖାଇ ଦେଲେ ।

 

କମଳ ବସାରେ ପହଞ୍ଚି ଦେଖିଲା–ସହଜରେ ଘରକୁ ପଶିବାର ବାଟ ନାହିଁ, ଧାଡ଼ି ଧାଡ଼ି ଟ୍ରଙ୍କ ବାକ୍ସରେ ରାସ୍ତା ବନ୍ଦ । ବୁକୁ ଭିତରଟା ଚାଇଁକିନା ହୋଇଗଲା । କୌଣସିମତେ ଉପରକୁ ଯାଇ ଶୁଣିଲା–ପାଖ ଘରୁ କଥାବାର୍ତ୍ତା ଶୁଭୁଛି । ଉଙ୍କି ମାରି ଦେଖିଲା–ଅଜିତ୍‍ ହିନ୍ଦୁସ୍ଥାନୀ ଝି ସାହାଯ୍ୟରେ ଷ୍ଟୋଭରେ ପାଣି ବସେଇଛି ଏବଂ ଘର ସାରା ଓଲଟ ପାଲଟ କରି କ’ଣ ଖୋଜୁଛି । ଯାଇ ପଚାରିଲା–ଏ କି ଘଟଣା ?

 

ଅଜିତ୍‍ କହିଲା–ତମେ କ’ଣ ଚାହା ଚିନି ଲୁହା ସିନ୍ଦୁକରେ ବନ୍ଦ କରି ରଖ ? ପାଣିଟା ସିଝି ସିଝି ମରିବା ଉପରେ ।

 

‘କିନ୍ତୁ ଆପଣ ମୋ ଘରେ ଖୋଜିଲେ ପାଇବେ କେଉଁଠୁ ? ଉଠନ୍ତୁ, ମୁଁ କରି ଦେଉଛି ।’

 

ଅଜିତ୍‍ ଉଠି ଆସିଲା ।

 

କମଳ କହିଲା–କିନ୍ତୁ ଏସବୁ କାହାର ? ଏ ବାକ୍ସ, ଟ୍ରଙ୍କ୍, ବୁଜୁଳା କାହାର ?

 

‘ମୋର । ହରେନ୍ଦ୍ର ବାବୁ ବିଦା କରିଦେଲେ ।’

 

‘ସେ ତ ବିଦା କରିଦେଲେ–ଏଠିକି ଆସିବାକୁ ବୁଦ୍ଧି କିଏ ଦେଲା ?’

 

‘ଏଇଟା ନିଜର ବୁଦ୍ଧି । ଏତେ ଦିନ ପରବୁଦ୍ଧିରେ ଦିନ କଟିଲା, ଏଥର ନିଜ ବୁଦ୍ଧି ଖୋଜି ବାହାର କରିଛି ।’

 

କମଳ କହିଲା–ବେଶ୍ କଲେ । କିନ୍ତୁ ସେଗୁଡ଼ା କ’ଣ ସବୁ ତଳେ ପଡ଼ିଥିବ ? ଚୋରୀ ଯିବ ଯେ ।

 

ଶୁଣି ଅଜିତ୍‍ ବ୍ୟସ୍ତ ହୋଇ ପଡ଼ିଲା । କହିଲା–ଯାଇନି ତ ! ଗୋଟାଏ ଚମଡ଼ା ବାକ୍ସରେ ଅନେକଗୁଡ଼ାଏ ଟଙ୍କା ଅଛି ।

 

କମଳ କହିଲା–ଭଲ । ଗୋଟାଏ ଜାତିର ମଣିଷ ଅଶି ବର୍ଷରେ ବି ସାବାଳକ ହୁଅନ୍ତି ନାହିଁ । ସେମାନଙ୍କ ମୁଣ୍ଡ ଉପରେ ସବୁବେଳେ ଜଣେ ଅଭିଭାବକ ଦରକାର । ଏ ବ୍ୟବସ୍ଥା ସବୁବେଳେ ଭଗବାନ କୃପା କରି କରିଦିଅନ୍ତି । ଚାହା ଥାଉ, ତଳକୁ ଆସନ୍ତୁ, ସେଗୁଡ଼ାକ ଆଣିବାର ବ୍ୟବସ୍ଥା କରିବା ।

 

(ସତେଇଶି)

 

ଘରବାଲା ପୂରାମାସର ଭଡ଼ା ତୁଟେଇ ନେଲା । ଇତସ୍ତତଃ ବିକ୍ଷିପ୍ତ ଜିନିଷପତ୍ର ମଝିରେ ଘରର ଗୋଟାଏ ପାଖରେ କାନ୍‍ଭାସ୍‍ ଚଉକି ଉପରେ ବସିଛି ଅଜିତ୍‍ । ମୁହଁ ଶୁଖି ଯାଇଛି, ଦେଖିଲେ ମନେହେବ ବୋଧହୁଏ ଚିନ୍ତାଗ୍ରସ୍ତ । କମଳ ବନ୍ଧାବନ୍ଧି କରି ଜିନିଷଗୁଡ଼ାର ତାଲିକା ଲେଖି ରଖୁଥିଲା–ସ୍ଥାନ ତ୍ୟାଗ ପାଇଁ ତା’ର ଚାଞ୍ଚଲ୍ୟ ନାହିଁ, ଯେମିତି ନିତିଦିନିଆ ଘଟଣା । କେବଳ ସବୁ ଚୁପ୍‍ଚାପ୍‍ ।

 

ସାନ୍ଧ୍ୟଭୋଜନ ପାଇଁ ହରେନ୍ଦ୍ରର ନିମନ୍ତ୍ରଣ ଆସି ପହଞ୍ଚିଲା, କାହା ହାତରେ ନୁହେଁ–ଡାକରେ । ଅଜିତ୍‍ ଚିଠିଟା ପଢ଼ିଲା । ଆଶୁ ବାବୁଙ୍କ ବିଦାୟ ପାଇଁ ଏହି ଆୟୋଜନ । ପରିଚିତ ଅନେକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ତଳେ ଚିଠିରେ ଗୋଟିଏ କୋଣରେ ଛୋଟ ଅକ୍ଷରରେ ଲେଖାଯାଇଛି–‘କମଳ, ନିଶ୍ଚୟ ଆସିବ । ନୀଳିମା ।’

 

ଅଜିତ୍‍ ତାକୁ ଦେଖାଇ କହିଲା–ଯିବ କି ?

 

‘ନିଶ୍ଚୟ ଯିବି । ନିମନ୍ତ୍ରଣ ଜିନିଷକୁ ତୁଚ୍ଛ କଲା ଭଳି ଦାମୀ ଲୋକ ମୁଁ ନୁହେଁ । କିନ୍ତୁ ତମେ ।’

 

ଅଜିତ୍‍ ଦ୍ଵିଧା ସହ କହିଲା–ସେଇ କଥା ଭାବୁଛି । ଆଜି ଦେହଟା ଭଲ ଲାଗୁନି–କିଛି ଲାଭ ନାହିଁ ଯିବାରେ ।

 

ଅଜିତ୍‍ ସେ ପର୍ଯ୍ୟନ୍ତ ଚିଠିଟାକୁ ଚାହିଁ ରହିଥିଲା–ନ ହେଲେ କମଳର ଓଠରେ ହସର ଯେ ରେଖା ଉଦୟ ହୋଇ ଲିଭିଗଲା, ତାକୁ ଦେଖି ପାରିଥାନ୍ତା ।

 

ଯେଭଳି ହେଉ, ବନ୍ଧୁ ମହଲରେ ପ୍ରଚାର ହୋଇଯାଇଛି ଯେ ଉଭୟେ ଆଗ୍ରା ଛାଡ଼ି ଚାଲି ଯାଉଛନ୍ତି । କିନ୍ତୁ କିଭଳି ଯିବେ ଓ କେଉଁଠିକୁ ଯିବେ, ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ କଥା କେହି ଜାଣନ୍ତି ନାହିଁ । ଅଥଚ ଜାଣିବା ମୋଟେ କଠିନ ନୁହେଁ–କମଳକୁ ପଚାରିଥିଲେ ସେ କହିଥାନ୍ତା ଯେ ଗନ୍ତବ୍ୟସ୍ଥଳ ଆପାତତଃ ଅମୃତସହର । ତେବେ କେହି ପଚାରିବାକୁ ସାହସ କରି ନାହାଁନ୍ତି ।

 

ଅଜିତ୍‍ର ବାପା ଗୁରୁଗୋବିନ୍ଦଙ୍କ ଭକ୍ତ ଥିଲେ । ତେଣୁ ଶିଖ୍ ଧର୍ମପୀଠ ଅମୃତସହରର ଖାଲ୍‍ସା କଲେଜ ପାଖରେ ଗୋଟିଏ ବଙ୍ଗଳା ସେ ତିଆରି କରିଥିଲେ । ସମୟ ଓ ସୁବିଧା ଅନୁଯାୟୀ ସେଠାରେ ରହୁଥିଲେ । ତାଙ୍କ ମୃତ୍ୟୁ ପରେ ସେ ଘରଟା ଭଡ଼ା ଲାଗୁଥିଲା, ବର୍ତ୍ତମାନ ଖାଲି ଅଛି । ସେ ଘରେ ଉଭୟେ ଯାଇ କିଛିଦିନ ରହିବେ । ମାଲପତ୍ର ଲରିରେ ଯିବ ଏବଂ ପରେ ଶେଷ ରାତ୍ରିରେ ଉଭୟେ କାରରେ ଯିବେ । ସେଇ ପ୍ରଥମ ଦିନର ସ୍ମୃତି–ଏଟା କମଳର ଇଛା ।

 

ଅଜିତ୍‍ କହିଲା–ହରେନ୍ଦ୍ର ବସାକୁ ତମେ କ’ଣ ଏକୁଟିଆ ଯିବ ?

 

‘ଆଜି ପାଇଁ ଅନ୍ତତଃ ନିଶ୍ଚୟ ଯିବି । ଆଶ୍ରମ ଦ୍ଵାର ତ ତମ ପାଇଁ ସବୁବେଳେ ଖୋଲା–ଯେତେବେଳେ ଇଚ୍ଛା ଯାଇ ଦେଖା କରି ଆସିବ । ମୋର ତ ସେ ଆଶା ନାହିଁ, ଶେଷଥର ପାଇଁ ସମସ୍ତଙ୍କୁ ଦେଖି ଆସିବି । କ’ଣ କହୁଛ ?’

 

ଅଜିତ୍‍ ଚୁପ୍ ରହିଲା । ସ୍ପଷ୍ଟ ଦେଖି ପାରିଲା ଯେ ସେଠି ନାନା ତୀକ୍ଷ୍ଣ ଓ ତିକ୍ତ ଇଙ୍ଗିତ ଆଜି କେବଳ ଗୋଟିଏ ବ୍ୟକ୍ତିପ୍ରତି ଲକ୍ଷ କରି ଛୁଟି ଆସିବ–ତା’ ସମ୍ମୁଖରେ ଏଇ ଏକାକିନୀ ରମଣୀକୁ ଯିବା ଦେବା ସମ୍ପୂର୍ଣ୍ଣ କାପୁରୁଷତା ଛଡ଼ା ଅନ୍ୟ କିଛି ନୁହେଁ । କିନ୍ତୁ ସାଙ୍ଗରେ ଯିବାର ସାହସ ନାହିଁ, ନିଷେଧ କରିବା ବି କଠିନ ।

 

ନୂଆଗାଡ଼ି କିଣା ହୋଇଛି–ସନ୍ଧ୍ୟାରେ କିଛି ସମୟପରେ ଡ୍ରାଇଭର କମଳକୁ ନେଇ ଚାଲିଗଲା ।

 

ହରେନ୍ଦ୍ର ଘରେ ଉପର ମହଲାରେ କାର୍ପେଟ୍ ପଡ଼ି ଅତିଥିମାନଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଛି । ଆଲୁଅ ଜଳୁଛି, କୋଳାହଳ ଅନେକ । ମଝିରେ ଆଶୁ ବାବୁ ବସିଛନ୍ତି ଓ ତାଙ୍କ ଚାରି ପାଖରେ ଘେରି କେତେଜଣ ଆଗନ୍ତୁକ ବସିଛନ୍ତି । ବେଳା ଓ ମାଜିଷ୍ଟ୍ରେଟ୍‍ଙ୍କ ସ୍ତ୍ରୀ ମାଳିନୀ ବି ଆସିଛନ୍ତି । କିଏ ଜଣେ ଭଦ୍ର ଲୋକ ସେମାନଙ୍କ ସହ ଗଳ୍ପ କରୁଛନ୍ତି । ନୀଳିମା ନାହିଁ–ବୋଧହୁଏ କାର୍ଯ୍ୟବ୍ୟସ୍ତ ।

 

ହରେନ୍ଦ୍ର ଘରେ ପ୍ରବେଶ କଲା ଓ ପହଞ୍ଚି ଦେଖିଲା ଯେ ଦ୍ଵାର ପାଖରେ କମଳ ଠିଆ ହେଇଛି । ଉଚ୍ଛ୍ୱସିତ କଣ୍ଠରେ କହିଲା–ଆରେ, କମଳ ଯେ ? କେତେବେଳେ ଆସିଲ ? ଅଜିତ୍‍ କାହିଁ ?

 

ସମସ୍ତଙ୍କ ଆଖି କମଳ ଉପରେ ପଡ଼ିଲା । କମଳ ଦେଖିଲା, ଯେ ଭଦ୍ରବ୍ୟକ୍ତି ବେଳା ଓ ମାଳିନୀ ସହ କଥାବାର୍ତ୍ତା କରୁଥିଲେ ସେ ଆଉ କେହି ନୁହେଁ ଅକ୍ଷୟ । କିଞ୍ଚିତ୍ ଶୀର୍ଣ୍ଣ ।

 

ଇନ୍‍ଫ୍ଲୁଏଞ୍ଜା ଏଡ଼ି ଦେଇଛନ୍ତି–କିନ୍ତୁ ମ୍ୟାଲେରିଆକୁ ଏଡ଼ି ପାରି ନାହାନ୍ତି । ଭଲହେଲା ଯେ ସେ ଫେରିଆସିଛନ୍ତି, ନ ହେଲେ ହୁଏତ ଶେଷ ଦେଖା ହୋଇପାରି ନ ଥାନ୍ତା ।

 

କମଳ କହିଲା–ଅଜିତ୍‍ ବାବୁ ଆସି ନାହାନ୍ତି–ତାଙ୍କ ଦେହ ଭଲ ନାହିଁ । ମୁଁ ଅନେକ ବେଳୁ ଆସିଲିଣି ।

 

‘ଅନେକ ବେଳୁ ? କେଉଁଠି ଥିଲ ?’

 

‘ତଳେ ପିଲାମାନଙ୍କ ଘରଗୁଡ଼ିକ ବୁଲି ବୁଲି ଦେଖୁଥିଲି, ଦେଖୁଥିଲି–ଧର୍ମକୁତ ଫାଙ୍କି ଦେଲେ, କର୍ମକୁ ଫାଙ୍କି ଦେଇଛନ୍ତି କି ନାହିଁ ?’

 

ସେ ଯେପରି ବର୍ଷାକାଳୀନ ବନ୍ୟଲତା । ପରର ପ୍ରୟୋଜନ ପାଇଁ ନୁହେଁ, ନିଜର ପ୍ରୟୋଜନରେ ଆତ୍ମରକ୍ଷାର ସମସ୍ତ ଶକ୍ତି ସଞ୍ଚୟ କରି ମାଟି ଫୁଟେଇ ଊର୍ଦ୍ଧ୍ୱରେ ମୁଣ୍ଡ ଟେକିଛି । ପାରିପାର୍ଶ୍ୱିକ ବିରୁଦ୍ଧତାର ଭୟନାହିଁ, ଭାବନା ନାହିଁ–କଣ୍ଟାବାଡ଼ ଦେଇ ସଯତ୍ନରେ ବଞ୍ଚାଇ ରଖିବାର ପ୍ରଶ୍ନ ଉଠେନା । ଘରେ ଆସି କେତେ ସମୟ ବା ପହଞ୍ଚିଲା । ତଥାପି ମନେହେଲା ରୂପ, ରସ, ଗୌରବର ସ୍ଵକୀୟ ମହିମାରେ ସେ ଆଲୋକିତା ।

 

ଠିକ୍ ଏଇ ଭାବ ହରେନ୍ଦ୍ରର କଥାରେ ପ୍ରକାଶ ପାଇଲା । ଆଉ ଦୁଇଟି ନାରୀଙ୍କ ଆଗରେ ହୁଏତ ଶାଳୀନତା ଜନିତ ତ୍ରୁଟି ହେଲା–କିନ୍ତୁ ଆବେଗରେ ସେ କହି ପକାଇଲା ‘ବର୍ତ୍ତମାନ ଆମର ବିଦାୟ ସଭାଟି ସମ୍ପୂର୍ଣ୍ଣ ହେଲା । କମଳ ଛଡ଼ା ଆଉ ଏମିତି କିଏ କହନ୍ତା ।’

 

ଅକ୍ଷୟ କହିଲା–କାହିଁକି ? ଦର୍ଶନ ଶାସ୍ତ୍ରର କେଉଁ ସୂକ୍ଷ୍ମତତ୍ତ୍ୱ ଏଥିରେ ପରିସ୍ଫୁଟ ହେଲା ?

 

କମଳ ହସି ହସି ହରେନ୍ଦ୍ରକୁ କହିଲା–ଏଥର କହନ୍ତୁ ? ଦିଅନ୍ତୁ ଜବାବ୍ ?

 

ହରେନ୍ଦ୍ର ଓ ଅନ୍ୟ ସମସ୍ତେ ହସି ପକାଇଲେ ।

 

ଅକ୍ଷୟ ରୁକ୍ଷ କଣ୍ଠରେ କହିଲା–କ’ଣ କମଳ ? ମତେ ଚିହ୍ନିପାରୁଛ ତ ?

 

ଆଶୁ ବାବୁ ମନେମନେ ବିରକ୍ତ ହୋଇ କହିଲେ–ତୁମେ ଚିହ୍ନି ପାରିଲେ ହେଲା । ତମେ ତାକୁ ଚିହ୍ନିପାରୁଛ ତ ଅକ୍ଷୟ ?

 

କମଳ କହିଲା–ଏଭଳି ପ୍ରଶ୍ନ କରିବା ଅନ୍ୟାୟ ଆଶୁ ବାବୁ । ମଣିଷ ଚିହ୍ନିବା ତାଙ୍କର ନିଜସ୍ଵ ବୃତ୍ତି । ତା’ ସମ୍ପର୍କରେ ସନ୍ଦେହ କରିବା ଅର୍ଥ ତାଙ୍କ ପେଷା ମୂଳରେ ଆଘାତ କରିବା ।

 

କମଳ ଏପରି କହିଲା ଯେ ଆଉ କେହି ହସ ଚାପି ପାରିଲେ ନାହିଁ–କିନ୍ତୁ କାଳେ ଅକ୍ଷୟ ପ୍ରତ୍ୟୁତ୍ତରରେ କିଛି କୁତ୍ସିତ ମନ୍ତବ୍ୟ ପ୍ରକାଶ କରିବ, ଏଇ ଭୟରେ ସମସ୍ତେ ପରକ୍ଷଣରେ ଶଙ୍କିତ ହୋଇ ଉଠିଲେ । ଆଜି ଅକ୍ଷୟକୁ ନିମନ୍ତ୍ରଣ କରିବା ପାଇଁ ହରେନ୍ଦ୍ରର ଇଚ୍ଛା ନ ଥିଲା–କିନ୍ତୁ ସେ ଅନେକ ଦିନ ପରେ ଫେରିଛି, ନ ଡାକିଲେ ସୁନ୍ଦର ହେବନି ଭାବି ଅନିଚ୍ଛା ସତ୍ତ୍ୱେ ନିମନ୍ତ୍ରଣ କରିଛି । ତେଣୁ ସେ ହାତ ଯୋଡ଼ି କହିଲା–ଆମ ଏ ସହରରୁ, ହୁଏତ ଆମ ଦେଶରୁ ଆଶୁ ବାବୁ ଛାଡ଼ି ଚାଲି ଯାଉଛନ୍ତି । ତାଙ୍କ ସହ ପରିଚିତ ହେବା ଯେକୌଣସି ବ୍ୟକ୍ତି ପକ୍ଷରେ ଭାଗ୍ୟର ବିଷୟ । ସେ ସୌଭାଗ୍ୟ ଆମର ହୋଇଛି । ଆଜି ତାଙ୍କ ଦେହ ଅସୁସ୍ଥ, ମନ ଅବସନ୍ନ, ଆଜି ଯେପରି ଆମେ ସହଜ ସୌଜନ୍ୟ ଭିତରେ ତାଙ୍କୁ ବିଦାୟ ଦେଇ ପାରିବା ।

 

ଏ କଥା ଶୁଣି ଆଶୁ ବାବୁ ଅତ୍ୟନ୍ତ ସଙ୍କୁଚିତ ବୋଧ କଲେ । କାଳେ ତାଙ୍କ ସମ୍ପର୍କରେ କଥାବାର୍ତ୍ତା ବଢ଼ିଚାଲିବ, ଏଇ ଭୟରେ ସେ ତରତରରେ କହିଲେ–ଅକ୍ଷୟ, ତମେ ବୋଧହୁଏ ଶୁଣିଛ–ହରେନ୍ଦ୍ରର ବ୍ରହ୍ମଶ୍ଚର୍ଯ୍ୟ ଆଶ୍ରମଟା ଭାଙ୍ଗି ଯାଇଛି । ରାଜେନ୍ଦ୍ର ଆଗରୁ ଚାଲିଯାଇଥିଲା, ସେଦିନ ସତୀଶ୍ ବି ଚାଲିଗଲା । ଯେ କେତୋଟି ପିଲା ଆଉ ଅଛନ୍ତି, ସେମାନଙ୍କୁ ସରଳ ସହଜ ପନ୍ଥାରେ ମଣିଷ କରିବା ହରେନ୍ଦ୍ରର ଅଭିଳାଷ । ତମେ ସମସ୍ତେ ଅନେକ ଦିନ ଅନେକ କଥା କହିଛ–କିଛି ଫଳ ହୋଇନି । ଏଥିପାଇଁ କମଳକୁ ଧନ୍ୟବାଦ ଦେବା ଉଚିତ ।

 

ଅକ୍ଷୟ ଶୁଷ୍କ ହସ ହସି କହିଲା–ଶେଷ କାଳରେ ବୋଧହୁଏ ତାଙ୍କର କଥାରେ ଫଳ ଫଳିଲା । କିନ୍ତୁ ଯାହା କହନ୍ତୁ ଆଶୁ ବାବୁ, ମୁଁ ଆଶ୍ଚର୍ଯ୍ୟ ହୋଇନି । ଏଇଟା ଅନେକ ପୂର୍ବରୁ ଆଶା କରିଥିଲି ।

 

‘ହରେନ୍ଦ୍ର କହିଲା–କରିବା କଥା । ମଣିଷ ଚିହ୍ନିବା ତ ଆପଣଙ୍କର ପେଶା ।’

 

ଆଶୁ ବାବୁ କହିଲେ–ତଥାପି ମୋର ମନେହୁଏ–ଭାଙ୍ଗିବାର ଆବଶ୍ୟକତା ନ ଥିଲା । ସମସ୍ତ ଧର୍ମର ମୂଳ ଏକ, ସିଦ୍ଧିଲାଭ ପାଇଁ ଏ କେବଳ କେତେଗୁଡ଼ିଏ ପ୍ରାଚୀନ ଆଚାର ଅନୁଷ୍ଠାନ ପ୍ରତିପାଳନ କରିବା କଥା । ଯେଉଁମାନେ ମାନନ୍ତି ନାହିଁ ବା କରିପାରନ୍ତି ନାହିଁ–ସେମାନେ ନ କଲେ ନାହିଁ, କିନ୍ତୁ ଯାହାଙ୍କର ଅଧ୍ୟବସାୟ ଅଛି, ସେମାନଙ୍କୁ ନିରୁତ୍ସାହିତ କରିବ କାହିଁକି ? ନା କ’ଣ କହୁଛ ଅକ୍ଷୟ ?

 

ଅକ୍ଷୟ କହିଲା–ନିଶ୍ଚୟ ।

 

କମଳ ପ୍ରତି ଚାହିଁବାରୁ ସେ କହିଲା–ନା ଆଶୁ ବାବୁ, ଏ ଆପଣଙ୍କର ତ ବିଶ୍ଵାସର କଥା ନୁହେଁ, ବରଂ ଅବିଶ୍ଵାସ ଅବହେଳାର କଥା । ଏମିତି ଭାବିଥିଲେ ମୁଁ ଆଶ୍ରମ ବିରୁଦ୍ଧରେ ପଦେ କଥା କହି ନ ଥା’ନ୍ତି; କିନ୍ତୁ ଆଚାର ଅନୁଷ୍ଠାନ ଯେ ମଣିଷର ଧର୍ମଠାରୁ ଅଧିକ–ଯେପରି ରାଜାଠାରୁ ରାଜାଙ୍କ କର୍ମଚାରୀ ଦଳ–ତା’ ମୁଁ ମାନି ପାରିବିନି ।

 

ଆଶୁ ବାବୁ କହିଲେ ତା’ବୋଲି କ’ଣ ତୁମର ଉପମାକୁ ମୁଁ ଯୁକ୍ତି ବୋଲି ମାନିନେବି ?

 

କମଳ କହିଲା–ଏ କ’ଣ କେବଳ ଉପମା, ଆଉ କିଛି ନୁହେଁ । ସକଳ ଧର୍ମ ଯେ ଏକ, ତା’ ମୁଁ ମାନେ । ସବୁ ସମୟରେ, ସବୁ ଦେଶରେ ସେଇ ଗୋଟିଏ ଅଜ୍ଞେୟ ବସ୍ତୁ ପାଇଁ ଅସାଧ୍ୟ ସାଧନା । ମୁଠା ଭିତରେ ତାକୁ ଧରି ହୁଏନା । ଆଲୋକ ପବନ ନେଇ ମଣିଷର ବିବାଦ ନାଇଁ–ବିବାଦ ଭାତ ମୁଠାକ ପାଇଁ, ଯାହାକୁ ଧରିହୁଏ, ଦଖଲ କରି ମୌରସୀ ସମ୍ପତ୍ତି କରିହୁଏ । ସେଥିପାଇଁ ଜୀବନରେ ତା’ର ପ୍ରୟୋଜନ ଖୁବ୍ ବେଶୀ । ବିବାହର ମୂଳ ଉଦ୍ଦେଶ୍ୟ ଯେ ଏକ, ଏ କଥା ତ ସମସ୍ତେ ଜାଣନ୍ତି, କିନ୍ତୁ ମାନନ୍ତି କି ? ଆପଣ କହନ୍ତୁନା ଅକ୍ଷୟ ବାବୁ, ସତ କି ନୁହେଁ ? ଏହା କହି ସେ ହସିବାକୁ ଲାଗିଲା ।

 

ଏହାର ଅର୍ଥ ସମସ୍ତେ ବୁଝିଲେ; କ୍ରୁଦ୍ଧ ଅକ୍ଷୟ କିଛି ଗୋଟାଏ କଡ଼ା କଥା କହିବା ପାଇଁ ଚେଷ୍ଟା କଲା–କିନ୍ତୁ ପାରିଲା ନାହିଁ ।

 

ଆଶୁ ବାବୁ କହିଲେ–ଅଥଚ ତମେ ତ କମଳ, ସମସ୍ତ ଆଚାରାନୁଷ୍ଠାନକୁ ଅବଜ୍ଞା କର ଏବଂ କିଛି ମାନ ନାହିଁ । ସେଥିପାଇଁ ତ ତମକୁ ବୁଝିବା ଏଡ଼େ କଷ୍ଟ ।

 

କମଳ କହିଲା–ମୋଟେ ଶକ୍ତ ନୁହେଁ । ଟିକିଏ ସାମ୍ନାରୁ ପର୍ଦ୍ଦାଟା ଘୁଞ୍ଚାଇ ଦିଅନ୍ତୁ, ଆଉ କେହି ନ ବୁଝନ୍ତୁ, ଆପଣଙ୍କର ବୁଝିବା ପାଇଁ କଷ୍ଟ ହେବ ନାହିଁ । ନ ହେଲେ ମୁଁ ବା କିଭଳି ଆପଣଙ୍କ ସ୍ନେହ ପାଇ ପାରିଥାନ୍ତି ? ମଝିରେ ଯେ କୁହୁଡ଼ି ନାହିଁ ତା’ ନୁହେଁ, ତଥାପି ତ ପାଇଲି । ମୁଁ ଜାଣେ, ମୁଁ କହିଲେ ଆପଣଙ୍କୁ କଷ୍ଟ ଲାଗେ; ମୁଁ ତ କିନ୍ତୁ ଆଚାର ଅନୁଷ୍ଠାନକୁ ମିଥ୍ୟା ବୋଲି ଉଡ଼ାଇ ଦେବାକୁ ଚାହେଁନା । ମୁଁ ଚାହେଁ ତା’ର ପରିବର୍ତ୍ତନ । କାଳ ଧର୍ମରେ ଆଜି ଯାହା ଅଚଳ, ଆଘାତ କରି ତାକୁ ସଚଳ କରିବାକୁ ଚାହେଁ । ଏଇ ଯେ ଅବଜ୍ଞା, ଏଟା କେବଳ ମୁଁ ତା’ର ମୂଲ୍ୟ ବୁଝେ ବୋଲି । ମିଥ୍ୟା ବୋଲି ଜାଣିଥିଲେ, ମିଥ୍ୟା ସହ ସ୍ୱର ମିଳାଇ ମିଥ୍ୟା ଶ୍ରଦ୍ଧାରେ ଅନ୍ୟ ସମସ୍ତଙ୍କ ସହ ସାରା ଜୀବନ ମାନି ଚଳିଥାନ୍ତି–ଟିକିଏ ବି ବିଦ୍ରୋହ କରନ୍ତି ନାହିଁ ।

 

କିଛି ସମୟ ପରେ ପୁଣି କହିଲା–ଇଉରୋପର ସେଇ ରେନେସାଁ ସମୟ କଥା ମନେକରନ୍ତୁ ତ ? ସେମାନେ ନୂତନ ସୃଷ୍ଟି କରିବାକୁ ଗଲେ, ଅଥଚ କେବଳ ହାତ ଦେଲେନି ଆଚାର ଅନୁଷ୍ଠାନରେ । ପୁରୁଣା ଦେହରେ ତଟକା ରଙ୍ଗମାରି ତାକୁ ପୂଜା କରିବାକୁ ଲାଗିଲେ–ତେଣୁ ତା’ର ଚେର ଭିତରକୁ ପ୍ରବେଶ କଲାନାହିଁ–ସୌଖୀନ ଫ୍ୟାଶନ୍ ହୋଇ ଦୁଇ ଦିନ ପରେ ମିଳେଇ ଗଲା । ମୋର ଭୟଥିଲା ହରେନ୍ଦ୍ର ବାବୁଙ୍କ ଉଚ୍ଚ ଅଭିମାନ ବୋଧହୁଏ ଏହିଭଳି ଫାଙ୍କା ହୋଇଯିବ; କିନ୍ତୁ ଆଉ ଭୟ ନାହିଁ, ସେ ସମ୍ଭାଳି ନେଲେଣି ।

 

ହରେନ୍ଦ୍ର ଏ କଥାରେ ଖୁସି ହୋଇପାରିଲା ନାହିଁ, ଗମ୍ଭୀର ହୋଇ ବସି ରହିଲା । ସେ କାମଟା କରିଛି ସତ, କିନ୍ତୁ ଭିତରେ କେମିତି ଖଟ୍‍କା ଲାଗୁଛି । କହିଲା–ମୁସ୍କିଲ ଏଇ ଯେ ତୁମେ ଭଗବାନ ମାନ ନାହିଁ, ମୁକ୍ତିରେ ବିଶ୍ୱାସ କରନା । କିନ୍ତୁ ଯେଉଁମାନେ ଏଇ ଅଜ୍ଞେୟ ବସ୍ତୁ ସାଧନାରେ ବ୍ୟାପୃତ, ଏଇ ତତ୍ତ୍ଵ ନିରୂପଣରେ ବ୍ୟଗ୍ର, ସେମାନଙ୍କର କଠିନ ନିୟମ ଓ କଠୋର ଆଚାର ଭିତରେ ନ ଚଳିଲେ ନ ହୁଏ । ଆଶ୍ରମ ଉଠାଇ ଦେବାର ଅହଙ୍କାର ମୋର ନାହିଁ । ସେ ଦିନ ସେତେବେଳେ ସତୀଶ୍‍ ପିଲାମାନଙ୍କୁ ନେଇ ଚାଲିଗଲା, ସେତିକି ବେଳଠାରୁ ମୁଁ ଭିତରେ ଭିତରେ ଦୁର୍ବଳ ଅନୁଭବ କରୁଛି ।

 

‘ତା’ହେଲେ ଭଲ କରିନାହାନ୍ତି ହରେନ୍ଦ୍ର ବାବୁ । ବାବା କହନ୍ତି, ଯାହାଙ୍କର ଭଗବାନ ଯେତେ ସୂକ୍ଷ୍ମ, ଯେତେ ଜଟିଳ, ସେମାନେ ସେତିକି ବେଶୀ ଜଡ଼ିତ ହୋଇ ଯାଆନ୍ତି । ଯାହାର ମତ ସ୍ଥୂଳ, ସହଜ–ସେମାନେ କୂଳ ପାଖରେ ଥା’ନ୍ତି । ଏ ତ ଲୋକସାନ ହେବା କଥା । ବ୍ୟବସାୟ ଯେତେ ବିସ୍ତୃତ ଓ ବ୍ୟାପକ ହୁଏ, କ୍ଷତିର ପରିମାଣ ସେତିକି ବଢ଼ିଚାଲେ । ତାକୁ କମେଇ ଦେଲେ ଲାଭ ନ ହେଲେ ବି କ୍ଷତିର ପରିମାଣ କମିଯାଏ । ହରେନ୍ଦ୍ର ବାବୁ, ଆପଣଙ୍କ ସତୀଶ୍‍ ବାବୁଙ୍କ ସଙ୍ଗେ କଥାବାର୍ତ୍ତା କରି ମୁଁ ବୁଝିଛି–ଆଶ୍ରମରେ ବହୁଧରଣର ପ୍ରାଚୀନ ନିୟମ ସେ ପ୍ରବର୍ତ୍ତନ କରିଥିଲେ । ତାଙ୍କର ଇଚ୍ଛାଥିଲା ସେ ଯୁଗକୁ ଫେରିଯିବା ପାଇଁ । ଭାବିଥିଲେ, ପୃଥିବୀର ବୟସରୁ ଦୁଇହଜାର ବର୍ଷ ପୋଛି ପକାଇଲେ ପରମ ଐଶ୍ୱର୍ଯ୍ୟ ଆସିବ । ଏଇଭଳି ଲାଭର ଫନ୍ଦି ଦିନେ ବିଲାତରେ ଦଳେ ପିଉରିଟାନ୍ କରିଥିଲେ । ଭାବିଥିଲେ, ଆମେରିକାକୁ ଚାଲିଗଲେ ସତର ଶହ ବର୍ଷ ଘୁଞ୍ଚାଇ ଦେଇ ନିର୍ଦ୍ଵନ୍ଦ୍ୱରେ ବାଇବେଲ୍‍ର ସତ୍ୟଯୁଗ ଗଢ଼ିବେ । ସେମାନଙ୍କ ଲାଭକ୍ଷତିର ହିସାବ ଆଜି ଆଉ କାହାକୁ ଅଜଣା ନାହିଁ –କେବଳ କେତେକ ମଠଧାରୀ ଜାଣି ପାରନ୍ତିନି ଯେ ଗତ ଯୁଗର ଦର୍ଶନ ଦେଇ ଯେତେବେଳେ ବର୍ତ୍ତମାନ ବିଧିବିଧାନର ସମର୍ଥନ ଚଳେ, ସେତେବେଳେ ପ୍ରକୃତ ଭାଙ୍ଗିବାର ଦିନ ଆସେ । ହରେନ୍ଦ୍ର ବାବୁ, ଆପଣଙ୍କ ଆଶ୍ରମର ହୁଏତ ଅନେକ କ୍ଷତି କରିଛି, କିନ୍ତୁ ଭଙ୍ଗା ଆଶ୍ରମରେ ଯେଉଁମାନେ ବାକି ରହିଲେ, ସେମାନଙ୍କର କୌଣସି କ୍ଷତି କରିନି ।

 

ଅକ୍ଷୟ ଇତିହାସର ଅଧ୍ୟାପକ–ପିଉରିଟାନ୍‍ମାନଙ୍କର ଇତିହାସ ଜାଣେ । ସମସ୍ତେ ଚୁପ୍ ରହିଲେ, ସେ କେବଳ ଗମ୍ଭୀର ଭାବରେ ମୁଣ୍ଡ ହଲାଇ ସମ୍ମତି ଜଣାଇଲା ।

 

ଆଶୁ ବାବୁ କହିଲେ–କିନ୍ତୁ ସେ ଯୁଗର ଇତିହାସର ଉଜ୍ଜ୍ୱଳ ଛବି– ।

 

କମଳ ବାଧା ଦେଇ କହିଲା–ଯେତେ ଉଜ୍ଜ୍ୱଳ ହେଉ ପଛେ, ସେ କେବଳ ଛବି–ଏଭଳି ବହି ଏପର୍ଯ୍ୟନ୍ତ ପୃଥିବୀରେ ଲେଖା ହୋଇନି ଆଶୁ ବାବୁ, ଯହିଁରେ ସମାଜର ଯଥାର୍ଥ ପ୍ରାଣବତ୍ତାର ସନ୍ଧାନ ମିଳେ । ଆଲୋଚନା କରିହେବ, କିନ୍ତୁ ବହିକୁ ମିଳେଇ ସମାଜ ଗଢ଼ି ହେବନି । ଶ୍ରୀରାମଚନ୍ଦ୍ରଙ୍କ ଯୁଗରେ ନୁହେଁ କି ଯୁଧିଷ୍ଠିରଙ୍କ ଯୁଗରେ ନୁହେଁ । ରାମାୟଣ ମହାଭାରତରେ ଯେତେ କଥା ଲେଖାଥାଉନା କାହିଁକି, ତା’ର ପୃଷ୍ଠା ଓଲଟାଇଲେ ତହିଁରୁ ସାଧାରଣ ମଣିଷର ଛବି ମିଳିବ ନାହିଁ । ମାତୃଜଠର ଯେତେ ନିରାପଦ ହେଲେ ବି ସେଠାକୁ ଆଉ ଫେରିଯାଇ ହେବନି । ପୃଥିବୀର ସମସ୍ତ ମଣିଷ ଜାତିକୁ ନେଇ ତ ମଣିଷସଭ୍ୟତା ? ସେମାନେ ଆପଣଙ୍କର ଚାରିଦିଗରେ ବିଦ୍ୟମାନ । କମ୍ବଳ ଘୋଡ଼ାଇ ହେଲେ କ’ଣ ପବନଠାରୁ ରକ୍ଷା ମିଳିବ ?

 

ବେଳା ଓ ମାଳିନୀ ନିଃଶବ୍ଦରେ ଶୁଣୁଥିଲେ । କମଳ ସମ୍ପର୍କରେ ସେମାନେ ବହୁକଥା ଶୁଣିଛନ୍ତି, କିନ୍ତୁ ଆଜି ତାକୁ ପ୍ରତ୍ୟକ୍ଷ କରି ତା’ର ନିଃସଂଶୟ ନିର୍ଭୟତା ସମ୍ପର୍କରେ ସେମାନେ ମାନିବାକୁ ବାଧ୍ୟ ହେଲେ ।

 

ପର ମୁହୂର୍ତ୍ତରେ ଆଶୁ ବାବୁ ଠିକ୍‍ ଏଇ କଥା କହିଲେ । ଆସ୍ତେ ଆସ୍ତେ କହିଲେ–ତର୍କ କଲା ବେଳେ ମୁଁ ଯାହା କହେନା କାହିଁକି, ତମର ଅନେକ କଥା ମୁଁ ସ୍ଵୀକାର କରେ କମଳ । ଯାହା କରିପାରେନି, ତାକୁ ବି ଅବଜ୍ଞା କରିପାରେନି । ଏଇ ଘରକୁ ଆସିବା ପାଇଁ ସ୍ତ୍ରୀଲୋକମାନଙ୍କୁ ବାରଣ ଥିଲା, ଦିନେ ତମକୁ ନିମନ୍ତ୍ରଣ କରିଥିବାରୁ ସତୀଶ୍‍ ଅପବିତ୍ର ହୋଇଗଲା ବୋଲି କହୁଥିଲା; କିନ୍ତୁ ଆଜି ଆମେ ସମସ୍ତେ ନିମନ୍ତ୍ରିତ, କାହାର ଆସିବାରେ ବାଧା ନାହିଁ ।

 

ଗୋଟିଏ ବାଳକ ଆସି କବାଟ ପାଖରେ ଠିଆହେଲା । ପରିଚ୍ଛନ୍ନ ପୋଷାକ ପରିହିତ ମୁହଁରେ ଆନନ୍ଦ ଓ ତୃପ୍ତିର ଆଭାସ । କହିଲା–ନାନୀ କହିଲେ; ଖାଇବାର ହୋଇ ଗଲାଣି । ଠା ହେବ ?

 

ଅକ୍ଷୟ କହିଲା–ନିଶ୍ଚୟ, ନିଶ୍ଚୟ । ରାତି ତ ଅନେକ ହେଲାଣି ।

 

ପିଲାଟି ଗଲାପରେ ହରେନ୍ଦ୍ର କହିଲା–ଭାଉଜ ଆସିଲା ପରଠାରୁ ଖାଇବା କଥା ଚିନ୍ତା କରିବାକୁ କାହାକୁ ପଡ଼ୁନି । ତାଙ୍କର ତ ରହିବା ପାଇଁ ଆଉ ଜାଗାନାହିଁ–କିନ୍ତୁ ସତୀଶ୍ ରାଗି ଚାଲିଗଲା ।

 

ଆଶୁ ବାବୁଙ୍କ ମୁହଁ ମୁହୂର୍ତ୍ତକ ପାଇଁ ଲାଲ ପଡ଼ିଗଲା ।

 

ହରେନ୍ଦ୍ର କହିଲା–ଅଥଚ ସତୀଶ୍‍ର ଅନ୍ୟ ଉପାୟ ନ ଥିଲା । ସେ ତ୍ୟାଗୀ ବ୍ରହ୍ମଚାରୀ–ଏ ସମ୍ପର୍କ ତା’ର ସାଧନାର ବିଘ୍ନ । କିନ୍ତୁ ମୋର କେଉଁ କାମଟା ଠିକ୍ ହେଲା ମୁଁ ଏପର୍ଯ୍ୟନ୍ତ ଭାବି ପାରୁନି ।

 

କମଳ ଆକୁଣ୍ଠିତ ଚିତ୍ତରେ କହିଲା–ଏଇ କାମଟା ହରେନ୍ଦ୍ର ବାବୁ, ସଂଯମ ଯେତେବେଳେ ସହଜ ନ ହୋଇ ଅନ୍ୟକୁ ଆଘାତ କରେ, ସେତେବେଳେ ତାହା ଦୁର୍ବିସହ ହୋଇ ଉଠେ । ଏହା କହି ସେ ମୁହୂର୍ତ୍ତକ ପାଇଁ ଆଶୁ ବାବୁଙ୍କ ଆଡ଼କୁ ଚାହିଁଲା, ହୁଏତ କିଛି ଉଦ୍ଦେଶ୍ୟ ଥିଲା–କିନ୍ତୁ ହରେନ୍ଦ୍ରକୁ ପୁଣି କହିଲା–‘ସେମାନେ ନିଜକୁ ଟାଣି ଟାଣି ବଢ଼େଇ ନିଜର ଭଗବାନ ସୃଷ୍ଟି କରନ୍ତି–ତେଣୁ ସେମାନଙ୍କ ଭଗବାନ ପୂଜା ବାରମ୍ବାର ମଥାନତ କରି ଆତ୍ମପୂଜାରେ ପର୍ଯ୍ୟବସିତ ହୁଏ । ତା’ଛଡ଼ା ସେମାନଙ୍କର ବାଟ ନାହିଁ । ମଣିଷ ତ କେବଳ ନର ନୁହେଁ ବା ନାରୀ ନୁହେଁ–ଏ ଉଭୟ ମିଶି ସେ ଏକ ହୁଏ । ଏହି ଅର୍ଦ୍ଧକୁ ବାଦ୍‍ ଦେଇ ଯେ ନିଜକୁ ବଡ଼ କରି ପାଇବାକୁ ଚାହେଁ–ସେ ନିଜକୁ ପାଏନି, ଭଗବାନଙ୍କୁ ବି ହରାଏ । ସତୀଶ୍ ବାବୁଙ୍କ ପାଇଁ ଦୁଶ୍ଚିନ୍ତା କରିବେନି ହରେନ୍ଦ୍ର ବାବୁ, ତାଙ୍କ ସିଦ୍ଧି ଭଗବାନଙ୍କ ଜିମାରେ ।

 

ସତୀଶ୍‍କୁ କେହି ବିଶେଷ ଭଲପାଆନ୍ତି ନାହିଁ–ତେଣୁ ଏ କଥାରେ ସମସ୍ତେ ହସିଲେ । ଆଶୁ ବାବୁ ବି ହସିଲେ–କହିଲେ–‘ଆମ ହିନ୍ଦୁ ଶାସ୍ତ୍ରରେ ଗୋଟାଏ ବଡ଼ କଥା ଅଛି କମଳ–ଆତ୍ମଦର୍ଶନ । ଅର୍ଥାତ୍ ନିଜକୁ ନିଗୂଢ଼ ଭାବେ ଜାଣିବା । ଋଷିମାନେ କହନ୍ତି, ଏଇ ଖୋଜିବା ଭିତରେ ବିଶ୍ଵର ସକଳ ଜ୍ଞାନ ନିହିତ । ଭଗବାନଙ୍କୁ ପାଇବା ପାଇଁ ଏହି ଅସଲ ବାଟ । ୟା’ପରେ ଧ୍ୟାନ । ତୁମେ ମାନନା କିନ୍ତୁ ଯେଉଁମାନେ ମାନନ୍ତି, ବିଶ୍ୱାସ କରନ୍ତି ଓ ଭଗବାନଙ୍କୁ ପାଇବାକୁ ଚାହାଁନ୍ତି–ନିଜକୁ ଜଗତର ବହୁବିଷୟରୁ ବଞ୍ଚିତ କରି ନ ରଖିଲେ ସେମାନଙ୍କର ଏକାଗ୍ର-ଚିତ୍ତ-ଯୋଜନ ହୋଇପାରେନା । ସତୀଶ୍‍ କଥା ମୁଁ କହୁନି, କିନ୍ତୁ ଏ ଯେ ହିନ୍ଦୁର ଅଚ୍ଛିନ୍ନ ପରମ୍ପରାପ୍ରାପ୍ତ ସଂସ୍କାର । ଏଇତ ଯୋଗ । ଆସମୁଦ୍ର ହିମାଚଳ ଭାରତବାସୀ ଅବିଚଳିତ ଶ୍ରଦ୍ଧାରେ ଏଇ ତତ୍ତ୍ୱରେ ବିଶ୍ଵାସ କରନ୍ତି ।

 

ଭକ୍ତି, ବିଶ୍ଵାସ ଓ ଭାବର ଆବେଗରେ ତାଙ୍କର ଦୁଇ ଚକ୍ଷୁ ଛଳ ଛଳ ହୋଇଗଲା । ବାହାରର ସର୍ବବିଧ ସାହେବୀ ଢଙ୍ଗ ତଳେ ତାଙ୍କ ମନ ଯେ ହିନ୍ଦୁ ଦର୍ଶନରେ ଦୃଢ଼ନିଷ୍ଠ, ବିଶ୍ଵାସପରାୟଣ ନିର୍ବାତ–ଦୀପଶିଖା ସଦୃଶ ପ୍ରଜ୍ଵଳିତ, କମଳ ତାହା ଉପଲବ୍ଧି କଲା । ସେ କ’ଣ ଗୋଟାଏ କହିବାକୁ ଯାଉଥିଲା, କିନ୍ତୁ କ’ଣ ମନେକରି କହିଲା ନାହିଁ । ସଂକୋଚ ଅନ୍ୟ କିଛି ପାଇଁ ନୁହେଁ, କେବଳ ଏଇ ସତ୍ୟବ୍ରତ ସଂଯତେନ୍ଦ୍ରିୟ ବୃଦ୍ଧଙ୍କୁ ଆଘାତ ନ ଦେବା ପାଇଁ । କିନ୍ତୁ ଉତ୍ତର ନ ପାଇ ସେ ଯେତେବେଳେ ପ୍ରଶ୍ନ କଲେ–କ’ଣ କମଳ, ଏ କ’ଣ ସତ ନୁହେଁ ? ସେତେବେଳେ ସେ କହିଲା–ନା ଆଶୁ ବାବୁ, ସତ ନୁହେଁ । କେବଳ ତ ହିନ୍ଦୁଧର୍ମ ନୁହେଁ ଏ ବିଶ୍ୱାସ ସବୁ ଧର୍ମରେ ଅଛି, କିନ୍ତୁ କେବଳ ବିଶ୍ୱାସ ଜୋରରେ କୌଣସି ମତ ସତ୍ୟ ହୋଇପାରେନା । ତ୍ୟାଗ ଜୋରରେ ନୁହେଁ ବା ହସି ହସି ମୃତ୍ୟୁବରଣ କରିବା ପାଇଁ ନୁହେଁ । ଅତି ତୁଚ୍ଛ ମତର ଅନୈକ୍ୟ ପାଇଁ ସଂସାରରେ ବହୁଜୀବନ ନଷ୍ଟ କରି ଦିଆଯାଇଛି । ତାହା ଜିଦ୍‍ର ଜୋର୍ ପ୍ରମାଣ କରିଛି, ଚିନ୍ତାର ସତ୍ୟକୁ ପ୍ରମାଣିତ କରିନାହିଁ । ଯୋଗ କାହାକୁ କହନ୍ତି ମୁଁ ଜାଣେନା କିନ୍ତୁ ଯଦି ନିର୍ଜନରେ ବସି ଆତ୍ମବିଶ୍ଳେଷଣ ଓ ଆତ୍ମଚିନ୍ତା କରିବା ଯୋଗର ଏକମାତ୍ର ସଂଜ୍ଞା, ତେବେ ମୁଁ ଜୋରରେ କହିବି ଯେ ଏ ଦୁଇଟି ସିଂହଦ୍ଵାର ଦେଇ ସଂସାରରେ ଯେତେ ଭ୍ରମ, ଯେତେ ମୋହ ପ୍ରବେଶ କରିଛି, ଅନ୍ୟ କୌଣସି ବାଟରେ ନୁହେଁ । ଏମାନେ ଆଜ୍ଞାନତାର ସହଚର ।

 

ଶୁଣି କେବଳ ଆଶୁ ବାବୁ ନୁହନ୍ତି, ହରେନ୍ଦ୍ର ବି ବିସ୍ମୟରେ ନିର୍ବାକ୍ ହୋଇଗଲା । ସେଇ ପିଲାଟି ପୁଣି ଆସି କହିଲା–‘ବଢ଼ା ହେଲାଣି ।’ ସମସ୍ତେ ଖାଇବାକୁ ଉଠିଗଲେ ।

 

(ଅଠେଇଶି)

 

ଖାଇ ସାରିଲା ପରେ ଅକ୍ଷୟ କମଳକୁ ଏକୁଟିଆ ଦେଖି କହିଲା–ଶୁଣିଲି ଯେ ଆପଣମାନେ ଚାଲିଯାଉଛନ୍ତି । ପରିଚିତ ସମସ୍ତଙ୍କ ଘରକୁ ଆପଣ ଥରେ ଅଧେ ଯାଇଛନ୍ତି–ଖାଲି ଆମ ଘରକୁ–

 

‘ଆପଣ !’ କମଳ ଅତି ମାତ୍ରାରେ ବିସ୍ମିତ ହୋଇଗଲା । କେବଳ କଣ୍ଠସ୍ୱରର ପରିବର୍ତ୍ତନ ପାଇଁ ନୁହେଁ; ‘ତୁମେ’ ବୋଲି ତାକୁ ସମସ୍ତେ ଡାକନ୍ତି । ସେଥିପାଇଁ ସେ କେବେ ଅଭିଯୋଗ ବା ଅଭିମାନ କରେନା । କିନ୍ତୁ ଅକ୍ଷୟର ଅନ୍ୟ କାରଣ ଥିଲା । କମଳକୁ ‘ଆପଣ’ ବୋଲି କହିବା ଅନୁଚିତ ବୋଲି ତା’ର ଧାରଣା–ଏଭଳି କି ଭଦ୍ର ଆଚରଣ ବହିର୍ଗତ ବୋଲି ସେ ମନେ କରେ । କମଳ ଏହା ଜାଣେ, କିନ୍ତୁ ଏଇ ଛୋଟ କଥା ପ୍ରତି ମନ ଦେବାକୁ ତାକୁ ଲଜ୍ଜା ଲାଗେ । କାଳେ ଏ ସମ୍ପର୍କରେ କେବେ ଝଗଡ଼ା ହେବ ବୋଲି ସେ ସବୁବେଳେ ତାକୁ ଏଡ଼ି ଚଳେ । ହସି କହିଲା–ଆପଣ ତ କେବେ ଯିବାକୁ କହି ନାହାନ୍ତି ?

 

‘ନା, ସେଟା ମୋର ଅନ୍ୟାୟ । ଚାଲିଯିବା ପୂର୍ବରୁ ଆଉ ସମୟ ହେବନି ?’

 

‘କେମିତି ହେବ କହନ୍ତୁ । ଆମେ ତ ଏଇ ସକାଳୁ ଚାଲିଯିବୁ ।’

 

‘ସକାଳୁ ?’ ଟିକିଏ ରହି କହିଲା–‘ଏ ଅଞ୍ଚଳକୁ କେବେ ଆସିଲେ ମୋ ଘରେ ଆପଣଙ୍କୁ ନିମନ୍ତ୍ରଣ ରହିଲା ।’

 

କମଳ ହସି କହିଲା–ଗୋଟାଏ କଥା ପଚାରିବି ? ହଠାତ୍ ମୋ ସମ୍ପର୍କରେ ଆପଣଙ୍କର ଏ ମତ ବଦଳିଲା କେମିତି ? ବରଂ ଅଧିକ କଠୋର ହେବା କଥା ।

 

ଅକ୍ଷୟ କହିଲା–ସାଧାରଣତଃ ତା’ ହେବା କଥା; କିନ୍ତୁ ଏଥର ଦେଶକୁ ଯାଇ କିଛି ଅଭିଜ୍ଞତା ସଞ୍ଚୟ କରି ଆସିଛି । ଆପଣଙ୍କ ଏଇ ପିଉରିଟାନ୍‍ଙ୍କ ଉଦାହରଣ ମତେ ଅତି ଗଭୀର ଭାବେ ସ୍ପର୍ଶ କଲା । ଆଉ କେହି ବୁଝିଲେ କି ନାହିଁ, ନ ବୁଝିବା ଆଶ୍ଚର୍ଯ୍ୟ ନୁହେଁ, କିନ୍ତୁ ମୁଁ ଅନେକ ଏ ବିଷୟରେ ଜାଣେ ତ ! ଆଉ ଗୋଟାଏ କଥା, ଆମ ଗାଁର ପ୍ରାୟ ଚୌଦ ଅଣା ମୁସଲମାନ; ଏମାନେ ତ ସେଇ ହଜାର ବର୍ଷ ତଳର ପୁରୁଣା ସତ୍ୟରେ ଆଜି ପର୍ଯ୍ୟନ୍ତ ଦୃଢ଼ ହୋଇ ଅଛନ୍ତି । ସେଇ ବିଧିନିଷେଧ, ଆଇନକାନୁନ, ଆଚାର ଅନୁଷ୍ଠାନ–କେଉଁଥିରୁ ବି କିଛି ବ୍ୟତ୍ୟୟ ହୋଇନି ।

 

କମଳ କହିଲା–ସେମାନଙ୍କ ସମ୍ପର୍କରେ ମୁଁ କିଛି ଜଣେନା । ଜାଣିବାର ସୁଯୋଗ କେବେ ହୋଇନି । ଯଦି ଆପଣଙ୍କ କଥା ସତ ହୁଏ, କେବଳ ଏଇତକ କହିବି ଯେ ସେମାନଙ୍କର ଭାବି ଦେଖିବାର ସମୟ ଆସିଛି । ସତ୍ୟର ସୀମା ଯେକୌଣସି ଏକ ଅତୀତରେ ସୁନିର୍ଦ୍ଦିଷ୍ଟ ହୋଇ ଯାଇନି–ଏ ସତ୍ୟ ଦିନେ ମାନିବାକୁ ହେବ । ଆଚ୍ଛା, ଉପରକୁ ଚାଲନ୍ତୁ ।

 

‘ନା, ମୁଁ ଏଇଠୁ ବିଦାୟ ନେବି । ମୋର ସ୍ତ୍ରୀ ପୀଡ଼ିତା । ଏତେ ଲୋକଙ୍କୁ ଦେଖିଲେ, ତାଙ୍କୁ ଟିକେ ଦେଖିଯିବେନା ?’

 

କମଳ କୌତୂହଳୀ ହୋଇ ପଚାରିଲା–ସେ ଦେଖିବାକୁ କିଭଳି ?

 

ଅକ୍ଷୟ କହିଲା–ଠିକ୍ ଜାଣେନି । ଆମ ପରିବାରରେ କେହି ଏ ପ୍ରଶ୍ନ କରେନା । ଲେଖା ପଢ଼ା ଶିଖିବାର ସମୟ ପାଇନି । ଏଣୁ ଶିଖିନି । ରନ୍ଧାବଢ଼ା, ବାରବ୍ରତ, ପୂଜା ଆହ୍ନିକରେ ବ୍ୟସ୍ତ, ମତେ ଇହକାଳ ଓ ପରକାଳର ଦେବତା ବୋଲି ଜାଣେ । ଦେହ ଖରାପ ହେଲେ ଔଷଧ ଖାଏନା, କହେ ସ୍ୱାମୀର ପାଦୋଦକରେ ସମସ୍ତ ରୋଗ ଭଲ ହୋଇଯିବ । ଯଦି ଭଲ ନ ହୁଏ, ତେବେ ବୁଝିବି ଯେ ସ୍ତ୍ରୀର ଆୟୁ ଶେଷ ହୋଇଯାଇଛି ।

 

ଏହାର ସାମାନ୍ୟ ଆଭାସ କମଳ ହରେଦ୍ରଠାରୁ ପାଇଥିଲା । କହିଲା–ଆପଣ ତ ଭାଗ୍ୟବାନ, ଅନ୍ତତଃ ସ୍ତ୍ରୀ ଭାଗ୍ୟରେ ! ଏତେ ବେଶୀ ବିଶ୍ୱାସ ଏ ଯୁଗରେ ଦୁର୍ଲଭ ।

 

ଅକ୍ଷୟ କହିଲା–ବୋଧହୁଏ ସତ, ଠିକ୍ ଜାଣେନି । ହୁଏତ ଏହାକୁ ସ୍ତ୍ରୀ-ଭାଗ୍ୟ କୁହାଯାଏ-। କିନ୍ତୁ ମଝିରେ ମଝିରେ ମନେହୁଏ, ମୋର କେହି ନାହିଁ, ସଂସାରରେ ମୁଁ ଏକନ୍ତା ନିଃସଙ୍ଗ, ଏକା-। ଆଚ୍ଛା, ନମସ୍କାର ।

 

କମଳ ହାତ ଯୋଡ଼ି ନମସ୍କାର କଲା ।

 

ଅକ୍ଷୟ ପାଦେ ଫେରି ପୁଣି କହିଲା–‘ଗୋଟାଏ ଅନୁରୋଧ କରିବି ?’

 

‘କୁହନ୍ତି ।’

 

‘ଯଦି କେତେବେଳେ ସମୟ ପାଇବେ ଏବଂ ଯଦି ମୋ କଥା ମନେପଡ଼ିବ, ତେବେ ଦୟାକରି ଖଣ୍ଡେ ଚିଠି ଲେଖିବେ । ଆପଣ ନିଜେ କେମିତି ଅଛନ୍ତି, ଅଜିତ୍‍ ବାବୁ କେମିତି ଅଛନ୍ତି–ଇତ୍ୟାଦି । ଆପଣଙ୍କ କଥା ମୁଁ ସର୍ବଦା ଭାବିବି । ଆଚ୍ଛା ଯାଏ, ନମସ୍କାର ।’ ଏହା କହି ଅକ୍ଷୟ ଦ୍ରୁତପଦରେ ପ୍ରସ୍ଥାନ କଲା ଏବଂ କମଳ ସେଇଠି ସ୍ତବ୍ଧ ହୋଇ ଠିଆହୋଇ ରହିଲା । ତା’ର କେବଳ ମନେହେଲା ଯେ ଏଇ ସେ ଅକ୍ଷ–ଜ୍ଞାନର ବାହାରେ ଏଇ ଭାଗ୍ୟବାନ ବ୍ୟକ୍ତିର ଦାମ୍ପତ୍ୟ ଜୀବନ ନିରବିଘ୍ନ ଶାନ୍ତିରେ ପ୍ରହାହିତ । ଖଣ୍ଡିଏ ଚିଠି ପାଇଁ ତା’ର କି କୌତୂହଳ, କି ପ୍ରଥର୍ନା ।

 

ଉପରକୁ ଆସି ଦେଖିଲା ନୀଳିମା ବ୍ୟତୀତ ସମସ୍ତେ ଯଥାସ୍ଥାନରେ ଉପବିଷ୍ଟ । ଏଇଟା ନୀଳିମାର ସ୍ଵଭାବ–କେହି କିଛି ମନେକରନ୍ତି ନାହିଁ, ଆଶୁ ବାବୁ କହିଲେ ହରେନ୍ଦ୍ର ଗୋଟିଏ ଚମତ୍କାର ବିଷୟ ଆଲୋଚନା କରୁଥିଲେ । ଶୁଣିଲେ ପ୍ରଥମେ ପ୍ରହେଳିକା ଭଳି ମନେହେବ, କିନ୍ତୁ କଥାଟା ସତ । କହିଲେ, ଲୋକେ ଏଇ କଥା ବୁଝିପାରନ୍ତି ନାହିଁ ଯେ ପ୍ରଚଳିତ ସମାଜ ବିଧି ଲଂଘନ କରିବାର ଦୁଃଖ କେବଳ ଚିରତ୍ରବଳ ଓ ବିବେକ ବୁଦ୍ଧି ବଳରେ ସହି ହୁଏ । ମଣିଷ ବାହାରର ଅନ୍ୟାୟଟାକୁ ଦେଖେ, ଅଥଚ ଅନ୍ତର ଭିତରର ପ୍ରେରଣା ସମ୍ପର୍କରେ ଖବର ରଖେନା । ଏଇଠି ଯେତେ ଦ୍ଵନ୍ଦ୍ୱ, ଯେତେ ବିରୋଧର ସୃଷ୍ଟି ।

 

କମଳ ବୁଝିଲା ଏହାର ଲକ୍ଷ୍ୟ ସେ ଓ ଅଜିତ୍‍ । ସୁତରାଂ ଚୁପ୍ ରହିଲା । ଏକଥା କହିଲା ନାହିଁ ଯେ ଉଚ୍ଛୃଙ୍ଖଳାର ଜୋରରେ ବି ସମାଜବିଧି ଲଂଘନ କରାଯାଇପାରେ । ଦୁର୍ବୁଦ୍ଧି ଓ ବିବେକବୁଦ୍ଧି ସମାନ କଥା ନୁହେଁ ।

 

ବେଳା ଓ ମାଳିନୀ ଉଠି ଠିଆହେଲେ । ସେମାନଙ୍କର ଯିବାର ସମୟ ହୋଇଗଲାଣି । କମଳକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରି ସେମାନେ ହରେଦ୍ର ଓ ଆଶୁ ବାବୁଙ୍କୁ ପ୍ରଣାମ କରି ଚାଲିଗଲେ । ଏଇ କମଳ ସମ୍ମୁଖରେ ସେମାନେ ସବୁବେଳେ ନିଜକୁ ଛୋଟ ମନେକରୁଛନ୍ତି, ଗଲାବେଳେ ଉପେକ୍ଷା କରି ତାହାର ପ୍ରତିଶୋଧ ନେଲେ । ଚାଲିଗଲା ପରେ ଆଶୁ ବାବୁ କହିଲେ–କିଛି ମନେ କରନା ମ, ଏହା ଛଡ଼ା ସେମାନଙ୍କର ହାତରେ ଆଉ କିଛି ନାହିଁ । ମୁଁ ତ ସେଇ ଦଳର ଲୋକ, ସବୁ ଜାଣେ ।

 

ଆଶୁ ବାବୁ କିଛି ସମୟ ରହି କହିଲେ–ଦୈବାତ୍ ଏମାନେ ପଦସ୍ଥ ବ୍ୟକ୍ତିଙ୍କର ଭାର୍ଯ୍ୟା–ହାଇ ସର୍କଲର ମଣିଷ । ଇଂରାଜୀ କହିବା, ବୁଲିବା, ବେଶଭୂଷାରେ ଅପ୍-ଟୁ-ଡେଟ୍ । ଏଇତକ ଭୁଲିଲେ ଯେ ସେମାନଙ୍କ ଏକମାତ୍ର ପୁଞ୍ଜିରେ ଆଘାତ ଆସେ, କମଳ । ରାଗ କଲେ ବି ସେମାନଙ୍କର ପ୍ରତି ଅବିଚାର ହୁଏ ।

 

କମଳ ହସି ହସି କହିଲା ରଗିନି ତ !

 

ଆଶୁ ବାବୁ କହିଲେ–ତା’ ମୁଁ ଜାଣେ । ମୁଁ ବି ରାଗିଲି ନାହିଁ, କେବଳ ହସ ମାଡ଼ିଲା । ଆଚ୍ଛା, ବସାକୁ କେମିତି ଯିବ ମା’ ? ମୁଁ କ’ଣ ତମକୁ ବସାରେ ପହଞ୍ଚେଇ ଦେଇ ଯିବି ?

 

‘ବାଃ, ନହେଲେ ମୁଁ ଯିବି କେମିତି ?’

 

କାଳେ ଲୋକ କ’ଣ କହିବେ ବୋଲି ସେ ନିଜର କାର୍ ଫେରାଇ ଦେଇଥିଲା ।

 

‘ବେଶ୍, ହେଉ । ଆଉ ତ ଡେରି କଲେ ଚଳିବ ନାହିଁ ?’

 

ହଠାତ୍ ସମସ୍ତଙ୍କର ସ୍ମରଣ ହେଲା ଯେ ତାଙ୍କ ଦେହ ଏଯାଏଁ ପୂରା ଭଲ ହୋଇନି ।

 

ସିଡ଼ିରେ ଜୋତାର ଶବ୍ଦ ଶୁଣାଗଲା ଏବଂ ପରମୁହୂର୍ତ୍ତରେ ଅଜିତ୍‍ ଆସି ପହଞ୍ଚିଲା ।

 

ହରେନ୍ଦ୍ର ଅଭ୍ୟର୍ଥନା କରି କହିଲା–ହ୍ୟାଲୋ, ବେଟର୍‍ ଲେଟ୍ ଦାନ୍ ନେଭାର୍ । ଏ କି ସୌଭାଗ୍ୟ ଆଶ୍ରମର ।

 

ଅଜିତ୍‍ ଅପ୍ରତିଭ ହୋଇ କହିଲା–‘ନେବାକୁ ଆସିଲି ।’ ଏକ ଅଭାବିତ ଦୁଃସାହସିକତାରେ କଥାଗୁଡ଼ାକ ତା’ ପାଟିଭିତରୁ ଠେଲି ହୋଇ ବାହାରି ଆସିଲା ଯେମିତି । କହିଲା–‘ନ ହେଲେ ଆଉ ଦେଖା ହୋଇପାରି ନ ଥାନ୍ତା, ଆମେ ଆଜି ଭୋର୍‍ରୁ ଦୁଇଜଣ ବାହାରି ଯାଉଛୁ ।

 

‘ଆଜି ? ଏଇ ଭୋର୍‍ରୁ ?’

 

‘ହଁ, ଆମର ସବୁ ପ୍ରସ୍ତୁତ; ଏଇଠୁ ଯାତ୍ରା ଆରମ୍ଭ ।’

 

ନିଃଶବ୍ଦ ପଦକ୍ଷେପରେ ନୀଳିମା ଆସି ଗୋଟାଏ ପାଖରେ ବସିଲା । ସଙ୍କୋଚ କାଟି ଆଶୁ ବାବୁ ମୁହଁ ଟେକି ଚାହିଁଲେ । ତା’ପରେ ଧୀରେ ଧୀରେ କହିଲେ–ତମେ ଉଭୟେ ମୋର ସ୍ନେହାସ୍ପଦ । ଯଦି ତମର ବିବାହ ହୋଇଥାନ୍ତା, ମୁଁ ଦେଖି ଯାଇଥାନ୍ତି ।

 

ଅଜିତ୍‍ ବ୍ୟଗ୍ର କଣ୍ଠରେ କହିବାକୁ ଲାଗିଲା–ଏ ଜିନିଷ ମୁଁ ଚାହେଁନି । ଆଶୁ ବାବୁ, ଏ ମୋର ଭାବନାର ଅତୀତ । ବିବାହର କଥା ବାରମ୍ଵାର କହିଲି–ବାରମ୍ଵାର କମଳ ତାକୁ ଅସ୍ଵୀକାର କରୁଛି । ନିଜର ଯାବତୀୟ ସମ୍ପତ୍ତି, ଯାହା କିଛି ମୋର ଅଛି–ସବୁ ତା’ ନାଁରେ ଲେଖିଦେବା ପାଇଁ ରାଜି ଅଛି, ସେ ସମ୍ମତ ନୁହେଁ । ଆଜି ଏ ସମସ୍ତଙ୍କ ଆଗରେ ମୁଁ ତମକୁ ମିନତି କରୁଛି କମଳ, ତମେ ରାଜି ହୁଅ । ମୋର ସର୍ବସ୍ୱ ତମକୁ ଦେଇ ମୁଁ ଫାଙ୍କିରୁ ନିଷ୍କୃତି ପାଇବି ।

 

ନୀଳିମା ଆବାକ୍ ହୋଇ ଚାହିଁ ରହିଲା । ଅଜିତ୍‍ ସ୍ଵଭାବତଃ ଲାଜକୁଳା, ସମସ୍ତଙ୍କ ଆଗରେ ତା’ର ଏ ଅପରିମିତ ବ୍ୟାକୁଳତା ଦେଖି ସମସ୍ତଙ୍କର ବିସ୍ମୟର ସୀମା ରହିଲା ନାହିଁ । ଆଜି ସେ ନିଜକୁ ନିଃସ୍ୱ କରି ଦେଇଦେବାକୁ ଚାହେଁ । ନିଜର ବୋଲି କିଛି ରଖିବାର ତା’ର ଟିକିଏ ବୋଲି ପ୍ରୟୋଜନ ନାହିଁ ।

 

କମଳ ତା ମୁହଁକୁ ଚାହିଁ କହିଲା–କାହିଁକି ? ତମର ଏତେ ଭୟ କାହିଁକି ?

 

‘ଭୟ ଆଜି ନାହିଁ ହୁଏତ–କିନ୍ତୁ–’

 

‘କିନ୍ତୁର ଦିନ ଆସୁ ।’

 

‘ଆସିଲେ ତ ତୁମେ କିଛି ନେବନି ମୁଁ ଜାଣେ ।’

 

କମଳ ହସି କହିଲା–‘ଜାଣ ? ତା’ହେଲେ ତ ସେଇଟା ତମର ସବୁଠୁ ଶକ୍ତ ବନ୍ଧନ ।’ ଟିକିଏ ରହି କହିଲା–ତମର ମନେ ନାଇଁ, ମୁଁ ଦିନେ କହିଥିଲି ଭୟାନକ ମଜବୁତ୍ କରିବା ଲୋଭରେ ନିଚ୍ଛିଦ୍ର କରି ଘର ତିଆରି କରିବାକୁ ଚାହଁ ନାହିଁ । ସେଥିରେ ମଡ଼ାର କବର ହେବସିନା, ଜିଅନ୍ତା ମଣିଷର ଶୋଇବା ଘର ହେବନି ।

 

ଅଜିତ କହିଲା–କହିଥିଲ ଠିକ୍ । ମୁଁ ଜାଣେ ତମେ ମୋତେ ବାନ୍ଧି ରଖିବାକୁ ଚାହଁନି, କିନ୍ତୁ ମୁଁ ଯେ ଚାହେଁ । ତମକୁ ବା କ’ଣ ଦେଇ ବାନ୍ଧି ରଖିବି କମଳ ? ମୋର ସେ ଜୋର୍ କାହିଁ ?

 

କମଳ କହିଲା–‘ଜୋରରେ କାମ ନାହିଁ । ବରଂ ତମର ଦୁର୍ବଳତା ସାହାଯ୍ୟରେ ମୋତେ ବାନ୍ଧିରଖ । ତମ ପରି ମଣିଷକୁ ଭସେଇ ଦେଇ ଚାଲିଯିବି, ଏତେ ନିଷ୍ଠୁର ମୁଁ ନୁହେଁ ।’ ଆଶୁ ବାବୁଙ୍କ ଆଡ଼କୁ ଟିକିଏ ଚାହିଁ କହିଲା–ଭଗବାନ ମାନେନି, ନ ହେଲେ ପ୍ରାର୍ଥନା କରିଥାନ୍ତି ଯେ ଦୁନିଆର ସମସ୍ତ ଆଘାତରୁ ତମକୁ ଆଢ଼ୁଆଳ କରି ମୁଁ ଯେମିତି ମରି ପାରିବି ।

 

ନୀଳିମାର ଦୁଇ ଆଖି ଛଳ ଛଳ ହୋଇଗଲା । ଆଶୁ ବାବୁ ନିଜେ ଆଖି ପୋଛିଲେ, କହିଲେ–ତମର ଭଗବାନ ମାନି କୌଣସି ଲାଭ ନାହିଁ କମଳ । ସେ ଏକା କଥା ମା’ । ଏଇ ଆତ୍ମସମର୍ପଣ ତମକୁ ଦିନେ ତାଙ୍କ ପାଖେ ପହଞ୍ଚାଇ ଦେବ ।

 

କମଳ ହସି କହିଲା–ସେ ହେବ ମୋର ଓପରି ପାଉଣା । ନ୍ୟାଯ୍ୟ ପାଉଣାଠାରୁ ତା’ର ମୂଲ୍ୟ ବେଶୀ ।

 

ହରେନ୍ଦ୍ର କହିଲା–ଅଜିତ୍‍, ତମେ ତ ଖାଇନାହଁ, ତଳକୁ ଚାଲ ।

 

ଆଶୁ ବାବୁ ହସି ହସି କହିଲେ–ଏଇ ତମର ବୁଦ୍ଧି ! ସେ ଖାଇ ଆସିନାହିଁ ଅଥଚ ଏଠି କମଳ ଖାଇପିଇ ନିଶ୍ଚିନ୍ତ ବସିଛି ! ଯାହା ସେ କେବେ କରିପାରେନା !

 

ଅଜିତ୍‍ ସ୍ୱୀକାର କଲା–ସେ ଖାଇ ସାରିଛି ।

 

ସଭା ଭାଙ୍ଗିବା ଇଚ୍ଛା କାହାର ନ ଥିଲା କିନ୍ତୁ–ଆଶୁ ବାବୁଙ୍କ ସ୍ୱାସ୍ଥ୍ୟ କଥା ଭାବି ଉଠିବା ପ୍ରୟୋଜନ ହୋଇ ପଡ଼ିଲା । ହରେନ୍ଦ୍ର ଚୁପ୍ ଚପ୍ ଆସି କମଳକୁ କହିଲା–ଏତେଦିନକେ ଅସଲ ଜିନିଷଟି ପାଇଲ କମଳ, ମୁଁ ତମକୁ ଅଭିନନ୍ଦନ ଜଣାଉଛି ।

 

କମଳ କ୍ଷୀଣ କଣ୍ଠରେ କହିଲା–ପାଇଛି ? ଅନ୍ତତଃ ସେଇ ଆଶୀର୍ବାଦ କରନ୍ତୁ ।

 

ହରେନ୍ଦ୍ର ଆଉ କିଛି କହିଲା ନାହିଁ, କିନ୍ତୁ କମଳର କଣ୍ଠରେ ଯେ ଦ୍ୱିଧାହୀନ ପରମନିଃସଂଶୟତା ପ୍ରକାଶ ପାଇଲା ନାହିଁ, ସେ ବୁଝିପାରିଲା । ତେବେ ଏଇତ ବିଶ୍ୱର ବିଧାନ ।

 

ଦ୍ୱାର ଆଢ଼ୁଆଳକୁ ଡାକି ନେଇ ନୀଳିମା କହିଲା–‘କମଳ, ମତେ ଭୁଲିବନି, ମନେ ପକାଉଥିବ ।’ ଏହାଠାରୁ ଅଧିକ କିଛି ସେ କହି ପାରିଲାନି ।

 

କମଳ ମୁଣ୍ଡ ନୁଆଁଇ ନମସ୍କାର ହେଲା । କହିଲା–ଭଉଣୀ, ମୁଁ ପୁଣି ଆସିବି । କିନ୍ତୁ ଯିବା ପୂର୍ବରୁ ଆପଣଙ୍କୁ ଗୋଟିଏ ଅନୁରୋଧ କରିଯାଏ–ଜୀବନର କଲ୍ୟାଣ ଓ ଆନନ୍ଦକୁ କେତେବେଳେ ଅସ୍ୱୀକାର କରିବେ ନାହିଁ । ତା’ର ପ୍ରକୃତ ରୂପ ଆନନ୍ଦମୟ । ଏଇ ରୂପରେ ସେ ଦେଖାଦିଏ । ଆଉ ଯାହା କରନା କାହିଁକି, ଅବିନାଶ ବାବୁଙ୍କ ଘରେ ଆଉ ବେଠି ଖଟିବ ନାହିଁ ?

 

ନୀଳିମା କହିଲା–ତମ କଥା କରିବି କମଳ ।

 

ଆଶୁ ବାବୁ ଗାଡ଼ିରେ ଉଠିବାରୁ କମଳ ହିନ୍ଦୁ ରୀତିରେ ତାଙ୍କ ପାଦକୁ ଛୁଇଁ ପ୍ରଣାମ କଲା-। ସେ ତା’ ମୁଣ୍ଡ ଉପରେ ହାତ ରଖି ପୁଣି ଥରେ ଆଶୀର୍ବାଦ କଲେ । କହିଲେ–ତମ ପାଖରୁ ଗୋଟିଏ ଖାଣ୍ଟି ତତ୍ତ୍ୱର ସନ୍ଧାନ ପାଇଛି କମଳ । ସେଦିନଠାରୁ ମୁଁ ଭାବୁଛି ପ୍ରେମର ଶୁଚିତାର ଇତିହାସ ମଣିଷ ସଭ୍ୟତାର ଇତିହାସ । ତା’ର ଜୀବନ ଓ ତା’ର ବଡ଼ ହେବାର ଧାରାବାହିକ ବିବରଣୀ । ତେବେ ଗଲାବେଳେ ଆଉ ଶୁଚିତାର ସଂଜ୍ଞା ନେଇ ତମ ସହ ଯୁକ୍ତି କରିବିନି । ମୋର କ୍ଷୋଭର ନିଃଶ୍ୱାସ ତମର ବିଦାୟ ବେଳାକୁ ମଳିନ ନ କରୁ; କିନ୍ତୁ ଏଇ କଥା ମନେରଖ କମଳ, ଆଦର୍ଶ–ଆଇଡିଆଲ୍, କେବଳ ଦୁଇ ଚାରିଜଣଙ୍କ ପାଇଁ–ସେଥିପାଇଁ ତା’ର ଦାମ୍ । ତାକୁ ସାଧାରଣ ସ୍ତରକୁ ଟାଣିଆଣିଲେ ସେଟା ପାଗଳାମୀ ହେବ । ତା’ର ଶୁଭ୍ରତା ଘୁଞ୍ଚିଯିବା, ସେ ହେବ ଦୁର୍ବହ ଭାର-। ବୌଦ୍ଧ ଯୁଗରୁ ବୈଷ୍ଣବ ଯୁଗ ପର୍ଯ୍ୟନ୍ତ ଏହାର ଅନେକ ନଜିର୍ ପୃଥିବୀ ଇତିହାସରେ ବିଦ୍ୟମାନ-। ସଂସାରରେ ତମେ କ’ଣ ସେଇ ଦୁଃଖର ବିପ୍ଳବ ଆଣିଦେବ ମା’ ?

 

କମଳ ଧୀର କଣ୍ଠରେ କହିଲା–ଏ ଯେ ମୋର ଧର୍ମ କାକା ବାବୁ ।

 

‘ଧର୍ମ, ତମର ଧର୍ମ ?’

 

କମଳ କହିଲା–ହଁ, ଯେ ଦୁଃଖକୁ ଆପଣ ଆଜି ଭୟ କରୁଛନ୍ତି, ତାରି ଭିତରୁ ତା’ଠାରୁ ବଡ଼ ଆଦର୍ଶ ଜନ୍ମଲାଭ କରିବ । ପୁଣି ତା’ର କାମ ଯେତେବେଳେ ଶେଷ ହୋଇଯିବ, ସେଦିନ ସେଇ ମୃତ ଦେହ ଭିତରୁ ତା’ଠାରୁ ମହତ୍ତର ଆଦର୍ଶର ସୃଷ୍ଟି ହେବ । ଏଇଭଳି ସଂସାରରେ ସମସ୍ତ ଶତ ଆଦର୍ଶ ଶୁଭତର ଆଦର୍ଶର ପାଦତଳେ ଆତ୍ମବିସର୍ଜନ କରି ଋଣ ପରିଶୋଧ କରେ । ଏ ତ ମଣିଷର ମୁକ୍ତିର ପଥ । ଆପଣ ଦେଖିପାରୁ ନାହାନ୍ତି, ସତୀଦାହର ବାହାର ଚେହେରାଟା ବ୍ରିଟିଶ୍ ଅମଳରେ ବଦଳିଗଲା ଅଥଚ ତା’ର ଭିତରର ଦାହ ଆଜି ବି ଜଳୁଛି ! ସେଇଭଳି ପ୍ରତିଦିନ କୁଢ଼ କୁଢ଼ ପାଉଁଶ ସୃଷ୍ଟି ହେଉଛି; ସେ ଲିଭିବ କିଭଳି ?

 

ଆଶୁ ବାବୁ କଥା କହି ପାରିଲେନି–କେବଳ ଗୋଟାଏ ଦୀର୍ଘ ନିଃଶ୍ଵାସ ପକେଇଲେ । କିନ୍ତୁ ପରକ୍ଷଣରେ କହିଲେ–କମଳ, ମଣିର ମା’ର ବନ୍ଧନ ମୁଁ ଯେ ଆଜି ପର୍ଯ୍ୟନ୍ତ କାଟି ପାରିନି; ତାକୁ ତୁମେ କହ ମୋହ, ଦୁର୍ବଳତା । ସେ କ’ଣ ମୁଁ କହିପାରିବିନି, କିନ୍ତୁ ଏ ମୋହ ଯେଉଁଦିନ ଅପସାରିତ ହେବ, ମଣିଷର ଅନେକ ତପସ୍ୟାର ଧନ ସେଦିନ ଘୁଞ୍ଚିଯିବ । ଆଚ୍ଛା, ଯାଏ । ବାସୁଦେବ, ଚାଲ ।

 

ଜଣେ ଟେଲିଗ୍ରାନ୍-ପିଅନ୍ ସାଇକେଲ୍ ଅଟକାଇ ଓହ୍ଲାଇ ପଡ଼ିଲା । ଜରୁରୀ ତାର । ମଥୁରା ଜିଲା କୌଣସି ଛୋଟ ସରକାରୀ ହସ୍ପିଟାଲର ଡାକ୍ତରଙ୍କଠାରୁ ଆସିଛି । ବିଷୟ ହେଲା–ଗାଁର ଗୋଟିଏ ଦେଉଳରେ ନିଆଁ ଲାଗିଗଲା–ବହୁଦିନ ବହୁଲୋକପୂଜିତ ବିଗ୍ରହ ପୋଡ଼ିଯିବା ଉପରେ । ବଞ୍ଚାଇବାର କୌଣସି ଉପାୟ ଯେତେବେଳେ ନାହିଁ, ରାଜେନ୍‍ ସେହି ପ୍ରଜ୍ୱଳିତ ଗୃହରୁ ମୂର୍ତ୍ତିଟାକୁ ଉଦ୍ଧାର କଲା । ଦେବତା ରକ୍ଷା ପାଇଲେ, କିନ୍ତୁ ବଞ୍ଚିଲାନି ତାଙ୍କର ରକ୍ଷକ । ଦୁଇ ତିନି ଦିନ ନୀରବରେ ଅବ୍ୟକ୍ତ ଯନ୍ତ୍ରଣା ସହି ଆଜି ସକାଳେ ତା’ର ବୈକୁଣ୍ଠପ୍ରାପ୍ତି ହେଲା । ଦଶ ହଜାର ଲୋକ କୀର୍ତ୍ତନ କରି ତା’ର ନଶ୍ଵର ଦେହକୁ ଯମୁନା କୂଳରେ ସଂସ୍କାର କରିଛନ୍ତି । ମୃତ୍ୟୁ କାଳରେ ଏହି ସମ୍ବାଦଟା ସେ ଦେଇଯାଇଛି ।

 

ଆକାଶରୁ ଯେଭଳି ବଜ୍ରପାତ ହେଲା ।

 

ଶୋକରେ ହରେନ୍ଦ୍ରର କଣ୍ଠ ରୁଦ୍ଧ ହୋଇଗଲା ।

 

ଆଶୁ ବାବୁ କାନ୍ଦି ପକାଇ କହିଲେ–ଦୁଇ ଦିନ ! ଅଠଚାଳିଶି ଘଣ୍ଟା ! ଏତେ ପାଖରେ ଅଥଚ ଗୋଟାଏ ଖବର ବି ଦେଲାନି ।

 

ହରେନ୍ଦ୍ର ଆଖି ପୋଛି କହିଲା ପ୍ରୟୋଜନ ମନେକରିନି । କିଛି କରାଯାଇ ପାରନ୍ତାନି, ତେଣୁ କାହାକୁ ଦୁଃଖ ଦେବାକୁ ଚାହିଁନି ।

 

ଆଶୁ ବାବୁ ଯୁକ୍ତହସ୍ତ ମୁଣ୍ଡରେ ଲଗାଇ କହିଲେ–ତା’ର ମାନେ, ଦେଶ ଛଡ଼ା ଆଉ କୌଣସି ମଣିଷକୁ ସେ ଆତ୍ମୀୟ ବୋଲି ସ୍ୱୀକାର କରିନି । କେବଳ ଦେଶ–ଏଇ ଭାରତବର୍ଷ । ଭଗବାନ, ତମ ପାଦତଳେ ତାକୁ ସ୍ଥାନ ଦିଅ । ତମେ ଯାହା କର–ଏଇ ରାଜେନ୍‍ର ଗୋଷ୍ଠୀଟାକୁ ଯେଭଳି ସଂସାରରୁ ବିଲୁପ୍ତ ନ କର । ଚାଲ, ବାସୁଦେବ ।

 

ଏଇ ଦୁଃଖର ଆଘାତ କମଳକୁ ସବୁଠୁ ବେଶୀ ବାଧିଲା; କିନ୍ତୁ ତା’ର ଆଖିରୁ ନିଆଁ ବାହାରି ଆସିଲା । କହିଲା–‘ଦୁଃଖ କାହିଁକି ? ସେ ପରା ବୈକୁଣ୍ଠକୁ ଯାଇଛି ?’ ହରେନ୍ଦ୍ରକୁ କହିଲା–କାନ୍ଧିବେନି ହରେନ୍ଦ୍ର ବାବୁ, ଅଜ୍ଞାନତାର ବଳି ସବୁଦିନେ ଏଇଭଳି ଆଦାୟ ହୁଏ ।

 

ତା’ର କଣ୍ଠସ୍ଵର ତୀକ୍ଷ୍ଣ ଛୁରୀ ଭଳି ସମସ୍ତଙ୍କ ମନରେ ବାଜିଲା ।

 

ଆଶୁ ବାବୁ ଚାଲିଗଲେ । ସେଇ ଶୋକାଚ୍ଛନ୍ନ ସ୍ତବ୍ଧ ନୀରବତା ଭିତରେ ଅଜିତ୍‍କୁ ନେଇ କମଳ ଗାଡ଼ିରେ ବସିଲା । କହିଲା–ରାମଦୀନ୍‍, ଚାଲ ।

Image